ଖାଲି ସିନ୍ଦୁକ

ରାଜନୀତିର ଚିରାଚରିତ ମିଥ୍ୟା ପ୍ରତିଶ୍ରୁତି, ବାହାସ୍ଫୋଟ, କାଦୁଅ ଫିଙ୍ଗାଫିଙ୍ଗିକୁ ଅତିକ୍ରମ କରି ରାହୁଳ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ଏବେ ଏପରି ଏକ ଅପରିଚିତ ଦାର୍ଶନିକ ‌ମୋଡ଼ ନେବା ଦେଖାଯାଇଛି ଯାହାର ଥଳକୂଳ ପାଇବା ପେସାଦାର ରାଜନେତାଙ୍କ ପକ୍ଷରେ କାଠିକର ପାଠ। ଯାତ୍ରା ଯୋଗୁଁ ତାଙ୍କର ଭାବମୂର୍ତ୍ତିରେ କିଛି ପରିବର୍ତ୍ତନ ଘଟିଛି କି ବୋଲି ଜଣେ ସାମ୍ବାଦିକଙ୍କର ଏକ ପ୍ରଶ୍ନର ପ୍ରତିକ୍ରିୟାରେ ରାହୁଳ ଗାନ୍ଧୀ ଯେଉଁ ଉତ୍ତର ଦେଇଥିଲେ, ତାହା ହିଁ ଥିଲା ଏହି ଦାର୍ଶନିକ ମୋଡ଼। ରାହୁଳ ସାମ୍ବାଦିକଙ୍କୁ କହିଥିଲେ ଯେ ସେ (ସାମ୍ବାଦିକ ଜଣକ) ଯାହାଙ୍କ ସହିତ କଥା ହେଉଛନ୍ତି, ସେ ରାହୁଳ ଗାନ୍ଧୀ ନୁହଁନ୍ତି, କାରଣ ସେ (ରାହୁଳ ଗାନ୍ଧୀ) ତାଙ୍କୁ ମାରି ଦେଇଛନ୍ତି। ଅର୍ଥାତ୍‌ ପ୍ରତ୍ୟେକ ବ୍ୟକ୍ତି ବହନ କରୁଥିବା ଏକ ଆତ୍ମସତ୍ତା ଭଳି ରାହୁଳ ଯେଉଁ ଆତ୍ମସତ୍ତା ବହନ କରୁଛନ୍ତି (ବା କରୁନାହାନ୍ତି), ତା’ର ପରିଚୟ ରାହୁଳ ଗାନ୍ଧୀ ନୁହନ୍ତି।

ଏହି ଉତ୍ତର ଦେବା ପରେ ରାହୁଳ ସେ ସାମ୍ବାଦିକଙ୍କୁ ମଧ୍ୟ କହିଥିଲେ ଯେ ତାଙ୍କର ଏହି ଉତ୍ତର ବୁଝିପାରିବା ସାମ୍ବାଦିକଙ୍କ ପକ୍ଷରେ ସମ୍ଭବ ନୁହେଁ ଏବଂ ଯଦି ସାମ୍ବାଦିକଜଣକ ଏହାର ଅର୍ଥ ହୃଦୟଙ୍ଗମ କରିବାକୁ ଚାହାନ୍ତି, ତାଙ୍କୁ ହିନ୍ଦୁ ଧର୍ମ ସମ୍ବନ୍ଧରେ ଅଧ୍ୟୟନ କରିବାକୁ ପଡ଼ିବ। ଯଦି ସମ୍ପୃକ୍ତ ସାମ୍ବାଦିକ କିମ୍ବା ଅନ୍ୟ କେହି ଅନିସନ୍ଧିତ୍ସୁ ରାହୁଳଙ୍କ ଉପଦେଶ ମାନି ଆତ୍ମସତ୍ତାର ସ୍ବରୂପ ସମ୍ବନ୍ଧରେ ଜ୍ଞାନ ଆହରଣ ପାଇଁ ଉଦ୍ୟମ କରନ୍ତି, ତେବେ ତାଙ୍କ ପାଇଁ ଯାହା ବୋଧହୁଏ ସର୍ବୋତ୍କୃଷ୍ଟ ଉତ୍ସ ରୂପେ ବିବେଚିତ ହେବ, ତାହା ହେଉଛି ଛାନ୍ଦୋଗ୍ୟ ଉପନି‌ଷଦ୍‌ରେ ସଂସାରର ସର୍ବୋଚ୍ଚ ରାଜନେତା ଦେବରାଜ ଇନ୍ଦ୍ର ଓ ତାଙ୍କର ଗୁରୁ ପ୍ରଜାପତିଙ୍କ ମଧ୍ୟରେ ଆତ୍ମସତ୍ତାର ସ୍ବରୂପ ସମ୍ବନ୍ଧରେ ହୋଇଥିବା କଥୋପକଥନ।

ଆତ୍ମସତ୍ତା ବା ଆତ୍ମନ୍‌ ସମ୍ବନ୍ଧରେ ଜ୍ଞାନ ଆହରଣ ନିମିତ୍ତ ‌ଦେବତାମାନେ ଓ ରାକ୍ଷସମାନେ ଯଥାକ୍ରମେ ଇନ୍ଦ୍ର ଓ ବିରୋଚନଙ୍କୁ ପ୍ରଜାପତିଙ୍କ ନିକଟକୁ ପଠାଇଲେ। ପ୍ରଜାପତି ଏ ଉଭୟ ଶିଷ୍ୟଙ୍କୁ ଏକ ଜଳ ପାତ୍ରରେ ନିଜ ନିଜର ପ୍ରତିବିମ୍ବ ଉପରେ ଦୃଷ୍ଟି ନିବଦ୍ଧ କରିବାକୁ ଆଦେଶ ଦେଲେ ଓ ସେମାନେ କ’ଣ ଦେଖିବାକୁ ପାଉଛନ୍ତି ବୋଲି ପ୍ରଶ୍ନ କଲେ। ସେମାନେ ନିଜର ନଖ, କେଶ ସମେତ ସମଗ୍ର ସତ୍ତା ଦେଖିବାକୁ ପାଉଛନ୍ତି ବୋଲି କହିଲାରୁ ପ୍ରଜାପତି ସେମାନଙ୍କୁ ତାହାହିଁ ଆତ୍ମନ୍‌ କହି ବିଦାୟ ଦେଲେ। ସ୍ଥୂଳ ଶରୀରକୁ ଆତ୍ମସତ୍ତା ରୂପେ ବିଶ୍ବାସ କରି ବିରୋଚନ ରାକ୍ଷସମାନଙ୍କ ପାଖକୁ ଫେରିଗଲେ କିନ୍ତୁ ଇନ୍ଦ୍ରଙ୍କର ସନ୍ଦେହ ଦୂର ନ ହେବାରୁ ସେ ପୁଣି ପ୍ରଜାପତିଙ୍କ ନିକଟକୁ ଲେଉଟି ଆସିଲେ।

ଇନ୍ଦ୍ର ପ୍ରଜାପତିଙ୍କୁ ପ୍ରଶ୍ନ କଲେ ଯଦି ଶରୀର ହିଁ ଆତ୍ମନ୍‌ ହୋଇଥାଏ, ତେବେ ଶରୀର ବସନଭୂଷଣ ଦ୍ବାରା ସୁସଜ୍ଜିତ ହେଲେ ଆତ୍ମନ୍‌ ମଧ୍ୟ ସୁସଜ୍ଜିତ ହେବ, ଶରୀର କ୍ଷତବିକ୍ଷତ ହେଲେ ଆତ୍ମନ୍‌ ମଧ୍ୟ କ୍ଷତବିକ୍ଷତ ହେବ, ଶରୀରର ମୃତ୍ୟୁ ଘଟିଲେ ଆତ୍ମନ୍‌ର ମଧ୍ୟ ମୃତ୍ୟୁ ଘଟିବ। ‌େତଣୁ ଇନ୍ଦ୍ରଙ୍କ ପାଇଁ ପ୍ରଜାପତିଙ୍କର ଏହି ଉତ୍ତର ସନ୍ତୋଷଜନକ ‌ନଥିଲା। ପ୍ରଜାପତି ଏଥର ଇନ୍ଦ୍ରଙ୍କୁ ଅନ୍ୟ ଏକ ଉଚ୍ଚତର ଉତ୍ତର ପ୍ରଦାନ କଲେ। ସେ କହିଲେ ତୁମେ ସ୍ବପ୍ନ ଦେଖିବା ବେଳେ ଯେଉଁ ସତ୍ତା ତାହାକୁ ଅନୁଭବ କରେ, ସେଇ ସତ୍ତା ହିଁ ହେଉଛି ଆତ୍ମନ୍‌। ଇନ୍ଦ୍ର ସେଠାରୁ ପ୍ରସ୍ଥାନ କଲେ କିନ୍ତୁ ତାଙ୍କ ମନରେ ପୁଣି ସନ୍ଦେହ ଉଙ୍କି ମାରିଲା। ସେ ପ୍ରଜାପତିଙ୍କ ପାଖକୁ ଫେରିଆସି ଏହା ପ୍ରକାଶ କଲେ। ଇନ୍ଦ୍ର କହିଲେ ଯଦିବା ଯେତେବେଳେ ଶରୀର ଅନ୍ଧ ହୋଇଯାଏ, ସେତେବେଳେ ସ୍ବପ୍ନସତ୍ତା ଅନ୍ଧ ହୋଇଯାଏ ନାହିଁ କିମ୍ବା ଶରୀର ଆହତ ହେଲେ ସ୍ବପ୍ନସତ୍ତା ଆହତ ହୁଏ ନାହିଁ…, ତଥାପି ମନେ ହୋଇଥାଏ ସତେ ଯେମିତି ସିଏ ଯନ୍ତ୍ରଣା ପାଇଥାଏ, ଲୁହ ଝରାଇଥାଏ…। ପ୍ରଜାପତି ଇନ୍ଦ୍ରଙ୍କୁ ସ୍ବପ୍ନସତ୍ତା ହିଁ ହେଉଛି ଆତ୍ମନ୍‌ ବୋଲି କହିବାର କାରଣ ଥିଲା ଏହା ବୁଝାଇବା ଯେ ପ୍ରକୃତ ଆତ୍ମନ୍‌ ହେଉଛି ଯନ୍ତ୍ରଣା ଜର୍ଜରିତ, ଦୋଷ ତ୍ରୁଟିଯୁକ୍ତ ସ୍ଥୂଳ ଶରୀର ଠାରୁ ଭିନ୍ନ; ଶରୀର ହେଉଛି ଚେତନା ଦ୍ବାରା ବ୍ୟବହୃତ ଏକ ଉପକରଣ, ଚେତନା ଶରୀର ଦ୍ବାରା ସୃଷ୍ଟ ନୁହେଁ। ପ୍ରଜାପତି ତାଙ୍କର ଉତ୍ତରରେ ସ୍ବପ୍ନ ଅବସ୍ଥାକୁ ବ୍ୟବହାର କରିବାର କାରଣ ସ୍ବପ୍ନ ଏକ ଶରୀର-ମୁକ୍ତ ଅବସ୍ଥା ହୋଇଥାଏ, ଶରୀର ସୁପ୍ତ ଥିବା ବେଳେ ଆତ୍ମନ୍‌ ସ୍ବାଧୀନ ଭାବରେ ବିଚରଣ କରୁଥାଏ। କିନ୍ତୁ ଇନ୍ଦ୍ର ଅନୁଭବ କରିଥିଲେ ଯେ ପ୍ରଜାପତିଙ୍କ ଉତ୍ତରର ସ୍ବପ୍ନସତ୍ତା ପ୍ରକୃତରେ ସ୍ବାଧୀନ ନୁହେଁ, ତାହା ସ୍ଥାନ ଓ କାଳ ଦ୍ବାରା ଆବଦ୍ଧ ସ୍ବପ୍ନ ଦେଖୁଥିବା ବ୍ୟକ୍ତିର ଅନୁଭୂତି ଉପରେ ନିର୍ଭରଶୀଳ। ଇନ୍ଦ୍ର ତେଣୁ ଏହାକୁ ସ୍ବାଧୀନ, ଅବିନଶ୍ବର ଆତ୍ମନ୍‌ ରୂପେ ଗ୍ରହଣ କରି ନ ପାରି ପ୍ରଜାପତିଙ୍କ ନିକଟରେ ଉପରୋକ୍ତ ମତେ ନିଜର ଅସନ୍ତୋଷ ପ୍ରକାଶ କଲେ।

ପ୍ରଜାପତି ଏଥର ଇନ୍ଦ୍ରଙ୍କୁ ଆଉ ଟିକିଏ ଉଚ୍ଚତର ଶିକ୍ଷାଦାନ କଲେ। ସେ କହିଲେ ଯେତେବେଳେ ଜଣେ ମନୁଷ୍ୟ ସମ୍ପୂର୍ଣ୍ଣ ସ୍ବପ୍ନହୀନ ଅବସ୍ଥାରେ ଗଭୀର ନିଦରେ ଶୋଇପଡ଼ିଥାଏ, ତାହା ହିଁ ହେଉଛି ଆତ୍ମନ୍‌। ଏହି ଉତ୍ତର ପାଇବା ପରେ ଇନ୍ଦ୍ର ସେଠାରୁ ପ୍ରସ୍ଥାନ କଲେ, କିନ୍ତୁ ପୁଣି ପ୍ରଜାପତିଙ୍କ ନିକଟକୁ ଲେଉଟି ଆସିଲେ। ଏଥର ମଧ୍ୟ ତାଙ୍କର ମନ ଆଉ ଏକ ସନ୍ଦେହ ଦ୍ବାରା ଆନ୍ଦୋଳିତ ହେଉଥିଲା। ଇନ୍ଦ୍ର ବିଚାର କଲେ ଯେଉଁ ସତ୍ତା ଗଭୀର ନିଦ୍ରାରେ ଥିବା ସମୟରେ ନିଜର ସ୍ଥିତି ସମ୍ବନ୍ଧରେ ମଧ୍ୟ ସଚେତନତା ହରାଇ ବସିଥାଏ ଏବଂ ଅନ୍ୟ ସମସ୍ତ ବସ୍ତୁମାନଙ୍କ ସମ୍ବନ୍ଧରେ ସଚେତନତା ହରାଇ ବସିଥାଏ, ସେଇ ସମୟରେ ସେ ସମ୍ପୂର୍ଣ୍ଣ ରୂପେ ଧ୍ବଂସ ପାଇ ଯାଇଥାଏ, ନିଜକୁ ହରାଇ ବସିଥାଏ; ଏଣୁ ତାହା ମଧ୍ୟ ଚିରନ୍ତନ ଆତ୍ମନ୍‌ ହୋଇପାରିବ ନାହିଁ।

ପ୍ରଜାପତି ଏଥର ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯେଉଁ ଅନ୍ତିମ ଉତ୍ତର ‌େଦଲେ, ତାହା ହେଲା, ଏହି ଶରୀର ହେଉଛି ଏକ ଅଶରୀରୀ, ମୃତ୍ୟୁହୀନ ଆତ୍ମନ୍‌ର ଆଶ୍ରୟସ୍ଥଳୀ। ଶରୀରାଶ୍ରୟୀ ଆତ୍ମନ୍‌ ଶରୀର ସମ୍ମୁଖୀନ ହେଉଥିବା ଆନନ୍ଦ ଓ ଦୁଃଖ ଦ୍ବାରା ପ୍ରଭାବିତ ହୋଇଥାଏ କିନ୍ତୁ ଆନନ୍ଦ ଓ ଦୁଃଖ ତାକୁ ସ୍ପର୍ଶ କରିନଥାଏ। ଗଭୀର ନିଃସ୍ବପ୍ନ ନିଦ୍ରାରେ ଅଚେତ ଅବସ୍ଥାରେ ଶୋଇଥିବା ବ୍ୟକ୍ତିର ଆତ୍ମନ୍‌ ହେଉଛି ଅନ୍ଧାରରେ ଥିବା ଏକ ଆରିଶି ଭଳି ଯେଉଁଥିରେ କିଛି ପ୍ରତିଫଳନ ଘଟିନଥାଏ, କିନ୍ତୁ ତା’ ଅର୍ଥ ନୁହେଁ ଆରିଶିଟି ଭାଙ୍ଗି ଯାଇଛି। ଆଲୋକର ଆବିର୍ଭାବ ପରେ ପୁଣି ଆରିଶିରେ ପ୍ରତିଫଳନ ଘଟିବା ଭଳି ବ୍ୟକ୍ତି ଜାଗ୍ରତ ହେବା ପରେ ପୁଣି ତା’ର ଅନୁଭୂତି, ସ୍ମୃତି ଓ ଚେତନା ତା’ ପାଖକୁ ଫେରିଆସନ୍ତି- ସେମାନେ ଆଉ କାହା ପାଖକୁ ଚାଲିଯାଇ ନ ଥାନ୍ତି।

ଚତୁର ରାଜନେତା ଦେବରାଜ ଇନ୍ଦ୍ର କିନ୍ତୁ ଏ ଉତ୍ତରରେ ସନ୍ତୁଷ୍ଟ ହୋଇ ନ ଥିଲେ। ସେ ଦୃଢ଼ ଭାବରେ ବିଶ୍ବାସ କରୁଥିଲେ ଯେ ସମସ୍ତ ଶାରୀରିକ ଅନୁଭୂତିରୁ ମୁକ୍ତ, ସମସ୍ତ ସ୍ବପ୍ନାନୁଭୂତିରୁ ମୁକ୍ତ, ଏକ ବସ୍ତୁଶୂନ୍ୟ ଆତ୍ମନ୍‌ର ଉପସ୍ଥିତି (ଯେମିତି ସ୍ବପ୍ନହୀନ ଗଭୀର ନିଦ୍ରାବସ୍ଥାରେ ଥାଏ ବୋଲି ପ୍ରଜାପତି କହିଥିଲେ) ‌େହଉଛି ଏକ ଅବାସ୍ତବ, ଉଦ୍ଭଟ ପରିକଳ୍ପନା ମାତ୍ର। ଯଦି ନିଜର ଅନୁଭୂତି, ଅନୁଭବ, ପ୍ରତିକ୍ରିୟା ଆଦି ସହିତ ଆତ୍ମନ୍‌ର କୌଣସି ସମ୍ପର୍କ ନ ଥାଏ, ଯଦି ଏହା ଏକ ଖାଲି ସିନ୍ଦୁକ ପରି ହୋଇଥାଏ, ତା’ହେଲେ ଆଉ ରହିଲା କ’ଣ? ଇନ୍ଦ୍ରଙ୍କ ଉତ୍ତର ଥିଲା- ‘‘କିଛି ନାହିଁ।’’ ସବୁଥିରୁ ମୁକ୍ତ ହୋଇଯିବା ଅର୍ଥ କିଛି ନାହିଁରେ ପରିଣତ ହୋଇଯିବା। ବାହ୍ୟ ଜଗତକୁ ଅସ୍ବୀକାର କରିବା ହେଉଛି ନିଜ ଅନ୍ତର ଭିତରର ଈଶ୍ବରଙ୍କୁ ମଧ୍ୟ ନିର୍ବାସିତ କରିବା।

ଇନ୍ଦ୍ର ସାହସର ସହିତ ପ୍ରଜାପତିଙ୍କୁ ଏହା କହିଥିଲେ। ସେ ଯଦି କହିଥାନ୍ତେ ମୁଁ ଇନ୍ଦ୍ରକୁ ମାରି ଦେଇଛି, ମୁଁ ଇନ୍ଦ୍ର ନୁହେଁ, ମୋର କୌଣସି ଭାବମୂର୍ତ୍ତି ନାହିଁ- ସେ ସ୍ବର୍ଗ ରାଜ୍ୟକୁ ଚଳାଇ ପାରନ୍ତେ କି? ରାଜ୍ୟ ଭାର ନେବାକୁ ଆଶାୟୀ ବ୍ୟକ୍ତି ଜଣେ ପ୍ରଜାପତି ବର୍ଣ୍ଣିତ ସୁଖନିଦ୍ରା ସମ୍ଭୂତ ଓଜନହୀନ ଆତ୍ମନ୍‌ର ଅନୁସନ୍ଧାନ କରିବା ପରିବର୍ତ୍ତେ ଇନ୍ଦ୍ରସୁଲଭ ସମସ୍ୟାବହୁଳ ଆତ୍ମନ୍‌ର ଭାରୀ ବୋଝ ବହନ କରିବା ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ।

ସମ୍ବନ୍ଧିତ ଖବର