ସଙ୍କଟ ମୋଚନ

ଚୀନା କରୋନା ଭୂତାଣୁ ସୃଷ୍ଟ କୋଭିଡ୍‌-୧୯ ପାଣ୍ଡେମିକ୍‌ ପୃଥିବୀର ଅନ୍ୟ ସମସ୍ତ ଦେଶମାନଙ୍କର ଅର୍ଥନୀତି ଭଳି ଭାରତର ଅର୍ଥନୀତିକୁ ମଧ୍ୟ ଦାରୁଣ ଆଘାତ ପହଞ୍ଚାଇଥିଲା। ଇତି ମଧ୍ୟରେ ସେଇ ବେଦନାଦାୟକ ଅନୁଭୂତିକୁ ପଛରେ ପକାଇ ଭାରତୀୟମାନେ ଦେଶର ଅର୍ଥନୀତିକୁ ପୁଣି ଗୁଳାରେ ପକାଇବା ଉଦ୍ୟମରେ ଲାଗିପଡ଼ିଲେଣି। ତେବେ ସମସ୍ତଙ୍କର ମନରେ ଗୋଟିଏ ପ୍ରଶ୍ନ ତଥାପି ବସାବାନ୍ଧି ରହିଥିଲା- ଆମର ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ପାଣ୍ଡେମିକ୍‌ ପ୍ରଭାବରୁ ମୁକ୍ତ ହେଲାଣି ନା ନାହିଁ? ଏହା ସ୍ପଷ୍ଟ ଯେ ଅର୍ଥନୀତିର ସାମଗ୍ରିକ ଚିତ୍ର ସହିତ ଯେଉଁମାନେ ପରିଚିତ, ସେଇମାନେ କେବଳ ଏ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିବେ। ଆଉ ଯେଉଁ ଏକ ଦସ୍ତାବିଜ ୧୯୫୦-୫୧ ଠାରୁ ପ୍ରତିବର୍ଷ ଦେଶବାସୀଙ୍କ ସମ୍ମୁଖରେ ଅର୍ଥନୀତିର ଏହିପରି ଏକ ସାମଗ୍ରିକ ଚିତ୍ର ପରିବେଷଣ କରି ଆସିଛି ତାହା ହେଉଛି କେନ୍ଦ୍ର ସରକାରଙ୍କର ବିତ୍ତ ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ ‘ଇକନୋମିକ୍‌ ସର୍ଭେ ଅଫ୍‌ ଇଣ୍ଡିଆ’ ବା ଅର୍ଥ‌େନୖତିକ ସର୍ବେକ୍ଷଣ ରିପୋର୍ଟ‌୍।

ଆରମ୍ଭରେ ଏହି ରିପୋର୍ଟ‌୍ କେନ୍ଦ୍ରୀୟ ବଜେଟ୍‌ର ଏକ ଅଂଶ ରୂପେ ପାର୍ଲିଆମେଣ୍ଟରେ ଉପସ୍ଥାପିତ ହେଉଥିଲା, କିନ୍ତୁ ୧୯୬୪ ଠାରୁ ଏହାକୁ ବଜେଟ୍‌ ଠାରୁ ବିଚ୍ଛିନ୍ନ କରି ଦିଆଯାଇ ଏକ ସ୍ବତନ୍ତ୍ର ଦସ୍ତାବିଜ ରୂପେ ବଜେଟ୍‌ର ଦିନକ ପୂର୍ବରୁ ପାର୍ଲିଆମେଣ୍ଟରେ ଉପସ୍ଥାପନ କରାଯିବାର ପରମ୍ପରା ଆରମ୍ଭ ହୋଇ ଏ ପର୍ଯ୍ୟନ୍ତ ବଳବତ୍ତର ରହିଛି। ସେଇ ପରମ୍ପରାକୁ ଅନୁସରଣ କରି ‌ମଙ୍ଗଳବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାର୍ଲିଆମେଣ୍ଟରେ ୨୦୨୨-୨୩ ବିତ୍ତ ବର୍ଷ ପାଇଁ ଯେଉଁ ଇକନୋମିକ୍‌ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି, ସେଥିରେ ଉପରୋକ୍ତ ପ୍ରଶ୍ନର ଏକ ବିଧିବଦ୍ଧ ଉତ୍ତର ନିହିତ ଅଛି: ସେଥିରେ ଘୋଷଣା କରାଯାଇଛି ଯେ କୋଭିଡ ପାଣ୍ଡେମିକ୍‌ର ଆଘାତରୁ ଭାରତୀୟ ଅର୍ଥନୀତିର ପୁନରୁଦ୍ଧାର ସମାପ୍ତ ହୋଇଛି ଏବଂ ଆଗାମୀ ୨୦୨୩-୨୪ ବିତ୍ତ ବର୍ଷରେ ଅର୍ଥନୀତି ୬-୬.୮ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରିବାକୁ ଯାଉଛି, ଯାହା ସ୍ବାଭାବିକ ସମୟରେ ଏକ ସନ୍ତୋଷଜନକ ଅଭିବୃଦ୍ଧି ହାର ରୂପେ ବିବେଚିତ ହୋଇଥାଏ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୨-୨୩ର ୭.୦ ଶତାଂଶ ହାର ଓ ୨୦୨୧-୨୨ର ୮.୭ ଶତାଂଶ ହାର ତୁଳନାରେ ଆସନ୍ତା ବର୍ଷ‌ର ଏହି ସମ୍ଭାବ୍ୟ ହାର କମ୍‌ ମନେ ହୋଇପାରୁଥାଏ, କିନ୍ତୁ ସର୍ବଦା ଦେଖାଯାଇଥାଏ ଯେ କୌଣସି ଏକ ଗୁରୁତର ସଂକଟରୁ ମୁକୁଳିବା ସମୟରେ ଏକ ଅର୍ଥନୀତିର ଅଭିବୃଦ୍ଧି ହାର ଏକ ନୀଚା ମୂଳଭିତ୍ତି ପ୍ରଭାବ (ଲୋ ବେସ୍‌ ଇଫେକ୍‌ଟ) ଯୋଗୁଁ ଉଚ୍ଚା ପ୍ରତୀୟମାନ ହୋଇଥାଏ। ସୂଚାଇବା ଅନାବଶ୍ୟକ,ଏହି ଅଭିବୃଦ୍ଧି ହାର ହେଉଛି ଦେଶର ମୋଟ ବାର୍ଷିକ ଜାତୀୟ ଉତ୍ପାଦ ବା ‘ଜିଡିପି’ରେ ଦେଖାଯାଉଥିବା ବୃଦ୍ଧିର ହାର ଏବଂ କୋଭିଡ୍‌ ପାଣ୍ଡେମିକ୍‌ ଭଳି କୌଣସି ଏକ ଗୁରୁତର ବିପର୍ଯ୍ୟୟର ଏକ ଅରୁଚିକର ଦିଗ ହେଉଛି ଏଇଭଳି: ସତେ ଯେମିତି ବିପର୍ଯ୍ୟୟ ‘ଜିଡିପି’ରେ ବୃଦ୍ଧି ପାଇଁ ଅନୁକୂଳ ହୋଇଥାଏ! ଉଦାହରଣ ସ୍ବରୂପ ପ୍ରଖ୍ୟାତ ଅର୍ଥନୈତିକ ଐତିହାସିକ ଆଙ୍ଗସ୍‌ ମାଡିସନ୍‌ଙ୍କ ଦ୍ବାରା ସଂଗୃହୀତ ତଥ୍ୟ ଅନୁସାରେ ଆମେରିକା, ବ୍ରିଟେନ୍‌, ଫ୍ରାନ୍‌ସ, ଜର୍ମାନୀ ଆଦି ଦେଶରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତ ହେବା ପରେ ପ‌େର କେତେ ବର୍ଷ ଧରି ‘ଜିଡିପି’ରେ ଯେଉଁ ହାରରେ ଅଭିବୃଦ୍ଧି ଦେଖା ଦେଇଥିଲା, ସମୟ ଅତିବାହିତ ହେବା ସହିତ ସେଥିରେ ଭଟ୍ଟା ପଡ଼ିଥିଲା।

ତେବେ ‘ଆନ୍ତର୍ଜାତିକ ମୁଦ୍ରାପାଣ୍ଠି’ (‘ଆଇଏମ୍‌ଏଫ୍‌’) ମଙ୍ଗଳବାର ପ୍ରକାଶ କରିଥିବା ‘ୱାର୍ଲଡ୍‌ ଇକନୋମିକ୍‌ ଆଉଟ୍‌ଲୁକ୍‌’ରେ ୨୦୨୩ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିରେ ଯେଉଁଭଳି ମନ୍ଥରତା (୬.୧ ଶତାଂଶ ହାର) ଦେଖାଦେବ ବୋଲି ପୂର୍ବାନୁମାନ ପ୍ରକାଶ କରିଛି, ‘ଇକନୋମିକ୍‌ ସର୍ଭେ’ର ଉପରୋକ୍ତ ପୂର୍ବାନୁମାନ ତାହା ଅପେକ୍ଷା ଅଧିକ ଆଶାବାଦୀ ହୋଇଛି। ‘ଇକନୋମିକ୍‌ ସର୍ଭେ’ର ମୁଖ୍ୟ ସ୍ଥପତି ସରକାରଙ୍କର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (‘ସିଇଏ’) ଭେଙ୍କଟରାମନନ ଅନନ୍ତ ନାଗେଶ୍ବରନଙ୍କର ଏହି ଆଶାବାଦର ଭିତ୍ତି ହେଉଛି ମୁଖ୍ୟତଃ ଦ୍ବିବିଧ: ଏକ ସବଳ ଆଭ୍ୟନ୍ତରୀଣ ଚାହିଦା ସ୍ଥିତି ଓ ପୁଞ୍ଜିଗଠନ ଜନିତ ବ୍ୟୟରେ ବୃଦ୍ଧି। ଏହା ଜଣାଶୁଣା ଯେ ଭାରତୀୟ ଅର୍ଥନୀତି ଚାରିତ୍ରିକ ଭାବେ କେବେହେଲେ ରପ୍ତାନି ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇ ଆସିନାହିଁ। ତଦୁପରି ଚଳିତ ବିତ୍ତବର୍ଷରେ ଭାରତର ରପ୍ତାନି ବୃଦ୍ଧିରେ ଉଲ୍ଲେଖନୀୟ ଶିଥିଳତା ପରିଲକ୍ଷିତ ହୋଇଛି ମଧ୍ୟ। ତେଣୁ ଭାରତୀୟ ଅର୍ଥନୀତି ପାଣ୍ଡେମିକ୍‌ ପରେ ସକ୍ରିୟ ହେବାରେ ଯାହା ସହାୟକ ହୋଇଛି, ତାହା ହେଉଛି ଆଭ୍ୟନ୍ତରୀଣ ଚାହିଦାରେ ଦେଖା ଦେଇଥିବା ବୃଦ୍ଧି।

କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ‌େଯ କୋଭିଡ୍‌ ଜନିତ ଲକ୍‌ଡାଉନ୍‌ ସମୟରେ ଗୃହବନ୍ଦୀ ଅବସ୍ଥାରେ ଥିବା ଦେଶବାସୀ ମାନଙ୍କର ଯେଉଁ ଚାହିଦା ଅପୂର୍ଣ୍ଣ ରହିଥିଲା, କୋଭିଡ୍‌ କଟକଣାମାନ ହଟିଯିବା ପରେ ତାହା ପୂର୍ଣ୍ଣ କରିବା ପାଇଁ ସ୍ବାଭାବିକ ଭାବରେ ଗ୍ରାହକମାନଙ୍କ ମଧ୍ୟରେ ବିଶେଷ ତତ୍ପରତା ଦେଖାଦେଇଛି। ଏହି ତତ୍ପରତା କେତେ ଦୂର ଦୀର୍ଘସ୍ଥାୟୀ ହେବ କହି ହେବ ନାହିଁ। ‘ଇକନୋମିକ୍‌ ସର୍ଭେ’ରେ କିନ୍ତୁ ଆଶା ପ୍ରକାଶ କରାଯାଇଛି ଯେ ଚାହିଦାରେ ଦେଖା ଦେଇଥିବା ଏହି ପ୍ରତିକ୍ଷେପଣ ଦୀର୍ଘକାଳ ପାଇଁ ଶକ୍ତି ହରାଇବ ନାହିଁ। କିନ୍ତୁ ମୁଦ୍ରାସ୍ଫୀତି ଅର୍ଥାତ୍‌ ଦରଦାମ ବୃଦ୍ଧି ହାର ଯଦି ଭବିଷ୍ୟତରେ ଉଚ୍ଚା ରହେ, ତାହା ଖାଉଟିମାନଙ୍କର କ୍ରୟଶକ୍ତିରେ ହ୍ରାସ ଘଟାଇ ବାସ୍ତବ ଚାହିଦା ବୃଦ୍ଧିକୁ ସଂକୁଚିତ କରିବ। ଏହା ବ୍ୟତୀତ ଖାଉଟିମାନଙ୍କର ଚାହିଦା ସେମାନଙ୍କର ଆୟ ଉପରେ ନିର୍ଭରଶୀଳ ହୋଇଥାଏ। ଏହା ସର୍ବସମ୍ମତ ଯେ କୋଭିଡ୍‌ ପରେ ଅର୍ଥନୀତିରେ ଯେଉଁ ପୁନର୍ଜାଗରଣ ଦେଖାଯାଇଛି, ତାହା ବିଷମ ହୋଇଛି, ଯାହାର ଅର୍ଥ ବ୍ୟୟ କରିବା ପ୍ରବୃତ୍ତି ଉଚ୍ଚ ହୋଇଥିବା ଗୋଷ୍ଠୀମାନଙ୍କର ପକେଟ୍‌ ଖାଲି ହୋଇଥିବା ବେଳେ ଯେଉଁମାନେ ଖର୍ଚ୍ଚ କରିବାକୁ କୁନ୍ଥାଇଥାନ୍ତି, ସେମାନଙ୍କ ଆୟରେ ବୃଦ୍ଧି ଘଟିଥାଏ। ଯଦି ଭବିଷ୍ୟତରେ ଆୟ ଓ ନିଯୁକ୍ତିରେ ବୃଦ୍ଧି ଅଧିକ ସୁଷମ ନ ହୁଏ ତେବେ ଆଭ୍ୟନ୍ତରୀଣ ଚାହିଦାରେ ବୃଦ୍ଧି ଦେଶରେ ଉତ୍ପାଦନରେ ଆବଶ୍ୟକ ବୃଦ୍ଧିକୁ ସମ୍ଭାଳିବା ନିମିତ୍ତ ଯଥେଷ୍ଟ ହେବ ନାହିଁ।

ପୁଞ୍ଜି ଗଠନ ସମ୍ପର୍କିତ ବ୍ୟୟ ବୃଦ୍ଧି (କ୍ୟାପେକ୍‌ସ) ସମ୍ବନ୍ଧରେ ‘ଇକନୋମିକ୍‌ ସର୍ଭେ’ରେ କୁହାଯାଇଛି ଯେ ନୂତନ ପ୍ରକଳ୍ପମାନ ନିୟମିତ ଭାବରେ ଘୋଷଣା କରାଯିବା ସହିତ ଘରୋଇ କ୍ଷେତ୍ରରେ ‘କ୍ୟାପେକ୍‌ସ’ ବୃଦ୍ଧି ପାଇବା ପରିଲକ୍ଷିତ ହେଉଛି। କିନ୍ତୁ ସମଗ୍ର ଶିଳ୍ପକ୍ଷେତ୍ରରେ ଏହି ଉତ୍ସାହ ସମାନ ଭାବରେ ଅନୁଭୂତ ନ ହୋଇ ନିର୍ଦ୍ଦିଷ୍ଟ କେତେକ କ୍ଷେତ୍ରମାନଙ୍କ ମଧ୍ୟରେ ସୀମିତ ରହିଛି। ଉଦାହରଣ ସ୍ବରୂପ ମୋବାଇଲ୍‌ ‌େଫାନ୍‌ ନିର୍ମାଣ ପାଇଁ ପ୍ରଦାନ କରା ହେଉଥିବା ପ୍ରୋତ୍ସାହନର ଫଳ ସ୍ବରୂପ ଭାରତ ବର୍ତ୍ତମାନ ପୃଥିବୀର ଦ୍ବିତୀୟ ବୃହତ୍ତମ ମୋବାଇଲ ଫୋନ୍‌ ନିର୍ମାଣକାରୀ ଦେଶରେ ପରିଣତ ହୋଇସାରିଲାଣି। ୨୦୧୫ରେ ଦେଶରେ ପ୍ରାୟ ଛ’ କୋଟି ମୋବାଇଲ୍‌ ‌େଫାନ୍‌ ‘ହ୍ୟାଣ୍ଡସେଟ୍‌’ ନିର୍ମିତ ହୋଇଥିବା ବେଳେ, ୨୦୨୨ରେ ସେ ସଂଖ୍ୟାରେ ବୃଦ୍ଧି ଘଟି ହୋଇଛି ୩୧ କୋଟି। ସରକାର କାର୍ଯ୍ୟକାରୀ କରିଥିବା ଉତ୍ପାଦନ ପ୍ରୋତ୍ସାହନମୂଳକ ‘ପିଏଲ୍‌ଆଇ’ ଯୋଜନାର ଏଥିପାଇଁ ବିଶେଷ ଅବଦାନ ରହିଛି, ଯାହା ଅନ୍ୟାନ୍ୟ କ୍ଷେତ୍ରମାନଙ୍କୁ ସମ୍ପ୍ରସାରିତ କରାଯିବା ଆବଶ୍ୟକ।

ମୋଟ ଉପରେ ‘ଇକନୋମିକ୍‌ ସର୍ଭେ’ ରିପୋର୍ଟ‌୍ ନିଃସନ୍ଦେହରେ ଏକ ଆଶାବାଦୀ ବିବରଣୀ ରୂପେ ଆବିର୍ଭୂତ ହୋଇଛି, ଯାହା ପ୍ରତିକୂଳ ପରିସ୍ଥିତିରେ ହାରି ନ ଯାଇ ତିଷ୍ଠି ରହି ପାରିବାରେ ଭାରତୀୟ ଅର୍ଥନୀତି ପ୍ରଦର୍ଶନ କରିଥିବା ଲଢୁଆ କ୍ଷମତାର ଏକ ପ୍ରମାଣପତ୍ର ଭଳି ମନେହୁଏ।

ସମ୍ବନ୍ଧିତ ଖବର