ବିଂଶ ଶତାବ୍ଦୀର ଅନ୍ୟତମ ପ୍ରସିଦ୍ଧ ବିଜ୍ଞାନର ଦାର୍ଶନିକ କାର୍ଲ୍ ପପର୍ ମଧ୍ୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଜଣେ ଛାମୁଆ ଉପାସକ ଓ ଏକଛତ୍ର କମ୍ୟୁନିଷ୍ଟ ଶାସନ ବ୍ୟବସ୍ଥାର ଜଣେ ଚରମ ବିରୋଧୀ ରୂପେ ପ୍ରସିଦ୍ଧି ଲାଭ କରିଥିଲେ। ପୃଥିବୀ ସାରା ଗଣତନ୍ତ୍ରର ଭକ୍ତମାନଙ୍କ ମଧ୍ୟରେ ଏବେ ମଧ୍ୟ ୧୯୪୫ରେ ପ୍ରଥମେ ପ୍ରକାଶିତ ପପର୍ଙ୍କ ରଚିତ ପୁସ୍ତକ, ‘ଦି ଓପନ୍ ସୋସାଇଟି ଆଣ୍ଡ୍ ଇଟ୍ସ ଏନିମିଜ୍’ ଏକ ଦିଗ୍ଦର୍ଶନକାରୀ ଧର୍ମପୁସ୍ତକ ଭଳି ଆଦୃତି ଲାଭ କରିଥାଏ। ପୁସ୍ତକର ଶୀର୍ଷକ ସୂଚାଇଥିବା ଭଳି ଏଥିରେ ମାନବ ଇତିହାସରେ କେତେକ ବିଶିଷ୍ଟ ଚିନ୍ତାନାୟକଙ୍କୁ ଚିହ୍ନଟ କରାଯାଇଛି (ପ୍ଲାଟୋ, ହେଗେଲ୍, ମାର୍କ୍ସ), ଯେଉଁମାନଙ୍କୁ ପପର୍ ଗଣତନ୍ତ୍ରର ଶତ୍ରୁ ରୂପେ ବିଚାର କରିଥାନ୍ତି। ନାତ୍ସିମାନଙ୍କ ଆବିର୍ଭାବ ପରେ ନିଜର ଜନ୍ମଭୂମି ଅଷ୍ଟ୍ରିଆରୁ ପଳାୟନ କରିଥିବା ପପର୍ ବ୍ରିଟେନ୍ର ‘ଲଣ୍ଡନ୍ ସ୍କୁଲ୍ ଅଫ୍ ଇକ୍ନୋମିକ୍ସ’ ଠାରେ ଅଧ୍ୟାପନା କରୁଥିବା ସମୟରେ ତାଙ୍କ ଦ୍ବାରା ପ୍ରଭାବିତ ହୋଇଥିବା ବହୁ ସଂଖ୍ୟକ ମେଧାବୀ ଛାତ୍ରମାନଙ୍କ ମଧ୍ୟରୁ ଅଗ୍ରଗଣ୍ୟ ଥିବା ଜଣେ ଛାତ୍ର ଯିଏ ଏବେବି ପପର୍ଙ୍କ ରାଜନୈତିକ ଚିନ୍ତାଧାରା ପ୍ରସାରରେ ସକ୍ରିୟ ଅଛନ୍ତି, ସେ ହେଉଛନ୍ତି ବର୍ତ୍ତମାନ ଭାରତୀୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ୯୨ ବର୍ଷୀୟ ହଙ୍ଗେରୀୟ ବିଲିଅନଏର୍ ଜର୍ଜ ସୋରୋସ୍। ସେ ଯେ ପପର୍ଙ୍କ ଦୂତ ସ୍ବରୂପ କାର୍ଯ୍ୟ କରୁଛନ୍ତି, ଏହା ସ୍ପଷ୍ଟ କରି ଦେବା ପାଇଁ ସୋରୋସ୍ ଏହି ଉଦ୍ଦେଶ୍ୟରେ ପ୍ରତିଷ୍ଠା କରିଥିବା ଅନୁଷ୍ଠାନର ନାମ ମଧ୍ୟ ରଖିଛନ୍ତି- ‘ଓପନ୍ ସୋସାଇଟି ଫାଉଣ୍ଡେସନ’।
ଜଣାଶୁଣା ଭାବେ ଗଣତନ୍ତ୍ର ହେଉଛି ଗଣ ଅର୍ଥାତ୍ ଜନସାଧାରଣଙ୍କ ଦ୍ବାରା ନିୟନ୍ତ୍ରିତ, ନିୟମିତ ନିର୍ବାଚନଭିତ୍ତିକ ଏକ ଶାସନ ବ୍ୟବସ୍ଥା ଯାହା ଅନେକ ଦୋଷତ୍ରୁଟିଯୁକ୍ତ ହୋଇଥାଏ। କିନ୍ତୁ ଏହାର ଅନୁଗାମୀମାନେ କହିଥାନ୍ତି ଯେ ଅନ୍ୟ ସମସ୍ତ ରାଜନୈତିକ ବ୍ୟବସ୍ଥା ତୁଳନାରେ ଗଣତନ୍ତ୍ରର ଦୋଷତ୍ରୁଟି ହେଉଛି ସର୍ବନିମ୍ନ। ପପର୍ କିନ୍ତୁ ଯେଉଁମାନଙ୍କୁ ମୁକ୍ତ ଗଣତାନ୍ତ୍ରିକ ସମାଜର ଶତ୍ରୁ ରୂପେ ପ୍ରଦର୍ଶିତ କରିଛନ୍ତି ସେମାନେ ଭିନ୍ନ ଭିନ୍ନ କାରଣରୁ ଗଣତନ୍ତ୍ରକୁ ନାପସନ୍ଦ କରି ତା’ ସ୍ଥାନରେ ଏକ ବିକଳ୍ପ ବ୍ୟବସ୍ଥାକୁ ପସନ୍ଦ କରିଥାନ୍ତି। ଯେମିତି ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ପ୍ଲାଟୋ। ତାଙ୍କର ପ୍ରସିଦ୍ଧ କଥୋପକଥନ ‘ରିପବ୍ଲିକ୍’ରେ ପ୍ଲାଟୋ ବାରମ୍ବାର ଗଣତନ୍ତ୍ର ପ୍ରତି ତାଙ୍କର ଏହି ବିରୋଧ ପ୍ରକାଶ କରିଥିବା ଦେଖାଯାଏ।
ପ୍ଲାଟୋଙ୍କ ମତରେ ଏକ ରାଷ୍ଟ୍ରର ସୁଶାସନ ନିମିତ୍ତ ଯେଉଁ ବୁଦ୍ଧି ଓ ଜ୍ଞାନ ଆବଶ୍ୟକ, ସାଧାରଣ ଜନତାଙ୍କ ଠାରେ ତାହା ଅନୁପସ୍ଥିତ ଥାଏ। ସେହିପିର ପ୍ଲାଟୋ ବିଶ୍ବାସ କରୁଥିଲେ ଯେ ସାଧାରଣ ଜନତା ଅର୍ଥମୋହ ଦ୍ବାରା କବଳିତ ହୋଇଥାନ୍ତି; ଅସ୍ଥିର ଭାବ ପ୍ରବଣତା ଦ୍ବାରା ପ୍ରଭାବିତ ହୋଇଥାନ୍ତି; ବାକ୍ ଚାତୁରିରେ ପଟୁତା ହାସଲ କରିଥିବା ନେତାମାନେ ସହଜରେ ଜନସାଧାରଣଙ୍କୁ ବଶ କରିପାରିଥାନ୍ତି। ତେଣୁ ପ୍ଲାଟୋଙ୍କ ପାଇଁ ଗଣତନ୍ତ୍ର ଗ୍ରହଣୀୟ ନ ଥିଲା। ସେ ଯେଉଁ ଆଦର୍ଶ ରାଷ୍ଟ୍ରର ପରିକଳ୍ପନା କରିଥିଲେ, ତାହାର ଶାସନ ଦାୟିତ୍ବ ନ୍ୟସ୍ତ କରିଥିଲେ ଜଣେ ‘ଦାର୍ଶନିକ ରାଜା’ଙ୍କ ଠାରେ, ଯିଏ ବୁଦ୍ଧି ଓ ଜ୍ଞାନରେ ତଥା ନ୍ୟାୟ ପରାୟଣତାରେ ଈଶ୍ବରତୁଲ୍ୟ ହୋଇଥାନ୍ତି। ଉଲ୍ଲେଖଯୋଗ୍ୟ, ତାଙ୍କର ପୂର୍ବ ପିଢ଼ିର ଦାର୍ଶନିକ ହେରାକ୍ଲିଟସ୍ଙ୍କ ମତରେ ସଂସାର ପରିବର୍ତ୍ତନଶୀଳ ହୋଇଥିବାରୁ ଓ ପରିବର୍ତ୍ତନ ସର୍ବଦା ଅବକ୍ଷୟମୁଖୀ ହୋଇଥାଏ ବୋଲି ବିଶ୍ବାସ କରାଯାଉଥିବାରୁ, ପ୍ଲାଟୋ କହିଥିଲେ ଯେ ଏହି ଆଦର୍ଶ ବ୍ୟବସ୍ଥାରେ ଅବକ୍ଷୟ ଘଟି ପ୍ରଥମେ ସମ୍ଭ୍ରାନ୍ତମାନଙ୍କ ଦ୍ବାରା ନିୟନ୍ତ୍ରିତ ବ୍ୟବସ୍ଥା ‘ଟିମୋକ୍ରାସି’; ତା’ପରେ ଧନୀ ପରିବାରମାନଙ୍କ ଦ୍ବାରା ନିୟନ୍ତ୍ରିତ ‘ଅଲିଗାର୍କି’; ତା’ପରେ ଗଣମାନଙ୍କ ଦ୍ବାରା ନିୟନ୍ତ୍ରିତ ଅରାଜକତାପୂର୍ଣ୍ଣ ‘ଡେମୋକ୍ରାସି’; ଏବଂ ଶେଷରେ ‘ଟିରାନି’ ବା ଅତ୍ୟାଚାରତନ୍ତ୍ରର ଆବିର୍ଭାବ ଘଟିବା ଖୋଦ୍ ପପର୍ ତାଙ୍କ ପୁସ୍ତକରେ ଗଣତନ୍ତ୍ର ସମ୍ବନ୍ଧରେ ପ୍ଲାଟୋଙ୍କର ଏହି ବର୍ଣ୍ଣନା ଉପସ୍ଥାପନ କରିଛନ୍ତି।
ଅତଏବ ଏଥିରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା ଯିଏ ଅନ୍ୟ ସମସ୍ତ ବିକଳ୍ପମାନଙ୍କୁ ପ୍ରତ୍ୟାଖ୍ୟାନ କରି ଗଣତନ୍ତ୍ରକୁ ଗ୍ରହଣ କରିବ, ସିଏ ପ୍ଲାଟୋ ବର୍ଣ୍ଣିତ ସମସ୍ତ ଦୋଷ ଦୁର୍ବଳତା ସହିତ ଗଣତନ୍ତ୍ରକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ଆବଶ୍ୟକ। ପ୍ଲାଟୋ କହିଥିବା ଭଳି ବୁଦ୍ଧି ଜ୍ଞାନହୀନ ଜନତା ନିର୍ବାଚନ ମାଧ୍ୟମରେ ଯାହାଙ୍କୁ ଶାସକ ରୂପେ ପସନ୍ଦ କରିବେ, ଗଣତନ୍ତ୍ରର ଉପାସକମାନେ ତାଙ୍କୁ ଗ୍ରହଣ କରିବାକୁ ବାଧ୍ୟ। ଯଦି କେହି ଏହି ନିର୍ବାଚନକୁ ନିଜ ପସନ୍ଦର କୌଣସି ପ୍ରାର୍ଥୀ ବା ଦଳ ବିଜୟ ଲାଭ କରିପାରିନଥିବା ଯୋଗୁଁ ଗଣତାନ୍ତ୍ରିକ ବୋଲି ସ୍ବୀକୃତି ପ୍ରଦାନ ନ କରେ, ସେ ପ୍ରକୃତରେ କାର୍ଲ ପପର୍ଙ୍କ ଅନୁଗାମୀ ନୁହେଁ, ସେ ହେଉଛି ପପର୍ଙ୍କ ଭାଷାରେ ଗଣତନ୍ତ୍ରର ଶତ୍ରୁ ପ୍ଲାଟୋଙ୍କର ଅନୁଗାମୀ।
ଏକ ବିଡ଼ମ୍ବନା ଭଳି ପପର୍ଙ୍କ ଶିଷ୍ୟ ସୋରୋସ୍ ତାଙ୍କର ରାଜନୀତିରେ ଅଧିକାଂଶ ସମୟେର ଏଇଭଳି ଏକ ଅଗଣତାନ୍ତ୍ରିକ ଆଭିମୁଖ୍ୟ ପ୍ରଦର୍ଶନ କରି ଆସିଛନ୍ତି, ଯେଉଁଥି ପାଇଁ ତାଙ୍କ ନିଜ ଦେଶ ହଙ୍ଗେରୀରେ ବସ୍ତୁତଃ ତାଙ୍କର ପ୍ରବେଶ ନିଷେଧ କରାଯାଇଛି। ସେ ଦେଶର ନିର୍ବାଚିତ ଜାତୀୟତାବାଦୀ ପ୍ରଧାନମନ୍ତ୍ରୀ ଭିକ୍ଟର୍ ଅର୍ବାନ୍ଙ୍କ ନିର୍ବାଚନକୁ ସୋରୋସ୍ ସ୍ବୀକାର ନ କରି ତାଙ୍କ ବିରୋଧରେ ଅଭିଯାନ ଚଳାଇ ଆସିଛନ୍ତି। ୨୦୦୧ରେ ଆମେରିକାେର ଆଲ୍ କାଏଦା ୯/୧୧ ଇସଲାମୀୟ ଆତଙ୍କବାଦୀ ଆକ୍ରମଣ ରଚନା କଲା ପରେ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍ ଯେତେବେେଳ ଆତଙ୍କବାଦ ଉପରେ ଯୁଦ୍ଧ ଘୋଷଣା କଲେ, ଜର୍ଜ ସୋରୋସ୍ ସେତେବେଳେ ତା’ର ଘୋର ବିରୋଧ କରିବା ଦେଖାଯାଇଥିଲା। ୨୦୦୪ ନିର୍ବାଚନରେ ସେଇ କାରଣରୁ ସେ ପ୍ରତିପକ୍ଷ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜନ୍ କେରୀଙ୍କୁ ସମର୍ଥନ କରି ତାଙ୍କ ଅଭିଯାନକୁ ପ୍ରଚୁର ଅର୍ଥଦାନ କରିଥିଲେ। କିନ୍ତୁ ବୁଶ୍ ଯେତେବେଳେ ପୁନଃ ନିର୍ବାଚିତ ହେଲେ ଓ କେରୀ ହାରିଗଲେ, ପପର୍ଙ୍କ ଏହି ପରମଶିଷ୍ୟ ଗଣତନ୍ତ୍ର ଶତ୍ରୁ ପ୍ଲାଟୋଙ୍କୁ ଅନୁସରଣ କଲାଭଳି ଆମେରିକୀୟ ମତଦାତାମାନଙ୍କର ଜ୍ଞାନ, ବୁଦ୍ଧି ଓ ରାଜନୈତିକ ପରିପକ୍ବତାକୁ ପ୍ରଶ୍ନ କରିବାରେ ଲାଗିଲେ।
ଭାରତର ବର୍ତ୍ତମାନର କ୍ଷମତାସୀନ ନିର୍ବାଚିତ ସରକାର ପ୍ରତି ଜର୍ଜ ସୋରୋସ୍ଙ୍କର ବିଦ୍ବେଷ ଭାବ କିଛି ଲୁଚାଛପା ନୁହେଁ। ଏଇମାତ୍ର ୨୦୨୦ରେ ସେ ଭବିଷ୍ୟବାଣୀ କରିଥିଲେ ଯେ ଆନ୍ତର୍ଜାତିକ ନିବେଶକମାନେ ଆଉ ଭାରତ ଆଡ଼େ ମୁହାଁଇବେ ନାହିଁ ଓ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ରସାତଳଗାମୀ ହେବ। ବର୍ତ୍ତମାନ ଏକ ବିଷାଦଜନକ ଆନ୍ତର୍ଜାତିକ ଅର୍ଥନୈତିକ ମାନଚିତ୍ରରେ ଏକମାତ୍ର ଉଜ୍ଜ୍ବଳ ଅର୍ଥନୀତି ରୂପେ ଭାରତର ଉପସ୍ଥିତି ନିଶ୍ଚିତ ରୂପେ ସୋରୋସ୍ଙ୍କ ପାଇଁ ଏକ ଦାରୁଣ ଧକ୍କା ସଦୃଶ ହୋଇଥିବ। ବର୍ତ୍ତମାନ ହିଣ୍ଡେନ୍ବର୍ଗ-ଆଦାନି ଘଟଣା ସୋରୋସ୍ଙ୍କ ଠାରେ ଏକ ନୂତନ ଆଶା ସଞ୍ଚାର କରିଛି ଯେ ଏହାର ପ୍ରଭାବରେ ଭାରତରେ ଏକ ‘‘ଗଣତାନ୍ତ୍ରିକ ପୁନରୁତ୍ଥାନ’’ ଘଟିପାରେ। ଅର୍ଥାତ୍ ଭାରତୀୟ ମତଦାତାମାନେ ତାଙ୍କ ପସନ୍ଦର ଏକ ସରକାରକୁ ନିର୍ବାଚିତ କରି ନଥିବାରୁ, ଭାରତରେ ଗଣତନ୍ତ୍ରର ବିଲୟ ଘଟିଛି।
ମ୍ୟୁନିକ୍ ସିକ୍ୟୁରିଟି କନ୍ଫରେନ୍ସ ଅବସରରେ ସୋରୋସ୍ ପ୍ରଦାନ କରିଥିବା ତାଙ୍କର ଭାରତ ସମ୍ବନ୍ଧୀୟ ଏଭଳି ନକାରାତ୍ମକ ମନ୍ତବ୍ୟ ଅଭ୍ୟାସଗତ ହୋଇଥିଲେ ହେଁ, ଏଥରର ମନ୍ତବ୍ୟର ଏକ ରୋଚକ ଦିଗ ତାଙ୍କର ଅନ୍ୟ ଏକ ଅବତାର ପ୍ରତି ଦୃଷ୍ଟି ଆକର୍ଷଣ କରିଛି, ଯାହା କେବେହେଲେ ତାଙ୍କର ଉଦ୍ଦେଶ୍ୟ ହୋଇନଥିବା ଏହି ଅବତାର ହେଉଛି ସୋରୋସ୍ଙ୍କ ମୂଳ ବୃତ୍ତି ସମ୍ପର୍କିତ। ଆଦାନି ଗ୍ରୁପ୍ ବିରୋଧରେ ଅଭିଯୋଗ ଆଣିଥିବା ହିଣ୍ଡେନ୍ବର୍ଗ ଯେମିତି ହେଉଛି ବୃତ୍ତିରେ ସେଆର୍ ବଜାରରେ ଏକ ସର୍ଟ ସେଲର୍, ଜର୍ଜ ସୋରୋସ୍ ସେମିତି ହେଉଛନ୍ତି ମୁଦ୍ରା ବଜାରରେ ଜଣେ ବିଚକ୍ଷଣ ସର୍ଟ ସେଲର୍ ବା ସର୍ଟର୍। ଏହି ଅବସରରେ ଇତିହାସରେ ତାଙ୍କର ନାମ ଯେଉଁଥିପାଇଁ କଳା ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି, ତାହା ‘କଳା ବୁଧବାର’ (‘ବ୍ଲାକ୍ ୱେଡ୍ନେସ ଡେ’) ରୂପେ ସୁବିଦିତ। ଏହି ତାରିଖ ଥିଲା ୧୬ ସେପ୍ଟେମ୍ବର ୧୯୯୨। ମୁଦ୍ରା ବଜାରରେ ଜର୍ଜ ସୋରୋସ୍ ବିପୁଳ ପରିମାଣର ବ୍ରିଟିସ୍ ପାଉଣ୍ଡ୍ ସର୍ଟ ସେଲିଙ୍ଗ୍ କରିବା ଯୋଗୁଁ ଚାପ ସମ୍ଭାଳି ନ ପାରି ବ୍ରିଟିସ୍ ସରକାର ସେହିଦିନ ‘ଇଉରୋପିଆନ୍ ଏକ୍ସଚେଞ୍ଜ ରେଟ୍ ମେକାନିଜ୍ମ’ (‘ଇଆର୍ଏମ୍’)ରୁ ଓହରି ଆସିବାକୁ ବାଧ୍ୟ ହୋଇଥିଲା।
ଉଲ୍ଲେଖଯୋଗ୍ୟ ଯୁଦ୍ଧ ସମ୍ଭାବନାକୁ ପ୍ରତିହତ କରି ଇଉରୋପୀୟ ସଂହତି ସୃଷ୍ଟି ଥିଲା ‘ଇଆର୍ଏମ୍’ର ଉଦ୍ଦେଶ୍ୟ। ସୋରୋସ୍ଙ୍କ କାର୍ଯ୍ୟ ଯୋଗୁଁ ପାଉଣ୍ଡର ବିନିମୟ ମୂଲ୍ୟରେ ଯେଉଁ ତୀକ୍ଷ୍ଣ ସ୍ଖଳନ ଘଟିଲା (ଅାଦାନି ସେଆର୍ ଭଳି) ସୋରୋସ୍ ସେଥିଯୋଗୁଁ ପ୍ରାୟ ଦେଢ଼ ବିଲିଆନ ପାଉଣ୍ଡ ଲାଭ କରିଥିଲେ।
ଏହା ସତ ଯେ ହିଣ୍ଡେନ୍ବର୍ଗ ବା ସୋରୋସ୍ ଗୁଜବ ସୃଷ୍ଟି କରି ସର୍ଟ ସେଲିଙ୍ଗ୍ ମାଧ୍ୟମରେ ବଜାରକୁ ପ୍ରଭାବିତ କରି ଲାଭ ଅର୍ଜନ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ସେଇ ଅଭ୍ୟାସ ଦ୍ବାରା ପରିଚାଳିତ ହୋଇ ଭାରତୀୟ ଗଣତନ୍ତ୍ରର ମୂଲ୍ୟହ୍ରାସ ଘଟାଇବା ପାଇଁ ସୋରୋସ୍ଙ୍କର ଉଦ୍ୟମ ଯେ ସଫଳ ହେବ ନାହିଁ, ଏଥିରେ କୌଣସି ସେନ୍ଦହ ନାହିଁ। କାରଣ, ‘ବୁଦ୍ଧିଜ୍ଞାନହୀନ’ ମତଦାତାମାନେ ହେଉଛନ୍ତି ସର୍ଟ ସେଲର୍ମାନଙ୍କ ଅପେକ୍ଷା ଅଧିକ ଚତୁର।