ପୃଥିବୀର ମାନଚିତ୍ର ତିଆରି ହେବା ପରେ ସିନ୍ଧୁ ନଦୀ ଅଗତ୍ୟା ଯେଉଁ ବିଡ଼ମ୍ବନାଟିକୁ ପ୍ରତ୍ୟକ୍ଷ କରିଛିି, ତାହା ହେଲା ଏହାର ଗତିପଥରେ ବିଦ୍ୟମାନ ପରସ୍ପର ସହିତ ସ˚ଲଗ୍ନ ତିନି ଦେଶ ଏକ ଦୁର୍ଭାଗ୍ୟପୂର୍ଣ୍ଣ ସ˚ପର୍କ ସୂତ୍ରରେ ଆବଦ୍ଧ, ଯେଉଁଠି ମଧୢବର୍ତ୍ତୀ ଦେଶ ଭାରତ ପ୍ରତି ତା’ର ଦୁଇ ପଡ଼ୋଶୀ ଚୀନ ଏବ˚ ପାକିସ୍ତାନ ଶତ୍ରୁତାଭରା ଆଚରଣ ପ୍ରଦର୍ଶନ କରିଥାଆନ୍ତି। ସେହି ଦୃଷ୍ଟିରୁ ୧୯୬୦ ମସିହାରେ ଭାରତ ଏବ˚ ପାକିସ୍ତାନ ମଧୢରେ ସ˚ପାଦିତ ହୋଇଥିବା ସିନ୍ଧୁ ଜଳ ବଣ୍ଟନ ଚୁକ୍ତ ଦୀର୍ଘ ଷାଠିଏ ବର୍ଷ ପରେ ମଧୢ ସଫଳତାର ସହିତ କାର୍ଯ୍ୟକାରୀ ହୋଇ ରହିବା ସମଗ୍ର ପୃଥିବୀ ସକାଶେ ଏକ ଉଜ୍ଜ୍ବଳ ଦୃଷ୍ଟାନ୍ତ ମଧୢ ସୃଷ୍ଟି କରିଥାଏ; କାରଣ ଏହି ସମୟ ଖଣ୍ତ ମଧୢରେ ଚୀନ ସହିତ ଭାରତର ଯୁଦ୍ଧ ଏବ˚ ତା’ ପର ଠାରୁ ଏ ପର୍ଯ୍ୟନ୍ତ ମୁହୁର୍ମୁହୁଃ ଘଟି ଚାଲିଥିବା ସୀମାନ୍ତ ସ˚ଘର୍ଷ ଅଥବା ୧୯୬୫, ୧୯୭୧ ଓ ୧୯୯୯ ମସିହାରେ ପାକିସ୍ତାନ ଓ ଭାରତ ମଧୢରେ ଯୁଦ୍ଧ ତଥା ଚାରି ଦଶକରୁ ଅଧିକ କାଳ ଧରି ଭାରତ ଉପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣର ଧାରା ସତ୍ତ୍ବେ ଏହି ଚୁକ୍ତି ପ୍ରତି ସମ୍ମାନ ପ୍ରଦର୍ଶନ ଜାରି ରହିଛି, ଯାହା କୌଣସି ଛୋଟିଆ କଥା ନୁହେଁ। ସେହି ଦୃଷ୍ଟିରୁ ନିକଟରେ ସିନ୍ଧୁ ଜଳ ବଣ୍ଟନକୁ ନେଇ ଭାରତ ଓ ପାକିସ୍ତାନ ମଧୢରେ ଜାତ ହୋଇଥିବା ବିବାଦ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ପ୍ରକାଶ ଥାଉ କି ଯଦିଓ ଏ ଯାବତ୍ ଏହି ଚୁକ୍ତିି ପ୍ରାୟ ଆକ୍ଷରିକ ଓ ମାର୍ମିକ ଭାବେ ବଳବତ୍ତର ରହିଛି; ନଦୀର ସବା ତଳ ମୁଣ୍ତରେ ଥିବା ପାକିସ୍ତାନ ପକ୍ଷରୁ ନଦୀ ଜଳ ବ୍ୟବହାର ପରିପ୍ରେକ୍ଷୀରେ ଭାରତ ବିରୋଧରେ କରାଯାଉଥିବା ଆପତ୍ତି ସମୟେ ସମୟେ ବିବାଦ ମଧୢ ଉତ୍ପନ୍ନ କରିଥାଏ। ଏ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ଲାଭ କରିବାକୁ ହେଲେ ଏହି ଚୁକ୍ତି ଉପରେ ଏକ କ୍ଷିପ୍ର ଦୃଷ୍ଟିପାତ ଆବଶ୍ୟକ। ପ୍ରଥମ କଥା ହେଲା ପଞ୍ଜାବ ‘ରିଭର ସିଷ୍ଟମ’ (ନଦୀ ବ୍ୟବସ୍ଥା) ଦୁଇ ଭାଗରେ ବିଭକ୍ତ: ପୂର୍ବ ଏବ˚ ପଶ୍ଚିମ; ଯହିଁରେ ପୂର୍ବ ଭାଗରେ ପ୍ରବାହିତ ସିନ୍ଧୁର ତିନି ଉପନଦୀ ଶତଦ୍ରୁ, ରବି ଓ ବିପାଶାର ଜଳକୁ ପୂର୍ଣ୍ଣ ରୂପେ ବ୍ୟବହାର କରିବାର ଅଧିକାର ଭାରତ ପାଇଛି; କିନ୍ତୁ ପଶ୍ଚିମ ଭାଗରେ ଥିବା ତିନିଟି ନଦୀ ଅର୍ଥାତ୍ ଝେଲମ, ଚେନାବ ଓ ସିନ୍ଧୁର ଜଳର ଏକ କ୍ଷୁଦ୍ରାଂଶ ଭାରତ କେବଳ କୃଷି ଉଦ୍ଦେଶ୍ୟରେ ବ୍ୟବହାର କରିପାରେ ଏବ˚ ଅବଶିଷ୍ଟ ଜଳ ପାକିସ୍ତାନ ପାଇବାର ବ୍ୟବସ୍ଥା ରହିଛି। ପ୍ରକାଶ ଥାଉ କି ଭାରତ ଏହି ସୂତ୍ରରୁ ୪୦ ବିଲିଅନ ଘନମିଟର ଜଳ (ପ୍ରାୟ ୭ ଲକ୍ଷ ୧ ହଜାର ଏକର ଜମି ଲାଗି) ପାଉଥିବା ବେଳେ ପାକିସ୍ତାନ ପାଇଥାଏ ତା’ର ପାଞ୍ଚ ଗୁଣ ଅର୍ଥାତ୍ ପ୍ରାୟ ୨୦୦ ବିଲିଅନ ଘନମିଟର ଜଳରାଶି।
ଚୁକ୍ତି ଅନୁସାରେ ପାକିସ୍ତାନ ଲାଗି ଉଦ୍ଦିଷ୍ଟ ତିନିଟି ନଦୀର ଜଳକୁ ଭାରତ ଦ୍ବାରା କୌଣସି ଘରୋଇ ବା ବ୍ୟାବସାୟିକ କାର୍ଯ୍ୟରେ ଖର୍ଚ୍ଚ କରାଯାଇ ପାରିବ ନାହିଁ କି ତଜ୍ଜନିତ ପାକିସ୍ତାନର ଭାଗରେ କ୍ଷୟ ଘଟାଯାଇ ପାରିବ ନାହିଁ। ସେହିଭଳି କୌଣସି ପ୍ରକଳ୍ପ କାରଣରୁ ଭାରତ ଦ୍ବାରା ସ୍ବାଭାବିକ ଜଳ ପ୍ରବାହରେ ବ୍ୟାଘାତ ସୃଷ୍ଟି କରାଯାଇ ପାରିବ ନାହିଁ। ଏହି ଚୁକ୍ତିକୁ ଯେ ଭାରତ ନିଷ୍ଠାର ସହିତ ପାଳନ କରିଥାଏ, ଏଥିରେ ସନ୍ଦେହ ନାହିଁ। ତେବେ, ସମସ୍ୟାଟି ଉତ୍ପନ୍ନ ହୋଇଛି ପାକିସ୍ତାନ ପୋଷଣ କରୁଥିବା ଏକ ଆଶଙ୍କାରୁ ଯେ କାଶ୍ମୀରରେ ଭାରତ ଦ୍ବାରା ନିର୍ମାଣାଧୀନ ଦୁଇ ଜଳ ବିଦ୍ୟୁତ୍ ପ୍ରକଳ୍ପ ଯଥା: ଝେଲମ ନଦୀ ଉପରେ କାଶୀଗଙ୍ଗା (୩୫୦ ମେଗାଵାଟ୍) ଏବ˚ ଚେନାବ ଉପରେ ରାତଲେ (୮୫୦ ମେଗାଵାଟ୍) ଦ୍ବାରା ପାକିସ୍ତାନରେ ସିନ୍ଧୁ ନଦୀର ସ୍ବାଭାବିକ ପ୍ରବାହରେ ବ୍ୟାଘାତ ସୃଷ୍ଟି ହେବ। କହିବା ଅନାବଶ୍ୟକ ଯେ ଭାରତ ଅତ୍ୟାଧୁନିକ ପ୍ରଯୁକ୍ତିର ପ୍ରୟୋଗ କରି ପ୍ରବହମାନ ନଦୀରୁ ଜଳ ବିଦ୍ୟୁତ୍ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି, ଯହିଁରେ କୌଣସି ଜଳ ଭଣ୍ଡାର ନିର୍ମାଣର ଆବଶ୍ୟକତା ନାହିଁ। କିନ୍ତୁ ଭାରତର ଆଶ୍ବାସନା ପାକିସ୍ତାନ ଲାଗି ବିଶ୍ବାସଯୋଗ୍ୟ ନ ହେବାରୁ ବିବାଦଟି ଏକ ଦିଗହୀନ ଅନ୍ଧଗଳିରେ ପ୍ରବେଶ କରିଛି; ଯେଉଁ କାରଣରୁ ଏହି ପୁରୁଣା ଚୁକ୍ତିର ସମୟୋପଯୋଗୀ ପୁନଃ ବ୍ୟାଖ୍ୟାନ ଏବ˚ ସ˚ଶୋଧନ ଆବଶ୍ୟକ ବୋଲି ଭାରତ ଦୃଢ଼ ଦାବି କରିଛି; ଯଦ୍ଦ୍ବାରା ବିବାଦଟି ଅଧିକ ଘନୀଭୂତ ହୋଇଛି।
ପ୍ରକାଶ ଥାଉ କି ସିନ୍ଧୁ ଜଳ ବଣ୍ଟନ ସ˚ପର୍କିତ କୌଣସି ବିବାଦ ଉପୁଜିଲେ ଏହି ଚୁକ୍ତିରେ ନିହିତ ପ୍ରାବଧାନ ଅନୁଯାୟୀ ପ୍ରଥମେ ଏହାର ସମାଧାନର ପ୍ରୟାସ ଉଭୟ ଦେଶର ସଦସ୍ୟଙ୍କୁ ନେଇ ଗଠିତ ଏକ ସ୍ଥାୟୀ କମିସନ ଜରିଆରେ କରାଯିବ। ସେଥିରେ କୌଣସି ଫଳ ନ ମିଳିଲେ ସମସ୍ୟାଟି ଏକ ନିରପେକ୍ଷ ବିଶେଷଜ୍ଞଙ୍କ କମିଟି ନିକଟକୁ ଯିବ। ସେଠାରେ ମଧ୍ୟ ଯଦି ତାହା ଅସମାହିତ ରହେ, ତେବେ ଅନ୍ତିମ ପନ୍ଥା ରୂପେ ତାହା ‘ଦ ହେଗ୍’ ସ୍ଥିତ ଆନ୍ତର୍ଜାତିକ ବିଚାରାଳୟ ଅଧୀନକୁ ଆସିବ। ପ୍ରକାଶ ଥାଉ କି ଏ ସମସ୍ତ ପ୍ରକରଣ ବିଶ୍ବ ବ୍ୟାଙ୍କର ସତର୍କ ଦୃଷ୍ଟି ତଳେ ହିଁ ହେବ। ସେହି ଦୃଷ୍ଟିରୁ ପାକିସ୍ତାନର ପ୍ରଥମ ଆପତ୍ତି ପରେ ୨୦୦୬ ମସିହାରୁ ବିବାଦ ସୃଷ୍ଟି ହୋଇଥିଲା। ସ୍ଥାୟୀ କମିସନ ଜରିଆରେ ଦୀର୍ଘ କାଳର ଦ୍ବି-ପାକ୍ଷିକ ଆଲୋଚନା ମାଧୢମରେ ସମାଧାନର ଉପାୟ ବାହାରି ନ ପାରିବାରୁ ଉଭୟ ଦେଶ ନିରପେକ୍ଷ ବିଶେଷଜ୍ଞଙ୍କ କମିଟି ବାବଦରେ ନିଷ୍ପତ୍ତି ନେଇଥିଲେ। କିନ୍ତୁ ହଠାତ୍ ପାକିସ୍ତାନ ତହିଁରୁ ଓହରି ଯାଇ ମାମଲାଟିକୁ ‘ଦ ହେଗ୍’କୁ ନେଇ ଯିବାକୁ ଚାହିଁଥିଲା, ଯହିଁରେ ଭାରତ ଅସମ୍ମତ ହୋଇଥିଲା। ସୁତରାଂ, ଏକ ଅନ୍ତହୀନ ଟଣାଓଟରାର ପରିସ୍ଥିତି ସୃଷ୍ଟି ହେବାକୁ ବସିଥିବା ବେଳେ ‘ବିଶ୍ବ ବ୍ୟାଙ୍କ’ ଏକ ବିଚିତ୍ର ନିଷ୍ପତ୍ତି ନେଇ ସମାଧାନର ସୂତ୍ର ସମାନ୍ତରାଳ ଭାବେ ଆନ୍ତର୍ଜାତିକ ବିଚାରାଳୟ ଏବ˚ ନିରପେକ୍ଷ ବିଶେଷଜ୍ଞଙ୍କ କମିଟି ଦ୍ବାରା ବାହାରୁ ବୋଲି କହିଥିଲେ। ତେଣୁ, ଘଟଣାଗୁଡ଼ିକର ଏଭଳି ‘ଭୁଲଭୁଲୈୟାଁ’ରେ ଆଉ ଅଧିକ ଧନ୍ଦି ନ ହୋଇ ଭାରତ ଏହି ପୁରୁଣା ଚୁକ୍ତି ଉପରେ ପୁନର୍ବଲୋକନର ଆବଶ୍ୟକତା ଉପରେ ଜୋର୍ ଦେବା ସହିତ ପାକିସ୍ତାନକୁ ଏ ସ˚କ୍ରାନ୍ତରେ ନୋଟିସ୍ ପ୍ରେରଣ କରିଛି।
ଉଲ୍ଲେଖଯୋଗ୍ୟ ଯେ ଭାରତ ଏହି ଚୁକ୍ତିର ନବମ ଧାରାରେ ଏକ ପରିବର୍ତ୍ତନ ଚାହେଁ, ଯାହା ତ୍ରି-ସ୍ତରୀୟ ସମସ୍ୟା ସମାଧାନ ବ୍ୟବସ୍ଥାରେ ଅନ୍ତତଃ ଏତିକି ନିଶ୍ଚିତ କରିବ ଯେ ପ୍ରତ୍ୟେକ ସ୍ତରରେ ଥିବା ସମାଧାନର ସମସ୍ତ ସମ୍ଭାବନାର ଅନ୍ତ ନ ଘଟିବା ପର୍ଯ୍ୟନ୍ତ ତା’ର ଉପର ସ୍ତରୀୟ ସମାଧାନ ବ୍ୟବସ୍ଥାର ଆଶ୍ରୟ ନିଆଯାଇ ପାରିବ ନାହିଁ। କହିବା ବାହୁଲ୍ୟ ଯେ ନିରପେକ୍ଷ ବିଶେଷଜ୍ଞ କମିଟି ଦ୍ବାରା ସମାଧାନର ଉଦ୍ୟମରେ ପ୍ରଥମେ ରାଜି ହୋଇଥିବା ପାକିସ୍ତାନ ହଠାତ୍ ତହିଁରୁ ଓହରି ଯାଇ ‘ଦ ହେଗ୍’ରେ ପହଞ୍ଚିବା ଭାରତକୁ ରୁଷ୍ଟ କରିଛି, ଯେଉଁ କାରଣରୁ ଭାରତ ଏଭଳି ଏକ ପରିବର୍ତ୍ତନ ଚାହିଁଥାଏ। ପ୍ରକାଶ ଥାଉ କି ପାକିସ୍ତାନକୁ ପ୍ରବାହିତ ହେଉଥିବା ଜଳ ପରିମାଣର ତଥ୍ୟ ଅନୁସାରେ ପାକିସ୍ତାନ ତା’ର ଅଭିଯୋଗକୁ ସାବ୍ୟସ୍ତ କରିପାରିବାର ସ୍ଥିତିରେ ନାହିଁ। ସୁତରା˚, ମାମଲାଟିକୁ ଆନ୍ତର୍ଜାତିକ ବିଚାରାଳୟକୁ ନେଇ ଭାରତୀୟ ପ୍ରକଳ୍ପ କାର୍ଯ୍ୟ ଉପରେ ଏକ ଅନିର୍ଦ୍ଦିଷ୍ଟ କାଳ ସକାଶେ ରହିତାଦେଶ ଆଣିବା ହେଉଛି ପାକିସ୍ତାନର ଦୁରଭିସନ୍ଧି।
କହିବା ବାହୁଲ୍ୟ ଇତିମଧୢରେ ପ୍ରକଳ୍ପ କାର୍ଯ୍ୟରେ ୧୬ ବର୍ଷର ବିଳମ୍ବ ଘଟିସାରିଲାଣି ଏବ˚ ସେଥିରେ ଭାରତ ଏକ ମୋଟା ଅଙ୍କର ପୁ˚ଜି ମଧୢ ବିନିଯୋଗ କରି ସାରିଛି। ସୁତରା˚, ଆଉ ଅଧିକ କାଳ ଏହି ପ୍ରକଳ୍ପ ଝୁଲି ରହିବା ଭାରତ ପକ୍ଷରେ ଆଦୌ ଗ୍ରହଣୀୟ ହେବ ନାହିଁ। କେବଳ ସେତିକି ନୁହେଁ ବିଶ୍ବ ବ୍ୟାଙ୍କର ନିଷ୍ପତ୍ତିି କେବଳ ବିଚିତ୍ର ନୁହେଁ, ବିଡ଼ମ୍ବନାପୂର୍ଣ୍ଣ ମଧ୍ୟ। କାରଣ ଯେଉଁ ଦୁଇଟି ମଞ୍ଚରେ ସମାନ୍ତରାଳ ଭାବେ ସମାଧାନର ଉଦ୍ୟମ ହେଉ ବୋଲି ବିଶ୍ବ ବ୍ୟାଙ୍କ ଚାହେଁ, ସେଠାରେ ପରସ୍ପର ବିରୋଧୀ ମତ ମଧୢ ପ୍ରକାଶ ପାଇପାରେ, ଯାହା ସମସ୍ୟାକୁ ଆହୁରି ଜଟିଳ କରିବ। ତେବେ ସେ ଯାହା ହେଉ; ବାସ୍ତବତାଟି ହେଲା ଭାରତ ହେଉ ବା ପାକିସ୍ତାନ; ଉଭୟଙ୍କ ଦାବି ଓ ଜିଦ୍ ଏହି ବିବାଦକୁ ଅଧିକରୁ ଅଧିକ ପ୍ରଲମ୍ବିତ କରି ଚାଲିିବ।
ଏଥିରେ ଦ୍ବିରୁକ୍ତି ନାହିଁ ଯେ ଏହି ଚୁକ୍ତିିଟି ଅତ୍ୟନ୍ତ ସମ୍ବେଦନଶୀଳ, ଯାହା ଉପରେ କୌଣସି ପଦକ୍ଷେପ ଅତ୍ୟନ୍ତ ସୂକ୍ଷ୍ମ ସତର୍କତା ଲୋଡ଼ିଥାଏ। ଏହି ଚୁକ୍ତିଟି ସ˚ପାଦିତ ହେବା ସମୟରେ ଉଭୟ ଭାରତ ଓ ପାକିସ୍ତାନ କୃଷିଭିତ୍ତିକ ରାଷ୍ଟ୍ର ଥିଲେ, ସ˚ପ୍ରତି ଯେଉଁଠାରେ ଉଦ୍ୟୋଗୀକରଣ ପ୍ରମୁଖ ଗୁରୁତ୍ବ ଲାଭ କଲାଣି। ସେହି ଦୃଷ୍ଟିରୁ ପୁରୁଣା ଚୁକ୍ତିରେ ଯେ ସମୟୋପଯୋଗୀ ସ˚ଶୋଧନ ଆବଶ୍ୟକ, ତହିଁରେ ସନ୍ଦେହ ନାହିଁ। କିନ୍ତୁ ଭାରତ ଓ ପାକିସ୍ତାନ ମଧୢରେ ବିରାଜମାନ ତିକ୍ତତା ଓ ଅବିଶ୍ବାସର ବାତାବରଣରେ ଏହାର ସମ୍ଭାବନା ନେଇ ମଧୢ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ତେବେ ଯୁଦ୍ଧ ଓ ଆତଙ୍କବାଦରେ ଲହୁଲୁହାଣ ହୋଇଥିବା ସତ୍ତ୍ବେ ଭାରତର ଯେଉଁ ବିବେକବୋଧ ଯୋଗୁଁ ଚୁକ୍ତିର ଟେକ ରହିପାରିଛି, ସେହି ବିବେକବୋଧ ଉପରେ ପାକିସ୍ତାନ ଆସ୍ଥା ପ୍ରକଟ କରିପାରିଲେ ହିଁ ସିନ୍ଧୁ ପ୍ରବାହ ସର୍ବଦା ସାବଲୀଳ ହୋଇ ରହିପାରିବ।