ପ୍ରବାସୀ ଭାରତୀୟମାନେ ଦେଶରେ ଥିବା ନିଜର ପରିବାର, ଆତ୍ମୀୟସ୍ବଜନମାନଙ୍କ ନିକଟକୁ ଅର୍ଥ ପ୍ରେରଣ କରିବାରେ ହାୱାଲା ବ୍ୟବସ୍ଥା ନିର୍ବାହ କରି ଆସୁଥିବା ଭୂମିକା ସମ୍ବନ୍ଧରେ ଊଣା ଅଧିକେ ସମସ୍ତେ ସୁପରିଚିତ। ସମ୍ପୃକ୍ତ ଦେଶରେ ଥିବା ହାୱାଲା ଏଜେଣ୍ଟ ପ୍ରବାସୀ ପ୍ରେରକଙ୍କ ଠାରୁ ବିଦେଶୀ ମୁଦ୍ରାରେ ଅର୍ଥ ସଂଗ୍ରହ କରିଥାନ୍ତି ଓ ଦେଶରେ ଥିବା ହାୱାଲା ଏଜେଣ୍ଟ ତୁରନ୍ତ ଉଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଭାରତୀୟ ମୁଦ୍ରା ଆକାରରେ ସେ ଅର୍ଥ ହସ୍ତାନ୍ତରିତ କରିଥାନ୍ତି। ଏହା ଏକ ଫଳପ୍ରଦ ଅର୍ଥପ୍ରେରଣ ବ୍ୟବସ୍ଥା ହୋଇଥିଲେ ହେଁ ଏହାର କେତେକ ଗୁରୁତର ଦୋଷ ଦୁର୍ବଳତା ରହିଥାଏ, ଯାହା କାହାକୁ ଅବିଦିତ ନୁହେଁ। ଏହା ହେଉଛି ଏକ ଲୁଚାଛପା କାରବାର, ଯାହା ହେଉଛି ସମ୍ପୂର୍ଣ୍ଣ ରୂପେ ସମ୍ପୃକ୍ତ ଦେଶମାନଙ୍କର ବିଧି ବ୍ୟବସ୍ଥାର ବାହାରେ। ଏହା ତେଣୁ କଳାଧନ ସୃଷ୍ଟି ଓ ଅାପରାଧିକ କାର୍ଯ୍ୟକଳାପରେ ସହାୟକ ହୋଇଥାଏ। ହାୱାଲା ସଞ୍ଚାଳକମାନେ ସେମାନଙ୍କର ଏହି ସେବା ପ୍ରଦାନ ବାବଦରେ ମୋଟା ଆକାରର କମିସନି ମଧ୍ୟ ନେଇଥାନ୍ତି।
ବିଧିବଦ୍ଧ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ମାଧ୍ୟମରେ ଅର୍ଥ ପ୍ରେରଣ ଏ ସମସ୍ତ ଦୋଷ ଦୁର୍ବଳତାରୁ ମୁକ୍ତ ହୋଇଥିଲେ ହେଁ ତାହା ଏକ ଅପେକ୍ଷାକୃତ ଜଟିଳ ଓ ସମୟସାପେକ୍ଷ ପ୍ରକ୍ରିୟା ହୋଇଥାଏ, ଯାହା ଆବଶ୍ୟକ ସ୍ଥଳେ ତତ୍‌କ୍ଷଣାତ୍‌ କିମ୍ବା ନିୟମିତ ତଥା କ୍ଷୁଦ୍ର ଆକାରର ଅର୍ଥ ପ୍ରେରଣ ପାଇଁ ସୁବିଧାଜନକ ହୋଇନଥାଏ। ଅନ୍ୟ ଭାଷାରେ କହିଲେ, ଜଣେ ଯେମିତି ଦେଶ ଭିତରେ ଆଜିକାଲି ମୋବାଇଲ୍‌ ଫୋନ୍‌ ବ୍ୟବହାର କରି ‘ୟୁପିଆଇ’ ମାଧ୍ୟମରେ ଆଖିପିଛୁଳାକେ ଅର୍ଥ ପ୍ରେରଣ କରିପାରୁଛି, ଦେୟ ପଇଠ କରିପାରୁଛି, ଅର୍ଥ ଗ୍ରହଣ କରିପାରୁଛି- ବିଦେଶ ସହିତ ସେଭଳି କାରବାର ସମ୍ଭବ ହେଉନଥିଲା।

Advertisment

ପୂର୍ବ ବାକ୍ୟରେ ଭୂତ କାଳ ବ୍ୟବହାର କରାଯିବାର କାରଣ, ବର୍ତ୍ତମାନ ସେଥିରେ ପରିବର୍ତ୍ତନ ଅଣାଯିବା ଦିଗରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଥମ ପଦକ୍ଷେପ ଦେଖିବାକୁ ମିଳିଛି। ଗତ ମଙ୍ଗଳବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ନର ଶକ୍ତିକାନ୍ତ ଦାସ ଓ ସିଙ୍ଗାପୁରର ଅନୁରୂପ ସର୍ବୋଚ୍ଚ ବିତ୍ତୀୟ ନିୟନ୍ତ୍ରକ ସଂସ୍ଥା ‘ମନିଟାରି ଅଥରିଟି ଅଫ୍‌ ସିଙ୍ଗାପୁର’ର ପରିଚାଳନା ନିର୍ଦ୍ଦେଶକ ରବି ମେନନ୍‌ଙ୍କ ମଧ୍ୟରେ ମୋବାଇଲ ଫୋନ୍‌ ମାଧ୍ୟମରେ ସମ୍ପନ୍ନ ହୋଇଥିବା ଅର୍ଥ ପ୍ରେରଣ କାରବାର ହେଉଛି ସେହି ପ୍ରଥମ ପଦକ୍ଷେପ। ଉଲ୍ଲେଖ ପ୍ରୟୋଜନ ଯେ ଦାସ ଓ ମେନନ୍‌ ଏହି କାରବାର ପାଇଁ ଯେଉଁ ଦୂରତ୍ବ ନିଶ୍ଚିହ୍ନକାରୀ ତତ୍‌କାଳ ଅର୍ଥପ୍ରେରଣ ବ୍ୟବସ୍ଥା ବ୍ୟବହାର କରିଥିଲେ, ତାହା ଥିଲା ‘ନେସନାଲ୍‌ ପେମେଣ୍ଟସ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ’ (‘ଏନ୍‌ପିସିଆଇ’) ଦ୍ବାରା ପ୍ରସ୍ତୁତ ଓ ବର୍ତ୍ତମାନ ଭାରତରେ ବହୁଳ ବ୍ୟବହୃତ ‘ୟୁନାଇଟେଡ୍‌ ପେମେଣ୍ଟସ୍‌ ଇଣ୍ଟର୍‌ଫେସ୍‌’ ବା ସୁପରିଚିତ ‘ୟୁପିଆଇ’ ଏବଂ ସିଙ୍ଗାପୁରର ଅନୁରୂପ ବ୍ୟବସ୍ଥା- ‘ପେନାଓ’।

‘ୟୁପିଆଇ’ ଓ ‘ପେନାଓ’ ଦ୍ବାରା ଏହି ଯୋଗସୂତ୍ର ସ୍ଥାପନ ଦ୍ବାରା ଉଭୟ ଦେଶର ନାଗରିକ ଓ ବ୍ୟବସାୟ ପ୍ରତିଷ୍ଠାନମାନେ ଏଣିକି ପରସ୍ପର ମଧ୍ୟରେ ତତ୍‌କ୍ଷଣାତ୍‌ ‘ଆପ୍‌’ ମାଧ୍ୟମରେ ଡିଜିଟାଲ୍‌ ପେମେଣ୍ଟ କରିପାରିବେ, ଯେମିତି ଦେଶ ଭିତରେ କରାଯାଇପାରୁଛି। ବର୍ତ୍ତମାନ ପାଇଁ ଏହି ଉପାୟରେ ପେମେଣ୍ଟ ପ୍ରତି ଏକ ଦୈନିକ ସର୍ବୋଚ୍ଚ ସୀମା ଧାର୍ଯ୍ୟ କରାଯାଇଛି- ୬୦,୦୦୦ ଟଙ୍କା। ସେଇଭଳି ବର୍ତ୍ତମାନ ପାଇଁ ମାତ୍ର ହାତଗଣତି କେତେଗୋଟି ବ୍ୟାଙ୍କ୍‌ ଏଠାରେ ଏହି କାରବାର କରିବା ନିମିତ୍ତ ଅନୁମତି ପାଇଛନ୍ତି। ସେମାନେ ହେଲେ- ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌, ଇଣ୍ଡିଆନ୍‌ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ। ଭାରତୀୟମାନେ ଦେଶ ଭିତରେ ଯେଉଁ ଆପ୍‌ମାନ ବ୍ୟବହାର କରି ସାଧାରଣତଃ ‘ୟୁପିଆଇ’ ଉପ‌େଯାଗ କରିଥାନ୍ତି, ତାହା ମଧ୍ୟ ବର୍ତ୍ତମାନ ପାଇଁ ଏହି ଆନ୍ତର୍ଦେଶୀୟ କାରବାର ପାଇଁ ଉପଲବ୍‌ଧ ନୁ‌େହଁ। ଏଠାରେ ୯୦ ପ୍ରତିଶତ କାରବାର ଯେଉଁ ତିନି‌େଗାଟି ତୃତୀୟ ପକ୍ଷ ‘ଆପ୍‌’ ମାଧ୍ୟମରେ ସମ୍ପନ୍ନ ହୋଇଥାଏ, ସେମାନେ ହେଲେ ‘ଫୋନ୍‌ପେ’, ‘ଗୁଗ୍‌ଲ ପେ’ ଓ ‘ପେଟିଏମ୍‌’। ସେମାନେ କିନ୍ତୁ ଏହି ଅାନ୍ତ‌ର୍ଦେଶୀୟ କାରବାରରେ ସମ୍ପୃକ୍ତ ହେବାକୁ ଅନୁମତି ପାଇନାହାନ୍ତି।

କେବଳ ଉପରୋକ୍ତ ବ୍ୟାଙ୍କ୍‌ମାନେ ସେମାନଙ୍କର ପ୍ରତିଷ୍ଠିତ ବ୍ୟବସ୍ଥା ବା ‘ଆପ୍‌’ ମାଧ୍ୟମରେ ଏହି ଅର୍ଥ ପ୍ରେରଣ କାରବାର ସଂଘଟିତ କରିପାରିବେ। ହୁଏତ ଭବିଷ୍ୟତରେ କାରବାରର ଆକାରରେ ବିଶେଷ ବୃଦ୍ଧି ଘଟିଲେ କାର୍ଯ୍ୟ ବୋଝ ସମ୍ଭାଳିବା ପାଇଁ ତୃତୀୟ ପକ୍ଷ ଆପ୍‌ମାନଙ୍କୁ ଏଥିରେ ସାମିଲ କରାଯାଇପାରେ।
ସିଙ୍ଗାପୁର ହେଉଛି ଭାରତର ଭରସାଯୋଗ୍ୟ ବ୍ୟାବସାୟିକ ସହଯୋଗୀ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ। ଉଭୟ ଦେଶର ନାଗରିକ ଓ ବ୍ୟବସାୟମାନଙ୍କ ମଧ୍ୟରେ ଆଦାନ ପ୍ରଦାନ ହେଉଥିବା ଛୋଟ ଛୋଟ ପେମେଣ୍ଟମାନ ବର୍ଷକୁ ମୋଟ ପ୍ରାୟ ଏକ ବିଲିଅନ୍‌ ଡଲାର୍‌ ଅତିକ୍ରମ କରିଥାନ୍ତି। ଏହି କ୍ଷୁଦ୍ର ନଗର ରାଷ୍ଟ୍ରର ମୁଣ୍ଡ ପିଛା ଆୟ ପୃଥିବୀ‌ର ବୃହତ୍‌ ଧନୀ ରାଷ୍ଟ୍ରମାନଙ୍କ ଠାରୁ ମଧ୍ୟ ଅଧିକ ହୋଇଥାଏ। ସିଙ୍ଗାପୁରର ଲୋକସଂଖ୍ୟାରେ ଭାରତୀୟ ବଂଶୋଦ୍ଭବ ମାନଙ୍କର ଅନୁପାତ ପ୍ରାୟ ଏକ-ଦଶମାଂଶ ହୋଇଥାଏ। ଏମାନଙ୍କ ମଧ୍ୟରେ ଅନେକ ପ୍ରବାସୀ ବୃତ୍ତିଧାରୀ ଓ ଛାତ୍ରଛାତ୍ରୀ ଥାଆନ୍ତି, ଯେଉଁମାନେ ବର୍ତ୍ତମାନ ‘ୟୁପିଆଇ’-‘ପେନାଓ’ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବା ସଂଯୋଗ ଦ୍ବାରା ବିଶେଷ ଭାବରେ ଉପକୃତ ହେବେ। ମନେ ରଖିବା କଥା ‌ଭାରତ-ସିଙ୍ଗାପୁର ମଧ୍ୟରେ ଏହି ସଂଯୋଗ ଏକ ପରୀକ୍ଷାମୂଳକ ଉଦ୍ୟମ ନୁହେଁ। ଏଥିପୂର୍ବରୁ ୨୦୨୧ରେ ସିଙ୍ଗାପୁରର ‘ପେନାଓ’ ଓ ଥାଇଲାଣ୍ଡର ‘ପ୍ରଂପ୍‌ଟପେ’ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବା ଏଇଭଳି ସଂଯୋଗ ଅତ୍ୟନ୍ତ ସଫଳତାର ସହିତ କାର୍ଯ୍ୟ କରି ଚାଲିଛି। ତେଣୁ ଯଦି ‘ୟୁପିଆଇ’ ଓ ‘ପେନାଓ’ ମଧ୍ୟରେ ବର୍ତ୍ତମାନ ପ୍ରତିଷ୍ଠିତ ସଂଯୋଗର ବିଶ୍ବସନୀୟତା ଓ ଦକ୍ଷତା‌ ନେଇ କାହା ମନରେ ସନ୍ଦେହ ଥାଏ, ଏହି ପୂର୍ବ ଦୃଷ୍ଟାନ୍ତ ଦ୍ବାରା ତାହା ଦୂରୀଭୂତ ହେବା ଉଚିତ।

ବିଶେଷଜ୍ଞମାନଙ୍କର ଆକଳନକୁ ଅନୁସରଣ କରି ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ନିକଟରେ ଯେଉଁ ‌େଘାଷଣା କରିଥିଲେ ଯେ ଭାରତରେ ଖୁବ୍‌ ଶୀଘ୍ର ଡିଜିଟାଲ୍‌ ପେମେଣ୍ଟ କାରବାର ନଗଦ କାରବାର ପରିମାଣକୁ ଅତିକ୍ରମ କରିବାକୁ ଯାଉଛି, ଅନ୍ତର୍ଜାତୀୟ ପେମେଣ୍ଟରେ ଏହି ଡିଜିଟାଲ୍‌ ମାଧ୍ୟମରେ ବ୍ୟବହାରର ଶୁଭାରମ୍ଭ ସେଥିରେ ନିଶ୍ଚିତ ରୂପେ ସହାୟକ ହେବ, ଏଥିରେ ସନ୍ଦେହ ନାହିଁ। ତେବେ ସିଙ୍ଗାପୁରର ଗୁରୁତ୍ବ ସତ୍ତ୍ବେ ଏହା ମଧ୍ୟ ସୂଚନାଯୋଗ୍ୟ ଯେ ବିଦେଶରୁ ଭାରତ ଭିତରକୁ ଯେତିକି ଅର୍ଥ ପ୍ରେରଣ କରାଯାଇଥାଏ, ରିଜର୍ଭ ବ୍ୟାଙ୍କ୍‌ ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ସେଥିରେ ସିଙ୍ଗାପୁରର ଅଂଶ ହେଉଛି ମାତ୍ର ୬ ଶତାଂଶରୁ ମଧ୍ୟ କମ୍‌। ଯେଉଁ ଦେଶମାନଙ୍କରୁ ଭାରତକୁ ସର୍ବାଧିକ ବୈଦେଶିକ ମୁଦ୍ରା ପ୍ରେରିତ ହୋଇଥାଏ, ସେମାନେ ହେଉଛନ୍ତି ଉପସାଗରୀୟ ଦେଶମାନେ, ଆମେରିକା ଓ କାନାଡ଼ା। ସିଙ୍ଗାପୁର ସହିତ ସ୍ଥାପନ କରାଯାଇଥିବା ଡିଜିଟାଲ୍‌ ପେମେଣ୍ଟ ସଂଯୋଗ ଯଦି ନିକଟ ଭବିଷ୍ୟତରେ ଏ ସମସ୍ତ ଦେଶମାନଙ୍କୁ ମଧ୍ୟ ସମ୍ପ୍ରସାରିତ କରାଯାଏ, ତେବେ ତାହା ଦ୍ବାରା ଏହି ନୂତନ ବ୍ୟବସ୍ଥାର ପ୍ରକୃତ କାର୍ଯ୍ୟ କ୍ଷମତା ଯେ କେବଳ ପରୀକ୍ଷିତ ହେବ, ତାହା ନୁହେଁ, ସେସବୁ ଅଞ୍ଚଳରେ ଥିବା ଅସଂଖ୍ୟ ପ୍ରବାସୀ ଭାରତୀୟ ଓ ଦେଶରେ ଥିବା ସେମାନଙ୍କର ସମ୍ପର୍କୀୟମାନଙ୍କ ପାଇଁ ଏହା ଏକ ବରଦାନ ସଦୃଶ ହେବ।