ବ୍ୟାଘ୍ରାବରୋହଣ

ଦୀର୍ଘ ଅସୁସ୍ଥତା ପ‌େର ଦୁବାଇ ଠାରେ ପରଲୋକ ଗମନ କରିଥିବା ପାକିସ୍ତାନର ପୂର୍ବତନ ଏକଛତ୍ର ଶାସକ ଜେନେରାଲ ପର୍ଭେଜ୍‌ ମୁସାରଫ୍‌ଙ୍କର ଯେଉଁ ପରିଚୟ ଭାରତୀୟମାନଙ୍କ ସ୍ମୃତିରେ ସର୍ବପ୍ରଧାନ ସ୍ଥାନ ଦଖଲ କରିଥାଏ, ତାହା ହେଉଛି ୧୯୯୯ର କାର୍‌ଗିଲ୍‌ ଯୁଦ୍ଧର ଖଳନାୟକ ରୂପରେ। ନାୟକ ନୁହେଁ ଖଳନାୟକ ଏଇଥିପାଇଁ ଯେ ମୁସାରଫ୍‌ଙ୍କ ଯୋଜନା ପ୍ରସୂତ ଏହି ଯୁଦ୍ଧ ବିଶୁଦ୍ଧ ବିଶ୍ବାସଘାତକତା ଉପରେ ପ୍ରତିଷ୍ଠିତ ଥିଲା। ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଏକ ଐତିହାସିକ ପଦକ୍ଷେପ ନେଇ ଏକ ‘ଶାନ୍ତି ବସ୍‌’ରେ ବସି ସଡ଼କ ପଥରେ ଯାଇ ଲାହୋର୍‌ରେ ପହଞ୍ଚି ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କ ସହିତ ଏକ ଶାନ୍ତି ଚୁକ୍ତି ସ୍ବାକ୍ଷର କରିବାର ମାସ କେଇଟା ପରେ ପାକିସ୍ତାନର ତତ୍‌କାଳୀନ ସେନାଧ୍ୟକ୍ଷ ଜେନେରାଲ ମୁସାରଫ୍‌ ସେଇ ଚୁକ୍ତିର ଆଢୁଆଳରେ ଥା‌ଇ କାର୍‌ଗିଲ୍‌ ଆକ୍ରମଣ ରଚନା କରି ଶାନ୍ତି ପ୍ରତିଷ୍ଠା ଉଦ୍ୟମକୁ ଭଣ୍ଡୁର କରି ଦେଇଥିଲେ।

ମୁସାରଫ୍‌ଙ୍କ ବିଶ୍ବାସଘାତକତା ଅବଶ୍ୟ ଏତିକିରେ ସୀମିତ ନ ଥିଲା। ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ ମୁସାରଫ୍‌ଙ୍କୁ ୧୯୯୮ରେ ସେନାଧ୍ୟକ୍ଷ ରୂପେ ଚୟନ କରିବା ସେତେବେଳେ ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥିଲା। ଏହି ପଦରେ ନିଯୁକ୍ତି ପ୍ରଦାନ ନିମିତ୍ତ ଜଣଙ୍କୁ ପସନ୍ଦ କରିବା ପାଇଁ ସରିଫ୍‌ଙ୍କୁ ଯେଉଁ ତିନିଜଣ ‌େଜନେରାଲଙ୍କ ନାମ ବହନ କରୁଥିବା ତାଲିକା ପ୍ରଦାନ କରାଯାଇଥିଲା, ସେଥିରେ ମୁସାରଫ୍‌ଙ୍କ ନାମ ଥିଲା ତୃତୀୟ ସ୍ଥାନରେ। ସେ ମଧ୍ୟ ପ୍ରଭାବଶାଳୀ ପଞ୍ଜାବୀ କିମ୍ବା ପୁସ୍ତୁନ୍‌ ଗୋଷ୍ଠୀର ନ ଥିଲେ, ସେ ଥିଲେ ଭାରତରୁ ଆସି କରାଚିରେ ବସବାସ କରୁଥିବା ଏକ ଉର୍ଦ୍ଦୁଭାଷୀ ପରିବାରର ସନ୍ତାନ। ସେ ଅବଶ୍ୟ ଅତୀତରେ ଭାରତ ସହିତ ଯୁଦ୍ଧମାନଙ୍କରେ କମାଣବାହିନୀର ସଦସ୍ୟ ରୂପେ ପ୍ରଦର୍ଶନ କରିଥିବା ଉଲ୍ଲେଖନୀୟ ସାହସିକତା ପାଇଁ ଜଣାଶୁଣା ଥିଲେ। ନୱାଜ ସରିଫ୍‌ ତାଙ୍କୁ ସେନାଧ୍ୟକ୍ଷ ରୂପେ ଚୟନ କରିବା ପଛରେ ଥିବା କାରଣ କାହାକୁ ଅଜଣା ନ ଥିଲା; ସରିଫ୍‌ ଭାବିଥିଲେ ମୁସାରଫ୍‌ ଏକ ଦୁର୍ବଳ ସେନାମୁଖ୍ୟ ରୂପେ ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ମଧ୍ୟରେ ରହିବେ।

ସରିଫ୍‌ଙ୍କର ଏଭଳି ଚିନ୍ତାଧାରା କିଛି ନୂତନ ନ ଥିଲା। ଠିକ୍‌ ଏଇଭଳି ଚିନ୍ତା କରି ପ୍ରଧାନମନ୍ତ୍ରୀ ଜୁଲ୍‌ଫିକର୍‌ ଅଲି ଭୁଟ୍ଟୋ ୧୯୭୬ରେ ମହମ୍ମଦ ଜିଆ ଉଲ୍‌-ହକ୍‌ଙ୍କୁ ପାକିସ୍ତାନର ସେନାଧ୍ୟକ୍ଷ ପଦରେ ଅଧିଷ୍ଠିତ କରାଇଥିଲେ। ଜିଆ କିନ୍ତୁ କାଳବିଳମ୍ବ ନ କରି ଏକ ସାମରିକ ବିଦ୍ରୋହ ରଚନା କରି ଭୁଟ୍ଟୋଙ୍କୁ କ୍ଷମତାଚ୍ୟୁତ କରି ଫାଶୀରେ ଚଢ଼ାଇ ୧୯୮୮ରେ ନିଜେ ଏକ ରହସ୍ୟଜନକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇବା ପର୍ଯ୍ୟନ୍ତ ପାକିସ୍ତାନକୁ ଶାସନ କରିଥିଲେ। ସରିଫ୍‌ ବୋଧହୁଏ ଆଶା କରିଥିଲେ ମୁସାରଫ୍‌ ହେଉଛନ୍ତି ଜିଆଙ୍କ ଠାରୁ ଭିନ୍ନ ଏକ ଅଧିକ ବିଶ୍ବସ୍ତ ତଥା ଅନୁଗତ ଧାତୁରେ ଗଢ଼ା। ମୁସାରଫ୍‌ କିନ୍ତୁ ପରମ୍ପରା ବଜାୟ ରଖି ୧୯୯୯ରେ ଏକ ସାମରିକ ବିଦ୍ରୋହ ମାଧ୍ୟମରେ ସରିଫ୍‌ଙ୍କୁ କ୍ଷମତାଚ୍ୟୁତ କରି ଆଜୀବନ କାରାଦଣ୍ଡ ପ୍ରଦାନ କରି ୨୦୦୮ ପର୍ଯ୍ୟନ୍ତ ପ୍ରଥମେ ଚିଫ୍‌ ଏଗ୍‌ଜିକ୍ୟୁଟିଭ୍‌ ରୂପେ ଓ ପରେ ରାଷ୍ଟ୍ରପତି ରୂପେ ପାକିସ୍ତାନକୁ ଶାସନ କଲେ।

ଜିଆ-ଉଲ୍‌-ହକ୍‌ଙ୍କ ଶାସନ ସମୟରେ ପଡ଼ୋଶୀ ଆଫ୍‌ଗାନିସ୍ତାନରେ ଘଟିଥିବା ଘଟଣା ଯେଉଁପରି ଆନ୍ତର୍ଜାତିକ ବଳ କଷାକଷିରେ ତାଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ପରିଣତ କରିଥିଲା, ଠିକ୍‌ ସେହିପରି ତାଙ୍କ ଶାସନ ସମୟରେ ସେଇ ଆଫ୍‌ଗାନିସ୍ତାନରେ ଘଟିଥିବା ଆଉ ଏକ ଘଟଣା ମୁସାରଫ୍‌ଙ୍କୁ ସେଇ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ପ୍ରଦାନ କରିଥି‌ଲା। ଜିଆଙ୍କ ସମୟରେ ଏହା ଥିଲା ୧୯୭୯ରେ ଆଫ୍‌ଗାନିସ୍ତାନ ଉପରେ ସୋଭିଏତ୍‌ ରୁଷ୍‌ର ଆକ୍ରମଣ। ସେ ସମୟରେ ସୋଭିଏତ୍‌ ଦଖଲରୁ ଆଫ୍‌ଗାନିସ୍ତାନକୁ ମୁକ୍ତ କରିବା ପାଇଁ ଆମେରିକା ସହାୟତାରେ ଯେଉଁ ମୁକ୍ତିଯୋଦ୍ଧା ବାହିନୀ ଗଠନ କରାଯାଇଥିଲା, ତାହାର ଅନ୍ୟତମ ମୁଖ୍ୟ ସଂଗଠକ ଥିଲେ ଜିଆ ଉଲ୍‌-ହକ୍‌। ସୋଭିଏତ୍‌ ୟୁନିଅନ୍‌ ଆଫ୍‌ଗାନିସ୍ତାନ ଛାଡ଼ି ଚାଲିଯିବା ପରେ ସେଠାରେ ଆସ୍ଥାନ ଜମାଇ ରହିଥିବା ମୁକ୍ତିଯୋଦ୍ଧା ବା ଜିହାଦୀ ଗୋଷ୍ଠୀମାନଙ୍କ ମଧ୍ୟରେ ଅନ୍ୟତମ ଥିଲା ଆଲ୍‌-କାଏଦା। ଓସାମା ବିନ୍‌ ଲାଦେନ୍‌ ନେତୃତ୍ବାଧୀନ ଏହି ସଂଗଠନ ଆମେରିକାରେ ୯/୧୧ ନରସଂହାର ରଚନା କରିବା ପରେ ଆମେରିକା ଆଫ୍‌ଗାନିସ୍ତାନରେ ପ୍ରବେଶ କରି ଆତଙ୍କବାଦୀମାନଙ୍କର ମୂଳୋତ୍ପାଟନ କରିବା ପାଇଁ ଯେଉଁ ସଂଗ୍ରାମ ଆରମ୍ଭ କଲା ମୁସାରଫ୍‌ ସେଥିରେ ସହଯୋଗ ପ୍ରଦାନ କରି ଆମେରିକା ପାଇଁ ଏକ ଅପରିହାର୍ଯ୍ୟ ମିତ୍ରରେ ପରିଣତ ହୋଇଗଲେ। ଯେଉଁ ଆମେରିକା ୧୯୯୦ ଦଶକରେ ପାକିସ୍ତାନକୁ ସାହାଯ୍ୟ ପ୍ରଦାନ କାଟି ଦେଇଥିଲା, ସେଇ ଆମେରିକା ୨୦୦୨ରୁ ୨୦୧୧ ମଧ୍ୟରେ ପାକିସ୍ତାନକୁ ସାମରିକ ଓ ବେସାମରିକ ସହାୟତା ଆକାରରେ ୧୮ ବିଲିଅନ୍‌ ଡଲାର୍‌ ପ୍ରଦାନ କରିଥିଲା।

ରାଜନୈତିକ ଦୃଷ୍ଟିରୁ କିନ୍ତୁ ମୁସାରଫ୍‌ ପାକିସ୍ତାନରେ ଯେଉଁ ଆହ୍ବାନର ସମ୍ମୁଖୀନ ହୋଇଥିଲେ, ତାହା ଥିଲା ଜିଆ ତାଙ୍କ ସମୟରେ ସମ୍ମୁଖୀନ ହୋଇଥିବା ଆହ୍ବାନର ବିପରୀତ। ଆମେରିକାର ପ୍ରଚ୍ଛନ୍ନ ସହମତି ଆଧାରରେ ଜିଆ ଉଲ୍‌-ହକ୍‌ ପାକିସ୍ତାନରେ ଏକ ଜିହାଦ୍‌ ଅନୁକୂଳ ଜନମତ ସୃଷ୍ଟି କରି ଆଫଗାନିସ୍ତାନରେ ଇସ୍‌ଲାମ୍‌କୁ ରକ୍ଷା କରିବା ଆଳରେ ସୋଭିଏତ୍‌ ସୈନ୍ୟମାନଙ୍କ ବିରୋଧରେ ଲଢ଼େଇ କରିବା ପାଇଁ ଉତ୍ତମ ତାଲିମପ୍ରାପ୍ତ ଇସ୍‌ଲାମୀୟ ଜିହାଦୀମାନଙ୍କୁ ପ୍ରସ୍ତୁତ କରିବାରେ ଲାଗି ପଡ଼ିଥିଲେ। ପାକିସ୍ତାନୀ ସେନାବାହିନୀ ପ୍ରାୟ ଏହି ସମୟରେ କାଶ୍ମୀରରେ ଯେଉଁ ଭାରତ-ବିରୋଧୀ ଅଭିଯାନ ମାନ ଚଳାଇଥିଲା, ସେଥିରେ ଏହି ଇସ୍‌ଲାମୀୟ ଜିହାଦୀମାନଙ୍କୁ ହିଁ ନିଜର ହାତବାରିସି ରୂପେ ବ୍ୟବହାର କରିଥିଲା। ସେଇ ଆମେରିକାକୁ ସନ୍ତୁଷ୍ଟ କରିବା ପାଇଁ ମୁସାରଫ୍‌ଙ୍କୁ କିନ୍ତୁ ଏଥର ଏହାର ଠିକ୍‌ ବିପରୀତ କାର୍ଯ୍ୟ କରିବାକୁ ପଡ଼ିଲା। ଏଥର ଜିହାଦୀ ସୃଷ୍ଟି କରିବା ପରିବର୍ତ୍ତେ ଆମେରିକାର ନିର୍ଦ୍ଦେଶରେ ଜିହାଦୀମାନଙ୍କୁ ମୂଳପୋଛ କରିବା ପାଇଁ ମୁସାରଫ୍‌ ଲାଗିପଡ଼ିଲେ।

ଆ‌‌େମରିକାର ନିର୍ଦ୍ଦେଶ ପାଳନ କରିବା ବ୍ୟତୀତ ମୁସାରଫ୍‌ଙ୍କର ଅନ୍ୟ ଉପାୟ ନ ଥିଲା। ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ ତାଙ୍କୁ ସିଧା ସିଧା ଶୁଣାଇଥିଲେ ଯେ ସେ ଆମେରିକାର ବୋଲ ନ ମାନିବା ଅର୍ଥ ହେଉଛି ସେ ଆତଙ୍କବାଦୀମାନଙ୍କ ସପକ୍ଷରେ ଅଛନ୍ତି। ଏହାର ଅର୍ଥ ହେଲା ଆମେରିକା ଆତଙ୍କବାଦ ବିରୋଧରେ ଚଳାଇଥିବା ଯୁଦ୍ଧରେ ମୁସାରଫ୍‌ଙ୍କ ପାକିସ୍ତାନ ଆମେରିକାର ଶତ୍ରୁପକ୍ଷ ରୂପେ ବିବେଚିତ ହେବ। ତେବେ ବ୍ୟକ୍ତିଗତ ସ୍ତରରେ ମଧ୍ୟ ମୁସାରଫ୍‌ଙ୍କ ଆଭିମୁଖ୍ୟ ଜିହାଦୀ ଅନୁକୂଳ ନ ଥିଲା। ଜିଆ ଉଲ୍‌-ହକ୍‌ ଜଣେ ରକ୍ଷଣଶୀଳ ମୁସଲମାନ ହୋଇଥିବା ବେଳେ ମୁସାରଫ୍‌ ଜ‌ଣେ ହ୍ବିସ୍କି ପାନକାରୀ ଉଦାରପନ୍ଥୀ ରୂପେ ପରିଚିତ ଥିଲେ। କାର୍‌ଗିଲ୍‌ ପୃଷ୍ଠଭୂମି ସତ୍ତ୍ବେ ଏହା ମଧ୍ୟ ସତ ଯେ ଉଭୟ ବାଜପେୟୀ ଓ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ମୁସାରଫ୍‌ ଭାରତ ସହିତ ଶାନ୍ତି ପ୍ରତିଷ୍ଠା ପାଇଁ ଯେଉଁଭଳି ଉଦ୍ୟମ କରିଥିଲେ, ପରବର୍ତ୍ତୀ ସମୟରେ ଆଉ ସେଭଳି ଘଟିନାହିଁ।

ତାଙ୍କର ଜିହାଦ-ବିରୋଧୀ ଆଭିମୁଖ୍ୟ ଯୋଗୁଁ ପାକିସ୍ତାନର ଜନସାଧାରଣ ଓ ସେନାବାହିନୀ ତାଙ୍କ ପ୍ରତି କ୍ର‌େମ ବିମୁଖ ହୋଇପଡ଼ିଲେ। ପରିସ୍ଥିତିକୁ ନିଜର ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ମୁସାରଫ୍‌ ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସଂକୁଚିତ କରି ଦେଲେ। ଏହା ସୃଷ୍ଟି କରିଥିବା ଜନଅସନ୍ତୋଷର ସୁଯୋଗ ନେଇ ନୱାଜ୍‌ ସରିଫ୍‌ ଓ ବେନଜିର ଭୁଟ୍ଟୋ ଯେତେବେଳେ ଆନ୍ଦୋଳନ ଆରମ୍ଭ କରିଦେଲେ, ମୁସାରଫ୍‌ ସାମୟିକ ଭାବରେ ସମ୍ବିଧାନକୁ ବାତିଲ କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ। ଏଭଳି ଅସ୍ଥିରତା ଯୋଗୁଁ ଉଭୟ ଆମେରିକା ତଥା ସେନାବାହିନୀ ଆଉ ମୁସାରଫ୍‌ଙ୍କୁ ପୂର୍ବଭଳି ସମର୍ଥନ ପ୍ରଦାନ କରିବା ବନ୍ଦ କରିବା ମଧ୍ୟରେ ବେନଜିର ଭୁଟ୍ଟୋଙ୍କର ହତ୍ୟା ପରେ ୨୦୦୮ରେ ଯେତେବେ‌େଳ ମୁସାରଫ୍‌ଙ୍କର ବିରୋଧୀ ପକ୍ଷ ନିର୍ବାଚନରେ ଜୟଲାଭ କଲେ, ମୁସାରଫ୍‌ ସେତେବେଳେ ଆତ୍ମରକ୍ଷା ପାଇଁ ଲଣ୍ଡନ୍‌କୁ ପଳାୟନ କରିଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି କ୍ଷମତାକୁ ଫେରିବାକୁ ଚେଷ୍ଟା କରି ୨୦୧୩ରେ ପାକିସ୍ତାନକୁ ଫେରି ବିଭିନ୍ନ ଅଦାଲତୀ ମାମଲରେ ଛନ୍ଦି ହୋଇ ମୃତ୍ୟୁ ଦଣ୍ଡର ସମ୍ମୁଖୀନ ହେବା ସହ ଗୃହବନ୍ଦୀ ରୂପେ କିଛିକାଳ କଟାଇବା ପରେ ସେନାବାହିନୀ ୨୦୧୮ରେ ତାଙ୍କୁ ଚିକିତ୍ସା ନିମିତ୍ତ ଦୁବାଇକୁ ପଠାଇ ଦେଇଥିଲା। ବଳପୂର୍ବକ କ୍ଷମତା-ବାଘ ଉପରେ ବସିଲେ, ଖଣ୍ଡିଆ ଖାବରା ନ ହୋଇ ଓହ୍ଲାଇବା ଯେ ସମ୍ଭବ ନୁହେଁ, ମୁସାରଫ୍‌ ହେଉଛନ୍ତି ତା’ର ଅନ୍ୟତମ ପ୍ରମାଣ।

ସମ୍ବନ୍ଧିତ ଖବର