ଶକ୍ତିଙ୍କ ଲାଖବିନ୍ଧା

ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରାନୀତି ନିର୍ଦ୍ଧାରକ କମିଟି ବା ‘ଏମ୍‌ପିସି’ ଅସମୟରେ ନଭେମ୍ବର ୩ ତାରିଖରେ ଏକ ବୈଠକରେ ମିଳିତ ହୋଇ ବିଚାର ବିମର୍ଶ କରିବାର ଉଦ୍ଦେଶ୍ୟ ନ ଥିଲା ମୁଦ୍ରାନୀତିରେ କୌଣସି ଆକସ୍ମିକ ପରିବର୍ତ୍ତନ ଘଟାଇବା। ରିଜର୍ଭ ବ୍ୟାଙ୍କ ଗଭର୍ନରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଛ’ଜଣିଆ ବିଶାରଦ କମିଟିର ବୈଠକର ଏକମାତ୍ର ଉଦ୍ଦେଶ୍ୟ ଥିଲା, କେନ୍ଦ୍ର ସରକାରଙ୍କୁ ସେମାନଙ୍କର ଅର୍ଥାତ୍‌ ରିଜର୍ଭ ବ୍ୟାଙ୍କ୍‌ର ଏକ ନିର୍ଦ୍ଦିଷ୍ଟ ବିଫଳତାର କାହାଣୀ ସମ୍ବଳିତ ଯେଉଁ ପତ୍ର ପ୍ରେରଣ କରାଯିବ, ତାହାର ରୂପରେଖ ଦେବା। ନଭେମ୍ବର ୧୧ ତାରିଖ ସୁଦ୍ଧା ରିଜର୍ଭ ବ୍ୟାଙ୍କ୍‌ ସରକାରଙ୍କୁ ଏ ଯେଉଁ ପତ୍ର ଲେଖିବ ବୋଲି ଶୁଣାଯାଉଛି, ତାହାର ବିଷୟବସ୍ତୁ ହେଉଛି ଦେଶରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାରେ ରିଜର୍ଭ ବ୍ୟାଙ୍କ୍‌ର ବିଫଳତା, ତା’ର କାରଣ ଓ ପ୍ରତିକାର ସମ୍ବନ୍ଧରେ ଉପସ୍ଥାପନ।

୨୦୧୬ରେ ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ୍‌ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତି ଅନୁସାରେ ପ୍ରଥମ ଥର ପାଇଁ ରିଜର୍ଭ ବ୍ୟାଙ୍କ୍‌ ଏକ ସଂଖ୍ୟାଗତ ମୁଦ୍ରାସ୍ଫୀତି ଲକ୍ଷ୍ୟ ହାସଲ ପାଇଁ ସରକାରଙ୍କ ପାଖରେ ଉତ୍ତରଦାୟୀ ହୋଇଥିଲା ଏବଂ ଏହି ଲକ୍ଷ୍ୟ ଗୋଟିଏ ଏକକ ହାରରେ ଜମାଟ ନ ବାନ୍ଧି ଏକ ସହନ ବଳୟ ମଧ୍ୟରେ ଉପର ତଳ ହୋଇପାରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ନିର୍ଦ୍ଦିଷ୍ଟ ଭାବରେ କହିଲେ, ଏହି ଚୁକ୍ତି ଅନୁସାରେ ବାର୍ଷିକ ମୁଦ୍ରାସ୍ଫୀତି ହାରକୁ ୪ ଶତାଂଶରେ ଧାର୍ଯ୍ୟ କରାଯାଇଥିବା ବେଳେ ଏହାର ଉଭୟ ପାର୍ଶ୍ବରେ ଏକ ୨ ଶତାଂଶର ସହନ ବଳୟ ମଧ୍ୟ ଖଞ୍ଜି ଦିଆଯାଇଥିଲା, ଯାହାର ତାତ୍ପର୍ଯ୍ୟ ହେଲା ମୁଦ୍ରାସ୍ଫୀତିକୁ ୨ ଶତାଂଶରୁ ୬ ଶତାଂଶ ହାର ମଧ୍ୟରେ ସୀମିତ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ୨୦୧୬ ଠାରୁ ଚୁକ୍ତିବଦ୍ଧ ହୋଇଛି। ରିଜର୍ଭ ବ୍ୟାଙ୍କ୍‌କୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅପେକ୍ଷାକୃତ ସ୍ବାଧୀନତା ପ୍ରଦାନ କରୁଥିବା ଏଭଳି ଏକ ସଂଖ୍ୟାଗତ ନମନୀୟ ଲକ୍ଷ୍ୟ ସ୍ଥାପନକୁ ଏକ ଗୁରୁତ୍ବପୂର୍ଣ୍ଣ ସଂସ୍କାରମୂଳକ ପଦକ୍ଷେପ ରୂପେ ସ୍ବାଗତ କରାଯାଇଥିଲା। ଏଥିରେ କିନ୍ତୁ ଏକ କଠୋର ସର୍ତ୍ତ ମଧ୍ୟ ଅନ୍ତର୍ଭୁକ୍ତ ଥିଲା ଯେ ଯଦି ଲାଗ ଲାଗ ବର୍ଷର ତିନି ଚଉଠ ଧରି ମୁଦ୍ରାସ୍ଫୀତି ହାର ଏହି ସହିବା ସୀମା ପାର ହେବା ଦେଖାଯାଏ ତେବେ ରିଜର୍ଭ ବ୍ୟାଙ୍କ୍‌ ଏକ ପତ୍ର ମାଧ୍ୟମରେ ସରକାରଙ୍କ ନିକଟରେ ନିଜର ବିଫଳତା ସମ୍ବନ୍ଧରେ ଏକ ସ୍ବୀକାରୋକ୍ତି ଉପସ୍ଥାପନ କରିବ, ଯେଉଁ ଉଦ୍ଦେଶ୍ୟରେ ଉପରୋକ୍ତ ‘ଏମ୍‌ପିସି’ ବୈଠକ ଆୟୋଜିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ବର୍ଷ ଧରି ଦେଶରେ ମୁଦ୍ରାସ୍ଫୀତି ହାର ଉପରର ସହନ ସୀମା ୬ ଶତାଂଶ ଠାରୁ ଅଧିକ ହୋଇ ରିଜର୍ଭ ବ୍ୟାଙ୍କ୍‌କୁ ଉତ୍ତରଦାୟୀ କରିଥିଲେ ହେଁ କୋଭିଡ୍‌-୧୯ର ପ୍ରଭାବ ଯୋଗୁଁ ସାମୟିକ ଭାବରେ ଉପରୋକ୍ତ ଚୁକ୍ତିର ସମ୍ପୃକ୍ତ ସର୍ତ୍ତକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ୨୦୨୨ ଜାନୁଆରି ଠାରୁ ଲଗାତର ତିନି ଚଉଠ ଧରି ମୁଦ୍ରାସ୍ଫୀତି ହାର ୬ ଶତାଂଶ ଉପରେ ରହିଥିବା କାରଣରୁ ରିଜର୍ଭ ବ୍ୟାଙ୍କ୍‌ ସର୍ତ୍ତ ଅନୁସାରେ ନିଜର ଉତ୍ତରଦାୟିତ୍ବ ସ୍ବୀକାର କରି ଏହି ପତ୍ର ଲେଖିବାକୁ ଯାଉଛି। ତେବେ ରିଜର୍ଭ ବ୍ୟାଙ୍କ୍‌ ଏ ସମ୍ପର୍କରେ ସରକାରଙ୍କୁ କ’ଣ ଜଣାଇବ ତାହା ଜାଣିବା ପାଇଁ ଅର୍ଥନୀତିର ଛାତ୍ରମାନଙ୍କଠାରୁ ଆରମ୍ଭ କରି ମୁଦ୍ରାସ୍ଫୀତି ପ୍ରପୀଡ଼ିତ ସାଧାରଣ ଖାଉଟିମାନଙ୍କ ପର୍ଯ୍ୟନ୍ତ ଉତ୍ସୁକତାର ସହିତ ଅପେକ୍ଷା କରି ରହିଥିଲେ ହେଁ, ସରକାର ଓ ରିଜର୍ଭ ବ୍ୟାଙ୍କ୍‌ ମଧ୍ୟରେ ଏହି ପତ୍ରାଳାପ ଗୋପନୀୟ ହୋଇଥିବାରୁ, ତାହା ତତ୍‌କ୍ଷଣାତ୍‌ ସର୍ବସାଧାରଣଙ୍କ ଗୋଚରକୁ ଆସିବାର ସମ୍ଭାବନା ନାହିଁ। ହୁଏତ ପରବର୍ତ୍ତୀ ସମୟରେ ସରକାର ଉଚିତ ମନେ କଲେ ଏହି ପତ୍ରର ବିଷୟବସ୍ତୁ ପ୍ରକାଶ କରିପାରନ୍ତି।

ତେବେ ରିଜର୍ଭ ବ୍ୟାଙ୍କ୍‌ ସରକାରଙ୍କୁ ଦେବାକୁ ଯାଉଥିବା ଉତ୍ତର ସମ୍ବନ୍ଧରେ ଅନୁମାନ କରିବା କଷ୍ଟକର ନୁହେଁ। ଏହା ଜଣାଶୁଣା ଯେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଏକ କେନ୍ଦ୍ରୀୟ ବ୍ୟାଙ୍କ୍‌ ଯେଉଁସବୁ ଫଳପ୍ରଦ ପଦକ୍ଷେପମାନ ନେଇପାରେ, ତାହା ସବୁ ମୁଖ୍ୟତଃ ବଜାରର ଚାହିଦା ପାର୍ଶ୍ବରେ ସୀମିତ ହୋଇଥାଏ। ସୁଧ ହାରରେ ବୃଦ୍ଧି ଘଟାଇବା ଠାରୁ ମୁଦ୍ରା ଯୋଗାଣରେ ହ୍ରାସ ଘଟାଇବା ପର୍ଯ୍ୟନ୍ତ ଉପାୟମାନ ଅବଲମ୍ବନ ମାଧ୍ୟମରେ ବଜାରରେ ଚାହିଦାର ସଂକୋଚନ ଘଟାଇ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଯେଉଁଭଳି କେନ୍ଦ୍ରୀୟ ବ୍ୟାଙ୍କ୍‌ ପାଇଁ ସହଜସାଧ୍ୟ ହୋଇଥାଏ, ଯୋଗାଣ ପାର୍ଶ୍ବରେ ହସ୍ତକ୍ଷେପ କରି ଦ୍ରବ୍ୟ ଓ ସେବା ଆଦିର ଯୋଗାଣରେ ବୃଦ୍ଧି ଘଟାଇ ଦରଦାମରେ ହ୍ରାସ ଘଟାଇବା ସେଭଳି ସହଜ ହୋଇନଥାଏ। ଉଦାହରଣ ସ୍ବରୂପ କୋଭିଡ୍‌-୧୯ ପାଣ୍ଡେମିକ୍‌, ୟୁକ୍ରେନ୍‌ ଯୁଦ୍ଧ ତଥା ଆମେରିକୀୟ ଡଲାର୍‌ର ବିନିମୟ ମୂଲ୍ୟରେ ବୃଦ୍ଧି ଯୋଗୁଁ ଆନ୍ତର୍ଜାତିକ ସ୍ତରରେ ଯୋଗାଣ ଯେଉଁଭଳି ବାଧା ପାଇଛି, ସେଥିରେ ଉନ୍ନତି ଘଟାଇବା ରିଜର୍ଭ ବ୍ୟାଙ୍କ୍‌ର ସାଧ୍ୟାତୀତ। ଅପର‌ପକ୍ଷେ ରିଜର୍ଭ ବ୍ୟାଙ୍କ୍‌ ଚାହିଦାକୁ ନିୟନ୍ତ୍ରଣ କରିବା ନିମିତ୍ତ ସୁଧ ହାରରେ ବୃଦ୍ଧି ଘଟାଇ ଚାଲିଥିଲେ ହେଁ, ଏଥିରେ ଅତିରିକ୍ତ ବୃଦ୍ଧି ଦେଶରେ ଶିଳ୍ପ ବ୍ୟବସାୟ ପାଇଁ ପ୍ରତିବନ୍ଧ ସୃଷ୍ଟି କରି ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିବ। ବରଂ ମୁଦ୍ରାସ୍ଫୀତିକୁ କିଛିମାତ୍ରାରେ ସହନ କରି ରିଜର୍ଭ ବ୍ୟାଙ୍କ୍‌ ଅନୁସରଣ କରିଥିବା ନମନୀୟ ମାର୍ଗ ହେଉଛି ବର୍ତ୍ତମାନର ବିଷାଦଜନକ ପରିବେଶରେ ଭାରତୀୟ ଅର୍ଥନୀତି ହାସଲ କରିପାରିଥିବା ଅପେକ୍ଷାକୃତ ବିରଳ ସଫଳତାର ଅନ୍ୟତମ କାରଣ।

ତେବେ ରିଜର୍ଭ ବ୍ୟାଙ୍କ୍‌ ତା’‌ର ପତ୍ର‌େର ମୁଦ୍ରାସ୍ଫୀତି ପ୍ରତି ଏଭଳି ସହନଶୀଳତା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିବାର ସମ୍ଭାବନା କ୍ଷୀଣ। କାରଣ ଅର୍ଥନୈତିକ ତତ୍ତ୍ବ ଅନୁସାରେ ମୁଦ୍ରାସ୍ଫୀତିର ଗତିକୁ ଯାହା ବିଶେଷ ରୂପେ ପ୍ରଭାବିତ କରିଥାଏ, ତାହା ହେଉଛି ମୁଦ୍ରାସ୍ଫୀତିର ପ୍ରତ୍ୟାଶା। ମୁଦ୍ରାସ୍ଫୀତି ପ୍ରତି ରିଜର୍ଭ ବ୍ୟାଙ୍କ୍‌ ଯଦି ନରମ ଆଭିମୁଖ୍ୟ ପ୍ରଦର୍ଶନ କରେ, ‌େ‌ତବେ ଭବିଷ୍ୟତ୍‌ରେ ମୁଦ୍ରାସ୍ଫୀତି ଅପ୍ରତିହତ ହୋଇ ଚାଲିବ ବୋଲି ପ୍ରତ୍ୟାଶା କରି ଶ୍ରମିକମାନେ ଅଧିକ ମଜୁରି ଦାବି କରିବେ, ଏଥିଯୋଗୁଁ ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି ଆଶଙ୍କା କରି ‌ଉଦ୍ୟୋଗପତିମାନେ ଉତ୍ପାଦିତ ଦ୍ରବ୍ୟର ଦାମ୍‌ରେ ବୃଦ୍ଧି ଘଟାଇବେ, ଆଗକୁ ଦରଦାମ୍‌ ବୃଦ୍ଧି ପାଇ ଚାଲିବ ବୋଲି ପ୍ରତ୍ୟାଶା କରି ଖାଉଟିମାନେ ଏବେ ଅଧିକ ପରିମାଣରେ କ୍ରୟ କରି ଚାହିଦା ଚାପରେ ବୃଦ୍ଧି ଘଟାଇବେ। ଏଭଳି ସମ୍ଭାବନାକୁ ମୂଳରୁ ନିପାତ କରିବା ପାଇଁ ହିଁ ରିଜର୍ଭ ବ୍ୟାଙ୍କ୍‌ ଗଭର୍ନର ଶକ୍ତିକାନ୍ତ ଦାସ ‘ଏମ୍‌ପିସି’ ବୈଠକର ଅବ୍ୟବହିତ ପୂର୍ବରୁ ଘେ‌ାଷଣା କରିବା ଦେଖାଯାଇଥିଲା ଯେ, ଲାଖ ବିନ୍ଧିବା ସମୟରେ ଅର୍ଜୁନ ମାଛର ଆଖି ଉପରେ ଏକାଗ୍ର ଦୃଷ୍ଟି ନିକ୍ଷେପ କରିଥିବା ଭଳି ସେ ମୁଦ୍ରାସ୍ଫୀତି ଉପରେ ସତତ ଦୃଷ୍ଟି ନିବଦ୍ଧ କରି ରହିଛନ୍ତି। ତାଙ୍କର ଏହି ମନ୍ତବ୍ୟ ଦେଶରେ ମୁଦ୍ରାସ୍ଫୀତି ପ୍ରତ୍ୟାଶାକୁ ନିୟନ୍ତ୍ରଣ ମଧ୍ୟରେ ରଖି ମୁଦ୍ରାସ୍ଫୀତିକୁ ଲଗାମ ଦେବ ବୋଲି ସେ ଆଶା କରିଛନ୍ତି।

କିନ୍ତୁ ଠିକ୍‌ ପ୍ରାୟ ଏକ ବର୍ଷ ତଳେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍‌ ‌‘ଫେଡେରାଲ୍‌ ରିଜର୍ଭ’ର ଜନୈକ ବିଶିଷ୍ଟ ଗବେଷକ ଜେରେମି ରଡ୍‌ ତାଙ୍କର ଏକ ଚାଞ୍ଚଲ୍ୟ ସୃଷ୍ଟିକାରୀ ସନ୍ଦର୍ଭରେ ସାବ୍ୟସ୍ତ କରିଥିଲେ ଯେ ମୁଦ୍ରାସ୍ଫୀତି କେବେହେଲେ ମୁଦ୍ରାସ୍ଫୀତି ପ୍ରତ୍ୟାଶା (‘ଇନ୍‌ଫ୍ଲେସନାରି ଏକ୍ସପେକ୍‌ଟେସନ୍‌’) ଦ୍ବାରା ପ୍ରଭାବିତ ହୋଇନଥାଏ; ଅପର ପକ୍ଷେ ମୁଦ୍ରାସ୍ଫୀତି ପ୍ରତ୍ୟାଶା ପ୍ରଭାବିତ ହୋଇଥାଏ ମୁଦ୍ରାସ୍ଫୀତି ଦ୍ବାରା। ରଡ୍‌ ତେଣୁ ମତ ପ୍ରକାଶ କରିଥିଲେ ଯେ ଲୋକଙ୍କର ମନସ୍ତତ୍ତ୍ବକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ନ କରି କେନ୍ଦ୍ରୀୟ ବ୍ୟାଙ୍କ୍‌ମାନେ ପ୍ରଥମେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କଲେ ଯାଇ ଲୋକଙ୍କର ମୁଦ୍ରାସ୍ଫୀତି ପ୍ରତ୍ୟାଶା ନିୟନ୍ତ୍ରିତ ହେବ। ଏଣୁ ଶକ୍ତିକାନ୍ତଙ୍କ ଲାଖବିନ୍ଧା କାହାଣୀ ନୁହେଁ, ସେ ସରକାରଙ୍କୁ ଲେଖିଥିବା ପତ୍ରରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ନିମିତ୍ତ ନେବାକୁ ଯାଉଥିବା ପଦକ୍ଷେପମାନ ସମ୍ବନ୍ଧରେ ଦେଇଥିବା ସୂଚନା ବରଂ ଯଦି ପ୍ରକାଶ ପାଆନ୍ତା, ଲୋକଙ୍କ ମୁଦ୍ରାସ୍ଫୀତି ପ୍ରତ୍ୟାଶାକୁ ସୀମିତ କରିବାରେ ତାହା ଅଧିକ ଫଳପ୍ରଦ ହୁଅନ୍ତା।

ସମ୍ବନ୍ଧିତ ଖବର