ମେଡ୍‌ ଇନ୍‌ ଚାଇନା

୨୦୨୦ ମସିହାରେ ‘ପ୍ରକୃତ ନିୟନ୍ତ୍ରଣ ରେଖା’ ବା ‘ଏଲ୍‌.ଏ.ସି.’ ନିକଟରେ ଚୀନ ଏବ˚ ଭାରତ ମଧୢରେ ଏକ ରକ୍ତାକ୍ତ ସ˚ଘର୍ଷ ଘଟିବା ସହିତ ଦୀର୍ଘ କାଳ ଧରି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧୢରେ ଉଭୟ ପକ୍ଷର ସୈନିକମାନେ ମୁହାଁମୁହିଁ ଛିଡ଼ା ହୋଇ ରହିଥିବା ବେଳେ ଭାରତରେ ଚୀନ ତିଆରି ଦ୍ରବ୍ୟର ବର୍ଜନ ସପକ୍ଷରେ ବିପୁଳ ଓ ତୀବ୍ର ଜନମତ ପ୍ରକାଶ ପାଇଥିଲା। ପ୍ରକାଶ ଥାଉ କି ଭାରତ ସରକାର ମଧୢ ସେହି ସମୟରେ କେତେକ ଅତ୍ୟନ୍ତ ଲୋକପ୍ରିୟ ଚୀନା ‘ଆପ୍‌’ ଉପରେ ନିଷେଧାଦେଶ ଜାରି କରି ଏ ଦିଗରେ ଏକ ଦୃଢ଼ ପଦକ୍ଷେପ ନେବାର ଆଭାସ ପ୍ରଦାନ କରିଥିଲେ। କିନ୍ତୁ, ଅନେକଙ୍କୁ ବିସ୍ମିତ କଲା ଭଳି ବାସ୍ତବତାଟି ଥିଲା ଏୟା ଯେ ସେଭଳି ଶତ୍ରୁତାଭରା ପରିସ୍ଥିତିରେ ମଧୢ ଉଭୟ ରାଷ୍ଟ୍ର ମଧୢରେ ବିଶାଳ ଅର୍ଥରାଶିର ବାଣିଜ୍ୟିକ କାରବାର ଅବ୍ୟାହତ ରହିଥିଲା; ଏବଂ ଉଭୟ ରାଷ୍ଟ୍ର ମଧ୍ୟରେ ମନୋମାଳିନ୍ୟ ବଜାୟ ରହିଥିବା ସତ୍ତ୍ବେ ତାହା ନିରନ୍ତର ଭାବେ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ, ଏଥିରେ ଚିନ୍ତାଜନକ ବିଡ଼ମ୍ବନାଟି ହେଲା ଏହି କାରବାରରେ ଭାରତ ଦ୍ବାରା ଚୀନକୁ ଯେତିକି ମୂଲ୍ୟର ଦ୍ରବ୍ୟ ରପ୍ତାନି କରାଯାଉଛି, ତା’ ଠାରୁ ଅନେକ ଅଧିକ ମୂଲ୍ୟ ଓ ଅଧିକ ପରିମାଣର ଦ୍ରବ୍ୟ ଆମଦାନି କରାଯାଉଛି; ସୁତରା˚, ଚୀନା ନିର୍ମିତ ସାମଗ୍ରୀ ବର୍ଜନ କରିବାର ସମସ୍ତ ଉଚ୍ଚାଟ ସତ୍ତ୍ବେ ତାହା ସମ୍ଭବ ହୋଇପାରିନାହିଁ; ଏପରିକି ବର୍ତ୍ତମାନ ମନେ ହେଲାଣି ସତେ ଯେମିତି ଚୀନ ରକ୍ତ କଣିକା ସଦୃଶ ଆମ ଜୀବନର ଧମନୀରେ ପ୍ରବାହିତ ହେଉଛି, ଯାହା ଠାରୁ ମୁକ୍ତି ପାଇବାର ଆଶା ପ୍ରାୟ ନାହିଁ।

ଚୀନ ନିର୍ମିତ ଦ୍ରବ୍ୟ ଉପରେ ଭାରତର ନିର୍ଭରଶୀଳତା ସ˚ପର୍କରେ ଏକ ଧାରଣା ଲାଭ କରିବାକୁ ହେଲେ ନିମ୍ନ ପରିସ˚ଖ୍ୟାନ ଉପରେ ଦୃଷ୍ଟି ଦେବାକୁ ହେବ। ଚୀନ ସରକାରଙ୍କ ‘କଷ୍ଟମ୍‌ସ ଜେନେରାଲ ଆଡମିନିଷ୍ଟ୍ରେସନ୍‌ ଅଫ୍‌ ଚାଇନା’ ବା ‘ସି.ଜି.ଏ.ସି.’ ପକ୍ଷରୁ ଉପଲବ୍‌ଧ ସୂଚନା ଅନୁସାରେ ଏହି ବର୍ଷର ପ୍ରଥମ ନଅ ମାସ (ଜାନୁଆରିରୁ ସେପ୍ଟେମ୍ବର) ଅର୍ଥାତ୍‌ ତିନି ଚଉଠ ମଧୢରେ ଚୀନରୁ ଭାରତ କରିଥିବା ଆମଦାନିର ମୂଲ୍ୟ ହେଉଛି ୮୯ ବିଲିଅନ ଆମେରିକୀୟ ଡଲାର ଏବ˚ ଚୀନ୍‌କୁ ରପ୍ତାନି କରିଥିବା ସାମଗ୍ରୀର ମୂଲ୍ୟ ମାତ୍ର ୧୪ ବିଲିଅନ ଡଲାର। ସୁତରା˚, ଏହା ଦ୍ବାରା ସନ୍ତୁଳନ ଦୋହଲି ଯାଇଥିବା ଭଳି ଯେଉଁ ‘ଟ୍ରେଡ୍‌ ଡେଫିସିଟ୍‌’ ବା ‘ବାଣିଜ୍ୟିକ ନିଅଣ୍ଟ’ ସୃଷ୍ଟି ହୋଇଛି, ତାହା ହେଉଛି ୭୫ ବିଲିଅନ୍‌ ଆମେରିକୀୟ ଡଲାର। ଏହି ନିଅଣ୍ଟର ଅତିକାୟତା ସଂପର୍କରେ ଧାରଣା ପାଇବା ଲାଗି ଚଳିତ ବର୍ଷ ଭାରତର ପ୍ରତିରକ୍ଷା ବଜେଟ୍‌ ଉପରେ ଦୃଷ୍ଟି ପକାଇବା ଯଥେଷ୍ଟ ହେବ, ଯାହା ହେଉଛି ୭୬ ବିଲିଅନ ଡଲାର‌୍‌; ଅର୍ଥାତ୍‌ ଉପରୋକ୍ତ ‘ବାଣିଜ୍ୟିକ ନିଅଣ୍ଟ’ ସହିତ ପ୍ରାୟ ସମାନ। ପ୍ରକାଶ ଥାଉ କି ଗତ ବର୍ଷ ଏହି ନିଅଣ୍ଟର ପରିମାଣ ଥିଲା ୬୯ ବିଲିଅନ ଡଲାର। ତେବେ, ଏହି ବର୍ଷ ପୂରିବାକୁ ଆହୁରି ତିନି ମାସ ବାକି ଥିବାରୁ ନିଅଣ୍ଟ ଯେ ଆହୁରି ବୃଦ୍ଧି ପାଇବ, ସେଥିରେ ଦ୍ବିରୁକ୍ତି ନାହିଁ।

ଅବଶ୍ୟ, ଏହି ପରିପ୍ରେକ୍ଷୀରେ ଯୁକ୍ତି କରାଯାଇପାରେ ଯେ ଭାରତର ସମୁଦାୟ ଆମଦାନି ମୂଲ୍ୟରେ ବୃଦ୍ଧି ଘଟିଥିବା ବେଳେ ଚୀନ୍‌ରୁ ଆମଦାନି ବୃଦ୍ଧି ହେବା ଅତ୍ୟନ୍ତ ସ୍ବାଭାବିକ। କିନ୍ତୁ, ଟିକିଏ ଗହୀରେଇ ଦେଖିଲେ ଦିଶିଥାଏ ଯେ ୨୦୨୧ ମସିହାର ପ୍ରଥମ ତିନି ଚଉଠ ମଧୢରେ ଚୀନରୁ ହୋଇଥିବା ଆମଦାନି ଭାରତର ସମୁଦାୟ ଆମଦାନିର ୧୫ ଶତା˚ଶ ହୋଇଥିବା ବେଳେ ଏଥର ତାହା ହୋଇଛି ୧୬ ଶତା˚ଶ; ଅର୍ଥାତ୍‌, ଭାରତ ଦ୍ବାରା ସମୁଦାୟ ଆମଦାନି ପରିମାଣରେ ମଧ୍ୟ ଚୀନାର ଭାଗ ବୃଦ୍ଧି ପାଇଛି। କିନ୍ତୁ ସର୍ବାଧିକ ଚିନ୍ତାର ବିଷୟ ହେଲା ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଭାରତ ଦ୍ବାରା ଚୀନକୁ କରାଯାଇଥିବା ରପ୍ତାନିରେ ଏକ ତୃତୀୟା˚ଶ ହ୍ରାସ ଘଟିବାକୁ ଯାଉଛି; ଯେଉଁ ଧାରା ଆଗକୁ ଅକ୍ଷୁଣ୍ଣ ରହିଲେ ‘ବାଣିଜ୍ୟିକ ନିଅଣ୍ଟ’ ଏକ ଅନତିକ୍ରମଣୀୟ ବ୍ୟବଧାନ ସୃଷ୍ଟି କରି ଆମ ଅର୍ଥନୀତି ସକାଶେ ଅହିତକର ହେବ।

ଏହି ପରିପ୍ରେକ୍ଷୀରେ ଚୀନ ଠାରୁ ଭାରତ କରୁଥିବା ଆମଦାନି ଉପରେ ଦୃଷ୍ଟି ପକାଇଲେ ଦିଶିଥାଏ ଯେ ଶିଳ୍ପ-କାରଖାନା ସକାଶେ ଆବଶ୍ୟକ ‘ଭାରି ଯନ୍ତ୍ରା˚ଶ’ (ବିଦ୍ୟୁତ୍‌ କେନ୍ଦ୍ରରେ ବ୍ୟବହୃତ ହେଉଥିବା ‘ବଏଲର‌୍‌୍‌’ ଭଳି)ର ଆମଦାନିରେ ଗତ ବର୍ଷର ତିନି ଚଉଠ ତୁଳନାରେ ଚଳିତ ବର୍ଷର ସେହି ସମୟ ଖଣ୍ତରେ ବୃଦ୍ଧି ଘଟିଛି ୪ ପ୍ରତିଶତ; ସେମିତି ପ୍ଲାଷ୍ଟିକ୍‌ ଏବ˚ ଅନ୍ୟାନ୍ୟ ଅନାବନା ସାମଗ୍ରୀରେ ବୃଦ୍ଧି ଘଟିଛି ୧.୬ ବିଲିଅନ ଡଲାର, ଇଲେକ୍ଟ୍ରୋନିକ୍‌ସ ଏବ˚ ବୈଦ୍ୟୁତିକ ସର˚ଜାମ ଓ ଯନ୍ତ୍ରା˚ଶରେ ବୃଦ୍ଧି ପାଇଛି ୬ ବିଲିଅନ ଡଲାର; ଏପରିକି ବିସ୍ମୟକର ଭାବେ ଭାରତ ଭଳି ଏକ ଲୌହ ପରିପୁଷ୍ଟ ରାଷ୍ଟ୍ର ଦ୍ବାରା ଚୀନ ଠାରୁ ଲୌହଇସ୍ପାତ ଦ୍ରବ୍ୟର ଆମଦାନିରେ ମଧୢ ବୃଦ୍ଧି ଘଟିଛି; ଯେମିତିକି ଗତ ବର୍ଷର ୦.୭୪ ବିଲିଅନ ଡଲାର ଏ ବର୍ଷ ପହଞ୍ଚିଛି ୧.୧୪ ବିଲିଅନ ଡଲାରରେ। ଏହାର ପ୍ରମୁଖ କାରଣ ଚୀନ ନିର୍ମିତ ସାମଗ୍ରୀର ଅତ୍ୟନ୍ତ ସୁଲଭ ମୂଲ୍ୟ, ଯାହା ପୃଥିବୀର ଅନ୍ୟତ୍ର କେଉଁଠି ଦୃଷ୍ଟିଗୋଚର ହୋଇ ନ ଥାଏ। ତେଣୁ ସ୍ବାଭାବିକ ଭାବେ ଜଗତ୍‌କୃତ ପୃଥିବୀର ଅଧିକା˚ଶ ରାଷ୍ଟ୍ର ବିଭିନ୍ନ ଦ୍ରବ୍ୟ ସକାଶେ ଚୀନ ଉପରେ ଅତ୍ୟନ୍ତ ନିର୍ଭରଶୀଳ; ଏବଂ, ବିଭିନ୍ନ ଉପଦ୍ରବ ସତ୍ତ୍ବେ ଚୀନକୁ ବାସନ୍ଦ ବା ଅଲୋଡ଼ା କରିଦେବାର ଦୁଃସାହସ ଜୁଟାଇବା ଏକ ଅସମ୍ଭବ ବ୍ୟାପାର ହୋଇପଡ଼ିଛି।

ଏବେ ଦେଖିବା ଚୀନା ନିର୍ମିତ ଦ୍ରବ୍ୟ କିଭଳି ଆମ ଜୀବନ ମଧୢକୁ ସୂକ୍ଷ୍ମ ପ୍ରବେଶ ଘଟାଇ ଏକ ଅବିଚ୍ଛେଦ୍ୟ ଅ˚ଶ ହେବାକୁ ବସିଲାଣି। ଧରି ନିଆଯାଉ ଜଣେ ଚୀନା ଦ୍ରବ୍ୟ ବର୍ଜନକାରୀ ଚୀନା ଏଲ୍‌.ଇ.ଡି. ବଲ୍‌ବ ବଦଳରେ ଭାରତରେ ନିର୍ମିତ ଏଲ୍‌.ଇ.ଡି. ବଲ୍‌ବ କ୍ରୟ କରି ଆତ୍ମତୃପ୍ତି ଲାଭ କଲେ; କିନ୍ତୁ ଯାହା ତାଙ୍କୁ ଅଗୋଚର ତାହା ହେଲା ସେହି ଭାରତୀୟ ବଲ୍‌ବରେ ଖ˚ଜା ଉପାଦାନଗୁଡ଼ିକ ଚୀନରୁ ଆମଦାନି। ଆମେ ସେବନ କରୁଥିବା ଅଧିକା˚ଶ ଔଷଧର ପ୍ରସ୍ତୁତି ଲାଗି ଆବଶ୍ୟକ ‘ଆକ୍ଟିଭ ଫର୍ମାସ୍ୟୁଟିକାଲ ଇନ୍‌ଗ୍ରେଡିଏନ୍‌ଟ୍‌ସ’ (ଏ.ପି.ଆଇ.) ବା ଉପାଦାନର ଉତ୍ପାଦନ ସ୍ଥଳ ହେଉଛି ଚୀନର ଆଭ୍ୟନ୍ତରୀଣ ମଙ୍ଗୋଲିଆ। କହିବା ଅନାବଶ୍ୟକ ଯେ ଭାରତରେ ପ୍ରସ୍ତୁତ କେତେକ ଏ.ପି.ଆଇ. ସେମାନଙ୍କ ଉଚ୍ଚ ମୂଲ୍ୟ କାରଣରୁ ଚୀନ ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ଅକ୍ଷମ। ଏହା ନିଃସନ୍ଦେହ ଯେ ଚୀନରୁ ଇଲେକ୍ଟ୍ରୋନିକ୍‌ସ ଯନ୍ତ୍ରା˚ଶ ଉପଲବ୍‌ଧ ନ ହେଲେ ପୃଥିବୀ ମୋବାଇଲ ଫୋନ ଶୂନ୍ୟ ହୋଇଯାଇପାରେ। କେବଳ ସେତିକି ନୁହେଁ ଚୀନ ମଧୢ ଆମ ସା˚ସ୍କୃତିକ ଜୀବନଧାରା ମଧୢକୁ ଅତ୍ୟନ୍ତ ସାବଲୀଳ ଭାବେ ପ୍ରବେଶ କରି ସାରିଲାଣି, କାରଣ ହୋଲି ବା ଦୀପାବଳି ବେଳେ ବହୁଳ ଭାବେ ବିକ୍ରି ହେଉଥିବା ରଙ୍ଗ, ପିଚକାରି, ବାଣ ଇତ୍ୟାଦି ଚୀନରେ ପ୍ରସ୍ତୁତ। ଅନେକ ବିଶେଷଜ୍ଞଙ୍କ ମତରେ ଚୀନା ମୁକ୍ତ ସ୍ବାବଲମ୍ବନ ଲାଗି ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଅତ୍ୟନ୍ତ ତୀବ୍ର କରାଗଲେ ସୁଦ୍ଧା ସେଭଳି ଏକ ସ୍ଥିତି ହାସଲ କରିବାକୁ କେଇ ଦଶକ ଲାଗିଯାଇପାରେ!

ଏହି ପରିପ୍ରେକ୍ଷୀରେ ଷଷ୍ଠ ଏବ˚ ସପ୍ତମ ଦଶକରେ ଭାରତରେ ଅସୀମ ଜନପ୍ରିୟତା ଲାଭ କରିଥିବା ଜାପାନ ତିଆରି ହାତ ଘଣ୍ଟା ବା କ୍ୟାମେରା ବା କଲମ ଭଳି ସୌଖୀନ ଦ୍ରବ୍ୟର କଥା ସ୍ମରଣକୁ ଆସିଥାଏ। ତେବେ ସେଗୁଡ଼ିକ ଚୀନା ନିର୍ମିତ ଶସ୍ତା ଦ୍ରବ୍ୟ ଭଳି ଶୀଘ୍ର ଅଚଳ ହୋଇ ନ ଯାଇ ଦୀର୍ଘସ୍ଥାୟୀ ହେଉଥିଲେ ଏବ˚ ଅପେକ୍ଷାକୃତ ଉଚ୍ଚା ମୂଲ୍ୟର ଥିଲେ। ତେବେ, ଜାପାନୀ ଦ୍ରବ୍ୟଗୁଡ଼ିକର ଏତାଦୃଶ ଲୋକପ୍ରିୟତା ଦେଖି ସେହି ସମୟରେ ଦିଲ୍ଲୀର ଆଖପାଖ ଅଞ୍ଚଳରେ ନକଲି ଜାପନୀ ଦ୍ରବ୍ୟର କୁଟୀର ଉଦ୍ୟୋଗ ଗୋପନରେ ଗଢ଼ି ଉଠିଥିଲା। ଶୁଣିବାକୁ ମିଳେ ଅବିକଳ ଅସଲି ଭଳି ଦିଶୁଥିବା ନକଲି ‘ସିକୋ ଘଣ୍ଟା’ମାନ ତା’ ଉପରେ ଥିବା ‘ମେଡ୍‌ ଇନ୍‌ ଜାପାନ’ ଛାପ ସହିତ ଏଭଳି ଶସ୍ତାରେ ଉପଲବ୍‌ଧ ହେବାରେ ଲାଗିଥିଲେ ଯେ ସିକୋ ଘଣ୍ଟାର ଆମଦାନି ଓ ବିକ୍ରୟକାରୀମାନେ ପ୍ରମାଦ ଗଣିବାକୁ ଲାଗିଥିଲେ। କହିବା ଅନାବଶ୍ୟକ ଯେ ଏହି ସବୁ ନକଲି ଘଣ୍ଟାରେ ଭାରତ ତିଆରି ନିକୃଷ୍ଟ ଯନ୍ତ୍ରା˚ଶମାନ ଖ˚ଜା ଯାଉଥିଲା। ଏବେ ସେଭଳି ହେବାର ଅବକାଶ ମଧୢ ନାହିଁ। କାରଣ ଚୀନା ଦ୍ରବ୍ୟ ଠାରୁ ଅଧିକ ଶସ୍ତାରେ କୌଣସି ଦ୍ରବ୍ୟ ଉପଲବ୍‌ଧ କରାଇବା ଏକ ଅସମ୍ଭବ ପ୍ରାୟ ବ୍ୟାପାର। ତଥାପି ଯଦିବା କେହି ଚୀନା ଦ୍ରବ୍ୟର ଅବିକଳ ନକଲ କରି ଆହୁରି ଅଧିକ ଶସ୍ତାରେ ତାହାକୁ ବଜାରକୁ ଛାଡ଼ିବାକୁ ମନସ୍ଥ କରନ୍ତି, ତେବେ ତାଙ୍କୁ ତା’ର ଯନ୍ତ୍ର˚ଶ ଲାଗି ମଧୢ ‘ମେଡ୍‌ ଇନ୍‌ ଚାଇନା’ ଚିଜ ଉପରେ ନିର୍ଭର କରିବାକୁ ହେବ!

ସମ୍ବନ୍ଧିତ ଖବର