ପାପ ଓ ପ୍ରାୟଶ୍ଚିତ୍ତ

ଆସନ୍ତା କାଲି ସମାପ୍ତ ହେବାକୁ ଯାଉଥିବା ଇଜିପ୍‌ଟରେ ଅନୁଷ୍ଠିତ ‘କପ୍‌-୨୭’ ଜାତିସଂଘ ଜଳବାୟୁ ସମ୍ମିଳନୀରେ ପ୍ରଥମ ଥର ପାଇଁ ବିଧିବଦ୍ଧ ଭାବରେ ଚୁକ୍ତି-ପୂର୍ବ ଆଲୋଚନା ପାଇଁ ‘କ୍ଷୟକ୍ଷତି’ ବା ‘ଲସ୍‌ ଆଣ୍ଡ୍‌ ଡାମେଜ୍‌’କୁ ଏକ ବିଷୟବସ୍ତୁ ରୂପେ ସ୍ଥାନୀତ କରାଯାଇଛି। ଏ କ୍ଷୟକ୍ଷତି କ’ଣ? ଜଳବାୟୁ ପରିବର୍ତ୍ତନ ଯୋଗୁଁ ଘଟୁଥିବା କ୍ଷୟକ୍ଷତିକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ: ଗୋଟିଏ ହେଲା ଜଳବାୟୁ ପରିବର୍ତ୍ତନ ସହିତ ଘନିଷ୍ଠ ସମ୍ପର୍କ ଥିବା ପ୍ରାକୃତିକ ବିପର୍ଯ୍ୟୟ (ଯେମିତି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା)ମାନଙ୍କ ଯୋଗୁଁ ଘଟୁଥିବା ବ୍ୟାପକ ଧନଜୀବନ ହାନି, ଯାହା ଦ୍ରୁତ ବେଗରେ ଅଭିନୀତ ହୋଇଥାଏ; ଅନ୍ୟଟି ହେଲା ଧୀରମନ୍ଥର ଗତିରେ କିନ୍ତୁ ଅନିବାର୍ଯ୍ୟ ଭାବରେ ଘଟୁଥିବା ବିପର୍ଯ୍ୟୟ (ଯେମିତି ସମୁଦ୍ର ପତ୍ତନରେ ବୃଦ୍ଧି ବା ସବୁଜ ଅଞ୍ଚଳମାନଙ୍କର ମରୁଭୂମିକୁ ରୂପାନ୍ତର- ମରୁକରଣ ଇତ୍ୟାଦି)।

ବାୟୁମଣ୍ଡଳରେ ସଞ୍ଚରି ରହିଥିବା ଉତ୍ତାପ ବୃଦ୍ଧିକାରୀ ବାଷ୍ପ (ଯେମିତି ଅଙ୍ଗାରକାମ୍ଳ, ମିଥେନ୍‌ ଆଦି) ବା ‘ଗ୍ରିନ୍‌ହାଉସ୍‌ ଗ୍ୟାସ୍‌’ (‘ଜିଏଚ୍‌ଜି’) ଯୋଗୁଁ ଜଳବାୟୁ ପରିବର୍ତ୍ତନ ଘଟିଥାଏ ଏବଂ ଧନୀ ଶିଳ୍ପୋନ୍ନତ ଦେଶମାନେ ଦୀର୍ଘ କାଳ ଧରି ନିର୍ଗମନ କରି ଆସିଥିବା ‘ଜିଏଚ୍‌ଜି’ ହିଁ ବାୟୁମଣ୍ଡଳର ଏଭଳି ଅବସ୍ଥା ପାଇଁ ମୁଖ୍ୟତଃ ଦାୟୀ। କିନ୍ତୁ ଏକ ପ୍ରାକୃତିକ ଅନ୍ୟାୟ ସ୍ବରୂପ ଦେଖା‌ଯାଇଥାଏ ଯେ ଏହି ବିପର୍ଯ୍ୟୟମାନଙ୍କ ଦ୍ବାରା ପ୍ରଥମେ ପ୍ରଭାବିତ ହୋଇଥାନ୍ତି ଗରିବ ବିକାଶଶୀଳ ଦେଶମାନେ। ଏହି ଦେଶମାନେ ପ୍ରଳୟଙ୍କରୀ ବନ୍ୟା, ବାତ୍ୟା ଆଦି ଦ୍ବାରା ବିପର୍ଯ୍ୟସ୍ତ ହୋଇପଡ଼ିବା ପରେ ଅତୀତରେ ଧନୀ ଦେଶମାନେ ସେମାନଙ୍କୁ ଚିରାଚରିତ ଭାବରେ ଯେଉଁ ବୈଦେଶିକ ସାହାଯ୍ୟ ଯୋଗାଇ ଦେଇ ଆସୁଥିଲେ, ତାହାକୁ ଏପର୍ଯ୍ୟନ୍ତ ସେମାନଙ୍କର ଏକ ବଦାନ୍ୟତା ରୂପେ ବିଚାର କରା ହୋଇ ଆସୁଥିଲା। ଏବେ କିନ୍ତୁ ଏହାକୁ ଆଉ ସେମାନଙ୍କର ବଦାନ୍ୟତା ରୂପେ ବିଚାର କରାନଯାଇ ସେମାନଙ୍କର ନୈତିକ ଦାୟିତ୍ବ ବା ପାପର ପ୍ରାୟଶ୍ଚିତ୍ତ ରୂପେ ବିଚାର କରାଯାଉଛି।

ଏହି ନୂତନ ଦୃଷ୍ଟିକୋଣ ଗ୍ରହଣ କଲାପରେ ପ୍ରସଙ୍ଗଟି ସ୍ବାଭାବିକ ଭାବରେ ବିବଦମାନ ହୋଇପଡ଼ିଛି। ବୈଜ୍ଞାନିକମାନେ ଏବେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି କମ୍ପ୍ୟୁଟର୍‌ ମଡେଲ୍ ସାହାଯ୍ୟରେ କୌଣସି ଏକ ପ୍ରାକୃତିକ ବିପର୍ଯ୍ୟୟ ଘଟିବା ପଛରେ ରହିଥିବା ‘ଜିଏଚ୍‌ଜି’ ନିର୍ଗମନର ନିର୍ଦ୍ଦିଷ୍ଟ ଭୂମିକାର ପରିମାଣାତ୍ମକ ଆକଳନ କରି ପାରୁଛନ୍ତି। ଯଦି ଏହାକୁ ଅନୁସରଣ କରାଯାଏ, ତେବେ ପ୍ରାକୃତିକ ବିପର୍ଯ୍ୟୟ ପ୍ରପୀଡ଼ିତ ଗରିବ ଦେଶମ‌ାନେ ପ୍ରମୁଖ ନିର୍ଗମନକାରୀ ଧନୀ ଦେଶମାନଙ୍କ ଠାରୁ ବିଶାଳ ଆକାରର କ୍ଷତିପୂରଣ ପାଇବା ପାଇଁ ହକ୍‌ଦାର ହେବେ। ଏଥି‌େର ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ୧୯୯୦ ଦଶକରେ ଯେତେବେଳେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀର ଚିଠା ପ୍ରସ୍ତୁତ ହେବା ବେଳେ ଏହି ଯୁକ୍ତିର ଆବିର୍ଭାବ ଘଟିଲା, ସେବେଠାରୁ ଶିଳ୍ପୋନ୍ନତ ବିକଶିତ ଦେଶମାନେ ଏହାକୁ ଏଡ଼ାଇଯିବା ପାଇଁ ଚେଷ୍ଟା କରି ଆସିଛନ୍ତି।

ବିଶ୍ବତାପନ ଯୋଗୁଁ ଘଟୁଥିବା ସମୁଦ୍ର ପତ୍ତନ‌ରେ ବୃଦ୍ଧି ଯୋଗୁଁ ଅଚିରେ ଜଳମଗ୍ନ ହେବାର ସମ୍ଭାବନାର ସମ୍ମୁଖୀନ କେତେକ କ୍ଷୁଦ୍ର ଦ୍ବୀପ-ରାଷ୍ଟ୍ର ସେତେବେଳେ ଏକ ଆନ୍ତର୍ଜାତିକ ବୀମା ପାଣ୍ଠି ସୃଷ୍ଟି ପାଇଁ ପ୍ରସ୍ତାବ ଦେଇଥିଲେ ଯାହା ସେଭଳି କ୍ଷୟକ୍ଷତିର ଭରଣା କରିବା ପାଇଁ ଏଭଳି ଦେଶମାନଙ୍କୁ ସହାୟତା ରାଶି ପ୍ରଦାନ କରିବ। ଅନ୍ତିମ ଚିଠାରେ ଅବଶ୍ୟ ସେମାନଙ୍କର ଏହି ପ୍ରସ୍ତାବ ଅନ୍ତର୍ଭୁକ୍ତ ହୋଇନଥିଲା, କିନ୍ତୁ ସେ ଚିନ୍ତାଧାରା ସେବେଠାରୁ ଜୀବନ୍ତ ରହି ଆସିଛି। ବାସ୍ତବରେ ‘କ୍ଷୟକ୍ଷତି’କୁ ସେଥିପାଇଁ ଜଳବାୟୁ ରାଜନୀତିର ତୃତୀୟ ସ୍ତମ୍ଭ ରୂପେ ବିଚାର କରାଯାଇଥାଏ- ପ୍ରଥମ ସ୍ତମ୍ଭ ହେଉଛି ‘ପ୍ରଶମନ’ (ମିଟିଗେସନ୍‌), ଯାହା ନିର୍ଗମନ ହ୍ରାସ ମାଧ୍ୟମରେ ସମସ୍ୟାର ମୂଳ କାରଣକୁ ଦୂରୀଭୂତ କରିବା ପାଇଁ ଉଦ୍ଦିଷ୍ଟ; ଦ୍ବିତୀୟ ହେଉଛି ‘ଅନୁକୂଳନ’ (ଆଡାପ୍‌ଟେସନ୍‌), ଯାହା ବର୍ତ୍ତମାନ ଓ ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନର ଆଘାତ ସମ୍ଭାଳିବା ପାଇଁ, ଆବଶ୍ୟକ ବ୍ୟବସ୍ଥା ସୃଷ୍ଟି ପାଇଁ ଉଦ୍ଦିଷ୍ଟ।

୨୦୧୫ରେ ପ୍ୟାରିସ୍‌ ଠାରେ ଅନୁଷ୍ଠିତ ‘କପ୍‌-୨୧’ରେ ପ୍ରସିଦ୍ଧ ପ୍ୟ‌ାରିସ୍‌ ଚୁକ୍ତିକୁ ଅନ୍ତିମ ରୂପ ପ୍ରଦାନ ନିମିତ୍ତ କଥାବାର୍ତ୍ତା ଚାଲିଥିବା ବେଳେ ବିକାଶଶୀଳ ଦେଶମାନେ ପୁଣି ଥରେ ‘କ୍ଷୟକ୍ଷତି’ ଭରଣା ପାଇଁ ଏକ ବିଧିବଦ୍ଧ ବିତ୍ତୀୟ ବ୍ୟବସ୍ଥା ସୃଷ୍ଟିକୁ ସେଥିରେ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଶେଷରେ ସେ ଚୁକ୍ତିରେ ଏ ସମ୍ବନ୍ଧରେ ଯେଉଁ ଉଲ୍ଲେଖ ସ୍ଥାନ ପାଇଲା, ତାହା ଅତ୍ୟନ୍ତ ଅନିର୍ଦ୍ଦିଷ୍ଟ ଓ ଅସ୍ପଷ୍ଟ ଶ୍ରେଣୀର ଥିଲା। ପ୍ୟାରିସ୍‌ ଚୁକ୍ତିର ଧାରା-୮ରେ ‘କ୍ଷୟକ୍ଷତିକୁ ଏଡ଼ାଇବା, ସର୍ବନିମ୍ନ କରିବା ଏବଂ ତା’ର ମୁକାବିଲା କରିବାର ଗୁରୁତ୍ବ’କୁ ସ୍ବୀକାର କରାଯାଇଥିଲା। କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ଏହା କିପରି ହାସଲ କରାଯାଇପାରିବ, ତାହାର ଉପାୟ ବାହାର କରିବାର ଦାୟିତ୍ବ ଭବିଷ୍ୟତର ସମ୍ମିଳନୀମାନଙ୍କ ଉପରେ ଛାଡ଼ି ଦିଆଯାଇଥିଲା। ଗତ ବର୍ଷ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋ ଠାରେ ଅନୁଷ୍ଠିତ ‘କପ୍‌-୨୬’ରେ ସ୍କଟ୍‌ଲାଣ୍ଡର ‘ପ୍ରଥମ ମନ୍ତ୍ରୀ’ (ଫାଷ୍ଟ ମିନିଷ୍ଟର୍‌) ନିକୋଲା ଷ୍ଟର୍ଜନ୍‌ ନିଜ ଦେଶର ନୈତିକ ଦାୟିତ୍ବ ସ୍ବୀକାର କରିବା ସ୍ବରୂପ ‘କ୍ଷୟକ୍ଷତି’ ଭରଣା ବାବଦରେ ଦୁଇ ନିୟୁତ ପାଉଣ୍ଡ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଘୋଷଣା କରିଥିଲେ ଓ ଆଶା କରିଥିଲେ ଯେ ଅନ୍ୟ ଧନୀ ଦେଶ ମାନେ ତାଙ୍କୁ ଅନୁକରଣ କରି ଆହୁରି ଅଧିକ ମୁକ୍ତ ହସ୍ତରେ ଏ ବାବଦରେ ଅର୍ଥଦାନ କରିବାକୁ ଆଗେଇ ଆସିବେ। ତାହା କିନ୍ତୁ ଘଟିଲା ନାହିଁ।

ତେବେ ‘କ୍ଷୟକ୍ଷତି’ ଭରଣା ପାଇଁ ଧନୀ ଦେଶମାନଙ୍କ ଉପରେ ଚାପ ଯେ ବୃଦ୍ଧି ପାଇ ଚାଲିଛି, ଏଥିରେ କୌଣସି ସନ୍ଦେହ ନାହିଁ। ‘କପ୍‌-୨୭’ ଅ‌ାରମ୍ଭ ପୂର୍ବରୁ ୪୬ଟି ସ୍ବଳ୍ପ ବିକଶିତ ଦେଶ ଏକାଠି ହୋଇ ‘କ୍ଷୟକ୍ଷତି’ ଭରଣା ପାଇଁ ଏକ ବିତ୍ତୀୟ ବ୍ୟବସ୍ଥା ସୃଷ୍ଟିକୁ ‘କପ୍‌-୨୭’ରେ ଅଗ୍ରାଧିକାର ପ୍ରଦାନ କରାଯିବା ପାଇଁ ଦାବି ଉଠାଇ ଏହି ଚାପକୁ ବଳବତ୍ତର ରଖିଥିଲେ। ନିକଟରେ ଜାତିସଂଘର ସାଧାରଣ ସଭାରେ ସେକ୍ରେଟାରି ‌େଜନେରାଲ୍‌ ଆଣ୍ଟୋନିଓ ଗୁଟେରେସ୍‌ ଏପରି ଏକ ବିତ୍ତୀୟ ବ୍ୟବସ୍ଥାର ସୃଷ୍ଟି ନିମିତ୍ତ ଆବଶ୍ୟକ ସମ୍ବଳ ସଂଗ୍ରହ ପାଇଁ ଏକ ସୁବିଧା ଉପାୟ ଅବଲମ୍ବନର ପ୍ରସ୍ତାବ ଦେ‌ଇଥିଲେ: ଜୀବାଶ୍ମ ଇନ୍ଧନ କମ୍ପାନିମାନଙ୍କର ଲାଭ ଉପରେ ଏକ ତୀକ୍ଷ୍‌ଣ କର ବା ‘ୱିଣ୍ଡଫଲ୍‌ ଟ୍ୟାକ୍‌ସ’ ବସାଯାଉ। ଯେହେତୁ କୋଇଲା, ପେଟ୍ରୋଲିୟମ୍‌, ପ୍ରାକୃତିକ ବାଷ୍ପ ଆଦି ଭଳି ଜୀବାଶ୍ମ ଇନ୍ଧନର ଦହନ ହେଉଛି ‘ଜିଏଚ୍‌ଜି’ ନିର୍ଗମନର ଏକ ମୁଖ୍ୟ ଉତ୍ସ, ଏଭଳି ଟିକସ ଏକ ଦୃଢ଼ ନୈତିକ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥାଏ। କିନ୍ତୁ କୌଣସି ଶିଳ୍ପୋନ୍ନତ ଦେଶ ଏ ପ୍ରସ୍ତାବ ପ୍ରତି କୌଣସି ପ୍ରକାର ଉତ୍ସାହ ପ୍ରଦର୍ଶନ କରିନାହିଁ।

ଏଥର ‘କପ୍‌-୨୭’ରେ ଯଦିବା ‘କ୍ଷୟକ୍ଷତି’କୁ ବିଧିବଦ୍ଧ ଆଲୋଚନା ନିମିତ୍ତ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି, ଏଥର ମଧ୍ୟ ଏ ଦିଗରେ ବିଶେଷ ଅଗ୍ରଗତି ଘଟିବାର ସମ୍ଭାବନା ଉଜ୍ଜ୍ବଳ ଭଳି ମନେ ହେଉନାହିଁ। ସମ୍ମିଳନୀର ପ୍ରଥମ ଦିନରେ ହିଁ କ୍ଷୟକ୍ଷତି ଭରଣା ନିମିତ୍ତ ନିର୍ଦ୍ଦିଷ୍ଟ ବିତ୍ତୀୟ ବ୍ୟବସ୍ଥା ସୃଷ୍ଟି ପାଇଁ ଯେଉଁ ପ୍ରସ୍ତାବ ଆଗତ ହୋଇଥିଲା, ସେଥିରେ କୁହାଯାଇଥିଲା ଯେ ଏ ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ୨୦୨୪ ସୁଦ୍ଧା- ଅର୍ଥାତ୍‌ ପୁନରାୟ କାଳକ୍ଷେପଣ। ଏଥିରେ ମଧ୍ୟ ଦୁଇଟି ତାତ୍ପର୍ଯ୍ୟପୂର୍ଣ୍ଣ ଶବ୍ଦକୁ ସ୍ଥାନ ଦିଆଯାଇନାହିଁ- ‘ଦାୟ’ (‘ଲାଏବିଲିଟି’) ଓ ‘କ୍ଷତିପୂରଣ’ (‘କମ୍ପେନ୍‌ସେସନ୍‌’)। ଏହାର ଅର୍ଥ ଏ ପର୍ଯ୍ୟନ୍ତ ଇତିହାସରେ ଅସଲ ନିର୍ଗମନକାରୀ ଦେଶମାନେ ନିଜର ପାପ ସ୍ବୀକାର କରିବାକୁ ପ୍ରସ୍ତୁତ ହୋଇନାହାନ୍ତି, ପ୍ରାୟଶ୍ଚିତ୍ତ କରିବାକୁ ଆଗେଇ ଆସିବା ଦୂରର କଥା। ‘କ୍ଷୟକ୍ଷତି’ ବଲ୍‌ଟିକୁ ଏଥର ମଧ୍ୟ ପରବର୍ତ୍ତୀ ‘କପ୍‌’ ପାଖକୁ ଗଡ଼ାଇ ଦିଆଯିବାର ସମ୍ଭାବନା ତେଣୁ ଦୃଢ଼ ମନେ ହେଉଛି।

ସମ୍ବନ୍ଧିତ ଖବର