ତାରାହୀନ ରାତି

ପ୍ରକୃତିର ପସରାରେ ମନୁଷ୍ୟର ମନ ମୋହିବା ପାଇଁ ଯେତେ ସବୁ ଦୃଶ୍ୟ ଭରି ହୋଇ ରହିଛି, ସେଥି ମଧ୍ୟରେ ଗତ ମଙ୍ଗଳବାର ‘ସମ୍ବାଦ’ର ଅଭିମତ ସ୍ତମ୍ଭରେ ମୟୂରଭଞ୍ଜର ଅନୁପମ ଜେନା ସୂଚାଇଥିବା ଭଳି ତାରାଭରା ରାତିର ଆକାଶ ଠାରୁ ଅଧିକ ରୋମାଞ୍ଚ ସୃଷ୍ଟିକାରୀ ଦୃଶ୍ୟ ନିଶ୍ଚିତ ରୂପେ ଆଉ କିଛି ନାହିଁ। କେବଳ ରୋମାଞ୍ଚ ନୁହେଁ, ସୀମିତ ମନୁଷ୍ୟକୁ ଅସୀମର ଉପସ୍ଥିତି ସମ୍ବନ୍ଧରେ ସଚେତନ କରି କିଛି କ୍ଷଣ ପାଇଁ ଆନମନା କରି ଦେବାରେ ଏହି ଦୃଶ୍ୟ ଯେଉଁଭଳି ଏକ ସ୍ମାରକ ଭଳି କାର୍ଯ୍ୟ କରିଥାଏ, ଅନ୍ୟ କିଛି ତାହାର ସମକକ୍ଷ ନୁହଁନ୍ତି। ଏହି ସଚେତନତା ହିଁ ଜେନା କହିଥିବା ଭଳି କବି, ଚିତ୍ରକରଙ୍କ ଠାରୁ ଆରମ୍ଭ କରି ବୈଜ୍ଞାନିକମାନଙ୍କ ପର୍ଯ୍ୟନ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ରୂପେ କାର୍ଯ୍ୟ କରିଥାଏ। କିନ୍ତୁ କ୍ଷୋଭ ପ୍ରକାଶ କରାଯାଇଥିବା ଭଳି ଆଜିର ପିଲାମାନେ ରାତିର ଆକାଶକୁ ଚାହିଁବା ପରିବର୍ତ୍ତେ ଯାହା ଉପରେ ଅବିରତ ଦୃଷ୍ଟି ନିବଦ୍ଧ କରିବାକୁ ବହୁ ଅଧିକ ପସନ୍ଦ କରୁଛନ୍ତି, ତାହା ହେଲା ମୋବାଇଲ ଫୋନ୍‌ କିମ୍ବା କମ୍ପ୍ୟୁଟର୍‌ କିମ୍ବା ଟେଲିଭିଜନ୍‌ର ସ୍କ୍ରିନ୍‌।

ଆଉ ଯଦିବା କେହି କେହି ଏହି କୃତ୍ରିମ ବନ୍ଧରରୁ ମୁକ୍ତ ହୋଇ ରାତି ଆକାଶ ସହିତ ସମ୍ପର୍କ ସ୍ଥାପନରେ ଆଗ୍ରହୀ ହୋଇଥାନ୍ତି, ବର୍ତ୍ତମାନ ପ୍ରକାଶ ପାଇଥିବା ଅନ୍ୟ ଏକ ଗବେଷଣାଲବ୍‌ଧ ସୂଚନା ସେମାନଙ୍କୁ ନିଶ୍ଚିତ ରୂପେ ହତାଶ କରିବ। ମର୍ଯ୍ୟାଦାଜନକ ବିଜ୍ଞାନ ଗବେଷଣା ପତ୍ରିକା ‘ସାଇନ୍‌ସ’ରେ ସଦ୍ୟ ପ୍ରକାଶିତ ଏକ ରିପୋର୍ଟ‌୍ ଅନୁସାରେ ପୃଥିବୀ ସାରା ଲୋକମାନେ ରାତିର ଆକାଶରେ ଦେଖିପାରୁଥିବା ତାରାମାନଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ଘଟିବାରେ ଲାଗିଛି। ଏହାର କାରଣ ରୂ‌େପ ଦର୍ଶାଯାଇଛି ଯେ ରାତିର ଆକାଶର ଉଜ୍ଜ୍ବଳତାରେ ବର୍ଷକୁ ୭-୧୦ ଶତାଂଶ ହାରରେ ବୃଦ୍ଧି ଘଟିବାରେ ଲାଗିଛି। ପୃଥିବୀ ସାରା ଖେଳାଇ ହୋଇ ରହିଥିବା ୫୦,୦୦୦ରୁ ଅଧିକ ସଂଖ୍ୟକ ନାଗରିକ-ବୈଜ୍ଞାନିକମାନେ ୨୦୧୧ରୁ ୨୦୨୨ ମଧ୍ୟରେ ରାତିର ଆକାଶକୁ ପର୍ଯ୍ୟବେକ୍ଷଣ କରି ସଂଗ୍ରହ କରିଥିବା ତଥ୍ୟରାଜିରୁ ଏହି ସିଦ୍ଧାନ୍ତ ଉପଲବ୍‌ଧ ହୋଇଥାଏ। ଏହି ନାଗରିକ ପର୍ଯ୍ୟବେକ୍ଷଣ ଭିତ୍ତିକ ପ୍ରକଳ୍ପର ନାମ ହେଉଛି ‘ଗ୍ଲୋବ୍‌ ଆଟ୍‌ ନାଇଟ୍‌’ (‘ରାତ୍ରିକାଳୀନ ପୃଥିବୀ’)।

ପର୍ଯ୍ୟବେକ୍ଷକମାନେ ଦେଖିବାକୁ ପାଇଛନ୍ତି ଯେ ପୃଥିବୀର ସ୍ଥଳ ଭାଗର ଏକ ବିସ୍ତୃତ ଅଂଶରେ ସୂର୍ଯ୍ୟାସ୍ତ ପରେ ମଧ୍ୟ ଦୀର୍ଘ ସମୟ ଧରି ଆକାଶ ଉଜ୍ଜ୍ବଳ ରହି ଏକ କୃତ୍ରିମ ଗୋଧୂଳିର ଧାରଣା ସୃଷ୍ଟି କରୁଛି, ବୈଜ୍ଞାନିକମାନେ ଯାହାର ନାମକରଣ କରିଛନ୍ତି, ‘‌ସ୍କାଏ ଗ୍ଲୋ’। ଏହା ହେଉଛି ଏକ କିସମର ଆଲୋକ ପ୍ରଦୂଷଣ। ‘ସ୍କାଏ ଗ୍ଲୋ’ ସୃଷ୍ଟି ପଛରେ ନିହିତ କାରଣମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥାଏ: କାର୍‌ ଲାଇଟ୍‌, ସଡ଼କ ଲାଇଟ୍‌, ଅଫିସ୍‌ ଲାଇଟ୍‌, କାରଖାନା ଲାଇଟ୍‌, ବିଜ୍ଞାପନ ଲାଇଟ୍‌, ଅଟ୍ଟାଳିକା ଲାଇଟ୍‌, ଓ ରାତିରେ ଆଲୋକିତ ଖେଳ ପଡ଼ିଆ, ଷ୍ଟାଡିଅମ୍‌ ଆଦିର ଲାଇଟ୍‌ ଇତ୍ୟାଦି। ‘‌ସ୍କାଏ ଗ୍ଲୋ’ ଯୋଗୁଁ ସହର ବାସିନ୍ଦାମାନଙ୍କ ପକ୍ଷରେ ରାତିର ଆକାଶରେ ହାତଗଣତି ତାରାମାନଙ୍କୁ ଦେଖିବା ମଧ୍ୟ ଅସମ୍ଭବ ହୋଇଥାଏ।

ଆମର ଏକ ଧାରଣା ଥାଏ ଯେ ଆକାଶରେ ଅଗଣତି ସଂଖ୍ୟାରେ ତାରା ଦେଖାଯାଆନ୍ତି। ପ୍ରକୃତରେ କିନ୍ତୁ ଖାଲି ଆଖିରେ ସହରରେ ସର୍ବାଧିକ ଯେତିକି ସଂଖ୍ୟକ ତାରା ଦେଖାଯାଆନ୍ତି ତାହା ୨୦୦-୨୫୦ ମଧ୍ୟରେ ସୀମିତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ତାହା ୪,୦୦୦-୬,୦୦୦ ମଧ୍ୟରେ ସୀମିତ ହୋଇଥାଏ। ପୃଥିବୀର ୮୦ ଶତାଂଶରୁ ଅଧିକ ବାସିନ୍ଦାଙ୍କର ‘‌ସ୍କାଏ ଗ୍ଲୋ’ ଯୋଗୁଁ ତାରାମାନଙ୍କ ସହିତ ଏହି ସମ୍ପର୍କ ଛିନ୍ନ ହେବାରେ ଲାଗିଛି ବୋଲି ଜଣାପଡ଼ିଛି। ‘ଗ୍ଲୋବ୍‌ ଆଟ୍‌ ନାଇଟ୍‌’ ପ୍ରୋଜେକ୍ଟର ଗବେଷକମାନଙ୍କ ଆଶଙ୍କା ଯେ ଯଦି ଆଲୋକ ପ୍ରଦୂଷଣର ଅଗ୍ରଗତି ଏଇ ହାରରେ ଅବ୍ୟାହତ ରହେ, ତେବେ ଯେଉଁ ପିଲାଟିଏ ଆଜି ରାତିର ଆକାଶରେ ୨୫୦ଟି ତାରା ଦୃଶ୍ୟମାନ ହେଉଥିବା ଏକ ସ୍ଥାନରେ ଜନ୍ମଲାଭ କରିବ, ତା’ର ଅଷ୍ଟାଦଶ ଜନ୍ମଦିନରେ ସେ ସେଠାରେ ମାତ୍ର ୧୦୦ଟି ତାରା ଦେଖିବାକୁ ପାଇବ।

ଆଲୋକ ପ୍ରଦୂଷଣ କେବଳ ଯେ ଆମକୁ ତାରା ଦେଖିବାକୁ ବଞ୍ଚିତ କରିଥାଏ, ତାହା ନୁହେଁ, ଉଭୟ ମନୁଷ୍ୟ ଓ ମାନବେତର ପ୍ରାଣୀମାନଙ୍କର ବିଭିନ୍ନ କ୍ଷତି ସାଧନ ମଧ୍ୟ କରିଥାଏ। ପ୍ରାୟ ପ୍ରତ୍ୟେକ ଜୀବନ୍ତ ବସ୍ତୁର ଶରୀରରେ ନିହିତ ‘ସର୍କାଡିଆନ୍‌ ରିଦ୍‌ମ’ ନାମକ ଏକ ପ୍ରାକୃତିକ ଛନ୍ଦ ତା’ର ଶରୀରର ଦିବାରାତ୍ରିର କ୍ରିୟାକଳାପକୁ ନିୟନ୍ତ୍ରିତ କରିଥାଏ। ଆଲୋକ-ପ୍ରଦୂଷଣ କିନ୍ତୁ ଏଥିରେ ବ୍ୟାଘାତ ସୃଷ୍ଟି କରିଥାଏ। ଉଦାହରଣ ସ୍ବରୂପ ଏହି ‘ସର୍କାଡିଅାନ୍‌ ରିଦ୍‌ମ’ ପ୍ରକ୍ରିୟାର ଅଂଶ ସ୍ବରୂପ ଅନ୍ଧାରରେ ଶରୀର ‘ମେଲାଟୋନିନ୍‌’ ନାମକ ଏକ ହର୍ମୋନ୍‌ କ୍ଷରଣ କରିଥାଏ, ଯାହା ଆଲୋକର ଉପସ୍ଥିତିରେ ବାଧାପ୍ରାପ୍ତ ହୋଇଥାଏ। ଆଲୋକ ପ୍ରଦୂଷଣ ଯୋଗୁଁ ‘ମେଲାଟୋନିନ୍‌’ ଉତ୍ପାଦନ ହ୍ରାସ ପାଇଲେ ନିଦ୍ରା ବ୍ୟାହତ ହୁଏ, ହାଲିଆ ଲାଗେ, ମୁଣ୍ଡ ବିନ୍ଧେ, ଉତ୍କଣ୍ଠା ବୃଦ୍ଧି ପାଏ ଇତ୍ୟାଦି। ‘ମେଲାଟୋନିନ୍‌’ ସ୍ତରରେ ହ୍ରାସ ସହିତ କ୍ୟାନ୍‌ସରର ସମ୍ପର୍କ ଥିବା କେତେକ ଅନୁଶୀଳନରୁ ଜଣାପଡ଼ିଛି। ଆଜିକାଲି ବ୍ୟାପକ ଭାବରେ ବ୍ୟବହୃତ ନୀଳାଭ ଆଲୋକ ବିଚ୍ଛୁରଣକାରୀ ‘ଏଲ୍‌ଇଡି’ ପ୍ରଦାନ କରୁଥିବା ଆଲୋକ ‘ମେଲାଟୋନିନ୍‌’ ଉତ୍ପାଦନରେ ଅଧିକ ବ୍ୟାଘାତ ଘଟାଇଥାଏ ବୋଲି ଜଣାଯାଏ। ଆଲୋକ ପ୍ରଦୂଷଣ ଯୋଗୁଁ ସମୁଦ୍ର କଇଁଛରୁ ଆରମ୍ଭ କରି ସ୍ଥାନାନ୍ତର ଗମନକାରୀ ପକ୍ଷୀମାନଙ୍କ ପର୍ଯ୍ୟନ୍ତ ଦିଗହରା ହୋଇ ମୃତ୍ୟୁ ମୁଖରେ ପଡ଼ିବା ଜଣାଶୁଣା। ଆଲୋକ ଦ୍ବାରା ବିପୁଳ ସଂଖ୍ୟାରେ ପତଙ୍ଗମାନେ ଆକର୍ଷିତ ହୋଇ ମୃତ୍ୟୁ ଲାଭ କରିବା ଯୋଗୁଁ ପତଙ୍ଗଭୋଜୀ ପକ୍ଷୀମାନେ ଖାଦ୍ୟାଭାବର ସମ୍ମୁଖୀନ ହେବା ମଧ୍ୟ ପ୍ରମାଣିତ ହୋଇଛି। ଆଲୋକ ପ୍ରଦୂଷଣର କ୍ଷତିକାରକ ପ୍ରଭାବର ଏହା ହେଉଛି ମାତ୍ର କେତୋଟି ନମୁନା।

ଆଲୋକ-ଅନ୍ଧାରର ସନ୍ତୁଳନ ବିଗିଡ଼ି ଗଲେ ଏଭଳି କ୍ଷତିକାରକ ପ୍ରଭାବ ସୃଷ୍ଟି ହେବା ପଛରେ ରହିଥିବା ଦୀର୍ଘକାଳୀନ କାରଣ ବୁଝିବା କଷ୍ଟକର ନୁହେଁ। ପୂରା ତିନି ଶହ କୋଟି ବର୍ଷ ଧରି ପୃଥିବୀ ପୃ‌ଷ୍ଠରେ ଜୀବଜଗତ ଆଲୋକ ଓ ଅନ୍ଧାରର ଯେଉଁ ଛନ୍ଦ ସହିତ ପରିଚିତ ଥିଲେ ଓ ନିଜକୁ ଖାପ ଖୁଆଇ ଆସିଥିଲେ, ତାହା ସମ୍ପୂର୍ଣ୍ଣ ରୂପେ ଥିଲା ସୂର୍ଯ୍ୟ, ଚନ୍ଦ୍ର ଓ ତାରାମାନଙ୍କ ଦ୍ବାରା ସୃଷ୍ଟ। ଏବେ ସେଥିରେ ପରିବର୍ତ୍ତନ ଘଟି କୃତ୍ରିମ ଆଲୋକ ଦ୍ବାରା ଅନ୍ଧକାର ପରାସ୍ତ ହୋଇ ସହରାଞ୍ଚଳରୁ ସମ୍ପୂର୍ଣ୍ଣ ପଳାୟନ କରିଛି ଓ ଗ୍ରାମାଞ୍ଚଳରେ ମଧ୍ୟ ଅପସୃୟମାନ ଅବସ୍ଥାରେ ଅଛି। ଏହା ସ୍ବାଭାବିକ ଆଲୋକ-ଅନ୍ଧାର ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରି ପରିବେଶର ସୂକ୍ଷ୍ମ ସନ୍ତୁଳନ ନଷ୍ଟ କରିବାରେ ଲାଗିଛି। ଚିନ୍ତାଜନକ ଭାବରେ ଅନ୍ୟ କିସମର ପରିବେଶ ପ୍ରଦୂଷଣ (ଯେମିତି ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଭୂମି ପ୍ରଦୂଷଣ ଇତ୍ୟାଦି) ଯେଉଁ ଭଳି ଆମର ଦୃଷ୍ଟି ଆକର୍ଷଣ କରି ପ୍ରତିକାର ନିମିତ୍ତ ପଦକ୍ଷେପ ନେବା ପାଇଁ ଆମକୁ ବାଧ୍ୟ କଲାଣି, ଆଲୋକ ପ୍ରଦୂଷଣ କିନ୍ତୁ ଏ ପର୍ଯ୍ୟନ୍ତ ସେପରି କରିପାରି ନାହିଁ।

ତେବେ ଆଶ୍ବାସନାର କଥା ଏହା ଯେ ଅନ୍ୟ ପ୍ରଦୂଷଣମାନଙ୍କୁ ଓଲଟାଇବା ଅସମ୍ଭବ ବା ଅତ୍ୟନ୍ତ କଷ୍ଟକର ହୋଇଥିବା ବେଳେ ଆଲୋକ ପ୍ରଦୂଷଣକୁ ଓଲଟାଇବା ଏକ ସ୍ବିଚ୍‌କୁ ଅଫ୍‌ କରିଦେବା ଭଳି ସହଜ ହୋଇପାରେ, ଯଦି ବ୍ୟବହାରକାରୀମାନେ ସଚେତନ ହୁଅନ୍ତି- ଅନୁପମ ଜେନାଙ୍କ ଭଳି। ଏ ଦିଗରେ ପ୍ରଥମ ପଦକ୍ଷେପ ସ୍ବରୂପ ସେମାନେ ନିମ୍ନୋକ୍ତ କେତୋଟି କାର୍ଯ୍ୟ କରିପାରିବେ: କେବଳ ଯେତେବେଳେ ଓ ଯେଉଁଠି ନିହାତି ଆବଶ୍ୟକ, ଆଲୋକ ଜଳାନ୍ତୁ; ନିରାପତ୍ତା ନିମିତ୍ତ ଆବଶ୍ୟକ ହୋଇଥିଲେ ଗତି ଚିହ୍ନଟକାରୀ ସେନ୍‌ସର ସଂଯୁକ୍ତ ଆଲୋକ ବ୍ୟବହାର କରନ୍ତୁ; ବାହାରେ ଲାଗିଥିବା ଆଲୋକର ଉଦ୍ଦେଶ୍ୟହୀନ ବିଚ୍ଛୁରଣ ବନ୍ଦ କରିବା ପାଇଁ ଉପଯୁକ୍ତ ଘୋଡ଼ଣୀ ବ୍ୟବହାର କରନ୍ତୁ; ଘର ଭିତରର ଆଲୋକକୁ ବାହାରକୁ ଆସିବାକୁ ନ ଦେବା ପାଇଁ ଉପଯୁକ୍ତ ପର୍ଦ୍ଦା ବ୍ୟବହାର କରନ୍ତୁ; ଜଣେ ନାଗରିକ- ବୈଜ୍ଞାନିକ ହୋଇ ‘ଗ୍ଲୋବ୍‌ ଆଟ୍‌ ନାଇଟ୍‌’ରେ ଯୋଗ ଦିଅନ୍ତୁ; ସର୍ବୋପରି, ଯେହେତୁ ଆଲୋକ ପ୍ରଦୂଷଣ ସମ୍ବନ୍ଧରେ ସଚେତନତା ଏ ପର୍ଯ୍ୟନ୍ତ ବିଶେଷ ଭାବରେ ପ୍ରସାର ଲାଭ କରିନାହିଁ, ପ୍ରଚାରକର ଭୂମିକା ନିର୍ବାହ କରି ସର୍ବାଧିକ ସମ୍ଭବ ସଂଖ୍ୟକ ଲୋକମାନଙ୍କ ମଧ୍ୟରେ ଏହି ସଚେତନତା ପ୍ରସାର କରନ୍ତୁ। ଏହି କ୍ଷୁଦ୍ର ଉଦ୍ୟମ ପାଇଁ ସେମାନେ ଯେଉଁ ଅମୂଲ୍ୟ ପୁରସ୍କାର ଲାଭ କରିବେ, ତାହା ହେଉଛି ହୀରା ଫୁଲ ପରି ତାରକା ଖଚିତ ରାତି ଆକାଶର ଚାନ୍ଦୁଆ।

ସମ୍ବନ୍ଧିତ ଖବର