ଚୀନ୍ରେ ସାଂସ୍କୃତିକ ବିପ୍ଳବ ସମୟରେ ଚୀନା ନାରୀମାନଙ୍କୁ ପୁରୁଷମାନଙ୍କ ସହିତ ସମାନ ବୋଲି ଦର୍ଶାଇବା ପାଇଁ ଚେଆର୍ମ୍ୟାନ୍ ମାଓ ଜେଡଙ୍ଗ୍ ସେମାନଙ୍କୁ ଉତ୍ସାହବାଣୀ ଶୁଣାଇଥିଲେ: ‘‘ନାରୀମାନେ ଆକାଶର ଅର୍ଦ୍ଧେକକୁ ଟେକି ଧରିଥାନ୍ତି।’’ ସତେ ଯେମିତି ସେମାନଙ୍କ ପାଇଁ ଏହା ଯଥେଷ୍ଟ ନୁହେଁ ବୋଲି ଦେଖାଇବା ପାଇଁ ଭାରତୀୟ ନାରୀମାନେ ବର୍ତ୍ତମାନ ଦାବି କରିପାରିବେ ଯେ ସେମାନେ ଏବେ ଅଧା ଅାକାଶ ନୁହେଁ, ସାରା ଆକାଶକୁ ଦଖଲ କରିସାରିଲେଣି। ଏହାର ଏକ ସଦ୍ୟତମ ପ୍ରମାଣ ସ୍ବରୂପ ସମ୍ବାଦ ପ୍ରକାଶ ପାଇଛି ଯେ ଚଳିତ ମାସରେ ଭାରତ ଓ ଜାପାନ ମଧ୍ୟରେ ଜାପାନରେ ଅନୁଷ୍ଠିତ ହେବାକୁ ଯାଉଥିବା ସର୍ବପ୍ରଥମ ଆକାଶ ଯୁଦ୍ଧ ସମରାଭ୍ୟାସରେ ସ୍କ୍ବାଡ୍ରନ୍ ଲିଡର୍ ଅବନୀ ଚତୁର୍ବେଦୀ ସର୍ବପ୍ରଥମ ଭାରତୀୟ ବାୟୁସେନା ମହିଳା ଫାଇଟର୍ ପାଇଲଟ୍ ଭାବରେ ଅଂଶ ଗ୍ରହଣ କରିବେ। ଆଉ, ଯଦି କେଉଁ ପକ୍ଷହୀନ ମନୁଷ୍ୟ ସାରା ଆକାଶକୁ ଦଖଲ କରିଥିବା ଭଳି ବିରଳ ଅନୁଭବର ଅଧିକାରୀ ହୋଇଥାଏ, ସେ ହେଉଛି ଆକାଶର ଛାତି ଚିରି ଅବଲୀଳା କ୍ରମେ ଉଡୁଥିବା ଏକ ଫାଇଟର୍ ଜେଟ୍ର ପାଇଲଟ୍। ଅତ୍ୟାଧୁନିକ ସୁଖୋଇ ଯୁଦ୍ଧ ବିମାନ ଉଡ଼ାଉଥିବା ଅବନୀ ମଧ୍ୟ ଭାରତୀୟ ବାୟୁସେନାର ଏକମାତ୍ର ଫାଇଟର୍ ପାଇଲଟ୍ ନୁହଁନ୍ତି; ତାଙ୍କୁ ମିଶାଇ ୧୭ ଜଣ ମହିଳା ଫାଇଟର୍ ପାଇଲଟ୍ ବର୍ତ୍ତମାନ ଭାରତର ଆକାଶରେ ଯୁଦ୍ଧ ବିମାନ ଚଳାଇ ପଇଁତରା ମାରୁଛନ୍ତି। ଏମାନଙ୍କ ବ୍ୟତୀତ ଆଉ ପ୍ରାୟ ୧୫୦ ଜଣ ମହିଳା ପାଇଲଟ୍ ବାୟୁସେନା, ସ୍ଥଳସେନା ଓ ନୌ-ସେନାରେ ହେଲିକପ୍ଟର୍ ଓ ପରିବହନ ବିମାନ ଉଡ଼ାଇବାରେ ନିୟୋଜିତ ଅଛନ୍ତି।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସ୍କ୍ବାଡ୍ରନ୍ ଲିଡର୍ ଅବନୀ ଚତୁର୍ବେଦୀ ଯେଉଁ ସମୟରେ ଆକାଶରେ ଇତିହାସ ରଚନା କରୁଛନ୍ତି, ସେଇ ସମୟେର ଭାରତର ଆଉ ଜଣେ ମହିଳା ଯୋଦ୍ଧା ପୃଥିବୀର ଉଚ୍ଚତମ ତଥା ଶୀତଳତମ ଯୁଦ୍ଧ େକ୍ଷତ୍ରରେ ନାରୀ ଶକ୍ତିର ଧ୍ବଜା ଉଡ଼ାଇବା ଦେଖାଯାଇଛି। ସେ ହେଉଛନ୍ତି କ୍ୟାପ୍ଟେନ୍ ଶିବା ଚୌହାନ୍ ଯିଏ ସର୍ବପ୍ରଥମ ମହିଳା ଅଫିସର୍ ରୂପେ ଭାରତୀୟ ସେନାବାହିନୀ ଦ୍ବାରା ସିଆଚେନ୍ଠାରେ ଅବସ୍ଥାପିତ ହୋଇଛନ୍ତି। କ୍ୟାପ୍ଟେନ୍ ଚୌହାନ୍ ହେଉଛନ୍ତି ‘ଆର୍ମି ଇଞ୍ଜିନିଅରିଙ୍ଗ୍ କୋର୍’ର ସଦସ୍ୟା ଏବଂ ସେଠାରେ ମୁତୟନ ହେବା ପୂର୍ବରୁ ସେ ପୂର୍ବ ପ୍ରସ୍ତୁତିର ଅଂଶ ସ୍ବରୂପ ‘ସିଆଚେନ୍ ବାଟ୍ଲ ସ୍କୁଲ୍’ଠାରେ ଏକ ମାସର ତାଲିମ ଗ୍ରହଣ କରିଛନ୍ତି। ସେ ତାଙ୍କର ସାଥୀ ପୁରୁଷ ଅଫିସର୍ମାନଙ୍କ ପରି ବରଫାବୃତ ସିଆଚେନ୍ରେ ତିନି ମାସ କାଳ ପହରା ଦେବେ, ଯେଉଁଠି ତାପମାତ୍ରା ହ୍ରାସ ପାଇ ବେଳେ ବେଳେ -୬୦ଂ ସେଲ୍ସିଅସ୍ ଛୁଇଁଥାଏ।
ଏଥିରେ ସନ୍ଦେହ ନାହିଁ ଯେ ବିଗତ ଦଶନ୍ଧିମାନଙ୍କରେ ଭାରତର ପ୍ରତିରକ୍ଷା ବାହିନୀମାନଙ୍କରେ ଲିଙ୍ଗ ସନ୍ତୁଳନରେ ଯେଉଁ ଉନ୍ନତି ଘଟି ଚାଲିଛି, ସ୍କ୍ବାଡ୍ରନ୍ ଲିଡର୍ ଅବନୀ ଚତୁର୍ବେଦୀ ବା କ୍ୟାପ୍ଟେନ୍ ଶିବା ଚୌହାନ୍ଙ୍କ ପରି ଯୋଦ୍ଧାମାନେ ହେଉଛନ୍ତି ତାହାର ଶକ୍ତିଶାଳୀ ପ୍ରତିନିଧି। ଏମାନଙ୍କୁ ଯୋଦ୍ଧା କହିବାର କାରଣ ହେଲା ଶତ୍ରୁ ଆକ୍ରମଣ ଘଟିଲେ ଏମାନେ ପୃଷ୍ଠ ଦେଶରେ କେଉଁଠି ସୁରକ୍ଷିତ ନ ରହି, ସିଧାସଳଖ ଶତ୍ରୁର ମୁକାବିଲା କରିଥାନ୍ତି। ପାରମ୍ପରିକ ଚିନ୍ତାଧାରାରେ ପରିବର୍ତ୍ତନ ଘଟି ୧୯୯୨ରେ ପ୍ରଥମେ ଭାରତୀୟ ପ୍ରତିରକ୍ଷା ବାହିନୀମାନଙ୍କର ବିଭିନ୍ନ ଶାଖାମାନଙ୍କରେ ମହିଳାମାନଙ୍କୁ ନିଯୁକ୍ତ କରିବା ଆରମ୍ଭ ହେବା ପରେ ମଧ୍ୟ ନିକଟ ଅତୀତ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ଯୋଦ୍ଧା ସୁଲଭ ଲଢୁଆ ଭୂମିକା ପ୍ରଦାନ କରାଯାଉନଥିଲା। ଏହା ପଛରେ ନିହିତ ଥିବା କାରଣମାନ ଜୈବିକରୁ ସାଂସ୍କୃତିକ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ଶାରୀରିକ ଭାବେ ଦୁର୍ବଳ ମହିଳା ବଳବାନ୍ ପୁରୁଷ ଶତ୍ରୁ ସହିତ ଲଢ଼ିବା ସର୍ବଦା ପରାଜୟରେ ସମାପ୍ତ ହେବ ବୋଲି ବିଶ୍ବାସ କରାଯାଉଥିଲା। ମହିଳା ସୈନିକଙ୍କୁ ରକ୍ଷା କରିବାକୁ ପ୍ରାଧାନ୍ୟ ଦେଇ ସାଥୀ ପୁରୁଷ ସୈନ୍ୟମାନେ ଏପରି କିଛି ଆଚରଣ ପ୍ରଦର୍ଶନ କରି ପାରନ୍ତି, ଯାହା ସେମାନଙ୍କ ଦଳର ପରାଜୟର କାରଣ ହୋଇପାରେ। ଗର୍ଭଧାରଣ, ସନ୍ତାନ ପ୍ରସବ ଓ ସନ୍ତାନ ଲାଳନ ପାଳନ ଯୋଗୁଁ ମହିଳାମାନଙ୍କୁ ଦୀର୍ଘକାଳ କାର୍ଯ୍ୟରୁ ଅନୁପସ୍ଥିତ ରହିବାକୁ ପଡ଼ିପାରେ। ନାରୀମାନେ ହିଂସ୍ର ଲଢ଼େଇରେ ବ୍ୟାପୃତ ହେଲେ ନିଜର ନାରୀ ସୁଲଭ କୋମଳତା, ଦୟା ଭାବ ଆଦି ହରାଇ ବସିବେ।
ଦୂର ଅତୀତରେ ଯେତେବେଳେ ଯୁଦ୍ଧ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ଲଢ଼େଇରେ ସୀମିତ ଥିଲା, ସେତେବେଳେ ଏଭଳି ଚିନ୍ତାଧାରା ନିଶ୍ଚିତ ରୂପେ ପ୍ରାସଙ୍ଗିକ ଥିଲା; ଏକବିଂଶ ଶତାବ୍ଦୀରେ ଯୁଦ୍ଧର ଚରିତ୍ରରେ କିନ୍ତୁ ଯେଉଁଭଳି ପରିବର୍ତ୍ତନ ଘଟିଛି, ସେଥିରେ ଏଭଳି ଭାବନା ପାଇଁ ଆଉ ସ୍ଥାନ ନାହିଁ କହିଲେ ଭୁଲ୍ ହେବ ନାହିଁ। ଏହା ସତ ଯେ ଗାଲ୍ୱାନ୍ ବା ତାୱାଙ୍ଗ୍ ଭଳି ଘଟଣାରେ ଯେଉଁଠି ଚୁକ୍ତି ଅନୁସାରେ ଦୁଇ ପକ୍ଷ ମଧ୍ୟରେ ଲଢ଼େଇ ବାହୁଯୁଦ୍ଧରେ ସୀମିତ ଥାଏ, ସେଠାରେ ମହିଳାମାନଙ୍କର ସ୍ଥାନ ନାହିଁ; କିନ୍ତୁ ଯୁଦ୍ଧ ଯେଉଁଠି ଉଚ୍ଚ ଜ୍ଞାନକୌଶଳ ବ୍ୟବହାର ଦ୍ବାରା ପରିଚାଳିତ ହୋଇଥାଏ, ସେଠାରେ ଜୟ ପରାଜୟ ବାହୁବଳ ଅପେକ୍ଷା ବୁଦ୍ଧିବଳ ଉପରେ ଅଧିକ ନିର୍ଭର କରିଥାଏ। ୟୁକ୍ରେନ୍ର ମହିଳା ଡ୍ରୋନ୍ ନିୟନ୍ତ୍ରକମାନେ ଦୂରରେ ଥାଇ ରୁଷ୍ ସେନାବାହିନୀର ଯେଉଁଭଳି ବିପୁଳ କ୍ଷୟକ୍ଷତି ଘଟାଇ ଚାଲିଛନ୍ତି, ତାହା ହେଉଛି ଏହି ପରିବର୍ତ୍ତିତ ରଣକୌଶଳର ଏକ ତାଜା ଉଦାହରଣ।
ଯଦି ଦେଶର ପ୍ରତିରକ୍ଷା ପାଇଁ ଶାରୀରିକ ଶକ୍ତି ଅପେକ୍ଷା ମସ୍ତିଷ୍କର ଶକ୍ତି ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାଏ, ତେବେ ବଳବାନ ପୁରୁଷମାନଙ୍କୁ ସେନାବାହିନୀରେ ନିଯୁକ୍ତ କରିବାକୁ ଯାଇ ବୁଦ୍ଧିମତୀ ନାରୀମାନଙ୍କୁ ପ୍ରବେଶ କରିବାକୁ ନ ଦେବା ଦ୍ବାରା ଦେଶର ପ୍ରତିରକ୍ଷା ଦୁର୍ବଳ ହେବ। ଖୋଦ୍ ଅବନୀ ଓ ଶିବା ହେଉଛନ୍ତି ଏହାର ପ୍ରମାଣ: ଜଣେ କମ୍ପ୍ୟୁଟର୍ ବିଜ୍ଞାନରେ ସ୍ନାତକ ହୋଇଥିବା ବେଳେ ଅନ୍ୟ ଜଣକ ହେଉଛନ୍ତି ଜଣେ ଇଞ୍ଜିନିଅର୍। ଏମାନଙ୍କଠାରୁ ବହୁ ଅଧିକ ଶାରୀରିକ ବଳର ଅଧିକାରୀ ହୋଇଥିବା ଅନେକ ପୁରୁଷମାନଙ୍କ ଠାରୁ ଏମାନଙ୍କର ମସ୍ତିଷ୍କ ବହୁ ଅଧିକ ତୀକ୍ଷ୍ଣ ହୋଇଥିବା ନିଶ୍ଚିତ। ଯଦି ସେମାନେ ମହିଳା ହୋଇଥିବାରୁ ସେମାନଙ୍କୁ ଲଢୁଆ ଭୂମିକାରେ ନିଯୁକ୍ତ କରାଯାଆନ୍ତା ନାହିଁ, ତାହା ଦେଶର ପ୍ରତିରକ୍ଷା ପାଇଁ କ୍ଷତିକାରକ ସାବ୍ୟସ୍ତ ହୁଅନ୍ତା।
ଅପର ପକ୍ଷେ ଯଦି ମହିଳା ସୈନିକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କୁ ପୃଷ୍ଠଭୂମିରେ ଯୋଗାଣ ୟୁନିଟ୍ ବା ହସ୍ପିଟାଲ୍ ଆଦିରେ ମୁତୟନ କରାଯାଏ, ତାହା ମଧ୍ୟ ସେମାନଙ୍କୁ ଶତ୍ରୁର ବିମାନ ଆକ୍ରମଣ, ବୋମାମାଡ଼ କିମ୍ବା ଡ୍ରୋନ୍ ଆକ୍ରମଣରୁ ସୁରକ୍ଷିତ ରଖିପାରିବ ନାହିଁ। ଗର୍ଭଧାରଣ, ସନ୍ତାନ ପାଳନ ଆଦି ଯୋଗୁଁ ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା କର୍ତ୍ତବ୍ୟରେ ଅଧିକ ଅନୁପସ୍ଥିତ ରହନ୍ତି କିମ୍ବା ଅବହେଳା ପ୍ରଦର୍ଶନ କରନ୍ତି ବୋଲି ରହିଥିବା ବଦ୍ଧମୂଳ ଧାରଣା ମଧ୍ୟ ଭ୍ରମାତ୍ମକ ବୋଲି ଗବେଷଣାରୁ ଜଣାପଡ଼ିଥାଏ। ସାମରିକ ରେକର୍ଡ ଅନୁସାରେ ଅତ୍ୟଧିକ ମଦ୍ୟପାନ ଜନିତ ମାତାଲାମି, ବିନାନୁମତି ଅନୁପସ୍ଥିତି (‘ଆଓଲ୍’) ଓ ଅନ୍ୟାନ୍ୟ ବିଶୃଙ୍ଖଳ ଆଚରଣ ଯୋଗୁଁ ପୁରୁଷ ସୈନିକମାନଙ୍କ ଦ୍ବାରା ଯେତିକି ସମୟ ନଷ୍ଟ ହୋଇଥାଏ, ତାହା ମହିଳାମାନଙ୍କ ଠାରୁ ବହୁ ଅଧିକ ହୋଇଥାଏ। ଏକ ସୁଚିନ୍ତିତ ଛୁଟି ଯୋଜନା କାର୍ଯ୍ୟକାରୀ କରାଯିବା ଦ୍ବାରା ଓ ଦାୟିତ୍ବ ପୁନର୍ବଣ୍ଟନ ଦ୍ବାରା ମହିଳା ଯୋଦ୍ଧାମାନଙ୍କର ଗର୍ଭଧାରଣ ଇତ୍ୟାଦି ଜନିତ ସମସ୍ୟାର ଏକ ଫଳପ୍ରଦ ସମାଧାନ କରାଯାଇପାରିବ।
ସାମରିକ ବାହିନୀରେ କେତେକ ନିର୍ଦ୍ଦିଷ୍ଟ ଇଲାକାକୁ ବାଦ ଦେଲେ, ବାକି ସ୍ଥାନମାନଙ୍କରେ ମହିଳାମାନଙ୍କୁ ନିଯୁକ୍ତିରୁ ବଞ୍ଚିତ କରିବା ଅର୍ଥ ଯେ ଦେଶକୁ ନିଜର ସମ୍ପୂର୍ଣ୍ଣ ସାମର୍ଥ୍ୟର ଉପଯୋଗରୁ ବଞ୍ଚିତ କରିବା, ସ୍କ୍ବାଡ୍ରନ୍ ଲିଡର୍ ଅବନୀ ଓ କ୍ୟାପଟେନ୍ ଶିବା ସୃଷ୍ଟି କରିଥିବା ଉଦାହରଣ ହେଉଛି ତା’ର ପ୍ରମାଣ। ନାରୀମାନେ ହେଉଛନ୍ତି ଦେଶର ମାନବ ସମ୍ବଳର ଅର୍ଦ୍ଧେକ। ସେମାନଙ୍କର ଯୋଗଦାନ ବିନା କୌଣସି କ୍ଷେତ୍ର ସର୍ବାଧିକ ସମ୍ଭବ ଦକ୍ଷତା ହାସଲ କରିପାରିବ ନାହିଁ; ପ୍ରତିରକ୍ଷା କ୍ଷେତ୍ର ତା’ର ବ୍ୟତିକ୍ରମ ନୁହେଁ।