ପ୍ରଦୂଷଣହୀନ ଶକ୍ତି ବା ‘ଗ୍ରିନ୍ ଏନର୍ଜି’ କ୍ଷେତ୍ରରେ ଭାରତ ସରକାରଙ୍କର ଯେଉଁ ଏକ ଘୋଷଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି, ତାହା ହେଲା ଆମ ଦେଶରେ ବିପୁଳ ପରିମାଣର ଖଣିଜ ପଦାର୍ଥ ଲିଥିଅମ୍ର ଆବିଷ୍କାର ଖବର। ଲିଥିଅମ୍ ହେଉଛି ବିଦ୍ୟୁତ୍ଚାଳିତ ମଟରଗାଡ଼ି (‘ଇଭି’) ଓ ଏହାର ବ୍ୟାଟେରିରେ ବ୍ୟବହୃତ ହେଉଥିବା ଏକ ଅପରିହାର୍ଯ୍ୟ ଧାତବ ପଦାର୍ଥ। ଜିଓେଲାଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସ୍ଆଇ)ର ଆକଳନ ଅନୁସାରେ ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ରେଆସି ଜିଲ୍ଲାର ସଲାଲ୍-ହାଇମାନା ପାର୍ବତ୍ୟ ଅଞ୍ଚଳରେ ପ୍ରାୟ ୬ ନିୟୁତ ଟନ୍ ଲିଥିଅମ୍ ଗଚ୍ଛିତ ରହିଛି। ଏହା ହେଉଛି ଜଣାଶୁଣା ଭାବରେ ପୃଥିବୀରେ ଗଚ୍ଛିତ ଥିବା ଲିଥିଅମ୍ର ଷଷ୍ଠ ବୃହତ୍ତମ ପରିମାଣ, ଯାହା ମାନ୍ୟତା ତାଲିକାରେ ଏହା ଭାରତକୁ ଲିଥିଅମ୍ ଗଚ୍ଛିତ ଥିବା ଦେଶମାନଙ୍କ ମଧ୍ୟରେ ଷଷ୍ଠ ସ୍ଥାନ ପ୍ରଦାନ କରିଥାଏ। ପୃଥିବୀରେ ସର୍ବାଧିକ ଲିଥିଅମ୍ ଗଚ୍ଛିତ ଥିବା ଦେଶ ଦକ୍ଷିଣ ଆମେରିକାର ବଲିଭିଆ ହୋଇଥିବା ବେଳେ ଭାରତ ଉପରକୁ ପଞ୍ଚମ ସ୍ଥାନରେ ଅଛି ଅଷ୍ଟ୍ରେଲିଆ ଓ ଭାରତ ତଳକୁ ସପ୍ତମ ସ୍ଥାନରେ ଅଛି ଚୀନ୍।
୨୦୨୧ରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ‘କପ୍-୨୬’ରେ ଭାରତ ୨୦୭୦ ସୁଦ୍ଧା ‘ନେଟ୍ ଜିରୋ’ ଅଙ୍ଗାର ନିର୍ଗମନ ଲକ୍ଷ୍ୟ ହାସଲ କରିବାକୁ ଯେଉଁ ଶପଥ ଗ୍ରହଣ କରିଛି, ଏହି ଲିଥିଅମ୍ ଭଣ୍ଡାର ଆବିଷ୍କାର ସେଥିରେ ବେଶ୍ ସହାୟକ ହେବ, ଏଥିରେ ସନ୍ଦେହ ନାହିଁ। ସେଥିପାଇଁ ଭାରତକୁ ଦ୍ରୁତ ବେଗରେ ନିଜର ସୌର ଶକ୍ତି ଓ ବାୟୁଶକ୍ତି କ୍ଷମତାରେ ବୃଦ୍ଧି ଘଟାଇବା ସହିତ ଯେତେଶୀଘ୍ର ସମ୍ଭବ ସଡ଼କରୁ େପଟ୍ରୋଲ ଓ ଡିଜେଲ୍ ଚାଳିତ ଗାଡ଼ିମାନଙ୍କୁ ହଟାଇ ସେ ସ୍ଥାନ ‘ଇଭି’ମାନଙ୍କ ଦ୍ବାରା ପୂରଣ କରିବାକୁ ହେବ। ତେଣୁ ଭାରତକୁ ଆବିଷ୍କୃତ ଲିଥିଅମ୍କୁ ଯେତେ ଶୀଘ୍ର ସମ୍ଭବ ବ୍ୟବହାରକ୍ଷମ କରିବାକୁ ହେବ।
ଭାରତ ମଧ୍ୟ ଲିଥିଅମ୍-ଆଇଅନ୍ ବ୍ୟାଟେରି ଉତ୍ପାଦନରେ ଚୀନ୍ ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ଉଦ୍ୟମ ଆରମ୍ଭ କରିଛି। ଏହି ବ୍ୟାଟେରିମାନ କେବଳ ଯେ ଦେଶ ଭିତରେ ଚାଲୁଥିବା ‘ଇଭି’ ମାନଙ୍କରେ ବ୍ୟବହୃତ ହେବ, ତାହା ନୁହେଁ, ବିଦେଶ ବଜାରକୁ ମଧ୍ୟ ସେଗୁଡ଼ିକ ରପ୍ତାନି କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ମନେ ରଖିବା କଥା ଭାରତ ହେଉଛି ପୃଥିବୀର ଚତୁର୍ଥ ବୃହତ୍ତମ ମଟରଗାଡ଼ି ବଜାର। ଏହି ଦ୍ବୈତ ଲକ୍ଷ୍ୟ ପୂରଣ ପଥରେ ଭାରତ ଏ ପର୍ଯ୍ୟନ୍ତ ଯେଉଁ ଦୀର୍ଘକାଳୀନ ପ୍ରତିବନ୍ଧର ସମ୍ମୁଖୀନ ହୋଇ ଆସିଥିଲା, ସେଥିରୁ ଅନ୍ୟତମ ଥିଲା କଞ୍ଚା ଲିଥିଅମ୍ ସଂଗ୍ରହ କରିବା, ଯାହା ସମ୍ପୂର୍ଣ୍ଣ ରୂପେ ବୈଦେଶିକ ଉତ୍ସ ଉପରେ ନିର୍ଭରଶୀଳ ଥିଲା। ବର୍ତ୍ତମାନ ଲିଥିଅମ୍ ଭଣ୍ଡାର ଆବିଷ୍କାର ଦ୍ବାରା ଅଚିରେ ସେହି ପ୍ରତିବନ୍ଧ ଅପସାରିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି।
ତେବେ ନିକେଲ୍, ଗ୍ରାଫାଇଟ୍, ମାଙ୍ଗାନିଜ୍ ଆଦି ଅନ୍ୟ ଅତ୍ୟାବଶ୍ୟକ ଧାତୁମାନ ପାଇବା ପାଇଁ ଭାରତକୁ ଆମଦାନି ଉପରେ ନିର୍ଭର କରି ଚାଲିବାକୁ ହେବ; କିନ୍ତୁ ଆଭ୍ୟନ୍ତରୀଣ ସୂତ୍ରରୁ ଲିଥିଅମ୍ ଭଳି ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଧାତୁ ମିଳିପାରିବା ଶକ୍ତି ଉତ୍ପାଦନ ଓ ସାଇତିବା କ୍ଷେତ୍ରେର ଆତ୍ମନିର୍ଭରତା ହାସଲ କରିବାରେ ଭାରତକୁ ବହୁତ ସାହାଯ୍ୟ କରିବ। ଏହା ଭାରତର ‘ଇଭି’ ନିର୍ମାଣ ଓ ବ୍ୟାଟେରି ଉତ୍ପାଦନକାରୀମାନଙ୍କୁ ଉଚ୍ଚ ଆମଦାନି ଖର୍ଚ୍ଚ ଜନିତ ଚାପରୁ ସୁରକ୍ଷା ପ୍ରଦାନ କରିବ। ଏହାର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବା ପାଇଁ ସୂଚାଇ ଦିଅାଯାଇପାରେ ଯେ କୋଭିଡ୍-୧୯ ପାଣ୍ଡେମିକ୍ ପୂର୍ବର ଦର ତୁଳନାରେ ବଜାରରେ ଲିଥିଅମ୍ କାର୍ବୋନେଟ୍ର ବର୍ତ୍ତମାନର ଦର ପ୍ରାୟ ୧୪ ଗୁଣ ହୋଇଛି।
ଯଦିବା ଆବିଷ୍କୃତ ଲିଥିଅମ୍କୁ ବ୍ୟବହାରଯୋଗ୍ୟ କରିବା ସମୟସାପେକ୍ଷ ହୋଇଥାଏ, ତେବେ ବି ଲିଥିଅମ୍ ‘ଗ୍ରିନ୍ ଏନର୍ଜି’ କ୍ଷେତ୍ରରେ ନିର୍ବାହ କରୁଥିବା ଏହି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ତଥା ବିଶେଷ କରି ‘ଇଭି’ ପ୍ରଚଳନରେ ଇଏ ଦଖଲ କରିଥିବା ସ୍ବତନ୍ତ୍ର ସ୍ଥାନ ଯୋଗୁଁ କାଶ୍ମୀରରେ ଆବିଷ୍କୃତ ଲିଥିଅମ୍କୁ ଭାରତୀୟ ଅର୍ଥନୀତି ରୂପକ ଗାଡ଼ିର ବ୍ୟାଟେରି ବୋଲି ଆଖ୍ୟା ଦିଆଗଲାଣି। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳରେ ଲାଗି ରହିଥିବା ବେକାରି ସମସ୍ୟାର ସମାଧାନର ବାଟ ଏଥର ଖୋଲିଗଲା ବୋଲି ଉଲ୍ଲାସ ପ୍ରକାଶ ପାଇବାକୁ ଆରମ୍ଭ କଲାଣି।
କିନ୍ତୁ ଯଦିବା ଏହି ଉତ୍ସାହର ସ୍ବାଭାବିକତା ଅନୁଭବ କରିବା କଷ୍ଟକର ନୁହେଁ, ଏଥି ସହିତ ଓତପ୍ରୋତ ଭାବରେ ଜଡ଼ିତ ଥିବା ଏକ ଅସୁବିଧାଜନକ ସତ୍ୟ ସମ୍ବନ୍ଧରେ ମଧ୍ୟ ଏହି ସମୟରେ ସଚେତନ ହେବା ଅନୁରୂପ ଭାବେ ଆବଶ୍ୟକ। ଏହି ସତ୍ୟର ବାହକ ହେଉଛି ଏକ ଅର୍ଥଶାସ୍ତ୍ରୀୟ ତତ୍ତ୍ବ, ଯାହାର ନାମ ହେଉଛି- ‘ରିସୋର୍ସ କର୍ସ୍ ଥିଓରି’ ବା ‘ସମ୍ବଳର ଅଭିଶାପ ତତ୍ତ୍ବ’। ବ୍ରିଟିସ ଅର୍ଥନୀତିଜ୍ଞ ରିଚାର୍ଡ ଅଟି ୧୯୯୩ରେ ପ୍ରଥମେ ବର୍ଣ୍ଣନା କରିଥିବା ଏହି ତତ୍ତ୍ବ ଅନୁସାରେ ଏକ ବିକାଶଶୀଳ ଦେଶରେ ଯେତେବେଳେ କୌଣସି ଖଣିଜ ପଦାର୍ଥ ପ୍ରଚୁର ପରିମାଣରେ ଉପଲବ୍ଧି ହୁଏ, ସେତେବେଳେ ତାହା ଏଭଳି ଘୋର ଦୁର୍ନୀତି, ପ୍ରଦୂଷଣ, କୁଶାସନ, ରାଜନୈତିକ ହିଂସାକାଣ୍ଡମାନଙ୍କୁ ଜନ୍ମ ଦେଇଥାଏ ଯାହା ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ସହାୟକ ହେବା ପରିବର୍ତ୍ତେ କ୍ଷତିକାରକ ହୋଇଥାଏ। ଅର୍ଥାତ୍ ସମ୍ବଳର ଆବିର୍ଭାବ ସେ ଅଞ୍ଚଳ ପାଇଁ ଆଶୀର୍ବାଦ ନ ହୋଇ ଅଭିଶାପ ସଦୃଶ ହୋଇଥାଏ।
ବର୍ତ୍ତମାନର ଲିଥିଅମ୍ ଆବିଷ୍କାରସ୍ଥଳୀ ପ୍ରତି ଏହି ତତ୍ତ୍ବ ବିଶେଷ ରୂପେ ପ୍ରଯୁଜ୍ୟ ହେବା ଭଳି ମନେ ହୋଇଥାଏ। ଏହି ସ୍ଥାନ ଭାରତ ଓ ପାକ୍ ଅଧିକୃତ କାଶ୍ମୀର ମଧ୍ୟରେ ଥିବା ନିୟନ୍ତ୍ରଣ ସୀମାରେଖା (‘ଏଲ୍ଓସି’) ଠାରୁ ମାତ୍ର ପ୍ରାୟ ୫୦ କି.ମି. ଦୂରତାରେ ଅବସ୍ଥିତ। ଅନୁପ୍ରବେଶକାରୀ ଆତଙ୍କବାଦୀମାନେ ଏ ଅଞ୍ଚଳରେ କିଭଳି ଅସ୍ଥିରତା ସୃଷ୍ଟି କରିଥାନ୍ତି, ତାହା ସୁବିଦିତ। ସେଠାରେ ଲିଥିଅମ୍ ଆବିଷ୍କାର ଖବର ପ୍ରକାଶ ପାଇବା ପରେ ପରେ ‘ପିପୁଲ୍ସ ଆଣ୍ଟିଫାସିଷ୍ଟ୍ ଫ୍ରଣ୍ଟ’ (‘ପିଏଏଫ୍ଏଫ୍’) ନାମକ ଏକ ଆତଙ୍କବାଦୀ ଗୋଷ୍ଠୀ ଘୋଷଣା କରିସାରିଲାଣି ଯେ ସେମାନେ ଭାରତ ସରକାରଙ୍କୁ ସେଠାରେ ଖଣିଜ ଉତ୍ତୋଳନ କରିବାକୁ ଦେବେ ନାହିଁ।
ଏହି ସଶସ୍ତ୍ର ଆତଙ୍କବାଦୀ ଗୋଷ୍ଠୀ ଏକ ଅପେକ୍ଷାକୃତ କ୍ଷୁଦ୍ର ଗୋଷ୍ଠୀ ହୋଇଥିଲେ ହେଁ, ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ନିକଟରେ ଉପଲବ୍ଧ ସୂଚନା ଅନୁସାରେ ଇଏ ହେଉଛି ପାକିସ୍ତାନସ୍ଥିତ ଦୁର୍ଦ୍ଧର୍ଷ ଇସ୍ଲାମୀୟ ଆତଙ୍କବାଦୀ ସଂଗଠନ ‘ଜଏସ୍-ଏ-ମହମ୍ମଦ’ ଦ୍ବାରା ନିୟନ୍ତ୍ରିତ ଏକ ଛାମୁଆ ହିଂସ୍ର ଗୋଷ୍ଠୀ। ବିଗତ ଦୁଇ ଦଶନ୍ଧି ଧରି ଜଏସ୍-ଏ-ମହମ୍ମଦ ଜାମ୍ମୁ-କାଶ୍ମୀରରେ କିଭଳି ରକ୍ତାକ୍ତ ଆକ୍ରମଣମାନ ରଚନା କରି ଚାଲିଛି ତାହାର ବର୍ଣ୍ଣନା ଅନାବଶ୍ୟକ। ସର୍ବଦା ଦେଖାଯାଇଥାଏ ଯେ ଅସ୍ଥିରତାପୂର୍ଣ୍ଣ ଅଞ୍ଚଳରେ ବୃହତ୍ ଭିତ୍ତିଭୂମି ପ୍ରକଳ୍ପମାନ କାର୍ଯ୍ୟକାରୀ କଲା ବେଳେ ହିଂସାତ୍ମକ ପ୍ରତିରୋଧରେ ବୃଦ୍ଧି ଘଟିଥାଏ। ଲିଥିଅମ୍ ଉତ୍ତୋଳନ ସହିତ ତାଳ ଦେଇ ସେମାନେ ଯଦି ଆତଙ୍କବାଦୀ ଆକ୍ରମଣରେ ବୃଦ୍ଧି ଘଟାନ୍ତି, ତା’ହେଲେ ସେ ଅଞ୍ଚଳ ଏକ ରକ୍ତାକ୍ତ ନର୍କରେ ପରିଣତ ହୋଇଯିବ।
କେବଳ ଏତିକି ନୁହେଁ, ଲିଥିଅମ୍ ଉତ୍ତୋଳନ ଯୋଗୁଁ ପରିବେଶ ଘୋର କ୍ଷତିଗ୍ରସ୍ତ ହୋଇଥାଏ ଓ ଏହି ପ୍ରଦୂଷଣ ସମ୍ପୃକ୍ତ ଅଞ୍ଚଳ ମଧ୍ୟରେ ସୀମିତ ରହି ସେଠାରେ ପ୍ରଭୂତ କ୍ଷତି ସାଧନ କରିଥାଏ। ବିଶେଷ କରି ଏହା ସେଠାକାର ଭୂତଳ ଜଳକୁ ବିଷାକ୍ତ କରି ଦେଇଥାଏ। ଏଥିରେ ସନ୍ଦେହ ନାହିଁ ଯେ ଲିଥିଅମ୍ ଆବିଷ୍କାର ହେଉଛି ଭାରତ ପାଇଁ ପ୍ରକୃତିର ଏକ ଆଶୀର୍ବାଦ; କିନ୍ତୁ ଏହି ଆଶୀର୍ବାଦ ଯେପରି ସେ ଅଞ୍ଚଳବାସୀଙ୍କ ପାଇଁ ରିଚାର୍ଡ ଅଟିଙ୍କ ଅଭିଶାପରେ ପରିଣତ ନ ହୁଏ, ତାହା ନିଶ୍ଚିତ କରିବା ହେଉଛି ଭାରତ ସରକାରଙ୍କର ପ୍ରାଥମିକ ଦାୟିତ୍ବ।