ପୃଥିବୀ ପୃଷ୍ଠରେ ମନୁଷ୍ୟ ଜାତି ତିଷ୍ଠି ରହିବା ନିମିତ୍ତ ଯେଉଁ ସମସ୍ତ ସମ୍ବଳର ଉପଲବ୍ଧତା ଅପରିହାର୍ଯ୍ୟ ହୋଇଥାଏ, ସେଥିରେ ଯେ ଅଗ୍ରଗଣ୍ୟ ହେଉଛି ବିଦ୍ୟୁତ୍ ଶକ୍ତି ବା ସ˚କ୍ଷେପରେ ଶକ୍ତି, କୌଣସି ଆଧୁନିକ ମନୁଷ୍ୟ ଏଥିରେ ଦ୍ବିମତ ହେବ ନାହିଁ। ଆମର ସୀମାହୀନ ଶକ୍ତି-କ୍ଷୁଧା ମେଣ୍ଟାଇବା ନିମିତ୍ତ ଆମେ ଏ ପର୍ଯ୍ୟନ୍ତ ଏହାର ଉତ୍ପାଦନ ନିମିତ୍ତ ଯେଉଁ ସମସ୍ତ କୌଶଳ ଅବଲମ୍ବନ କରି ଆସିଛୁ, ସେଥିରେ ଅନ୍ତର୍ଭୁକ୍ତ ଅଛି- ତାପଜ ବିଦ୍ୟୁତ୍, ଜଳ ବିଦ୍ୟୁତ୍, ସୌର ବିଦ୍ୟୁତ୍, ବାୟୁ ବିଦ୍ୟୁତ୍ ଓ ଆଣବିକ ବିଦ୍ୟୁତ୍ ଆଦି। ଏହା ସତ୍ତ୍ବେ ଆମେ ଏଥି ସହିତ ସମ୍ପୃକ୍ତ ଦୁଇଟି ପ୍ରସଙ୍ଗର ସମ୍ପୂର୍ଣ୍ଣ ସନ୍ତୋଷଜନକ ସମାଧାନ କରିପାରି ନାହୁଁ। ଏଥିରୁ ଗୋଟିଏ ହେଲା- ଯଥେଷ୍ଟ ପରିମାଣର ଉତ୍ପାଦନ ଓ ଅନ୍ୟଟି ହେଲା- ବିନା କୌଣସି ପ୍ରତିକୂଳ ପାର୍ଶ୍ବ ପ୍ରଭାବ ବା ପ୍ରଦୂଷଣ ଘଟାଇ ଶକ୍ତି ଉତ୍ପାଦନ କରିବା।
ଦେଖିବାକୁ ଗଲେ ପୃଥିବୀବାସୀ ଏଭଳି ଏକ ଶକ୍ତି ସଙ୍କଟର ସମ୍ମୁଖୀନ ହେବାକୁ ଦୁର୍ଭାଗ୍ୟଜନକ ବୋଲି ବିଚାର କରାଯାଇପାରେ। କାରଣ ଆମର ଏହି ଗ୍ରହର ଯିଏ ହେଉଛନ୍ତି ଜନ୍ମଦାତା, ସେଇ ସୂର୍ଯ୍ୟ ନାମକ ତାରକା ମାତ୍ର ଗୋଟିଏ ସେକେଣ୍ତରେ ଯେତିକି ପରିମାଣର ଶକ୍ତି ବିକିରଣ କରିଥାନ୍ତି, ତାହାକୁ ଆମେ ଯଦି କୌଣସି ଉପାୟରେ ଅମଳ କରିପାରନ୍ତୁ, ତାହା ୫୦୦ ନିୟୁତ ବର୍ଷ ପାଇଁ ସମଗ୍ର ପୃଥିବୀର ଶକ୍ତି ଆବଶ୍ୟକତା ପୂରଣ କରିବା ନିମିତ୍ତ ଯଥେଷ୍ଟ ହୁଅନ୍ତା।
ସୂର୍ଯ୍ୟଙ୍କ ଚରିତ୍ର ସମ୍ବନ୍ଧରେ ଅବଗତ ବୈଜ୍ଞାନିକମାନେ ଜାଣନ୍ତି ତାଙ୍କର ଏହି ଅମାପ ଶକ୍ତିର ଯାହା ହେଉଛି ଉତ୍ସ, ତାହା ହେଲା ଏକ ନିର୍ଦ୍ଦିଷ୍ଟ କିସମର ଆଣବିକ ପ୍ରତିକ୍ରିୟା ଯେଉଁଥିରେ କ୍ଷୁଦ୍ର ଅଣୁମାନ ମିଳିତ ହୋଇ ବୃହତ୍ତର ଅଣୁରେ ପରିଣତ ହୁଅନ୍ତି, ଯାହା ‘ଥର୍ମୋନିଉକ୍ଲିଆର୍ ଫ୍ୟୁଜନ୍ ରିଆକ୍ସନ୍’ ରୂପେ ନାମିତ। ସୂର୍ଯ୍ୟଙ୍କର କେନ୍ଦ୍ର ସ୍ଥଳରେ ଭରିହୋଇ ରହିଥିବା ହାଇଡ୍ରୋଜେନ୍ ଅଣୁମାନ ହେଉଛନ୍ତି କ୍ଷୁଦ୍ରତମ ଅଣୁ ଓ ସୂର୍ଯ୍ୟଙ୍କର ବିଶାଳ କାୟା ନିଜର କେନ୍ଦ୍ର ସ୍ଥଳୀ ଉପରେ ପକାଉଥିବା ପ୍ରଚଣ୍ତ ଚାପ ତଥା ସେଠାକାର ୧୬ ନିୟୁତ ଡିଗ୍ରି ସେଲ୍ସିୟସ୍ ଉତ୍ତାପ ସମ୍ଭାଳି ନପାରି ଏହି ହାଇଡ୍ରୋଜେନ୍ ଅଣୁମାନଙ୍କର କେନ୍ଦ୍ରରେ ଥିବା ନିଉକ୍ଲିଅସ୍ ଠାରୁ ସେମାନଙ୍କର ଇଲେକ୍ଟ୍ରନ୍ମାନ ଅଲଗା ହୋଇଯାଆନ୍ତି। ଏଣେ ଏହି ଲଙ୍ଗଳା କ୍ଷୁଦ୍ର ନିଉକ୍ଲିଅସ୍ମାନ ସେଇ ଭୀଷଣ ଚାପର ବଶବର୍ତ୍ତୀ ହୋଇ ପରସ୍ପର ସହିତ ସ˚ଯୁକ୍ତ ହୋଇଯାଇ ବା ସେମାନଙ୍କ ମଧ୍ୟରେ ‘ଫ୍ୟୁଜନ୍’ ଘଟି ବଡ଼ ବଡ଼ ନିଉକ୍ଲିଅସ୍ରେ ପରିଣତ ହୋଇଯାଆନ୍ତି। ଯେଉଁ ଇଲେକ୍ଟ୍ରନ୍ମାନ ହାଇଡ୍ରୋଜେନ୍ ନିଉକ୍ଲିଅସ୍ରୁ ଅଲଗା ହୋଇ ଏକୁଟିଆ ଘୂରି ବୁଲୁଥାନ୍ତି, ସେମାନେ ଏହି ନୂତନ ଭାବରେ ଆବିର୍ଭୂତ ବଡ଼ ବଡ଼ ନିଉକ୍ଲିଅସ୍ମାନଙ୍କ ସହିତ ଯୋଡ଼ି ହୋଇଯାଇ ଅଧିକ ଓଜନିଆ ଅଣୁମାନଙ୍କୁ ଜନ୍ମ ଦିଅନ୍ତି: ନାଇଟ୍ରୋଜେନ୍, କାର୍ବନ୍, ଅକ୍ସିଜେନ୍, ସିଲ୍ଭର୍...। ଉଲ୍ଲେଖଯୋଗ୍ୟ ଯେ ଏଭଳି ଏକ ଥର୍ମୋନିଉକ୍ଲିଆର୍ ଫ୍ୟୁଜନ୍ ରିଆକ୍ସନ୍ ସମ୍ଭବ ହେବା ପାଇଁ ଯେଉଁ ପରିମାଣର ଶକ୍ତି ଆବଶ୍ୟକ ହୋଇଥାଏ, ତାହା ପ୍ରାକୃତିକ ଭାବରେ ପୃଥିବୀରେ ଅକଳ୍ପନୀୟ, କାରଣ ସୂର୍ଯ୍ୟଙ୍କର ବିଶାଳ ଆକାର ସୃଷ୍ଟି କରୁଥିବା ମାଧ୍ୟାକର୍ଷଣ ଚାପ ହେଉଛି ସେହି ଶକ୍ତିର ଉତ୍ସ, ଯାହା ପୃଥିବୀର କ୍ଷୁଦ୍ର ଆକାର ସୃଷ୍ଟି କରିପାରେ ନାହିଁ।
ଶକ୍ତି ଉତ୍ପାଦନ ଦୃଷ୍ଟିକୋଣରୁ ଏହି ନିଉକ୍ଲିଆର୍ ଫ୍ୟୁଜନ୍ ରିଆକ୍ସନ୍ର ଏକ ନିର୍ଦ୍ଦିଷ୍ଟ ଚରିତ୍ର ହେଉଛି ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। ତାହା ହେଲା, ଯେତେବେଳେ ଦୁଇଟି ଆଣବିକ ନିଉକ୍ଲିଅସ୍ ମଧ୍ୟରେ ଫ୍ୟୁଜନ୍ ଘଟି ସେମାନେ ଗୋଟିଏ ବୃହତ୍ତର ନିଉକ୍ଲିଅସ୍ରେ ପରିଣତ ହୋଇଯାଆନ୍ତି, ସେତେବେଳେ ସେମାନଙ୍କର ମିଳିତ ‘ମାସ୍’ ବା ପିଣ୍ତ ସମ୍ପୃକ୍ତ ଦୁଇ ନିଉକ୍ଲିଅସ୍ର ‘ମାସ୍’ର ଯୋଗଫଳ ଠାରୁ କମ୍ ହୋଇଥାଏ। ଅର୍ଥାତ୍, ୨+୨=୪ ନ ହୋଇ ୪ରୁ କମ୍ ହୋଇଥାଏ। ତା’ହେଲେ ‘ମାସ୍’ର ଯେଉଁ ଅ˚ଶ ଉଭାନ ହୋଇଯାଏ, ତାହା ଯାଏ କେଉଁଆଡ଼େ? ଏହାର ଉତ୍ତର ପଦାର୍ଥ ବିଜ୍ଞାନର ପ୍ରତ୍ୟେକ ଛାତ୍ରଙ୍କ ପାଇଁ ହେଉଛି ଏକ ସାଧାରଣ ଜ୍ଞାନ: ଏହି ନିଖୋଜ ‘ମାସ୍’ ନିଜର କାୟା ପରିବର୍ତ୍ତନ କରି ପରିଣତ ହୋଇଯାଇଥାଏ ଶକ୍ତିରେ।
ଏହି ଘଟ ପରିବର୍ତ୍ତନ କିନ୍ତୁ ଯାଦୃଚ୍ଛିକ ଭାବରେ ଘଟି ନଥାଏ; ଏହା ଏକ ନିର୍ଦ୍ଦିଷ୍ଟ ନିୟମକୁ ଅନୁସରଣ କରି ଏକ ନିର୍ଦ୍ଦିଷ୍ଟ ଅନୁପାତରେ ଘଟିଥାଏ। ଏହି ନିୟମର ଆବିଷ୍କର୍ତ୍ତା ହେଉଛନ୍ତି ଆଲ୍ବର୍ଟ ଆଇନ୍ଷ୍ଟାଇନ୍ ଏବ˚ ପଦାର୍ଥ ବିଜ୍ଞାନୀମାନଙ୍କ ଠାରୁ ଆରମ୍ଭ କରି କବିମାନଙ୍କ ପର୍ଯ୍ୟନ୍ତ, ଊଣା ଅଧିକେ ପ୍ରାୟ ପ୍ରତ୍ୟେକ ସାକ୍ଷର ବ୍ୟକ୍ତିଙ୍କର ଏହା ସହିତ ପରିଚିତି ଥାଏ, ତାହା ବୋଧଗମ୍ୟ ହୋଇଥାଉ କି ନଥାଉ। ନିୟମଟି ହେଲା: ‘ଇ=ଏମ୍ସି୨।’ ଏହି ସମୀକରଣରେ ‘ଇ’ ହେଉଛି ଏନର୍ଜି ବା ଶକ୍ତି; ‘ଏମ୍’ ହେଉଛି ‘ମାସ୍’; ‘ସି’ ହେଉଛି ଆଲୋକର ବେଗ; ‘ସି୨’ ହେଉଛି ଆଲୋକର ବେଗର ବର୍ଗଫଳ। ପ୍ରତ୍ୟେକ ସ୍କୁଲ୍ ଛାତ୍ର ଜାଣିଥିବା ଭଳି ଆଲୋକର ବେଗ ହେଉଛି ସ୍ଥିର: ଏକ ସେକେଣ୍ତ୍ରେ ୩ ଲକ୍ଷ କିଲୋମିଟର। ଏଥିରୁ ସହଜରେ ଅନୁମେୟ, ଫ୍ୟୁଜନ୍ ପ୍ରକ୍ରିୟାରେ ‘ମାସ୍’ର ରୂପାନ୍ତର ଘଟି ଉତ୍ପନ୍ନ ହେଉଥିବା ଶକ୍ତିର ପରିମାଣ କିପରି ଅତି ବିଶାଳ ହୋଇଥାଏ। କେବଳ ପରିମାଣର ବିଶାଳତା ନୁହେଁ, ଏହି ଶକ୍ତି ଉତ୍ପନ୍ନ ହେବା ସମୟରେ ବିପଜ୍ଜନକ ତେଜସ୍କ୍ରିୟ ବିକିରଣ ମଧ୍ୟ ଘଟି ନଥାଏ, ଯାହା ଅଣୁ ବିଭାଜନ (ଫିସନ୍) ପ୍ରକ୍ରିୟା ମାଧ୍ୟମରେ ଆଣବିକ ଶକ୍ତିକେନ୍ଦ୍ରମାନଙ୍କରେ ଶକ୍ତି ଉତ୍ପାଦନ ସମୟରେ ଘଟିଥାଏ।
ଏଣୁ ସୂର୍ଯ୍ୟ ଶକ୍ତି ଉତ୍ପାଦନ ନିମିତ୍ତ ଅବଲମ୍ବନ କରୁଥିବା ଏହି ଫ୍ୟୁଜନ୍ କୌଶଳ ପ୍ରୟୋଗ ଦ୍ବାରା ପୃଥିବୀବାସୀଙ୍କର ଶକ୍ତି ସମସ୍ୟାର ଅନ୍ତିମ ସମାଧାନ କରିବା ପାଇଁ ବୈଜ୍ଞାନିକମାନେ ନିରନ୍ତର ଚେଷ୍ଟା କରିବାରେ ଲାଗିଛନ୍ତି। କିନ୍ତୁ ଏହି ଉଦ୍ୟମରେ ସେମାନେ ଦୁଇଟି ମୁଖ୍ୟ ପ୍ରତିବନ୍ଧର ସମ୍ମୁଖୀନ ହୋଇ ଆସିଛନ୍ତି। ଗୋଟିଏ ହେଲା, କୃତ୍ରିମ ଭାବରେ ଫ୍ୟୁଜନ୍ ଘଟାଇବା ନିମିତ୍ତ ଆବଶ୍ୟକ ବିଶାଳ ପରିମାଣର ଶକ୍ତି; ଅନ୍ୟଟି ହେଲା, ପରୀକ୍ଷା ପରେ ପରୀକ୍ଷାରେ ଦେଖାଯାଇଛି ଯେ ଗବେଷଣାଗାରରେ ଫ୍ୟୁଜନ୍ ଘଟାଇବା ନିମିତ୍ତ ଯେତିକି ଶକ୍ତି ଖର୍ଚ୍ଚ କରିବାକୁ ପଡ଼ିଥାଏ, ଉତ୍ପନ୍ନ ଶକ୍ତିର ପରିମାଣ ତା’ଠାରୁ କମ୍ ହୋଇଥାଏ- ଘୋଡ଼ା ଛ’ଟଙ୍କା, ଦାନା ନ’ଟଙ୍କା। ଏଣୁ ଫ୍ୟୁଜନ୍ ପ୍ରକ୍ରିୟା ଦ୍ବାରା ଶକ୍ତି ସମସ୍ୟାର ସମାଧାନ ଏକ ଅବାସ୍ତବ ପରିକଳ୍ପନା ଭଳି ମନେ ହୋଇ ଆସିଥିଲା।
ଏହି ପୃଷ୍ଠଭୂମିରେ ମଙ୍ଗଳବାର ଆମେରିକା ସରକାର କରିଥିବା ଘୋଷଣା ଅନୁସାରେ କାଲିଫର୍ନିଆର ‘ଲରେନ୍ସ ଲିଭର୍ମୋର୍ ନେସ୍ନାଲ୍ ଲାବରେଟରି’ରେ ବୈଜ୍ଞାନିକମାନେ ଲେଜର୍ ବ୍ୟବହାର କରି କରିଥିବା ଫ୍ୟୁଜନ୍ ପରୀକ୍ଷାରେ ପ୍ରଥମ ଥର ପାଇଁ ସଫଳତା ସହିତ ଖର୍ଚ୍ଚ ହୋଇଥିବା ଶକ୍ତି ଠାରୁ ଅଧିକ ଶକ୍ତି ଅମଳ କରିଥିବା ଖବର ପୃଥିବୀସାରା ବିଜ୍ଞାନ, ପରିବେଶ, ଶିଳ୍ପ ବାଣିଜ୍ୟରୁ ରାଜନୀତି ପର୍ଯ୍ୟନ୍ତ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କିନ୍ତୁ ଏଠାରେ ମଧ୍ୟ ମନେ ରଖିବାକୁ ହେବ ଯେ ସେଇ ଲାବରେଟରି ସୂତ୍ରରୁ ମଧ୍ୟ ଏକ ସ୍ବୀକାରୋକ୍ତି ପ୍ରକାଶ ପାଇଛି ଯେ ବାଣିଜ୍ୟିକ ସ୍ତରରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବାକୁ ହେଲେ ସେମାନେ ପରୀକ୍ଷାମୂଳକ ଭାବରେ ଯେତିକି ପରିମାଣର ଶକ୍ତି ଉପାଦାନ (ଇନ୍ପୁଟ୍) ଭାବରେ ବ୍ୟବହାର କରିଛନ୍ତି, ତାହାର ଅନୁପାତରେ ପ୍ରାୟ ୧୦୦ ଗୁଣ ବୃଦ୍ଧି ଘଟାଇବାକୁ ପଡ଼ିବ। ଏହା କେତେକ ଆନୁଷଙ୍ଗିକ ପ୍ରତିବନ୍ଧର ସମ୍ମୁଖୀନ ହୋଇପାରେ, କିନ୍ତୁ ଅସଲ ଉପଲବ୍ଧି ହେଲା ଏହା ଯେ ଲିଭର୍ମୋର୍ ଲାବରେଟରି ପ୍ରମାଣିତ କରିଛି ଫ୍ୟୁଜନ୍- ଘୋଡ଼ା ନ’ଟଙ୍କା ଓ ଦାନା ଛ’ଟଙ୍କା ହେବା ସମ୍ଭବ। ଆଗାମୀ ସମୟରେ ତେଣୁ ପୃଥିବୀରେ ସୂର୍ଯ୍ୟଙ୍କ ସନ୍ତାନମାନେ ତାଙ୍କରି କୌଶଳ ବ୍ୟବହାର କରି ନିଜର ଶକ୍ତି ସମସ୍ୟାର ଯେ ସମାଧାନ କରିବାକୁ ଯାଉଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ।