ମନ୍ଦ ନୁହେଁ

ସେପ୍‌ଟେମ୍ବର ୮ରେ ପ୍ରକାଶିତ ୨୦୨୧-୨୨ ପାଇଁ ‘ହ୍ୟୁମାନ୍‌ ଡେଭଲପ୍‌ମେଣ୍ଟ ଇଣ୍ଡେକ୍‌ସ’ (‘ମାନବ ବିକାଶ ସୂଚକ’) ବା ସଂକ୍ଷେପରେ ‘ଏଚ୍‌ଡିଆଇ’ ରିପୋର୍ଟ ଅନୁସାରେ ଭାରତକୁ ଏହି ବର୍ଷ ପାଇଁ ମାନବ ବିକାଶ କ୍ଷେତ୍ରରେ ହାସଲ କରାଯାଇଥିବା ଉପଲବ୍‌ଧି ପାଇଁ ପ୍ରଦାନ କରାଯାଇଥିବା ମୂଲ୍ୟ ବା ସ୍କୋର୍‌ ପୂର୍ବ ବର୍ଷ ତୁଳନାରେ ହ୍ରାସ ପାଇଥିବା ସଙ୍ଗେ ସଙ୍ଗେ ‌େଦଶମାନଙ୍କର ମାନ୍ୟତା ତାଲିକାରେ ଭାରତର ସ୍ଥାନରେ ମଧ୍ୟ ଗୋଟିଏ ପାହାଚ ସ୍ଖଳନ ଘଟିଛି। ୨୦୨୦-୨୧ ରିପୋର୍ଟରେ ଭାରତକୁ ଦିଆଯାଇଥିବା ମାନବ ବିକାଶ ସ୍କୋର୍‌ ୦.୬୪୫ ଥିବା ବେଳେ ୨୦୨୧-୨୨ ରିପୋର୍ଟରେ ପ୍ରଦାନ କରାଯାଇଥିବା ଏହି ସ୍କୋର୍‌ ହ୍ରାସ ପାଇ ହୋଇଛି ୦.୬୩୩। ଏହାର ପ୍ରଭାବରେ ୧୯୧ଟି ଦେଶକୁ ନେଇ ପ୍ରସ୍ତୁତ ମାନ୍ୟତା ତାଲିକାରେ ୨୦୨୦-୨୧ର ରିପୋର୍ଟରେ ଭାରତକୁ ୧୩୧ତମ ସ୍ଥାନ ପ୍ରଦାନ କରାଯାଇଥିବା ବେଳେ, ଏହି ସଦ୍ୟତମ ରିପୋର୍ଟରେ ତାହା ୧୩୨ତମ ସ୍ଥାନକୁ ଖସି ଆସିଛି।

‘ଏଚ୍‌ଡିଆଇ’ ଭଳି କୌଣସି ଏକକ ସୂଚକର ବ୍ୟବହାରର ଉଦ୍ଦେଶ୍ୟ ହେଉଛି ବ୍ୟବହାରକାରୀକୁ କୌଣସି ଏକ ଜଟିଳ ତଥା ବ୍ୟାପକ ପ୍ରସଙ୍ଗ ସମ୍ବନ୍ଧରେ କେବଳ ଗୋଟିଏ ମାତ୍ର ପରିସଂଖ୍ୟାନ ମାଧ୍ୟମରେ ଏକ ମୋଟାମୋଟି ଧାରଣା ପ୍ରଦାନ କରିବା। ମାନବ ବିକାଶ ହେଉଛି ଏହିପରି ଏକ ଜଟିଳ ଓ ବ୍ୟାପକ ପ୍ରସଙ୍ଗ। ‘ଏଚ୍‌ଡିଆଇ’ର ସୂଚକ ପ୍ରବର୍ତ୍ତନ ପୂର୍ବରୁ କୌଣସି ଏକ ଦେଶରେ ମାନବ ବିକାଶ ସମ୍ବନ୍ଧରେ ଏକ ଧାରଣା ହାସଲ କରିବା ପାଇଁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ସୂଚକ ଉପଲବ୍‌ଧ ନ ଥିଲା। ମାନବ ବିକାଶ କେବଳ ଦେଶର ଅର୍ଥନୈତିକ ସମୃଦ୍ଧି କିମ୍ବା ମୁଣ୍ଡ ପିଛା ଆୟ ଉପରେ ନିର୍ଭର କରିନଥାଏ, ଯଦିବା ଏହା ହେଉଛି ତାହାର ଏକ ମୁଖ୍ୟ ଉପାଦାନ। ଏଥିସହିତ ସ୍ବାସ୍ଥ୍ୟ, ଶିକ୍ଷା‌ ଆଦି କ୍ଷେତ୍ରରେ ନାଗରିକମାନେ ଉପଭୋଗ କରୁଥିବା ସୁବିଧା ସୁଯୋଗ ଆଦି ମଧ୍ୟ ମାନବ ବିକାଶକୁ ବିଶେଷ ଭାବରେ ପ୍ରଭାବିତ କରିଥାନ୍ତି।

ପୂର୍ବରୁ ଏଭଳି ପ୍ରତ୍ୟେକ ‌େକ୍ଷତ୍ରରେ ଘଟିଥିବା ବିକାଶ ସମ୍ବନ୍ଧରେ ଧାରଣା କରିବା ପାଇଁ ପୃଥକ୍‌ ପୃଥକ୍‌ ସୂଚନା ଉପଲବ୍‌ଧ ଥିଲା। ସର୍ବୋପରି ‘ଜିଡିପି’ ଦେଶର ଅର୍ଥନୈତିକ ସମୃଦ୍ଧି ସମ୍ବନ୍ଧରେ ଏକ ସାମଗ୍ରିକ ସୂଚନା ବହନ କରୁଥିଲେ ହେଁ, ତାହାକୁ ହିଁ ମାନବ ବିକାଶ ସମ୍ବନ୍ଧରେ ଏକ କାମଚଳା ବାର୍ତ୍ତାବହ ରୂପେ ବ୍ୟବହାର କରାଯାଉଥିଲା। ଏହା ଆଦୌ ଏକ ନିର୍ଭରଯୋଗ୍ୟ ବା ସନ୍ତୋଷଜନକ ଉପାୟ ନ ଥିଲା। ତେଣୁ ଏହି ବିବିଧତାକୁ ଭେଦ କରି ମାନବ ବିକାଶ ସମ୍ବନ୍ଧରେ ସମ୍ୟକ୍‌ ସୂଚନା ପ୍ରଦାନ କରିବା ପାଇଁ ଉପଯୋଗୀ ଗୋଟିଏ ଏକକ ସୂଚକ ଆବିଷ୍କାର କରିବା ପାଇଁ ହୋଇଥିବା ଉଦ୍ୟମରୁ ୧୯୯୦ ଦଶକରେ ପ୍ରସୂତ ହୋଇଥିଲା ‘ଏଚ୍‌ଡିଆଇ’ (ଯେମିତି ପରିବେଶବିତ୍‌-ଅଥ‌ର୍ନୀତିଜ୍ଞ ଟିମ୍‌ ଜ୍ୟାକ୍‌ସନ୍‌ ଏକ ଦେଶ ଉଭୟ ଅର୍ଥନୈତିକ ପ୍ରଗତି ଓ ପରିବେଶ ସୁରକ୍ଷା କ୍ଷେତ୍ରମାନଙ୍କରେ ହାସଲ କରିଥିବା ସଫଳତା ସୂଚାଇବା ପାଇଁ ଉଦ୍ଭାବନ କରିଥିବା ଏକକ ସୂଚକ- ‘ଗ୍ଲୋବାଲ୍‌ ପ୍ରୋଗ୍ରେସ୍‌ ଇଣ୍ଡିକେଟର୍‌’ ବା ‘ଜିପିଆଇ’)।

‘ଏଚ୍‌ଡିଆଇ’ ମାନ୍ୟତା ତାଲିକାରେ କୌଣସି ଏକ ଦେଶର ସ୍ଥାନ ତଥା ତାକୁ ମିଳିଥିବା ସ୍କୋର୍‌ ସେ ଦେଶର ସ୍ବାସ୍ଥ୍ୟ, ଶିକ୍ଷା ଓ ହାରାହାରି ଆୟ ସମ୍ବନ୍ଧରେ ଏକ ତାତ୍କାଳିକ ମୋଟାମୋଟି ତୁଳନାତ୍ମକ ଚିତ୍ର ପ୍ରଦାନ କରିଥାଏ। ଚାରିଟି ପରିମାପକ ବ୍ୟବହାର କରାଯାଇ ଏହି ଏକକ ‘ଏଚ୍‌ଡିଆଇ’ ପ୍ରସ୍ତୁତ କରାଯାଇଥାଏ: ଜନ୍ମକାଳୀନ ପ୍ରତ୍ୟାଶିତ ଆୟୁଷ, ବିଦ୍ୟାଳୟରେ ଶିକ୍ଷା ଲାଭରେ ବିତାଇ ଦିଆଯାଉଥିବା ହାରହାରି ଅବଧି, ବିଦ୍ୟାଳୟରେ ବିତାଇବା ପାଇଁ ପ୍ରତ୍ୟାଶିତ ଅବଧି ଓ ମୁଣ୍ଡ ପିଛା ଆୟ। ବର୍ତ୍ତମାନର ‘ଏଚ୍‌ଡିଆଇ’ ରିପୋର୍ଟରେ ଉଭୟ ସ୍କୋର୍‌ ଓ ମାନ୍ୟତାରେ ଭାରତର ସ୍ଖଳନ ତତ୍‌କ୍ଷଣାତ୍‌ ଭାରତ ସମ୍ବନ୍ଧରେ ଯେ ଏକ ନକାରାତ୍ମକ ଚିତ୍ର ଅଙ୍କନ କରିଥାଏ, ଏଥିରେ ସନ୍ଦେହ ନାହିଁ। ଏହିପରି ସିଧାସଳଖ ଏକ ଚିତ୍ର – ସକାରାତ୍ମକ ହେଉ କି ନକାରାତ୍ମକ ହେଉ – ପ୍ରଦାନ କରିବା ହେଉଛି ‘ଏଚ୍‌ଡିଆଇ’ର ମୂଳ ଉଦ୍ଦେଶ୍ୟ।

କିନ୍ତୁ ବ୍ୟାପାରଟି ଯେ ଏତେ ସିଧାସଳଖ ନୁହେଁ, ତାହା ସେଇ ରିପୋର୍ଟକୁ ଅଧିକ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇଥାଏ। ରିପୋର୍ଟରେ କୁହାଯାଇଛି ‌େଯ କେବଳ ଭାରତ ନୁହେଁ ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ ଦେଶମାନଙ୍କ ମଧ୍ୟରୁ ୯୦ ଶତାଂଶ ଦେଶରେ ମାନବ ବିକାଶ ସ୍କୋର୍‌ରେ ହ୍ରାସ ଘଟିଥିବା ଲକ୍ଷ୍ୟ କରାଯାଇଛି, ଯେଉଁଥି ପାଇଁ ଜାତିସଂଘ ଦ୍ବାରା ଧାର୍ଯ୍ୟ କରାଯାଇଥିବା ଦୀର୍ଘକାଳୀନ ‘ଧାରଣକ୍ଷମ ବିକାଶ ଲକ୍ଷ୍ୟ’ (‘ସସ୍‌ଟେନେବ୍‌ଲ ଡେଭଲପ୍‌ମେଣ୍ଟ ଗୋଲ୍‌ସ’) ହାସଲ କରିବା ଏବେ ବିଳମ୍ବିତ ହୋଇଯିବ। ଯେଉଁସବୁ କାରଣମାନ ଯୋଗୁଁ ପ୍ରାୟ ସମସ୍ତ ଦେଶ‌େର ମାନବ ବିକାଶ ଏପରି ବାଧାପ୍ରାପ୍ତ ହୋଇଛି, ରିପୋର୍ଟ ଅନୁସାରେ ତାହା ସବୁ ହେଉଛନ୍ତି- କୋଭିଡ୍‌-୧୯ ପ‌ାଣ୍ଡେମିକ୍‌, ୟୁକ୍ରେନ ଉପରେ ରୁଷିଆ ଚଳାଇଥିବା ଆକ୍ରମଣ, ଓ ଜଳବାୟୁ ପରିବର୍ତ୍ତନ ସଙ୍କଟମାନ। ‘ଏଚ୍‌ଡିଆଇ’ ହିସାବକୁ ପ୍ରଭାବିତ କରୁଥିବା ଏକ ମୁଖ୍ୟ ଉପାଦାନ ରୂପେ ବିବେଚିତ ପ୍ରତ୍ୟାଶିତ ଆୟୁଷ କିପରି କୋଭିଡ୍‌ ଦ୍ବାରା ପ୍ରଭାବିତ ହୋଇଛି, ତାହା ଭୁକ୍ତଭୋଗୀ ପୃଥିବୀବାସୀମାନେ ଭଲ ରୂପେ ଜାଣନ୍ତି। ସାରା ପୃଥିବୀର ଧାରା ସହିତ ତାଳଦେଇ ଭାରତ‌େର ମଧ୍ୟ ହାରାହାରି ଆୟୁଷ ୬୯.୭ ବର୍ଷରୁ ହ୍ରାସ ପାଇ ହୋଇଛି ୬୭.୨ ବର୍ଷ। ଏଥି ଯୋଗୁଁ ଲଗାତର ଦୁଇ ବର୍ଷ ଧରି ସାରା ପୃଥିବୀ ପାଇଁ ‘ଏଚ୍‌ଡିଆଇ’ରେ ହ୍ରାସ ଘଟିଛି ବୋଲି ରିପୋର୍ଟ‌ରେ କୁହାଯାଇଛି।

ଭାରତ କିନ୍ତୁ ତୁଳନାତ୍ମକ ଭାବରେ କେତେକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଅନ୍ୟ ଦେଶମାନଙ୍କ ଅପେକ୍ଷା ଉତ୍ତମ ପ୍ରଦର୍ଶନ କରିଛି ବୋଲି ଜାତିସଂଘର ପ୍ରଶଂସାଭାଜନ ହୋଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୧୯ ତୁଳନାରେ ବର୍ତ୍ତମାନ ଭାରତରେ ମାନବ ବିକାଶ ଉପରେ ଅର୍ଥନୈତିକ ବୈଷମ୍ୟର ପ୍ରତିକୂଳ ପ୍ରଭାବ ହ୍ରାସ ପାଇବା ଦେଖାଯାଇଛି। ସାରା ପୃଥିବୀରେ ମାନବ ବିକାଶ କ୍ଷେତ୍ରରେ ନାରୀ ଓ ପୁରୁଷମାନଙ୍କ ମଧ୍ୟରେ ରହି ଆସିଥିବା ବୈଷମ୍ୟର ଯେଉଁ ହାରରେ ହ୍ରାସ ଘଟୁଛି, ଭାରତରେ ତା’ଠାରୁ ଦ୍ରୁତତର ହାରରେ ହ୍ରାସ ଘଟୁଛି ବୋଲି ରିପୋର୍ଟରେ ଭାରତକୁ ପ୍ରଶଂସା କରାଯାଇଛି। ସେତିକି ନୁହେଁ, ଏଭଳି ପ୍ରଗତି ହାସଲ କରିବା ପାଇଁ ଭାରତରେ ପରିବେଶ ଉପରେ ଯେତିକି କ୍ଷତିକାରକ ପ୍ରଭାବ ପଡ଼ିଛି, ତାହା ଅନ୍ୟ ଦେଶମାନଙ୍କ ତୁଳନାରେ କମ୍‌ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

୧୯୯୦ ପର ଠାରୁ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସମ୍ବଳ ବିନିଯୋଗ କରି ଭାରତ କ୍ରମେ ପୃଥିବୀର ହାରାହାରି ମାନବ ବିକାଶ ସ୍ତରର ନିକଟତର ହୋଇପାରିଛି ବୋଲି ଏଥିରେ କୁହାଯାଇଛି। ପାନୀୟ ଜଳ, ପରିମଳ ଓ ସ୍ବଚ୍ଛ ଶକ୍ତି ଯୋଗାଣରେ ଭାରତର ପ୍ରଦର୍ଶନକୁ ମଧ୍ୟ ଏଥିରେ ପ୍ରଶଂସା କରାଯାଇଛି। ଯେଉଁ କୋଭିଡ୍‌ ଯୋଗୁଁ ସମଗ୍ର ପୃଥିବୀବାସୀଙ୍କ ପାଇଁ ମାନବ ବିକାଶ ସୂଚକରେ ସ୍ଖଳନ ଘଟିଛି ତାହାର ମୁକାବିଲା ପାଇଁ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତର ଅବଦାନ ଅତୁଳନୀୟ ହୋଇଛି। ତେଣୁ ମୋଟ ଉପରେ କହିଲେ, ସାରା ପୃଥିବୀକୁ କବଳିତ କରିଥିବା ଏକ ବିଷାଦଜନକ ମାନବ ବିକାଶ ଚିତ୍ରରେ ଭାରତର ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ରୂପେ ବିଷାଦଜନକ ବୋଲି କୁହାଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର