ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା ମଧ୍ୟରେ ମିତ୍ର ରାଷ୍ଟ୍ରଙ୍କ ସହଯୋଗ ଉପରେ ଗୁରୁତ୍ୱ ଆରୋପ କରି ବ୍ରିଟେନ୍ର ଯୁଦ୍ଧକାଳୀନ ପ୍ରଧାନମନ୍ତ୍ରୀ ପ୍ରବୀଣ ରାଷ୍ଟ୍ରନୀତିଜ୍ଞ ଓ୍ଵିନ୍ଷ୍ଟନ୍ ଚର୍ଚ୍ଚିଲ୍ କହିଥିଲେ- ‘‘ସହଯୋଗୀ ମିତ୍ରଙ୍କ ସହ କଳିର ସବୁଠାରୁ ଭୟଙ୍କର ପରିଣାମ ହେଲା, ସେମାନଙ୍କ ବିନା ଶତ୍ରୁପକ୍ଷ ବିରୋଧରେ ଲଢ଼େଇର ସମ୍ମୁଖୀନ ହେବାର ବିପଦ’’। କେନ୍ଦ୍ରରେ କ୍ଷମତାକୁ ଆସିବାର ଚାରିବର୍ଷ ପରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ ସରକାର ଠିକ୍ ଏହିଭଳି ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ଯାଉଛନ୍ତି। ପୁଣି ଏମିତି ଏକ ସମୟରେ ଏ ଆହ୍ଵାନଭରା ପରିସ୍ଥିତ ଉପୁଜିଛି, ଯେତେବେଳେ ୟୁପି ଓ ବିହାର ଉପନିର୍ବାଚନର ଫଳାଫଳ ମେଣ୍ଟର ପ୍ରମୁଖ ଦଳର ନେତା ଓ କର୍ମୀଙ୍କ ନୈତିକ ମନୋବଳ ଓ ଆତ୍ମବିଶ୍ୱାସ ଉପରେ ଶକ୍ତ ଆଘାତ ଦେଇଛି। ଅନ୍ୟପକ୍ଷରେ ଉତ୍ସାହିତ ବିରୋଧୀ ମେଳି ବାନ୍ଧୁଛନ୍ତି। ଏହା ବୋଧହୁଏ ମିଛ ନୁହେଁ ଯେ, ବିପଦ ଯେତେବେଳେ ଆସେ ଭାଇ- ବନ୍ଧୁ ଧରି ପହଞ୍ଚି ଯାଏ। ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ପ୍ରସଙ୍ଗରେ ସଂସଦରେ ଷୋହଳ ସଦସ୍ୟ ବିଶିଷ୍ଟ ତେଲୁଗୁଦେଶମ୍ ପାର୍ଟି (ଟିଡିପି) ପ୍ରଥମେ ସରକାରରୁ ଓହରି ଯିବା ପରେ ଏନ୍ଡିଏ ମେଣ୍ଟରୁ ମଧ୍ୟ ବାହାରି ଯାଇଛି। କେବଳ ସେତିକି ନୁହେଁ, ଆନ୍ଧ୍ରର ପ୍ରତିଦ୍ୱନ୍ଦ୍ୱୀ ଆଞ୍ଚଳିକ ଦଳ ଓ୍ଵାଇଏସ୍ଆର୍ କଂଗ୍ରେସ ସହ ମିଶି ଲୋକସଭାରେ ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି।
ସଂସଦୀୟ ବିଧି ବ୍ୟବସ୍ଥା ଅନୁଯାୟୀ ସରକାରଙ୍କ ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଓ୍ଵାଇଏସ୍ଆର୍ କଂଗ୍ରେସ ଏବଂ ତେଲୁଗୁଦେଶମ୍ର ମିଳିତ ୨୫ ସଂସଦ ସଂଖ୍ୟା ପର୍ଯ୍ୟାପ୍ତ ନୁହେଁ। ଅନାସ୍ଥା ପ୍ରସ୍ତବକୁ ଗୃହରେ ଆଲୋଚନା ସ୍ତରକୁ ଆଣିବା ପାଇଁ ଅତିକମ୍ରେ ପଚାଶ ଜଣ ଲୋକସଭା ସାଂସଦଙ୍କ ସମର୍ଥନ ଆବଶ୍ୟକ। ତେବେ ସଂଖ୍ୟାର ଏ ନିଅଣ୍ଟ ଭରଣା କରି ମୋଦୀ ସରକାରଙ୍କୁ ସଂସଦ କକ୍ଷରେ କାଠ ଗଡ଼ାରେ ଠିଆ କରାଇବା ଲାଗି ମୁଖ୍ୟ ବିରୋଧୀ ଦଳ କଂଗେସ, ବାମଦଳ, ତୃଣମୂଳ କଂଗ୍ରେସ ସମେତ ଆଠଟି ଦଳ ଏକାଠି ଅନାସ୍ଥା ପ୍ରସ୍ତାବ ପଛରେ ଛିଡ଼ା ହେବା ଲାଗି ନିଷ୍ପତ୍ତି ଘୋଷଣା କରିଛନ୍ତି। ଅନାସ୍ଥା ପାଇଁ ବିଭିନ୍ନ ଦଳ ଲାଗି ପ୍ରସଙ୍ଗ ଭିନ୍ନ ଭିନ୍ନ ହୋଇପାରେ। କିନ୍ତୁ ସମସ୍ତଙ୍କ ନିଶାଣରେ ମୋଦୀ ସରକାର। ଶୁକ୍ରବାର ହଟ୍ଟଗୋଳ ଆଳରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ମହୋଦୟା ଅନାସ୍ଥା ପ୍ରସ୍ତାବ ଗ୍ରହଣକୁ ଏଡ଼ାଇ ଯାଇଛନ୍ତି। କିନ୍ତୁ ବିରୋଧୀଙ୍କ ଆଭିମୁଖ୍ୟ ଯାହା ସେଥିରେ ଆସନ୍ତା ସପ୍ତାହରେ ଅନାସ୍ଥା ପ୍ରସ୍ତାବକୁ ଏଡ଼ାଇ ଯିବା ବାଚସ୍ପତିଙ୍କ ପକ୍ଷରେ ସମ୍ଭବ ହୋଇ ନପାରେ।
ଏହା ହେବ ପାଞ୍ଚବର୍ଷିଆ କାର୍ଯ୍ୟକାଳର ଶେଷବର୍ଷରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏନ୍ଡିଏ ସରକାର ବିରୋଧରେ ପ୍ରଥମ ଅନାସ୍ଥା ପ୍ରସ୍ତାବ। ଲୋକସଭାରେ ବର୍ତ୍ତମାନ ବିଜେପିର ଏକାକୀ ସଂଖ୍ୟାବଳ ଯେତିିକି, ଅନାସ୍ଥା ପ୍ରସ୍ତାବକୁ ନାକଚ କରାଇବା ଲାଗି ସେତିକି ଯଥେଷ୍ଟ। ୫୪୫ ସଦସ୍ୟ ବିଶିଷ୍ଟ ଲୋକସଭାରେ ବର୍ତ୍ତମାନ ଉପସ୍ଥିତ ସାଂସଦଙ୍କ ସଂଖ୍ୟା ୫୩୬। ଏଥିରୁ ବିଜେପି ସଦସ୍ୟଙ୍କ ସଂଖ୍ୟା ୨୭୫। ୨୦୧୪ରେ ୨୮୨ ଆସନରେ ବିଜୟୀ ବିଜେପିର ସଂଖ୍ୟା ୨୭୫କୁ ଖସି ଆସିଥିଲେ ସୁଦ୍ଧା ଅନାସ୍ଥା ପ୍ରସ୍ତାବକୁ ନାକଚ କରିବା ଲାଗି ତାହା ଯଥେଷ୍ଟ। ଅନାସ୍ଥା ପ୍ରସ୍ତାବରୁ ମୋଦୀ ସରକାରକୁ ସୁରକ୍ଷା ଦେବା ଲାଗି ୨୬୯ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ବିଜେପି ପାଖରେ ଅଧିକ ବଳକା ଆହୁରି ଛଅଟି ଭୋଟ ରହିଛି। ଅର୍ଥାତ୍ ସହଯୋଗୀଙ୍କ ବିନା ସମର୍ଥନରେ ବି ସରକାର ଅନାସ୍ଥା ପ୍ରସ୍ତାବର ସଫଳ ମୁକାବିଲା ଲାଗି ସକ୍ଷମ। ଅନାସ୍ଥା ପ୍ରସ୍ତାବରୁ ବର୍ତ୍ତିବା ପାଇଁ ହୁଏତ ମୋଦୀ ସରକାରଙ୍କ ପାଇଁ ତେଲୁଗୁ ଦେଶମ୍କୁ ଛାଡ଼ି ଅନ୍ୟ ସହଯୋଗୀ ଦଳଙ୍କ ୨୭ ସାଂସଦଙ୍କ ସମର୍ଥନ ଜରୁରି ହୋଇ ନପାରେ, କିନ୍ତୁ ରାଜନୈତିକ ଦଷ୍ଟେିରୁ ପ୍ରତିପକ୍ଷଙ୍କ ମୁକାବିଲା ଲାଗି ସହଯୋଗୀ ଦଳଙ୍କ ସମର୍ଥନ ଏକାନ୍ତ ଅପରିହାର୍ଯ୍ୟ। ତେବେ ବର୍ତ୍ତମାନର ତରଳ ରାଜନୈତିକ ପରିସ୍ଥିତି ପରିପ୍ରେକ୍ଷୀରେ ଏ ପ୍ରଶ୍ନ ଉଠିବା ଆଦୌ ଅସ୍ୱାଭାବିକ ନୁହେଁ ଯେ, ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ଏନ୍ଡିଏର ସବୁ ୩୦୨ ଜଣ ଯାକ ସାଂସଦ କ’ଣ ମୋଦୀ ସରକାର ପଛରେ ଏକାଠି ପଥର ଭଳି ଛିଡ଼ା ହେବେ?
ଏ ପ୍ରଶ୍ନ ଏଥି ପାଇଁ ଉଠୁଛି ଯେ, ଏନ୍ଡିଏର ପ୍ରମୁଖ ଦଳ ବିଜେପି ଓ ଅନ୍ୟ ଅଂଶୀଦାର ଦଳମାନଙ୍କ ମଧ୍ୟରେ ସମ୍ପର୍କ ବିଶେଷ ସୁଖଦ ନୁହେଁ। ବରଂ କୁହାଯାଇପାରେ ମେଣ୍ଟରେ ଅସ୍ୱସ୍ତି ଲାଗିରହିଛି। ସଦ୍ୟ ଏନ୍ଡିଏ ଛାଡ଼ିଥିବା ତେଲୁଗୁଦେଶମ୍ ପାର୍ଟି ଏକମାତ୍ର ଅସନ୍ତୁଷ୍ଟ ସହଯୋଗୀ ନଥିଲା। ଅନ୍ୟ ଦୁଇ ପ୍ରମୁଖ ଅଂଶୀଦାର ଶିବସେନା ଓ ଶିରୋମଣି ଅକାଳୀ ଦଳ ବିଜେପିର ବଡ଼ଭାଇ ପଣିଆ ନେଇ କ୍ଷୁବ୍ଧ। ବିଭିନ୍ନ ସମୟରେ ଖୋଲାଖୋଲି ଭାବେ ଏହି ଦୁଇ ଦଳ ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି। ଏପରିକି, ଶିବସେନା ଘୋଷଣା କରି ସାରିଛି ଯେ, ୨୦୧୯ ନିର୍ବାଚନ ଦଳ ପୃଥକ୍ ଭାବେ ଏକାକୀ ଲଢ଼ିବ। ଆଗାମୀ ଲୋକସଭା ଝୁଲା ହେବ ବୋଲି ଅକାଳୀ ଦଳ ନେତାଙ୍କ ବୟାନରୁ ବିଜେପି ସହ ପରସ୍ପର ପ୍ରତି ଅବିଶ୍ୱାସ ଓ ସନ୍ଦେହର ଗନ୍ଧ ବାରି ହେଉଛି। ମେଣ୍ଟର ପ୍ରମୁଖ ଦଳ ଓ ଅଂଶୀଦାରଙ୍କ ମଧ୍ୟରେ ନିଶ୍ଚୟ ସମ୍ପର୍କ ସ୍ୱାଭାବିକତାଠାରୁ ଦୂରରେ। ପ୍ରତିପକ୍ଷ ବିରୋଧରେ ଲଢ଼େଇକୁ ଓହ୍ଲାଇବା ବେଳେ ଏମିତି ଏକ ପରିସ୍ଥିତି ନିଶ୍ଚୟ ମନୋବଳକୁ ପ୍ରଭାବିତ କରିବ। କେବଳ ବଡ଼ ସହଯୋଗୀ ନୁହେଁ, କ୍ଷୁଦ୍ର ଅଂଶୀଦାରଙ୍କ ମତିଗତି ମଧ୍ୟ ବିଜେପି ନେତୃତ୍ୱ ପାଇଁ ମୁଣ୍ଡବ୍ୟଥାର କାରଣ।
ରାଜନୈତିକ ଦୃଷ୍ଟିରୁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିହାରରେ ଏନ୍ଡିଏର ଗୋଟିଏ ଛୋଟ ଅଂଶୀଦାର ମହାଦଳିତ ବର୍ଗର ନେତା ଜୀତନ୍ ରାମ ମାନ୍ଝାଙ୍କ ହିନ୍ଦୁସ୍ଥାନୀ ଆଓ୍ଵାମ ପାର୍ଟି (ଏଚ୍ଏଏମ୍) ଏନ୍ଡିଏ ଛାଡ଼ିବା ପରେ ଆଉ ଗୋଟିଏ ଛୋଟ ଅଂଶୀଦାର ମଧ୍ୟ ମେଣ୍ଟ ଛାଡ଼ିବା ଲାଗି ଗୋଡ଼ ଟେକିଥିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଉପେନ୍ଦ୍ର ଖୁସଓ୍ଵାହାଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍ଏଲ୍ଏସ୍ପି) ଜୀବନ ରାମଙ୍କ ରାସ୍ତାରେ ଯାଇ ଲାଲୁଙ୍କ ଆର୍ଜେଡ଼ି ନେତୃତ୍ୱାଧୀନ ମହାମେଣ୍ଟକୁ ଡେଇଁବା ସମ୍ଭାବନାକୁ ଅସ୍ୱୀକାର କରାଯାଉନାହିଁ। ନୀତୀଶଙ୍କ ଜେଡ଼ି (ୟୁ)ପୁଣି ଏନ୍ଡିଏକୁ ଫେରିବା ପରେ ଏହି ଛୋଟ ଦଳମାନେ ମେଣ୍ଟରେ ଅସ୍ୱସ୍ତି ଅନୁଭବ କରୁଛନ୍ତି। ଏ ପ୍ରସଙ୍ଗରେ ଆଉ ଏକ ଘଟଣା ମଧ୍ୟ ବିଶେଷ ଉଲ୍ଲେଖର ଅପେକ୍ଷା ରଖୁଛି। ଉତ୍ତରପ୍ରଦେଶ ଉପ-ନିର୍ବାଚନରେ ବିଜେପିର ଅପମାନଜନକ ପରାଜୟ ପରେ ଏନ୍ଡିଏର ଅନ୍ୟତମ ମନ୍ତ୍ରୀ ରାମବିଳାଶ ପାଶ୍ୱାନଙ୍କ ଦ୍ୱାରା ଦଳିତ ସାଂସଦଙ୍କ ପାଇଁ ନୈଶ୍ୟ ଭୋଜି ଓ ବନ୍ଧୁ ମିଳନର ଆୟୋଜନ। ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ପାଶଓ୍ଵାନ ୨୦୧୫ରେ ବିହାରରେ ଏନ୍ଡିଏର ପରାଜୟ ପରେ ପରେ ମଧ୍ୟ ଅନୁରୂପ ଏକ ଭୋଜିର ଆୟୋଜନ କରିଥିଲେ। ଦଳିତ ସାଂସଦଙ୍କ ମଧ୍ୟରେ ଏକତା ରକ୍ଷା ବନ୍ଧୁ ମିଳନର ଉଦ୍ଦେଶ୍ୟ ବୋଲି କୁହାଯାଉଥିଲେ ବି ଏହାର ଅସଲ ଉଦ୍ଦେଶ୍ୟ ନେଇ ଏନ୍ଡିଏରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି। ମୋଟାମୋଟି ସରକାରୀ ପକ୍ଷର ଶିବିରରେ ଅସ୍ୱସ୍ତି ଓ ଅସ୍ଥିରତା। ଏ ପ୍ରକାର ଗୋଟିଏ ସ୍ଥିତି ବିରୋଧୀଙ୍କ ମୁକାବିଲା ଲାଗି ଆଦୌ ଅନୁକୂଳ ନୁହେଁ।
ଅନାସ୍ଥା ପ୍ରସ୍ତାବ ମୋଦୀ ସରକାର ପାଇଁ ଯେତେ ବଡ଼ ଗୋଟିଏ ପରୀକ୍ଷା ନୁହେଁ, ଏନ୍ଡିଏ ମେଣ୍ଟରେ ଏକତା ରକ୍ଷା ତା’ଠାରୁ ବଡ଼ ଏକ ପରୀକ୍ଷା। ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ପ୍ରତିପକ୍ଷ ବିରୋଧୀଙ୍କ ମୁକାବିଲା ସହ, ନିଜ ଶିବିରରେ ଏକତା ରକ୍ଷା ଏନ୍ଡିଏ ନେତୃତ୍ୱ, ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଦୋହରା ଆହ୍ଵାନ ହୋଇଛି। ଅନାସ୍ଥା ପ୍ରସ୍ତାବର ମୁକାବିଲା ଲାଗି ବିଜେପି ପାଇଁ ଏନ୍ଡିଏ ଅଂଶୀଦାରଙ୍କ ସହଯୋଗ ଆବଶ୍ୟକ ହୋଇ ନପାରେ, କିନ୍ତୁ ଆଗାମୀ ଉଣେଇଶ ନିର୍ବାଚନରେ ପ୍ରତିପକ୍ଷଙ୍କ ମୁକାବିଲା ଲାଗି ସହଯୋଗୀଙ୍କ ସହଯୋଗ ଏକାନ୍ତ ଅପରିହାର୍ଯ୍ୟ। ପୁଣି ଯେତେବେଳେ ସରକାର ବିରୋଧୀ ମନୋଭାବ ଦାନା ବାନ୍ଧୁଛି ଏବଂ ପ୍ରତିପକ୍ଷ ବିରୋଧୀ ମିଳିତ ଲଢ଼େଇ ଲାଗି ପରସ୍ପର କାନ୍ଧକୁ କାନ୍ଧ ଯୋଡୁଛନ୍ତି, ସେତେବେଳେ ସହଯୋଗୀଙ୍କ ସହଯୋଗ ବିନା ହିନ୍ଦୁତ୍ୱ ପକ୍ଷ ଦୁର୍ବଳ ପଡ଼ିବା ଏବଂ ଏହା ମେଣ୍ଟର ଉଣେଇଶ ସମ୍ଭାବନାକୁ ଆହୁରି ଅଧିକ ଅନୁଜ୍ଜଳ କରିବା ଆଶଙ୍କାକୁ ଅସ୍ୱୀକାର କରାଯାଇ ନପାରେ।