କେବେ ଆମେ ଆମ ଦେଶରେ ଏପରି ଯୁବକମାନଙ୍କର କଳ୍ପନା କରୁଥିଲୁ, (ସେମାନେ) ଏପରି ମରଦ ହେବା ଉଚିତ ଯେଉଁମାନଙ୍କର ଛାତି ଚଉଡ଼ା ହୋଇଥିବ ଏବଂ ଲୋମଶ ହୋଇଥିବ; ଆମର ଚଉଡ଼ା ଛାତିବାଲା ପୁରୁଷ ଲୋଡ଼ା। .....ବିଗତ ଦିନରେ ପ୍ରସିଦ୍ଧ ଗୀତ ସବୁ ଏଇଭଳି ଥିଲା: ୟେ ଦେଶ୍‌ ହୈ ବୀର୍‌ ଜଓ୍ଵାନୋ କା, ଆଲ୍‌ବେଲୋ କା ମସ୍ତାନୋକା... ୟହାଁ ଚୌଡ଼ି ଛାତି ବୀରୋଁକୀ....। ବର୍ତ୍ତମାନର ଯୁବକମାନେ କିନ୍‌ିୁ ଏଭଳି ଶୀର୍ଣ୍ଣକାୟ ଯେ ସେମାନେ ପିନ୍ଧିଥିବା ଜିନ୍‌ସ ଅଣ୍ଟା ତଳକୁ ଖସି ପଡୁଛି। ଯିଏ ନିଜ ଜିନ୍‌ସକୁ ସମ୍ଭାଳି ପାରୁନାହାନ୍ତି, ସେମାନେ ନିଜର ଭଉଣୀକୁ କିପରି ସୁରକ୍ଷା ଦେବେ। ଆଜିର ଯୁବକମାନେ କାନରେ ଇଅର୍‌ରିଙ୍ଗ୍‌ ପିନ୍ଧି ଝିଅଙ୍କ ଭଳି ଦେଖାଯାଉଛନ୍ତି।

Advertisment

ଆମେ ଏବେ ଯାହା ଦେଖୁଛୁ, ତାହା ହେଲା ଏକ ସଭ୍ୟତା ଆଜି କିଭଳି ଆତ୍ମହତ୍ୟା କରୁଛି। ବର୍ତ୍ତମାନ ସ୍କୁଲ କଲେଜରୁ ଆରମ୍ଭ କରି ବୃହତ୍ତର ସାଂସ୍କୃତିକ ପରିବେଶ ପର୍ଯ୍ୟନ୍ତରେ ଯେଉଁଭଳି ଲିଙ୍ଗ-ସଚେତନତା ପ୍ରସାର କରାଯାଉଛି, ତାହା ହେଉଛି ଅତ୍ୟନ୍ତ ପୁରୁଷ-ବିରୋଧୀ। ତାହା ପୁରୁଷମାନଙ୍କୁ ନପୁଂସକ କରିବା ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନ ସମାଜରେ କୌଣସି ପୁରୁଷ ସୁଲଭ ପ୍ରବୃତ୍ତି ବା ପ୍ରଦର୍ଶନ ପାଇଁ ସ୍ଥାନ ନାହିଁ। ତେବେ ପୁରୁଷମାନଙ୍କର ଏପରି ଅବକ୍ଷୟ କେବଳ ଯେ ପୁରୁଷମାନଙ୍କର କ୍ଷତି ସାଧନ କରୁଛି, ତାହା ନୁହେଁ, ଏହା ନାରୀମାନଙ୍କର ମଧ୍ୟ ଘୋର କ୍ଷତି ସାଧନ କରୁଛି। ନାରୀମାନେ ବିଶେଷ କରି ଶିକ୍ଷିତ ଉଚ୍ଚ-ମଧ୍ୟବିତ୍ତ ବର୍ଗର ନାରୀମାନେ ମଧ୍ୟ ନାରୀ ସୁଲଭ ସମସ୍ତ ପ୍ରବୃତ୍ତି ଓ ଆଚରଣ ପରିତ୍ୟାଗ କରିବା ପାଇଁ ଦୃଢ଼ ସଂକଳ୍ପ କରିଥିବା ଦେଖାଯାଉଛି। ଏମାନେ ନାରୀ-ପୁରୁଷ ମଧ୍ୟରେ ସମସ୍ତ ପ୍ରଭେଦ ଲୋପ କରି ଦେବାକୁ ବଦ୍ଧ-ପରିକର। ଏକ ଶୂନ୍ୟ-ଆକାର ଶାରୀରିକ ଗଠନ ହାସଲ କରିବା ପାଇଁ ଏମାନେ ଯୌବନ ଆରମ୍ଭରୁ ପ୍ରାୟ ପରବର୍ତ୍ତୀ ତିନି ଦଶନ୍ଧି ଧରି ନିଜକୁ ଖାଦ୍ୟ ନିୟନ୍ତ୍ରଣ ଓ ଶରୀର ଚର୍ଯ୍ୟା ପାଖରେ ବନ୍ଦୀ ରୂପେ ସମର୍ପଣ କରିଦିଅନ୍ତି।

ଏପରି ଏକ ଦୁନିଆରେ ଦୈହିକ ଶ୍ରମ ଆବଶ୍ୟକ କରୁଥିବା କୌଣସି ବୃତ୍ତି ଗ୍ରହଣ କରିବା ପାଇଁ କେହିି ଆଗ୍ରହୀ ନଥାନ୍ତି।ସଡ଼କ ନିର୍ମାଣ ହେଉ କି ଗୃହ ନିର୍ମାଣ ହେଉ, ଜାହାଜ ନିର୍ମାଣ ହେଉ କି ବନ୍ଦର ନିର୍ମାଣ ହେଉ ଏ ସମସ୍ତ କାର୍ଯ୍ୟ ପାଇଁ ଯେଉଁ ଦୈହିକ ଶକ୍ତି ଆବଶ୍ୟକ ହୋଇଥାଏ, ତାହା ଈଶ୍ୱର ନାରୀ ଶରୀରର ମାଂସପେଶୀରେ ଦେଇନାହାନ୍ତି। ଯଦି ସଭ୍ୟତା ନିର୍ମାଣକୁ ସମ୍ପୂର୍ଣ୍ଣ ରୂପେ ନାରୀମାନଙ୍କ ଦାୟିତ୍ୱରେ ଛାଡ଼ି ଦିଆଯାଇଥାନ୍ତା, ତେବେ ଏହି କାରଣରୁ ଆମେ ସମସ୍ତେ ବର୍ତ୍ତମାନ ଘାସ କୁଡ଼ିଆରେ ବାସ କରୁଥାନ୍ତେ। ବର୍ତ୍ତମାନ କିନ୍ତୁ ଶାରୀରିକ ଶ୍ରମ ଆବଶ୍ୟକ କରୁଥିବା ବୃତ୍ତି ସବୁର ଏପରି ମର୍ଯ୍ୟାଦା ହାନି ଘଟିଛି ଯେ ପୁରୁଷମାନେ ସେ ସବୁରୁ ଦୂରେଇ ରହି ତଥାକଥିତ କିଛି ବୌଦ୍ଧିକ ବା ସୂକ୍ଷ୍ମ କାର୍ଯ୍ୟ କରିବାକୁ ପସନ୍ଦ କରୁଛନ୍ତି, ଯାହା ନାରୀମାନେ ମଧ୍ୟ କରିପାରିବେ। ପୂର୍ବକାଳର ଓଜନଦାର ପୁରୁଷସୁଲଭ କିଛି କାର୍ଯ୍ୟ କରିବାକୁ ପୁରୁଷମାନେ ଲଜ୍ଜାଜନକ ବୋଲି ବିଚାର କରୁଛନ୍ତି। ଏହା ଆଜିର ଲିଙ୍ଗ ସଚେତନତା ସହିତ ବେଶ୍‌ ଖାପ ଖାଇଥାଏ। ଏହି ସଚେତନତା ଯେଉଁ ମୂଲ୍ୟବୋଧ ସବୁକୁ ନିରବରେ ଓ ନିଶ୍ଚିତ ଭାବରେ ପ୍ରୋତ୍ସାହିତ କରିଥାଏ ତାହା ସବୁ ଚିରାଚରିତ ଭାବରେ ନାରୀସୁଲଭ ରୂପେ ବିବେଚିତ ହୋଇ ଆସିଛି। ଏ ଗୁଡ଼ିକ ହେଲା- ସମ୍ବେଦନଶୀଳତା, ସହଯୋଗ, ସାମାଜିକ ସମ୍ପର୍କ ସ୍ଥାପନ ଇତ୍ୟାଦି। ପୁରୁଷର ସ୍ୱାଭାବିକ ଦୈହିକ ରୁକ୍ଷତାକୁ କୋମଳ କରିବା ହେଉଛି ସାମ୍ପ୍ରତିକ ସଂସ୍କୃତିର ଉଦ୍ଦେଶ୍ୟ। ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ, ପରିବାରରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏଇ ଭଳି ଲିଙ୍ଗ ସଚେତନତା ବର୍ତ୍ତମାନ ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଛି।

ସଭ୍ୟତାକୁ ଏଭଳି ସ୍ୱନିର୍ବାଚିତ ଆତ୍ମହତ୍ୟା ପଥରୁ ଉଦ୍ଧାର କରିବାର ଉପାୟ କ’ଣ? ଏହାର ଉପାୟ ହେଉଛି ପାରମ୍ପରିକ ପୁରୁଷସୁଲଭ ପ୍ରବୃତ୍ତି ଓ ବୃତ୍ତିମାନଙ୍କର ଅପହୃତ ଗୌରବକୁ ପୁଣି ଫେରାଇ ଆଣିବା ପାଇଁ ଉଦ୍ୟମ କରିବା। ମନେରଖିବା କଥା ଆଜି ଲିଙ୍ଗ ସଚେତନତା ଅଭିଯାନର ପୁରୋଭାଗରେ ଯେଉଁମାନେ ସକ୍ରିୟ ଅଛନ୍ତି, ଏହି ପାରମ୍ପରିକ ପୁରୁଷସୁଲଭ ବୃତ୍ତିମାନଙ୍କ ସାହାଯ୍ୟରେ ହିଁ ସେମାନେ ନିଜର ଏହି କାର୍ଯ୍ୟ କରି ପାରୁଛନ୍ତି। ଉଦାହରଣ ସ୍ୱରୂପ କୌଣସି ବିଶ୍ୱବିଦ୍ୟାଳୟର ଜଣେ ଲିଙ୍ଗ ଅଧ୍ୟୟନ (ଜେଣ୍ଡର୍‌ ଷ୍ଟଡିଜ୍‌) ବିଭାଗର ପ୍ରଫେସର୍‌ଙ୍କୁ ନିଆଯାଉ। ସେ ଯେଉଁ ମସୃଣ ସଡ଼କରେ ନିଜ କାର୍‌ ଚଳାଇ ଯାଇ ନିଜର କର୍ମସ୍ଥଳୀରେ ପହଞ୍ଚି ପାରୁଛନ୍ତି; ସେ ଯେଉଁ ଲିଫ୍‌ଟ ଆରୋହଣ କରି ନିଜର ଅଫିସ୍‌ ବା ଶ୍ରେଣୀ ଗୃହରେ ପହଞ୍ଚୁଛନ୍ତି; ସେ ଯେଉଁ ବିଜୁଳି ଆଲୁଅ ସାହାଯ୍ୟରେ ଲାଇବ୍ରେରିରେ ବସି ପଢ଼ାପଢ଼ି କରିପାରୁଛନ୍ତି; କି ସେ ଯେଉଁ (ଲିଙ୍ଗ-ନିରପେକ୍ଷ) ଶୌଚାଳୟକୁ ଯାଇ ପ୍ରକୃତିର ଚାପରୁ ମୁକ୍ତ ହେଉଛନ୍ତି- ସେ ସବୁର ସତ୍ତା ନଥାନ୍ତା ଯଦି ସମ୍ପୃକ୍ତ ପୁରୁଷକୈନ୍ଦ୍ରିକ ବୃତ୍ତିଗୁଡ଼ିକ (ସଡ଼କ ନିର୍ମାଣ, ଗୃହ ନିର୍ମାଣ, ଶକ୍ତି ଉତ୍ପାଦନ, ଜଳ ଯୋଗାଣ ବା ପ୍ଲମ୍ବିଙ୍ଗ୍‌) ନଥାନ୍ତା। ଆଉ ହୁଏତ ଏହା ଅବାନ୍ତର ହେବନାହିଁ ଯଦି କୁହାଯାଏ ଏହି ସ୍ତମ୍ଭର ପ୍ରଥମ ପାରାଗ୍ରାଫ୍‌ରେ ଉଲ୍ଲେଖ କରାଯାଇଥିବା ଇଆର୍‌ରିଙ୍ଗ୍‌ ପିନ୍ଧିଥିବା, ଜିନ୍‌ସ ଖସି ପଡୁଥିବା ଦୁର୍ବଳ ପୁରୁଷମାନଙ୍କ ଦ୍ୱାରା ଏ ସବୁ ନିର୍ମିତ ହେବା ସମ୍ଭବ ନୁହେଁ; ଚଉଡ଼ା, ଲୋମଶ ଛାତିବାଲା ପୁରୁଷମାନଙ୍କର ଏହା ସ୍ୱାଭାବିକ କାର୍ଯ୍ୟ।

ବର୍ତ୍ତମାନ ଏଠାରେ ଏହା ସ୍ପଷ୍ଟ କରିଦିଆଯିବାର ସମୟ ଉପସ୍ଥିତ ଯେ ସ୍ତମ୍ଭର ପ୍ରଥମ ପାରାଗ୍ରାଫ୍‌ରେ ଯେଉଁ ମନ୍ତବ୍ୟ ସ୍ଥାନ ପାଇଛି, ତାହା ହେଉଛି ବର୍ତ୍ତମାନ ଦେଶବ୍ୟାପୀ ଲିଙ୍ଗ ସଚେତନ ଜଗତ୍‌ରେ ଆଲୋଡ଼ନ ସୃଷ୍ଟି କରିଥିବା ରାଜସ୍ଥାନ ମହିଳା କମିସନ୍‌ର ମୁଖ୍ୟ ଶ୍ରୀମତୀ ସୁମନ୍‌ ଶର୍ମାଙ୍କର। ସେ ଗତ ସପ୍ତାହରେ ମହିଳା ଦିବସ ପୂର୍ବ ଦିନ ଅନୁଷ୍ଠିତ ଏକ ଉତ୍ସବରେ ଅଭିଭାଷଣ ଦେବା ଅବସରରେ ଏହା କହିଥିଲେ। ସ୍ତମ୍ଭର ପରବର୍ତ୍ତୀ ଅଂଶରେ ଯେଉଁ ମନ୍ତବ୍ୟ ଉପସ୍ଥାପିତ ହୋଇଛି ତାହା ହେଉଛି ଜଣେ ଉଗ୍ର ନାରୀବାଦୀ ରୂପେ ପରିଚିତ ଆମେରିକାର ଫିଲାଡେଲ୍‌ଫିଆର ୟୁନିଭର୍ସିଟି ଅଫ୍‌ ଆର୍ଟସ୍‌ରେ ପ୍ରଫେସର ଥିବା ଶ୍ରୀମତୀ କ୍ୟାମିଲ୍‌ ପାଗ୍ଲିଆଙ୍କର। ଆମୋଦଦାୟକ ଭାବରେ ପ୍ରଫେସର ପାଗ୍ଲିଆଙ୍କର ଏହି ମନ୍ତବ୍ୟ ସମ୍ବଳିତ ନିବନ୍ଧର ନାମ ହେଉଛି- ‘ଏ ଫେମିନାଇନ୍‌ ଡିଫେନ୍‌ସ ଅଫ୍‌ ମାସ୍କୁଲାଇନ୍‌ ଭର୍ଚୁଜ୍‌’ (ପୁରୁଷସୁଲଭ ସଦ୍‌ଗୁଣ ସପକ୍ଷରେ ଏକ ନାରୀବାଦୀ ଯୁକ୍ତି)। ଯଦି ସୁମନ ଶର୍ମାଙ୍କ ମନ୍ତବ୍ୟ କ୍ୟାମିଲ୍‌ ପାଗ୍ଲିଆଙ୍କ ମନ୍ତବ୍ୟର ପ୍ରତିଧ୍ୱନି ଭଳି ଶୁଭୁଥାଏ, ତେବେ ଶର୍ମାଙ୍କ ସପକ୍ଷରେ ଅନ୍ତତଃ ଏତିକି କୁହାଯାଇପାରିବ ଯେ ସେ କେବଳ ଏକ ତଥାକଥିତ ଦକ୍ଷିଣପନ୍ଥୀ ରାଜନୈତିକ ଦଳର ସମର୍ଥକ ହୋଇଥିବାରୁ ଏପରି କହିନାହାନ୍ତି।