ବ୍ଲିଙ୍କୋର ମାଲିକ

ଗତ ସପ୍ତାହରେ ଭାରତର ଅନ୍ୟତମ ପ୍ରମୁଖ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କମ୍ପାନି ‘ୱିପ୍ରୋ’ ତା’ର ୩୦୦ ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବା ଘଟଣାକୁ ଯଦି ଡାର୍‌ୱିନୀୟ ବିବର୍ତ୍ତନ ପ୍ରକ୍ରିୟାର ଏକ ପରିସ୍ଫୁଟନ ବୋଲି କୁହାଯାଏ, ବୋଧହୁଏ ବିଶେଷ ଭୁଲ୍‌ ହେବ ନାହିଁ। ଏଥିରେ ସନ୍ଦେହ ନାହିଁ ଯେ ବିଗତ ବର୍ଷମାନଙ୍କର ପୃଥିବୀରେ ପ୍ରାଧାନ୍ୟ ବିସ୍ତାର କରିଥିବା ‘ଆଇଟି’ ବିପ୍ଳବର ମୂଳଭିତ୍ତି ହେଉଛି ଅଷ୍ଟାଦଶ ଶତାବ୍ଦୀରେ ବ୍ରିଟେନ୍‌ରେ ଜନ୍ମଲାଭ କରିଥିବା ଶିଳ୍ପ ବିପ୍ଳବ। ସେଇ ମୂଳ ବିପ୍ଳବ କ୍ରମଶଃ ବିବର୍ତ୍ତିତ ହୋଇ ଆଜି ‘ଆଇଟି’ ବିପ୍ଳବରେ ପରିଣତ ହୋଇଥିବା ବେଳେ ସେଥିସହିତ ସମ୍ପୃକ୍ତ କର୍ମ ସଂସ୍କୃତିରେ ଯେଉଁ ପରିବର୍ତ୍ତନ ଘଟିଛି, ତାହା ହିଁ ହେଉଛି ‘ୱିପ୍ରୋ’ ନେଇଥିବା ବିବଦନୀୟ ପଦକ୍ଷେପ ପଛରେ ନିହିତ ଥିବା ମୁଖ୍ୟ କାରଣ।

ଏହି ଅବିଶ୍ବାସ୍ୟ ପରିବର୍ତ୍ତନ ସମ୍ବନ୍ଧରେ ଏକ ସମ୍ୟକ୍‌ ଧାରଣା କରିବାକୁ ହେଲେ ଶିଳ୍ପ ବିପ୍ଳବର ଅାଦ୍ୟକାଳର କାରଖାନାମାନଙ୍କ‌େର ଅନୁସୃତ କର୍ମ ସଂସ୍କୃତି ଉପରେ ‌ନଜର ପକାଇବା ପାଇଁ ଏକ ନମୁନାର ବ୍ୟବହାର କରାଯାଇପାରେ। ନମୁନାଟି ହେଉଛି ୧୮୨୮ରେ ‘ଦି ଲାୟନ୍‌’ ନାମକ ଏକ ପତ୍ରିକାରେ ରବର୍ଟ ବ୍ଲିଙ୍କୋ ନାମକ ଏକ ଦଶ ବର୍ଷୀୟ ଶିଶୁଶ୍ରମିକର ଅନୁଭୂତି ସମ୍ବନ୍ଧରେ ପ୍ରକାଶିତ ବର୍ଣ୍ଣନା। ବ୍ଲିଙ୍କୋ ସମେତ ଯେଉଁ ଅଶୀ ଜଣ ବାଳକ ବାଳିକା ଲୋଡ୍‌ହାମ୍‌ସ୍ଥିତ ଏକ କାରଖାନାରେ ଶ୍ରମିକ ରୂପେ କାର୍ଯ୍ୟ କରୁଥିଲେ, ସେଠାରେ ସେମାନଙ୍କୁ ଯେ କେବଳ ଦିନକୁ ଷୋହଳ ଘଣ୍ଟା ଲେଖାଁଏ କାମ କରିବାକୁ ପଡୁଥିଲା, ତାହା ନୁହେଁ, ହଳ କଲା ବେଳେ ବଳଦକୁ ଅଟକିବାକୁ ‌ନ ଦେବା ପାଇଁ ପାଞ୍ଚଣ ମାରିବା ଭଳି କିମ୍ବା ଦୌଡ଼ିବା ବେଳେ ଘୋଡ଼ାକୁ ବେଗ ବଜାୟ ରଖିବା ପାଇଁ ଚାବୁକ୍‌ ମାରିବା ଭଳି, ସେ ପିଲାମାନଙ୍କ କାର୍ଯ୍ୟରେ ଶିଥିଳତା ପ୍ରବେଶ କରିବାକୁ ନ ଦେବା ପାଇଁ ସେମାନଙ୍କୁ ନିୟମିତ ଭାବରେ ପ୍ରହାର କରାଯାଉଥିଲା।

ପରବର୍ତ୍ତୀ ସମୟରେ ବ୍ଲିଙ୍କୋକୁ ‌ଯେତେବେଳେ ଲିଟନ୍‌ସ୍ଥିତ ଅନ୍ୟ ଏକ କାରଖାନାକୁ ସ୍ଥାନାନ୍ତରିତ କରାଗଲା, ସେ ତୁଳନାରେ ଲୋଡ୍‌ହାମ୍‌ କାରଖାନା ତା’ପାଇଁ ଏକ ସ୍ବର୍ଗ ସ୍ବରୂପ ଥିଲା ବୋଲି ସେ ପତ୍ରିକାରେ ବର୍ଣ୍ଣନା କରାଯାଇଥିଲା। ଲିଟନ୍‌ ଠାରେ ଏହି ଶିଶୁ ଶ୍ରମିକମାନଙ୍କୁ ଦଣ୍ଡ ସ୍ବରୂପ ହାତ ବାନ୍ଧି ଚଳମାନ ମେସିନ୍‌ ଉପରେ ଏମିତି ଝୁଲାଇ ଦିଆଯାଉଥିଲା ଯେ ସେମାନେ ଗୋଡ଼ ସିଧା କରି ପାରୁନଥିଲେ; ପ୍ରବଳ ଶୀତରେ ସେମାନଙ୍କୁ ଫୁଙ୍ଗୁଳା ରଖାଯାଉଥିଲା; ସେମାନଙ୍କୁ ଘୁଷୁରିଙ୍କ ସହିତ ଏକତ୍ର ଗୋଟିଏ କୁଣ୍ଡରୁ ଖାଇବାକୁ ପଡୁଥିଲା…।

ଏହି ଚିତ୍ରରେ ବିବର୍ତ୍ତନ ଘଟି ବର୍ତ୍ତମାନ ‘ଆଇଟି’ କ୍ଷେତ୍ରରେ କର୍ମଚାରୀମାନଙ୍କ ପାଇଁ ଯେଉଁ କର୍ମଶାଳାର ଆବିର୍ଭାବ ଘଟିଛି, ତାହା ହେଉଛି ଘୋଡ଼ା ଗାଡ଼ି ସ୍ଥାନରେ ମଟର ଗାଡ଼ିର ଆବିର୍ଭାବ ଭଳି କିମ୍ବା ତନ୍ତ ସ୍ଥାନରେ ‘ସ୍ପିନିଙ୍ଗ୍‌ ଜେନି’ର ଆବିର୍ଭାବ ଭଳି ଅବିଶ୍ବସନୀୟ। ସଂକ୍ଷେପରେ କହିଲେ ଏବେ ଏହି କର୍ମଚାରୀମାନଙ୍କର ବାସସ୍ଥଳୀ ହିଁ ହେଉଛି ସେମାନଙ୍କର କର୍ମସ୍ଥଳୀ। ଏହାର ନାମକରଣ କରାଯାଇଛି- ‘ୱର୍କ‌୍ ଫ୍ରମ୍‌ ହୋମ୍‌’ (‘ଡବ୍ଳ୍ୟୁଏଫ୍‌ଏଚ୍‌’) ବା ‘ଘରୁ କାମ’। କୋଭିଡ-୧୯ ପାଣ୍ଡେମିକ୍‌ ସମୟରେ ସାମାଜିକ ଦୂରତା ରକ୍ଷାର ଆବଶ୍ୟକତା, ଲକ୍‌ଡାଉନ୍‌ ଜନିତ ଗୃହବନ୍ଦୀ ଅବସ୍ଥା ଆଦି ମିଶି ଏହି ‘ଘରୁ କାମ’ ବିକଳ୍ପକୁ ଏକ ବିଧିବଦ୍ଧ ବ୍ୟବସ୍ଥାରେ ପରିଣତ କରି ଦେଇଥିଲେ। ବ୍ଲିଙ୍କୋର ମାଲିକ ଯଦି ଆଜିର ଏହି କର୍ମଶାଳାକୁ ଦେଖନ୍ତେ, ଏହାକୁ ଯେ କର୍ମ ସଂସ୍କୃତିର ଏକ ଚରମ ବିକୃତି ରୂପେ ବିଚାର କରନ୍ତେ ଓ ତୁରନ୍ତ ଏଥିରେ ଅନ୍ତ ଘଟାଇ ସମସ୍ତ କର୍ମଚାରୀମାନଙ୍କୁ ଗୋଟିଏ ଛାତ ତଳେ ଏକାଠି ହୋଇ ନିୟନ୍ତ୍ରକମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାମ କରିବାକୁ ନିର୍ଦ୍ଦେଶ ଦିଅନ୍ତେ, ଏଥିରେ ‌କୌଣସି ସ‌େନ୍ଦହ ନାହିଁ।

ଅବଶ୍ୟ ଆଜିର କଠୋର ଶ୍ରମ ଆଇନ ଓ ସାମାଜିକ ଦାୟିତ୍ବବୋଧ ଯୁଗରେ କୌଣସି ମାଲିକ ଆଉ ବ୍ଲିଙ୍କୋର ମାଲିକମାନଙ୍କୁ ଅନୁସରଣ କରିବାର ସାମାନ୍ୟତମ ସମ୍ଭାବନା ନାହିଁ। କିନ୍ତୁ ତଥାପି ‘ୱିପ୍ରୋ’ ଭଳି କମ୍ପାନିମାନେ ସେମାନଙ୍କ କର୍ମଚାରୀମାନଙ୍କୁ ତୁରନ୍ତ ଦପ୍ତରକୁ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେବା ଓ ଏହାକୁ ଅମାନ୍ୟ କରିବାର ଦଣ୍ଡ ସ୍ବରୂପ ସେମାନଙ୍କୁ ଛଟେଇ କରିବା ସେଇଭଳି ମାନସିକତାର ଏକ ଆଧୁନିକ ପ୍ରତିଧ୍ବନି ଭଳି ପ୍ରତୀୟମାନ ହୋଇଥାଏ, ଯାହା ବ୍ଲିଙ୍କୋର ମାଲିକମାନେ ସେ ଯୁଗରେ ପ୍ରଦର୍ଶନ କରୁଥିଲେ।

‘ୱିପ୍ରୋ’ ଓ ଅନ୍ୟ କେତେକ ‘ଆଇଟି’ କମ୍ପାନି ସେମାନଙ୍କର କର୍ମଚାରୀମାନଙ୍କ ପାଇଁ ‘ଘରୁ କାମ’ ବ୍ୟବସ୍ଥାରେ ଅନ୍ତ ଘଟାଇ ସେମାନଙ୍କୁ ପରିଚାଳକମାନଙ୍କର ପ୍ରତ୍ୟକ୍ଷ ନଜର ତଳେ କାର୍ଯ୍ୟ କରିବାକୁ ବାଧ୍ୟ କରିବା ପଛରେ ଯେଉଁ ଅସଲ କାରଣ ରହିଛି, ତାହା ଏଥିଯୋଗୁଁ କମ୍ପାନିମାନଙ୍କର ଆୟ ଓ ଉତ୍ପାଦନଶୀଳତାରେ ଘଟୁଥିବା କୌଣସି କ୍ଷତି ନୁହେଁ। ବାସ୍ତବରେ ଏହି ସମୟରେ ଅଧିକାଂଶ ଆଇଟି କମ୍ପାନିମାନଙ୍କର ଫଳାଫଳ ବେଶ୍‌ ସନ୍ତୋଷଜନକ ହୋଇଥିବା ଦେଖାଯାଇଛି। ଅସଲ କାରଣ ହେଲା- କର୍ମଚାରୀମାନେ ଘରେ ରହି କାମ କଲା ବେଳେ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପାଦନ ପରେ ସେମାନଙ୍କୁ ଉପଲବ୍‌ଧ ବଳକା ସମୟରେ ସେମାନେ ଅନ୍ୟ କାହା ପାଇଁ ମଧ୍ୟ କାମ (ଅନ୍‌ଲାଇନ୍‌) କରୁଛନ୍ତି ବୋଲି ଜଣାପଡୁଛି।

ଏ ବଳକା ସମୟ କେଉଁଠୁ ବାହାରିଲା, ତାହା ଅନୁମାନ କରିବା କଷ୍ଟ ନୁହେଁ: ଏହି କର୍ମଚାରୀମାନଙ୍କୁ ଅଫିସ୍‌କୁ ଯିବା ଆସିବା‌େ‌ର ଘଣ୍ଟା ଘଣ୍ଟା ସମୟ ବିତାଇବାକୁ ପଡୁନାହିଁ; ଖିଅର, ସ୍ନାନ ଆଦିରେ ସମୟ ନିୟୋଜିତ କରିବା ଆଉ ବାଧ୍ୟତାମୂଳକ ହେଉନାହିଁ; ବିଧିବଦ୍ଧ ପୋଷାକ ପରିଧାନରେ ସମୟ ବିତାଇବା‌କୁ ପଡୁନାହିଁ; ଏବଂ ଏପରିକି ଖାଇବା ବେଳେ ମଧ୍ୟ କାମ ବନ୍ଦ କରିବାକୁ ପଡୁନାହିଁ। ଅନ୍ୟ କାହା ପାଇଁ ହେଉ କିମ୍ବା ନିଜେ ଆରମ୍ଭ କରିଥିବା ବ୍ୟବସାୟ ପାଇଁ ହେଉ, ଏଭଳି ଅତିରିକ୍ତ କାର୍ଯ୍ୟ କରି ଅତିରିକ୍ତ ଆୟ ଅର୍ଜନ କରିବାକୁ ଇଂରେଜୀରେ ‘ମୁନ୍‌ଲାଇଟିଙ୍ଗ୍‌’ ବୋଲି କୁହାଯାଇଥାଏ।

କମ୍ପାନିମାନେ ‘ମୁନ୍‌ଲାଇଟିଙ୍ଗ୍‌’କୁ ବିରୋଧ କରିବାର ଏକ କାରଣ ଅବଶ୍ୟ ହୋଇପାରେ ‘ସ୍ବାର୍ଥ ସଂଘାତ’ (‘କନ୍‌ଫ୍ଲିକ୍‌ଟ ଅଫ୍‌ ଇଣ୍ଟେରେଷ୍ଟ’), ଯେତେବେଳେ କର୍ମଚାରୀଜଣକ କମ୍ପାନିର କୌଣସି ପ୍ରତିଦ୍ବନ୍ଦ୍ବୀ ପାଇଁ ମଧ୍ୟ କାମ କରିଥାନ୍ତି। ସାଧାରଣତଃ ନିଯୁକ୍ତି ଚୁକ୍ତିପତ୍ରରେ ଏହାକୁ ନିଷିଦ୍ଧ କରାଯାଇଥାଏ ଓ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଭୟରେ କର୍ମଚାରୀମାନେ ସାଧାରଣତଃ ଏହାର ଉଲ୍ଲଂଘନ କରିନଥାନ୍ତି। ସେଇଭଳି ଏକ ନିର୍ଦ୍ଦିଷ୍ଟ କମ୍ପାନିରେ କାମ କରିବା ସମୟରେ କର୍ମଚାରୀ ଜଣେ ଆହରଣ କରୁଥିବା କୌଣସି ବିଶେଷ ଜ୍ଞାନକୌଶଳ ବା ରଣକୌଶଳ ସେ ଅନ୍ୟ କମ୍ପାନିକୁ ହସ୍ତାନ୍ତରିତ କରିବା ସମ୍ଭାବନା ‘ମୁନ୍‌ଲାଇଟିଙ୍ଗ’ ଯୋଗୁଁ ବୃଦ୍ଧି ପାଇଥାଏ। କିନ୍ତୁ ଅାଜିର ଦୁନିଆରେ କର୍ମଚାରୀମାନେ ଆଜୀବନ ‌େକୗଣସି କମ୍ପାନି ପାଖରେ ବାନ୍ଧି ହୋଇ ରହିବା (ଯେମିତି ଜାପାନରେ ଦେଖାଯାଉଥିଲା) ଆଉ ଦେଖାଯାଏ ନାହିଁ; ତେଣୁ ଆଜି ସେମାନଙ୍କ ମାଧ୍ୟମରେ ଏଭଳି ଜ୍ଞାନକୌଶଳ ବିଚ୍ଛୁରିତ ହେବା ଦେଖାଯାଇଥାଏ। ତେବେ ଗୁରୁତ୍ବପୂର୍ଣ୍ଣ ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା ପାଇଁ ଆଇନଗତ ବ୍ୟବସ୍ଥା ମଧ୍ୟ ରହିଛି।

ସତ କଥା ହେଲା ବର୍ତ୍ତମାନର ଇଣ୍ଟର୍‌ନେଟ୍‌ ଯୁଗରେ ଆଇଟି କର୍ମଚାରୀମାନଙ୍କୁ ଆଉ ରବର୍ଟ ବ୍ଲିଙ୍କୋ ଭଳି ବାନ୍ଧି କରି ଝୁଲାଇ ରଖି ହେବ ନାହିଁ; ମାଲିକଙ୍କର କ୍ଷତି ସାଧନ ନ କରି ସେମାନେ ନିଜ ପାଇଁ ଲାଭ ଅର୍ଜନ କରିବାର ସ୍ବାଧୀନତା ସେମାନଙ୍କୁ ପ୍ରଦାନ କରିବାକୁ ହେବ। ଏହି ନୂତନ ସତ୍ୟକୁ ସ୍ବୀକାର କରି ଗତ ଶୁକ୍ରବାର ଦିନ କେନ୍ଦ୍ର ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ‘ପବ୍ଲିକ୍‌ ଆଫେୟାର୍‌ସ ଫୋରମ୍‌ ଅଫ୍‌ ଇଣ୍ଡିଆ’ର ବାର୍ଷିକ ସମ୍ମିଳନୀରେ ଉଦ୍‌ବୋଧନ ଦେବା ଅବସରରେ କହିଥିଲେ ଯେ ଆଜିର ଯୁବ ପିଢ଼ି ସେମାନଙ୍କର ଦକ୍ଷତାକୁ ମୂଲ୍ୟରେ ପରିଣତ କରିବା ପାଇଁ ବଦ୍ଧପରିକର ଓ ଯେଉଁ କମ୍ପାନିମାନେ ଏଥିରେ ପ୍ରତିବନ୍ଧ ସୃଷ୍ଟି କରିବାକୁ ଚେଷ୍ଟା କରିବେ, ବିଫଳ ହେବେ। ଆଜିର ବିବର୍ତ୍ତିତ ସମୟରେ ଯେମିତି ବ୍ଲିଙ୍କୋର ମାଲିକ ବେଖାପ୍ ହୁଅନ୍ତେ, ଏଭଳି କମ୍ପାନିମାନେ ସେମିତି ବେଖାପ୍‌ ହେବେ।

ସମ୍ବନ୍ଧିତ ଖବର