ନବ ବର୍ଷର ଉପହାର ସ୍ବରୂପ ବିଗତ ବର୍ଷ ବିଦାୟ ନେବାର ଅବ୍ୟବହିତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍‌ ଗ୍ରହଣ କରିଥିବା ଏକ ନିଷ୍ପତ୍ତି ଯଦି ଦେଶର ୮୧ କୋଟିରୁ ଅଧିକ ହିତାଧିକାରୀମାନଙ୍କୁ ଖୁସି କରୁଥିବ, ତାହା ସରକାରଙ୍କର ବିରୋଧୀମାନଙ୍କ ପାଇଁ ମଧ୍ୟ ସରକାରଙ୍କୁ ଆକ୍ରମଣ କରିବା ପାଇଁ ଏକ ଆୟୁଧ ରୂପେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେଉଥିବ। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍‌ (‘ଏନ୍‌ଏଫ୍‌ଏସ୍‌ଏ’) ଅନୁସାରେ ବଣ୍ଟନ କରାଯାଉଥିବା ଖାଦ୍ୟଶସ୍ୟ ପାଇଁ ଏହି ହିତାଧିକାରୀମାନେ ଏପର୍ଯ୍ୟନ୍ତ ଯେଉଁ ନାମମାତ୍ର ମୂଲ୍ୟ ପୈଠ କରୁଥିଲେ, ୨୦୨୩ରେ ସେମାନଙ୍କୁ ତାହା ମଧ୍ୟ ପୈଠ କରିବାକୁ ପଡ଼ିବ ନାହିଁ- ପୂରା ମାଗଣା। ସରକାର ଏହା ଦ୍ବାରା ଏହି ବିଶାଳ ସଂଖ୍ୟକ ହିତାଧିକାରୀମାନଙ୍କ ଅାନୁଗତ୍ୟ ଲାଭ କରିବାକୁ ନିଶ୍ଚିତ ରୂପେ ଲକ୍ଷ୍ୟ ରଖିଥିବେ। ବିରୋଧୀ ପକ୍ଷ କିନ୍ତୁ ଏହାକୁ ଏକ ବୁମରାଙ୍ଗ୍ ଭଳି ସରକାରଙ୍କ ବିରୋଧରେ ପ୍ରୟୋଗ କରିବାର ସୁଯୋଗକୁ କେବେ ହେଲେ ହାତଛଡ଼ା କରିବେ ନାହିଁ। ପ୍ରଥମ, ପ୍ରଧାନମନ୍ତ୍ରୀ ମୋଦୀ ଗତ ବର୍ଷ ଯେଉଁ ମାଗଣା ବଣ୍ଟନ ରାଜନୀତିକୁ ଭର୍ତ୍ସନା କରି ‘ରେବଡ଼ି ବଣ୍ଟନ’ ଆଖ୍ୟା ଦେଇଥିଲେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ମାଗଣା ଖାଦ୍ୟଶସ୍ୟ ବଣ୍ଟନ ଠିକ୍‌ ତାହା ନୁହେଁ କି? ଦ୍ବିତୀୟ, କେତେକ କମ୍ୟୁନିଷ୍ଟ ନେତା କହିବାକୁ ଆରମ୍ଭ କରିଥିବା ଭଳି, ଏଭଳି ମାଗଣା ଖାଦ୍ୟଶସ୍ୟ ବଣ୍ଟନର ଆବଶ୍ୟକତା ପ୍ରମାଣ କରିଥାଏ ଯେ ଦେଶରେ ବ୍ୟାପକ ବେକାରି ଓ ବେରୋଜଗାରି ରାଜୁତି କରୁଛି, ଯାହା ପ୍ରଧାନମନ୍ତ୍ରୀ ନିଜ ତୁଣ୍ଡରେ ସ୍ବୀକାର କରୁନାହାନ୍ତି।

Advertisment

କିନ୍ତୁ ଏ ସମସ୍ତ ବିତର୍କକୁ ଯଦି ଭେଦ କରି ଦେଖାଯାଏ, ତେବେ ଯାହା ଦୃଷ୍ଟିଗୋଚର ହୋଇଥାଏ, ତାହା ହେଲା ଏହି ମାଗଣା ବଣ୍ଟନ ପାଇଁ ସରକାର ଯେଉଁ କୌଶଳ ଅବଲମ୍ବନ କରିବାକୁ ଯାଉଛନ୍ତି, ତାହା ହେଉଛି- ମାଛ ତେଲରେ ମାଛ ଭାଜିବା। କାରଣ, ଏହି ମାଗଣା ବଣ୍ଟନ ଘୋଷଣା ସହିତ ସରକାର ଚୁପ୍‌ଚାପ୍‌ ଅନ୍ୟ ଯେଉଁ ଏକ ଅନୁରୂପ ଯୋଜନାର ଅନ୍ତ ଘଟାଇ ଦେଇଛନ୍ତି, ତାହା ହେଲା ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’, ଯାହା ଅଧୀନରେ ସେଇ ହିତାଧିକାରୀମାନେ ହିଁ ପ୍ରତି ମାସରେ ଅତିରିକ୍ତ ୫ କିଗ୍ରା ଲେଖାଏଁ ଖାଦ୍ୟଶସ୍ୟ ମାଗଣାରେ ପାଇ ପାରୁଥିଲେ। ‌େକାଭିଡ୍‌ର ପ୍ରଥମ ଲହରୀର ଆବିର୍ଭାବ ପରେ ପରେ ୨୦୨୦ ଏପ୍ରିଲ୍‌ରେ ଆରମ୍ଭ କରାଯାଇଥିବା ଏହି ଯୋଜନା ବାବଦରେ ସରକାରଙ୍କୁ ଏ ଯାବତ୍‌ ପ୍ରାୟ ୩.୯ ଲକ୍ଷ କୋଟି ଟଙ୍କାର ବ୍ୟୟ ଭାର ବହନ କରିବାକୁ ପଡ଼ି ସାରିଲାଣି। ସେହି ଯୋଜନାକୁ ଯଦି ଆଉ ଏକ ବର୍ଷ କାଳ ବଳବତ୍ତର ରଖାଯାଇଥାନ୍ତା, ତେବେ ସରକାରଙ୍କୁ ସେ ବାବଦରେ ଆଉ ୧.୬-୧.୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ନ୍ତା। ସେ ତୁଳନାରେ ‘ଏନ୍‌ଏଫ୍‌ଏସ୍‌ଏ’ ମାଧ୍ୟମରେ କରାଯାଉଥିବା ବଣ୍ଟନକୁ ସମ୍ପୂର୍ଣ୍ଣ ମାଗଣା କରି ଦିଆଯିବା ଦ୍ବାରା ଚଳିତ ବର୍ଷ ସରକାରଙ୍କୁ ୨୦,୦୦୦ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ।

‘ଏନ୍‌ଏଫ୍‌ଏସ୍‌ଏ’ ଅଧୀନରେ ଗହମ କିଲୋଗ୍ରାମ ପିଛା ୨ ଟଙ୍କା, ଚାଉଳ କିଗ୍ରା ୩ ଟଙ୍କା ଓ ଅନ୍ୟାନ୍ୟ ମୋଟା ଶସ୍ୟ କିଗ୍ରା ୧ ଟଙ୍କା ହିସାବରେ ହିତାଧିକାରୀମାନେ ମାସକୁ ସର୍ବୋଚ୍ଚ ମୁଣ୍ଡ ପିଛା ୫ କିଗ୍ରା ଶସ୍ୟ ପାଇ ପାରିଥାନ୍ତି। ଏହା ବ୍ୟତୀତ ‘ଅନ୍ତ୍ୟୋଦୟ ଅନ୍ନ ଯୋଜନା’ ମାଧ୍ୟମରେ ଅତ୍ୟନ୍ତ ଗରିବ ପରିବାରମାନ ସେଇ ଦରରେ ମାସକୁ ୩୫ କିଗ୍ରା ଶସ୍ୟ ମଧ୍ୟ ପାଇପାରିଥାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୩ରେ ତତ୍‌କାଳୀନ ‘ୟୁପିଏ’ ସରକାର ଯେତେବେଳେ ‘ଏନ୍‌ଏଫ୍‌ଏସ୍‌ଏ’ ଆଇନ ପ୍ରବର୍ତ୍ତନ କରିଥିଲେ, ସେତେବେଳେ ଏକ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା ଯେ ବଣ୍ଟନ କରାଯାଉଥିବା ଶସ୍ୟର ଅର୍ଥନୈତିକ ଖର୍ଚ୍ଚ (ଇକନୋମିକ୍‌ କଷ୍ଟ୍‌) ସହିତ ତାଳମେଳ ରକ୍ଷା କରାଯାଇ ହିତାଧିକାରୀମାନଙ୍କ ପାଇଁ ତାହାର ବିକ୍ରୟ ଦର (ଇସ୍ୟୁ ପ୍ରାଇସ୍‌)ରେ ନିୟମିତ ପରିବର୍ତ୍ତନ କରାଯିବ। ସୂଚନାଯୋଗ୍ୟ, ସଂଗ୍ରହର ସର୍ବନିମ୍ନ ସହାୟକ ଦର (ଏମ୍‌ଏସ୍‌ପି), ଗୋଦାମରେ ସାଇତିବା ଖର୍ଚ୍ଚ, ପରିବହନ ଖର୍ଚ୍ଚ ଓ ବିତରଣ ଖର୍ଚ୍ଚ ଆଦି ଅର୍ଥନୈତିକ ଖର୍ଚ୍ଚରେ ଅନ୍ତର୍ଭୁକ୍ତ ହୋଇଥାଏ। କହିବା ବାହୁଲ୍ୟ ଏହି ଆଇନ କାର୍ଯ୍ୟକାରୀ ହେବା ପରଠାରୁ ସଂଗୃହୀତ ଶସ୍ୟର ଅର୍ଥନୈତିକ ଖର୍ଚ୍ଚରେ ଅନବରତ ବୃଦ୍ଧି ଘଟି ଚାଲିଥିବା ବେଳେ ତାହାର ବିକ୍ରୟ ଦରରେ ସେଇ ଅନୁଯାୟୀ କେବେହେଲେ ପୁନଃ ନିର୍ଦ୍ଧାରଣ ଘଟି ନାହିଁ। ଏଥିଯୋଗୁଁ ଏହି ଦୁଇ ମୂଲ୍ୟ ମଧ୍ୟରେ ତଫାତ୍‌ର ମାତ୍ରା ନିରବଚ୍ଛିନ୍ନ ଭାବରେ ବୃଦ୍ଧି ପାଇ ଚାଲିଛି।

ଉଦାହରଣ ସ୍ବରୂପ ଗହମ ପାଇଁ ୨୦୧୩ ବିତ୍ତବର୍ଷରେ ଏହି ତଫାତ୍‌ର ଆକାର କ୍ବିଣ୍ଟାଲ୍‌ ପିଛା ୨,୩୦୫ ଟଙ୍କା ଥିବା ବେଳେ ୨୦୨୩ ବିତ୍ତବର୍ଷ ପାଇଁ ତାହା ବୃଦ୍ଧି ପାଇ ହୋଇଛି ୩,୬୭୦ ଟଙ୍କା। ଏହା ସରକାର ପ୍ରଦାନ କରୁଥିବା ଖାଦ୍ୟ ସବ୍‌ସିଡି ବୋଝରେ ଲଗାତାର ବୃଦ୍ଧି ଘଟାଇ ଚାଲିଛି। ଏହାର ଏକ ଉଦାହରଣ ସ୍ବରୂପ ୨୦୧୯ ବିତ୍ତ ବର୍ଷରେ ଖାଦ୍ୟ ସବ୍‌ସିଡିର ଆକାର ୧ ଲକ୍ଷ କୋଟି ଟଙ୍କା ଥିବା ବେଳେ ୨୦୨୧ରେ ତାହା ହୋଇଥିଲା ୫.୪୧ ଲକ୍ଷ କୋଟି ଟଙ୍କା (ଏଥିରେ ଏ ବାବଦରେ ସରକାର କରିଥିବା ୩.୪ ଲକ୍ଷ କୋଟି ଟଙ୍କାର ଋଣ ପରିଶୋଧ ଅନ୍ତର୍ଭୁକ୍ତ)। ୨୦୨୨ ବିତ୍ତ ବର୍ଷରେ ଖାଦ୍ୟ ସବ୍‌ସିଡି ଥିଲା ଏକ ଉଚ୍ଚା ୨.୮୬ ଲକ୍ଷ କୋଟି ଟଙ୍କା। ଚଳିତ ବିତ୍ତ ବର୍ଷ ପାଇଁ ବଜେଟ୍‌ରେ ୨.୦୬ ଲକ୍ଷ କୋଟି ଟଙ୍କାର ଖାଦ୍ୟ ସବ୍‌ସିଡି ନିମିତ୍ତ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଶେଷରେ ୨.୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଏକ ବିଶାଳ ବଫର୍‌ ଷ୍ଟକ୍‌ ସୃଷ୍ଟି କରିବା ଦ୍ବାରା ଏହି ବୋଝରେ ବୃଦ୍ଧି ଘଟି ଚାଲିଛି।

ଏହି ବିଶାଳ ଖାଦ୍ୟ ସବ୍‌ସିଡି ଯୋଗୁଁ ସରକାରଙ୍କର ବିତ୍ତୀୟ ନିଅଣ୍ଟ ସୀମାତିକ୍ରମ କରି ମୁଣ୍ଡ ବିନ୍ଧାର କାରଣ ହେଉଛି। ଏହି ପୃଷ୍ଠଭୂମିରେ ‘ଗରିବ କଲ୍ୟାଣ ଅନ୍ନ ଯୋଜନା’ ଅପରିହାର୍ଯ୍ୟ ହୋଇଥିଲେ ହେଁ ସରକାରଙ୍କ ପାଇଁ ଏକ ଅସହନୀୟ ବୋଝ ସୃଷ୍ଟି କରିଥିଲା। ଅତୀତରେ ଅନେକ ଥର ଏହାର ଅବଧି ସମାପ୍ତ ହେବାକୁ ଥିଲେ ହେଁ, କୋଭିଡ୍‌ ଗ୍ରସ୍ତ ସମାଜର ଦୁର୍ବଳ ଶ୍ରେଣୀଙ୍କର ସୁରକ୍ଷା ଦୃଷ୍ଟିରୁ ଏହାକୁ ସଂପ୍ରସାରିତ କରା ହୋଇ ଚାଲିଥିଲା। ଶେଷ ଥର ପାଇଁ ଏହି ମାଗଣା ଖାଦ୍ୟଶସ୍ୟ ଯୋଜନାକୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇଥିଲା। ଏଥର ସେଥିରେ ସମାପ୍ତି ଘଟିଛି।

କିନ୍ତୁ କୋଭିଡ୍‌ ସମ୍ପର୍କିତ ଏହି ଖାଦ୍ୟ ଯୋଗାଣ ଯୋଜନାରେ ସିନା ଅନ୍ତ ଘଟିଲା, ଜନସାଧାରଣ ଓ ବିଶେଷ କରି ଅର୍ଥନୈତିକ ଦୁର୍ବଳ ବର୍ଗର ଜନସାଧାରଣ ଏ ପର୍ଯ୍ୟନ୍ତ ନିଜର କୋଭିଡ୍‌ ପୂର୍ବର ସ୍ଥିତିକୁ ଫେରି ପାରିନାହାନ୍ତି। ଏହାର ଏକ ପ୍ରମାଣ ସ୍ବରୂପ ଦେଖାଯାଉଛି ଯେ ଏକ ଉଜାଣି ସ୍ରୋତ ସ୍ବରୂପ ସହରରେ କାମଧନ୍ଦା ନ ପାଇ ଗାଁ ଗଣ୍ଡାରୁ ଆସିଥିବା ଜୀବିକା ସନ୍ଧାନୀମାନେ ପୁଣି ଗାଁ ଅଭିମୁଖେ ଫେରିବାକୁ ଲାଗିଛନ୍ତି (ଏହା ଅର୍ଥନୀତିଜ୍ଞ ସାଇମନ୍‌ କୁଜ୍‌ନେଟ୍‌ସଙ୍କର ପ୍ରସିଦ୍ଧ ‘କ୍ଷେତ୍ରୀୟ ସ୍ଥାନାନ୍ତରଣ’ ତତ୍ତ୍ବର ବିରୋଧାଚରଣ କରିଥାଏ)। ଅତଏବ ଆହୁରି କେତେ ଦିନ ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଏଭଳି ଦୁର୍ବଳ ଶ୍ରେଣୀର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ଦାୟିତ୍ବ ଯେ ରାଷ୍ଟ୍ରର, ଏଥିରେ ସନ୍ଦେହ ନାହିଁ। ନିଜ ସୃଷ୍ଟ ‌େରବଡ଼ି ବାଣ ବୁମରାଙ୍ଗ୍‌ ହୋଇ ଆଘାତ ଦେଲେ ମଧ୍ୟ, ସରକାର ଆଉ ବର୍ଷେ ପାଇଁ ‘ଏନ୍‌ଏଫ୍‌ଏସ୍‌ଏ’ ଅଧୀନରେ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ ପାଇଁ ନିଷ୍ପତ୍ତି ନେଇ ସେଇ ମୌଳିକ ଦାୟିତ୍ବ ସମ୍ପାଦନ ଦିଗରେ ଏକ ପଦକ୍ଷେପ ନେଇଛନ୍ତି। ମାଛ ତେଲରେ ମାଛ ଭଜା ହେଉ ପଛକେ।