ଅନାବଶ୍ୟକ, ଅପ୍ରାସଙ୍ଗିକ

ଗଲା ଜାନୁଆରି ୧୭ ତାରିଖରେ ଆୟୋଜିତ ବି.ଜେ.ପି. ‘ଜାତୀୟ କାର୍ଯ୍ୟକାରିଣୀ ସମାବେଶ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିନେମା ଭଳି ଏକ ଅପ୍ରାସଙ୍ଗିକ ବିଷୟ ଉପରେ ଅନାବଶ୍ୟକ ମନ୍ତବ୍ୟ ପ୍ରଦାନରୁ କ୍ଷାନ୍ତ ରହିବାକୁ ଦଳର ସଦସ୍ୟମାନଙ୍କୁ ଗମ୍ଭୀର ପରାମର୍ଶ ଦେଇଛନ୍ତି, କାରଣ ତାହା ‘ରାଷ୍ଟ୍ର ବିକାଶ’ ସମ୍ବଳିତ ଦଳର ମୁଖ୍ୟ ‘ଏଜେଣ୍ତା’କୁ ପଶ୍ଚାତ୍‌ଭାଗକୁ ଠେଲି ଦେଉଛି। କହିବା ଅନାବଶ୍ୟକ ଯେ ଇତିମଧୢରେ ବି.ଜେ.ପି. ଏବ˚ ଅନ୍ୟାନ୍ୟ ଦକ୍ଷିଣପନ୍ଥୀ ସ˚ଗଠନଗୁଡ଼ିକ ଦ୍ବାରା ଅନେକ ସିନେମାକୁ ତୀବ୍ର ବିରୋଧ ସହିତ ବର୍ଜନ କରାଯିବାକୁ ଡାକରା ଦିଆଯାଉଛି; ଯେଉଁଗୁଡ଼ିକ ସେମାନଙ୍କ ଧାରଣାରେ ହିନ୍ଦୁ ଧର୍ମ ପ୍ରତି ଅବଜ୍ଞା ଏବ˚ ଅସମ୍ମାନ ପ୍ରଦର୍ଶନ କରିଛନ୍ତି। ଏହି ସ୍ତମ୍ଭର ପାଠକ-ପାଠିକାମାନେ ଅବଗତ ଥିବେ ଯେ ଗଲା ୨୫ ତାରିଖରେ ମୁକ୍ତି ଲାଭ କରିଥିବା ସିନେମା ‘ପଠାନ’ ପରିପ୍ରେକ୍ଷୀରେ ଏଭଳି ବର୍ଜନର ଉଚ୍ଚାଟ ସର୍ବାଧିକ ତୀବ୍ରତା ଲାଭ କରିଥିଲା, ଯହିଁେର ମଧୢପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ଧମକ ଶୁଣିବାକୁ ମିଳିଥିଲା ଯେ ସିନେମାଟିକୁ ତାଙ୍କ ରାଜ୍ୟରେ ମୁକ୍ତିଲାଭ କରିବାକୁ ଦିଆଯିବ ନାହିଁ। କିନ୍ତୁ ଯାହା ଦେଖିବାକୁ ମିଳିଛି, ତାହା ହେଲା ଏଭଳି ଅତ୍ୟୁତ୍ସାହୀ କୋଳାହଳ ସତ୍ତ୍ବେ ‘ପଠାନ’ ପୃଥିବୀର ସର୍ବତ୍ର ଦର୍ଶକମାନଙ୍କୁ ଚୁମ୍ବକ ତୁଲ୍ୟ ଆକର୍ଷଣ କରି ଏକ ସର୍ବକାଳୀନ ହିଟ୍‌ରେ ପରିଣତ ହେବାକୁ ବସିଲାଣି। ଏହି ସ˚ଦର୍ଭରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଏବ˚ ତାର ସୂକ୍ଷ୍ମ ରାଜନୈତିକ ପ୍ରାସଙ୍ଗିକତା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ଅଧିକ ଦୂରକୁ ପଶ୍ଚାତ୍‌ ଅବଲୋକନ ନ କରି ୨୦୧୮ ମସିହା ପର୍ଯ୍ୟନ୍ତ ଦୃଷ୍ଟି ପକାଇବା ଆରମ୍ଭ କଲେ ସ୍ପଷ୍ଟ ହୋଇଥାଏ କିଭଳି ଅତ୍ୟନ୍ତ ଅଳୀକ କାରଣକୁ ନେଇ ଏଭଳି ବିରୋଧମାନ ସୃଷ୍ଟି ହୋଇଛି। ୨୦୧୮ ମସିହାରେ ‘ପଦ୍ମାବତ୍‌’ ଯେଉଁ କାରଣରୁ ବିରୋଧର ସାମନା କରିଥିଲା, ତାହା ହେଉଛି ସିନେମାରେ ଇତିହାସର ଅପଳାପ ତଥା ରାଣୀ ପଦ୍ମାବତୀଙ୍କ ଗରିମାକୁ ଭୂଲୁଣ୍ଠିତ କରାଯିବାର ଉଦ୍ୟମ। ପରବର୍ତ୍ତୀ କାଳରେ ଏ ସମସ୍ତ ଆରୋପ ଅମୂଳକ ସାବ୍ୟସ୍ତ ହୋଇଥିଲେ ହେଁ ଚଳଚ୍ଚିତ୍ରର ନିର୍ମାତା ତାର ମୂଳ ଶୀର୍ଷକ ‘ପଦ୍ମାବତୀ’କୁ ‘ପଦ୍ମାବତ’ରେ ପରିବର୍ତ୍ତନ କରିବାକୁ ଏବ˚ ଏହା ଏକ କାଳ୍ପନିକ ଗାଥା ବୋଲି ଘୋଷଣା କରିବାକୁ ବାଧୢ ହୋଇଥିଲେ। ତେବେ, ବିରୋଧର ଉଚ୍ଚାଟ କିଭଳି ତୀବ୍ର ଥିଲା, ତାହାର ଧାରଣା କେବଳ ଏଥିରୁ ମିଳେ ଯେ ହରିଆଣା ବି.ଜେ.ପି.ର ମୁଖ୍ୟ ମିଡିଆ ସ˚ଯୋଜକ ସୂରଜ ପାଲ ଅମୁ ଚଳଚ୍ଚିତ୍ରର ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭାନୁଶାଳୀ ଏବ˚ ନାୟିକା ଦୀପିକା ପାଦୁକୋନଙ୍କ ଶିରଚ୍ଛେଦ ଲାଗି ୧୦ କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରି ପକାଇଥିଲେ।

୨୦୨୨ ମସିହାରେ ‘ଲାଲସି˚ହ ଚଢ଼ା’ ଏବ˚ ‘ରକ୍ଷା ବନ୍ଧନ’ ସିନେମା ଦ୍ବୟ ଦକ୍ଷିଣ-ପନ୍ଥୀ ଜାତୀୟତାବାଦୀଙ୍କ ଡାକରାରେ ବର୍ଜନର ସମ୍ମୁଖୀନ ହୋଇ ଫ୍ଲପ୍‌ ହୋଇଥିଲେ; ଯାହା ପଛର କାରଣ ଥିଲା ‘ଲାଲ ସି˚ହ ଚଢ଼ା’ର ନିର୍ମାତା-ନିର୍ଦ୍ଦେଶକ ଅମୀର ଖାଁ ଭାରତରେ କ୍ରମବର୍ଦ୍ଧିଷ୍ଣୁ ଅସହିଷ୍ଣୁତା ସ˚ପର୍କରେ ୨୦୧୪ ମସିହାରେ ପ୍ରଦାନ କରିଥିବା ଏକ ମନ୍ତବ୍ୟ ଏବ˚ ‘ରକ୍ଷା ବନ୍ଧନ’ର କାହାଣୀ ଏକ ପାକିସ୍ତାନୀ ଗଳ୍ପର ନକଲ ହୋଇଥିବାର ଆରୋପ। ସେହିଭଳି ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବ˚ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସା˚ପ୍ରଦାୟିକ ଅସହିଷ୍ଣୁତା ବିରୋଧୀ ସ୍ପଷ୍ଟ ମତ ସେମାନେ ସ˚ପୃକ୍ତ ଥିବା ସିନେମା ‘ଦୋବାରା’କୁ ବର୍ଜନର ଶିକାର କରାଇଥିଲା। ବର୍ଜନ ଲାଗି ଦିଆଯାଉଥିବା କାରଣମାନ କିଭଳି ଅବାନ୍ତର ସ୍ତରକୁ ଯାଇପାରେ, ତାର ଧାରଣା ମିଳିଥାଏ ‘ସମଶେରା’ ନାମକ ସିନେମା ପ୍ରତି ପ୍ରକଟିତ ବିରୋଧରୁ, ଯହିଁରେ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ସଞ୍ଜୟ ଦତ୍ତଙ୍କ କପାଳର ତିଳକ ଏହି ଆରୋପକୁ ଜନ୍ମ ଦେଇଥିଲା ଯେ ତଦ୍ଦ୍ବାରା ହିନ୍ଦୁ ସ˚ପ୍ରଦାୟକୁ ଖଳନାୟକ ଭୂମିକାରେ ଦର୍ଶାଇବା ଲାଗି ଉଦ୍ୟମ କରାଯାଇଛି। ତେବେ କେବଳ ହିନ୍ଦୁତ୍ବବାଦୀ ନୁହନ୍ତି, ଅସ˚ଖ୍ୟ ଦକ୍ଷିଣପନ୍ଥୀ ମୁସଲମାନ ‘ଲିପଷ୍ଟିକ ଅଣ୍ତର ମାଇ ବୁର୍ଖା’ ଶୀର୍ଷକ ଚଳଚ୍ଚିତ୍ରର ବର୍ଜନ ସକାଶେ ମଧୢ ଆହ୍ବାନ ଦେଇଥିଲେ। ଉଲ୍ଲେଖ ଥାଉ କି, ଅନେକ ସମଦଶା ଭୋଗିଥିବା ଚଳଚ୍ଚିତ୍ର ଓ େଵବ୍‌-ସିରିଜ ମଧୢରୁ ଏହା କେବଳ କତିପୟ ଦୃଷ୍ଟାନ୍ତ ମାତ୍ର, ଯେଉଁଗୁଡ଼ିକ ବର୍ଜନ ବା ବିରୋଧର ଶିକାର ହୋଇ ନ ଥିଲେ ସମ୍ଭବତଃ ଉନ୍ନତ ପ୍ରଦର୍ଶନ କରି ପାରିଥାଆନ୍ତେ। କାରଣ ଏହି ସିନେମାଗୁଡ଼ିକ ମଧୢରୁ ଅଧିକା˚ଶ ‘ଓଟିଟି’ ପ୍ଲାଟଫର୍ମରେ ଆକର୍ଷଣୀୟ ଜନାଦୃତି ଲାଭ କରିଛନ୍ତି।

ତେବେ, ବର୍ଜନର ସଘନ ଡାକରା ସତ୍ତ୍ବେ ଗଲା ବର୍ଷ ମୁକ୍ତିଲାଭ କରିଥିବା ‘ବ୍ରହ୍ମାସ୍ତ୍ର’ର ପ୍ରଭୂତ ସଫଳତା ଏକ ଉଜାଣି ଧାରା ସୃଷ୍ଟି କରିବା ସହିତ ଆଶାର ସ˚ଚାର କରିଥିଲା। ପ୍ରକାଶ ଥାଉ କି, ଏହି ସିନେମାର ଟ୍ରେଲରରେ ଜୋତା ପରିହିତ ନାୟକ ଏକ ମନ୍ଦିର ମଧୢକୁ ପ୍ରବେଶ କରୁଥିବା ଦେଖାଯାଇ ତୁମୂଳ ବିବାଦ ସୃଷ୍ଟି କରିଥିଲା। କିନ୍ତୁ ‘ବ୍ରହ୍ମାସ୍ତ୍ର’ର ୪୨୫ କୋଟି ଟଙ୍କାର ଆୟ ସ୍ପଷ୍ଟ କରିଥାଏ ଯେ ବର୍ଜନ ଡାକରା ଫଳପ୍ରସୂ ହୋଇ ପାରିଲାନାହିଁ। ସେହିଭଳି ‘ପଠାନ’ ସିନେମାଟି ହିନ୍ଦୁ ଜାତୀୟତାବାଦୀଙ୍କୁ ରୁଷ୍ଟ କରିବା ପଛରେ ନିହିତ ଦୁଇଟି କାରଣ ହେଲା ଏହିପରି: ଗୋଟିଏ ଗୀତର ଦୃଶ୍ୟରେ ନାୟିକା ପରିଧାନ କରିଥିବା ନାରଙ୍ଗୀ ରଙ୍ଗର ଅନ୍ତର୍ବାସ, ଯାହାକୁ ହିନ୍ଦୁମାନଙ୍କ ପବିତ୍ର ରଙ୍ଗ ଗୈରିକ ପ୍ରତି ଅସମ୍ମାନ ବୋଲି କୁହାଯାଇଥିଲା ଏବ˚ ଦ୍ବିତୀୟଟି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଶାହରୁଖ ଖାଁଙ୍କ ଉପସ୍ଥିତି, ଯାହାଙ୍କୁ ଏକ ନିର୍ଦ୍ଦିଷ୍ଟ ବର୍ଗ ରାଷ୍ଟ୍ର ବିରୋଧୀ ଏବ˚ ହିନ୍ଦୁ ବିରୋଧୀ ରୂପେ ଚିତ୍ରଣ କରିଥାଆନ୍ତି; ଏପରିକି ହିନ୍ଦୁ କନ୍ୟା ଗୌରୀଙ୍କୁ ବିବାହ କରିଥିବା କାରଣରୁ ଏହି ବର୍ଗ ତାଙ୍କୁ ‘ଲଭ୍‌ ଜେହାଦ୍‌’ର ଏକ ଦୃଷ୍ଟାନ୍ତ ରୂପେ ଅପଖ୍ୟାତି ମଧୢ ପ୍ରଦାନ କରିଥାଆନ୍ତି।

ପ୍ରକାଶ ଥାଉ କି, ୨୦୨୦ ମସିହାରେ ସୁଶାନ୍ତ ସି˚ହ ରାଜପୁତଙ୍କ ସନ୍ଦିଗ୍‌ଧ ଆତ୍ମହତ୍ୟାକୁ କେନ୍ଦ୍ର କରି ପରବର୍ତ୍ତୀ ବର୍ଷାଧିକ କାଳ ସାମାଜିକ ଗଣମାଧୢମ ଏବ˚ ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲର ଏକ ଅ˚ଶ ଯେଉଁ ତୀବ୍ର କୋଳାହଳ ଓ ପବନ-ମନ୍ଥନରେ ଲିପ୍ତ ରହିଥିଲେ, ତହିଁରେ ଏକ ବ୍ୟାଖ୍ୟାନ ସୃଷ୍ଟି ହୋଇଥିଲା ଯେ ବଲିଉଡ୍‌ର ସର୍ବାଧିକ ପ୍ରଭାବଶାଳୀ ‘ଖାଁ ତ୍ରୟ’-ସଲମାନ, ଅମୀର ଏବ˚ ଶାହରୁଖ-ଙ୍କ ଆଧିପତ୍ୟ ଦ୍ବାରା ପ୍ରିୟାପ୍ରୀତି ତୋଷଣର ଏଭଳି ବାତାବରଣ ସୃଷ୍ଟି ହୋଇଛି ଯେ ସୁଶାନ୍ତ ସି˚ହଙ୍କ ଭଳି ପ୍ରତିଭାବାନ ବହିରାଗତମାନେ ସେଠାରେ ରୁନ୍ଧି ହୋଇ ଅଗତ୍ୟା ଆତ୍ମହତ୍ୟା କରିବାକୁ ବାଧୢ ହୋଇପାରନ୍ତି! କହିବା ବାହୁଲ୍ୟ ଯେ କ୍ରମେ ଦକ୍ଷିଣପନ୍ଥୀ ଗଣମାଧୢମ ଦ୍ବାରା ତଥାକଥିତ ‘ଖାଁ’ ଆଧିପତ୍ୟାଧୀନ ବଲିଉଡ୍‌ ‘ରାଷ୍ଟ୍ର ବିରୋଧୀ’ ରୂପେ ମଧ୍ୟ ଆଖ୍ୟାୟିତ ହୋଇଥିଲା ଏବଂ ତାର ବର୍ଜନ ସକାଶେ ରୀତିମତ ଅଭିଯାନମାନ ଆରମ୍ଭ ହୋଇଯାଇଥିଲା। ସେହି ଦୃଷ୍ଟିରୁ ପାଞ୍ଚ ବର୍ଷର ବ୍ୟବଧାନ ପରେ ବଲିଉଡ୍‌ର ଏକ ସିନେମାରେ ଶାହରୁଖଙ୍କ ଆବିର୍ଭାବ(ପ୍ରତ୍ୟାବର୍ତ୍ତନ) ଏବ˚ କୋଟି କୋଟି ଭାରତୀୟଙ୍କ ସହିତ ସମଗ୍ର ପୃଥିବୀରେ ତାଙ୍କ ପ୍ରତି ଜ୍ଞାପନ କରାଯାଇଥିବା ଉଚ୍ଛ୍ବସିତ ସ୍ବାଗତ ଅନ୍ତତଃ ପକ୍ଷେ ପ୍ରମାଣ କରିଥାଏ ଯେ ସାଧାରଣ ଜନତା ସ˚କୀର୍ଣ୍ଣ ସାଂପ୍ରଦାୟିକ ଓ ଜାତୀୟତାବାଦୀ ମାନସିକତାରୁ ସମ୍ଭୁତ ବିରୋଧକୁ ଅତିକ୍ରମ କରି ସାରିଲେଣି। ତେଣୁ, ଅଯଥା ସଂକୀର୍ଣ୍ଣତା ପରିହାର କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶ ମଧୢରେ ନିହିତ ଥିବା ସୂକ୍ଷ୍ମ ବାର୍ତ୍ତାକୁ ପଢ଼ିବା କଷ୍ଟକର ହୋଇ ନ ଥାଏ।

୧୯୮୯ ମସିହାରେ ବଲିଉଡ୍‌ରେ ଅମୀର ଖାଁଙ୍କ ଆବିର୍ଭାବର ପାଞ୍ଚ ବର୍ଷ ମଧୢରେ ଅବଶିଷ୍ଟ ଦୁଇ ‘ଖାଁ’ ବଲିଉଡ୍‌ରେ ପ୍ରବେଶ କରି ରାଜତ୍ବ କରିବା ଆରମ୍ଭ କରିଥିଲେ, ଯାହା ଏ ଯାବତ୍‌ ପ୍ରାୟତଃ ଅକ୍ଷୁଣ୍ଣ ରହିଛି। କହିବା ଅନାବଶ୍ୟକ ଯେ ଗଣତାନ୍ତ୍ରିକ ରାଜନୀତି ଭଳି ଚଳଚ୍ଚିତ୍ର କ୍ଷେତ୍ରରେ ମଧୢ କେବଳ ଜନାଧାର ହିଁ ରାଜତ୍ବକୁ ସ୍ବୀକୃତି ପ୍ରଦାନ କରିଥାଏ। ତେବେ, ଏମାନଙ୍କ ପୂର୍ବରୁ ବଲିଉଡ୍‌ରେ ରାଜୁତି କରିଥିବା ଅନ୍ତତଃ ତିନି ଜଣ ନାୟକ-ନାୟିକା ସେମାନଙ୍କ ପିତୃଦତ୍ତ ଇସଲାମୀୟ ନାମ ବଦଳାଇ ହିନ୍ଦୁ ନାମ ପରିଗ୍ରହଣ କରିଥିଲେ, ଯେଉଁମାନେ ହେଲେ ଦିଲୀପ କୁମାର, ମଧୁବାଲା ଓ ମୀନାକୁମାରୀ। ଏହାର କାରଣ ସମ୍ଭବତଃ ସେ ସମୟରେ ପ୍ରଚଳିତ ଏକ ଅନୁମାନଭିତ୍ତିକ ଧାରଣା ଯେ ହିନ୍ଦୁ ନାମ ବହନ କରିବାର ଅର୍ଥ ସାଧାରଣ ଲୋକଙ୍କ ଦ୍ବାରା ଗ୍ରହଣୀୟ ହେବା। କିନ୍ତୁ ବିଡ଼ମ୍ବନା, ସେହି କାରଣରୁ କ୍ୟାରିଅର ଆରମ୍ଭ କରିବାର ସାତ ଦଶନ୍ଧି ପରେ କି˚ବଦନ୍ତୀୟ ଅଭିନେତା ଦିଲୀପ କୁମାର ତାଙ୍କ ତିରୋଧାନ ପରେ ଅରୁଣ କୁମାର ନାମଧାରୀ ଜଣେ ବିଜେପି ନେତାଙ୍କ ଟ୍ବିଟ୍‌ରେ ଯେଉଁ ଶ୍ରଦ୍ଧାଞ୍ଜଳି ପାଇଥିଲେ, ତହିଁରେ କୁହାଯାଇଥିଲା ଯେ ହିନ୍ଦୁ ନାମ ଧାରଣ କରି ସେ ରୋଜଗାର କରିଥିଲେ। କହିବାରେ ଦ୍ବିଧା ନାହିଁ ଯେ ପ୍ରଧାନମନ୍ତ୍ରୀ ଇଙ୍ଗିତ କରିଥିବା ଭଳି ଅନାବଶ୍ୟକ ମନ୍ତବ୍ୟର ଏହା ଏକ ଦୃଷ୍ଟାନ୍ତ। କିନ୍ତୁ ସିନେମା ଏକ ଅପ୍ରାସଙ୍ଗିକ କ୍ଷେତ୍ର ବୋଲି ପ୍ରଧାନମନ୍ତ୍ରୀଙ୍କ ମତକୁ ମଧୢ ଗ୍ରହଣ କରାଯାଇ ନ ପାରେ। କାରଣ କୌଣସି ସିନେମା ଭାବଗମ୍ଭୀର ସମାଲୋଚନା ବା ବିତର୍କରୁ ଊର୍ଦ୍ଧ୍ବରେ ରହି ନ ପାରେ। ଯାହା ପ୍ରକୃତରେ ଅପ୍ରାସଙ୍ଗିକ ତାହା ହେଲା ସ˚କୀର୍ଣ୍ଣ ବିଚାର ଏବ˚ ସେହି କାରଣରୁ ତାହା ଅନାବଶ୍ୟକ ମଧୢ।

ସମ୍ବନ୍ଧିତ ଖବର