ଜୈନ ଧର୍ମାବଲମ୍ବୀମାନେ ଭାଦ୍ରବ ମାସରେ ପାଳନ କରୁଥିବା ପର୍ଯ୍ୟୁଷଣ ପର୍ବକୁ ପର୍ବାଧିରାଜ ବା ସେମାନଙ୍କର ‌ସର୍ବଶ୍ରେଷ୍ଠ ପର୍ବର ମର୍ଯ୍ୟାଦା ପ୍ରଦାନ କରିଥାନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଆତ୍ମଶୁଦ୍ଧି। ଗତ ବର୍ଷ ଏହି ପର୍ବ ପାଳନ ଅବସରରେ ମଧ୍ୟପ୍ରଦେଶର ବେଗମଗଞ୍ଜ ସହରରେ ଜୈନମାନେ ସେମାନଙ୍କର ଆତ୍ମଶୁଦ୍ଧିର ଅଂଶ ସ୍ବରୂପ ଗ୍ରହଣ କରିଥିବା ଏକ ଅଭିନବ ପଦକ୍ଷେପ ବ୍ୟାପକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା। ଭାରତୀୟ ସଂସ୍କୃତିରେ ପ୍ରାୟ ସମସ୍ତ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଉପବାସକୁ ଆତ୍ମଶୁଦ୍ଧିର ଏକ ମାଧ୍ୟମ ରୂପେ ବ୍ୟବହାର କରାଯିବାର ପରମ୍ପରା ରହିଛି। ଉପବାସର ଅର୍ଥ ହେଉଛି ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଅନ୍ନଜଳ ଅର୍ଥାତ୍‌ ଖାଦ୍ୟ ତ୍ୟାଗ। ବେଗମଗଞ୍ଜର ଜୈନମାନେ କିନ୍ତୁ ଯେଉଁ ଭିନ୍ନ କିସମର ଉପବାସ ପାଳନ କରିଥିଲେ, ତାହା ହିଁ ସମସ୍ତଙ୍କୁ ଚମତ୍କୃତ କରିଥିଲା। ଏହି ଅବସରରେ ସେମାନେ ସେମାନଙ୍କର ସ୍ମାର୍ଟ‌୍ ଫୋନ୍‌ ସବୁକୁ ସ୍ବିଚ୍‌ ଅଫ୍‌ କରି ଚବିଶି ଘଣ୍ଟା ପାଇଁ ଏକ ମନ୍ଦିରରେ ରଖି ଦେଇଥିଲେ- ଗୋଟିଏ ପୂରା ଦିନ ପାଇଁ ସେମାନେ ଫୋନ୍‌ରେ କଥା ହେବାରୁ ତଥା ଫୋନ୍‌ର ସ୍କ୍ରିନ୍‌ ଉପରେ ଦୃଷ୍ଟି ନିବଦ୍ଧ କରିବାରୁ ସମ୍ପୂର୍ଣ୍ଣ ନିବୃତ୍ତ ରହିଥିଲେ।

Advertisment

ବର୍ତ୍ତମାନ ଦେଶରେ ସର୍ବବିଦ୍ୟମାନ ସ୍ମାର୍ଟ‌୍ ଫୋନ୍‌ ହେଉଛି ଏକ ଡିଜିଟାଲ୍‌ ଗ୍ୟାଜେଟ୍‌ ବା ଉପକରଣ। କହିବା ବାହୁଲ୍ୟ ଏହି ଗ୍ୟାଜେଟ୍‌ଟି ତା’ର ବ୍ୟବହାରକାରୀଙ୍କ ପାଇଁ ଏପରି ଏକ ନିଶାଦ୍ରବ୍ୟ ଭଳି ପଦାର୍ଥରେ ପରିଣତ ହୋଇଛି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କର ଜାଗ୍ରତ ସମୟରେ ଗୋଟିଏ ମୁହୂର୍ତ୍ତ ମଧ୍ୟ ଏହା ଠାରୁ ବିଚ୍ଛିନ୍ନ ହୋଇ ରହିପାରନ୍ତି ନାହିଁ- ବରଂ ଅନ୍ନଜଳ ଗ୍ରହଣ ନ କରି ରହି ପାରିବେ। ‌େତଣୁ ଗୋଟିଏ ପୂରା ଦିନ ସ୍ମାର୍ଟ‌୍ ‌ଫୋନ୍‌ଠାରୁ ଦୂରରେ ରହିବାକୁ ସାମ୍ପ୍ରତିକ ସମୟର ଏକ କାଷ୍ଠା ଉପବାସ ବୋଲି କହିଲେ ଅତିରଞ୍ଜନ ହେବ ନାହିଁ, ଯାହାର ନାମକରଣ ହେବା ଦେଖାଗଲାଣି: ‘ଡିଜିଟାଲ୍‌ ଫାଷ୍ଟିଙ୍ଗ୍‌’ ବା ‘ଗ୍ୟାଜେଟ୍‌ ଫାଷ୍ଟିଙ୍ଗ୍‌’ (‘ଡିଜିଟାଲ ଉପବାସ’ ବା ‘ଗ୍ୟାଜେଟ୍‌ ଉପବାସ’)। ଚମତ୍କୃତ ନ ହୋଇ ରହିହୁଏ ନାହିଁ ଯେ ଜୈନମାନେ ଯୁଗ ସହିତ ତାଳ ଦେଇ ସେମାନଙ୍କର ଆତ୍ମଶୁଦ୍ଧି ଲକ୍ଷ୍ୟ ହାସଲ ନିମିତ୍ତ ଉପବାସର ସଂଜ୍ଞାରେ ସମ୍ପ୍ରସାରଣ ଘଟାଇବାର ଆବଶ୍ୟକତା ଉପଲବ୍‌ଧି କରିଛନ୍ତି ଏବଂ କାର୍ଯ୍ୟକାରୀ କରିଛନ୍ତି।

ନିଜର ଆଧ୍ୟାତ୍ମିକ ବିକାଶ ନିମିତ୍ତ ପର୍ଯ୍ୟୁଷଣ ପର୍ବ ଜୈନମାନଙ୍କ ପାଇଁ ଯେଉଁଭଳି ଏକ ଆଠଦିନ ବ୍ୟାପୀ ତପସ୍ୟା ସ୍ବରୂପ ହୋଇଥାଏ, ଛାତ୍ରାବସ୍ଥାରେ ଅଧ୍ୟୟନ ସେଇଭଳି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଦୀର୍ଘ ତପସ୍ୟା ହୋଇଥାଏ। ପୁରାଣ ଯୁଗରେ ରାକ୍ଷସମାନେ ଆସି ମୁନି ଋଷିମାନଙ୍କର ତପସ୍ୟା ଭଙ୍ଗ କରୁଥିବା ଭଳି କୋଭିଡ-୧୯ ପାଣ୍ଡେମିକ୍‌ ରୂପକ ଚୀନା ରାକ୍ଷସ ଆସି ଦୀର୍ଘ ଦୁଇ ବର୍ଷ କାଳ କିପରି ଆମ ଛାତ୍ରଛାତ୍ରୀମାନଙ୍କର ‌ତପସ୍ୟାରେ ବାଧା ସୃଷ୍ଟି କଲା ତାହା ଏବେ ବି ଏକ ତାଜା ଅନୁଭୂତି ହୋଇ ରହିଛି। କୋଭିଡ୍‌ ଯୋଗୁଁ ଶ୍ରେଣୀଗୃହରେ ଶିକ୍ଷାଦାନ ସମ୍ଭବ ନ ହେବାରୁ ତାହାକୁ କୌଣସି ମତେ ଅବ୍ୟାହତ ରଖିବା ନିମିତ୍ତ ଯେତେବେଳେ ଅନ୍‌ଲାଇନ୍‌ ମାଧ୍ୟମ ବ୍ୟବହାର କରାଗଲା, ପିଲାମାନେ ସ୍ମାର୍ଟ‌୍ ଫୋନ୍‌ ବା ଲ୍ୟାପ୍‌ଟପ୍‌ ଭଳି ଡିଜିଟାଲ୍‌ ଗ୍ୟାଜେଟ୍‌ମାନ ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ହୋଇ ପଡ଼ିଲେ। ବର୍ତ୍ତମାନ କୋଭିଡ୍‌ର ପ୍ରାୟ ଅବସାନ ଘଟି ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଲେଉଟିବା ପରେ ମଧ୍ୟ କିନ୍ତୁ ଏହି ଡିଜିଟାଲ୍‌ ଗ୍ୟାଜେଟ୍‌ ବ୍ୟବହାର ଅଭ୍ୟାସ ସେମାନଙ୍କୁ ଆଉ ଛାଡ଼ିଯିବାର ନାମଗନ୍ଧ ଧରୁ ନ ଥିବା ଦେଖାଯାଉଛି।

ଜ୍ଞାନ ଆହରଣର ଏକ ମାଧ୍ୟମ ରୂପେ ଇଣ୍ଟର୍‌ନେଟ୍‌ ସହିତ ସଂଯୁକ୍ତ ସ୍ମାର୍ଟ‌୍ ଫୋନ୍‌ ବା ଲ୍ୟାପ୍‌ଟପ୍‌ର ଯେ ଅସୁମାରି ସମ୍ଭାବନା ରହିଛି, ଏଥରେ କୌଣସି ସନ୍ଦେହ ନାହିଁ। କିନ୍ତୁ ବିପଜ୍ଜନକ କଥା ହେଲା ଏହି ଡିଜିଟାଲ୍‌ ଗ୍ୟାଜେଟ୍‌ମାନଙ୍କର ଦୁରୁପଯୋଗ ସମ୍ଭାବନା ମଧ୍ୟ ସେଇଭଳି ଅସୁମାରି ଯାହା ପିଲାମାନଙ୍କୁ ବହୁଗୁଣ ଅଧିକ ଆକର୍ଷିତ କରିଥାଏ। ଆଜି ଏପରି କୌଣସି ଅଭିଭାବକ ନ ଥିବେ ଯିଏ ତାଙ୍କର ପିଲାର ସ୍ମାର୍ଟ‌୍ ଫୋନ୍ ଅଭ୍ୟାସ ଯୋଗୁଁ ବ୍ୟତିବ୍ୟସ୍ତ ହୋଇପଡୁ ନ ଥିବେ ଓ ଏ ସମସ୍ୟାର ସମାଧାନର ଉପାୟ ଖୋଜିବାରେ ଲାଗି ନ ଥିବେ।

ଏହା ଏକ ସାଧାରଣ ଅନୁଭୂତି ଯେ ଏକ ସ୍ମାର୍ଟ‌୍ ଫୋନ୍‌ ବ୍ୟବହାରକାରୀର ଧ୍ୟାନ ସେଥିରେ ଅବିରତ ଆସି ଚାଲିଥିବା ବିଭିନ୍ନ କିସମର ସୂଚନାମାନ ଉପରେ ନିବଦ୍ଧ ଥାଏ। ଏହି ସମୟରେ ବ୍ୟକ୍ତିଜଣକ ତା’ର ଯାହା ମୁଖ୍ୟ କାର୍ଯ୍ୟ, ତାହା ପ୍ରତି ଆବଶ୍ୟକତା ଅନୁଯାୟୀ ଯଥେ‌ଷ୍ଟ ଧ୍ୟାନ ଦେଇପାରିନଥାଏ। (ସ୍ମାର୍ଟ‌୍ ଫୋନ୍ ଦ୍ବାରା ଅନ୍ୟମନସ୍କ ହୋଇ ଗାଡ଼ି ଚଳାଇବା ଯୋଗୁଁ ସଡ଼କ ଦୁର୍ଘଟଣା ଘଟିବା କିପରି ଏକ ନିୟମିତ ଘଟଣାରେ ପରିଣତ ହେଲାଣି ତାହା ଆମେ ଦେଖୁଛୁ।) ପାଖରେ ସ୍ମାର୍ଟ‌୍ ଫୋନ୍‌ ରଖିଥିବା ବିଦ୍ୟାର୍ଥୀଟିଏ ଏହାର ଅନବରତ ତାଡ଼ନା ବା ପ୍ରଲୋଭନ ଯୋଗୁଁ ନିଜର ଅଧ୍ୟୟନ ପ୍ରତି ନିରବଚ୍ଛିନ୍ନ ଧ୍ୟାନ ଦେଇ ପାରିନଥାଏ। ‌ଏଥିଯୋଗୁଁ କେବଳ ତା’ର ପରୀକ୍ଷାରେ ପ୍ରଦର୍ଶନ ଖରାପ ହୁଏ, ତାହା ନୁହେଁ, ତା’ର ମଧ୍ୟ ଅନ୍ୟାନ୍ୟ ବ୍ୟାପକ କ୍ଷତି ସାଧିତ ହୋଇଥାଏ।

ଅନୁଶୀଳନରୁ ସାବ୍ୟସ୍ତ ହୋଇଛି ଯେ ଡିଜିଟାଲ୍‌ ଗ୍ୟାଜେଟ୍‌ମାନଙ୍କର ବ୍ୟବହାରରେ ଅତ୍ୟଧିକ ସମୟ ବିତାଇଲେ ବ୍ୟବହାରକାରୀ ଅବସାଦ, ଉତ୍କଣ୍ଠା ଓ ଅନିଦ୍ରାର ଶିକାର ହେବାର ସମ୍ଭାବନା ବୃଦ୍ଧି ପାଇଥାଏ। ଏକ ତପସ୍ବୀ ସୁଲଭ ଛାତ୍ର ପାଇଁ ଏହା ଯେ ଏକ ଆଦର୍ଶ ଅବସ୍ଥା ନୁହେଁ, ଏଥିରେ କେହି ହେଲେ ଦ୍ବିମତ ହେବେ ନାହିଁ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସଦ୍ୟତମ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ‘ଗ୍ୟାଜେଟ୍‌ ଫାଷ୍ଟିଙ୍ଗ୍‌’ ଅବଲମ୍ବନ କରିବା ପାଇଁ ଯେଉଁ ଉପଦେଶ ଦେଇଛନ୍ତି, ତାହା ଯେ ଅତ୍ୟନ୍ତ ସମୟୋପଯୋଗୀ ଏଥିରେ କେହି ଦ୍ବିମତ ହେବେ ନାହିଁ। ପ୍ରଧାନମନ୍ତ୍ରୀ ଜୈନମାନଙ୍କର ଉପରୋକ୍ତ ଉଦାହରଣ ଦ୍ବାରା ଉଦ୍‌ବୁଦ୍ଧ ହୋଇ ଛାତ୍ରଛାତ୍ରୀମାନଙ୍କୁ ଏହି ଆହ୍ବାନ ଦେଇଛନ୍ତି ‌କି ନାହିଁ, ତାହା ଆମକୁ ଜଣାନାହିଁ, କିନ୍ତୁ ଡିଜିଟାଲ୍‌ ଉପବାସ ଯେ ଜୈନମାନେ ପ୍ରଦର୍ଶନ କରିଥିବା ଭଳି ଆଜିର ଅଧ୍ୟୟନ ତପସ୍ୟାର ଏକ ଅପରିହାର୍ଯ୍ୟ ଅଂଶ, ଏଥିରେ କୌଣସି ସନ୍ଦେହ ନାହିଁ।

ତେବେ ଏହି ଉପବାସ ଉପରୋକ୍ତ ଉଦାହରଣରେ ପ୍ରଦର୍ଶିତ ହୋଇଥିବା ଭଳି କାଷ୍ଠା ନ ହୋଇ, ଅନ୍ୟ ପ୍ରକାର ହୋଇପାରେ। ଯେମିତି, ପିଲାଟିଏ ସକାଳେ ଅଧଘଣ୍ଟା ଓ ସନ୍ଧ୍ୟାବେଳେ ଅଧଘଣ୍ଟା ସମୟ ମଧ୍ୟରେ ସ୍ମାର୍ଟ‌୍ ଫୋନ୍‌ ବ୍ୟବହାରକୁ ସୀମିତ କରି ଦେଇପାରେ। ଏହାଦ୍ବାରା ସେ ମୋବାଇଲ୍‌ ଫୋନ୍‌ର ଦାସ ନ ହୋଇ ମୋବାଇଲ୍‌ ଫୋନ୍‌କୁ ନିଜର ଦାସ ରୂପେ ବ୍ୟବହାର କରିବ। ପ୍ରଧାନମନ୍ତ୍ରୀ କହିଥିବା ଭଳି ପିଲାଟିଏ ସ୍ମାର୍ଟ‌୍ ‌ଫୋନ୍‌ ନାମକ ଏକ ଯନ୍ତ୍ରକୁ ତା’ ନିଜ ଭଳି ଏକ ମସ୍ତିଷ୍କଧାରୀ ମନୁଷ୍ୟଠାରୁ ଅଧିକ ସ୍ମାର୍ଟ‌୍ ବୋଲି ବିଚାର ନ କରି ନିଜକୁ ଫୋନ୍‌ଠାରୁ ଅଧିକ ସ୍ମାର୍ଟ‌୍ ବୋଲି ସାବ୍ୟସ୍ତ କରିବା ଉଚିତ। ସ୍ମାର୍ଟ‌୍ ଫୋନ୍‌ ବ୍ୟବହାରକୁ ସୀମିତ କରିବା ଦ୍ବାରା ପିଲାମାନଙ୍କ ପାଖରେ ଯେଉଁ ଅଧିକ ଫୋନ୍‌ ମୁକ୍ତ ସମୟ ଉପଲବ୍‌ଧ ହେବ, ସେ ସମୟକୁ ସେମାନେ କେବଳ ଅଧ୍ୟୟନରେ ବିନିଯୋଗ କରିବେ, ତାହା ନୁହେଁ, ସେମାନେ ମଧ୍ୟ ବାସ୍ତବ ଦୁନିଆରେ ଅଧିକ ଲୋକମାନଙ୍କ ସହିତ ସମ୍ପର୍କ ସ୍ଥାପନ ନିମିତ୍ତ ସମୟ ପାଇବେ, ଭାବର ଆଦାନ ପ୍ରଦାନ କରିବାର, ସମସ୍ୟା ସମାଧାନର କୌଶଳ ଶିଖିବାର ସୁଯୋଗ ତାଙ୍କ ସମ୍ମୁଖରେ ଉନ୍ମୁକ୍ତ ହେବ। ଏହା ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, କାରଣ ତାଙ୍କୁ ‌ଯେଉଁ ଦୁନିଆରେ ତିଷ୍ଠି ‌ରହିବାକୁ ହେବ, ତାହା ଏକ ଡିଜିଟାଲ ଗ୍ୟାଜେଟ୍‌ର ଭର୍ଚୁଆଲ୍‌ ଦୁନିଆ ନୁହେଁ, ତାହା ହେଉଛି ଏକ ଜନଗହଳି, ସମସ୍ୟା ବହୁଳ ସତସତିକା ଦୁନିଆ। କେବଳ ଛାତ୍ରାବସ୍ଥାରେ ନୁ‌େହଁ, ପରବର୍ତ୍ତୀ ସମୟରେ ମଧ୍ୟ ଡିଜିଟାଲ ଫାଷ୍ଟିଙ୍ଗ୍‌ଭିତ୍ତିକ ପର୍ଯ୍ୟୁଷଣ ଭଳି ତପସ୍ୟା ସେମାନଙ୍କୁ ଏଥିରେ ବିଶେଷ ସହାୟକ ହେବ।