କ୍ବେନେଙ୍କ ଭୂତ

ଗତ ବୁଧବାର ଦିନ ପ୍ରକାଶ ପାଇଥିବା ସୂଚନା ଅନୁସାରେ ଚଳିତ ବିତ୍ତ ବର୍ଷର ଦ୍ବିତୀୟ ଚଉଠ (ଜୁଲାଇ-ସେପ୍ଟେମ୍ବର) ପାଇଁ ଭାରତର ମୋଟ ବାର୍ଷିକ ଉତ୍ପାଦ (ଜିଡିପି)ରେ ଦେଖାଯାଇଥିବା ଅଭିବୃଦ୍ଧି ହାରକୁ ନେଇ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ତିଆର ଅର୍ଥନୀତିଜ୍ଞମାନେ ନିଶ୍ଚିତ ରୂପେ ଆତ୍ମସନ୍ତୋଷ ଲାଭ କରୁଥିବେ। ସେମାନଙ୍କର ଆତ୍ମସନ୍ତୋଷର କାରଣ ନୁହେଁ ଏହି ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ସେମାନଙ୍କର କୌଣସି ଅବଦାନ, ଏହାର କାରଣ ହେଉଛି ସମ୍ପୂର୍ଣ୍ଣ ରୂପେ ବୃତ୍ତିଗତ। ଏହି ଅଭିବୃଦ୍ଧି ହାର ଅର୍ଥନୀତିଜ୍ଞ ରୂପେ ସେମାନଙ୍କର ପେସାଦାର ପରିଚୟକୁ ମଜଭୁତ କରିଥାଏ: ଏହି ଚଉଠରେ ଭାରତୀୟ ଅର୍ଥନୀତି ହାସଲ କରିଥିବା ୬.୩% ଅଭିବୃଦ୍ଧି ହାର ରିଜର୍ଭ ବ୍ୟାଙ୍କ୍‌ ଏ ସମ୍ବନ୍ଧରେ କରିଥିବା ପୂର୍ବାନୁମାନ ସହିତ ସମ୍ପୂର୍ଣ୍ଣ ଖାପ ଖାଇଯାଇଥାଏ।

କିନ୍ତୁ ଏହି ଅଭିବୃଦ୍ଧିର ପୂର୍ବାନୁମାନର ନିର୍ଭୁଲତାକୁ ଅତିକ୍ରମ କରି ଏହାର ଅସଲ ସ୍ବରୂପ ଉପରେ ଯଦି ଦୃଷ୍ଟି ନିକ୍ଷେପ କରାଯାଏ ତେବେ ଏକ ଲଘୁସ୍ବର ଅବଲମ୍ବନ କରି କୁହାଯାଇପାରେ ଯେ ଭାରତୀୟ ଅର୍ଥନୀତିର ଏହି ପ୍ରଦର୍ଶନ ଯେଉଁ ଅର୍ଥନୀତିଜ୍ଞମାନଙ୍କୁ ବାସ୍ତବରେ ହୃଷ୍ଟ କରୁଥିବ, ସେମାନେ ବର୍ତ୍ତମାନ ପିଢ଼ିର କେହି ନୁହଁନ୍ତି, ସେମାନେ ହେଉଛନ୍ତି ପୃଥିବୀର ସର୍ବପ୍ରଥମ ଅର୍ଥଶାସ୍ତ୍ର ନାମକ ଏକ ବିଧିବଦ୍ଧ ଅନୁଶୀଳନ ବ୍ୟବସ୍ଥାର ଜନ୍ମଦାତା ରୂପେ ସ୍ବୀକୃତ ଅଷ୍ଟାଦଶ ଶତାବ୍ଦୀର ଫ୍ରାନ୍‌ସର ‘ଫିଜିଓକ୍ରାଟ୍‌ସ’ମାନେ, ଯେଉଁମାନଙ୍କର ମୁଖ୍ୟ ଥିଲେ ଫ୍ରାସ୍ବାଁ କ୍ବେନେ ନାମକ ଜଣେ ଡାକ୍ତର। ‘ଫିଜିଓକ୍ରାସି’ ନାମକ ଏମାନଙ୍କର ମତବାଦ ବହନ କରୁଥିବା ନାମର ଅର୍ଥ ଥିଲା- ‘ପ୍ରକୃତିତନ୍ତ୍ର’। ଏମାନେ ପ୍ରସାର କରିଥିବା ମୁଖ୍ୟ ଚିନ୍ତାଧାରା ଥିଲା- କୌଣସି ଏକ ରାଷ୍ଟ୍ରର ସମ୍ପଦ ସମ୍ପୂର୍ଣ୍ଣ ରୂପେ କୃଷିରୁ ହିଁ ଉତ୍ପନ୍ନ ହୋଇଥାଏ। ସେମାନଙ୍କର ଏଭଳି ଚିନ୍ତାଧାରା ପଛରେ ନିହିତ ଥିବା କାରଣ ହେଲା ଏହା ଯେ ଭୂମି ତା’ର ପ୍ରକୃତିଦତ୍ତ ଦକ୍ଷତା ବଳରେ ବ୍ୟବହୃତ ଉପାଦାନ (ଯଥା, ବିହନ) ଅପେକ୍ଷା ବହୁଗୁଣ ଅଧିକ ଉତ୍ପାଦନ (ଯଥା, ଫସଲ) ସମ୍ଭବ କରାଉଥିବା ବେଳେ ଶିଳ୍ପ କ୍ଷେତ୍ରରେ କୌଣସି ଏଭଳି ଅଧିକ ଉତ୍ପାଦନ ସମ୍ଭବ ହୋଇ ନଥାଏ, କେବଳ ବ୍ୟବହୃତ ଉପାଦାନମାନଙ୍କର ରୂପାନ୍ତର ଘଟିଥାଏ ଯାହା। ତେଣୁ କ୍ବେନେ, ଟୁର୍ଗୋ, କଣ୍ତର୍ସେ ଆଦି ଅର୍ଥନୀତିଜ୍ଞମାନେ ବିଶ୍ବାସ କରୁଥିଲେ ଯେ ଏକ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସମ୍ପୂର୍ଣ୍ଣ ରୂପେ କୃଷି ଉପରେ ନିର୍ଭର କରିଥାଏ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ଚଉଠର ଅଭିବୃଦ୍ଧି ହାର ଏକ ସୁଉଚ୍ଚ ୧୩.୫% ତୁଳନାରେ ଦ୍ବିତୀୟ ଚଉଠର ୬.୩% ହାର ତାହାର ଅଧାରୁ ମଧ୍ୟ କମ୍‌ ହୋଇ ପ୍ରଭାବହୀନ ମନେ ହୋଇଥାଏ ସତ, କିନ୍ତୁ ପ୍ରଥମ ଚଉଠର ପରିସ˚ଖ୍ୟାନକୁ ସାହାଯ୍ୟ କରିଥିବା ନୀଚା ମୂଳଦୁଆ ପ୍ରଭାବ (ଲୋ ବେସ୍‌ ଇଫେକ୍ଟ)ର ଅନୁପସ୍ଥିତିକୁ ବିଚାରକୁ ନେଲେ ଦ୍ବିତୀୟ ଚଉଠର ଏହି ହାର ବେଶ୍‌ ସମ୍ମାନଜନକ ମନେ ହୋଇଥାଏ। ବିଶେଷ କରି ପୃଥିବୀର ଅନ୍ୟ ସମସ୍ତ ବୃହତ୍‌ ଅର୍ଥନୀତିମାନଙ୍କ ତୁଳନାରେ ଭାରତୀୟ ଅର୍ଥନୀତି ହାସଲ କରିଥିବା ଏହି ଅଭିବୃଦ୍ଧି ବେଶ୍‌ ଉଚ୍ଚା ଓ ଏକ ବ୍ୟତିକ୍ରମ ସଦୃଶ ଉଭା ହୋଇ ପର୍ଯ୍ୟବେକ୍ଷକମାନଙ୍କର ପ୍ରଶ˚ସାଭାଜନ ହୋଇଛି। ଭାରତୀୟ ଅର୍ଥନୀତି ଯେହେତୁ ଆନ୍ତର୍ଜାତିକ ଅର୍ଥନୀତିଠାରୁ ଆଂଶିକ ରୂପେ ବିଚ୍ଛିନ୍ନ ହୋଇଥାଏ (ଏକ ଉଦାହରଣ ସ୍ବରୂପ ରପ୍ତାନି ଭାରତର ଜାତୀୟ ଆୟର ଏକ-ପଞ୍ଚମା˚ଶରୁ କମ୍‌ ହୋଇଥାଏ), ଆନ୍ତର୍ଜାତିକ ମାନ୍ଦା ଅବସ୍ଥା ଭାରତୀୟ ଅର୍ଥନୀତିକୁ ସେଭଳି ପ୍ରଭାବିତ କରି ନ ଥାଏ, ଯେଉଁଭଳି ଅନ୍ୟ ଅର୍ଥନୀତିମାନଙ୍କୁ କରିଥାଏ।

ମନେ ହୋଇପାରେ ‘ମେକ୍‌ ଇନ୍‌ ଇଣ୍ତିଆ’, ‘ପିଏଲ୍‌ଆଇ’ ଇତ୍ୟାଦି ଉଦ୍ୟମମାନ ମାଧ୍ୟମରେ ଘରୋଇ ଶିଳ୍ପ ଉତ୍ପାଦନକୁ ପ୍ରଦାନ କରା ହେଉଥିବା ପ୍ରୋତ୍ସାହନମାନର ପ୍ରଭାବରେ ଭାରତୀୟ ଅର୍ଥନୀତି ଏହି ଅପେକ୍ଷାକୃତ ଉଚ୍ଚା ଅଭିବୃଦ୍ଧି ହାର ହାସଲ କରିବା ସମ୍ଭବ ହୋଇଛି। କିନ୍ତୁ ଏହି ଅଭିବୃଦ୍ଧିର ସ୍ବରୂପ ଦେଖିଲେ ମନେହୁଏ ଏହାକୁ ପ୍ରକୃତରେ ଯିଏ ଉଠାଇ ରଖିଛି, ସେ ହେଉଛି ସତେ ଯେମିତି କ୍ବେନେଙ୍କ ଭୂତ! କାରଣ କ୍ବେନେଙ୍କ ତତ୍ତ୍ବକୁ ସତ୍ୟ ପ୍ରମାଣିତ କଲାଭଳି ଦ୍ବିତୀୟ ଚଉଠରେ କୃଷି ଉତ୍ପାଦନରେ ବାର୍ଷିକ ୪.୬% ହାରରେ ବୃଦ୍ଧି ଘଟିଥିବା ବେଳେ, ଶିଳ୍ପ (ମାନୁଫାକ୍‌ଚରିଙ୍ଗ୍‌) ଉତ୍ପାଦନରେ ବାର୍ଷିକ ୪.୩% ହାରରେ ହ୍ରାସ ଘଟିଛି। କୋଭିଡ୍‌ ଆଘାତରୁ ମୁକୁଳୁଥିବା ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଦେଖାଯାଉଥିବା ପୁନର୍ଜାଗରଣ ସମାନ ପ୍ରକାର ନହୋଇ ତାହାର ଯାତ୍ରାପଥ ଇ˚ରାଜୀ ଅକ୍ଷର ‘k’ର ଦୁଇ ତଳ ଉପର ହାତ ଭଳି ଉଚ୍ଚାନୀଚା ହୋଇଛି ବୋଲି ଯେଉଁ ସମାଲୋଚନା ଦେଖିବାକୁ ମିଳୁଛି, ଦ୍ବିତୀୟ ଚଉଠର ଏହି ପରିସ˚ଖ୍ୟାନ ତାହାକୁ ପ୍ରମାଣିତ କଲା ଭଳି ମନେ ହୋଇଥାଏ। ଏହା ଅବଶ୍ୟ ସତ କଥା ଯେ ଏକ ଆଧୁନିକ ଅର୍ଥନୀତିର ସମୃଦ୍ଧି କେବଳ ତାହାର କୃଷି କ୍ଷେତ୍ରର ସମୃଦ୍ଧି ଉପରେ ନିର୍ଭର କରି ନଥାଏ, ଯେମିତି ଏହି ଅଷ୍ଟାଦଶ ଶତାବ୍ଦୀର ଫରାସୀ ଅର୍ଥନୀତିଜ୍ଞମାନେ ବିଶ୍ବାସ କରୁଥିଲେ। ତେଣୁ ‘k’ ଆକୃତିର ଅର୍ଥ‌େନୖତିକ ପୁନର୍ଜାଗରଣ ଆମର ନୀତିନିର୍ଦ୍ଧାରକମାନଙ୍କ ପାଇଁ ନିଶ୍ଚିତ ରୂପେ ଚିନ୍ତା ଉଦ୍ରେକକାରୀ ହୋଇଥିବ।

କୋଭିଡ୍‌ ସମୟରେ ମାନୁଫାକ୍‌ଚରିଙ୍ଗ୍‌ ବାଧାପ୍ରାପ୍ତ ହେବା ସ୍ବାଭାବିକ ଥିଲା, କାରଣ କଳକାରଖାନାମାନଙ୍କରେ ଲକ୍‌ଡାଉନ୍‌ଜନିତ ତାଲା ଝୁଲୁଥିଲା। ଏହାର ପରିଣାମ ସ୍ବରୂପ ଦେଶରେ କୋଭିଡ୍‌ ପରିସ୍ଥିତି ଯେତେବେଳେ ଚରମ ସୀମାରେ ପହଞ୍ଚିଥିଲା, ସେତେବେଳେ ୨୦୨୦-୨୧ ବିତ୍ତ ବର୍ଷର ପ୍ରଥମ ଚଉଠରେ ମାନୁଫାକ୍‌ଚରିଙ୍ଗ୍‌ କ୍ଷେତ୍ରରେ ଉତ୍ପାଦନରେ ସ˚କୋଚନ ୩୧.୫% ଛୁଇଁବା ଦେଖାଯାଇଥିଲା! ତା’ ପରଠାରୁ ପ୍ରାୟ ଏକ ବର୍ଷ କାଳ ଧରି ଅର୍ଥନୀତିର ଏହି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଏଭଳି ସ˚କୋଚନର ପୁନରାବୃତ୍ତି ହେବା ଦେଖାଯାଇ ନଥିଲା, ଯଦିବା ସେଇ ବିତ୍ତ ବର୍ଷର ଶେଷ ଚଉଠରେ ଏକ କ୍ଷୀଣ ୦.୨% ସ˚କୋଚନ ଘଟିବା ଜଣାପଡ଼ିଥିଲା। ଏଥିରୁ ଯେଉଁ ସନ୍ଦେଶ ମିଳିଥାଏ, ତାହା ହେଲା, ହୁଏତ ଅର୍ଥନୀତିର ୬.୩% ଅଭିବୃଦ୍ଧି ହାର ରିଜର୍ଭ ବ୍ୟାଙ୍କ୍‌ର ଭବିଷ୍ୟଦ୍ରଷ୍ଟା ଅର୍ଥନୀତିଜ୍ଞମାନଙ୍କୁ ହୃଷ୍ଟ କରୁଥାଇ ପାରେ; କୃଷି ଉତ୍ପାଦନରେ ୪.୬% ବୃଦ୍ଧି କ୍ବେନେଙ୍କର ଭୂତକୁ ତୁଷ୍ଟ କରୁଥାଇ ପାରେ; କିନ୍ତୁ ଏହା ଏକ ଆଧୁନିକ ଅର୍ଥନୀତିର ଇଞ୍ଜିନ୍‌ ରୂପେ ବିବେଚିତ ଶିଳ୍ପ ଉତ୍ପାଦନ କ୍ଷେତ୍ରର ଯେଉଁ ଦୁରବସ୍ଥାକୁ ଘୋଡ଼ାଇ ରଖିଥାଏ, ତାହା ଅର୍ଥନୀତିର ମୁରବିମାନଙ୍କ ପାଇଁ ନିଶ୍ଚିତ ରୂପେ ଚିନ୍ତାର କାରଣ।

ଏହି ଦୁରବସ୍ଥାର ଅନ୍ୟ ଏକ ଲକ୍ଷଣ ପ୍ରକାଶ ପାଇଥିଲା ଯେତେବେଳେ ଅର୍ଥନୀତିର ଦ୍ବିତୀୟ ଚଉଠ ସୂଚନାମାନ ପ୍ରକାଶ ପାଇବାର ଠିକ୍‌ ଅବ୍ୟବହିତ ପୂର୍ବରୁ ଅକ୍‌ଟୋବର ୨୦୨୨ ପାଇଁ ଅର୍ଥନୀତିର ମଞ୍ଜ କ୍ଷେତ୍ର ରୂପେ ବିବେଚିତ ଅ˚ଶରେ ହାସଲ କରାଯାଇଥିବା ଅଭିବୃଦ୍ଧି ସମ୍ବନ୍ଧରେ ସୂଚନା ପ୍ରକାଶ ପାଇଥିଲା। ମୁଖ୍ୟତଃ ଇସ୍ପାତ, ସିମେଣ୍ଟ୍‌ ଆଦି ଅନ୍ତର୍ଭୁକ୍ତ ଥିବା ଏହି ଭିତ୍ତିଭୂମି କ୍ଷେତ୍ରରେ ସେ ମାସରେ ଘଟିଥିବା ଅଭିବୃଦ୍ଧି ହାର ଥିଲା ମାତ୍ର ୦.୧%, ଯାହା ଜାନୁଆରି ପରଠାରୁ ପରିଦୃଷ୍ଟି ହୋଇଥିବା ସର୍ବନିମ୍ନ ହାର ଥିଲା।

ଏହା ସତ୍ତ୍ବେ ରିଜର୍ଭ ବ୍ୟାଙ୍କ୍‌ ଆଶା ପ୍ରକାଶ କରିଛି ଯେ ବିତ୍ତ ବର୍ଷ ଶେଷ ହେବା ବେଳକୁ ସମଗ୍ର ବର୍ଷ ପାଇଁ ଅର୍ଥନୀତିର ଅଭିବୃଦ୍ଧି ହାର ହୋଇଥିବ ୭%। ଉଭୟ ‘ଆନ୍ତର୍ଜାତିକ ମୁଦ୍ରାପାଣ୍ଠି’ (‘ଆଇଏମ୍‌ଏଫ୍‌) ଓ ‘ବିଶ୍ବ ବ୍ୟାଙ୍ଗ୍‌’ ସେମାନଙ୍କର ପୂର୍ବାନୁମାନରେ ସାମାନ୍ୟ ହ୍ରାସ ଘଟାଇ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଏହି ସମୟ ମଧ୍ୟରେ ଯଥାକ୍ରମେ ୬.୮% ଓ ୬.୫% ହେବ ବୋଲି ଅନୁମାନ କରୁଛନ୍ତି। ଏଥିରେ ସନ୍ଦେହ ନାହିଁ ଯେ ବର୍ତ୍ତମାନର ବିଷାଦଜନକ ଆନ୍ତର୍ଜାତିକ ଦୃଶ୍ୟପଟରେ ଏଭଳି ବୃଦ୍ଧି ହାର ମଧ୍ୟ ବେଶ୍‌ ସନ୍ତୋଷଜନକ ମନେ ହୋଇଥାଏ। କିନ୍ତୁ ଭାରତୀୟ ଅର୍ଥନୀତିର ଏହି ଅଭିବୃଦ୍ଧି ଆଢୁଆଳରେ ଲୁଚି ରହିଥିବା ଉପର ବର୍ଣ୍ଣିତ ଦୁର୍ବଳତା ସମ୍ବନ୍ଧରେ ସଚେତନ ହୋଇ ରିଜର୍ଭ ବ୍ୟାଙ୍କ୍‌ ଓ ସରକାର ତାହାକୁ ଦୂର କରିବା ଲକ୍ଷ୍ୟ ନେଇ ନିଜର ମୁଦ୍ରାନୀତି ଓ ଆଗାମୀ ବଜେଟ୍‌କୁ ରୂପରେଖ ପ୍ରଦାନ କରିବା ଉଚିତ ହେବ।

ସମ୍ବନ୍ଧିତ ଖବର