ମଦ ଓ ମହିଳା

ଆର‌୍‌ଜେଡି ଯୁବନେତା ତେଜସ୍ବୀ ଯାଦବ ଯଦି ବିହାର ନିର୍ବାଚନରେ ବିଜୟ ଲାଭ କରିଥାନ୍ତେ ଏବ˚ ଆମେରିକାର କିମ୍ବଦନ୍ତି ରାଷ୍ଟ୍ରପତି ଫ୍ରାଙ୍କ୍‌ଲିନ୍‌ ଡେଲାନୋ ରୁଜ୍‌ଭେଲ୍‌ଟ (ଏଫ୍‌ଡିଆର‌୍‌)ଙ୍କୁ ଅନୁସରଣ କରନ୍ତେ, ତେବେ ସେ ନୀତୀଶ କୁମାର ବିହାରରେ ୨୦୧୬ ଠାରୁ ବଳବତ୍ତର କରିଥିବା ନିଶା ନିବାରଣରେ ତତ୍‌କ୍ଷଣାତ୍‌ ଅନ୍ତ ଘଟାଇ ଏକ ‘ଡାର୍ଟି ମାର୍ଟିନି’ ପାନୀୟ (ରୁଜ୍‌ଭେଲ୍‌ଟଙ୍କର ପ୍ରିୟ ଜିନ୍‌, ଭର‌୍‌ମୁଥ୍‌ ଓ ଅଲିଭ୍‌ ରସ ମିଶ୍ରିତ ପାନୀୟ) ସେବନ କରି ବୋଧହୁଏ ନିଶା ନିବାରଣ ଉଚ୍ଛେଦର ପାଳନ କରନ୍ତେ। କାରଣ ୧୯୨୦ରୁ ୧୯୩୩ ପର୍ଯ୍ୟନ୍ତ ଆମେରିକାରେ ବଳବତ୍ତର ଥିବା ନିଶା ନିବାରଣକୁ ୧୯୩୨ରେ କ୍ଷମତାସୀନ ରାଷ୍ଟ୍ରପତି ହର୍ବଟ୍‌ ହୁଭର‌୍‌ଙ୍କୁ ନିର୍ବାଚନରେ ପରାଜିତ କରି କ୍ଷମତାକୁ ଆସିବା ପରେ ରୁଜ୍‌ଭେଲ୍‌ଟ ଉଚ୍ଛେଦ କରି ଏଇଭଳି ଢଙ୍ଗରେ ଖୁସି ମନାଇଥିଲେ।
ନୀତୀଶ କୁମାରଙ୍କ ବିରୋଧୀ ପକ୍ଷ ଉଭୟ ଆର‌୍‌ଜେଡି ଓ କ˚ଗ୍ରେସ୍‌ର ସେମାନଙ୍କର ନିର୍ବାଚନୀ ପ୍ରତିଶ୍ରୁତିରେ ଯେଉଁ ସବୁ ଘୋଷଣାମାନ ଥିଲା, ସେଥିରେ ଅନ୍ୟତମ ମୁଖ୍ୟ ଥିଲା କ୍ଷମତାକୁ ଆସିଲେ ବିହାରରେ ନିଶା ନିବାରଣର ଅନ୍ତ ଘଟାଇ ପୁଣି ପୂର୍ବ ଭଳି ମଦର ଅବାଧ ସ୍ରୋତ ଖୋଲି ଦେବା। ସେମାନଙ୍କୁ କିନ୍ତୁ ହତାଶ କରି ନୀତୀଶ ଏଥିରେ ହୁଭର‌୍‌ଙ୍କୁ ଅନୁସରଣ କରି ନିର୍ବାଚନରେ ହାରିବା ପରିବର୍ତ୍ତେ ‘ଏଫ୍‌ଡିଆର‌୍‌’ଙ୍କୁ ଅନୁସରଣ କରି ଚତୁର୍ଥ ପାଳି ନିର୍ବାଚନରେ ବିଜୟ ଲାଭ କରି ବିହାରରେ କ୍ଷମତା ଧରି ରଖିବାରେ ସଫଳ ହୋଇଛନ୍ତି। ଜଣେ ନେତାଙ୍କର ନେତୃତ୍ବର ପ୍ରକୃତ ପରାକାଷ୍ଠା ସାବ୍ୟସ୍ତ ହୋଇଥାଏ ଯେତେବେଳେ ସେ ବିଶ୍ବାସ କରୁଥିନା ନୀତି ପାଇଁ କ୍ଷମତାକୁ ହାତଛଡ଼ା କରିବାର ସମ୍ଭାବନାକୁ ଗ୍ରହଣ କରିବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ। ନୀତୀଶ ନିଜ ନାମର ସାର୍ଥକତା ପ୍ରତିପାଦନ କରି ସମସ୍ତ ଅପପ୍ରଚାର ସତ୍ତ୍ବେ (ଯେମିତି କ˚ଗ୍ରେସ ଓ ଆର‌୍‌ଜେଡି ପକ୍ଷ ନିଶା ନିବାରଣକୁ ଗରିବ-ବିରୋଧୀ ବୋଲି ପ୍ରଚାର ଚଳାଇଥିଲେ) ନିଶା ନିବାରଣ ନୀତି ପ୍ରତି କୌଣସି କୋହଳ ଭାବ ପ୍ରଦର୍ଶନ ନକରି ନିର୍ବାଚନ ରଣଭୂମିରେ ପ୍ରବେଶ କରିଥିଲେ।

ନିଶା ନିବାରଣର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କର ସ୍ବାସ୍ଥ୍ୟ ରକ୍ଷା କରିବା, ଦୁର୍ନୀତି ଓ ଅପରାଧ ହ୍ରାସ ଘଟାଇବା, ଅପରାଧ ବୃଦ୍ଧିଜନିତ ପୁଲିସ୍‌ ଓ କାରାଗାର ଚଳାଇବା ସମ୍ପର୍କିତ ଖର୍ଚ୍ଚ ସ˚କୁଚିତ କରିବା, ପାରିବାରିକ ଶାନ୍ତି ରକ୍ଷା କରିବା ଏବ˚ ସର୍ବୋପରି ମହିଳାମାନଙ୍କୁ ମଦ୍ୟପ ପତି ଓ ପୁରୁଷମାନଙ୍କଠାରୁ ସୁରକ୍ଷିତ ରଖିବା। ବିହାରର ମତଦାତାମାନଙ୍କ ମଧୢରେ ଥିବା ଯୁବାବର୍ଗ ଯେ ନୀତୀଶଙ୍କ ନିଶା ନିବାରଣ ନୀତି ଯୋଗୁଁ ଆଦୌ ସୁଖୀ ନଥିବେ ଏଥିରେ ସନ୍ଦେହ ନାହିଁ; କାରଣ ଅନ୍ୟ ସମୟ କଥା ଛାଡ଼, ନିର୍ବାଚନ ସମୟରେ ମଦ୍ୟପାନ ନିଷିଦ୍ଧ ହେବା ଏହି ବର୍ଗ ପାଇଁ ଅଭାବନୀୟ ହୋଇଥାଏ। ଉଦାରପନ୍ଥୀମାନେ ପୁଣି ପ୍ରଚାର ଚଳାଇଥିଲେ ଯେ ଅପେକ୍ଷାକୃତ ସ୍ବଚ୍ଛଳ ଓ ଶିକ୍ଷିତ ମଧୢବିତ୍ତ ଶ୍ରେଣୀର ସଦସ୍ୟମାନେ ନିଶା ନିବାରଣ ନୀତିକୁ ସେମାନଙ୍କର ଜୀବନଶୈଳୀ ପସନ୍ଦର ସ୍ବାଧୀନତା ଉପରେ ହସ୍ତକ୍ଷେପ ରୂପେ ବିଚାର କରନ୍ତି; ଏଣୁ ସେମାନେ ନୀତୀଶଙ୍କୁ ବିରୋଧ କରୁଛନ୍ତି। ସେହିପରି ପ୍ରଚାର ଚାଲିଥିଲା ଯେ ଗରିବ ଶ୍ରେଣୀର ଲୋକମାନେ ଅଧିକ ମଦ ଚୋରା କାରବାରରେ ଲିପ୍ତ ହୋଇ ଧରାପଡ଼ି ଜେଲ୍‌ ଯାଉଥିବାରୁ, ସେମାନେ ମଧୢ ନୀତୀଶଙ୍କୁ ବିରୋଧ କରୁଛନ୍ତି। ମଦ ଦୋକାନ ବନ୍ଦ ହେବା ଫଳରେ ସେ ବ୍ୟବସାୟରେ ସମ୍ପୃକ୍ତ ସମସ୍ତେ ଜୀବିକା ହରାଇଛନ୍ତି; ଏଣୁ ସେମାନେ ମଧୢ ନୀତୀଶଙ୍କୁ ବିରୋଧ କରୁଛନ୍ତି।

ଅତଏବ ନୀତୀଶ କାହା ସମର୍ଥନ ଲାଭ କରି ନିର୍ବାଚନରେ ବିଜୟ ଲାଭ କରିଛନ୍ତି (ପାଶ୍ବାନ ପୁତ୍ରଙ୍କ ବିଶ୍ବାସଘାତକତା ସତ୍ତ୍ବେ) ବୋଲି ଯଦି ଅନୁସନ୍ଧାନ କରାଯାଏ, ତେବେ ଯେଉଁ ଏକ ନିଶ୍ଚିତ ଉତ୍ତରର ଆବିର୍ଭାବ ଘଟେ, ତାହା ହେଲା- ବିହାର ରାଜ୍ୟର ମହିଳାମାନଙ୍କ ସମର୍ଥନ ଲାଭ କରି। ନିଶା ନିବାରଣରୁ ସର୍ବାଧିକ ଲାଭବାନ ମହିଳାମାନେ ଏକ ଅଦୃଶ୍ୟ, ନିଃଶବ୍ଦ ଶକ୍ତି ପରି ନୀତୀଶ କୁମାରଙ୍କ ପଛରେ ଛିଡ଼ା ହୋଇ ଯେ ପ୍ରତିଦାନ ସ୍ବରୂପ ନୀତୀଶଙ୍କୁ କ୍ଷମତାରେ ସୁରକ୍ଷିତ ରଖିଛନ୍ତି ତାହା ନିର୍ବାଚନ ପରବର୍ତ୍ତୀ ବିଶ୍ଳେଷଣମାନଙ୍କରୁ ଜଣାପଡ଼ିଛି। ନିର୍ବାଚନ କମିସନ ଦ୍ବାରା ଉପଲବ୍‌ଧ କରାଯାଇଥିବା ସୂଚନାର ଏକ ବିଶ୍ଳେଷଣରୁ ସ୍ପଷ୍ଟ ହୋଇଥାଏ ଯେ ଯେଉଁଠି ମତଦାତାମାନଙ୍କ ମଧୢରେ ମହିଳାମାନଙ୍କ ଅ˚ଶ ଅଧିକ ହୋଇଛି ସେଠାରେ ନୀତୀଶ ନେତୃତ୍ବାଧୀନ ଏନ୍‌ଡିଏ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଅଧିକ ହେବା ଦେଖାଯାଇଛି। ନିର୍ବାଚନର ଦ୍ବିତୀୟ ଓ ତୃତୀୟ ପାଳିରେ ଏନ୍‌ଡିଏ ପ୍ରାର୍ଥୀମାନଙ୍କର ପ୍ରଦର୍ଶନ ବହୁ ଅଧିକ ସନ୍ତୋଷଜନକ ହେବା ଦେଖାଯାଇଛି। ଏହି ଦୁଇ ପାଳିରେ ଅଧିକ ସ˚ଖ୍ୟକ ମହିଳା ମତଦାନରେ ଅ˚ଶଗ୍ରହଣ କରିଥିବା ଦେଖାଯାଇଛି। ଏଥିରୁ ଅଧିକା˚ଶ ବିଧାନସଭା ଆସନ ଉତ୍ତର ବିହାରରେ ଅବସ୍ଥିତ। ଦ୍ବିତୀୟ ପାଳି ନିର୍ବାଚନରେ ୫୮.୮ ଶତା˚ଶ ମହିଳା ମତଦାତାମାନେ ମତଦାନ କରିଥିବା ବେଳେ ତୃତୀୟ ତଥା ଶେଷ ପାଳି ମତଦାନ ସମୟରେ ଏକ ବେଶ୍‌ ଉଚ୍ଚା ୬୫.୫ ଶତା˚ଶ ମହିଳା ମତଦାତାମାନେ ମତଦାନ କରିବାକୁ ଆସିଯାଇଥିଲେ ଓ ନୀତୀଶ ପକ୍ଷକୁ ବିଜୟ ଦିଗରେ ଆଗେଇ ନେଇଥିଲେ।

ଉଲ୍ଲେଖଯୋଗ୍ୟ ଏହି ଉଭୟ କିସ୍ତି ମତଦାନରେ ମହିଳା ମତଦାତାମାନଙ୍କ ସ˚ଖ୍ୟା ପୁରୁଷ ମତଦାତା ସ˚ଖ୍ୟାଠାରୁ ଅଧିକ ହୋଇଥିଲା। ଉଦାହରଣ ସ୍ବରୂପ ଦ୍ବିତୀୟ କିସ୍ତି ମତଦାନରେ ନାରୀ-ପୁରୁଷ ମତଦାତାମାନଙ୍କ ମଧୢରେ ଦେଖାଯାଇଥିବା ଏହି ତଫାତ୍‌ ପ୍ରାୟ ୬ ଶତା˚ଶ ହୋଇଥିବା ବେଳେ, ତୃତୀୟ କିସ୍ତି ମତଦାନ ସମୟରେ ଏହି ତଫାତ୍‌ ଥିଲା ଏହାର ପ୍ରାୟ ଦୁଇଗୁଣ- ପ୍ରାୟ ୧୧ ଶତା˚ଶ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ପ୍ରଥମ ପାଳି ମତଦାନରେ ଏନ୍‌ଡିଏ ପ୍ରାର୍ଥୀମାନଙ୍କର ପ୍ରଦର୍ଶନ ସନ୍ତୋଷଜନକ ନ ଥିଲା ଏବ˚ ସେଥିରେ ପୁରୁଷ ମତଦାତାମାନଙ୍କର ଅନୁପାତ ମହିଳାଙ୍କ ଠାରୁ ଅଧିକ ଥିଲା: ପୁରୁଷ- ୫୬.୮ ଶତା˚ଶ; ମହିଳା- ୫୪.୪ ଶତା˚ଶ। କେବଳ ନିଶା ନିବାରଣ ନୁହେଁ, ମହିଳାମାନଙ୍କ ମଙ୍ଗଳସାଧନ ପାଇଁ ନୀତୀଶ ନେଇଥିବା ଅନ୍ୟ କେତେକ ପଦକ୍ଷେପ ମଧୢ ତାଙ୍କ ପାଇଁ ମହିଳା ମତଦାତାମାନଙ୍କର ଆନୁଗତ୍ୟ ନିଶ୍ଚିତ କରିବାରେ ସହାୟକ ହୋଇଛି। ଏହା ନୀତୀଶଙ୍କ ଚରମ ଶତ୍ରୁମାନେ ମଧୢ ସ୍ବୀକାର କରନ୍ତି ଯେ ତେଜସ୍ବୀ ଯାଦବଙ୍କ ପିତାମାତାଙ୍କର ଦୀର୍ଘ ପ୍ରାୟ ଦେଢ଼ ଦଶନ୍ଧିର ଶାସନ କାଳରେ ବିହାରରେ ଯେଉଁ ଦାର୍ଶନିକ ହବ୍‌ସ ବର୍ଣ୍ଣିତ ଜଙ୍ଗଲ ରାଜ ଦୃଢ଼ ଆସ୍ଥାନ ଜମାଇଥିଲା, ନୀତୀଶ ସେଥିରେ ଅନ୍ତ ଘଟାଇ ସୁଶାସନ ପ୍ରତିଷ୍ଠା କରିଥିଲେ, ଯେଉଁଥିପାଇଁ ସେ ‘ସୁଶାସନ ବାବୁ’ ରୂପେ ଆଖ୍ୟାୟିତ ହୋଇଥିଲେ। ମହିଳାମାନଙ୍କ ନିରାପତ୍ତା ତାଙ୍କ ସୁଶାସନର ମୁଖ୍ୟ ଅ˚ଶ ହୋଇଥିବାରୁ ମହିଳାମାନେ ସ୍ବାଭାବିକ ଭାବରେ ‘ସୁଶାସନ ବାବୁ’ଙ୍କ ପ୍ରତି ଅଧିକ ଆନୁଗତ୍ୟ ପ୍ରଦର୍ଶନ କରି ଆସୁଛନ୍ତି।

ନୀତୀଶଙ୍କର ଅନ୍ୟ ଏକ ପ୍ରିୟ ନାରୀମଙ୍ଗଳମୁଖୀ ଅର୍ଥନୈତିକ କାର୍ଯ୍ୟକ୍ରମ ହେଉଛି ‘ଜୀବିକା’ ନାମକ ବିଶ୍ବବ୍ୟାଙ୍କ୍‌ ସହାୟତାପ୍ରାପ୍ତ ଦାରିଦ୍ର୍ୟ ନିରାକରଣ କାର୍ଯ୍ୟକ୍ରମ। ୨୦୦୭ରୁ ରାଜ୍ୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଅନ୍ୟୂନ ୧୦ ଲକ୍ଷ ମହିଳା ସ୍ବୟ˚ ସହାୟିକା ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ସରକାରୀ ଓ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ନିଯୁକ୍ତିରେ ମହିଳାମାନଙ୍କ ପାଇଁ ୫୦ ଶତା˚ଶ ସ୍ଥାନ ଆରକ୍ଷଣ, ଉଚ୍ଚଶିକ୍ଷା ଲାଭ ପାଇଁ ଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଓ ୨୦୨୦ ନିର୍ବାଚନ ପୂର୍ବରୁ ମହିଳାମାନଙ୍କ ସଶକ୍ତୀକରଣ ପାଇଁ ଉଦ୍ଦିଷ୍ଟ ‘ସାତ ସ˚କଳ୍ପ-ଦ୍ବିତୀୟ ଭାଗ’ ଉନ୍ମୋଚନ ନୀତୀଶଙ୍କ ପାଇଁ ପୂର୍ବରୁ ରହି ଆସିଥିବା ମହିଳା ସମର୍ଥନକୁ ଆହୁରି ଦୃଢ଼ୀଭୂତ କରିବାରେ ସାହାଯ୍ୟ କରିଥିଲା। ଆରଜେଡି ଓ କ˚ଗ୍ରେସର ମଦ ପ୍ରସାରମୁଖୀ ଆଭିମୁଖ୍ୟ ଶେଷରେ ମହିଳାମାନଙ୍କୁ ସେମାନଙ୍କ ପ୍ରତି ଆହୁରି ବିମୁଖ କରି ତୋଳିଥିଲା।

ସମ୍ବନ୍ଧିତ ଖବର