ରବର୍ଟ ଲୁଇସ୍ ଷ୍ଟିଭେନ୍ସନ୍ଙ୍କ କାହାଣୀରେ ବୋତଲର ଭୂତର ମାଲିକ ସେ ବୋତଲକୁ ଅନ୍ୟ କାହା ପାଖକୁ ହସ୍ତାନ୍ତର କରିବା ନିମିତ୍ତ ପ୍ରାଣପଣେ ଉଦ୍ୟମ କରୁଥିବା ଭଳି ଚୀନ ୧୯୪୯ ଠାରୁ ଜନ୍ମ ନିୟନ୍ତ୍ରଣ ଓ ପରିବାର ନିୟୋଜନ ମାଧ୍ୟମରେ ନିଜର ଜନସଂଖ୍ୟା ନିୟନ୍ତ୍ରଣ କରି ସେ ଯୁଗ ଯୁଗ ଧରି ପିନ୍ଧିଥିବା ସର୍ବାଧିକ ଜନବହୁଳ ଦେଶ ରୂପକ ମୁକୁଟକୁ ଭାରତ ମସ୍ତକକୁ ସ୍ଥାନାନ୍ତରିତ କରିବା ପାଇଁ ଉଦ୍ୟମ କରି ଆସୁଥିଲା। ଏହି ଉଦ୍ୟମର ଅଂଶ ସ୍ବରୂପ ୧୯୮୦ରୁ ୨୦୧୬ ପର୍ଯ୍ୟନ୍ତ ସେ ଦେଶ ଏକ ବାଧ୍ୟତାମୂଳକ ‘ଏକ-ସନ୍ତାନ ନୀତି’ ମଧ୍ୟ କାର୍ଯ୍ୟକାରୀ କରି ଆସିଥିଲା। ଜାନୁଆରି ୧୭ରେ ପ୍ରକାଶିତ ସୂଚନା ଅନୁସାରେ ବୋଧହୁଏ ସେ ମୁକୁଟଟି ଇତି ମଧ୍ୟରେ ଆସି ଭାରତମାତାଙ୍କ ମସ୍ତକ ମଣ୍ଡନ କରି ତାଙ୍କୁ ପୃଥିବୀରେ ସର୍ବାଧିକ ସଂଖ୍ୟକ ସନ୍ତାନସନ୍ତତିଙ୍କର ଜନନୀରେ ପରିଣତ କରିସାରିଲାଣି। ଅବଶ୍ୟ ଏହା ଘଟିବାକୁ ନ ଦେବା ପାଇଁ ଭାରତ ମଧ୍ୟ ଦୀର୍ଘ କାଳ ଧରି ଏଠାରେ ଏକ ଇଚ୍ଛାଧୀନ ପରିବାର ନିୟୋଜନ ଯୋଜନା କାର୍ଯ୍ୟକାରୀ କରି ଆସିଥିେଲ ହେଁ, ଶେଷରେ ଏହି ଜନସଂଖ୍ୟା ଦୌଡ଼ରେ ଭାରତୀୟମାନେ ଚୀନାମାନଙ୍କୁ ପଛରେ ପକାଇ ଦେଇଛନ୍ତି।
ଚୀନର ‘ନେସନାଲ୍ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସ’ ପ୍ରଦାନ କରିଥିବା ସୂଚନା ଅନୁସାେର ୨୦୨୨ ଶେଷ ସୁଦ୍ଧା ଚୀନର ଜନସଂଖ୍ୟା ଥିଲା ୧୪୧.୨ କୋଟି, ଯାହା ବର୍ଷ ଆରମ୍ଭର ଜନସଂଖ୍ୟାଠାରୁ ଥିଲା ୮,୫୦,୦୦୦ କମ୍। ଏହା ଉଭୟ ଚୀନ ପାଇଁ ଓ ଭାରତ ପାଇଁ ଗଭୀର ତାତ୍ପର୍ଯ୍ୟ ବହନ କରିଥାଏ। ମାଓଙ୍କ ଭ୍ରମାତ୍ମକ ‘ଗ୍ରେଟ୍ ଲିପ୍ ଫର୍ୱାର୍ଡ୍’ ଅଭିଯାନ ଦ୍ବାରା ସୃଷ୍ଟ ଦୁର୍ଭିକ୍ଷ ଯୋଗୁଁ ନିୟୁତ ନିୟୁତ ଲୋକ ମୃତ୍ୟୁମୁଖରେ ପଡ଼ିବା ହେତୁ ୧୯୬୨େର ଚୀନର ମୋଟ ଜନସଂଖ୍ୟାରେ ହ୍ରାସ ଘଟିବା ପରେ ଏବେ ପ୍ରଥମ ଥର ପାଇଁ ତାହାର ଏଭଳି ପୁନରାବୃତ୍ତି ଘଟିଛି। ଜନସଂଖ୍ୟା ଗବେଷଣା କ୍ଷେତ୍ରରେ ସକ୍ରିୟ ଥିବା ମର୍ଯ୍ୟାଦାଜନକ ସ୍ବାଧୀନ ସଂସ୍ଥା ‘ୱାର୍ଲ୍ଡ ପପୁଲେସନ୍ ରିଭିଉ’ର ଆକଳନ ଅନୁସାରେ େସଇ ୨୦୨୨ ଶେଷ ସୁଦ୍ଧା ଭାରତର ଜନସଂଖ୍ୟା ଛୁଇଁଥିଲା ୧୪୧.୭ କୋଟି। ଅର୍ଥାତ୍ ଆସନ୍ତା ଏପ୍ରିଲ୍ରେ ଭାରତର ଜନସଂଖ୍ୟା ଚୀନର ଜନସଂଖ୍ୟାକୁ ଅତିକ୍ରମ କରିବାକୁ ଯାଉଛି ବୋଲି ମିଳିତ ଜାତିସଂଘ ପୂର୍ବାନୁମାନ ପ୍ରକାଶ କରିଥିଲେ ମଧ୍ୟ ଚୀନ ଦ୍ବାରା ପ୍ରକାଶିତ ଉପରୋକ୍ତ ପରିସଂଖ୍ୟାନରୁ ଜଣାପଡୁଛି ଯେ ୨୦୨୨ରେ ହିଁ ତାହା ଘଟିସାରିଛି: ଚୀନର ଜନ ସଂଖ୍ୟା ହୋଇଛି ଭାରତର ଜନସଂଖ୍ୟା ଠାରୁ ୫ ନିୟୁତ କମ୍।
ସେହିପରି ଅଳ୍ପ କେତେ ବର୍ଷ ତଳେ ଜାତିସଂଘ ସମେତ ଅନ୍ୟ ବିଶେଷଜ୍ଞମାନେ ଅନୁମାନ କରୁଥିଲେ ଯେ ୨୦୩୦ରେ ଯାଇ ଚୀନର ଜନସଂଖ୍ୟା ତା’ର ସର୍ବୋଚ୍ଚ ସୀମା ସ୍ପର୍ଶ କରିବ। ଏବେ ଆଠ ବର୍ଷ ପୂର୍ବରୁ ଚୀନର ଜନସଂଖ୍ୟା ସେଇ ମୋଡ଼ରେ ପହଞ୍ଚି ଯାଇ ଚୀନା ନେତା ଓ ନୀତି-ନିର୍ଦ୍ଧାରକମାନଙ୍କୁ ବିବ୍ରତ କରି ଦେଇଛି, ଯଦିବା ଦିନେ ଏହା ହିଁ ଥିଲା ସେ ଦେଶର ଜନସଂଖ୍ୟା ନିୟନ୍ତ୍ରଣ ନୀତିର ଲକ୍ଷ୍ୟ। ଏହା ସେମାନଙ୍କୁ ସଚେତନ କରି ଦେଇଥାଏ ଯେ ଯେଉଁ ବିଶାଳ ଆକାରର ଶସ୍ତା ଶ୍ରମିକ ବାହିନୀ ରୂପକ ‘ଜନସଂଖ୍ୟା ଲାଭ’ (‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’) ଚୀନର ଅର୍ଥନୈତିକ ଅଭିବୃଦ୍ଧିକୁ ବେଗବାନ କରିଥିଲା, ତାହା ଆଉ ଉପଲବ୍ଧ ହେବ ନାହିଁ। ସଂଯୋଗବଶତଃ ଗତବର୍ଷ ଚୀନ ହାସଲ କରିଥିବା ୩ ଶତାଂଶ ଅଭିବୃଦ୍ଧି ହାର ହେଉଛି ମାଓ ଯୁଗ ପରେ ଦେଖାଯାଇଥିବା ଚୀନା ଅର୍ଥନୀତିର ସର୍ବନିମ୍ନ ଅଭିବୃଦ୍ଧି ହାର।
ବର୍ତ୍ତମାନ ଚୀନର ଜନସଂଖ୍ୟା ମଧ୍ୟ ଦ୍ରୁତ ଭାବରେ ଜରାଗ୍ରସ୍ତ ହେବାରେ ଲାଗିଛି। ୨୦୧୨ ଠାରୁ ଏହି ଦେଶର କାର୍ଯ୍ୟକ୍ଷମ ବୟସ ସୀମା ମଧ୍ୟସ୍ଥ ଜନସଂଖ୍ୟାର ଆକାରରେ ସଂକୋଚନ ଘଟିବାକୁ ଆରମ୍ଭ କରିଛି। ଏ ଦେଶ ତା’ର ପଡ଼ୋଶୀ ଦକ୍ଷିଣ କୋରିଆ, ଜାପାନ୍ ଆଦି ଦେଶମାନଙ୍କୁ ଅନୁସରଣ କଲା ଭଳି କ୍ରମେ ଅଧିକରୁ ଅଧିକ ବୃଦ୍ଧବୃଦ୍ଧାଙ୍କ ଦେଶରେ ପରିଣତ ହେବାକୁ ଆରମ୍ଭ କରିଛି। ସେମାନେ କିନ୍ତୁ ପ୍ରଥମେ ସମୃଦ୍ଧ ହେବା ପରେ ଯାଇ ବାର୍ଦ୍ଧକ୍ୟକୁ ଆଲିଙ୍ଗନ କରିଥିଲେ; ଚୀନ ସମୃଦ୍ଧ ହେବା ପୂର୍ବରୁ ବୃଦ୍ଧ ହେବାକୁ ଆରମ୍ଭ କରିଛି। ଜନସଂଖ୍ୟାର ଏହି ବୟସ୍କ ସଦସ୍ୟମାନଙ୍କର ଚିକିତ୍ସା ଓ ସେବା ଆଦି ପାଇଁ ଯେଉଁଭଳି ଭିତ୍ତିଭୂମି ଓ ସୁବିଧା ସୁଯୋଗର ଉପସ୍ଥିତି ଆବଶ୍ୟକ, ବିଗତ ବର୍ଷମାନଙ୍କରେ ସେସବୁର ସୃଷ୍ଟି ନିମିତ୍ତ ଚୀନ ଧ୍ୟାନ ଦେଇନାହିଁ, ଯାହା ବର୍ତ୍ତମାନ ଏକ ଉତ୍କଟ ସମସ୍ୟା ରୂପେ ଆବିର୍ଭୂତ ହୋଇଛି। ବର୍ତ୍ତମାନ ଚୀନର ମୋଟ ଜନସଂଖ୍ୟାରେ ବୟସ୍କମାନଙ୍କର ଅନୁପାତ ୨୦ ଶତାଂଶ ହୋଇଥିବା ବେଳେ ୨୦୫୦ ବେଳକୁ ଏହା ୪୦ ଶତାଂଶ ଛୁଇଁବା ନିଶ୍ଚିତ। ଏଥିଯୋଗୁଁ କାର୍ଯ୍ୟକ୍ଷମ ଉତ୍ପାଦନଶୀଳ ଜନସଂଖ୍ୟାରେ ଯେଉଁ ସଂକୋଚନ ଘଟି ଚାଲିବ ତାହାର ଫଳସ୍ବରୂପ ଅର୍ଥନୀତିର ଅଭିବୃଦ୍ଧିରେ ସ୍ବାଭାବିକ ଭାବରେ ସଂକୋଚନ ଘଟିବ।
ଏହାକୁ ପ୍ରତିହତ କରିବାକୁ ହେଲେ କାର୍ଯ୍ୟରତ ଜନସଂଖ୍ୟାର ଉତ୍ପାଦନଶୀଳତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବା ଦରକାର। ଯେହେତୁ ଚୀନ ଜନସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ନିମ୍ନ ଆୟ ବର୍ଗର, ଏମାନଙ୍କର ଉତ୍ପାଦନଶୀଳତାରେ ବୃଦ୍ଧି ଘଟାଇବା ନିମିତ୍ତ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧାସୁେଯାଗ ପ୍ରଦାନରେ ଯେଉଁ ଭଳି ବିଶାଳ ସମ୍ବଳ ବିନିଯୋଗ ଆବଶ୍ୟକ ହେବ, ରାଷ୍ଟ୍ର ପକ୍ଷରେ ତାହା ସମ୍ଭବ କରାଇବା କାଠିକର ପାଠ ହେବ। ଏହାର ଅର୍ଥ ଆଗାମୀ ସମୟରେ ଅବଶିଷ୍ଟ ପୃଥିବୀ ପାଇଁ ଚୀନ ବର୍ତ୍ତମାନ ଯେଉଁ ଭଳି ଏକ ଶସ୍ତା ଓ ଦକ୍ଷ ଉତ୍ପାଦନ କେନ୍ଦ୍ରରେ ପରିଣତ ହୋଇଛି, ସେଥିରେ ଅବିଳମ୍ବେ ଅବସାନ ଘଟିବ।
ଏହି ପୃଷ୍ଠଭୂମିରେ କଳ୍ପନାଜଳ୍ପନା ପ୍ରକାଶ ପାଇବାକୁ ଆରମ୍ଭ କଲାଣି ଯେ ଭାରତ ଆଗାମୀ ଦିନରେ ଚୀନ ଠାରୁ ଜନସଂଖ୍ୟା ମୁକୁଟ ଛଡ଼ାଇ ଆଣିବା ସହିତ ବିଶ୍ବ ଅର୍ଥନୀତିରେ ଚୀନ ଦଖଲ କରିଥିବା ଏହି କେନ୍ଦ୍ରୀୟ ଆସନକୁ ମଧ୍ୟ ଦଖଲ କରିବ। ଭାରତର ବିଶାଳ ଜନସଂଖ୍ୟାର ଅର୍ଦ୍ଧେକଙ୍କର ବୟସ ହେଉଛି ଏବେ ୩୦ ବର୍ଷରୁ କମ୍ ଏବଂ ଶତାବ୍ଦୀର େଶଷ ବେଳକୁ ଯାଇ ଏଠାରେ ଜନସଂଖ୍ୟାରେ ବୟୋବୃଦ୍ଧମାନଙ୍କ ଅନୁପାତ ୩୩ ଶତାଂଶ ଛୁଇଁବ। ଭାରତୀୟ ଅର୍ଥନୀତି ବର୍ତ୍ତମାନ କେବଳ ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି, ତାହା ନୁହେଁ, ଏହି ଯୁବଶକ୍ତିର ସହାୟତାରେ ଭବିଷ୍ୟତରେ ମଧ୍ୟ ଏହା ବଜାୟ ରହିବ ବୋଲି ଆଶା କରାଯାଉଛି।
କିନ୍ତୁ ନିରପେକ୍ଷ ଦୃଷ୍ଟିରେ ଦେଖିଲେ ଜଣାଯାଏ ଯେ ଏହା ଘଟିବା ଯେଉଁଭଳି ସ୍ବୟଂକ୍ରିୟ ମନେ ହେଉଛି, ତାହା ବାସ୍ତବରେ ସେଭଳି ନୁହେଁ। ଏହି ଯୁବଶକ୍ତିର ଉତ୍ପାଦନଶୀଳତା ଉପରେ ଅଭିବୃଦ୍ଧି ନିର୍ଭର କରିଥାଏ। ଚିନ୍ତାଜନକ ଭାବରେ ‘ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ୨୦୨୨’ ଅନୁସାରେ କିନ୍ତୁ ଭାରତରେ ଶିକ୍ଷିତ ଯୁବକ ଯୁବତୀମାନଙ୍କ ମଧ୍ୟରୁ ମାତ୍ର ଅଧାରୁ କମ୍ ନିଯୁକ୍ତି ଯୋଗ୍ୟ ବିବେଚିତ ହୋଇଥାନ୍ତି। ଏମାନଙ୍କର ଅନ୍ତର୍ନିହିତ ଉତ୍ପାଦନଶୀଳତା ଅମଳ କରିବାକୁ ହେଲେ ଏମାନଙ୍କର ତଥାକଥିତ ଶିକ୍ଷାକୁ କେବଳ ସାର୍ଟିଫିକେଟ୍ ପ୍ରଦାନରେ ସୀମିତ ନ ରଖି ଏମାନଙ୍କୁ ଫଳପ୍ରଦ ଶିକ୍ଷାଦାନର ବ୍ୟବସ୍ଥା କରିବା ସହିତ ଏମାନଙ୍କର ପୁଷ୍ଟି ଓ ସ୍ବାସ୍ଥ୍ୟର ଯତ୍ନ ନେବା ପାଇଁ ମଧ୍ୟ ବନ୍ଦୋବସ୍ତ କରିବାକୁ ହେବ। ଏସବୁକୁ ଘରୋଇ କ୍ଷେତ୍ର ଉପରେ ନ ଛାଡ଼ି ରାଷ୍ଟ୍ର ନିଜର ଦାୟିତ୍ବ ନିର୍ବାହ କରିବାକୁ ଆଗେଇ ଆସିବା ଆବଶ୍ୟକ, ଯେପରି ସମାଜର ଦୁର୍ବଳତମ ଶ୍ରେଣୀର ସନ୍ତାନସନ୍ତତିମାନେ ଉପଯୁକ୍ତ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଲାଭ କରିବାରୁ ବଞ୍ଚିତ ନ ହୁଅନ୍ତି। ଯେହେତୁ ଭାରତର ଏହି ଜନଶକ୍ତିର ଅଧିକତର ଅଂଶ ଅପେକ୍ଷାକୃତ ଦରିଦ୍ରତର ରାଜ୍ୟ ଓ ସାମାଜିକ ଗୋଷ୍ଠୀମାନଙ୍କରେ ଜନ୍ମଲାଭ କରିଥାନ୍ତି, ରାଷ୍ଟ୍ରର ସହାୟତା ବିନା ଏହି ଜନଶକ୍ତିରୁ ଏକ ଉଚ୍ଚା ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ଉତ୍ପନ୍ନ ହୋଇପାରିବ ନାହିଁ। କେବଳ ଏକ ରୁଗ୍ଣ, ଅଣକୁଶଳୀ ଜନସଂଖ୍ୟାକୁ ଜନଶକ୍ତି ବୋଲି ବିଚାର କରାଯାଇପାରିବ ନାହିଁ; ତା’ହେଲେ କେବଳ ଜନସଂଖ୍ୟା ମୁକୁଟ ରୂପକ ଭୂତର ବୋଝ ବୋହିବା ସାର ହେବ।