ଗଲା ସପ୍ତାହରେ ଆନ୍ତର୍ଜାତିକ ଏବ˚ ଜାତୀୟ ଗଣମାଧୢମରେ ଏକ ଆମୋଦଦାୟକ ଏବ˚ କୌତୂହଳୋଦ୍ଦୀପକ ସମ୍ବାଦ ଅନେକଙ୍କ ଦୃଷ୍ଟିକୁ ଆସିଥିବ, ଯାହାର ଶୀର୍ଷକର ଓଡ଼ିଆ ଭାଷାନ୍ତର ଏହିପରି ହେବ: ‘କାର୍ଯ୍ୟ ନ କରିବା ଲାଗି ପାରିଶ୍ରମିକ।’ ଏହି ଶିରୋନାମାରେ ପ୍ରକାଶିତ ଖବରଟି ହେଲା ଶୋଜି ମୋରିମୋଟୋ ନାମଧାରୀ ଜଣେ ଅଠତିରିଶ ବର୍ଷ ବୟସ୍କ ଜାପାନୀ ନାଗରିକ ‘କୌଣସି କାର୍ଯ୍ୟ ନ କରିବା’କୁ ଏକ ସଫଳ ବୃତ୍ତିରେ ପରିଣତ କରି ପାରିଛନ୍ତି ଏବ˚ ସେଥି ଲାଗି ତାଙ୍କର ଘଣ୍ଟା ପିଛା ପାରିଶ୍ରମିକ ହେଉଛି ୭୦ ଆମେରିକୀୟ ଡଲାର (ପ୍ରାୟ ୫,୬୦୦ ଟଙ୍କା)। କହିବା ନିଷ୍ପ୍ରୟୋଜନ ଯେ ଏଭଳି ଏକ ବୃତ୍ତିର ଆବିର୍ଭାବ ଫଳରେ ‘ଆଳସ୍ୟ’କୁ ସର୍ବଦା ଅପଯଶ ପ୍ରଦାନ କରି ଆସିଥିବା ଏକ ସର୍ବଜନୀନ ବଦ୍ଧମୂଳ ଧାରଣାକୁ ନେଇ ପୁନର୍ଚିନ୍ତନ କରିବାର ଆବଶ୍ୟକତା ସୃଷ୍ଟି ହୋଇଥାଏ।

Advertisment

ଗଣମାଧୢମରେ ପ୍ରକାଶିତ ସମ୍ବାଦ ଅନୁସାରେ ମୋରିମୋଟୋଙ୍କ ସାନ୍ନିଧୢ ଲାଭ କରିବା ସକାଶେ ଗ୍ରାହକମାନେ ତାଙ୍କୁ ଲୋଡ଼ି ପାରନ୍ତିି; ଯହିଁରେ ମୋରିମୋଟୋ ରଖିଥିବା କେତେକ ସର୍ତ୍ତାବଳୀ ମଧୢରେ ଯାହା ପ୍ରମୁଖ ତାହା ହେଲା ତାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ ନାହିଁ। ଏହି କାରଣରୁ ସାନ୍ନିଧୢ ଲାଭର ଏକ ‘ଅଫର‌୍‌’କୁ ସେ ପ୍ରତ୍ୟାଖ୍ୟାନ କରିଥିଲେ, ଯହିଁରେ ଗୋଟିଏ ରେଫ୍ରିଜେରେଟରକୁ ଘୁଞ୍ଚାଇବାର ଅନୁରୋଧ ସନ୍ନିବେଶିତ ଥିଲା; ଅଥଚ, ଜୀବନରେ ପ୍ରଥମ ଥର ଲାଗି ଶାଢ଼ି ପରିହିତା ଜଣେ ଭାରତୀୟ ମହିଳା (ଅରୁଣା ଚିଦା) ପଦାକୁ ବାହାରିବା ବେଳର ଅସ୍ବସ୍ତିକୁ ଲାଘବ କରିବା ଲାଗି ମୋରିମୋଟୋଙ୍କ ସାହଚର୍ଯ୍ୟ ଲୋଡ଼ିବାରୁ ସେ ସମ୍ମତ ହୋଇଥିଲେ; ଯହିଁରେ ସର୍ତ୍ତ ଥିଲା ଯେ ଅତି ଆବଶ୍ୟକ ନ ଥିଲେ ସେ କୌଣସି ବାର୍ତ୍ତାଳାପ କରିବେ ନାହିଁ ଏବ˚ କେବଳ ଅରୁଣାଙ୍କ କଥା ଶୁଣିବେ। ଏଠାରେ ପ୍ରକାଶ ଥାଉ କି ପଦାର୍ଥ ବିଜ୍ଞାନର ଛାତ୍ର ମୋରିମୋଟୋ ପୂର୍ବରୁ ଏକ ପ୍ରକାଶନ ସ˚ସ୍ଥାରେ କାର୍ଯ୍ୟ କରୁଥିଲେ ଯେଉଁଠି ଜଣେ ‘ଅଳସୁଆ’ ଭାବେ ବାରମ୍ବାର କଟାକ୍ଷର ଶିକାର ହେଉଥିଲେ। ଏହି କାରଣରୁ ତାଙ୍କର ପ୍ରିୟତମ ଗୁଣ ଆଳସ୍ୟକୁ ଏକ ବୃତ୍ତିରେ ପରିଣତ କରିବା ସକାଶେ ସେ ୨୦୧୮ ମସିହାରେ ଟ୍ବିଟର୍‌ ମାଧୢମରେ ‘କୌଣସି କାର୍ଯ୍ୟ ନ କରିବା ଲାଗି’ ଆଗ୍ରହ ପ୍ରକାଶ କରି ଗ୍ରାହକ ଅନ୍ବେଷଣ କରିଥିଲେ। ପ୍ରକାଶ ଥାଉ କି ଏହି ଚାରି ବର୍ଷ ମଧୢରେ ସେ ୪୦୦୦ ଥର ବିଭିନ୍ନ ଗ୍ରାହକଙ୍କ ସହିତ ଅଳସ ମୁହୂର୍ତ୍ତମାନ ଅତିବାହିତ କରିଛନ୍ତି।

ସୁତରା˚, ଏହି ସ˚ଦର୍ଭରେ ଆଳସ୍ୟର ପକ୍ଷଧରମାନଙ୍କ ମତ ଉପରେ ଦୃଷ୍ଟି ନିକ୍ଷେପ କରିବା ଲାଗି ଏକ ଅବକାଶ ସୃଷ୍ଟି ହୋଇଛି; ଯେଉଁମାନେ କହିଥାଆନ୍ତି ଯେ କାର୍ଯ୍ୟ ବା ଉଦ୍‌ଯୋଗ ପୃଥିବୀକୁ ତାର ବର୍ତ୍ତମାନର ସ୍ବରୂପ ପ୍ରଦାନ କରିଥାଇପାରେ; କିନ୍ତୁ ଇତିହାସର ଗତିପଥ ପରିବର୍ତ୍ତନ କରିଥିବା ଭଳି ଅନେକ ଘଟଣା କିଛି ବ୍ୟକ୍ତିଙ୍କ ଆଳସ୍ୟପୂର୍ଣ୍ଣ କ୍ଷଣଗୁଡ଼ିକରେ ହିଁ ଘଟିଛି। ଉଦାହରଣ ସ୍ବରୂପ ସାର‌୍‌ ଆଇଜାକ୍‌ ନିଉଟନ୍‌ ଏକ ଆପଲ୍‌ ବଗିଚାରେ ଆରାମପ୍ରଦ ଭାବେ ଉପବିଷ୍ଟ ନ ହୋଇ ଯଦି କୌଣସି କାର୍ଯ୍ୟରେ ଲିପ୍ତ ରହିଥାଆନ୍ତେ, ତେବେ ଗୋଟିଏ ଆପଲ୍‌ର ପତନ ତାଙ୍କ ମସ୍ତିଷ୍କରେ ମାଧୢାକର୍ଷଣ ଶକ୍ତିର ନିୟମମାନ ସୃଷ୍ଟି କରାଇବାରେ ସଫଳ ହୁଅନ୍ତା ନାହିଁ; ସେହିଭଳି ପିସାର କ୍ୟାଥେଡ୍ରାଲରେ ଏକ ଦୋଳାୟମାନ ଦୀପ ପ୍ରାର୍ଥନା ନିମଗ୍ନ ଶ୍ରଦ୍ଧାଳୁଙ୍କ ଗହଣରେ ଉପସ୍ଥିତ ଜଣେ ଅମନଯୋଗୀ ଗାଲିଲିଓଙ୍କ ମନରେ ପେଣ୍ତୁଲମ୍‌ ତତ୍ତ୍ବର ବୀଜ ବପନ କରିଥିଲା ଏବ˚ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ପ୍ରଫୁଲ୍ଲ ଚିତ୍ତ ଆର୍କମିଡିସ୍‌ ଏକ ଭବ୍ୟ ସ୍ନାନ ନିମନ୍ତେ ଗାଧୁଆ କୁଣ୍ତରେ ପ୍ରବେଶ କରିବା ମାତ୍ରକେ ତହିଁରୁ ଉଛୁଳି ପଡ଼ିଥିବା ଜଳ ସହସା ତାଙ୍କୁ ଆପେକ୍ଷିକ ସାନ୍ଦ୍ରତାର ସୂତ୍ର ଯୋଗାଇ ଦେଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ବ୍ରିଟିସ୍‌ ଦାର୍ଶନିକ ବର୍ଟ୍ରାଣ୍ତ ରସେଲଙ୍କ ଏକ ଅତ୍ୟନ୍ତ ପ୍ରସିଦ୍ଧ ନିବନ୍ଧ ‘ଇନ୍‌ ପ୍ରେଜ୍‌ ଅଫ୍‌ ଆଇଡଲନେସ୍‌’ (ଆଳସ୍ୟର ପ୍ରଶ˚ସାରେ) ସ୍ମରଣକୁ ଆସିଥାଏ; ଯହିଁରେ ସେ ‘କର୍ମ-ପ୍ରବଣତା’ ଏବ˚ ‘ଆଳସ୍ୟ’କୁ ନେଇ ସାରା ପୃଥିବୀରେ ରହି ଆସିଥିବା ବଦ୍ଧମୂଳ ଧାରଣାକୁ ପ୍ରଶ୍ନ ଜର୍ଜର କରିଥାଆନ୍ତି।

ପ୍ରକାଶ ଥାଉ କି ‘ଇନ୍‌ ପ୍ରେଜ୍‌ ଅଫ୍‌ ଆଇଡଲନେସ୍‌’ ପ୍ରକାଶିତ ହୋଇଥିଲା ୧୯୩୨ ମସିହାରେ; ଯେଉଁ ସମୟରେ ୟୁରୋପ ଏକ ଅଭୂତପୂର୍ବ ମାନ୍ଦାବସ୍ଥା ମଧୢ ଦେଇ ଗତି କରୁଥିଲା ଏବ˚ କାରଖାନରେ ଛଟେଇ କାରଣରୁ ହଜାର ହଜାର ଶ୍ରମିକ ଜୀବିକା ବା କର୍ମ ଶୂନ୍ୟ ହୋଇ ପଡ଼ିଥିଲେ। ସେହି ଦୃଷ୍ଟିରୁ ରସେଲଙ୍କ ଏହି ନିବନ୍ଧ କର୍ମ-ଶୂନ୍ୟ ଅସ˚ଖ୍ୟ ବ୍ୟକ୍ତିଙ୍କ ସକାଶେ ବେଶ୍‌ ସାନ୍ତ୍ବନାଦାୟକ ହୋଇଥିଲା ବୋଲି କୁହାଯାଏ। ସେହି ନିବନ୍ଧରେ ରସେଲ ମୋଟାମୋଟି ଯାହା ଇଙ୍ଗିତ କରିଥିଲେ, ତାହା ହେଲା ‘କର୍ମ-ପ୍ରବଣତା’ ଏବ˚ କର୍ମଠଙ୍କ ପ୍ରଶ˚ସା ହେଉଛି ଧନୀ ଓ ସ˚ଭ୍ରାନ୍ତ ବ˚ଶଜ ଏବ˚ କ୍ରୀତଦାସ ମାଲିକମାନଙ୍କ ଦ୍ବାରା ପ୍ରଚାରିତ ମତାଦର୍ଶରୁ ସୃଷ୍ଟ, ଯେଉଁମାନେ ନିଜେ କୌଣସି କାର୍ଯ୍ୟ ବା ପରିଶ୍ରମ ନ କରି ଅନ୍ୟମାନଙ୍କ ଦ୍ବାରା ତାହା ସ˚ପାଦନ କରାଉଥିଲେ। ସେହି ମତାଦର୍ଶ ଏଭଳି ଏକ ବଦ୍ଧମୂଳ ଧାରଣାରେ ପରିଣତ ହୋଇଛି ଯେ ‘ଆଳସ୍ୟ’ ଏପରିକି ‘ବିଶ୍ରାମ’ ମଧୢ ମନୁଷ୍ୟ ମନରେ ଗ୍ଳାନି ସୃଷ୍ଟିକାରୀ ମନ୍ଦ ଗୁଣ ରୂପେ ଆବିର୍ଭୂତ ହୋଇଛି। ଏ ସ˚କ୍ରାନ୍ତରେ ରସେଲ ପ୍ରଦାନ କରିଥିବା ଉଦାହରଣ ଛଳରେ କୁହାଯାଇପାରେ ଯେ ଯଦି କୌଣସି ଏକ କାରଖାନାରେ ନୂତନ ପ୍ରଯୁକ୍ତି ବ୍ୟବହାର କରାଯାଇ ବର୍ଷକୁ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ଅପେକ୍ଷାକୃତ ସ୍ବଳ୍ପ ଅବଧିରେ ପ୍ରସ୍ତୁତ କରା ଯାଇପାରିଲା, ତେବେ ଏହା ନିଶ୍ଚିତ ଯେ ସେହି ବର୍ଷର ବଳକା କାର୍ଯ୍ୟ ଦିବସଗୁଡ଼ିକୁ କର୍ମଚାରୀମାନଙ୍କୁ ବିଶ୍ରାମ ସକାଶେ ଅର୍ପଣ କରାଯିବ ନାହିଁ; ବର˚ ସେମାନଙ୍କ ସ˚ଖ୍ୟା ହ୍ରାସ ଲାଗି ଉଦ୍ୟମ ହେବ। ଏହାର କାରଣ ‘ବିଶ୍ରାମ’ ହେଉଛି ଆର୍ଥିକ ଦୃଷ୍ଟିରୁ ଏକ ‘ଅଣଉତ୍ପାଦନଶୀଳ’ କାର୍ଯ୍ୟ। କିନ୍ତୁ ରସେଲଙ୍କ ମତରେ ବିଶ୍ରାମ ବା ‘ବିରାମ’ ମଧୢ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ହୋଇପାରେ, ଯେମିତି ଘଟିଥିଲା ନିଉଟନ ବା ଗାଲିଲିଓ ବା ଆର୍କମିଡିସ୍‌ଙ୍କ ଠାରେ ବା ଘଟୁଛି ସେମାନଙ୍କ ଭଳି ଆହୁରି ଅସ˚ଖ୍ୟଙ୍କ କ୍ଷେତ୍ରରେ।

ଏକ ବିଡ଼ମ୍ବନା ସ୍ବରୂପ ଦେଖିବାକୁ ମିଳିଥାଏ ଯେ ବିଜ୍ଞାନ ଓ ପ୍ରଯୁକ୍ତିର ଉତ୍କର୍ଷ ମନୁଷ୍ୟକୁ ଅଧିକରୁ ଅଧିକ ‘ବିଶ୍ରାମ’ ପ୍ରଦାନ କରିବାରେ ସମର୍ପିତ ଥିବା ବେଳେ ବସ୍ତୁବାଦୀ ମନୁଷ୍ୟ କିନ୍ତୁ ତହିଁରୁ ଉପଲବ୍‌ଧ ‘କର୍ମ-ଶୂନ୍ୟ କ୍ଷଣ’ଗୁଡ଼ିକୁ ଅଧିକରୁ ଅଧିକ କାର୍ଯ୍ୟ ଦ୍ବାରା ପରିପୃକ୍ତ କରିବାରେ ନିମଗ୍ନ, ଯାହାର କାରଣ ଅବଶ୍ୟ ଅଧିକରୁ ଅଧିକ ସଂପତ୍ତି ଠୁଳ କରିବାର ଉପଭୋଗ କୈନ୍ଦ୍ରିକ ମାନସିକତା। ପୁଣି ‘ବିଶ୍ରାମ’କୁ ଆର୍ଥିକ ଦୃଷ୍ଟିରୁ ଏକ ଅଣଉତ୍ପାଦନଶୀଳ କାର୍ଯ୍ୟ ରୂପେ ବିବେଚନା କରାଯାଉଥିବାରୁ କୌଣସି ରାଷ୍ଟ୍ରର ‘ଜିଡିପି’ରେ ହ୍ରାସ ଉଦ୍‌ବେଗର କାରଣ ହୋଇ ପଡୁଥିବା ବେଳେ ସେହି ରାଷ୍ଟ୍ରରେ ‘ବିଶ୍ରାମ’ର ଅର୍ଥପୂର୍ଣ୍ଣ ବ୍ୟବହାର ଦ୍ବାରା ଯଦି ଅଧିକ ଲୋକ ପ୍ରାତଃ-ଭ୍ରମଣ କରିଥାଆନ୍ତି ବା ବନ୍ଧୁବାନ୍ଧବଙ୍କ ମେଳରେ ଅଧିକ ଆନନ୍ଦମୟ କ୍ଷଣମାନ ଅତିବାହିତ କରିଥାଆନ୍ତି ବା ଅଧିକ ସ˚ଗୀତ ବା କବିତାର ରସ ଆସ୍ବାଦନ କରିଥାଆନ୍ତି ବା ଅଧିକ ଚିତ୍ର ଆଙ୍କିଥାଆନ୍ତି; ତାହା ବିଶେଷ ଗୁରୁତ୍ବ ବହନ କରି ନ ଥାଏ। ସେହି ଦୃଷ୍ଟିରୁ ବିଚାର କଲେ ମୋରିମୋଟୋଙ୍କ ଉଦ୍ୟମ ବିଶେଷ ଧୢାନ ଆକର୍ଷଣକାରୀ ହୋଇଥାଏ, କାରାଣ ସେ ‘ଆଳସ୍ୟ’ ବା ବିଶ୍ରାମକୁ ଆର୍ଥିକ ରୂପେ ଉତ୍ପାଦନଶୀଳ କରିବାରେ ସମର୍ଥ ହୋଇଛନ୍ତି।

ଯଦି ଏକ ସୁବର୍ଣ୍ଣ ମୁଦ୍ରିକାକୁ ଦେଖାଇ ଏହା କେଉଁଥିରେ ତିଆରି ବୋଲି ପ୍ରଶ୍ନ କରାଯାଏ ତେବେ ଏକମାତ୍ର ଉତ୍ତର ରୂପେ ଶୁଣିବାକୁ ମିଳିବ ‘ସୁନା’। କିନ୍ତୁ ପ୍ରସିଦ୍ଧ ଫରାସୀ ଦାର୍ଶନିକ ଜାଁ ପଲ ସାର୍ତ୍ତ୍ର ଏହାର ଉତ୍ତରରେ କହନ୍ତେ ‘ସୁନା’ ସହିତ କିଛି ‘ଶୂନ୍ୟତା’ର ମିଶ୍ରଣରେ ହିଁ ମୁଦ୍ରିକାର ସୃଷ୍ଟି। ସେହି ‘ଶୂନ୍ୟତା’ ହେଉଛି ଆଙ୍ଗୁଳି ପ୍ରବେଶ କରିବା ଲାଗି ଉଦ୍ଦିଷ୍ଟ ମୁଦ୍ରିକାରେ ରହିଥିବା ବୃତ୍ତ ବା ‘ରି˚’ ମଧୢସ୍ଥ ଶୂନ୍ୟସ୍ଥାନ। କହିବା ବାହୁଲ୍ୟ ଯେ ଏହି ‘ଶୂନ୍ୟତା’ର ଅନୁପସ୍ଥିତିରେ ମୁଦ୍ରିକାର ପରିକଳ୍ପନା ମଧୢ ଅସମ୍ଭବ। ସୁତରା˚, ସାର୍ତ୍ତ୍ର ଏହି ଛଳରେ ‘ଶୂନ୍ୟତା’କୁ ମଧୢ ଏକ ବସ୍ତୁ-ସତ୍ତା ପ୍ରଦାନ କରିଥିଲେ। ସେମିତି ଶୋଜି ମୋରିମୋଟା ‘କାର୍ଯ୍ୟ ଶୂନ୍ୟତା’କୁ ମଧୢ ଏକ କାର୍ଯ୍ୟର ରୂପ ଦେବାରେ ସମର୍ଥ ହୋଇଛନ୍ତି। ମୋରିମୋଟୋ ଯେଉଁ ରାଷ୍ଟ୍ରର ନାଗରିକ, ସେଠାରେ ‘କର୍ମ ପ୍ରବଣତା’ ଏଭଳି ଚରମ ସ୍ତରରେ ପହଞ୍ଚିଯାଇଥାଏ ଯେ କାର୍ଯ୍ୟାଧିକ୍ୟରୁ ବେଳେ ବେଳେ ଲୋକେ ମୃତ୍ୟୁ ମୁଖରେ ପଡ଼ିଥାଆନ୍ତି ଏବଂ ସେଠାରେ ଏଭଳି ସ୍ଥିତିକୁ ଭାଷା ଦେବା ଲାଗି ଏକ ଅଭିବ୍ୟକ୍ତି ମଧୢ ରହିଛି, ଯାହା ହେଲା ‘କାରୋଶି’। ତେଣୁ ଏହା ନିଃସନ୍ଦେହ ଯେ ଏଭଳି ଏକ ରାଷ୍ଟ୍ରରେ ଜନ୍ମ ନେଇଥିବା ମୋରିମୋଟା କାର୍ଯ୍ୟ ଶୂନ୍ୟତାକୁ ଉତ୍ପାଦନଶୀଳ ଉଦ୍‌ଯୋଗର ଏକ ଅ˚ଶରେ ପରିଣତ କରି ନ ଥିଲେ ହୁଏ’ତ ସାରା ଜୀବନ ତାଚ୍ଛଲ୍ୟର ଶିକାର ହୋଇ କାଟନ୍ତେ। ସେହି ଦୃଷ୍ଟିରୁ ସେ ଜଣେ ସଚ୍ଚା ଜାପାନୀ।