ପୁରୁଣା ରେକର୍ଡ!

ପ୍ରତି ବର୍ଷ ନଭେମ୍ବର ମାସରେ, ଦୀପାବଳି ପରେ ପରେ, ସେହି ପୁରୁଣା ରେକର୍ଡ ବାଜେ, ଯହିଁରେ ଶୁଭିଥାଏ ଦିଲ୍ଲୀ ସମ୍ମୁଖୀନ ହେଉଥିବା ଭୟାବହ ବାୟୁ ପ୍ରଦୂଷଣର ଘୋଷା ସ˚ଗୀତ। ସୁତରା˚, ଏ ସ˚ଦର୍ଭରେ ଯାହା ବି କୁହାଯିବ ତାହା ହୁଏ’ତ ଏକ କ୍ଳାନ୍ତିକର ଚର୍ବିତଚର୍ବଣତା ହିଁ ହେବ। ଏହି ସମୟରେ କିଛି ଦିନ ସକାଶେ ସ୍କୁଲ ବନ୍ଦ ରହିବା ବା ପ୍ରାତଃ ଭ୍ରମଣରେ ନ ବାହାରିବା ସକାଶେ ନାଗରିକମାନଙ୍କୁ ସତର୍କ କରାଯିବା ଅଥବା କଫ୍‌-ସିରପ ବା ‘ଇନ୍‌ହେଲର‌୍‌’ର ବିକ୍ରିରେ ହଠାତ୍‌ ବୃଦ୍ଧି ଘଟିବା ସତେ ଯେମିତି ଏକ ବାର୍ଷିକ ନିୟମିତତା ଲାଭ କଲାଣି; ଏକ ସ୍ଥାନୀୟ ଅନ୍‌ଲାଇନ୍‌ ସର୍ଭେ କହିଥାଏ ଯେ ବର୍ତ୍ତମାନ ଦିଲ୍ଲୀର ୭୫ ପ୍ରତିଶତ ପରିବାର ମଧୢରୁ କେହି ନା କେହି ଶ୍ବାସକ୍ରିୟା ଜନିତ ସମସ୍ୟା ଲାଗି ଚିକିତ୍ସିତ ହେଉଛନ୍ତି। ସମ୍ଭବତଃ ଏଭଳି ଖୁବ୍‌ ସ୍ବଳ୍ପ ସ˚ଖ୍ୟକ ଦିଲ୍ଲୀ ବାସିନ୍ଦା ଥିବେ, ଯେଉଁମାନେ ଜାଣି ନ ଥିବେ ଯେ ସେମାନଙ୍କ ବାସସ୍ଥାନଟି ହେଉଛି ପୃଥିବୀର ଦ୍ବିତୀୟ ସର୍ବାଧିକ ଦୂଷିତ ବାୟୁର ସହର, ଯେଉଁଠି ବାୟୁର ଗୁଣମାନ ସରକାର ଧାର୍ଯ୍ୟ କରିଥିବା ‘ଏୟାର କ୍ବାଲିଟି ଇନ୍‌ଡେକ୍‌ସ’ ବା ‘ବାୟୁର ଗୁଣମାନ ସୂଚକାଙ୍କ’ ଠାରୁ ପ୍ରାୟ ୬ ଗୁଣ ଖରାପ, ଯେଉଁ କାରଣରୁ ସେମାନେ ନିଜ ଆୟୁଷରୁ ହାରାହାରି ନଅ ବର୍ଷ ହରାଇବାର ଭୟ ରହିଛି! କିନ୍ତୁ ବିଡ଼ମ୍ବନା ହେଲା, ଏହି ଦାରୁଣ ସ˚କଟରୁ ତ୍ରାହି ପାଇବା ଲାଗି ସୁଚିନ୍ତିତ ଓ ଦୀର୍ଘକାଳୀନ ପଦକ୍ଷେପ ବଦଳରେ ପରିଦୃଶ୍ୟ ହେଉଛି ନିରାସକ୍ତ ଉଦ୍‌ବେଗ, ନିଷ୍ଫଳ ତର୍କ, ପାରସ୍ପରିକ ଦୋଷାରୋପ, ଅଯଥା ରାଜନୀତୀକରଣ ଏବ˚ ଉଦ୍ଭଟ ଯୁକ୍ତି ଇତ୍ୟାଦିର ସମାହାର, ଯାହା ଅଧିକ ଚିନ୍ତାର କାରଣ।

ଦିଲ୍ଲୀ-ବାସିନ୍ଦାମାନେ କିନ୍ତୁ ଅନେକ ସମୟରେ ପ୍ରଦୂଷଣ ଲାଗି ପ୍ରମୁଖ ଭାବେ ଦାୟୀ କରିଥାଆନ୍ତି ପଡ଼ୋଶୀ ରାଜ୍ୟ ବିଶେଷ କରି ପଞ୍ଜାବର ଚାଷୀମାନଙ୍କୁ, ଯେଉଁମାନଙ୍କ ଦ୍ବାରା ହେଉଥିବା ‘ଧାନ ରୁଢ଼ ପୋଡ଼ି’ରୁ ଜାତ ଘନ ଧୂଆ ଏବ˚ ସ୍ବାସ୍ଥ୍ୟ ଲାଗି ଅତ୍ୟନ୍ତ ବିପଜ୍ଜନକ ୨.୫ ପି.ଏମ୍‌. ବା ତା’ ଠାରୁ ଅଧିକ କ୍ଷୁଦ୍ରାକାରର ‘ପାର୍ଟିକ୍ୟୁଲେଟ୍‌ ମ୍ୟାଟର’ ବା କଣିକା ଏହି ସମୟରେ ଅବଲୀଳା କ୍ରମେ ଦିଲ୍ଲୀକୁ ଭାସି ଆସିଥାଏ। ପ୍ରକାଶ ଥାଉ କି ଶୀତ କାଳୀନ ଦିଲ୍ଲୀ ବାୟୁ ପ୍ରଦୂଷଣକୁ ଏହାର ଯୋଗଦାନ ହେଉଛି ପ୍ରାୟ ୩୫ ପ୍ରତିଶତ। ‘ଏଗ୍ରିକଲ୍‌ଚରାଲ ଇନ୍‌ଷ୍ଟିଚ୍ୟୁଟ୍‌’ର ରିପୋର୍ଟ ଅନୁସାରେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ପ୍ରାୟ ୩୬୦୦ ‘ରୁଢ଼ ପୋଡ଼ି’ ଘଟଣା ଘଟି ଏକ ରେକର୍ଡ ସୃଷ୍ଟି ହୋଇଛି ଏବ˚ ଆହୁରି ଅନେକ ଘଟିବାକୁ ବାକି ଅଛି। ତେବେ କୃଷକ ପକ୍ଷବାଦୀମାନେ ଏହାକୁ ଅଯଥାର୍ଥ ଦୋଷାରୋପ ବୋଲି ଆଖ୍ୟା ଦେଇ ବାୟୁ ପ୍ରଦୂଷଣରେ ‘ରୁଢ଼ ପୋଡ଼ି’ର ୩୫ ପ୍ରତିଶତ ଅବଦାନକୁ ସାରା ବର୍ଷ ଲାଗି ହିସାବ କରି ମାସିକ ହାରାହାରି ମାତ୍ର ୩ ପ୍ରତିଶତ ବୋଲି ଦର୍ଶାଇ ଥାଆନ୍ତି। ସେମାନଙ୍କ ମତରେ ଏହା ଦିଲ୍ଲୀରେ ଚାଲୁଥିବା ଗାଡ଼ିମଟର ଦ୍ବାରା ହେଉଥିବା ପ୍ରଦୂଷଣ ଅର୍ଥାତ୍‌ ମାସିକ ହାରାହାରି ୫ ପ୍ରତିଶତ ଠାରୁ କମ୍‌। ସେହିଭଳି ଘରୋଇ ବା ବ୍ୟାବସାୟିକ ରୋଷେଇ କାର୍ଯ୍ୟରେ ବ୍ୟବହୃତ ଜାଳେଣିରୁ ନିସୃତ ପ୍ରଦୂଷଣ (ଦିଲ୍ଲୀରେ ପ୍ରାୟ ୯,୦୦୦ ରେସ୍ତୋରାଁର ତନ୍ଦୁର ଚୁଲାରୁ ପ୍ରଦୂଷଣକାରୀ କ୍ଷୁଦ୍ର କଣିକା ଉତ୍ପନ୍ନ ହୋଇଥାଏ) ବା ଦିଲ୍ଲୀକୁ ଘେରି ରହିଥିବା ବିଶାଳ ତାପଜ ବିଦ୍ୟୁତ୍‌ କେନ୍ଦ୍ରମାନ (୧୧,୦୦୦ ମେଗାଵାଟ୍‌ ବିଜୁଳି ଉତ୍ପାଦନକାରୀ) ଦ୍ବାରା ସୃଷ୍ଟ ପ୍ରଦୂଷଣର ମଧୢ ବିଶେଷ ଭୂମିକା ବିଷୟରେ ସେମାନେ ଚେତାଇ ଦିଅନ୍ତି।

ସେହିଭଳି ଦୀପାବଳିରେ ମାତ୍ରାଧିକ ବାଣ-ଫୁଟାକୁ ଏହି ପ୍ରଦୂଷଣର ଗୋଟିଏ କାରଣ ବୋଲି ଦର୍ଶାଗଲେ ପର˚ପରାବାଦୀମାନେ ଏହାକୁ ଉଦାରବାଦୀଙ୍କ ନିରର୍ଥକ ଅସହିଷ୍ଣୁତା ବୋଲି ଆରୋପ କରନ୍ତି। ସୁତରା˚, ବାଦ-ବିବାଦ ଓ ଦୋଷାରୋପ ମଧୢରେ ଏ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ଦିଗରେ ସମନ୍ବିତ ପଦକ୍ଷେପ ସମ୍ଭବ ହୋଇ ପାରୁନାହିଁ, ଯହିଁରେ ସରକାର, ରାଜନୈତିକ ଦଳ ଏବ˚ ନାଗରିକମାନେ ସାମୂହିକ ହିତ ଲାଗି କିଛି ତ୍ୟାଗ ସକାଶେ ପ୍ରସ୍ତୁତ ରହନ୍ତେ। କହିବା ଅନାବଶ୍ୟକ ଯେ ଏ ନେଇ କଠୋର ପଦକ୍ଷେପ ସରକାରଙ୍କୁ ଅପ୍ରିୟ କରିପାରେ ଏବ˚ ତା’ର ପରିଣାମ ନିର୍ବାଚନ ବେଳେ ଭୋଗିବାର ଆଶଙ୍କା ହେତୁ କୌଣସି ରାଜନୈତିକ ଦଳ ପ୍ରଦୂଷଣ ହ୍ରାସକୁ ନିର୍ବାଚନୀ ପ୍ରସଙ୍ଗ କରିବାକୁ ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନାହାନ୍ତି। ସୁତରା˚, ଦେଖିବାକୁ ମିଳୁଛି ଯେ ପରସ୍ପର ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ଓ ଦୋଷାରୋପ ମଧୢରେ ଫେବ୍ରୁଆରି ମାସର ଆବିର୍ଭାବ ସହିତ ଏକ ଅପେକ୍ଷାକୃତ ପରିଷ୍କୃତ ବାୟୁମଣ୍ତଳରେ ଏହି ସମସ୍ୟା ବିସ୍ମୃତପ୍ରାୟ ହୋଇଯାଏ ଏବଂ ପରବର୍ତ୍ତୀ ନଭେମ୍ବର ମାସରେ ଦୀପାବଳି ପରେ ପୁନର୍ବାର ଆତ୍ମପ୍ରକାଶ କରେ।

ଏଠାରେ ପ୍ରକାଶ ଥାଉ କି ଗତ ଶତାବ୍ଦୀର ପଞ୍ଚମ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକାର ଲସ୍‌ ଏ˚ଜେଲସ୍‌ ଏଭଳି ଏକ ଅତ୍ୟନ୍ତ ସା˚ଘାତିକ ବାୟୁ ପ୍ରଦୂଷଣ ଦେଖିଥିଲା, ଯାହାର ସମାଧାନ କେବଳ ସମ୍ଭବ ହୋଇଥିଲା ସୁଚିନ୍ତିତ ଦୀର୍ଘକାଳୀନ ଏବ˚ ଅପ୍ରିୟ ପଦକ୍ଷେପ ବଳରେ; ଯହିଁରେ ସେଠାକାର ସରକାର ଅତ୍ୟନ୍ତ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ବାଧୢ ହୋଇଥିଲେ। ଏ ପରିପ୍ରେକ୍ଷୀରେ ଏଠାରେ ପ୍ରଶ୍ନ ଉଠେ ପ୍ରଦୂଷଣ ହ୍ରାସ କରିବା ଲାଗି ‘ଆପ୍‌’ ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ‘ଅଡ୍‌ ଓ ଇଭିନ୍‌’ ନମ୍ବର ଅନୁସାରେ ଯାନବାହନର ନିୟନ୍ତ୍ରିତ ଚଳାଚଳର ଏକ ଚମତ୍କାର ବ୍ୟବସ୍ଥା ଏବେ ସେଠାରେ ପରିଦୃଶ୍ୟ ହେଉନାହିଁ କାହିଁକି? ଉତ୍ତର ଦେବ କିଏ?

ବର୍ତ୍ତମାନ ‘ରୁଢ଼ ପୋଡ଼ି’କୁ ଦିଲ୍ଲୀର ଶୀତକାଳୀନ ପ୍ରଦୂଷଣ ଲାଗି ଦାୟୀ କରାଯାଉଥିବା ବେଳେ ପ୍ରଶ୍ନ ଉଠିଥାଏ ଯେ ଭାରତର ଅଧିକା˚ଶ ରାଜ୍ୟରେ ଧାନ ଚାଷ ହେଉଥିଲେ ମଧୢ ପଞ୍ଜାବରେ ଧାନ ଫସଲ ଅମଳ ପରେ ‘ରୁଢ଼ ପୋଡ଼ି’ର ପ୍ରଥା ସୃଷ୍ଟି ହୋଇଛି କାହିଁକି? ଏହି ସମ୍ବନ୍ଧରେ ସ˚ଜୀବ ସାନ୍ନ୍ୟାଲଙ୍କ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ କହିଥାଏ ଯେ ୨୦୦୯ ମସିହାର ଏକ ସରକାରୀ ନିଷ୍ପତ୍ତି ହେଉଛି ଏହା ପଛରେ ଥିବା ମୂଳ କାରଣ। ଧାନ ଲାଗି ମାତ୍ରାଧିକ ଜଳର ଆବଶ୍ୟକତା ଏବ˚ ପଞ୍ଜାବର ଚାଷୀମାନଙ୍କର ଭୂତଳ ଜଳ ଉପରେ ସ˚ପୂର୍ଣ୍ଣ ନିର୍ଭରଶୀଳତା କାରଣରୁ ଭୂତଳ ଜଳ ସ୍ତରରେ ହ୍ରାସ ଘଟିବା ଭୟରେ ସରକାର ସେଠାକାର ମୌସୁମୀ ବୃଷ୍ଟିପାତର ସମୟକୁ ଦୃଷ୍ଟିରେ ରଖି ଧାନ ରୁଆ ସମୟକୁ ତିନିରୁ ଚାରି ସପ୍ତାହ ଘୁଞ୍ଚାଇ ଦେଇଥିଲେ। କିନ୍ତୁ, ଏହା ଦ୍ବାରା ଅମଳ ସମୟ ପୂର୍ବରୁ ଥିବା ସେପ୍ଟେମ୍ବରରୁ ବିଳମ୍ବିତ ହୋଇ ଅକ୍‌ଟୋବର ଏବ˚ ନଭେମ୍ବରକୁ ଚାଲି ଆସିଥିଲା। ସୁତରା˚, ଅମଳ ପରେ ପୁଣି ତୁରନ୍ତ ଜମିକୁ ରବି ଫସଲ (ନଭେମ୍ବରରୁ ପ୍ରାରମ୍ଭ ଓ ପଞ୍ଜାବର ମୁଖ୍ୟ ଫସଲ) ଯୋଗ୍ୟ କରିବା ଲାଗି ଅଗତ୍ୟା ଚାଷୀମାନେ ରୁଢ଼ ପୋଡ଼ିବାର ଉପାୟ ଅବଲମ୍ବନ କରିଥିଲେ। ସେଠାରେ ଯନ୍ତ୍ର ସାହାଯ୍ୟରେ ଫସଲ କଟା ଯାଉଥିବା କାରଣରୁ ରହି ଯାଉଥିବା ବଡ଼ ଆକାରର ରୁଢ଼ କବଳରୁ କ୍ଷେତକୁ ମୁକ୍ତ କରିବା ସକାଶେ ଚାଷୀମାନଙ୍କ ନିକଟରେ ବୋଧହୁଏ ଆଉ କୌଣସି ସହଜ ବିକଳ୍ପ ନାହିଁ। ଏଠାରେ ଏହି ପ୍ରସଙ୍ଗ ଉଠାଇବାର କାରଣ ହେଲା ଏକ ଅପରିଣାମ ସରକାରୀ ନିଷ୍ପତ୍ତିି କିଭଳି ଏକ ଗୁରୁତର ସମସ୍ୟାକୁ ଜନ୍ମ ଦେଇଛି, ତାହା ଦର୍ଶାଇବା।

ଏଠାରେ ସ୍ମରଣକୁ ଆସିଥାଏ କିଭଳି ୨୦୧୬ ମସିହାରେ ଦିଲ୍ଲୀ ଉଚ୍ଚ ଅଦାଲତଙ୍କ ପକ୍ଷରୁ ଏକ ଭବିଷ୍ୟବାଣୀସୁଲଭ ବକ୍ତବ୍ୟ ଆସିିଥିଲା ଯେ ଅପରାଧ ଏବ˚ ପ୍ରଦୂଷଣ କାରଣରୁ ଅନେକ ଦିଲ୍ଲୀ ବାସିନ୍ଦା ସହରରୁ ପଳାୟନ କରିବେ। ଲାଗୁଛି ସତେ ଯେମିତି ତାହା ବାସ୍ତବତାରେ ପରିଣତ ହୋଇଛି। କାରଣ ଏହି ସମୟରେ ଦିଲ୍ଲୀ ଅଧିକରୁ ଅଧିକ ସ˚ଖ୍ୟକ ପ୍ରଦୂଷଣ ଶରଣାର୍ଥୀ ସୃଷ୍ଟି କରିଛି, ଯେଉଁମାନେ ଅପେକ୍ଷାକୃତ ପରିଷ୍କୃତ ବାତାବରଣ ଧାରଣ କରିଥିବା ଅଞ୍ଚଳକୁ ଚାଲିଯାଉଛନ୍ତି। କୋଭିଡ୍‌ ପାନ୍‌ଡେମିକ୍‌ ପରେ ଏହା ମଧୢ ହୃଦ୍‌ବୋଧ ହେଲାଣି ଯେ ଦୀର୍ଘ କାଳ ଧରି ଦପ୍ତର ବା ସ୍କୁଲ ବନ୍ଦ ରଖି ବାହାରୁ ଯେ କୌଣସି ସ୍ଥାନରୁ କାର୍ଯ୍ୟ କରାଯିବା ସମ୍ଭବ। ତେଣୁ ପ୍ରଦୂଷଣରୁ ପଳାୟନ କରିବାରେ ବିଶେଷ ବାଧକ ମଧୢ ନାହିଁ। କିନ୍ତୁ ସତ କଥାଟି ହେଲା, ପାରସ୍ପରିକ ଦୋଷାରୋପରେ ଯେମିତି କୌଣସି ସମସ୍ୟାର ସମାଧାନର ସୂତ୍ର ନାହିଁ, ସେମିତି ପଳାୟନରେ ମଧ୍ୟ ତାହା ନାହିଁ। ସମସ୍ୟାର ସମାଧାନ ଲାଗି ଦୃଢ଼ ପଦକ୍ଷେପର ଆବଶ୍ୟକତା ରହିଛି। ନୂଆ ଗୀତ ରଚନା କରିବାକୁ ହେବ; ତାହା ହେଲେ ପୁରୁଣା ରେକର୍ଡ ବାଜିବା କ୍ରମେ ବନ୍ଦ ହୋଇପାରେ!

ସମ୍ବନ୍ଧିତ ଖବର