ଚିତା-ଚେତନା

ଗଲା ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧୢପ୍ରଦେଶର ‘କୁନୋ ଜାତୀୟ ଉଦ୍ୟାନ’ ମଧୢକୁ ଆଠଟି ଚିତା ବାଘଙ୍କୁ ଛାଡ଼ି ଗୋଟିଏ ହଜି ଯାଇଥିବା ଯୁଗର ପ୍ରତ୍ୟାବର୍ତ୍ତନ ସକାଶେ ଐତିହାସିକ ସମ୍ଭାବନା ସୃଷ୍ଟି କରିଛନ୍ତି। ଆଫ୍ରିକୀୟ ରାଷ୍ଟ୍ର ନାମିବିୟାରୁ ଆନୀତ ଏହି ଆଠଟି ଚିତ୍ତାକର୍ଷକ ଚତୁଷ୍ପଦ ଆମ ଦେଶରେ ବିଚରଣ କରିବା ସହିତ ଗଲା ସତୁରି ବର୍ଷ ଧରି ‘ଚିତାବାଘ ବିଲୁପ୍ତି’ର ଦେଶ ହୋଇ ରହିଥିବା ଭାରତ ମଥାରୁ କଳଙ୍କ ମୋଚନ ଲାଗି ଏକ ଉଦ୍ୟମର ପ୍ରାରମ୍ଭ ହୋଇଛି। ଆଶା କରିବା ଯେ ଏହି ସ୍ତମ୍ଭର କିଛି ପାଠକ-ପାଠିକା ହୁଏ’ତ ୧୯୪୭ ମସିହାରେ ଉତ୍ତୋଳିତ ଏକ ପୁରୁଣା କଳା-ଧଳା ଫଟୋଗ୍ରାଫ୍‌ ସହିତ ପୂର୍ବରୁ ପରିଚିତ ଥିବେ (ଏବେ ଗୁଗଲ୍‌ରେ ଉପଲବ୍‌ଧ), ଯହିଁରେ ବନ୍ଧୁକ ହସ୍ତେ ଶିକାରୀ ପୋଷାକରେ ଦଣ୍ତାୟମାନ ତତ୍କାଳୀନ ସରଗୁଜା ପ୍ରଦେଶ(ବର୍ତ୍ତମାନର ଛତିଶଗଡ଼)ର ରାଜା ରାମାନୁଜ ପ୍ରତାପ ସି˚ହଦେଓଙ୍କ ସମ୍ମୁଖରେ ତିନିଟି ମୃତ ଚିତାବାଘଙ୍କୁ ଦେଖିବାକୁ ମିଳିଥାଏ, ଯେଉଁଗୁଡ଼ିକ ସମ୍ଭବତଃ ଥିଲେ ଭାରତ ଭୂମିରେ ବିଚରଣ କରୁଥିବା ଅନ୍ତିମ ତିନି ଏସୀୟ ଚିତା। ଏହାର ପାଞ୍ଚ ବର୍ଷ ପରେ ଅର୍ଥାତ୍‌ ୧୯୫୨ ମସିହାରେ ଭାରତ ସରକାର ଆନୁଷ୍ଠାନିକ ଭାବେ ଭାରତ ଭୂଖଣ୍ତରୁ ଚିତା ବାଘ ବ˚ଶର ସ˚ପୂର୍ଣ୍ଣ ବିଲୁପ୍ତି ବିଷୟ ଘୋଷଣା କରିଥିଲେ। ସେହି ଦୃଷ୍ଟିରୁ ଆଫ୍ରିକୀୟ ଚିତା ବାଘଙ୍କ ଭାରତ ପ୍ରବେଶ ଘଟଣା ସ୍ବାଭାବିକ ଭାବେ ପରିବେଶବିତ୍‌ ଏବ˚ ବନ୍ୟ-ପ୍ରାଣୀ ପ୍ରେମୀଙ୍କ ମଧୢରେ ଏକ ଆଶା ଏବ˚ ଉଲ୍ଲାସ ସ˚ଚାର କରିଛି; କିନ୍ତୁ ଏହା ସହିତ ଏହି ଉଚ୍ଚାଭିଳାଷୀ ପ୍ରକଳ୍ପର ସମ୍ଭାବ୍ୟ ସଫଳତାକୁ ନେଇ କିଛି ପ୍ରଶ୍ନ ମଧୢ ଉଠିଛି; ଯାହା ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଥାଏ।

ପ୍ରକାଶ ଥାଉ କି ଏଠାରେ ଚିତା ବ˚ଶ ବିଲୁପ୍ତି ପରେ ଅନେକ ବର୍ଷ ହେଲାଣି ବିଦେଶରୁ ଚିତା ବାଘ ଆମଦାନି କରାଯିବାର ପ୍ରୟାସ ଜାରି ରହି ଆସିଥିଲା; ଯହିଁରେ ଇରାନରୁ ଏସୀୟ ଚିତା ବାଘ ଆଣିବାର ଅସଫଳ ଉଦ୍ୟମ ଅନ୍ତର୍ଭୁକ୍ତ, ଯହିଁରେ ସେମାନଙ୍କ ଦୟନୀୟ ସ˚ଖ୍ୟା ନ୍ୟୂନତା(ମାତ୍ର ୭୦) କାରଣରୁ ଇରାନ ସରକାର ଭାରତର ଅନୁରୋଧ ରକ୍ଷା କରି ପାରି ନ ଥିଲେ। ତେବେ, ସେ ଯାହା ହେଉ ୨୦୦୯ ମସିହାରୁ ଆଫ୍ରିକା ଭୂଖଣ୍ତରୁ ଚିତା ବାଘ ଅଣାଯିବାର ପ୍ରୟାସ ପରିଶେଷର ଏବେ ସମ୍ଭବ ହୋଇଛି; ଯାହା ଅତ୍ୟନ୍ତ ସାନ୍ତ୍ବନାଦାୟକ। ଅବଶ୍ୟ, ଉଭୟ ଆପ୍ରିକୀୟ ଏବ˚ ଏସୀୟ ଚିତାବାଘଙ୍କ ମଧୢରେ ରହିଥିବା ଜିନ୍‌ ସ˚ରଚନାଗତ ସାମଞ୍ଜସ୍ୟ କାରଣରୁ ନାମିବୀୟ ଚିତାଗୁଡ଼ିକ ଏଠାରେ ତିଷ୍ଠି ରହି ବ˚ଶ ବିସ୍ତାର କରିପାରିବାର ଆଶା ରହିଛି; କିନ୍ତୁ ଆଫ୍ରିକାର ସାଭାନାସ୍ଥିତ ସେମାନଙ୍କ ଆବାସ ଏବ˚ ବିଚରଣ ସ୍ଥଳୀରୁ ଉତ୍ପାଟିତ ଏହି ଆଠଟି ଚିତା ନୂତନ ବାସସ୍ଥାନ ସହିତ କିଭଳି ଖାପ ଖୁଆଇ ଚଳୁଛନ୍ତି, ତାହା ଏକ ଅତ୍ୟନ୍ତ ସତର୍କ ନିରୀକ୍ଷଣର ଆବଶ୍ୟକତା ରଖିଥାଏ।

ଉଲ୍ଲେଖଯୋଗ୍ୟ ଯେ ସାଭାନାର ପ୍ରାୟ ୭୦ ପ୍ରତିଶତ ବିସ୍ତୀର୍ଣ୍ଣ ତୃଣଭୂମି ହୋଇଥିବାରୁ ଭୂପୃଷ୍ଠର ସର୍ବାଧିକ କ୍ଷିପ୍ରତାସ˚ପନ୍ନ ଏହି ଚତୁଷ୍ପଦ (ବେଗ ଘଣ୍ଟାକୁ ୬୦ରୁ ୭୦ ମାଇଲ୍‌)ଗୁଡ଼ିକ ସେମାନଙ୍କ ଶିକାର ଉପରେ ଅନ୍ତିମ ଓ ନିର୍ଣ୍ଣାୟକ ଲ˚ଫ ପ୍ରଦାନ ପୂର୍ବରୁ ତା ପଛରେ ଅନୁଧାବନ କରିବା ଲାଗି ଯେଉଁ ଏକ ଅବାଧ ଲମ୍ବା ଦୌଡ଼ର ସୁଯୋଗ ପାଇ ଆସିଥିଲେ, ଅଗତ୍ୟା ତାହା ସେମାନେ ତାଙ୍କ ନୂଆ ଘର ବୃକ୍ଷବହୁଳ ‘କୁନୋ ଜାତୀୟ ଉଦ୍ୟାନ’ରେ ପାଇବେ ନାହିଁ। ଦ୍ବିତୀୟରେ କୁନୋ ଅଭୟାରଣ୍ୟ ପ୍ରାୟ ୫୦ଟି କଲାରାପତରିଆ ବାଘଙ୍କ ଆବାସ ସ୍ଥଳ ଏବ˚ ପ୍ରାୟ ୧୪୦ କିଲୋମିଟର ଦୂରସ୍ଥ ରଣଥୋମ୍ବର ବ୍ୟାଘ୍ର ପ୍ରକଳ୍ପର ମହାବଳ ବାଘଗୁଡ଼ିକ ଏଠାରେ ଅନେକ ସମୟରେ ବିଚରଣ କରୁଥିବା ଦୃଷ୍ଟିରୁ ଏହି ନୂଆ ଚିତା ବାଘଗୁଡ଼ିକ ସେମାନଙ୍କ ପ୍ରଭାବ କ୍ଷେତ୍ର ବିସ୍ତାର କରିବା ସମୟରେ ପ୍ରତିଦ୍ବନ୍ଦ୍ବିତା ଏବ˚ ସ˚ଘର୍ଷର ସମ୍ମୁଖୀନ ମଧୢ ହେବେ। ଅନେକ ବନ୍ୟ ପ୍ରାଣୀ ବିଶାରଦ କହନ୍ତି ଯେ ଏଭଳି ସ୍ଥଳେ ଏହି ଚିତାବାଘଗୁଡ଼ିକ କ୍ରମେ ଜଙ୍ଗଲର ଅଭ୍ୟନ୍ତରରୁ ସୀମାନ୍ତରିତ ହୋଇ ଜଙ୍ଗଲ ଧାରସ୍ଥ ମନୁଷ୍ୟ ବସତିର ନିକଟବର୍ତ୍ତୀ ହେବାର ସମ୍ଭାବନା ରହିଛି, ଯାହା ସେମାନଙ୍କ ସୁରକ୍ଷାକୁ ବିପଦାପନ୍ନ କରି ଦେଇ ପାରେ। କେବଳ ସେତିକି ନୁହେଁ, କୃଷ୍ଣସାର ବା ଚିନକାରା (ଭାରତୀୟ ଛୋଟ ହରିଣ)ଙ୍କ ସ˚ଖ୍ୟା ହ୍ରାସ ମଧୢ ଚିତା ବାଘମାନଙ୍କ ଲାଗି ଖାଦ୍ୟ ସମସ୍ୟା ସୃଷ୍ଟି କରିପାରେ। ସୁତରା˚, ଏହି ପରିପ୍ରେକ୍ଷୀରେ ଚିତା ପ୍ରକଳ୍ପଟିକୁ ସଫଳ କରିବାକୁ ହେଲେ ଅତ୍ୟନ୍ତ ସତର୍କ ତଥା ସୂକ୍ଷ୍ମ ଦୃଷ୍ଟିର ଯେ ନିତାନ୍ତ ଆବଶ୍ୟକତା ରହିଛି, ତାହା କହିବା ବାହୁଲ୍ୟ ମାତ୍ର।

ଭାରତରେ ଚିତା ବାଘଙ୍କ ବିଲୁପ୍ତି ଲାଗି ଯେ ବ୍ରିଟିସମାନେ ଦାୟୀ ଏଥିରେ କୌଣସି ସନ୍ଦେହ ନାହିଁ। ଏହି ପରିପ୍ରେକ୍ଷୀରେ ଦିବ୍ୟଭାନୁ ସି˚ହଙ୍କ ଗବେଷଣା ପ୍ରସୂତ ନିବନ୍ଧ ‘ଲାୟନ୍‌ସ, ଚିତା ଏଣ୍ତ ଅଦର୍ସ ଇନ୍‌ ଦ ମୁଗଲ ଲ୍ୟାଣ୍ତସ୍କେପ୍‌’ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ, ଯହିଁରେ ପୁରୁଣା ଦସ୍ତାବିଜ ଆଧାରରେ ବର୍ଣ୍ଣନା କରାଯାଇଛି କିଭଳି ମୋଗଲ ରାଜତ୍ବ ଚିତାବାଘମାନଙ୍କ ପୃଷ୍ଠପୋଷକତା କରିଥିଲା, ଯେତେବେଳେ ସେଗୁଡ଼ିକ ପୋଷ୍ୟ ପ୍ରାଣୀରେ ପରିଣତ ହୋଇ ବିଶେଷ ପ୍ରଶିକ୍ଷଣ ଜରିଆରେ ମୋଗଲ ସମ୍ରାଟମାନଙ୍କ ଶିକାର-ସହଯୋଗୀ ହୋଇ ପାରିଥିଲେ। ତହିଁରେ ବର୍ଣ୍ଣିତ ଅଛି ଯେ ସମ୍ରାଟ ଆକବରଙ୍କ ଶିକାର ପାରିଧିରେ ଯାଇଥିବା ‘ଚିତ୍ତନ୍‌ରଞ୍ଜନ’ ନାମକ ଚିତାବାଘ ଏଭଳି କୃଷ୍ଣସାର ଶିକାର କୌଶଳ ପ୍ରଦର୍ଶନ କରିଥିଲା ଯେ ବିମୋହିତ ସମ୍ରାଟ ତା ଗଳାରେ ପଦକଟିଏ ଝୁଲାଇ ଦେଇଥିଲେ। କୁହାଯାଏ ଯେ ସମ୍ରାଟ ଆକବର ସ୍ବୀୟ ଉଦ୍ୟମରେ ପ୍ରାୟ ୯୦୦ଟି ଚିତାବାଘ ନିଜ ତତ୍ତ୍ବାବଧାନରେ ରଖିଥିଲେ। କିନ୍ତୁ ମୋଗଲଙ୍କ ପରବର୍ତ୍ତୀ ବ୍ରିଟିସ ଶାସନ ସମୟରେ ଶ୍ବେତାଙ୍ଗ ସାହେବ ଏବ˚ ସେମାନଙ୍କ ଅନୁଗତ ଦେଶୀୟ ରାଜାମାନଙ୍କ ଶିକାର କୌତୁକର ଶରବ୍ୟ ହୋଇ ଚିତା ବାଘମାନଙ୍କ ସ˚ଖ୍ୟାରେ ତୀବ୍ର ହ୍ରାସ ଘଟିଥିଲା ଏବ˚ ବ୍ରିଟିସ ଶାସକ ଭାରତ ଭୂଖଣ୍ତରୁ ପ୍ରସ୍ଥାନ କଲା ବେଳକୁ ଏ ଦେଶକୁ ସ˚ପୂର୍ଣ୍ଣ ଚିତା-ରିକ୍ତ କରି ଚାଲିଯାଇଥିଲେ।

ବ୍ରିଟିସମାନେ ଏକ ଭ୍ରମାତ୍ମକ ଧାରଣାର ବଶବର୍ତ୍ତୀ ହୋଇଥିଲେ ଯେ କୃଷକମାନଙ୍କ ଗୃହପାଳିତ ପଶୁପକ୍ଷୀଙ୍କୁ ଭକ୍ଷଣ କରି ଚିତା ବାଘଗୁଡ଼ିକ ମୁଣ୍ତ ବ୍ୟଥାର କାରଣ ହୋଇଛନ୍ତି। କିନ୍ତୁ ବାସ୍ତବତାଟି ହେଲା ଚିତାବାଘଗୁଡ଼ିକ କ୍ବଚିତ୍‌ ଏଭଳି କରିଥାଆନ୍ତି ଏବ˚ ପ୍ରକୃତିଗତ ଭାବେ ସେମାନେ ମନୁଷ୍ୟଙ୍କ ଉପରେ ଆକ୍ରମଣ କରି ନ ଥାଆନ୍ତି। ତେଣୁ ଖୁବ୍‌ ସମ୍ଭବ ଯେ ଅପେକ୍ଷାକୃତ ଶାନ୍ତଶିଷ୍ଟ ଚିତା ବାଘଙ୍କ ସହିତ ଚେହେରାରେ କିଛିଟା ସାଦୃଶ୍ୟ ବହନ କରିଥିବା କଲରାପତରିଆ ବାଘମାନଙ୍କ କାର୍ଯ୍ୟକଳାପ ଚିତାବାଘଗୁଡ଼ିକୁ ଅପଯଶ ପ୍ରଦାନ କରିଥିବ, କାରଣ କଲରାପତରିଆଗୁଡ଼ିକ ଖୁବ୍‌ ଆକ୍ରମଣାତ୍ମକ ଏବ˚ ଗୃହପାଳିତ ପଶୁପକ୍ଷୀଙ୍କ ସମେତ ଅନେକ ସମୟରେ ମନୁଷ୍ୟମାନଙ୍କ ଉପରେ ମଧୢ ଅତର୍କିତ ଆକ୍ରମଣ କରିଥାଆନ୍ତି। ପ୍ରକାଶ ଥାଉ କି ମଣିଷଖିଆ ଚିତା ବାଘଙ୍କ କୌଣସି ଦୃଷ୍ଟାନ୍ତ ନ ଥିବା ବେଳେ ମଣିଷ ଖିଆ କଲରାପତରିଆ ବାଘଙ୍କ ଅନେକ ଉଦାହରଣ ରହିଛି, ଯହିଁରୁ ରୁଦ୍ରପ୍ରୟାଗର କଲରାପତରିଆ ବାଘ ସର୍ବାଧିକ କୁଖ୍ୟାତ, ଯିଏ ୧୨୫ ଜଣ ମଣିଷଙ୍କୁ ମାରି ଖାଇଥିଲା।

ତେଣୁ ଏହି ସ˚ଦର୍ଭରେ ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଚିତା ବାଘଙ୍କୁ ନେଇ ରହିଥିବା ଭ୍ରାନ୍ତିକୁ ଦୂର କରିବା ସହିତ କୁନୋ ଜାତୀୟ ଉଦ୍ୟାନ ମଧୢସ୍ଥ ବା ସନ୍ନିକଟ ଜନବସତିଗୁଡ଼ିକରେ ଏ ନେଇ ନୂଆ ସଚେତନତାର ସୃଷ୍ଟି। ଭାରତରେ ଚିତା ପ୍ରକଳ୍ପର ସାଫଲ୍ୟର ସମ୍ଭାବନାକୁ ନେଇ ଯେଉଁ ସବୁ ପ୍ରଶ୍ନ ଉଠିଛି ସେ ସବୁ ଭାରତୀୟ ଅରଣ୍ୟରେ ସେମାନଙ୍କ ଚଳି ପାରିବାର ସାମର୍ଥ୍ୟ ଠାରୁ ଆରମ୍ଭ କରି ପ୍ରଭାବ ବିସ୍ତାର ଜନିତ ପ୍ରତିଦ୍ବନ୍ଦ୍ବିତା ବା ଖାଦ୍ୟ ଅନୁପପଲବ୍‌ଧତା ଭଳି ପ୍ରାକୃତିକ ଆହ୍ବାନକୁ ଭିତ୍ତି କରି। କିନ୍ତୁ ଭୁଲିଗଲେ ହେବ ନାହିଁ ଯେ ଭାରତୀୟ ଅରଣ୍ୟର ସ୍ମୃତିରେ ଏବେ ବି ଚିତାବାଘମାନେ ପ୍ରା˚ଜଳ ଥିବେ, ଯାହା ଏହି ନୂଆ ଚିତାବାଘମାନଙ୍କୁ ଏଠାରେ ତିଷ୍ଠି ରହିବାରେ ମାର୍ଗଦର୍ଶକ ହୋଇପାରେ। ଏହା ମଧ୍ୟ ସତ ଯେ ପ୍ରାରମ୍ଭରେ ଏଠାରେ ଏକ ଦୋଦୁଲ୍ୟମାନ ସ୍ଥିତି ଦେଇ ଗତି କରିବାର ସମ୍ଭାବନା ସତ୍ତ୍ବେ ଆଫ୍ରିକାର ଏହି ବନ୍ୟ ପ୍ରାଣୀଗୁଡ଼ିକ ଅବଲୀଳା କ୍ରମେ ଏଠାକାର ପ୍ରାକୃତିକ ଆହ୍ବାନମାନର ସାମନା କରିବା ଶିଖିଯିବେ ମଧ୍ୟ। କିନ୍ତୁ ପୂର୍ବରୁ ଏଠାରେ ଚିତା ବ˚ଶ ବିଲୁପ୍ତିର ପ୍ରଧାନ କାରଣ ହୋଇଥିବା ମନୁଷ୍ୟଙ୍କ ଠାରେ ଯଦି ଚିତା ବାଘମାନଙ୍କ ସମ୍ବନ୍ଧରେ ରହିଥିବା ଭ୍ରାନ୍ତି ଦୂର ନ ହୁଏ ଏବ˚ ନୂତନ ଚିତା-ଚେତନା ଜାଗ୍ରତ ନ ହୁଏ, ତେବେ ସେମାନେ ଏଠାରେ ତିଷ୍ଠି ରହିବା କଷ୍ଟକର ହୋଇପଡ଼ିବ।

ସମ୍ବନ୍ଧିତ ଖବର