ଆଣ୍ଟାର୍କଟିକାର ଗୁମ୍ଫା

ପୃଥିବୀର ଦକ୍ଷିଣ ମେରୁ ବା ଆଣ୍ଟାର୍କଟିକା ଯେଉଁ କାରଣ ଲାଗି ପ୍ରାୟତଃ ଆଲୋଚନା ଏପରିକି ଉଦ୍‌ବେଗର ପରିସର ମଧୢକୁ ଆସିଥାଏ, ତାହା ହେଲା ବିଶ୍ବ ଉତ୍ତପ୍ତୀକରଣ କାରଣରୁ ପ୍ରାଗୈତିହାସିକ କାଳରୁ ସେଠାରେ ଜମାଟ ବାନ୍ଧିଥିବା ବରଫ ତରଳିବା ଏବ˚ ସେହି କାରଣରୁ ସମୁଦ୍ର ପତ୍ତନରେ ବୃଦ୍ଧି ଘଟି ଭବିଷ୍ୟତ୍‌ରେ ଅନେକ ତଟବର୍ତ୍ତୀ ମହାନଗରୀ ତହିଁରେ ମଗ୍ନ ହୋଇଯିବା ଭଳି ଆଶଙ୍କା। କିନ୍ତୁ, ଏହି ବରଫାଚ୍ଛାଦିତ ସ୍ଫଟିକ-ଶୁଭ୍ର ତଥା ବିଯୁକ୍ତାତ୍ମକ ତାପମାତ୍ରା ଦ୍ବାରା ହିମ ଶୀତଳ ଏବ˚ ଜୀବନଶୂନ୍ୟ ଭୂଖଣ୍ତଟି ଏବେ ଯେଉଁ କାରଣରୁ ଚର୍ଚ୍ଚାରେ, ତାହା ଯେତିକି ଅବିଶ୍ବାସ୍ୟ, ସେତିକି ଲଜ୍ଜାଜନକ ମଧୢ। ସେହି ଘଟଣାଟି ହେଲା ସେଠାରେ ଥିବା ମୁଷ୍ଟିମେୟ ଗବେଷଣା ଶିବିର ମଧ୍ୟରୁ କତିପୟରେ ସ˚ଘଟିତ ହେଉଥିବା ଯୌନ ଉତ୍ପୀଡ଼ନର ସମ୍ବାଦ, ଯାହାର ଶିକାର ହେଉଛନ୍ତି ସେଠାରେ କାର୍ଯ୍ୟରତ ମହିଳା ବୈଜ୍ଞାନିକ ବା ଗବେଷିକା। ଏହି ସ˚ଦର୍ଭରେ ଗଲା ଶୁକ୍ରବାର ଦିନ ଅଷ୍ଟ୍ରେଲିଆରେ ପ୍ରକାଶିତ ଏକ ରିପୋର୍ଟରେ ଅତ୍ୟନ୍ତ ଉଚ୍ଚ ଶିକ୍ଷିତ, ପ୍ରଖ୍ୟାତ ଏବ˚ ତଥାକଥିତ ସଭ୍ୟ ଓ ସୁସ˚ସ୍କୃତ ପୁରୁଷ(ଗବେଷକ ଏବ˚ ବୈଜ୍ଞାନିକ)ମାନଙ୍କ ଦ୍ବାରା ପ୍ରଦର୍ଶିତ ‘ଜାନ୍ତବ ଆଚରଣ’ ସ˚ପର୍କରେ ଥିବା ବର୍ଣ୍ଣନା ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଆଣ୍ଟାର୍କଟିକାରେ ଗବେଷଣା କରିଥିବା ଅଷ୍ଟ୍ରେଲୀୟ ଭୂତତ୍ତ୍ବବିତ୍‌ ମେରେଡିଥ ନାସଙ୍କ ଦ୍ବାରା ରଚିତ ଏହି ରିପୋର୍ଟ କହିଥାଏ ଯେ ଅତ୍ୟନ୍ତ ସ୍ବଳ୍ପ ଅବଧିର ଗ୍ରୀଷ୍ମରେ ବିଭିନ୍ନ ଗବେଷଣା ଶିବିରରେ ଯଦିଓ ୫୦୦ ସରିକି ମାନବ ଚଳପ୍ରଚଳ ହୋଇ ଆଣ୍ଟାର୍କଟିକାକୁ ସାମାନ୍ୟ କୋଳାହଳମୟ କରିଥାଆନ୍ତି, ଶୀତ କାଳରେ ଏହି ଭୂଖଣ୍ତଟି ସେମାନଙ୍କ ଦ୍ବାରା ପ୍ରାୟତଃ ପରିତ୍ୟକ୍ତ ହୋଇଯାଇ ଅଳ୍ପ କିଛି ଦେଶର ମାତ୍ର ଡଜନେ ବା ଦେଢ଼ ଡଜନ ଲୋକ ଗୁରୁତ୍ବପୂର୍ଣ୍ଣ ଗବେଷଣା କାର୍ଯ୍ୟ ସ˚ପାଦନ କରିବା ଲାଗି ରହିଯାଆନ୍ତି; ଯେଉଁମାନଙ୍କ ମଧୢରୁ ଜଣେ ବା ଅତି ଅଧିକରେ ଦୁଇ ଜଣ ମହିଳା ଥାଆନ୍ତି। ମେରେଡିଥଙ୍କ ରିପୋର୍ଟ କହିଥାଏ ଯେ ଏହି ସମୟରେ ଏକ ପୁରୁଷ-ପ୍ରଧାନ ଦଳରେ ରହିଥିବା ଏକାକିନୀ ମହିଳା ଉତ୍କଟ ଯୌନ ଉତ୍ପୀଡ଼ନର ଶିକାର ହୁଅନ୍ତି, ଯହିଁରେ ବିଭିନ୍ନ ପ୍ରକାରର ଅସଦାଚରଣ ଠାରୁ ଆରମ୍ଭ କରି ବଳପୂର୍ବକ ଶାରୀରିକ ସ˚ପର୍କ ସ୍ଥାପନ ପର୍ଯ୍ୟନ୍ତ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଥାଏ। କହିବା ଅନାବଶ୍ୟକ ଯେ ପ୍ରଶାସନ ବା ପୁଲିସ ଅଥବା ଆଇନକାନୁନ ନ ଥିବା ସେହି ଜନମାନବଶୂନ୍ୟ ଭୂଖଣ୍ତରେ ଗବେଷଣା ଶିବିରଗୁଡ଼ିକ ବସ୍ତୁତଃ ଉତ୍ପୀଡ଼ିତ ମହିଳାଙ୍କ ସକାଶେ ବନ୍ଦୀଶାଳାରେ ପରିଣତ ହୁଅନ୍ତି, ଯହିଁରେ ସେ ସର୍ବଦା ଉତ୍ପୀଡ଼କମାନଙ୍କ ସହିତ କାଳ କାଟି ସେମାନଙ୍କ ଶୋଷଣକୁ ଅସହାୟ ଭାବେ ସହ୍ୟ କରିବାକୁ ବାଧୢ ହୁଅନ୍ତି। ଯଦିଓ ଅଷ୍ଟ୍ରେଲିଆ ସରକାର ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସକାଶେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି; ତାଙ୍କ ରିପୋର୍ଟରେ ମେରେଡିଥ ପ୍ରଦାନ କରିଥିବା ସମାଧାନର ସୂତ୍ର ହେଲା ଯେଉଁ କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କ ନିରାପତ୍ତା ସୁନିଶ୍ଚିତ ନୁହେଁ, ତହିଁରୁ ବର˚ ସେମାନେ ଦୂରେଇ ରହିବା ଉଚିତ। ସୁତରା˚, ଏହା ଏକ ବିଡ଼ମ୍ବନା ନୁହେଁ କି ଯେ ମୁଖ୍ୟତଃ ବିକଶିତ ଏବ˚ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକର ପ୍ରଖ୍ୟାତ ଏବ˚ ପ୍ରତିଷ୍ଠିତ ବୈଜ୍ଞାନିକମାନଙ୍କ ଦ୍ବାରା ପରିଚାଳିତ ଗବେଷଣା କ୍ଷେତ୍ରରେ ମହିଳାଙ୍କ ପ୍ରବେଶକୁ ମଧୢ-ଯୁଗୀୟ ମନୋଭାବ ପ୍ରଦର୍ଶନ କଲା ଭଳି ବାରଣ କରାଯାଉଛି; ତାହା ପୁଣି ଏକବି˚ଶ ଶତାବ୍ଦୀରେ?

ତେବେ, ମେରେଡିଥଙ୍କ ଏଭଳି ମତ ପଛରେ ସମ୍ଭବତଃ ଏହି କାରଣ ଥିବ ଯେ ଏଭଳି ଘଟଣାମାନ ପ୍ରାୟତଃ ଗୋପନୀୟ ରହି ଏହି ଅପସ˚ସ୍କୃତିକୁ ଏକ ନିରଙ୍କୁଶ ଚିରନ୍ତନତା ପ୍ରଦାନ କଲାଣି! ଏହି ସ˚ଦର୍ଭରେ ପ୍ରଖ୍ୟାତ ବିଜ୍ଞାନ ଓ ଗବେଷଣାଭିତ୍ତିକ ପତ୍ରିକା ‘ନେଚର‌୍‌’ରେ ପ୍ରକାଶିତ ଏକ ଆଲେଖ୍ୟ ଏହାର ଏକ ଉଦାହରଣ, ଯହିଁରେ ଵାସି˚ଟନ ଡି.ସି. ସ୍ଥିତ ‘ଦ ଏକାଡେମିଜ୍‌ ଅଫ୍‌ ସାଇନ୍‌ସ, ଇ˚ଜିନିଅରି˚ ଏଣ୍ତ୍‌ ମେଡିସିନ୍‌’ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣକୁ ଦର୍ଶାଯାଇ କୁହାଯାଇଛି ଯେ ଯୁକ୍ତରାଷ୍ଟ୍ର ଆମେରିକାରୁ ପ୍ରତି ବର୍ଷ ପ୍ରାୟ ୩୦୦୦ ଗବେଷକ ଆଣ୍ଟାର୍କଟିକା ଯାଆନ୍ତି, ଯାହାଙ୍କ ମଧୢରୁ ପ୍ରାୟ ୩୩ ପ୍ରତିଶତ ମହିଳା। ଏବ˚ ଏହି ମହିଳାମାନଙ୍କ ମଧୢରୁ ୭୨ ପ୍ରତିଶତ ସେଠାରେ ବିଭିନ୍ନ ପ୍ରକାର ଯୌନ ଶୋଷଣ ଏବଂ ୫୦ ପ୍ରତିଶତ ଯୌନ ଆକ୍ରମଣର ଶିକାର ହୋଇଥିବା ବିଷୟ ସ୍ବୀକାର କରନ୍ତି। କିନ୍ତୁ ଏ ସବୁ ପ୍ରାୟତଃ ଲୋକଲୋଚନକୁ ଆସି ନଥାଏ; କାରଣ ଉଚ୍ଚ ମର୍ଯ୍ୟାଦା ସ˚ପନ୍ନ ବିଶ୍ବବିଦ୍ୟାଳୟ ବା ଗବେଷଣା ଅନୁଷ୍ଠାନଗୁଡ଼ିକ ନିଜ ସମ୍ମାନ ରକ୍ଷା କରିବା ଲାଗି ଏଭଳି ବ୍ୟବସ୍ଥାକୁ ଜନ୍ମ ଦେଇଛନ୍ତି; ଯହିଁରେ ଅନେକ ସମୟରେ ଉତ୍ପୀଡ଼ିତାଙ୍କ ଅଭିଯୋଗର ସ୍ବର ଶ୍ରୁତିଗୋଚର ହୋଇପାରେ ନାହିଁ। କେବଳ ସେତିକି ନୁହେଁ, ଉଚ୍ଚାଙ୍ଗ ଗବେଷଣା କ୍ଷେତ୍ରରେ ତୁଙ୍ଗ ସୋପାନରେ ଅଧିଷ୍ଠିତ ବିଖ୍ୟାତ ବିଦ୍ବାନ ଏବ˚ ବୈଜ୍ଞାନକମାନଙ୍କ ବ୍ୟଭିଚାର ବିରୋଧରେ କୌଣସି କନିଷ୍ଠ ଗବେଷିକା ବା ପିଏଚ୍‌.ଡି. ଛାତ୍ରୀ ମୁହଁ ଖୋଲିବା ସକାଶେ ସାହସ ଠୁଳ କରିପାରନ୍ତି ନାହିଁ। ଅନେକ କ୍ଷେତ୍ରରେ ଏହା ମଧୢ ଦେଖିବାକୁ ମିଳେ ଯେ ଅନେକ ଗବେଷିକା ଏଭଳି ଅଭି‌େଯାଗମାନ ଆଣି ସେମାନଙ୍କ ବହୁ ଆକା˚କ୍ଷିତ ସ୍ବପ୍ନ ଚରିତାର୍ଥ ହେବା ବଦଳରେ ଭଙ୍ଗ ହୋଇଯିବାର ବିପଦ ବରଣ
କରିବାକୁ ଚାହିଁ ନ ଥାଆନ୍ତି। ‘ନେଚର’ ପତ୍ରିକାର ଆଲେଖ୍ୟ କହିଥାଏ ଯେ ପୃଥିବୀର ବିଭିନ୍ନ ଦେଶରେ ବିଜ୍ଞାନ ଓ ଗବେଷଣା କ୍ଷେତ୍ରକୁ ଅଧିକରୁ ଅଧିକ ମହିଳାଙ୍କ ଆଗମନ ସତ୍ତ୍ବେ ଏହି କ୍ଷେତ୍ର ପୁରୁଷ ଆଧିପତ୍ୟାଧୀନ ହୋଇ ରହିଛି ଏବ˚ ମହିଳାମାନେ ବିଭିନ୍ନ ପ୍ରକାର ପାତରଅନ୍ତର ଏବ˚ ଶୋଷଣର ଶିକାର ହେବାରେ ଲାଗିଛନ୍ତି।

ତେବେ, କହିବାରେ ଦ୍ବିଧା ନାହିଁ ଯେ ଏଭଳି ଆଚରଣ ବିରୋଧରେ ସ୍ବର ଉତ୍ତୋଳନ କରାଯିବା ହିଁ ହେଉଛି ଏକମାତ୍ର ସମାଧାନର ପଥ। ଏହି ସ˚ଦର୍ଭରେ ‘ଇଣ୍ଟର ଗଭର୍ନମେଣ୍ଟାଲ ପ୍ୟାନେଲ ଫର କ୍ଲାଇମେଟ୍‌ ଚେ˚ଜ୍‌’ ବା ‘ଆଇପିସିସି’ର ଭୂତପୂର୍ବ ଅଧୢକ୍ଷ ତଥା ‘ଦ ଏନର୍ଜି ଏଣ୍ତ ରିସୋର୍ସେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ବା ‘ଟେରି’ର ପୂର୍ବତନ ମୁଖ୍ୟ ବିଶ୍ବ ବିଖ୍ୟାତ ପରିବେଶବିତ୍‌ ତଥା ଶାନ୍ତି ସକାଶେ ନୋବେଲ ପୁରସ୍କାର ବିଜେତା ସ୍ବର୍ଗତ ରଜେନ୍ଦ୍ର ପଚୌରି ସ୍ମରଣକୁ ଆସନ୍ତି, ଯାହାଙ୍କ ଯୌନ ଉତ୍ପୀଡ଼ନର ଶିକାର ଜଣେ ଗବେଷିକାଙ୍କ ଅଭିଯୋଗ ପରେ ଅନେକ ପୀଡ଼ିତା ସାମନାକୁ ଆସିବାକୁ ସାହସ ଜୁଟାଇ ପାରିଥିଲେ, ଯେଉଁଥି ଲାଗି ପଚୌରି ଅପନିନ୍ଦିତ ହେବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନର ଶିକାର ମଧୢ ହୋଇଥିଲେ। ଏହି ଦୃଷ୍ଟିରୁ ବିଚାର କଲେ ମେରେଡିଥ୍‌ଙ୍କ ସମାଧାନର ସୂତ୍ର ଯୌକ୍ତିକତାଶୂନ୍ୟ ଭଳି ମନେ ହୋଇଥାଏ। ବର˚, ସମସ୍ତ ପ୍ରକାର ଅସହାୟତାକୁ ଅତିକ୍ରମ କରି ଉଚ୍ଚାସନରେ ଅଧିଷ୍ଠିତ ଯୌନ ଉତ୍ପୀଡ଼କମାନଙ୍କ ଅସଲ ପରିଚୟକୁ ଅନାବରଣ କରିବା ହିଁ ହେଉଛି ଏକମାତ୍ର ମୁକ୍ତିର ମାର୍ଗ।

୨୦୧୭ ମସିହା ନଭେମ୍ବର ମାସରେ ‘କାରାଭାନ’ ପତ୍ରିକାରେ ପ୍ରକାଶିତ ଏକ ନିବନ୍ଧରେ ସ୍ବର୍ଗତ ରାଜେନ୍ଦ୍ର ପଚୌରିଙ୍କ ଯୌନ ଉତ୍ପୀଡ଼ନର ପଦ୍ଧତି ସ˚ପର୍କରେ ଆଲୋଚିତ ହୋଇଥିଲା, ଯହିଁରେ ତାହାର ସମ୍ମୁଖୀନ ହୋଇଥିବା କେତେକ ନବାଗତା ଏବ˚ କନିଷ୍ଠ ମହିଳା ଗବେଷିକାଙ୍କ ଅନୁଭୂତିକୁ ତର୍ଜମା କରାଯାଇଥିଲା। ସେଥିରେ ପ୍ରାୟ ସମସ୍ତେ ଏକମତ ହୋଇଥିଲେ ଯେ ପଚୌରି ଏଭଳି ସନ୍ତର୍ପଣରେ ତାଙ୍କ ଅଧୀନସ୍ଥ ମହିଳାମାନଙ୍କୁ ପରୋକ୍ଷ ଉତ୍ପୀଡ଼ନର ଗହ୍ବର ମଧ୍ୟକୁ ଟାଣି ନେଉଥିଲେ, ଯହିଁରେ ତାଙ୍କ ପ୍ରସିଦ୍ଧିର ଆଲୋକରେ ଆଖି ଝଲସି ଯାଇଥିବା ଜଣେ ନବାଗତା ବା କନିଷ୍ଠ ଗବେଷିକାଙ୍କ ଲାଗି ତାଙ୍କ ପ୍ରତି ପଚୌରିଙ୍କ ମାତ୍ରାଧିକ ଆଗ୍ରହ ଜଣେ ଅଭିଭାବକତୁଲ୍ୟ ଉଦ୍‌ବେଗ ଭଳି ସ୍ବାଭାବିକ ଏବ˚ ବେଳେ ବେଳେ ଅତ୍ୟନ୍ତ ରୋଚକ ମଧ୍ୟ ମନେ ହେଉଥିଲା; କିନ୍ତୁ ତାହା ଅଚିରେ ପ୍ରତ୍ୟକ୍ଷ ଯୌନ ଉତ୍ପୀଡ଼ନରେ ପରିଣତ ହୋଇଥାଏ। ଆଣ୍ଟାର୍କଟିକାର ଗବେଷିକମାନଙ୍କ ଠାରେ ମଧୢ ସେଭଳି ଘଟୁଥାଇପାରେ। ନିଜ ଜାନ୍ତବ କ୍ଷୁଧାକୁ ଚରିତାର୍ଥ କରିବା ଲାଗି ଅନେକ ବିଦ୍ବାନ ବୈଜ୍ଞାନିକଙ୍କ ସକାଶେ ନବାଗତା ବା କନିଷ୍ଠ ଗବେଷିକାମାନଙ୍କ ଠାରୁ ଅଧିକ ସହଜ ଲଭ୍ୟ ଶିକାର ଆଉ କିଏ ବା ହୋଇ ପାରନ୍ତି ବା ଜନମାନବଶୂନ୍ୟ ସ୍ଫଟିକ ଶୁଭ୍ର ଆଣ୍ଟାର୍କଟିକା ଠାରୁ ଅଧିକ ଅନ୍ଧକାରମୟ ଗୁୁମ୍ଫା ସେମାନଙ୍କୁ ଆଉ କେଉଁଠି ବା ମିଳିପାରେ!

ସମ୍ବନ୍ଧିତ ଖବର