ଏକ ଗଣତାନ୍ତ୍ରିକ ରାଜେନୖତିକ ବ୍ୟବସ୍ଥାରେ ସାଂବିଧାନିକ ନିୟମମାନଙ୍କର ଆବଶ୍ୟକତା କ’ଣ? ଏ ପ୍ରଶ୍ନର ବୋଧହୁଏ ସର୍ବାଧିକ ଅନୁଶୀଳନାତ୍ମକ ଓ ଯୁକ୍ତିଯୁକ୍ତ ଉତ୍ତର ଦେଇଛନ୍ତି ଜଣେ ନୋବେଲ୍ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ, ଜେମ୍ସ ବୁକାନାନ୍। ଜିଓଫ୍ରି ବ୍ରେନାନ୍ଙ୍କ ସହିତ ମିଳିତ ଭାବରେ ସେ ୧୯୮୫ରେ ରଚନା କରିଥିବା ପୁସ୍ତକ ‘ଦି ରିଜ୍ନ ଅଫ୍ ରୁଲ୍ସ: କନ୍ଷ୍ଟିଚ୍ୟୁସନାଲ୍ ପଲିଟିକାଲ୍ ଇକନୋମି’ରେ ବୁକାନାନ୍ ଏ ସମ୍ବନ୍ଧରେ ଉପସ୍ଥାପନ କରିଥିବା ମୌଳିକ ଯୁକ୍ତି ହେଉଛି ନିମ୍ନ ପ୍ରକାର।
ବୁକାନାନ୍ଙ୍କ ଅନୁସାରେ ଯେ କୌଣସି ନିୟମର ନୈତିକତା ସହିତ ଘନିଷ୍ଠ ସମ୍ପର୍କ ଥାଏ। ନିୟମ କୌଣସି ଏକ କାର୍ଯ୍ୟ ପ୍ରଣାଳୀର ରୂପରେଖ ନିର୍ଦ୍ଧାରଣ କରିଥାଏ, ଯାହା ପରବର୍ତ୍ତୀ ସମୟରେ ସେ କାର୍ଯ୍ୟର ଫଳାଫଳର ନୈତିକ ମୂଲ୍ୟାୟନ ପାଇଁ ପ୍ରାସଙ୍ଗିକ ହୋଇଥାଏ। ଉଦାହରଣସ୍ବରୂପ ଏକ ସାଧାରଣ ବଜାରରେ ଯେତେବେଳେ ଦୁଇ ପକ୍ଷ ମଧ୍ୟରେ ସ୍ବେଚ୍ଛାକୃତ ଭାବରେ ଏକ କାରବାର ସମ୍ପନ୍ନ ହୁଏ, ସେତେବେଳେ ଆମେ ଧରି ନେଇଥାଉ ଯେ ଉଭୟ ପକ୍ଷ ଏହି ବିନିମୟ ଦ୍ବାରା ଲାଭବାନ ହୋଇଥାନ୍ତି। କାରଣ, ଯଦି ତାହା ହୋଇନଥାନ୍ତା, େତବେ ଅନ୍ତତଃ ଗୋଟିଏ ପକ୍ଷ କାରବାରରୁ ଓହରି ଯାଆନ୍ତା। ସ୍ବେଚ୍ଛାକୃତ କାରବାରର ଅଲିଖିତ ନିୟମ ହେଉଛି- ଏଥିରେ ବାଧ୍ୟବାଧକତା ନ ଥାଏ କିମ୍ବା ଠକାମି ନ ଥାଏ। ଅର୍ଥଶାସ୍ତ୍ରର ଜନକ ଆଡାମ୍ ସ୍ମିଥ୍ଙ୍କର ସୁପରିଚିତ ସ୍ବାର୍ଥେକୖନ୍ଦ୍ରିକ ‘ଅଦୃଶ୍ୟ ହାତ’ ଦ୍ବାରା ସମାଜର ସାମଗ୍ରିକ ମଙ୍ଗଳ ସାଧିତ ହେବା ମୂଳରେ ଏହି ନିୟମ କାର୍ଯ୍ୟ କରିଥାଏ। ଯଦି ବଜାରରେ ଏହି ନିୟମ କାର୍ଯ୍ୟ କରୁନଥାନ୍ତା, ତା’ହେଲେ ବଜାରରେ ସଂଘଟିତ କାରବାରଗୁଡ଼ିକର ଫଳାଫଳ ମଙ୍ଗଳପ୍ରଦ ହୁଅନ୍ତା ନାହିଁ।
ଏକ ସରକାର କିନ୍ତୁ ଏପରି କୌଣସି ଅଲିଖିତ ନିୟମ ଦ୍ବାରା କାର୍ଯ୍ୟ କରିପାରିବ ନାହିଁ। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ସରକାର ପାଇଁ ଏହା ସମ୍ପୂର୍ଣ୍ଣ ପ୍ରଯୁଜ୍ୟ। ସରକାରଙ୍କର ଆଚରଣ ଯଦି ନିର୍ଦ୍ଦିଷ୍ଟ ଲିଖିତ ସାଂବିଧାନିକ ନିୟମ ଦ୍ବାରା ନିୟନ୍ତ୍ରିତ ନ ହୁଏ, ତେବେ ସରକାରଙ୍କର ପକ୍ଷପାତିତାମୂଳକ କାର୍ଯ୍ୟର ଫଳାଫଳ ସମାଜ ପାଇଁ ମଙ୍ଗଳପ୍ରଦ ହେବ ନାହିଁ। ଅର୍ଥାତ୍ ଏକ ‘ଅଦୃଶ୍ୟ ହାତ’ ବଜାର ଭଳି ସରକାରଙ୍କୁ ଉଚିତ ଗୁଳାରେ ପକାଇ ପାରିବ ନାହିଁ; ସେଥିପାଇଁ ଆବଶ୍ୟକ ଏକ ‘ଦୃଶ୍ୟମାନ ହାତ’, ଯାହା ହେଉଛି- ସଂବିଧାନ।
ଏହାର ଏକ ଉଦାହରଣ ସ୍ବରୂପ ଭାରତରେ ଏହି ଦୃଶ୍ୟମାନ ହାତ ଧାରା-୩୨୪ ଅନୁସାରେ ଦେଶର ପାର୍ଲିଆମେଣ୍ଟ ଉପରେ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନ୍ୟସ୍ତ କରିଥିଲା। ସଂବିଧାନର ଏହି ଧାରା ହେଉଛି ଦେଶର ନିର୍ବାଚନ ସମ୍ପର୍କିତ ସମସ୍ତ ବ୍ୟାପାରରେ ସର୍ବୋଚ୍ଚ ନିୟନ୍ତ୍ରକ ଭୂମିକା ନିର୍ବାହ କରୁଥିବା ସଂସ୍ଥା, ‘ନିର୍ବାଚନ କମିସନ’ ସମ୍ବନ୍ଧିତ। ଗଣତନ୍ତ୍ରର ମୂଳଭିତ୍ତି ହେଉଛି ନିର୍ବାଚନ। ସୁଚାରୁ ରୂପେ ନିରପେକ୍ଷ ନିର୍ବାଚନ ପରିଚାଳନା ହେଉଛି ଏକ ପ୍ରକୃତ ଗଣତନ୍ତ୍ରର ପ୍ରଧାନ ଚରିତ୍ର। ମତଦାତାଙ୍କ ତାଲିକା ପ୍ରସ୍ତୁତି ଠାରୁ ଆରମ୍ଭ କରି ଅବାଧ ନିର୍ବାଚନ ପରିଚାଳନା ପର୍ଯ୍ୟନ୍ତ ଦାୟିତ୍ବ ଓ ସେଥିପାଇଁ ଆବଶ୍ୟକ କ୍ଷମତା ନିର୍ବାଚନ କମିସନ୍ଙ୍କ ଠାରେ ନ୍ୟସ୍ତ କରାଯାଇଛି। ନିର୍ବାଚନ କମିସନ୍ର ଦାୟିତ୍ବରେ ଥାନ୍ତି ଜଣେ ମୁଖ୍ୟ ନିର୍ବାଚନ କମିସନର୍ ଓ ଦୁଇଜଣ କମିସନର୍। ଏହି ଅଧିକାରୀମାନଙ୍କ ନିଯୁକ୍ତି ତେଣୁ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ନିମିତ୍ତ ଅସୀମ ଗୁରୁତ୍ବ ବହନ କରିଥାଏ।
ସଂବିଧାନର ଧାରା-୩୨୪ରେ କୁହାଯାଇଛି ଯେ ଏମାନଙ୍କର ନିଯୁକ୍ତି ସମ୍ବନ୍ଧରେ ଭାରତର ପାର୍ଲିଆମେଣ୍ଟ ଆବଶ୍ୟକ ଆଇନ ପ୍ରଣୟନ କରିବା ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଏମାନଙ୍କୁ ନିଯୁକ୍ତ କରିବେ। ବର୍ତ୍ତମାନ ସୁପ୍ରିମ୍ କୋର୍ଟ ଏ ସମ୍ପର୍କରେ ପ୍ରଦାନ କରିଥିବା ଏକ ସଦ୍ୟ ରାୟ ପରେ ହଠାତ୍ ଯାହା ଦେଶବ୍ୟାପୀ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି, ତାହା ହେଲା, ୭୩ ବର୍ଷ ତଳେ ସଂବିଧାନ ଦେଶର ପାର୍ଲିଅାମେଣ୍ଟ ଉପରେ ଏହି ଗୁରୁ ଦାୟିତ୍ବ ନ୍ୟସ୍ତ କରିଥିଲେ ହେଁ, ପାର୍ଲିଆମେଣ୍ଟ ଏପର୍ଯ୍ୟନ୍ତ ଆବଶ୍ୟକ ଆଇନ ପ୍ରଣୟନ କରିପାରି ନାହିଁ। ଏହାର ଅର୍ଥ ପ୍ରାୟ ନିରବଚ୍ଛିନ୍ନ ନିର୍ବାଚନ ଅନୁଷ୍ଠିତ ହେଉଥିବା ପୃଥିବୀର ବୃହତ୍ତମ ଗଣତନ୍ତ୍ରରେ ଯେଉଁ ସର୍ବୋଚ୍ଚ ଅଧିକାରୀମାନେ ଏ ଦାୟିତ୍ବ ନିର୍ବାହ କରିଥାନ୍ତି, ସେମାନଙ୍କର ନିଯୁକ୍ତି କୌଣସି ଆଇନ ଦ୍ବାରା ନିୟନ୍ତ୍ରିତ ହୋଇନଥାଏ। କେନ୍ଦ୍ର ସରକାରଙ୍କ ସୁପାରିସ କ୍ରମେ ଏକ କାମଚଳା ବ୍ୟବସ୍ଥା ଭଳି ରାଷ୍ଟ୍ରପତି ଏହି ନିର୍ବାଚନ କମିସନର୍ମାନଙ୍କୁ ନିୟୁକ୍ତ କରି ଆସୁଛନ୍ତି। ବୁକାନାନ୍ କହିଥିବା ଭଳି ଏକ ସଂବିଧାନ ନିର୍ଦ୍ଦେଶିତ ନିୟମର ଅବର୍ତ୍ତମାନରେ କାର୍ଯ୍ୟ କରୁଥିବା ଏହି ବ୍ୟବସ୍ଥାର ଫଳାଫଳ ଗଣତନ୍ତ୍ରର ସ୍ବାସ୍ଥ୍ୟ ପ୍ରତି ହିତକର ହୋଇନାହିଁ। ବିରୋଧୀ ଦଳମାନେ ସର୍ବଦା ଅଭିଯୋଗ କରି ଆସିଛନ୍ତି ଯେ ସରକାରଙ୍କ କୃପାରୁ ଏହି ଉଚ୍ଚ ମର୍ଯ୍ୟାଦାଜନକ ସାଂବିଧାନିକ ପଦରେ ଅଧିଷ୍ଠିତ ହୋଇଥିବା ଅଧିକାରୀମାନେ କ୍ଷମତାସୀନ ଦଳର ଅନୁଗତ ଭାବରେ କାର୍ଯ୍ୟ କରି ଆସିଛନ୍ତି (ନିକଟରେ ଉଦ୍ଧବ ଠାକ୍ରେ ନିର୍ବାଚନ କମିସନଙ୍କୁ କେନ୍ଦ୍ର ସରକାରଙ୍କର କ୍ରୀତଦାସ ଆଖ୍ୟା ଦେବା ଦେଖାଯାଇଥିଲା)। ନିର୍ବାଚନ କମିସନ୍ ଦକ୍ଷତାର ସହିତ କାର୍ଯ୍ୟ କଲେ ମଧ୍ୟ ଏହା ତା’ର ବିଶ୍ବସନୀୟତାକୁ ଦୁର୍ବଳ କରିଥାଏ।
ଏହି ପୃଷ୍ଠଭୂମିରେ ଗତ ଗୁରୁବାର ଦିନ ସୁପ୍ରିମ୍ କୋର୍ଟର ଏକ ପାଞ୍ଚଜଣିଆ ସାଂବିଧାନିକ ବେଞ୍ଚ୍ ଯେଉଁ ସର୍ବସମ୍ମତ ରାୟ ଦେଇଛନ୍ତି, ତାହା ଏହି ବୁକାନାନ୍ ସୂଚୀତ ନିୟମଗତ ଶୂନ୍ୟସ୍ଥାନ ପୂରଣ କରିବାରେ ସହାୟକ ହେବ ବୋଲି ଆଶା କରାଯାଏ। କୋର୍ଟ କହିଛନ୍ତି ଯେ ଏଣିକି ରାଷ୍ଟ୍ରପତି ଆଉ କେବଳ କେନ୍ଦ୍ର ସରକାରଙ୍କର ସୁପାରିସ ଅନୁସାରେ ନିର୍ବାଚନ କମିସନର୍ମାନଙ୍କୁ ନିଯୁକ୍ତ ନ କରି ଏକ ତିନି ଜଣିଆ କମିଟିର ସୁପାରିସ ଅନୁସରଣ କରିବେ। ଏହି କମିଟିର ସଦସ୍ୟମାନେ ହେବେ- ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଓ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି। ସୂଚନାଯୋଗ୍ୟ ୨୦୧୫େର ‘ଲ କମିସନ୍’ ମଧ୍ୟ ଏଇଭଳି ଏକ ଚୟନ କମିଟି ଗଠନ ନିମିତ୍ତ ପ୍ରସ୍ତାବ ଦେଇଥିଲେ। ଅବଶ୍ୟ ଅଦାଲତ ତାଙ୍କର ରାୟରେ ସ୍ପଷ୍ଟ କରି ଦେଇଛନ୍ତି ଯେ ଏହା ହେଉଛି ଏକ ସାମୟିକ ବ୍ୟବସ୍ଥା, ଯାହା ପାର୍ଲିଆମେଣ୍ଟ ଏ ସମ୍ପର୍କିତ ଆଇନ ପ୍ରଣୟନ କରିବା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏହା ଯେ ଭାରତର ଗଣତାନ୍ତ୍ରିକ ପରିଚୟକୁ ପରିପୁଷ୍ଟ କରିବ, ଏଥିରେ ସନ୍ଦେହ ନାହିଁ। ସୁପ୍ରିମ୍ କୋର୍ଟ ନିଶ୍ଚିତ ରୂପେ ଏଥିପାଇଁ ଧନ୍ୟବାଦାର୍ହ ଓ ଆଶା କରାଯାଏ ଏହା ପାର୍ଲିଆମେଣ୍ଟକୁ ଏଥର ଅଥର୍ବତା ତ୍ୟାଗ କରି ନିଜର ସଂବିଧାନ ନିର୍ଦ୍ଦେଶିତ ଦାୟିତ୍ବ ପାଳନ କରି ଆବଶ୍ୟକ ଆଇନ ପ୍ରଣୟନ କରିବାକୁ ପ୍ରବୃତ୍ତ କରିବ।
ନିର୍ବାଚନ କମିସନର୍ମାନଙ୍କର ନିଯୁକ୍ତିକୁ ଆଦର୍ଶ ଶ୍ରେଣୀୟ କରିବା ପାଇଁ ସୁପ୍ରିମ୍ କୋର୍ଟଙ୍କର ଏହି ପଦକ୍ଷେପ କିନ୍ତୁ ଖୋଦ୍ ସୁପ୍ରିମ୍ କୋର୍ଟ ସମ୍ମୁଖରେ ଏକ ନୈତିକ ପ୍ରଶ୍ନ ଛିଡ଼ା କରାଇଥାଏ, ଯାହ ହେଉଛି ଆତ୍ମସମୀକ୍ଷା ମୂଳକ। ନିର୍ବାଚନ କମିସନରମାନଙ୍କର ଚୟନ ନିମିତ୍ତ ସୁପ୍ରିମ୍ କୋର୍ଟ ଯଦି ଏକ କମିଟିର ଆବଶ୍ୟକତା ଅନୁଭବ କରୁଛନ୍ତି, ତେବେ ଅନୁରୂପ ସାଂବିଧାନିକ ଗୁରୁତ୍ବ ବହନ କରୁଥିବା ସୁପ୍ରିମ୍ କୋର୍ଟର ବିଚାରପତିମାନଙ୍କ ଚୟନ ନିମିତ୍ତ ପାର୍ଲିଆମେଣ୍ଟ ଏକ ଆଇନ ପ୍ରଣୟନ ମାଧ୍ୟମରେ ଗଠନ କରିଥିବା କମିଟି ‘ଏନ୍ଜେଏସି’କୁ ସୁପ୍ରିମ୍ କୋର୍ଟ କାହିଁକି ଅସିଦ୍ଧ ଘୋଷଣା କରି କଲେଜିଅମ୍ ନାମକ ନିଜେ ନିଜକୁ ନିଯୁକ୍ତ କରିବା ବ୍ୟବସ୍ଥାକୁ ବଳବତ୍ତର ରଖିଛନ୍ତି?
ଏହା ଆମକୁ ଈଶ୍ବରଙ୍କ ଅସ୍ତିତ୍ବ ପ୍ରମାଣ କରିବା ପାଇଁ ସେଣ୍ଟ୍ ଥମାସ୍ ଆକ୍ବିନାସ୍ ତ୍ରେୟାଦଶ ଶତାବ୍ଦୀରେ ତାଙ୍କର ପ୍ରସିଦ୍ଧ ‘ସମ୍ମା ଥିଓଲଜିକା’ରେ ବ୍ୟବହାର କରିଥିବା ଏକ ଯୁକ୍ତି ମନେ ପକାଇ ଦେଇଥାଏ। ସେଥିରେ ଆକ୍ବିନାସ୍ କହିଥିଲେ ଯେ କୌଣସି ପଦାର୍ଥ ନିଜେ ନିଜକୁ ସୃଷ୍ଟି କରିପାରେ ନାହିଁ; ସେଥିପାଇଁ ଲୋଡ଼ା ଏକ ବାହ୍ୟ ଶକ୍ତି; କିନ୍ତୁ ଶେଷରେ ଏପରି ଏକ ପଦାର୍ଥ ଥାଏ ଯିଏ କୌଣସି ବାହ୍ୟ ଶକ୍ତି ଦ୍ବାରା ସୃଷ୍ଟ ହୋଇନଥାଏ। ଏହି ମୂଳ ପଦାର୍ଥ ନିଜେ ନିଜକୁ ସୃଷ୍ଟି କରିଥାଏ; ଏହି ପଦାର୍ଥ ହିଁ ହେଉଛନ୍ତି-ଈଶ୍ବର। କଲେଜିଅମ୍ ମାଧ୍ୟମରେ ବିଚାରପତିମାନେ ବିଚାରପତିମାନଙ୍କୁ ନିଯୁକ୍ତ କରିବା ଏହି ଆକ୍ବିନାସ୍ ବର୍ଣ୍ଣିତ ଈଶ୍ବର ସୁଲଭ ଆଚରଣ ଭଳି ମନେ ହୋଇନଥାଏ କି? ତେବେ ଆକ୍ବିନାସ୍ଙ୍କ ଏହି ଈଶ୍ବର-ପ୍ରମାଣରେ ଥିବା ଯେଉଁ ଏକ ମୌଳିକ ଦୁର୍ବଳତା ପ୍ରତି ସମାଲୋଚକମାନେ ଆଙ୍ଗୁଳି ନିର୍ଦ୍ଦେଶ କରିଥାନ୍ତି, ତାହା ହେଲା- ସେ ଆରମ୍ଭରେ ଘୋଷଣା କରିଛନ୍ତି ଯେ କେହି ନିଜେ ନିଜକୁ ସୃଷ୍ଟି କରିପାରିବେ ନାହିଁ- ସେ ଈଶ୍ବର ହୁଅନ୍ତୁ ନା କାହିଁକି!