ଏକ ହତ୍ୟା ସ˚ଦର୍ଭରେ

ପ୍ରାୟ ପାଞ୍ଚ ଦିନ ଧରି ଯେଉଁ ଏକ ଅତ୍ୟନ୍ତ ବିମର୍ଷକର ଘଟଣା ‘ଇଲେକ୍ଟ୍ରୋନିକ୍‌ସ’ ଏବ˚ ସାମାଜିକ ଗଣମାଧୢମରେ ଏକ ଜାନ୍ତବ ଉତ୍ସବର ରୂପ ନେଇ ପ୍ରସାରିତ ହେବାରେ ଲାଗିଛି, ତାହା ଏକ ପ୍ରେମ, ପ୍ରତାରଣା ଓ ହତ୍ୟାକୁ କେନ୍ଦ୍ର କରି ଏବ˚ ଯହିଁରେ ଥିବା ଚରିତ୍ର ଦ୍ବୟ ହେଉଛନ୍ତି ପରଲୋକଗତା ୨୭ ବର୍ଷ ବୟସ୍କା ଶ୍ରଦ୍ଧା ଵାକର ଏବ˚ ଶ୍ରଦ୍ଧାଙ୍କ ହତ୍ୟାକାରୀ ରୂପେ ଅଭିଯୁକ୍ତ ତାଙ୍କର ପୁରୁଷ ବନ୍ଧୁ ୨୮ ବର୍ଷ ବୟସ୍କ ଅଫତାବ ଅମିନ ପୁନାଵାଲା। ତେବେ ଏକ ବିଡ଼ମ୍ବନା ହେଲା, ଏହି କ୍ରମରେ ଘଟଣାଟିକୁ ନେଇ ଅନେକ ଟେଲିଭିଜନ ନ୍ୟୁଜ ଚ୍ୟାନେଲ ବା ସାମାଜିକ ଗଣମାଧୢମ ମଞ୍ଚରେ ଉଠିଥିବା ଅଗ୍ରହାତିଶଯ୍ୟର ଉତ୍ତାଳ ତରଙ୍ଗ ଯେଉଁଭଳି ଅସତ୍ୟ, ଅର୍ଦ୍ଧସତ୍ୟ, ବିଭ୍ରାନ୍ତି ଏବ˚ ଗୁଜବର ଉଚ୍ଚାଟ ପ୍ରଦର୍ଶନ ସହିତ ଧୈର୍ଯ୍ୟହୀନ ଉପସ˚ହାରମାନ ଉପସ୍ଥାପନ କରିବାରେ ପ୍ରବୃତ୍ତ ହୋଇଛନ୍ତି, ତାହା ଏଭଳି ଘଟଣାମାନ ଘଟିବା ପଛରେ ରହିଥିବା ବାସ୍ତବ ଏବ˚ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ସ˚ଭ୍ରମ ଚର୍ଚ୍ଚା ନେଇ ସୁଯୋଗ ସୃଷ୍ଟି କରୁ ନାହିଁ; ସୁତରା˚, ଏ ସମ୍ବନ୍ଧରେ ଏକ କ୍ଷୁଦ୍ର ଆଲୋଚନା ଲାଗି ଏଠାରେ ଏକ ଅବକାଶ ସୃଷ୍ଟି ହୋଇଥାଏ।

ପ୍ରକାଶ ଥାଉ କି ଶ୍ରଦ୍ଧା ଏବ˚ ଅଫତାବଙ୍କ ସ˚ପର୍କ ‘ବମ୍ବଲ୍‌’ ନାମକ ଏକ ‘ଡେଟି˚’ ଆପ୍‌ ମାଧୢମରେ ସୃଷ୍ଟି ହୋଇ ଗଢ଼ି ଉଠିଥିଲା; ଯାହା ପରେ ଏହି ପ୍ରେମୀ-ଯୁଗଳ ମୁମ୍ବାଇ ପରିତ୍ୟାଗ କରି ଦିଲ୍ଲୀରେ ଏକତ୍ର ଅବସ୍ଥାନ କରିବାକୁ ଚାଲି ଆସିଥିଲେ। ସୁତରା˚, ସର୍ବ ପ୍ରଥମ ଆଲୋଚନା ପାରସ୍ପରିକ ପ୍ରେମ ସ˚ପର୍କ ସ୍ଥାପନର ସହଜ ଉପାୟ ଭାବେ ସ˚ପ୍ରତି ତରୁଣ ବର୍ଗଙ୍କ ମଧୢରେ ସର୍ବାଧିକ ପ୍ରିୟଭାଜନ ହୋଇ ପଡ଼ିଥିବା ‘ଡେଟି˚’ ଆପ୍‌ଗୁଡ଼ିକୁ ନେଇ ହେବା ଆବଶ୍ୟକ; ଯେଉଁଗୁଡ଼ିକ ଦ୍ବାରା ଅନେକ ସମୟରେ ସ˚ପର୍କର ଏଭଳି ଅନ୍ଧ-ଗଳିମାନ ସୃଷ୍ଟି ହେବାରେ ଲାଗିଛି, ଯାହା ମଧୢକୁ ସହଜରେ ପ୍ରବେଶାଧିକାର ତ ମିଳି ଯାଇଥାଏ, କିନ୍ତୁ ନିଷ୍କୃତିର ପଥ ମିଳି ନ ଥାଏ! ଏଭଳି ଘଟିବାର ମୁଖ୍ୟ କାରଣ ହେଲା ଦୁଇ ଜଣ ଅପରିଚିତଙ୍କ ମଧୢରେ ପ୍ରେମ ସ˚ପର୍କ ସ୍ଥାପନ ସକାଶେ ପ୍ରଗାଢ଼ ବିଶ୍ବାସର ଯେଉଁ ଭିତ୍ତିର ଆବଶ୍ୟକତା ରହିଥାଏ, ତାହାର ସ୍ଥାପନ ନେଇ ସାମନ୍ୟତମ ସୂତ୍ର ବା ପ୍ରୟାସ ଏଭଳି ‘ଆପ୍‌’ଗୁଡ଼ିକରେ ନ ଥାଏ। ଜଣେ ବ୍ୟକ୍ତି କେବଳ ନିଜର ଫେସ୍‌ବୁକ୍‌ ବା ଇନ୍‌ଷ୍ଟାଗ୍ରାମ ଭଳି ସାମାଜିକ ଗଣମାଧୢମ ଆକାଉଣ୍ଟ ଏବ˚ ଏକ ଫୋନ୍‌ ନମ୍ବର ସାହାଯ୍ୟରେ ଏଭଳି ‘ଆପ୍‌’ର ବ୍ୟବହାର କରି ପାରିବେ ଏବ˚ ନିଜର ଅସଲ ପରିଚୟ ଓ ଉଦ୍ଦେଶ୍ୟକୁ ଅଜ୍ଞାତ ରଖି ଅପରିଚିତମାନଙ୍କ ସହିତ ପ୍ରେମ ସ˚ପର୍କ ଗଢ଼ିବାର ସୁଯୋଗ ଲାଭ କରି ପାରବେ।

ଏଠାରେ କହିବା ଅନାବଶ୍ୟକ ଯେ ମେଷ ଚର୍ମ ଧାରଣ କରିଥିବା ଲକ୍ଷଲକ୍ଷ ଧୂର୍ତ୍ତ ଓ କ୍ଷୁଧାର୍ତ୍ତ ଶୃଗାଳ ନକଲି ‘ଫେସ୍‌ବୁକ୍‌’ ବା ଇନ୍‌ଷ୍ଟା’ ଆକାଉଣ୍ଟମାନ ଖୋଲି ସାମାଜିକ ଗଣମାଧୢମ ମଞ୍ଚଗୁଡ଼ିକରେ ସକ୍ରିୟ ଅଛନ୍ତି। ତେଣୁ ସ୍ବାଭାବିକ ଭାବେ ଏହି ‘ଆପ୍‌’ଗୁଡ଼ିକ ଦେଇ ‘ଅନ୍‌ଲାଇନ୍‌’ ସୂତ୍ରରେ ପରିଚିତ ହେଉଥିବା ଯୁଗଳଙ୍କ ମଧ୍ୟ‌େର ବ୍ୟକ୍ତିଗସୋକ୍ଷାତ ବା ମିଳନର ପ୍ରଥମ ଅନୁଭୂତି ଅନେକ ସମୟରେ ଆଦୌ ସୁଖଦ ହୋଇ ନ ଥାଏ (ସାଧାରଣତଃ ତରୁଣୀମାନଙ୍କ କ୍ଷେତ୍ରରେ), ଯାହାର ଅଭିଯୋଗ ସକାଶେ କେତେକ ‘ଆପ୍‌’ରେ ବ୍ୟବସ୍ଥା ମଧୢ ରହିଛି। ଏଭଳି ଅଭିଯୋଗ କ୍ରମେ ସ˚ପୃକ୍ତ ବ୍ୟକ୍ତିଙ୍କୁ ସେଭଳି ଆଚରଣର ପୁନରାବୃତ୍ତି ନ କରିବା ଲାଗି ‘ଆପ୍‌’ ପକ୍ଷରୁ ସତର୍କ କରି ଦିଆଯାଇପାରେ ଏବ˚ ତା ସତ୍ତ୍ବେ ପରିବର୍ତ୍ତନର ଆଶା ନ ଦିଶିିଲେ ତାଙ୍କୁ ‘ବ୍ଲକ୍‌’ କରି ଦିଆଯାଇପାରେ। କିନ୍ତୁ ଏହା ଯଥେଷ୍ଟ କି? ମନେ ରହିବା ଉଚିତ ଯେ ଏଭଳି ‘ଆପ୍‌’ଗୁଡ଼ିକ ହେଉଛି ଗାର୍ଜନମାନଙ୍କ ଦୃଷ୍ଟି ଆଢୁଆଳରେ ଗୋପନରେ ଗଢ଼ି ଉଠୁଥିବା ଅପରିଚିତ ତରୁଣତରୁଣୀମାନଙ୍କ ମିଳନ ଭୂମି। ସୁତରା˚, ଏଭଳି ‘ଆପ୍‌’ଗୁଡ଼ିକରେ ଏକ ଅନ୍ତରୀଣ ଅନୁସନ୍ଧାନ ଓ ସତର୍କତାର ବ୍ୟବସ୍ଥା ନ ରହିଲେ ସ୍ବାଭାବିକ ଭାବେ ଏହା ମନ୍ଦ ଉଦ୍ଦେଶ୍ୟଧାରୀ ଦୂରଦୃଷ୍ଟିହୀନ ଅର୍ବାଚୀନମାନଙ୍କ ଖୋଲା ଚାରଣ ଭୂମିରେ ପରିଣତ ହେବା ସହିତ ଅନେକ ବିଶୃଙ୍ଖଳାର କାରଣ ହେବ।

ସୁତରା˚, ଏହି ପରିପ୍ରେକ୍ଷୀରେ ମତ ପ୍ରକାଶ ପାଇଥାଏ ଯେ ବ୍ୟାଙ୍କରେ ଗ୍ରାହକମାନଙ୍କ ପରିଚୟକୁ ଦୋରସ୍ତ କରିବା ସକାଶେ ଯେମିତି ‘କେ.ଵାଇ.ସି.’ (ତୁମ ଗ୍ରାହକଙ୍କୁ ଜାଣ)ର ବ୍ୟବସ୍ଥା ରହିଛି, ସେଭଳି କୌଣସି ବ୍ୟବସ୍ଥା ଏହି ‘ଆପ୍‌’ର ବ୍ୟବହାରକାରୀମାନଙ୍କ ସକାଶେ କରାଯାଇପାରେ, ଯହିଁରେ ବାସ୍ତବ ପରିଚୟର ପ୍ରମାଣ ସ୍ବରୂପ ଆଧାର କାର୍ଡ ବା ଡ୍ରାଇଭି˚ ଲାଇସେନ୍‌ସ ବା ପାସପୋର୍ଟ ଆଦିି ସ˚ଯୋଜିତ କରିବା ବାଧୢତାମୂଳକ ହେବା ଦରକାର। ଭାରତୀୟମାନଙ୍କ ମଧୢରେ ଏହି ଆପ୍‌ଗୁଡ଼ିକ କିଭଳି ଲୋକପ୍ରିୟ ହୋଇଛି, ତା’ର ଏକ ଧାରଣା ଲାଭ କରିବା ଲାଗି ଏତିକି ଜାଣିଲେ ଯଥେଷ୍ଟ ହେବ ଯେ ଏହି ‘ଆପ୍‌’ଗୁଡ଼ିକର ବ୍ୟବହାରକାରୀଙ୍କ ସ˚ଖ୍ୟା କେବଳ ଭାରତରେ ହେଉଛି ୩୧ ନିୟୁତ ଏବ˚ ପ୍ରତି ଦିନ ଏମାନଙ୍କ ସ˚ଖ୍ୟାରେ ବୃଦ୍ଧି ଘଟି ଚାଲିଛି।

ଦ୍ବିତୀୟ ଆଲୋଚନାଟି ଅପରାଧଗୁଡ଼ିକର ଅନୁସନ୍ଧାନ ଏବ˚ ଦଣ୍ତ ବିଧାନରେ ତଦନ୍ତକାରୀଙ୍କ ସାଫଲ୍ୟକୁ କେନ୍ଦ୍ର କରି କରାଯିବା ଉଚିତ। ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣାଟି ଘଟିବାର ପ୍ରାୟ ଛଅ ମାସ ପରେ ଲୋକଲୋଚନକୁ ଆସିଛି; ସୁତରା˚, ଏହି ସମୟ ଖଣ୍ତରେ ଅଭିଯୁକ୍ତ ସମସ୍ତ ପ୍ରମାଣ ନିଶ୍ଚିହ୍ନ କରିଦେବା ଲାଗି ଯଥେଷ୍ଟ ସୁଯୋଗ ପାଇଥିବ! ପୁଲିସ ବୟାନ ଅନୁସାରେ ହତ୍ୟା କରିବା ପରେ ମୃତ ଶରୀରକୁ କାଟି ପଇଁତିରିଶଟି କ୍ଷୁଦ୍ର ଅ˚ଶରେ ବିଭକ୍ତ କରି ଅଭିଯୁକ୍ତ ଜଣକ ମେହରାଉଲିର ଜଙ୍ଗଲରେ ଫୋପାଡ଼ି ଦେବା ପରେ ଏକ ନିୟମିତ ଜୀବନଯାପନ କରିବାରେ ଲାଗିଥିଲା। ସୁତରା˚, ଏହା ଦ୍ବାରା ସ୍ବାଭାବିକ ଭାବେ ଅପରାଧ ସ୍ଥଳରୁ ପ୍ରାୟ ପୋଛି ହୋଇ ସାରିଥିବା ‘ଫୋରେନ୍‌ସିକ୍‌’ ପ୍ରମାଣମାନ ଖୋଜି ବାହାର କରି ଚାର୍ଜସିଟ୍‌ ପ୍ରସ୍ତୁତ କରିବା ସକାଶେ ଅତ୍ୟନ୍ତ ସୂକ୍ଷ୍ମ ଓ ଟିକିନିଖି ଉଦ୍ୟମର ଆବଶ୍ୟକତା ରହିଛି, ଯାହା ପୁଲିସ ସକାଶେ ଏକ ଆହ୍ବାନ ଭାବେ ଛିଡ଼ା ହେବ। ଏଠାରେ ପ୍ରକାଶ ଥାଉ କି ସାକ୍ଷ୍ୟ ପ୍ରମାଣ ଏକତ୍ର କରି ଛିଦ୍ରଶୂନ୍ୟ ଚାର୍ଜସିଟ୍‌ ପ୍ରସ୍ତୁତିରେ ଭାରତୀୟ ପୁଲିସଙ୍କ ବିଫଳତା କାରଣରୁ ଆମ ଦେଶରେ ୫୭ ପ୍ରତିଶତ ମାମଲାରେ ଅଭିଯୁକ୍ତମାନେ ମୁକ୍ତି ପାଇ ଯାଆନ୍ତି। ଯାହା ପରିଶେଷରେ ଏକ ବିଡ଼ମ୍ବିତ ସ୍ଥିତି ସୃଷ୍ଟି କରେ, ଯହିଁରେ ହତ୍ୟାକାଣ୍ତ (ଅପରାଧ) ତ ଘଟିଥାଏ, କିନ୍ତୁ କେହି ହତ୍ୟାକାରୀ (ଅପରାଧୀ) ଥିବା ପ୍ରମାଣିତ ହୋଇପାରେ ନାହିଁ।

ଗଲା ନଭେମ୍ବର ୯ ତାରିଖରେ ଏକ ଇ˚ରେଜୀ ଦୈନିକର ଶିରୋନାମା ବିଶେଷ ଚର୍ଚ୍ଚାର ବିଷୟ ହୋଇଥିଲା, ଯାହା ଥିଲା ଏହିଭଳି: ‘ନୋ ଵାନ୍‌ କିଲ୍‌ଡ କିରଣ ନେଗୀ’ ଅର୍ଥାତ୍‌ ‘କିରଣ ନେଗୀଙ୍କୁ କେହି ହତ୍ୟା କରି ନାହାନ୍ତି।’ ପ୍ରକାଶ ଥାଉ କି ୨୦୧୨ ମସିହାରେ ଘଟିଥିବା ଏହି ଦିଲ୍ଲୀ ଛାତ୍ରୀଙ୍କ ଅତ୍ୟନ୍ତ ଜଘନ୍ୟ ତଥା କ୍ରୂର ଗଣ ଧର୍ଷଣ ଏବ˚ ହତ୍ୟାରେ ଅଭିଯୁକ୍ତ ସମସ୍ତ ତିନି ଜଣ ଯାକ ଅଭିଯୁକ୍ତଙ୍କୁ ଦଶ ବର୍ଷ ପରେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦୋଷରେ ଖଲାସ କରି ଦେଇଥିଲେ। ଯଦିଓ କିରଣ ନେଗୀଙ୍କ ବଳାତ୍କାର ଓ ହତ୍ୟାରେ ଏହି ତିନି ଜଣଙ୍କ ସ˚ପୃକ୍ତି ସପକ୍ଷରେ ଭୂରି ଭୂରି ପ୍ରମାଣମାନ ରହିଥିଲା; ତଦନ୍ତର ଧାରା ଏବ˚ ପୁଲିସ ଚାର୍ଜସିଟ୍‌ ଏଭଳି ଦୁର୍ବଳ ଓ ଛିଦ୍ରଯୁକ୍ତ ଥିଲା ଯେ ସେମାନଙ୍କୁ ଅପରାଧୀ ସାବ୍ୟସ୍ତ କରାଯାଇ ପାରି ନ ଥିଲା। ଉଦାହରଣ ସ୍ବରୂପ ଘଟଣା ସ୍ଥଳରେ ପଡ଼ିଥିବା ଜଣେ ଅଭିଯୁକ୍ତର ମନିପର୍ସ‌୍‌ରେ ତା’ର ପାନ୍‌ କାର୍ଡ ଥିବା ସତ୍ତ୍ବେ ପୁଲିସ୍‌ ତା’ର ପ୍ରାଥମିକ ‘ସିଜର‌୍‌ ଲିଷ୍ଟ୍’ (ଘଟଣାସ୍ଥଳରୁ ଜବତ ଦ୍ରବ୍ୟର ତାଲିକା)ରେ ତାହାକୁ ଅନ୍ତର୍ଭୁକ୍ତ କରିବାକୁ ଭୁଲି ଯାଇଥିବାରୁ ପରେ ଚାର୍ଜସିଟ୍‌ରେ ତାହାର ଉଲ୍ଲେଖକୁ ଲକ୍ଷ୍ୟ କରି ଅଭିଯୁକ୍ତଙ୍କ ଓକିଲ ତାଙ୍କ ମହକିଲଙ୍କ ବିରୋଧରେ ଏହା ଏକ ଚକ୍ରାନ୍ତ ବୋଲି ସହଜରେ ଦର୍ଶାଇ ଦେଇ ପାରିଥିଲେ। ସେମିତି ତଦନ୍ତ କ୍ରମରେ ଏହି ଘଟଣାର ପ୍ରାୟ ୪୧ ଜଣ ସାକ୍ଷୀଙ୍କ ମଧୢରୁ ୧୦ ଜଣଙ୍କ ସାକ୍ଷ୍ୟ ଆଦୌ ଗ୍ରହଣ କରାଯାଇ ନଥିଲା।

ଆଶା କରିବା ଯେ ଶ୍ରଦ୍ଧାଙ୍କ ମାମଲାରେ ଏଭଳି କିଛି ନ ଘଟୁ। ଶ୍ରଦ୍ଧାଙ୍କ ହତ୍ୟା ସତ୍ତ୍ବେ ତାଙ୍କୁ କେହି ହତ୍ୟା କରି ନାହାନ୍ତି ବୋଲି ଶିରୋନାମା ଆଉ ସମ୍ବାଦପତ୍ର ପୃଷ୍ଠା ମଣ୍ତନ ନ କରୁ। ହତ୍ୟାକାରୀ ଘଟଣା ସ୍ଥଳରୁ ଚିରନ୍ତନ ଭାବେ ନିରୁଦ୍ଦିଷ୍ଟ ହୋଇଯାଇଥିବ ଅଥଚ ଏଣେ ଆମ ଭିତରେ ସାବଲୀଳ ଭାବେ ଚଳପ୍ରଚଳ କରୁଥିବ; ଏଭଳି ଦୁର୍ଭାଗ୍ୟଜନକ ସ୍ଥିତି ସୃଷ୍ଟି ନ ହେଉ!

ସମ୍ବନ୍ଧିତ ଖବର