କୋଭିଡ୍‌-୧୯ ପାଣ୍ଡେମିକ୍‌ ଜାତୀୟ ଦୃଶ୍ୟପଟରୁ ପ୍ରାୟ ଅପସାରିତ ହେବାର ଠିକ୍‌ ପରବର୍ତ୍ତୀ ସମୟ କାଳରେ ଦେଶରେ ଶ୍ରମନିଯୁକ୍ତି କ୍ଷେତ୍ର‌ର ଏକ ଚିତ୍ର ବହନ କରି ନେସନାଲ୍‌ ସାମ୍ପ୍‌ଲ ସର୍ଭେ ଅଫିସ୍‌ ଦ୍ବାରା ‘ପିରିଅଡିକ୍‌ ଲେବର୍‌ ଫୋର୍ସ ସର୍ଭେ’ (‘ପିଏଲ୍‌ଏଫ୍‌ଏସ୍‌’) ବା ‘ସାମୟିକ ଶ୍ରମଶକ୍ତି ସର୍ବେକ୍ଷଣ’ର ଏକ ବାର୍ଷିକ ସାରାଂଶ ପ୍ରକ‌ାଶ ପାଇଛି, ଯାହା ଜୁଲାଇ ୨୦୨୧-ଜୁଲାଇ ୨୦୨୨ ଏକ ବର୍ଷର କାଳଖଣ୍ଡର ପ୍ରତିନିଧିତ୍ବ କରିଥାଏ। କହିବା ବାହୁଲ୍ୟ ଏହାର ପୂର୍ବବର୍ତ୍ତୀ ବର୍ଷରେ ପାଣ୍ଡେମିକ୍‌ର ଆଘାତରେ ଦେଶରେ ଶ୍ରମନିଯୁକ୍ତି ଯେଉଁଭଳି ବ୍ୟାହତ ହୋଇଥିଲା, କୋଭିଡ୍‌ର କଳାଛାଇ ହଟିଯିବା ପରେ ସେଥିରେ କିଛି ଉନ୍ନତି ଘଟିବା ଆଶା କରାଯାଉଥିଲା। ଉପରୋକ୍ତ ‘ପିଏଲ୍‌ଏଫ୍‌ଏସ୍‌’ ରିପୋର୍ଟ ଏଭଳି ଆଶାକୁ ଯଥାର୍ଥ ସାବ୍ୟସ୍ତ କରିଛି। ଏହା ଅନୁସାରେ ୨୦୨୦-୨୧‌ର ପାଣ୍ଡେମିକ୍‌ ବର୍ଷରେ ଦେଶର ଗ୍ରାମାଞ୍ଚଳରେ ବେକାରି ହାର ୩.୩ ଶତାଂଶ ଥିବା ବେଳେ, ୨୦୨୧-୨୨ରେ ତାହା ୩.୨ ଶତାଂଶକୁ ହ୍ରାସ ପାଇଥିଲା; ସହରାଞ୍ଚଳରେ ଏହା ୬.୭ ଶତାଂଶରୁ ହ୍ରାସ ପାଇ ୬.୩ ଶତାଂଶ ହେବା ଦେଖାଯାଇଥିଲା। ବେକାରି ହାରରେ ଏହି ହ୍ରାସ ଚମକପ୍ରଦ ନ ହୋଇଥିଲେ ହେଁ, ଏହାର ନିମ୍ନମୁଖୀ ଚଳନ ଅର୍ଥନୀତିର ସ୍ବାସ୍ଥ୍ୟରେ ଉନ୍ନତିର ସୂଚନା ବହନ କରିଥାଏ।

Advertisment

ତେବେ ‘ପିଏଲ୍‌ଏଫ୍‌ଏସ୍‌’ ଯେଉଁ ଅସଲ ତାତ୍ପର୍ଯ୍ୟପୂର୍ଣ୍ଣ ଚିତ୍ର ଉପରେ ଆଲୋକପାତ କରିଥାଏ, ତାହା ହେଉଛି ‘ଲେବର୍‌ ଫୋର୍ସ ପାର୍ଟିସିପେସନ୍‌ ରେଟ୍‌’ (‘ଏଲ୍‌ଏଫ୍‌ପିଆର୍‌’) ବା ‘ଶ୍ରମଶକ୍ତିରେ ଅଂଶ ଗ୍ରହଣ ହାର’। ନିରୂପିତ ସଂଜ୍ଞା ଅନୁସାରେ ‘ଏଲ୍‌ଏଫ୍‌ପିଆର୍‌’ ହେଉଛି କାର୍ଯ୍ୟକ୍ଷମ ବୟସ ସୀମା ମଧ୍ୟରେ ଥିବା ଜନସଂଖ୍ୟାର ଯେଉଁ ଅଂଶ ନିଯୁକ୍ତି ପ୍ରାପ୍ତ ହୋଇଛନ୍ତି କିମ୍ବା ନିଯୁକ୍ତି ସନ୍ଧାନରେ ଅଛନ୍ତି କିମ୍ବା ନିଯୁକ୍ତି ନିମିତ୍ତ ଉପଲବ୍‌ଧ ଅଛନ୍ତି, ତାହାର ଅନୁପାତ। ଉପରୋକ୍ତ ‘ପିଏଲ୍‌ଏଫ୍‌ଏସ୍‌’ ଅନୁସାରେ ୨୦୨୧-୨୨ରେ ଗ୍ରାମାଞ୍ଚଳରେ ୧୫ ବର୍ଷ ବୟସରୁ ଅଧିକ ତଥା ୬୫ରୁ କମ୍‌ କାର୍ଯ୍ୟକ୍ଷମ ପୁରୁଷମାନଙ୍କ ମଧ୍ୟରୁ ୭୮.୨ ଶତାଂଶ ଶ୍ରମଶକ୍ତିରେ ଅଂଶଗ୍ରହଣ କରିଥାନ୍ତି ଓ ସହରାଞ୍ଚଳରେ ଏହି ବର୍ଗର ପୁରୁଷମାନଙ୍କ ମଧ୍ୟରୁ ୭୪.୭ ଶତାଂଶ ତାହା କରିଥାନ୍ତି।

କିନ୍ତୁ ଶ୍ରମଶକ୍ତିରେ ମହିଳାମାନଙ୍କର ଅଂଶ ଗ୍ରହଣର ଚିତ୍ର ବିଷାଦଜନକ ହୋଇଥାଏ। ଗ୍ରାମାଞ୍ଚଳରେ ୧୫ ବର୍ଷ ବୟସରୁ ଅଧିକ କାର୍ଯ୍ୟକ୍ଷମ ମହିଳାମାନଙ୍କ ପାଇଁ ୨୦୨୧-୨୨ରେ ‘ଏଲ୍‌ଏଫ୍‌ପିଆର୍‌’ ୩୬.୬ ଶତାଂଶ ହୋଇଥିବା ବେଳେ ସହରାଞ୍ଚଳରେ ଏହି ବର୍ଗର ମହିଳାମାନଙ୍କ ପାଇଁ ତାହା ମାତ୍ର ୨୩.୮ ଶତାଂଶ ହୋଇଥିବା ଦେଖାଯାଇଥିଲା। ଏହି ପରିସଂଖ୍ୟାନର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବା କଷ୍ଟକର ନୁହେଁ। ଏହାର ଅର୍ଥ ହେଲା ଗ୍ରାମାଞ୍ଚଳରେ ୬୩.୪ ଶତାଂଶ ଓ ସହରାଞ୍ଚଳରେ ୭୬.୨ ଶତାଂଶ କର୍ମକ୍ଷମ ମହିଳାମାନେ କୌଣସି ଆୟ ଅର୍ଜନକାରୀ କାର୍ଯ୍ୟରେ ନିୟୋଜିତ ନାହାନ୍ତି କିମ୍ବା ନିଯୁକ୍ତି ସନ୍ଧାନ କରୁନାହାନ୍ତି କିମ୍ବା ନିଯୁକ୍ତି ପାଇଁ ଉପଲବ୍‌ଧ ନୁହନ୍ତି; ଅନ୍ୟ ଭାବରେ କହିଲେ ସେମାନେ ନିଜକୁ ଦେଶର ଶ୍ରମଶକ୍ତି ଠାରୁ ଦୂରେଇ ରଖିଛନ୍ତି।

୨୦୨୦-୨୧ରେ ଭାରତରେ ମହିଳାମାନଙ୍କର ଏହି ‘ଏଲ୍‌ଏଫ୍‌ପିଆର୍‌’ ଥିଲା ମାତ୍ର ୧୯ ଶତାଂଶ, ଯାହା ସାରା ପୃଥିବୀ ପାଇଁ ପ୍ରଯୁଜ୍ୟ ହାରାହାରି ହାର ୨୫.୧ ଶତାଂଶ ଠାରୁ କମ୍‌ ଥିଲା। ଉଲ୍ଲେଖଯୋଗ୍ୟ, ଅଧିକାଂଶ ଦକ୍ଷିଣ ଏସୀୟ ଦେଶମାନଙ୍କରେ ମହିଳା ‘ଏଲ୍‌ଏଫ୍‌ପିଆର୍‌’ ୫୦ ଶତାଂଶରୁ ଅଧିକ ହୋଇଥାଏ ଓ ଆମର ପ୍ରତିଦ୍ବନ୍ଦ୍ବୀ ଚୀନ୍‌ରେ ଏହା ୭୦ ଶତାଂଶ ପାଖାପାଖି ପହଞ୍ଚି ସାରିଲାଣି। ମହିଳାମାନେ ଜନସଂଖ୍ୟାର ଅର୍ଦ୍ଧେକ ହୋଇଥିବା ବେଳେ ସେମାନଙ୍କର ଏକ ଉଚ୍ଚା ଅନୁପାତ ଯଦି ଦେଶର ଶ୍ରମଶକ୍ତିରେ ଯୋଗଦାନ ନ କରନ୍ତି, ତେବେ ଦେଶ ଯେ ସର୍ବାଧିକ ସମ୍ଭବ ଅର୍ଥନୈତିକ ପ୍ରଗତି ହାସଲ କରିପାରିବ ନାହିଁ, ଏଥିରେ ‌କୌଣସି ସନ୍ଦେହର ଅବକାଶ ନାହିଁ। ଉଦାହରଣ ସ୍ବରୂପ ମର୍ଯ୍ୟାଦାଜନକ ଥିଙ୍କ୍‌ଟ୍ୟାଙ୍କ୍‌ ମାକ୍‌କିନ୍‌ସି ଗ୍ଲୋବାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ୨୦୧୫ରେ ପ୍ରକାଶ କରିଥିବା ଏକ ଗବେଷଣା ଭିତ୍ତିକ ରିପୋର୍ଟ ଅନୁସାରେ ଭାରତ ଯଦି ଲିଙ୍ଗଗତ ବୈଷମ୍ୟ ଦୂରକରି ସମ୍ପୂର୍ଣ୍ଣ ସାମ୍ୟ ପ୍ରତିଷ୍ଠା କରିପାରେ, ତା’ ହେଲେ ୨୦୨୫ରେ ଦେଶର ‘ଜିଡିପି’ରେ ଅତିରିକ୍ତ ୭୦୦ ବିଲିଅନ୍‌ ଡଲାର ବୃଦ୍ଧି ଘଟିବ ଏବଂ ବାର୍ଷିକ ଜିଡିପି ଅଭିବୃଦ୍ଧି ହାର ଆଉ ୧.୪ ଶତାଂଶ ଅଧିକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ହୃଦୟଙ୍ଗମ କରି ୨୦୪୭ରେ ସ୍ବାଧୀନତାର ଏକଶହ ବର୍ଷ ପୂର୍ତ୍ତି ବେଳକୁ ଦେଶରେ ମହିଳା ‘ଏଲ୍‌ଏଫ୍‌ପିଆର୍‌’ ୫୦ ଶତାଂଶ ଛୁଇଁବା ପାଇଁ ଆହ୍ବାନ ଦେଇଛନ୍ତି।

ଏ ପ୍ରସଙ୍ଗରେ କିନ୍ତୁ ‌େସଇ ସରକାରୀ ପରିସରରୁ ଏପରି ଏକ ଭିନ୍ନ ସ୍ବର ଶୁଣାଯାଇଥାଏ, ଯାହାକୁ ଅବଜ୍ଞା କରାଯାଇ ପାରିବ ନାହିଁ। ଏହି ସ୍ବର ଉଠାଇଛି ୨୦୨୨-୨୩ ପାଇଁ ବିତ୍ତ ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ କରାଯାଇଥିବା ‘ଇକୋନମିକ୍‌ ସର୍ଭେ’, ଯାହା ବଜେଟ୍‌ ସହିତ ଉପସ୍ଥାପନ କରାଯାଇଥିଲା। ଏଥିରେ ଅର୍ଥନୈତିକ ଅଭିବୃଦ୍ଧିରେ ମହିଳା ‘ଏଲ୍‌ଏଫ୍‌ପିଆର୍‌’ର ଗୁରୁତ୍ବପୂର୍ଣ୍ଣ ଅବଦାନକୁ ଅସ୍ବୀକାର କରାଯାଇନାହିଁ; ଯାହା ଉପରେ ପ୍ରଶ୍ନବାଚୀ ଲଗାଯାଇଛି, ତାହା ହେଲା ‘ପିଏଲ୍‌ଏଫ୍‌ଏସ୍‌’ ଆବିଷ୍କାର କରିଥିବା ଏଭଳି ନୀଚା ମହିଳା ‘ଏଲ୍‌ଏଫ୍‌ପିଆର୍‌’। ଉପରୋକ୍ତ ‘ଇକୋନୋମିକ୍‌ ସର୍ଭେ’ରେ କୁହାଯାଇଛି, ‘‘ଭାରତୀୟ ମହିଳାମାନଙ୍କର ନୀଚା ଏଲ୍‌ଏଫ୍‌ପିଆର୍‌ କାହାଣୀ ଯାହା ଅଣଦେଖା କରିଥାଏ, ତାହା ହେଲା ଉଭୟ ପରିବାର ଓ ଦେଶର ଅର୍ଥନୀତିର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା କାର୍ଯ୍ୟରତ ମହିଳାମାନଙ୍କର ବାସ୍ତବତା’’।

ସଂକ୍ଷେପରେ କହିଲେ, ‘ପିଏଲ୍‌ଏଫ୍‌ଏସ୍‌’ ବ୍ୟବହାର କରିଥିବା ସର୍ବେକ୍ଷଣ ପଦ୍ଧତି ଯୋଗୁଁ ଅନେକ ମହିଳା ଉତ୍ପାଦନଶୀଳ କାର୍ଯ୍ୟରେ ନିୟୋଜିତ ଥିଲେ ମଧ୍ୟ ସେମାନଙ୍କୁ ଶ୍ରମଶକ୍ତିରୁ ବହିର୍ଭୂତ ବୋଲି ଦର୍ଶାଯାଇଥାଏ। ଏଠାରେ ଯେଉଁ ଉତ୍ପାଦନଶୀଳ କାର୍ଯ୍ୟ କଥା କୁହାଯାଉଛି ତାହା ଚିରାଚରିତ ଭାବରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଥିବା ଅବୈତନିକ ଗୃହକର୍ମ ନୁହେଁ (ଯେମିତି ରୋଷେଇ, ଲୁଗାସଫା, ସନ୍ତାନ ଯତ୍ନ ଇତ୍ୟାଦି)। ସର୍ବେକ୍ଷଣରେ ମହିଳାମାନେ ସମ୍ପାଦନ କରୁଥିବା ବିଭିନ୍ନ ଅନ୍ୟ ଉତ୍ପାଦନଶୀଳ କାର୍ଯ୍ୟମାନଙ୍କୁ (ଯେମିତି ବାଡ଼ି ବଗିଚାରେ ପରିବା ଚାଷ, କୁକୁଡ଼ା ପାଳନ, ଜାଳେଣି ସଂଗ୍ରହ ଇତ୍ୟାଦି) ଅବୈତନିକ ଘରୋଇ କାର୍ଯ୍ୟ ସହିତ ଏପରି ସଂଯୁକ୍ତ କରି ଦିଆଯାଇଥାଏ ଯେ ସମ୍ପୃକ୍ତା ମହିଳା ସର୍ବେକ୍ଷଣ ଫଳାଫଳରେ ଶ୍ରମଶକ୍ତିରୁ ବହିର୍ଭୂତ ହେବା ଦେଖାଯାଇଥାଏ। ଏପରି ଘଟିବାର କାରଣ ହେଲା ଏହା ଯେ ଏଠାରେ ଅବୈତନିକ ଗୃହକର୍ମକୁ ସମ୍ପୃକ୍ତା‌ ମହିଳାଙ୍କର ମୁଖ୍ୟ କାର୍ଯ୍ୟ ଓ ଉପରୋକ୍ତ କୃଷି ସମ୍ପର୍କିତ କାର୍ଯ୍ୟସବୁକୁ ତାଙ୍କର ‌ଗୌଣ କାର୍ଯ୍ୟ ରୂପେ ଚିହ୍ନଟ କରାଯାଇଥାଏ।

ଯଦି କାର୍ଯ୍ୟର ଏହି ଶ୍ରେଣୀ ବିଭାଜନକୁ ‌ଓଲଟାଇ ଦିଆଯାଏ, ତେବେ ସେ ମହିଳାମାନେ ଶ୍ରମଶକ୍ତିରେ ଅନ୍ତର୍ଭୁକ୍ତ ହୋଇଯିବେ। ଏହା ହେଉଛି ସର୍ବେକ୍ଷଣର ବିଭିନ୍ନ ଦୁର୍ବଳତା ମଧ୍ୟରୁ ଗୋଟିଏ ମାତ୍ର। ଏ ସମସ୍ତ ଦୁର୍ବଳତାରୁ ମୁକ୍ତ ଏକ ସଂଶୋଧିତ ପଦ୍ଧତି ଯଦି ବ୍ୟବହାର କରାଯାଏ, ତେବେ ୨୦୨୧ ବିତ୍ତ ବର୍ଷ ପାଇଁ ମହିଳା ‘ଏଲ୍‌ଏଫ୍‌ପିଆର୍‌’ ୪୬.୨ ଶତାଂଶ ହେବ ବୋଲି ଇକୋନୋମିକ୍‌ ସର୍ଭେରେ ଦର୍ଶାଯାଇଛି, ଯାହା ୫୦ ଶତାଂଶ ପାଖାପାଖି। ତେବେ‌ ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ କେବଳ ସଂଜ୍ଞା ବଦଳାଇ ଦେଇ ମହିଳାମାନଙ୍କୁ ଶ୍ରମଶକ୍ତିରେ ଅନ୍ତର୍ଭୁକ୍ତ କରି ଦେଲେ ଅର୍ଥନୈତିକ ସମୃଦ୍ଧି ହାସଲ ହୋଇଯିବ ନାହିଁ; ନୀଚା ଉତ୍ପାଦନଶୀଳ କାର୍ଯ୍ୟମାନ ପରିତ୍ୟାଗ କରି ସେ ମହିଳାମାନେ ଉଚ୍ଚ ଉତ୍ପାଦନଶୀଳ କାର୍ଯ୍ୟରେ ନିୟୋଜିତ ହେଲେ ଯାଇ ତାହା ସମ୍ଭବ ହେବ। ‌ଏଣୁ କେବଳ ଏକ ଉଚ୍ଚ ପରିମାଣାତ୍ମକ ମହିଳା ‘ଏଲ୍‌ଏଫ୍‌ପିଆର୍‌’ ନୁହେଁ, ଏକ ଉଚ୍ଚ ଗୁଣାତ୍ମକ ମହିଳା ‘ଏଲ୍‌ଏଫ୍‌ପିଆର୍‌’ ମଧ୍ୟ ଆମର ଲକ୍ଷ୍ୟ ହେବା ଉଚିତ।