ଶୀତ ଦିନରେ ଯେ ପନିପରିବା ଅମଳ ବୃଦ୍ଧି ପାଇବା ଯୋଗୁଁ ପରିବାପତ୍ର ଶସ୍ତା ହୋଇଯାଏ, ରିଜର୍ଭ ବ୍ୟାଙ୍କ୍ର ମୁଦ୍ରାନୀତି ନିର୍ଦ୍ଧାରଣ କମିଟି (‘ଏମ୍ପିସି’)ର ଛ’ଜଣ ସଦସ୍ୟଙ୍କ ମଧ୍ୟରୁ ଚାରିଜଣଙ୍କୁ ଏହା ଭଲ ରୂପେ ଜଣାଥିବା ଭଳି ମନେ ହେଉଛି। ସେମାନେ ତେଣୁ ନଭେମ୍ବର, ଡିସେମ୍ବରରେ ପରିବାପତ୍ର ଦରରେ ହ୍ରାସ ଯୋଗୁଁ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାରରେ ଘଟିଥିବା ହ୍ରାସ ଦ୍ବାରା ବିଶେଷ ପ୍ରଭାବିତ ନ ହୋଇ ‘ମଞ୍ଜ ମୁଦ୍ରାସ୍ଫୀତି’ ବା ‘କୋର୍ ଇନ୍ଫ୍ଲେସନ୍’ ପରିସ୍ଥିତିକୁ ଅଧିକ ଗୁରୁତ୍ବ ପ୍ରଦାନ କରି ଗତ ସପ୍ତାହରେ ଚଳିତ ବିତ୍ତ ବର୍ଷରେ ସେମାନଙ୍କର ଅନ୍ତିମ ବୈଠକରେ ‘ରେପୋରେଟ୍’ ନିର୍ଦ୍ଧାରଣ ସମ୍ବନ୍ଧୀୟ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଖାଦ୍ୟ ପଦାର୍ଥ ଓ ଇନ୍ଧନ ଦରକୁ ବାଦ୍ ଦେଇ ହିସାବ କରାଯାଉଥିବା ‘ମଞ୍ଜ ମୁଦ୍ରାସ୍ଫୀତି’ ହାର ତଥାପି ଗ୍ରହଣୀୟ ସର୍ବୋଚ୍ଚ ସୀମା ୬ ଶତାଂଶ ଉପରେ ରହିଥିବାରୁ ସେମାନେ ‘ରେପୋରେଟ୍’ରେ ୨୫ ବେସିସ୍ ପଏଣ୍ଟ (୦.୨୫ ଶତାଂଶ) ବୃଦ୍ଧି ଘଟାଇ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ନିମିତ୍ତ ରିଜର୍ଭ ବ୍ୟାଙ୍କ୍ ଚଳାଇ ଆସିଥିବା ଉଦ୍ୟମ ଅବ୍ୟାହତ ରହିଛି ବୋଲି ସ୍ପଷ୍ଟ କରି ଦେଇଛନ୍ତି (କମିଟିର ଅନ୍ୟ ଦୁଇଜଣ ସଦସ୍ୟ ଏଥିସହିତ ସହମତ ନ ଥିଲେ ହେଁ, ସଂଖ୍ୟା ଗରିଷ୍ଠତା ଭିତ୍ତିରେ ଏହି ନିଷ୍ପତ୍ତି ଗୃହୀତ ହୋଇଥିଲା)।
ବିଗତ ନ’ ମାସ ମଧ୍ୟରେ ଷଷ୍ଠ ଥର ପାଇଁ ଏହି ବୃଦ୍ଧି ଘଟିବା ପରେ ‘ରେପୋରେଟ୍’ ୬.୫ ଶତାଂଶ ହାର ସ୍ପର୍ଶ କରିଛି। ଏଥିସହିତ ରିଜର୍ଭ ବ୍ୟାଙ୍କ ଯେଉଁ ଆଭିମୁଖ୍ୟ ବା ‘ଷ୍ଟାନ୍ସ’ ପ୍ରଦର୍ଶନ କରିଛି, ତାହା ତଥାପି ‘ନିରେପକ୍ଷ’ ଶ୍ରେଣୀର ନ ହୋଇଥିବାରୁ ଭବିଷ୍ୟତରେ ‘ରେପୋରେଟ୍’ରେ ପୁଣି ବୃଦ୍ଧି କରାଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ; ଅନ୍ୟ ଭାଷାରେ କହିଲେ ରିଜର୍ଭ ବ୍ୟାଙ୍କ୍ ଏହି ସମ୍ଭାବନାକୁ ଉନ୍ମୁକ୍ତ ରଖିଛି। ଏହାର ଅର୍ଥ ରିଜର୍ଭ ବ୍ୟାଙ୍କ୍ ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ବିଫଳ ହୋଇଥିବାର କାରଣ ଦର୍ଶାଇ ସରକାରଙ୍କ ନିକଟରେ ଏକ ଲିଖିତ ଉତ୍ତର ଦାଖଲ କଲା ପରେ ସ୍ବାଭାବିକ ଭାବରେ ମୁଦ୍ରାସ୍ଫୀତି ପ୍ରତି ଅତ୍ୟନ୍ତ ସ୍ପର୍ଶକାତର ହୋଇ ପଡ଼ିଥିବା ଭଳି ମନେ ହୋଇଥାଏ।
କିନ୍ତୁ ଏଥି ସେତ୍ତ୍ବ ସେଇ ‘ଏମ୍ପିସି’ ମଧ୍ୟ ପୂର୍ବାନୁମାନ ପ୍ରକାଶ କରିଛି ଯେ ଆସନ୍ତା ବିତ୍ତ ବର୍ଷରେ ଖାଉଟି ମୁଦ୍ରାସ୍ଫୀତି ହାର ୫.୩ ଶତାଂଶ େହବାକୁ ଯାଉଛି, ଯାହା କେବଳ ଯେ ସର୍ବୋଚ୍ଚ ଗ୍ରହଣୀୟ ସୀମା ୬ ଶତାଂଶ ଠାରୁ କମ୍, ତାହା ନୁହେଁ, ୨୦୨୨-୨୩ରେ ପରିଲକ୍ଷିତ ୬.୫ ଶତାଂଶ ହାର ଠାରୁ ମଧ୍ୟ ଏକଶତାଂଶରୁ ଅଧିକ କମ୍। ଏହା ଅବଶ୍ୟ ‘ଏମ୍ପିସି’ ପାଇଁ ତଥାପି ସନ୍ତୋଷଜନକ ମନେ ହୋଇନପାରେ। କାରଣ ଏହାର ଅନୁମାନ ଅନୁସାରେ ଆସନ୍ତା ବିତ୍ତ ବର୍ଷର ଚାରି ଚଉଠ ମଧ୍ୟରୁ କୌଣସି ଗୋଟିଏ ବି ଚଉଠରେ ଦେଶରେ ମୁଦ୍ରାସ୍ଫୀତି ହାର ୫ ଶତାଂଶ ତଳକୁ ଖସିବାକୁ ଯାଉନାହିଁ। ଉଲ୍ଲେଖଯୋଗ୍ୟ ଯେ ମୁଦ୍ରାସ୍ଫୀତିର ସର୍ବୋଚ୍ଚ ଗ୍ରହଣୀୟ ହାର ୬ ଶତାଂଶ ବୋଲି କୁହାଯାଉ ଥିଲେ ହେଁ ପ୍ରକୃତରେ ରିଜର୍ଭ ବ୍ୟାଙ୍କ୍ ସମ୍ମୁଖରେ ଯେଉଁ ଲକ୍ଷ୍ୟ ସ୍ଥାପନ କରାଯାଇଛି, ତାହା ହେଉଛି ୪ ଶତାଂଶ। ତେବେ, ଯଦି ଏହି ଲକ୍ଷ୍ୟ ହାସଲ କରିବା ସମ୍ଭବ ନ ହୁଏ ତେବେ ଏଥିରେ ବିଚ୍ୟୁତିକୁ ଉଭୟ ପାର୍ଶ୍ବରେ ୨ ଶତାଂଶ ସୀମା ମଧ୍ୟରେ ଅନ୍ତତଃ ଆବଦ୍ଧ ରଖିବା ପାଇଁ ଯେଉଁ କୋହଳ ବ୍ୟବସ୍ଥା କରାଯାଇଛି, ତାହା ଅନୁଯାୟୀ ସର୍ବୋଚ୍ଚ ମୁଦ୍ରାସ୍ଫୀତି ହାର ୬ ଶତାଂଶ ବୋଲି ଏକ ଧାରଣା ସୃଷ୍ଟି ହୋଇଥାଏ। କିନ୍ତୁ ବର୍ତ୍ତମାନ ‘ଏମ୍ପିସି’ ତା’ର ମୂଳ ଲକ୍ଷ୍ୟ ୪ ଶତାଂଶରୁ ବିଚ୍ୟୁତ ନ ହେବାକୁ ଚେଷ୍ଟା କରୁଥିବାରୁ, ୫ ଶତାଂଶରୁ ଅଧିକ ମୁଦ୍ରାସ୍ଫୀତି ହାର ମଧ୍ୟ ତା’ ପାଇଁ ସନ୍ତୋଷଜନକ ନୁହେଁ।
କିନ୍ତୁ ଆସନ୍ତା ବିତ୍ତ ବର୍ଷ ପାଇଁ ମୁଦ୍ରାସ୍ଫୀତି ହାର ପୂର୍ବାନୁମାନ କରିବା ସମୟରେ ‘ଏମ୍ପିସି’ ସେନେକା ବା ଏପିକ୍ଟେଟସ୍ଙ୍କ ପରି ପ୍ରାଚୀନ ଷ୍ଟୋଇକ୍ ଦାର୍ଶନିକମାନଙ୍କୁ ଅନୁସରଣ କରିଥିବା ଭଳି ମଧ୍ୟ ମନେ ହୋଇଥାଏ। ଉଦାହରଣ ସ୍ବରୂପ ସେନେକାଙ୍କର ଏକ ମନ୍ତ୍ର ହେଉଛି: ‘‘ପ୍ରିମେଡିଟେସିଓ ମାଲୋରମ୍’’, ଯାହାର ତର୍ଜମା କରାଯାଇପାରେ- ସବୁଠାରୁ ଯାହା ଖରାପ ହୋଇପାରେ, ତାହା ଘଟିବ ବୋଲି ପୂର୍ବରୁ ଚିନ୍ତା କରି ସେଥିପାଇଁ ପ୍ରସ୍ତୁତ ରୁହ। ମନେହୁଏ ଏହି ନିୟମକୁ ଅନୁସରଣ କଲା ଭଳି ‘ଏମ୍ପିସି’ ଯେଉଁ ୫.୩ ଶତାଂଶ ମୁଦ୍ରାସ୍ଫୀତି ହାର ପୂର୍ବାନୁମାନ ପ୍ରକାଶ କରିଛି, ଅନ୍ୟାନ୍ୟ ବିଶେଷଜ୍ଞ ଅନୁଶୀଳନକାରୀମାନେ ଅନୁମାନ କରିଥିବା ହାରଠାରୁ ଉଚ୍ଚତର ହୋଇଥିବା ଦେଖାଯାଏ। ତେଣୁ ଆଶା କରାଯାଇପାରେ ଯେ ଆସନ୍ତା ବିତ୍ତ ବର୍ଷରେ ମୁଦ୍ରାସ୍ଫୀତି ହାର ଏକ ଅଧିକ ଗ୍ରହଣୀୟ ସ୍ତରକୁ ହ୍ରାସ ପାଇପାରେ।
ଏହା ବିଶ୍ବାସଯୋଗ୍ୟ ମନେ ହେବାର ଅନ୍ୟତମ କାରଣ ହେଉଛି ଏହା ଯେ ନିକଟ ଅତୀତରେ ପୃଥିବୀର ଅଧିକାଂଶ ଦେଶମାନଙ୍କରେ ଦେଖା ଦେଇଥିବା ମୁଦ୍ରାସ୍ଫୀତିର ତୀକ୍ଷ୍ଣତାରେ ବର୍ତ୍ତମାନ ଶିଥିଳତା ଦେଖାଦେବାକୁ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଆମଦାନି ମାଧ୍ୟମରେ ବିଦେଶୀ ମୁଦ୍ରାସ୍ଫୀତି ଆମର ଘରୋଇ ଅର୍ଥନୀତିକୁ ସଂକ୍ରମିତ କରିଥାଏ, କାରଣ ଆମର ଶିଳ୍ପ ଉତ୍ପାଦନରେ ବ୍ୟବହୃତ ଉପାଦାନମାନଙ୍କର କେତେକ ଅଂଶ ବିଦେଶରୁ ଆମଦାନି ହୋଇଥାଏ।
ସେଇସବୁ ଆମଦାନି କରାଯାଉଥିବା ଉପାଦାନମାନ ଶସ୍ତା ହେଲେ, ଆମର ଶିଳ୍ପଜାତ ପଦାର୍ଥମାନଙ୍କ ଦରଦାମ ଉପରେ ସେମାନେ ପ୍ରୟୋଗ କରୁଥିବା ଉଚ୍ଚ ଚାପ କୋହଳ ହେବାକୁ ଲାଗିବ। ତେଣୁ ବର୍ତ୍ତମାନ ସେନେକା ମନ୍ତ୍ର ଜପ କରି ନିଜକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିଥିବା ‘ଏମ୍ପିସି’ ତା’ର ଆଗାମୀ ବୈଠକମାନଙ୍କେର ଯଦି ମୁଦ୍ରାସ୍ଫୀତି ପୂର୍ବାନୁମାନରେ କିଛି ମାତ୍ର ହ୍ରାସ ଘଟାଇବା ଦେଖାଯାଏ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସେଇଭଳି ଏହା ମଧ୍ୟ ଆଶା କରାଯାଇପାରେ ଯେ ଯଦିବା ‘ଏମ୍ପିସି’ ବର୍ତ୍ତମାନ ଗ୍ରହଣ କରିଥିବା ନିଷ୍ପତ୍ତିରୁ ସୂଚନା ମିଳିଥାଏ ଯେ ଭବିଷ୍ୟତରେ ସୁଧ ହାରରେ ବୃଦ୍ଧି ଘଟାଯିବାର ସମ୍ଭାବନା ଉନ୍ମୁକ୍ତ ରହିଛି, ଯାହା ଅଧିକ ବିଶ୍ବାସଯୋଗ୍ୟ ମନେ ହୁଏ, ତାହା ହେଲା, ଆଗାମୀ ଦ୍ବିମାସିକ ବୈଠକରେ ସମ୍ଭବତଃ ରେପୋରେଟ୍ରେ ଲଗାତର ଛ’ଥର ବୃଦ୍ଧି ଘଟାଇବା ପରେ ସେମାନେ ଏଥର ବିରତି ଅବଲମ୍ବନ କରିବେ।
ତା’ଛଡ଼ା ପାଖେଇ ଆସୁଥିବା ସାଧାରଣ ନିର୍ବାଚନ ଯେ ଭବିଷ୍ୟତରେ ରିଜର୍ଭ ବ୍ୟାଙ୍କ୍ର ସୁଧ ନୀତିକୁ ପ୍ରଭାବିତ କରିବ, ତାହା ଖୋଲାଖୋଲି ପ୍ରକାଶ ନ ପାଇଲେ ମଧ୍ୟ ତାହା ହେଉଛି ଏକ ଅବଧାରିତ ସତ୍ୟ। ଅର୍ଥଶାସ୍ତ୍ର ପରିସରରେ ସୁପ୍ରତିଷ୍ଠିତ ‘ଫିଲିପ୍ସ କର୍ଭ୍’ ନିୟମ ଅନୁସାରେ ମୁଦ୍ରାସ୍ଥୀତି ଓ ବେକାରି ମଧ୍ୟରେ ଏକ ବିପରୀତାତ୍ମକ ସମ୍ପର୍କ ରହିଥାଏ- ଗୋଟିଏରେ ବୃଦ୍ଧି ଘଟିଲେ ଅନ୍ୟଟିରେ ହ୍ରାସ ଘଟିବ। ବିରୋଧୀ ଦଳମାନେ ସରକାର ବିରୋଧରେ କରି ଚାଲିଥବା ଏକ ମୁଖ୍ୟ ଅଭିଯୋଗ ହେଉଛି ଏହା ଯେ ଦେଶରେ ବେକାରି ବ୍ୟାପକ ରୂପେ ବିରାଜମାନ କରୁଛି। ସରକାର ତେଣୁ ନିର୍ବାଚନର ଅବ୍ୟବହିତ ପୂର୍ବରୁ ମୁଦ୍ରାସ୍ଫୀତିକୁ ଦମନ କରିବାକୁ ଯାଇ ସୁଧ ହାରରେ ଆହୁରି ବୃଦ୍ଧି ଘଟାଇ ବେକାରିରେ ଆହୁରି ବୃଦ୍ଧି ଘଟାଇବାକୁ ଚାହିଁବେ ନାହିଁ। ଏହା ମଧ୍ୟ ସତ ଯେ ମୁଦ୍ରାସ୍ଫୀତି ବି ଏକ ଜନ ଅସନ୍ତୋଷର କାରଣ ହୋଇଥାଏ। ଏଣୁ ଏ ଦୁଇ ପରସ୍ପର ବିରୋଧୀ ଶକ୍ତି ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ୍ ପ୍ରାଣପଣେ ଉଦ୍ୟମ କରିବା ନିଶ୍ଚିତ। ମନେହୁଏ ସେଇ ଉଦ୍ୟମର ଅଂଶ ସ୍ବରୂପ ବର୍ତ୍ତମାନର ମୁଦ୍ରାସ୍ଫୀତିକୁ ଏକ ସହନୀୟ ସ୍ତରରେ ରହିଛି ବୋଲି ବିଶ୍ବାସ କରି ନିକଟ ଭବିଷ୍ୟତରେ ରିଜର୍ଭ ବ୍ୟାଙ୍କ୍ ରେପୋରେଟ୍ରେ ଆଉ ବୃଦ୍ଧି ଘଟାଇବ ନାହିଁ -ଅନ୍ତତଃ ନିର୍ବାଚନ ପର୍ଯ୍ୟନ୍ତ ବିରତି ନେବାକୁ ପସନ୍ଦ କରିବ।