ରାଜସ୍ଥାନର ସହର କୋଟା, ଯାହାକୁ ଭାରତର କୋଚିଙ୍ଗ୍ କ୍ୟାପିଟାଲ୍ ରୂପେ ବର୍ଣ୍ଣନା କରାଯାଇଥାଏ, କ୍ରମେ ଅଷ୍ଟାଦଶ-ଊନବିଂଶ ଶତାବ୍ଦୀର ପ୍ରଭାବଶାଳୀ ଜର୍ମାନ୍ ଦାର୍ଶନିକ ଜର୍ଜ ୱିଲ୍ହେଲ୍ମ ଫ୍ରେଡେରିକ୍ ହେଗେଲ୍ଙ୍କର ଏକ ପରୀକ୍ଷାଗାରରେ ପରିଣତ ହୋଇ ସାରିଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେଉଁ ସଦ୍ୟତମ ଘଟଣା ଏହାର ନିଷ୍ଠୁର ସ୍ବାକ୍ଷର ବହନ କରିଥାଏ, ତାହା ହେଉଛି ଗତ ମାସରେ ସେଠାରେ ଘଟିଥିବା ତିନିଜଣ କିଶୋର କୋଚିଙ୍ଗ୍ ଇନ୍ଷ୍ଟିଚ୍ୟୁଟ୍ ଛାତ୍ରଙ୍କର ଆତ୍ମହତ୍ୟା, ଯେଉଁମାନଙ୍କର ବୟସ ଯଥାକ୍ରମେ ଥିଲା ୧୬,୧୭ ଓ ୧୮ ବର୍ଷ। ସେମାନଙ୍କ ମଧ୍ୟରୁ ଦୁଇଜଣ ଥିଲେ ବିହାରର ଓ ଅନ୍ୟ ଜଣକ ଥିଲା ମଧ୍ୟପ୍ରଦେଶର। ଜଣେ ‘ଆଇଆଇଟି’ରେ ପ୍ରବେଶ କରିବା ନିମିତ୍ତ ‘ଜେଇଇ’ ପରୀକ୍ଷାରେ ସଫଳ ହେବା ଲକ୍ଷ୍ୟ ନେଇ କୋଚିଙ୍ଗ୍ ଗ୍ରହଣ କରୁଥିବା ବେଳେ ଅନ୍ୟ ଦୁଇଜଣ ଡାକ୍ତରୀ ପଢ଼ିବା ପାଇଁ କୌଣସି ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନରେ ପ୍ରବେଶ କରିବାର ଯୋଗ୍ୟତା ହାସଲ କରିବା ନିମିତ୍ତ ‘ନିଟ୍’ ପରୀକ୍ଷାରେ କୃତକାର୍ଯ୍ୟ ହେବା ଲକ୍ଷ୍ୟ ନେଇ ସମ୍ପୃକ୍ତ ଇନ୍ଷ୍ଟିଚ୍ୟୁଟ୍ରେ କୋଚିଙ୍ଗ୍ ଗ୍ରହଣ କରୁଥିଲେ। ଏମାନଙ୍କୁ ମିଶାଇ ୨୦୨୨ରେ କୋଟାରେ ମୋଟ ୧୪ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ। ‘ନେସନାଲ୍ କ୍ରାଇମ୍ ରେକର୍ଡସ ବ୍ୟୁରୋ’ (‘ଏନ୍ସିଆର୍ବି’)ର ରିପୋର୍ଟ ଅନୁଯାୟୀ ୨୦୧୪େର ସେଠାରେ ୪୫ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ, ୨୦୧୫ ଓ ୨୦୧୬ରେ ୧୭ ଜଣ ଲେଖାଏଁ ଛାତ୍ର ନିଜ ହାତରେ ନିଜର ଜୀବନ ନେଇଥିଲେ।
ଏହି ହତଭାଗ୍ୟମାନେ ହେଉଛନ୍ତି କୋଟାରେ ଥିବା ୧୦ଟି ବିଶାଳ ଓ ପ୍ରାୟ ୫୦ଟି ଛୋଟ ଛୋଟ କୋଚିଙ୍ଗ ଇନ୍ଷ୍ଟିଚ୍ୟୁଟ୍ରେ ତାଲିମ ନେଉଥିବା ପ୍ରାୟ ଦୁଇ ଲକ୍ଷ କିଶୋର କିଶୋରୀମାନଙ୍କ ମଧ୍ୟରୁ କେତେକ, ଯେଉଁମାନେ ସେଠାରେ ରାଜୁତି କରୁଥିବା ଅସହନୀୟ ମାନସିକ ଚାପ ଦ୍ବାରା ଏପରି ବିଚ୍ଛିନ୍ନୀକୃତ (ଏଲିଏନେଟେଡ୍) ହୋଇ ପଡ଼ିଥାନ୍ତି ଯେ ସେମାନେ ଶେଷରେ ଆତ୍ମହତ୍ୟା ମାଧ୍ୟମରେ ଜୀବନ ଠାରୁ ମଧ୍ୟ ବିଚ୍ଛିନ୍ନ ହୋଇଯିବାକୁ ପଛାନ୍ତି ନାହିଁ। କହିବା ବାହୁଲ୍ୟ ଏମାନେ ଖାପ ଖାଇ ପାରିନଥାନ୍ତି- ଶ୍ରେଣୀ ଗୃହରୁ ପରିବାର ପର୍ଯ୍ୟନ୍ତ, କୋଟାର ଛାତ୍ର ସମାଜରୁ ବୃହତ୍ତର ସମାଜ ପର୍ଯ୍ୟନ୍ତ ଯେଉଁ ମୂଲ୍ୟବୋଧ ପରିବ୍ୟାପ୍ତ ହୋଇଥାଏ, ସେମାନେ ତାହା ସହିତ ଖାପ ଖାଇ ପାରିନଥାନ୍ତି।
ଏହା ହେଉଛି ହେଗେଲ୍ଙ୍କ ଦୁନିଆ। ସେ ଦୁନିଆରେ ଆନନ୍ଦ ହେଉଛି ନିଜ ସମାଜର ଆଦର୍ଶ ସହିତ ନିଜକୁ ଖାପ ଖୁଆଇବା ବଦଳରେ ବ୍ୟକ୍ତିକୁ ମିଳୁଥିବା ପୁରସ୍କାର। ଏହା ହେଉଛି ପୃଥକ୍କରଣ, ବିଚ୍ଛିନ୍ନୀକରଣ ଓ ସଂଘାତର ଅନ୍ତ ଘଟିବାରୁ ଉପଲବ୍ଧ ହେଉଥିବା ଆନନ୍ଦ। ଏହା ହେଉଛି ଏକତ୍ରୀକରଣ ଅନୁଭବ, ଗୋଷ୍ଠୀ ସହିତ ଏକାତ୍ମ ଭାବରୁ ମିଳୁଥିବା ଆନନ୍ଦ। କିନ୍ତୁ ଜଣେ ଯଦି ନିଜକୁ ନିଜ ସମାଜ ସହିତ ଚିହ୍ନିତ କରି ନ ପାରେ, ନିଜ ସମାଜର ଆଦର୍ଶ ସହିତ ଖାପ୍ ଖାଇ ନ ପାରେ, ଅନୁଷ୍ଠାନମାନଙ୍କୁ ଗ୍ରହଣ କରି ନ ପାରେ- ତା’ର କ’ଣ ହେବ? ହେଗେଲ୍ଙ୍କ ଅନୁସାରେ ସେ ଏକ ବିଚ୍ଛିନୀକୃତ ଅବସ୍ଥାରେ ଜୀବନ ବିତାଇବ। ତା’ର ସମାଜ ପାଇଁ ଯାହା ହେଉଛି ଆଦର୍ଶ, ତା’ ପାଇଁ ତାହା ହୋଇଥାଏ ନିରର୍ଥକ। ତା’ର ସମାଜର ସାମଗ୍ରିକ ଚେତନା ବା ‘ୱେଲ୍ଟଗାଇଷ୍ଟ’ ଠାରୁ ସେ ବିଚ୍ଛିନ୍ନ ହୋଇ ନିଃସଙ୍ଗ ହୋଇଯାଇଥାଏ। ହେଗେଲ୍ଙ୍କର ଏହି ଚିନ୍ତାଧାରାକୁ ଆଧାର କରି ପରବର୍ତ୍ତୀ ସମୟରେ ବିଂଶ ଶତାବ୍ଦୀର ଦାର୍ଶନିକମାନେ ବିଚ୍ଛିନ୍ନୀକରଣର ଯେଉଁ ଅନୁଶୀଳନ କଲେ, ଅାତ୍ମହତ୍ୟା ତା’ର ଅନ୍ୟତମ ଏକ ପରିଣାମ ରୂପେ ପ୍ରଦର୍ଶିତ ହେଲା।
୧୯୮୦ ଦଶକର ମଧ୍ୟ ଭାଗରେ କୋଟାରେ ‘ଆଇଆଇଟି’ ପ୍ରବେଶିକା ପରୀକ୍ଷା ନିମିତ୍ତ ଆଶାୟୀ ଛାତ୍ରଛାତ୍ରୀଙ୍କୁ କୋଚିଙ୍ଗ୍ ପ୍ରଦାନ କରାଯିବା ଆରମ୍ଭ ହେଲା। ତାହା କ୍ରମେ ଦାନା ବାନ୍ଧି ସେଠାରେ ବର୍ତ୍ତମାନ ବହିରାଗତ ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତା ପୂରଣ ନିମିତ୍ତ ପ୍ରାୟ ୩,୫୦୦ ହଷ୍ଟେଲ୍, ୨୫,୦୦୦ ପେଇଙ୍ଗ୍ ଗେଷ୍ଟ ବାସସ୍ଥଳୀ, ୧୮୦୦ ମେସ୍ ଏବଂ ଜଳଖିଆ ଦୋକାନରୁ ସେଲୁନ୍ ପର୍ଯ୍ୟନ୍ତ ଅସଂଖ୍ୟ ଅନ୍ୟାନ୍ୟ ଛୋଟ ବଡ଼ ବ୍ୟବସାୟ ମାନ ମୁଣ୍ଡ ଟେକିଛନ୍ତି। ଏଠାରେ କୋଚିଙ୍ଗ୍ ଇନ୍ଷ୍ଟିଚ୍ୟୁଟ୍ମାନେ ପ୍ରତ୍ୟେକ ଛାତ୍ରଠାରୁ ବାର୍ଷିକ ପ୍ରାୟ ହାରାହାରି ଫି ବାବଦରେ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରିଥାନ୍ତି। ଏହା ବାଦ୍ ଛାତ୍ରଛାତ୍ରୀମାନଙ୍କୁ ନିଜର ରହିବା ଖାଇବା ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ। ଏ ସମସ୍ତ ମିଶି ରାଜସ୍ଥାନର କ୍ଷୁଦ୍ର ସହର କୋଟାକୁ ଏକ ବାର୍ଷିକ ୬୦,୦୦୦-୭୦,୦୦୦ କୋଟି ଟଙ୍କାର ଅର୍ଥନୀତିରେ ପରିଣତ କରିଥାନ୍ତି। ଅର୍ଥାତ୍ କୋଟାର କୋଚିଙ୍ଗ୍ ଫ୍ୟାକ୍ଟ୍ରି ସେ ସହରର ଅଧିବାସୀଙ୍କର ଜୀବିକାର୍ଜନର ମୁଖ୍ୟ ଆଧାରରେ ପରିଣତ ହୋଇଛି।
ଏହି ଫାକ୍ଟ୍ରିର ଯେଉଁମାନେ ହେଉଛନ୍ତି କଞ୍ଚାମାଲ୍, ସେଇ ଦୁଇ ଲକ୍ଷ ସରିକି ଛାତ୍ରଛାତ୍ରୀମାନଙ୍କ ଅବସ୍ଥା ଉପରେ ଦୃଷ୍ଟି ନିକ୍ଷେପ କଲେ ଯାହା ଦେଖିବାକୁ ମିଳେ, ତାହା ହେଲା ପାରାଭାଡ଼ି ପରି ଛୋଟ ଛୋଟ କୋଠରିରେ ଆବଦ୍ଧ ରହି ଦିନକୁ ୧୮ ଘଣ୍ଟା ଅଧ୍ୟୟନ, ଅନବରତ ପରୀକ୍ଷା ଓ ମୂଲ୍ୟାୟନ, ଏବଂ ପ୍ରଚଣ୍ଡ ପ୍ରତିଯୋଗିତାର ସମ୍ମୁଖୀନ କୋମଳମତି କିଶୋର କିଶୋରୀ-ମାନେ, ଯେଉଁମାନେ ସମସାୟିକ ସାମାଜିକ, ଅର୍ଥନୈତିକ ଓ ପାରିବାରିକ ଚାପର ସ୍ରୋତରେ ଭାସି ଭାସି ସୁଅ ମୁହଁରେ ପତର ପରି ସେଠାରେ ସାମୟିକ ଭାବରେ ଲାଖି ଯାଇଥାନ୍ତି। ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ପ୍ରବେଶିକା ପରୀକ୍ଷାରେ ସଫଳ ହୋଇ କୌଣସି ଏକ ପ୍ରତିଷ୍ଠିତ ଇଞ୍ଜିନିଅରିଙ୍ଗ୍ କିମ୍ବା ମେଡିକାଲ୍ କଲେଜରେ ସ୍ଥାନଟିଏ ହାସଲ କରିବା। ଏହି ଯୋଜନାରେ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଏକ ଗୌଣ ସ୍ଥାନ ଅଧିକାର କରିଥାଏ ଏବଂ ଅଧିକାଂଶ କୋଚିଙ୍ଗ୍ ଇନ୍ଷ୍ଟିଚ୍ୟୁଟ୍ମାନଙ୍କର ସ୍ଥାନୀୟ ସ୍କୁଲ୍ମାନଙ୍କ ସହିତ ଏପରି ଅଲିଖିତ ବୁଝାମଣା ଥାଏ, ଯେପରି ଛାତ୍ରଛାତ୍ରୀମାନେ ସ୍କୁଲ୍ରେ ଚାଲିଥିବା ସେମାନଙ୍କର ନିୟମିତ ଶ୍ରେଣୀ ବର୍ଜନ କରି ସେଇ ସମୟରେ କୋଚିଙ୍ଗ୍ କ୍ଲାସ୍ରେ ଅଂଶ ଗ୍ରହଣ କରି ପାରିବେ।
ଏହି କୃଚ୍ଛ୍ର ସାଧନା ପରେ ଯେଉଁ ଫଳପ୍ରାପ୍ତି ପାଇଁ ଏହି କିଶୋର କିଶୋରୀମାନେ ଆଶା ବାନ୍ଧିଥାନ୍ତି, ତାହାର ପ୍ରାପ୍ତି ଅନୁପାତ ହେଉଛି ମାତ୍ର ଏକ ଶତାଂଶ- ଅର୍ଥାତ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ଶହେ ଜଣଙ୍କ ମଧ୍ୟରୁ ମାତ୍ର ଜଣେ ଈପ୍ସିତ ସଫଳତା ପ୍ରାପ୍ତ ହୋଇଥାଏ। ଅନ୍ୟ ଭାବରେ ପ୍ରକାଶ କଲେ ଏଭଳି କୋଚିଙ୍ଗ୍ କେନ୍ଦ୍ରକୁ ଅଧିକାଂଶ ପ୍ରତିଯୋଗୀଙ୍କର ସ୍ବପ୍ନର ସମାଧି ସ୍ଥଳ ବୋଲି କୁହାଯାଇପାରେ। ଯେତେବେଳେ ଏହି କିଶୋର କିଶୋରୀମାନେ ଏହି କୋଚିଙ୍ଗ୍ କାରଖାନାରେ କାର୍ଯ୍ୟରତ ଥାନ୍ତି, ସେତେବେଳେ ଏହି ଅନ୍ତିମ ବିଫଳତାର ଦୃଢ଼ ସମ୍ଭାବନା ସେମାନଙ୍କୁ ଅନବରତ ଆତଙ୍କିତ ଅବସ୍ଥାରେ ରଖିଥାଏ।
ପିତାମାତାଙ୍କର ଉଚ୍ଚାକାଙ୍କ୍ଷାର ଚାପ, ଅବିରତ ଅଧ୍ୟୟନ, ମୂଲ୍ୟାୟନ ଓ ପ୍ରତିଯୋଗିତାର ଚାପ ସହିତ ଅବଶେଷରେ ବିଫଳତାର ଏହି ଦୃଢ଼ ସମ୍ଭାବନାର ଚାପ ମିଶି କେତେକଙ୍କୁ ଯେ ସେମାନଙ୍କର ‘ୱେଲ୍ଟଗାଇଷ୍ଟ’ ଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରି ଦେଇଥାଏ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଉଲ୍ଲେଖଯୋଗ୍ୟ ଯେ ଏହି ବିଚ୍ଛିନ୍ନୀକରଣ କୋଟାଠାରେ ଏକ ବିସ୍ଫୋରକ ରୂପ ନେଇଥିବା ବେଳେ, ଦେଶର ଶିକ୍ଷା ବ୍ୟବସ୍ଥାର ଏହି ନିର୍ଦ୍ଦୟ ଚରିତ୍ର ଯୋଗୁଁ ସାରା ଦେଶରେ ଛାତ୍ର ଆତ୍ମହତ୍ୟା ହାରରେ ଚିନ୍ତାଜନକ ଭାବରେ ବୃଦ୍ଧି ଘଟିବା ଦେଖାଯାଉଛି। ‘ଏନ୍ସିଆର୍ବି’ ରିପୋର୍ଟ ଅନୁସାରେ ୨୦୨୧ରେ ଦେଶରେ ଛାତ୍ର ଆତ୍ମହତ୍ୟା ସଂଖ୍ୟାରେ ୪.୫ ଶତାଂଶ ବୃଦ୍ଧି ଘଟି ୧୩,୦୮୯ରେ ପହଞ୍ଚିଥିଲା।
ଏହି ବିଷାଦଜନକ ଚିତ୍ରର ଦୁଇଟି ଦିଗ ପ୍ରତି ଧ୍ୟାନ ଦିଆଯିବା ନିତାନ୍ତ ଜରୁରୀ। ଆମର ‘ଜେଇଇ’ ବା ‘ନିଟ୍’ ଭଳି ଚୟନ ବ୍ୟବସ୍ଥା କାହିଁକି ଏପରି ହୋଇଛି ଯେ କୋଚିଙ୍ଗ କେନ୍ଦ୍ର ନାମକ କାରଖାନା ଦ୍ବାରା ପ୍ରସ୍ତୁତ ପ୍ରାର୍ଥୀମାନେ ତାହାକୁ ଭେଦ କରିପାରୁଛନ୍ତି? ପ୍ରକୃତ ମେଧା ଚିହ୍ନଟ କରିବା ପାଇଁ ଏକ କାରଖାନାମୁକ୍ତ ଚୟନ ବ୍ୟବସ୍ଥା ପରିକଳ୍ପନା କରାଯିବା ଦରକାର, ଯାହା ଅଭ୍ୟାସ ଅପେକ୍ଷା ସୃଜନଶୀଳତାକୁ ଅଧିକ ପ୍ରାଧାନ୍ୟ ପ୍ରଦାନ କରିବ। ଦ୍ବିତୀୟରେ ଯେହେତୁ କୋଚିଙ୍ଗ୍ କାରଖାନା ମାନଙ୍କରେ ଛାତ୍ରଛାତ୍ରୀମାନେ ଏଭଳି ଗୁରୁତର ମାନସିକ ଆଘାତର ସମ୍ମୁଖୀନ ହେଉଛନ୍ତି, ସେଠାରେ ବାଧ୍ୟତାମୂଳକ ଭାବରେ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ମନୋବୈଜ୍ଞାନିକ ଉପଦେଷ୍ଟା ବା କାଉନ୍ସେଲର୍ମାନଙ୍କୁ ନିଯୁକ୍ତ କରିବା ପାଇଁ ଆଇନ ପ୍ରଣୟନ ହେବା ଆବଶ୍ୟକ। ଯେଉଁ କିଶୋର କିଶୋରୀମାନେ ହେଉଛନ୍ତି ଜାତିର ଭବିଷ୍ୟତ, ସେମାନଙ୍କୁ ଛିନ୍ନମୂଳ କରି ମୃତ୍ୟୁ ମୁଖକୁ ଠେଲି ଦିଆଯାଉଥିବା ଦୃଶ୍ୟର ନିରବ ଦର୍ଶକ ହୋଇ ସମାଜ ଆଉ କେତେ କାଳ ରହିବ?