ହରିଣଙ୍କ କଷଣ

ସାଲବେଗଙ୍କର ସୁପ୍ରସିଦ୍ଧ ଭଜନରେ ‘ଘୋର ବନେ ମୃଗିଣୀକୁ କଷଣ ପଡ଼ିଥିବା’ ‌େବଳେ ଭଗବାନ ବିଷ୍ଣୁ ତାକୁ ରକ୍ଷା କରିବା ପାଇଁ ଆଗେଇ ଆସିଥିବା ଭଳି ବର୍ତ୍ତମାନ ଚିଡ଼ିଖୋ ଅଭୟାରଣ୍ୟର ୧୮୧ଟି ମୃଗ ବା ହରିଣ ବା ଚିତାଲ୍‌ମାନଙ୍କୁ ରକ୍ଷା କରିବା ପାଇଁ ବିଷ୍ଣୋଇମାନେ ନେଇଥିବା ପଦକ୍ଷେପ ସେଇ ହରିଣମାନଙ୍କର ପ୍ରାଣରକ୍ଷା କରିବାରେ କେତେଦୂର ସଫଳ ହେବ ସନ୍ଦେହଜନକ, କିନ୍ତୁ ବିଷ୍ଣୋଇମାନଙ୍କର ଏହି ହସ୍ତକ୍ଷେପ ଯେ ବହୁଚର୍ଚ୍ଚିତ ଭାରତରେ ଦକ୍ଷିଣ ଆଫ୍ରିକୀୟ ଚିତାବାଘ ସଂସ୍ଥାପନ ଯୋଜନାର ତଥା ଏହାର ମୁଖ୍ୟ ପୃଷ୍ଠପୋଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନୈତିକ ମେରୁଦଣ୍ଡକୁ ନିଶ୍ଚିତ ରୂପେ ଦୋହଲାଇ ଦେଇଥିବ, ଏଥିରେ ସନ୍ଦେହ ନାହିଁ।

ପ୍ରକାଶିତ ଖବର ଅନୁସାରେ ପ୍ରଧାନମନ୍ତ୍ରୀ ତାଙ୍କର ଜନ୍ମଦିନ ପାଳନ ଅବସରରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଥିବା ଆଠଟି ବହିରାଗତ ଚିତାଙ୍କ ଖାଦ୍ୟରେ ପରିଣତ ହେବା ପାଇଁ ରାଜସ୍ଥାନ ସୀମାନ୍ତବର୍ତ୍ତୀ ମଧ୍ୟପ୍ରଦେଶର ଚିଡ଼ିଖୋ ଅଭୟାରଣ୍ୟରୁ ଉପରୋକ୍ତ ୧୮୧ଟି ହରିଣଙ୍କୁ କୁନୋ ଜାତୀୟ ଉଦ୍ୟାନକୁ ପ୍ରେରଣ କରାଯାଇଛି। ଯୋଜନା ଅନୁସାରେ ୧୫୦୦ଟି ହତଭାଗ୍ୟ ଚିତାଲ୍‌ଙ୍କୁ କୁନୋଠାରେ ଅବସ୍ଥାପିତ ହିଂସ୍ର ଅତିଥିମାନଙ୍କ ପାଇଁ ଶିକାର ଭିତ୍ତିଭୂମି ସୃଷ୍ଟି ନିମିତ୍ତ ସେଠାରେ ଛାଡ଼ି ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଏହାର ପ୍ରତିକ୍ରିୟାରେ ସର୍ବଭାରତୀୟ ବିଷ୍ଣୋଇ ମହାସଭାର ସଭାପତି ଦେବେ‌ନ୍ଦ୍ର ବୁଡ଼ିଆ ଏହାର ତୀବ୍ର ପ୍ରତିବାଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖିଛନ୍ତି ବୋଲି ପ୍ରକାଶ ପାଇଛି। ବିଷ୍ଣୋଇମାନେ ବିଗତ ପାଞ୍ଚ ଶତାବ୍ଦୀ ଧରି ପରିବେଶ, ପ୍ରକୃତି ଓ ବନ୍ୟ ଜନ୍ତୁମାନଙ୍କୁ ସୁରକ୍ଷିତ ରଖିବା ନିମିତ୍ତ ସେମାନଙ୍କର ଗୁରୁ ଜମ୍ଭେଶ୍ବରଙ୍କ ଉପଦେଶ ଅନୁସରଣ କରି ସଂଗ୍ରାମ କରି ଆସୁଛନ୍ତି ଓ ଏପର୍ଯ୍ୟନ୍ତ ୩୬୩ ଜଣ ବିଷ୍ଣୋଇ ଏହି ସଂଗ୍ରାମରେ ପ୍ରାଣପାତ କରିସାରିଲେଣି ବୋଲି ତାଙ୍କ ପତ୍ରରେ ଉଲ୍ଲେଖ କରି ଦେବେନ୍ଦ୍ର ବୁଡ଼ିଆ ଏହି ହରିଣମାରଣ ନିଷ୍ପତ୍ତିରେ ତୁରନ୍ତ ପରିବର୍ତ୍ତନ ଘଟାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ହରିଆନାର ଅନ୍ୟତମ ପ୍ରମୁଖ ବିଜେପି ନେତା ତଥା ବିଷ୍ଣୋଇ ସମ୍ପ୍ରଦାୟର ତୁଙ୍ଗ ସଦସ୍ୟ କୁଲ୍‌ଦୀପ୍‌ ବିଷ୍ଣୋଇ ମଧ୍ୟ ଅନୁରୂପ ମନୋଭାବ ପ୍ରଦର୍ଶନ କରି ତୁରନ୍ତ ଏଭଳି ଉଦ୍ୟମରୁ ନିବୃତ୍ତ ହେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ବିଷ୍ଣୋଇମାନଙ୍କର ଏହି ବିରୋଧ ଯେ ଏକ ଲୋକଦେଖାଣିଆ ବି‌େରାଧ ନୁହେଁ, ତାହା କୃଷ୍ଣସାର ଶିକାରୀ ଚିତ୍ରତାରକା ସଲମାନ୍‌ ଖାଁ ଓ ତାଙ୍କ ସାଥୀମାନେ ୧୯୯୮ ଠାରୁ ସମ୍ମୁଖୀନ ହୋଇ ଆସିଥିବା ବିଷ୍ଣୋଇ ବିରୋଧର ଲମ୍ବା କାହାଣୀ ସହିତ ପରିଚିତ ସମସ୍ତଙ୍କୁ ଜଣା। ସେ କାହାଣୀର ସଦ୍ୟତମ ମୋଡ଼ ସ୍ବରୂପ ଏବେ କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର୍‌ ଲରେନ୍‌ସ ବିଷ୍ଣୋଇ ସଲମାନ୍‌ ଖାଁଙ୍କୁ କେବେହେଲେ କ୍ଷମା କରାଯିବ ନାହିଁ ବୋଲି ଘୋଷଣା କରିବା ଓ ଭୀତତ୍ରସ୍ତ ‌ସଲମାନ୍‌ ଖାଁ ମୁମ୍ବାଇ ପୁଲିସର ଶରଣ ପଶିବା ପ୍ରାଣୀ ସୁରକ୍ଷା ପ୍ରସଙ୍ଗରେ ବିଷ୍ଣୋଇମାନଙ୍କର ସାଲିସ୍‌ହୀନ ପ୍ରତିଶ୍ରୁତିବଦ୍ଧତାର ଦୃଢ଼ ସ୍ବାକ୍ଷର ବହନ କରିଥାଏ। ବିଷ୍ଣୋଇମାନଙ୍କର ପ୍ରତିବାଦକୁ ପ୍ରଧାନମନ୍ତ୍ରୀ ମୋଦୀ ତେଣୁ କେବେ ହେଲେ ହେୟ ଜ୍ଞାନ କରି ଆଡ଼େଇ ଦେଇପାରି‌େବ ନାହିଁ।

ନୈତିକତା ଦୃଷ୍ଟିରୁ ମଧ୍ୟ ବିଷ୍ଣୋଇମାନେ ପ୍ରକଟ କରିଥିବା ଚିନ୍ତାକୁ ଆଡ଼େଇ ଦିଆଯାଇପାରିବ ନାହିଁ। ବିଗତ କାଳରେ ସମ୍ପୃକ୍ତ ବନାଞ୍ଚଳରେ ଥିବା ବନ୍ୟପ୍ରାଣୀମାନେ ପରସ୍ପର ସହିତ ସନ୍ତୁଳନ ରକ୍ଷା କରି ବାସ କରି ଆସୁଥିଲେ, ଯେଉଁଥିରେ ଚିତା ନାମକ ମୃତ୍ୟୁଦୂତର ସ୍ଥାନ ନ ଥିଲା। ବର୍ତ୍ତମାନ ମନୁଷ୍ୟ ଯେଉଁ ବି କାରଣରୁ ସେଠାରେ ବିଦେଶରୁ ଅଣାଯାଇଥିବା ଚିତାମାନଙ୍କର ରୋପଣ କରିଥାଉ ନା କାହିଁକି, ତାହା ସେଠାକାର ମୂଳ ତୃଣଭୋଜୀ ବାସିନ୍ଦାମାନଙ୍କ ପାଇଁ ହଠାତ୍‌ ସେ ସନ୍ତୁଳନର ଧ୍ବଂସ ସାଧନ ଘଟାଇବାକୁ ଯାଉଛି। ଏହା ସେଇ ବାସିନ୍ଦା ତୃଣଭୋଜୀ ପ୍ରାଣୀମାନଙ୍କ ପ୍ରତି ନିଶ୍ଚିତ ରୂପେ ଏକ ନିର୍ଦ୍ଦୟ ଆଚରଣ। ପୁଣି ଯେହେତୁ କୁନୋ ଉଦ୍ୟାନରେ ବଂଶ ବୃଦ୍ଧି ଘଟିବାକୁ ଯାଉଥିବା ଚିତାମାନଙ୍କର ଶିକାର ପାଇଁ ଉପସ୍ଥିତ ତୃଣଭୋଜୀମାନଙ୍କ ସଂଖ୍ୟା ଯଥେଷ୍ଟ ହେବ ନାହିଁ, ତେଣୁ ସେଠାକୁ ହରିଣମାନଙ୍କୁ ଅଣାଯିବା ପାଇଁ ଉପରୋକ୍ତ ଯୋଜନା କରାଯାଇଛି।

ପରିବେଶ ସୁରକ୍ଷାକୁ ଏହି ଚିତା ପୁନର୍ସ୍ଥାପନ ସହିତ ଯେତେ ସଂଯୁକ୍ତ କରାଯାଉନା କାହିଁକି, ଏହାର ପ୍ରଧାନ ଲାଭାର୍ଥୀ ଯେ ହେଉଛି ପର୍ଯ୍ୟଟନ, ଏଥିରେ କୌଣସି ସନ୍ଦେହ ନାହିଁ। ପୃଥିବୀ ପୃଷ୍ଠରେ ସର୍ବାଧିକ ବେଗବାନ୍‌ ଜନ୍ତୁ ରୂପେ ଖ୍ୟାତ ଚିତା ତା’ର ଶରୀର ଗଠନ ଓ ଶିକାର ଶୈଳୀ ପାଇଁ ସର୍ବଦା କିପରି ପର୍ଯ୍ୟଟକମାନଙ୍କର ଏକ ପ୍ରମୁଖ ଆକର୍ଷଣ ହୋଇଥାଏ, ତାହା ଆଫ୍ରିକୀୟ ସଫାରି ସହିତ ସିଧାସଳଖ କିମ୍ବା ଟେଲିଭିଜନ୍‌ ମାଧ୍ୟମରେ ପରିଚିତ ସମସ୍ତେ ଜାଣନ୍ତି। କିନ୍ତୁ ଆଫ୍ରିକାରୁ ଚିତାମାନଙ୍କୁ ଆମଦାନି କରିଆଣି ଏଠାରେ ସ୍ଥାପନା କରି ଅନ୍ୟ ସ୍ଥାନରୁ ହରିଣ ଆଣି ସେମାନଙ୍କ ସମ୍ମୁଖରେ ଛାଡ଼ିବା ଏକ ପ୍ରକାର ପ୍ରାଚୀନ ରୋମ୍‌ରେ କଲିସିଅମ୍‌ଠାରେ ଦର୍ଶକମାନଙ୍କ ମନୋରଞ୍ଜନ ନିମିତ୍ତ ଆୟୋଜନ କରାଯାଉଥିବା ନିଷ୍ଠୁର ପଶୁ ଯୁଦ୍ଧ ସଦୃଶ ନୁହେଁ କି?

ଚିତା ଓ ହରିଣମାନଙ୍କ ମଧ୍ୟରେ ଖାଦ୍ୟ-ଖାଦକ ସମ୍ପର୍କ ହେଉଛି ପ୍ରାକୃତିକ ବୋଲି କହି ଏ ଉଦ୍ୟମର ଯଥାର୍ଥତା ପ୍ରତିପାଦନ କରିବାକୁ ଚେଷ୍ଟା କରିବା ମଧ୍ୟ ଜୀବ ଅଧିକାରବାଦୀମାନଙ୍କ ଦୃଷ୍ଟିରେ ବୃଥା ସାବ୍ୟସ୍ତ ହୋଇପାରେ। କାରଣ, ଏଠାରେ ହରିଣକୁ ମନୁଷ୍ୟ ଚିତା ସମ୍ମୁଖକୁ ନିକ୍ଷେପ କରିଛି; ହରିଣର ଯେଉଁ ଯନ୍ତ୍ରଣା ଜର୍ଜରିତ ମୃତ୍ୟୁ ଘଟିଥାଏ, ତାହାର କାରଣ କେବଳ ଚିତାର ନଖ ଓ ଦାନ୍ତ ନୁହେଁ, ତାହାର ଅନ୍ୟ ଏକ ତଥା ଏଠାରେ ମୁଖ୍ୟ କାରଣ ହେଉଛି ମନୁଷ୍ୟର ହାତ ଅର୍ଥାତ୍‌ ହରିଣମାନଙ୍କୁ ସ୍ଥାନାନ୍ତରିତ କରି ଚିତାମାନଙ୍କ ଶିକାର କ୍ଷେତ୍ରରେ ସ୍ଥାପନ କରିବାର ନିଷ୍ପତ୍ତି।

ବିଷ୍ଣୋଇମାନେ ହରିଣମାନଙ୍କର ଯନ୍ତ୍ରଣାକୁ ନିଜର ଯନ୍ତ୍ରଣା ଭଳି ଅନୁଭବ କରିଥାନ୍ତି। କିନ୍ତୁ ଯେଉଁମାନେ ଚିତାମାନଙ୍କ ପାଇଁ ଏହି ହରିଣ ଯୋଗାଣ ଯୋଜନାର ସୂତ୍ରଧର ଓ ସମର୍ଥକ, ସେମାନଙ୍କ ଦୃଷ୍ଟିରେ ହରିଣମାନଙ୍କ ପ୍ରତି ଏଭଳି ସମ୍ବେଦନଶୀଳତା ପ୍ରଦର୍ଶନ ହେଉଛି କେବଳ ଏକ ଦୁର୍ବଳ ଭାବ ପ୍ରବଣତାର ନିଦର୍ଶନ ମାତ୍ର; ହରିଣ ମନୁଷ୍ୟ ନୁହେଁ ଯେ ତାକୁ ଚିତା ମୁହଁକୁ ଠେଲି ଦେବା ଏପରି ନୈତିକ ସଂଶୟ ସୃଷ୍ଟି କରିବ। ଏହାର ଜବାବରେ ବିଷ୍ଣୋଇମାନେ ପ୍ରଶ୍ନ କରିପାରନ୍ତି, ହରିଣ ଓ ମନୁଷ୍ୟ ମଧ୍ୟରେ ତଫାତ୍‌ କ’ଣ? ଏହାର ଉତ୍ତର ହୋଇପାରେ, ମନୁଷ୍ୟ ହେଉଛି ବୁଦ୍ଧିମାନ ପ୍ରାଣୀ, ହରିଣ ବୁଦ୍ଧିହୀନ। ବିଷ୍ଣୋଇମାନେ ପୁଣି ପ୍ରଶ୍ନ କରିପାରନ୍ତି ଯେ ଏକ ନବଜାତ ମନୁଷ୍ୟ ଶିଶୁଠାରୁ ଏକ ବୟସ୍କ ହରିଣ ଅଧିକ ବୁଦ୍ଧିମାନ ହୋଇଥାଏ; ତା’ହେଲେ ଏକ ବୁଦ୍ଧିହୀନ ନବଜାତ ମାନବ ଶିଶୁକୁ ଚିତା ମୁହଁରେ ପକାଇ ଦେବା ଗ୍ରହଣୀୟ ହେବ କି?

ବିଷ୍ଣୋଇମାନେ ତା’ପରେ ଅଷ୍ଟାଦଶ ଶତାବ୍ଦୀର ବ୍ରିଟିସ୍‌ ଦାର୍ଶନିକ ଜେରେମି ବେନ୍ଥାମ୍‌ଙ୍କୁ ଅନୁସରଣ କରି କହିପାରନ୍ତି ଯେ ଯାହା ମନୁଷ୍ୟ ଓ ପଶୁମାନଙ୍କୁ ‌େନୖତିକତା ଦୃଷ୍ଟିରୁ ସମାନ ଅଧିକାର ପ୍ରଦାନ କରିଥାଏ, ତାହା ହେଉଛି- ଯନ୍ତ୍ରଣା ଅନୁଭବ କରିବାର କ୍ଷମତା। ଚିତାର ନଖ, ଦାନ୍ତର ସ୍ପର୍ଶ ମନୁଷ୍ୟକୁ ଯେଉଁଭଳି ଯନ୍ତ୍ରଣା ଦେଇପାରେ, ହରିଣକୁ ମଧ୍ୟ ସେଇଭଳି ଯନ୍ତ୍ରଣା ଦେଇଥାଏ। ତେଣୁ ବିଷ୍ଣୋଇମାନଙ୍କ ମତରେ ମନୁଷ୍ୟ ଜାଣିଶୁଣି ହରିଣମାନଙ୍କୁ ସେ ଯନ୍ତ୍ରଣାର ଶିକାର କରିବା ଉଚିତ୍‌ ନୁହେଁ। ବିଷ୍ଣୋଇମାନଙ୍କର ଏହି ଜୀବେଦୟା ବିଶ୍ବାସ ସେମାନଙ୍କୁ ସମ୍ପୂର୍ଣ୍ଣ ନିରାମିଷାଶୀରେ ପରିଣତ କରିଛି। ଯଦି ହରିଣମାନଙ୍କ ପାଇଁ ସେମାନଙ୍କର ଏଭଳି ଚିନ୍ତା ସେମାନଙ୍କ ଭଳି ମଧ୍ୟ ସମ୍ପୂର୍ଣ୍ଣ ଶାକାହାରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନ୍ତର ସ୍ପର୍ଶ କରନ୍ତା, ତେବେ ହରିଣମାନେ ସେମାନଙ୍କର ଆସନ୍ନ କଷଣରୁ ରକ୍ଷା ପାଇଯାଆନ୍ତେ।

ସମ୍ବନ୍ଧିତ ଖବର