ଗତ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ମୁଦ୍ରାନୀତି ନିର୍ଦ୍ଧାରଣକାରୀ କମିଟି (‘ଏମ୍ପିସି’) ଏହାର ଦିଗ୍ଦର୍ଶକ ସୁଧ ହାରରେ ପୁନରାୟ ୫୦ ବେସିସ୍ ପଏଣ୍ଟ (୦.୫%) ବୃଦ୍ଧି ଘଟାଇବା ଘୋଷଣା କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। (ଉଲ୍ଲେଖ କରାଯାଇପାରେ ଯେ ଏହି କମିଟିର ଛ’ଜଣ ସଦସ୍ୟମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଉକ୍ତ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ସପକ୍ଷରେ ମତ ରଖିଥିବା ବେଳେ ଜଣେ ମାତ୍ର ସଦସ୍ୟ ରେପୋ ରେଟ୍ରେ ବୃଦ୍ଧିକୁ ୩୫ ବେସିସ୍ ପଏଣ୍ଟରେ ସୀମିତ ରଖିବାକୁ ଚାହିଁଥିଲେ)। ମୁଖ୍ୟତଃ ଯେଉଁ ଦୁଇଟି କାରଣ ପାଇଁ ‘ଏମ୍ପିସି’ର ସଦସ୍ୟମାନେ ରେପୋ ରେଟ୍ରେ ବୃଦ୍ଧି ଘଟାଇବାକୁ ବାଧ୍ୟ ହୋଇଛନ୍ତି, ତାହା ହେଲା ଦେଶ ଭିତରେ ନିରବଚ୍ଛିନ୍ନ ଭାବରେ ଅନୁଭୂତ ହେଉଥିବା ମୁଦ୍ରାସ୍ଫୀତି ଚାପ ଓ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ ‘ଫେଡେରାଲ୍ ରିଜର୍ଭ୍’ ଦ୍ବାରା ସପ୍ତାହକ ତଳେ ପୁଣି ଥରେ ବୃଦ୍ଧି କରି ଦିଆଯାଇଥିବା ସେ ଦେଶରେ ସୁଧ ହାର।
ବାସ୍ତବରେ ଏ ଦୁଇଟି କାରଣ କିନ୍ତୁ ଅଲଗା ଅଲଗା ନୁହନ୍ତି। ମୁଦ୍ରାସ୍ଫୀତି ଅର୍ଥାତ୍ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ହିଁ କେନ୍ଦ୍ରୀୟ ବ୍ୟାଙ୍କ୍ମାନେ ସୁଧ ହାରରେ ବୃଦ୍ଧି ଘଟାଇଥାନ୍ତି। ପ୍ରତ୍ୟେକ ଅର୍ଥଶାସ୍ତ୍ରର ଛାତ୍ର ଏହାକୁ ଏକ ଧରାବନ୍ଧା ନିୟମ ରୂପେ ଜାଣିଥାନ୍ତି। ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ଦେଶର ପରିପ୍ରେକ୍ଷୀରେ ଏହି ନିୟମର ଅନୁସରଣ ସହିତ ସେମାନେ ସୁପରିଚିତ। ବର୍ତ୍ତମାନ କିନ୍ତୁ ସେମାନଙ୍କୁ ତଥା ଏହାକୁ ଦୃଷ୍ଟିରେ ରଖିଥିବା ସମସ୍ତ ପର୍ଯ୍ୟବେକ୍ଷକମାନଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଯାହା ଦେଖାଯାଇଛି, ତାହା ହେଲା ପୃଥିବୀର ଅଧିକାଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ମାନ ଏକ ସମୟରେ ସେମାନଙ୍କର ସୁଧ ହାରରେ ବୃଦ୍ଧି ଘଟାଇବାରେ ଲାଗିଛନ୍ତି। ଏକଦା ମୁଦ୍ରାସ୍ଫୀତିକୁ ସଙ୍ଖୋଳିବା ପାଇଁ ସୁଧ ହାରକୁ ଶୂନ୍ୟ ବା ଶୂନ୍ୟ ପାଖାପାଖି ରଖି ଚାଲିଥିବା ଧନୀ ଦେଶମାନେ ବର୍ତ୍ତମାନ ଏହି ବିପଜ୍ଜନକ ଅତିଥି କବଳରୁ ରକ୍ଷା ପାଇବା ନିମିତ୍ତ ସୁଧ ହାରକୁ ବୃଦ୍ଧି କରି ଚାଲିବା ଦେଖାଯାଉଛି।
ଯେତେବେଳେ ଖାଉଟିମାନଙ୍କ ପାଖରେ ଅତିରିକ୍ତ ପରିମାଣରେ କ୍ରୟ ଶକ୍ତି ଅର୍ଥାତ୍ ଅର୍ଥ ଉପଲବ୍ଧ ଥାଏ କିନ୍ତୁ ସେ ତୁଳନାରେ ବଜାରରେ ଦ୍ରବ୍ୟ ଓ ସେବାର ଯୋଗାଣ ଯଥେଷ୍ଟ ହୋଇନଥାଏ, ତାହା ଅନିବାର୍ଯ୍ୟ ଭାବରେ ମୁଦ୍ରାସ୍ଫୀତିକୁ ଜନ୍ମ ଦେଇଥାଏ। ଖାଉଟିମାନଙ୍କର ଖର୍ଚ୍ଚକୁ ସଂକୁଚିତ କରି ଯୋଗାଣ ଉପରେ ଚାହିଦାର ଚାପ ହ୍ରାସ କରି ମୁଦ୍ରାସ୍ଫୀତିକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ବ୍ୟାଙ୍କମାନେ ସୁଧହାରରେ ବୃଦ୍ଧି ଘଟାଇଥାନ୍ତି। କିନ୍ତୁ ଯେତେବେଳେ ଏକ ଜଗତ୍କୃତ ପୃଥିବୀରେ ଅଧିକାଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ମାନେ ଏକ ସମୟରେ ନିଜ ନିଜର ସୁଧ ହାରରେ ବୃଦ୍ଧି ଘଟାଇ ଚାହିଦା ସଂକୋଚନ ଉଦ୍ୟମରେ ଲାଗିପଡ଼ନ୍ତି, ସେତେବେଳେ ଏକ ଅଭାବିତ ଫଳ ଫଳିବାର ସମ୍ଭାବନା ଦେଖା ଦେଇଥାଏ, ଯାହାକୁ ସୁଫଳ କୁହାଯିବ କି କୁଫଳ କୁହାଯିବ, ସ୍ଥିର କରିବା ସହଜ ନୁହେଁ।
ଏକ ଜଗତ୍କୃତ ଦୁନିଆରେ ଗୋଟିଏ ଦେଶରେ ଉତ୍ପାଦିତ ଦ୍ରବ୍ୟ (ମନେକର ବ୍ରିଟେନ୍ରେ ଉତ୍ପାଦିତ ଦ୍ରବ୍ୟ) ଅନ୍ୟ ଏକ ଦେଶରେ (ମନେକର ଭାରତରେ) ବିକ୍ରୟ ହୋଇଥାଏ। ମନେକର ବ୍ରିଟେନ୍ର କେନ୍ଦ୍ରୀୟ ବ୍ୟାଙ୍କ୍ (‘ବ୍ୟାଙ୍କ୍ ଅଫ୍ ଇଂଲାଣ୍ଡ’) ସେ ଦେଶରେ ଚାହିଦା ଚାପ ହ୍ରାସ କରିବା ନିମିତ୍ତ ସୁଧହାରରେ ବୃଦ୍ଧି ଘଟାଇଛି। ମନେକର ଏହି ସମୟରେ ଭାରତୀୟ କେନ୍ଦ୍ରୀୟ ବ୍ୟାଙ୍କ୍ (ରିଜର୍ଭ ବ୍ୟାଙ୍କ୍) ମଧ୍ୟ ଭାରତରେ ଅନୁରୂପ ଉଦ୍ଦେଶ୍ୟରେ ସୁଧ ହାରରେ ବୃଦ୍ଧି ଘଟାଇଛି। ରିଜର୍ଭ ବ୍ୟାଙ୍କ୍ର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଭାରତୀୟ ବଜାରରେ ଯେଉଁ ସମସ୍ତ ଦ୍ରବ୍ୟ ଓ ସେବା ପ୍ରତି ଚାହିଦାରେ ସଂକୋଚନ ଘଟିବ, ସେଥିରେ ନିଶ୍ଚିତ ରୂପେ ବ୍ରିଟେନ୍ରୁ ଆମଦାନି କରାଯାଇଥିବା ଦ୍ରବ୍ୟ ଓ ସେବାମାନ ମଧ୍ୟ ଅନ୍ତର୍ଭୁକ୍ତ ଥିବ। ଅର୍ଥାତ୍ ଭାରତୀୟ ରିଜର୍ଭବ୍ୟାଙ୍କ୍ର କାର୍ଯ୍ୟାନୁଷ୍ଠାନ ଯୋଗୁଁ ବ୍ରିଟେନ୍ରେ ଉତ୍ପାଦିତ ଦ୍ରବ୍ୟମାନ ପ୍ରତି ମୋଟ ଚାହିଦାରେ ସଂକୋଚନ ଘଟିବ, ଯାହା ବ୍ରିଟେନ୍ରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ସହାୟକ ହେବ।
ଏକତାରେ ବଳ ଭଳି ଦୁଇ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ମାନ ନେଇଥିବା ସୁଧ ହାର ବୃଦ୍ଧି ପଦକ୍ଷେପରେ ମିଳିତ ପ୍ରଭାବରେ ଉଭୟ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପରେ ଶିଥିଳତା ପ୍ରବେଶ କରି ମୁଦ୍ରାସ୍ଫୀତିକୁ ଲଗାମ ଦେବ। ଏହାକୁ ସୁଫଳ କୁହାଯାଇପାରେ। କିନ୍ତୁ ଏଥିରେ ଏକ ସମସ୍ୟା ରହିଛି: ଯେହେତୁ ଗୋଟିଏ କେନ୍ଦ୍ରୀୟ ବ୍ୟାଙ୍କ୍ର ଅନ୍ୟ ଏକ କେନ୍ଦ୍ରୀୟ ବ୍ୟାଙ୍କ୍ର କାର୍ଯ୍ୟ ଉପରେ ନିୟନ୍ତ୍ରଣ ନ ଥାଏ, ତେଣୁ କେନ୍ଦ୍ରୀୟ ବ୍ୟାଙ୍କ୍ମାନେ ସେମାନଙ୍କ ଦେଶରେ ଯେତିକି ମାତ୍ରାରେ ଅର୍ଥନୈତିକ ଶିଥିଳତା ହାସଲ କରିବାକୁ ଲକ୍ଷ୍ୟ ରଖିଥାନ୍ତି, ସେମାନଙ୍କର ଅସମନ୍ବିତ ମିଳିତ ପଦକ୍ଷେପ ଯୋଗୁଁ ଘଟୁଥିବା ଶିଥିଳତା ତା’ଠାରୁ ଅଧିକ ହୋଇ ଯାଇପାରେ। ଯେତେବେଳେ ବର୍ତ୍ତମାନ ଭଳି ପୃଥିବୀର ଅଧିକାଂଶ ଦେଶରେ ସୁଧହାରରେ ବୃଦ୍ଧି ଘଟେ, ସେତେବେଳେ ଐକ୍ୟତାନ କୋଳାହଳରେ ପରିଣତ ହେବାଭଳି ଏହାର ଉପରୋକ୍ତ ମିଳିତ ପ୍ରଭାବରେ ସମଗ୍ର ପୃଥିବୀର ଅର୍ଥନୀତି ଏକ ଅଣ-ଉଦ୍ଦିଷ୍ଟ ମାନ୍ଦା ଅବସ୍ଥାର କବଳରେ ପଡ଼ିଯାଇପାରେ। ଏହାକୁ କୁଫଳ କୁହାଯାଇ ପାରେ।
ସୁଫଳ ହେଉ କି କୁଫଳ ହେଉ, ଆମେରିକାର ‘ଫେଡେରାଲ୍ ରିଜର୍ଭ’ ସେ ଦେଶରେ ମୁଦ୍ରାସ୍ଫୀତି ହାରକୁ ବର୍ତ୍ତମାନର ଏକ ଅସ୍ବାଭାବିକ ୬ ଶତାଂଶରୁ ଊର୍ଦ୍ଧ୍ବ ସ୍ତରରୁ ଖସାଇ ୨ ଶତାଂଶ ତଳକୁ ଆଣିବାକୁ ବଦ୍ଧପରିକର ଥାଇ ସୁଧ ହାରରେ ବୃଦ୍ଧି ଘଟାଇ ଚାଲିଥିବା ବେଳେ, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସୁଧହାରରେ ହାତ ନ ମାରି ଚୁପ୍ ହୋଇ ବସି ପାରନ୍ତା ନାହିଁ। ଆମେରିକାରେ ଉଚ୍ଚ ସୁଧ ହାର ଦ୍ବାରା ଆକର୍ଷିତ ହୋଇ ନିବେଶକମାନେ ଭାରତ ସମେତ ଅନ୍ୟ ଦେଶମାନଙ୍କରୁ ପୁଞ୍ଜି ପ୍ରତ୍ୟାହାର କରି ଆମେରିକା ଦିଗରେ ପଳାୟନ କଲେ ଡଲାର୍ର ଶକ୍ତି ବୃଦ୍ଧି ଘଟିବ ଓ ଟଙ୍କା ଭଳି ଅନ୍ୟ ଦେଶମାନଙ୍କର ମୁଦ୍ରାସବୁର ବିନିମୟ ମୂଲ୍ୟରେ ହ୍ରାସ ଘଟିବ। ଏହା ଆମଦାନି ଖର୍ଚ୍ଚରେ ବୃଦ୍ଧି ଘଟାଇ ଆମ ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତିକୁ ଆହୁରି ଖରାପ କରିବ।
ରିଜର୍ଭ ବ୍ୟାଙ୍କ୍ ୨୦୨୩ ବିତ୍ତ ବର୍ଷ ପାଇଁ ମୁଦ୍ରାସ୍ଫୀତି ହାର ୬.୭%ରେ ଅପରିବର୍ତ୍ତିତ ରହିବ ବୋଲି ଯେଉଁ ପୂର୍ବାନୁମାନ ପ୍ରକାଶ କରିଛି, ତାହା ତା’ପାଇଁ ଚିନ୍ତାଜନକ, କାରଣ ତା’ ପାଇଁ ବିଧିବଦ୍ଧ ଭାବରେ ଧାର୍ଯ୍ୟ କରାଯାଇଥିବା ଗ୍ରହଣୀୟ ସର୍ବୋଚ୍ଚ ସୀମା ହେଉଛି ୬.୦%। ତେଣୁ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ବୃଦ୍ଧି ଘଟାଇ ୫.୯% କରିଥିଲେ ହେଁ ଆଗାମୀ ସମୟରେ ସେଥିରେ ଆହୁରି ବୃଦ୍ଧି ଘଟାଇ ୬ ଶତାଂଶ ସୀମା ପାର କରାଇବାରେ ଦୃଢ଼ ସମ୍ଭାବନା ରହିଛି। କିନ୍ତୁ ମୁଦ୍ରାସ୍ଫୀତି ପରିସ୍ଥିତିରେ ଉନ୍ନତି ଘଟି ତାହା ବାର୍ଷିକ ଆଦର୍ଶ ହାର ୪.୦% ନିକଟବର୍ତ୍ତୀ ହେବାକୁ ଆରମ୍ଭ କଲେ ରିଜର୍ଭ ବ୍ୟାଙ୍କ୍ ସୁଧ ହାରରେ ହ୍ରାସ ଘଟାଇ ଅର୍ଥନୈତିକ ଅଭିବୃଦ୍ଧିକୁ ସହାୟକ ହେବାର ଦୃଢ଼ ସମ୍ଭାବନା ମଧ୍ୟ ରହିଛି।
ଏ ବାବଦରେ ଭାରତର ପରିସ୍ଥିତି ସୌଭାଗ୍ୟବଶତଃ ଅନ୍ୟ ଦେଶମାନଙ୍କ ତୁଳନାରେ ବର୍ତ୍ତମାନ ଅନୁକୂଳ ରହିଛି। ୨୦୨୩ ବିତ୍ତ ବର୍ଷର ପ୍ରଥମ ଚଉଠରେ ଭାରତର ବାସ୍ତବ ‘ଜିଡିପି’ରେ ଘଟିଥିବା ବାର୍ଷିକ ଅଭିବୃଦ୍ଧି ହାର ଏକ ବେଶ୍ ଉଚ୍ଚା ୧୩.୫% ଥିବା ଦେଖାଯାଇଛି। ଏକ ଅନୁକୂଳ ମୌସୁମୀ ପ୍ରଭାବରେ ଗ୍ରାମ୍ୟ ଅର୍ଥନୀତିର ଶକ୍ତି ବୃଦ୍ଧି ଘଟୁଥିବା ବେଳେ କୋଭିଡରୁ ମୁକୁଳୁଥିବା ସହରୀ ଅର୍ଥନୀତି ପୁଣି ମୁଣ୍ଡ ଟେକିବାକୁ ଆରମ୍ଭ କଲାଣି। ସେବା କ୍ଷେତ୍ରରେ ରପ୍ତାନି ମଧ୍ୟ ଆଶାଜନକ ବୃଦ୍ଧି ହାସଲ କରିବା ଦେଖାଯାଇଛି। ଯଦିବା ଡଲାଲ୍ ତୁଳନାରେ ଟଙ୍କା ଦୁର୍ବଳ ହୋଇଛି, ବ୍ରିଟିସ୍ ପାଉଣ୍ଡରୁ ଜାପାନୀ ୟେନ୍ ପର୍ଯ୍ୟନ୍ତ ତୁଳନାରେ ଡଲାର୍ ସହିତ ବଳ କଷାକଷିରେ ଟଙ୍କାର ପ୍ରଦର୍ଶନ ବହୁ ଅଧିକ ଉତ୍ତମ ହୋଇଛି। ଯଦି ଭାରତୀୟ ଅର୍ଥନୀତିର ଏହି ଧାରା ବଜାୟ ରହେ, ତେବେ ଅଦୂର ଭବିଷ୍ୟତ୍ରେ ରିଜର୍ଭ ବ୍ୟାଙ୍କ୍ ମୁଦ୍ରାସ୍ଫୀତିର ମୁକାବିଲାରୁ କ୍ଷାନ୍ତ ହୋଇ ଅଭିବୃଦ୍ଧିକୁ ଉତ୍ସାହିତ କରିବା ପାଇଁ ସୁଧ ହାରରେ ହ୍ରାସ ଘଟାଇବା ଆରମ୍ଭ କରିବାର ସମସ୍ତ ସମ୍ଭାବନା ରହିଛି।