ପ୍ରଖ୍ୟାତ ଆମେରିକୀୟ ଅର୍ଥନୀତିଜ୍ଞ ସ୍ବର୍ଗତ ୱିଲିଅମ୍ ବମଲ୍ (୨୦୧୭ରେ ୯୫ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି) ୧୯୬୦ ଦଶକରେ ଆଧୁନିକ ଯୁଗର ଅର୍ଥନୀତିମାନଙ୍କୁ ଆକ୍ରାନ୍ତ କରିଥିବା ଏକ ନୂତନ ଅର୍ଥନୈତିକ ବେମାରିର ଆବିଷ୍କାର କରିଥିଲେ, ଯାହା ତାଙ୍କ ନାମ ଅନୁସାରେ ନାମିତ ହୋଇଛି: ‘‘ବମଲ୍’ସ କଷ୍ଟ ଡିଜିଜ୍’’ ବା ‘‘ବମଲ୍ଙ୍କ ବ୍ୟୟ ବେମାରି’’। ବମଲ୍ ସେତେବେଳେ ନିର୍ଦ୍ଦିଷ୍ଟ ଭାବରେ କଳାର ଅର୍ଥନୈତିକ ଚରିତ୍ର ସମ୍ବନ୍ଧରେ ଅନୁସନ୍ଧାନ କରୁଥିଲେ। ସେ ଦେଖିଲେ ଯେ ଚାରି ଜଣ ବାଦ୍ୟକାର (ଦୁଇ ଜଣ ବେହେଲାବାଦକ, ଜଣେ ଭାୟୋଲା ବାଦକ ଓ ଜଣେ ଚେଲୋ ବାଦକଙ୍କୁ ନେଇ ଗଠିତ ‘ଷ୍ଟ୍ରିଙ୍ଗ୍ କ୍ବାର୍ଟେଟ୍’ ରୂପେ ନାମିତ) ଗୋଟିଏ ନିର୍ଦ୍ଦିଷ୍ଟ ଯନ୍ତ୍ର ସଙ୍ଗୀତ ବାଦନ ନିମିତ୍ତ ୧୮୬୫ରେ ଯେତିକି ସମୟ ନେଉଥିଲେ, ୧୯୬୫ରେ ମଧ୍ୟ ଠିକ୍ ସେତିକି ସମୟ ନେଉଥିଲେ େହଁ, ୧୮୬୫ରେ ସେମାନେ ଏଥିପାଇଁ ଯେତିକି ପାରିଶ୍ରମିକ ଅର୍ଜନ କରୁଥିଲେ, ୧୯୬୫ରେ ସେମାନଙ୍କୁ ସେଥିପାଇଁ ମିଳୁଥିବା ବାସ୍ତବ ପାରିଶ୍ରମିକ ତା’ଠାରୁ ବହୁ ଗୁଣ ଅଧିକ ଥିଲା।
ବମଲ୍ ଏହାର ଯେଉଁ କାରଣ ଆବିଷ୍କାର କରିଥିଲେ ତାହା ଯେତିକି ଚମକପ୍ରଦ ଥିଲା, ସେତିକି ସରଳ ମଧ୍ୟ ଥିଲା। ଶିଳ୍ପ ଉତ୍ପାଦନ ବା ‘ମାନୁଫାକ୍ଚରିଙ୍ଗ୍’ ଭଳି ଅର୍ଥନୀତିର ଅନ୍ୟାନ୍ୟ କ୍ଷେତ୍ରମାନଙ୍କରେ ଶ୍ରମିକମାନଙ୍କର ଉତ୍ପାଦନଶୀଳତାରେ ଘଟିଚାଲିଥିବା ନିରବଚ୍ଛିନ୍ନ ଉନ୍ନତି ଥିଲା ଯନ୍ତ୍ର ସଙ୍ଗୀତ ବାଦନ ଭଳି ଏକ ସେବା କ୍ଷେତ୍ରରେ କାର୍ଯ୍ୟକରୁଥିବା ଉକ୍ତ ‘ଷ୍ଟ୍ରିଙ୍ଗ୍ କ୍ବାର୍ଟେଟ୍’ର ସଦସ୍ୟମାନେ ଅର୍ଜନ କରୁଥିବା ପାରିଶ୍ରମିକରେ ଏଭଳି ତୀକ୍ଷ୍ଣ ବୃଦ୍ଧିର କାରଣ। ସଂେକ୍ଷପରେ କହିଲେ ମାନୁଫାକ୍ଚରିଙ୍ଗ୍ରେ ନିତ୍ୟନୂତନ ଜ୍ଞାନକୌଶଳର ପ୍ରୟୋଗ ଯୋଗୁଁ ଶ୍ରମିକମାନଙ୍କ ଉତ୍ପାଦନଶୀଳତା ବୃଦ୍ଧି ଓ ଉତ୍ପାଦିତ ପଦାର୍ଥର ଦର ହ୍ରାସ ପାଇବା ସଙ୍ଗେ ସଙ୍ଗେ (ମନେ କରାଯାଉ ହେନ୍ରି ଫୋର୍ଡ ଆସେମ୍ଲି ଲାଇନ୍ ଉଦ୍ଭାବନ କରିବା ପୂର୍ବରୁ ଯଦି ୧୦୦ଜଣ ଶ୍ରମିକ ମିଶି ଦିନକୁ ଗୋଟିଏ ମଟରଗାଡ଼ି ନିର୍ମାଣ କରୁଥିଲେ, ଆସେମ୍ଲି ଲାଇନ୍ ମାଧ୍ୟମରେ ସେମାନେ ଦିନକୁ ୧୦୦ଟି ଗାଡ଼ି ନିର୍ମାଣ କରିପାରିଲେ) ସେମାନଙ୍କୁ ପ୍ରଦାନ କରାଯାଉଥିବା ପାରିଶ୍ରମିକରେ ମଧ୍ୟ ଉଲ୍ଲେଖନୀୟ ଭାବରେ ବୃଦ୍ଧି ଘଟି ଚାଲିଲା।
ଯନ୍ତ୍ରସଙ୍ଗୀତ ବାଦନ ଭଳି ଏକ ସେବା ଉତ୍ପାଦନ କ୍ଷେତ୍ରରେ କିନ୍ତୁ କୌଣସି ଜ୍ଞାନକୌଶଳ ପ୍ରୟୋଗ ଦ୍ବାରା ଉତ୍ପାଦନଶୀଳତାରେ ଏଭଳି ବୃଦ୍ଧି ସମ୍ଭବ ନୁହେଁ। କିନ୍ତୁ ସମସ୍ୟା ହେଲା ଯଦି ସମ୍ପୃକ୍ତ ସଙ୍ଗୀତ ଅନୁଷ୍ଠାନ ତା’ର ଏହି ବାଦକମାନଙ୍କୁ ୧୮୬୫ରେ ପ୍ରଦତ୍ତ ହାରରେ ୧୯୬୫ରେ ପାରିଶ୍ରମିକ ପ୍ରଦାନ କରେ, ତେବେ ଦକ୍ଷ ବାଦକମାନେ ସେ ବୃତ୍ତି ପରିତ୍ୟାଗ କରି କୌଣସି ମଟରଗାଡ଼ି କାରଖାନା କିମ୍ବା ଅନୁରୂପ ଅନ୍ୟ କୌଣସି ମାନୁଫାକ୍ଚରିଙ୍ଗ୍ କମ୍ପାନିରେ ନିଯୁକ୍ତି ସନ୍ଧାନରେ ପଳାୟନ କରିବେ। ଯେଉଁ ଅଦକ୍ଷ ବାଦକମାନେ ନୀଚା ପାରିଶ୍ରମିକରେ କାର୍ଯ୍ୟ କରିବାକୁ ରାଜି ହେବେ, ସେମାନଙ୍କ ବେସୁରା ବାଦନ ଶ୍ରୋତା/ଦର୍ଶକମାନଙ୍କୁ ଆକର୍ଷିତ କରିପାରିବ ନାହିଁ। ଅତଏବ ସଙ୍ଗୀତ ଅନୁଷ୍ଠାନମାନେ ଅର୍ଥନୀତିର ଅନ୍ୟ କ୍ଷେତ୍ରମାନଙ୍କ ସହିତ ତାଳ ଦେଇ ନିଜର ବାଦକମାନଙ୍କୁ ଉଚ୍ଚା ହାରରେ ପାରିଶ୍ରମିକ ପ୍ରଦାନ କରିବାକୁ ବାଧ୍ୟ ହୋଇଥାନ୍ତି, ଯଦିବା ସେମାନଙ୍କ ନିଜ କ୍ଷେତ୍ରରେ ଉତ୍ପାଦନଶୀଳତାରେ କୌଣସି ଉନ୍ନତି ଘଟିନଥାଏ। ସଙ୍ଗୀତ ଅନୁଷ୍ଠାନମାନଙ୍କୁ ଆକ୍ରାନ୍ତ କରିଥିବା ଏହି ବ୍ୟୟ ବ୍ୟାଧି ବମଲ୍ଙ୍କ ବ୍ୟୟ ବେମାରି ରୂପେ ପରିଚିତ ଲାଭ କଲା।
ଅନୁମାନ କରିବା କଷ୍ଟ ନୁହେଁ ଯେ ଜ୍ଞାନକୌଶଳରେ ଅନବରତ ଉନ୍ନତି ଘଟୁଥିବା ଆଜିର ଦୁନିଆରେ ତୁଳନାତ୍ମକ ଭାବରେ ମାନୁଫାକ୍ଚରିଙ୍ଗ୍ କ୍ଷେତ୍ରରେ ଉତ୍ପାଦିତ ପଦାର୍ଥମାନ- ସ୍ମାର୍ଟ ଫୋନରୁ ଟି-ସାର୍ଟ ପର୍ଯ୍ୟନ୍ତ- ସୁଲଭ ହୋଇ ଚାଲିଥିବା ବେଳେ ସେବା କ୍ଷେତ୍ରରୁ ଉତ୍ପନ୍ନ ସେବାମାନ- ସ୍ବାସ୍ଥ୍ୟସେବା, ଶିକ୍ଷାସେବା, ଓକିଲାତି ସେବା... ଇତ୍ୟାଦି- ଦୁର୍ମୂଲ୍ୟ ହୋଇ ଚାଲିଛନ୍ତି। ଆଜିକାଲି ଅତ୍ୟନ୍ତ ବ୍ୟୟବହୁଳ ସ୍ବାସ୍ଥ୍ୟ ସେବା ଓ ଶିକ୍ଷା ସେବାର ବୋଝ ଦ୍ବାରା କଲବଲ େହଉଥିବା ଜନସାଧାରଣ ଏଥିପାଇଁ ସ୍ବାଭାବିକ ଭାବରେ ଆମର ସ୍ବାସ୍ଥ୍ୟ ବ୍ୟବସ୍ଥା ଓ ଶିକ୍ଷା ବ୍ୟବସ୍ଥାକୁ ଦାୟୀ କରୁଥିଲେ ହେଁ, ବମଲ୍ଙ୍କ ବ୍ୟୟ ବ୍ୟାଧି ତତ୍ତ୍ବ ହିଁ ଏହାର ପ୍ରକୃତ କାରଣ ବୁଝିବାରେ ସହାୟକ ହୋଇଥାଏ। ଉପରୋକ୍ତ ‘ଷ୍ଟ୍ରିଙ୍ଗ୍ କ୍ବାର୍ଟେଟ୍’ର ବାଦକମାନଙ୍କ ଭଳି ଅଧ୍ୟାପକ, ଶିକ୍ଷକ, ଡାକ୍ତର, ନର୍ସ ଆଦି ସେବା ପ୍ରଦାନକାରୀମାନଙ୍କର ଉତ୍ପାଦନଶୀଳତାରେ କୌଣସି ବୃଦ୍ଧି ଘଟୁନଥିଲେ ହେଁ, ଅନ୍ୟ କ୍ଷେତ୍ରମାନଙ୍କ ସହିତ ତାଳ ଦେଇ ସେମାନଙ୍କର ପାରିଶ୍ରମିକର ବୃଦ୍ଧି ଘଟି ଚାଲିଛି ଓ ତେଣୁ ସେମାନେ ପ୍ରଦାନ କରୁଥିବା ସେବା ମହଙ୍ଗା ହୋଇ ଚାଲିଛି। ଏତିକି କହିଲେ ଯଥେଷ୍ଟ ହେବ ଯେ ଯେପର୍ଯ୍ୟନ୍ତ ଡାକ୍ତର, ନର୍ସ, ଅଧ୍ୟାପକ, ଶିକ୍ଷକ... ମାନଙ୍କ କାର୍ଯ୍ୟ କରିବା ପାଇଁ ଆମେ ରୋବଟ୍ ଉଦ୍ଭାବନ ନ କରିଛୁ, ସେ ପର୍ଯ୍ୟନ୍ତ ଏ ସମସ୍ତ ନୀଚା ଉତ୍ପାଦନଶୀଳ କ୍ଷେତ୍ରରୁ ଉପଲବ୍ଧ ସେବାମାନ ବମଲ୍ ବ୍ୟାଧିଗ୍ରସ୍ତ ହୋଇ ଦୁର୍ମୂଲ୍ୟ ହୋଇ ଚାଲିଥିବ।
ତେବେ ବମଲ୍ ବ୍ୟାଧିର ଏକ ପାର୍ଶ୍ବ ପ୍ରଭାବ ମଧ୍ୟ ଏହାକୁ ଆହୁରି ଗୁରୁତର କରିବା ଦେଖାଯାଇଥାଏ। ତାହା ହେଲା, ସେବା ପ୍ରଦାନରେ ଦକ୍ଷତା ବୃଦ୍ଧି ସହିତ କୌଣସି ସମ୍ପର୍କ ନ ଥିବା ବିଭିନ୍ନ ବ୍ୟୟବହୁଳ ଆନୁଷଙ୍ଗିକ ଭିତ୍ତିଭୂମିରୁ ନିଯୁକ୍ତି ପର୍ଯ୍ୟନ୍ତ ସୃଷ୍ଟି- ବିଶ୍ବବିଦ୍ୟାଳୟର ସୁରମ୍ୟ ଅଟ୍ଟାଳିକା ଠାରୁ ହସ୍ପିଟାଲ୍ରେ ନିଯୁକ୍ତ ମାଳ ମାଳ ପରିଚାଳକମାନଙ୍କ ପର୍ଯ୍ୟନ୍ତ, ଯାହାର ବ୍ୟୟ େଶଷରେ ଛାତ୍ର ବା ରୋଗୀ ଉପରେ ଲଦି ଦିଆଯାଇଥାଏ। ପ୍ରତିଯୋଗିତାମୂଳକ ବଜାରରେ ନିଜକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନୁଷ୍ଠାନମାନେ ଏହା କରିବାକୁ ବାଧ୍ୟ ହୋଇଥାନ୍ତି।
ବମଲ୍ଙ୍କର ଏହି ଆବିଷ୍କାର ଯାହା ସାବ୍ୟସ୍ତ କରିଥାଏ, ତାହା ହେଲା ଏକ ଅର୍ଥନୀତିର ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଉତ୍ପାଦନଶୀଳତାରେ ଯେତେ ବୃଦ୍ଧି ଘଟି ଚାଲିବ, ସେବା କ୍ଷେତ୍ରରେ ଉପଲବ୍ଧ ସେବାମାନ ସେତେ ବ୍ୟୟସାପେକ୍ଷ ହୋଇ ଚାଲିବ। ଏହି ଦୃଷ୍ଟିରୁ ବିଚାର କଲେ ଦୁଇଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସେବା- ସ୍ବାସ୍ଥ୍ୟ ଓ ଶିକ୍ଷାର ମିଳନ ସ୍ଥଳ ହୋଇଥିବା ଡାକ୍ତରୀ ଶିକ୍ଷା ହେଉଛି ବମଲ୍ଙ୍କ ବ୍ୟୟ ବ୍ୟାଧିର ଆବିର୍ଭାବ ଘଟିବା ପାଇଁ ଯେ ପ୍ରକୃଷ୍ଟତମ ନିଶାଣ, ଏଥିରେ କୌଣସି ସନ୍ଦେହ ନାହିଁ। ଭାରତରେ ତେଣୁ ଘରୋଇ କ୍ଷେତ୍ରରେ ଉପଲବ୍ଧ ଡାକ୍ତରୀ ଶିକ୍ଷାର ବ୍ୟୟଭାର ଛାତ୍ର/ଅଭିଭାବକମାନଙ୍କ ପାଇଁ ଆକାଶଛୁଆଁ ହେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଅବଶ୍ୟ ବମଲ୍ଙ୍କ ବ୍ୟୟ ବ୍ୟାଧିର ଜନକ ହେଉଛି ବଜାର ଅର୍ଥନୀତି। କୌଣସି ନ୍ୟାୟପାଳିକା କିନ୍ତୁ ବଜାର ଅର୍ଥନୀତି ଦ୍ବାରା ପରିଚାଳିତ ହୋଇନଥାଏ। ନ୍ୟାୟପାଳିକା ଚାହିଁଲେ ୧୮୬୫ର ପାରିଶ୍ରମିକ ଗ୍ରହଣ କରି ୧୯୬୫ରେ ବେହେଲା ବାଦନ କରିବାକୁ ନିର୍ଦ୍ଦେଶ ଦେଇପାରେ, ଯେମିତି ଭାରତର ସୁପ୍ରିମ୍ କୋର୍ଟ ଏବେ ଆନ୍ଧ୍ରପ୍ରଦେଶରେ ଘରୋଇ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନଙ୍କ ପ୍ରତି ଲାଗୁ ହେଉଥିବା ‘ଟ୍ୟୁସନ୍ ଫି’େର ଘଟାଯାଇଥିବା ସାତ ଗୁଣ ବୃଦ୍ଧିକୁ ବାତିଲ କରି ଘୋଷଣା କରିଛନ୍ତି ଯେ ଶିକ୍ଷାଦାନ ଲାଭ ଅର୍ଜନ ପାଇଁ ଉଦ୍ଦିଷ୍ଟ ଏକ ବ୍ୟବସାୟ ନୁହେଁ (ଯେଉଁ ସମୟରେ ‘ଏଡ୍ଟେକ୍’ ଏକ ବିଶାଳ ବ୍ୟବସାୟ ରୂପେ ଆବିର୍ଭୂତ ହୋଇଛି!) ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କର ଉଦ୍ଦେଶ୍ୟ ଯେ ମହତ, ଏଥିରେ କୌଣସି ସନ୍ଦେହ ନାହିଁ। ଯେକୌଣସି ଦେଶରେ ଶିକ୍ଷା ଓ ସ୍ବାସ୍ଥ୍ୟ ହେଉଛି ପ୍ରତ୍ୟେକ ନାଗରିକର ମୌଳିକତମ ଅଧିକାର, ଯାହାକୁ ଯଦି ବଜାର ଅର୍ଥନୀତିର ମୁଡ୍ ଉପରେ ଛାଡ଼ି ଦିଆଯାଏ, ତେବେ ତାହା ବମଲ୍ ବ୍ୟାଧି ଦ୍ବାରା ଆକ୍ରାନ୍ତ ହେବା ହେଉଛି ଅନିବାର୍ଯ୍ୟ। ଏ ବ୍ୟାଧିରୁ ମୁକ୍ତି ପାଇବାର ଏକମାତ୍ର ଉପାୟ କିନ୍ତୁ ହେଉଛି ଉଭୟ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାକୁ ସମ୍ପୂର୍ଣ୍ଣ ରୂପେ ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଆବଦ୍ଧ ରଖିବା। ନଚେତ୍ ୧୮୬୫ର ପାରିଶ୍ରମିକ ଗ୍ରହଣ କରିବାକୁ ବାଧ୍ୟ ବାଦକମାନେ କେବଳ ବେସୁରା ସଙ୍ଗୀତ ହିଁ ସୃଷ୍ଟି କରିବେ।