ହିନ୍ଦୁ ଓ ଅଣହିନ୍ଦୁ

ପ୍ରସିଦ୍ଧ ଜର୍ମାନ୍‌ ସମାଜତତ୍ତ୍ବବିତ୍‌ ମାକ୍‌ସ ‌େୱବର୍‌ ଏକ ପୁଞ୍ଜିବାଦୀ ଅର୍ଥନୈତିକ ବ୍ୟବସ୍ଥା ସଫଳ ଭାବରେ କାର୍ଯ୍ୟ କରିବା ପାଇଁ ଧର୍ମକୁ ଯେଉଁ ଗୁରୁତ୍ବପୂର୍ଣ୍ଣ ଭୂମିକା ପ୍ରଦାନ କରିଥିଲେ, ତାହା ଏବେ ମଧ୍ୟ ବେଳେ ବେଳେ ପ୍ରତ୍ୟକ୍ଷରେ ବା ପରୋକ୍ଷରେ ଅର୍ଥନୀତିରୁ ରାଜନୀତି ପର୍ଯ୍ୟନ୍ତ ପରିସରରେ ବିତର୍କ ପାଇଁ ଖୋରାକ୍‌ ଯୋଗାଇବା ଦେଖାଯାଇଥାଏ। ଯେମିତି ପୂର୍ବତନ ରିଜର୍ଭ ବ୍ୟାଙ୍କ୍‌ ଗଭର୍ନର ରଘୁରାମ ରାଜନ୍‌ ଭ‌ାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ସମ୍ପର୍କରେ ସଦ୍ୟ ସଦ୍ୟ ପ୍ରଦାନ କରିଥିବା ଏକ ମନ୍ତବ୍ୟ ବର୍ତ୍ତମାନ ସୃଷ୍ଟି କରିଛି। ରାଜନ୍‌ କହିଛନ୍ତି ‌େଯ ଭାରତୀୟ ଅର୍ଥନୀତିର ଗତି ଦେଖି ତାଙ୍କୁ ଲାଗୁଛି ଏହା ଏବେ ବିପଜ୍ଜନକ ଭାବରେ ‘ହିନ୍ଦୁ ଅଭିବୃଦ୍ଧି ହାର’ର ନିକଟବର୍ତ୍ତୀ ହୋଇଗଲାଣି। ରାଜନ୍‌ଙ୍କର ଏହି ମନ୍ତବ୍ୟ ସହିତ ‌େୱବର୍‌ଙ୍କର ପରୋକ୍ଷ ସମ୍ପର୍କରେ ସାମାନ୍ୟ ସ୍ପଷ୍ଟୀକରଣ ବୋଧହୁଏ ଏଠାରେ ପ୍ରାସଙ୍ଗିକ ହେବ।

ୱବର୍‌ ଦୃଢ଼ ଭାବରେ ବିଶ୍ବାସ କରୁଥିଲେ ଯେ ପୁଞ୍ଜିବାଦ ଭଳି ବ୍ୟକ୍ତି ସ୍ବାଧୀନତା ଉପରେ ପ୍ରତିଷ୍ଠିତ ଏକ ଅର୍ଥନୈତିକ ବ୍ୟବସ୍ଥା (ସମ୍ପୂର୍ଣ୍ଣ ରୂପେ କେନ୍ଦ୍ରୀୟ ନିୟନ୍ତ୍ରଣାଧୀନ ସମାଜବାଦୀ ବା ସାମ୍ୟବାଦୀ ବ୍ୟବସ୍ଥାର ଠିକ୍‌ ବିପରୀତ) କେବଳ ସେଇଠି ସଫଳ ଭାବରେ କାର୍ଯ୍ୟ କରିଥାଏ, ଯେଉଁଠି ଲୋକମାନେ ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟିଆନ୍‌ କର୍ମ ସଂସ୍କୃତି ଦ୍ବାରା ପରିଚାଳିତ ହୋଇଥାନ୍ତି। ‌େୱବର୍‌ ୧୯୩୦ରେ ପ୍ରକାଶିତ ତାଙ୍କର ପୁସ୍ତକ, ‘ଦି ‌େପ୍ରାଟେଷ୍ଟାଣ୍ଟ ଏଥିକ୍‌ ଆଣ୍ଡ ଦି ସ୍ପିରିଟ୍‌ ଅଫ୍‌ କ୍ୟାପିଟାଲିଜ୍‌ମ’ (‘ପ୍ରୋଟେଷ୍ଟାଣ୍ଟ ନୈତିକ ନିୟମ ଓ ପୁଞ୍ଜିବାଦର ଜୀବାତ୍ମା’)ରେ ପ୍ରଦାନ କରିଥିବା ଯୁକ୍ତି ଅନୁସାରେ ଏହି ଧର୍ମାବଲମ୍ବୀମାନେ ସେମାନଙ୍କର ସାରାଜୀବନ କର୍ମପ୍ରତି ଉତ୍ସର୍ଗୀକୃତ ହୋଇଥାନ୍ତି ଓ ମିତବ୍ୟୟିତା ପାଳନ କରିଥାନ୍ତି (ମିତବ୍ୟୟ ସଞ୍ଚୟ ଓ ପୁଞ୍ଜିର ଉତ୍ସ ହୋଇଥାଏ)। ସେମାନେ ବିଶ୍ବାସ କରିଥାନ୍ତି ଯେ ଈଶ୍ବର ଚାହାଁନ୍ତି ସେମାନେ ସର୍ବଦା ସମୟର ସଦୁପଯୋଗ କରନ୍ତୁ। ଅବସର ବିନୋଦନ କିମ୍ବା ଉପଭୋଗ ଦ୍ବାରା ଈଶ୍ବରଙ୍କ ମହିମାରେ ଉନ୍ନତି ଘଟେ ନାହିଁ, କେବଳ କର୍ମ ମାଧ୍ୟମରେ ତାହା ସାଧିତ ହୋଇଥାଏ ବୋଲି ସେମାନେ ବିଶ୍ବାସ କରିଥାନ୍ତି। କୌଣସି ବ୍ୟକ୍ତିଠାରେ କର୍ମ କରିବାକୁ ଅନିଚ୍ଛା ପ୍ରକାଶ ପାଇବାର ଅର୍ଥ ହେଉଛି ତା’ପ୍ରତି ଈଶ୍ବରଙ୍କ କୃପାର ଅଭାବ ବୋଲି ସେମାନଙ୍କର କୌଣସି ସନ୍ଦେହ ନ ଥାଏ। ଅତଏବ ‌‌େୱବର୍‌ଙ୍କ ବିଚାରରେ ତାଙ୍କ ନିଜ ଦେଶ ଜର୍ମାନି କିମ୍ବା ବ୍ରିଟେନ୍‌ ଭଳି ଦେଶରେ ପ୍ରୋଟେଷ୍ଟାଣ୍ଟମାନେ ଜୀବନବ୍ୟାପୀ କର୍ମରେ ନିୟୋଜିତ ରହି ଉତ୍ପାଦନ କରିଥାନ୍ତି, ଆୟ ଅର୍ଜନ କରିଥାନ୍ତି, ସଞ୍ଚୟ କରିଥାନ୍ତି, ପୁଞ୍ଜି ଠୁଳ କରିଥାନ୍ତି, ନିବେଶ କରିଥାନ୍ତି … ଅର୍ଥନୀତିର ଉତ୍ତରୋତ୍ତର ଅଭିବୃଦ୍ଧି ହାସଲ କରିଥାନ୍ତି।

କେହି ଯଦି ଏଭଳି ଏକ କର୍ମ ସଂସ୍କୃତିରେ ତ୍ୟାଗ ବା ବୈରାଗ୍ୟକୁ ଖୋଜି ବସେ, ସେ ହତାଶ ହେବା ନିଶ୍ଚିତ। ସେ କିନ୍ତୁ ଯଦି ପ୍ରାଚୀନ ହିନ୍ଦୁ ଦର୍ଶନରେ ଏହାକୁ ଖୋଜେ, ତା’ର ଅନୁସନ୍ଧାନ ନିଶ୍ଚିତ ରୂପେ ଅଧିକ ସଫଳ ହେବ। ସେ ଏଥିପାଇଁ ଏଣେତେଣେ ନ ବୁଲି ଯଦି ସିଧାସଳଖ ଜାତିର ଜନକ ତଥା ଜଣେ ସଚ୍ଚା ହିନ୍ଦୁ ମହାତ୍ମା ଗାନ୍ଧୀଙ୍କ ସାହାଯ୍ୟ ନିଏ, ତେବେ ସହଜରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଯାଇ ପାରିବ। ଗାନ୍ଧୀ କହିଥିଲେ ଗୋଟିଏ ଏପରି ଉପନିଷଦୀୟ ମନ୍ତ୍ର ଅଛି ଯାହା ‘‘ସମାଜବାଦୀ, ସାମ୍ୟବାଦୀ, ଦାର୍ଶନିକ, ଅର୍ଥନୀତିଜ୍ଞ- ସମସ୍ତଙ୍କର ଅନୁସନ୍ଧିତ୍ସା ପୂରଣ କରିପାରିବ’’। ସେ ନିଜେ ୟେରାବଡ଼ା କାରାଗାରରେ ବନ୍ଦୀ ଥିବା ସମୟରେ ଏଇ ମନ୍ତ୍ରଟିକୁ ମୁଖସ୍ଥ କରିଥିଲେ ବୋଲି ଗାନ୍ଧୀ ପ୍ରକାଶ କରିଥିଲେ। ବିଭିନ୍ନ ସଭା ସମିତିରେ ସେ ପ୍ରଦାନ କରିଥିବା ଭାଷଣ ତଥା ତାଙ୍କର ବିଭିନ୍ନ ରଚନାମାନଙ୍କରେ ମହାତ୍ମା ବାରମ୍ବାର ହିନ୍ଦୁ ଧର୍ମରେ ଏହି ମନ୍ତ୍ରର ମହାତ୍ମ୍ୟର ବର୍ଣ୍ଣନା କରିଥିଲେ। ମନ୍ତ୍ରଟି ହେଉଛି ଈଶୋପନିଷଦର ସୁପରିଚିତ ପ୍ରଥମ ଶ୍ଳୋକ: ‘‘ଈଶା ବାସ୍ୟମିଦଂ ସର୍ବଂ ୟତ୍‌କିଞ୍ଚ ଜଗତ୍ୟାଂ ଜଗତ୍‌। ‌େତନ ତ୍ୟକ୍ତେନ ଭୁଞ୍ଜିଥା ମା ଗୃଧଃ କସ୍ୟସ୍ବିଦ୍‌ ଧନମ୍।।’’ ଗାନ୍ଧୀ ସର୍ବଦା କହୁଥିଲେ ଯଦି ହଠାତ୍‌ କେବେ ହିନ୍ଦୁ ଧର୍ମର ସମସ୍ତ ଶାସ୍ତ୍ର ପୁରାଣ ଜଳିପୋଡ଼ି ପାଉଁଶ ହୋଇଯାଏ କିନ୍ତୁ ଈଶୋପନିଷଦର ଏହି ପ୍ରଥମ ଶ୍ଳୋକଟି ହିନ୍ଦୁମାନଙ୍କର ସ୍ମୃତିରେ ସଂରକ୍ଷିତ ହୋଇ ରହିଯାଏ, ତେବେ ହିନ୍ଦୁ ଧର୍ମ ଚିରଦିନ ପାଇଁ ଜୀବିତ ରହିବ।

ଗାନ୍ଧୀ ନିମ୍ନମତେ ଏହି ଶ୍ଳୋକର ତର୍ଜମା କରିଥିଲେ। ସଚରାଚର ଈଶ୍ବର ବିଦ୍ୟମାନ, ଯାହା ହେଉଛି ତାଙ୍କର ହିଁ ସୃଷ୍ଟି। ତେଣୁ ତୁମେ ଉପଭୋଗ କରୁଥିବା ପ୍ରତ୍ୟେକ ଦ୍ରବ୍ୟ ହେଉଛି ଈଶ୍ବରଙ୍କ ଦାନ। ଯେହେତୁ ସେ ମଧ୍ୟ ତୁମ ପରି ଅନ୍ୟ ଅଗଣନ ସନ୍ତାନ ସନ୍ତାତିମାନଙ୍କୁ ସୃଷ୍ଟି କରିଛନ୍ତି, ତେଣୁ ତୁମେ ଅନ୍ୟ କୌଣସି ସନ୍ତାନର ପଦାର୍ଥ ଉପରେ ଅାଖି ପକାଅ ନାହିଁ। ସମସ୍ତ ପଦାର୍ଥ ଈଶ୍ବରଙ୍କ ଦ୍ବାରା ସୃଷ୍ଟି ହୋଇଥି‌ବାରୁ ତୁମେ ତୁମର ସମସ୍ତ ଈଶ୍ବରଙ୍କ ନିକଟରେ ତ୍ୟାଗ କରି ଦେବା ଉଚିତ। କେବଳ ବସ୍ତୁଗତ ସ୍ତରରେ ନୁହେଁ, ମାନସିକ ସ୍ତରରେ ମଧ୍ୟ ନିଜକୁ ଈଶ୍ବରଙ୍କ ନିକଟରେ ସମର୍ପଣ କରିଦିଅ। ତା’ପରେ ତୁମର ତ୍ୟାଗର ପୁରସ୍କାର ସ୍ବରୂପ ତୁମେ ଶରୀର ଧାରଣ କରି ବଞ୍ଚି ରହିବା ପାଇଁ ଯେତିକି ଆବଶ୍ୟକ, ଈଶ୍ବର ତୁମକୁ ତାହା ଯୋଗାଇ ଦେବେ।

କାହାରି ପାଇଁ ବୁଝିବାକୁ ବାକି ନ ଥିବ ଯେ ଏଭଳି ଏକ ବୈରାଗ୍ୟମୂଳକ କର୍ମ ସଂସ୍କୃତିରେ ପୁଞ୍ଜିବାଦୀ ବ୍ୟବସ୍ଥା ସର୍ବଦା ହାସଲ କରିବାକୁ ଲକ୍ଷ୍ୟ ରଖିଥିବା‌ ଉଚ୍ଚ ହାରରେ ଅର୍ଥନୈତିକ ଅଭିବୃଦ୍ଧି ଓ ତଜ୍ଜନିତ ପ୍ରାଚୁର୍ଯ୍ୟର ସ୍ଥାନ ନାହିଁ, ଯାହା ଏକ ‌େୱବର୍‌ ବର୍ଣ୍ଣିତ ପ୍ରୋଟେଷ୍ଟାଣ୍ଟ କର୍ମ ସଂସ୍କୃତି ସହିତ ସୁନ୍ଦର ଭାବରେ ଖାପ ଖାଇ ଯାଇଥାଏ। ୧୯୫୦ ଦଶକରୁ ୧୯୮୦ ଦଶକ ପର୍ଯ୍ୟନ୍ତ ଭାରତୀୟ ଅର୍ଥନୀତି ପ୍ରଦର୍ଶନ କରି ଆସିଥିବା ହାରାହାରି ୩.୫ ଶତାଂଶ ବାର୍ଷିକ ଅଭିବୃଦ୍ଧି ହାର ହେଉଛି ସେଇଭଳି ଏକ ମନ୍ଥର ଅଭିବୃଦ୍ଧି ହାର ଯାହାକୁ ବୋଧହୁଏ ଈଶୋପନିଷଦ ଅନୁସାରେ ମହାତ୍ମା ଗାନ୍ଧୀ ଯଥେଷ୍ଟ ବୋଲି ବିଚାର କରନ୍ତେ। ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ସ୍ବର୍ଗୀୟ ଅଥର୍ନୀତିଜ୍ଞ ରାଜକୃଷ୍ଣ ଉପରୋକ୍ତ କାଳ ଖଣ୍ଡରେ ଭାରତୀୟ ଅର୍ଥନୀତିର ସେଇ ନୀଚା ଅଭିବୃଦ୍ଧି ହାରର ନାମକରଣ କରିଥିଲେ- ‘ହିନ୍ଦୁ ରେଟ୍‌ ଅଫ୍‌ ଗ୍ରୋଥ୍‌’ (‘ହିନ୍ଦୁ ଅଭିବୃଦ୍ଧି ହାର’)। ଅବଶ୍ୟ ପ୍ରକୃତରେ ଏହାର ହିନ୍ଦୁ ଧର୍ମ ସହିତ କୌଣସି ସମ୍ପର୍କ ନ ଥିଲା; ଏହି ନୀଚା ଅଭିବୃଦ୍ଧି ହାର ଥିଲା ସେ ସମୟରେ ଭାରତ ଅନୁସରଣ କରୁଥିବା ସମାଜବାଦୀ ବ୍ୟବସ୍ଥା ଅନ୍ତର୍ଗତ ଅର୍ଥନୀତିର କଣ୍ଠରୋଧକାରୀ ସରକାରୀ ନିୟନ୍ତ୍ରଣ।

୧୯୯୦ ଦଶକରେ ଆରମ୍ଭ ହୋଇଥିବା ଉଦାରୀକରଣ ଉଦ୍ୟମ ଅର୍ଥନୀତିକୁ ବନ୍ଧନମୁକ୍ତ କରିବା ପରେ ଭାରତୀୟ ଅର୍ଥନୀତି ଏହି ହିନ୍ଦୁ ହାରକୁ ପରିତ୍ୟାଗ କରି ଏକ ଅଣହିନ୍ଦୁ ସୁଲଭ ଉଚ୍ଚ ଅଭିବୃଦ୍ଧି ହାର ହାସଲ କରିବାକୁ ଚେଷ୍ଟା କରି ଚାଲିଛି ଓ ଅନେକ ସମୟରେ ସଫଳତା ମଧ୍ୟ ହାସଲ କରିଛି। ଏହାର ଏକ ତାଜା ଉଦାହରଣ ସ୍ବରୂପ କୋଭିଡ୍‌-୧୯ ‌ପାଣ୍ଡେମିକ୍‌ ଓ ୟୁକ୍ରେନ୍‌ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ସଂକଟ ପୃଥିବୀର ସମସ୍ତ ଦେଶର ଅର୍ଥନୀତିକୁ ଧରାଶାୟୀ କରିଥିବା ବେଳେ ଭାରତ ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ବୃହତ୍‌ ଅର୍ଥନୀତି ରୂପେ ଆବିର୍ଭୂତ ହୋଇଛି। ତଥାପି ରଘୁରାମ ରାଜନ୍‌ ଭାରତ ହିନ୍ଦୁ ହାର ନିକଟବର୍ତ୍ତୀ ବୋଲି କହିବାର କାରଣ ହେଲା ଚଳିତ ବିତ୍ତ ବର୍ଷର ପ୍ରଥମ ଚଉଠରୁ ତୃତୀୟ ଚଉଠ ପର୍ଯ୍ୟନ୍ତ ଅଭିବୃଦ୍ଧି ହାରରେ ପରିଲକ୍ଷିତ ହୋଇଥିବା କ୍ରମାଗତ ହ୍ରାସ: ୧୩.୨%, ୬.୩%, ୪.୪%।

ରାଜନ୍‌ଙ୍କର ଏହି ଆଶଙ୍କାକୁ ଅମୂଳକ ଓ ପକ୍ଷପାତିତାମୂଳକ ବୋଲି ବର୍ଣ୍ଣନ‌ା କରି ‘ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ’ ଦ୍ବାରା ପ୍ରସ୍ତୁତ ‘ଇକୋରାପ୍‌’ ରିପୋର୍ଟରେ କିନ୍ତୁ ଦେଶରେ ସଞ୍ଚୟ, ପୁଞ୍ଜିନିବେଶ ଚିତ୍ର ଅନୁକୂଳ ରହିଥିବା ଦର୍ଶାଯାଇଛି। ସେଥିରେ ମଧ୍ୟ ବିଗତ ତିନି ବର୍ଷ ପାଇଁ ଦେଶର ‘ଜିଡିପି’ରେ କରାଯାଇଥିବା ଯେଉଁ ସଂଶୋଧନ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି, ତାହା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ: ୨ ଲକ୍ଷ କୋଟି ଟଙ୍କା ଅଧିକ। ଚଉଠ ରିପୋର୍ଟମାନଙ୍କୁ ଅଧିକ ଗୁରୁତ୍ବ ନ ଦେଇ ସମ୍ପୂର୍ଣ୍ଣ ଚିତ୍ର ଉପରେ ଅଧିକ ଧ୍ୟାନ ଦେବା ପାଇଁ ସେଥିରେ ଆହ୍ବାନ ଦିଆଯାଇଛି। ସମଗ୍ର ୨୦୨୩ ବିତ୍ତବର୍ଷ ପାଇଁ ଅର୍ଥନୀତିର ଅଭିବୃଦ୍ଧି ହାର ୭ ଶତାଂଶ ହେବ ବୋଲି ଅନୁମାନ କରାଯାଉଛି, ଯାହା ବେଶ୍‌ ସନ୍ତୋଷଜନକ। ‘ଆଇଏମ୍‌ଏଫ୍‌’ର କାର୍ଯ୍ୟନିର୍ବା‌ହୀ ନିର୍ଦ୍ଦେଶକ ତଥା ଭାରତ ସରକାରଙ୍କର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ ସୁବ୍ରମନିଅନ୍‌ଙ୍କ ଅନୁସାରେ ମଧ୍ୟ ଯଦି ହିସାବ ବେଳେ ଭିତ୍ତି ସଂଶୋଧନ କରା ନ ଯାଏ, ତେବେ ଏହି ହାର ହେବ ୮.୩ ଶତାଂଶ, ଯେତେବେଳେ ସାରା ପୃଥିବୀ ୨ ଶତାଂଶ ଅଭିବୃଦ୍ଧି ହାର ହାସଲ କରିବା ପାଇଁ ନାକେଦମ୍‌ ହୋଇଯାଉଛି। ଯଦି ଭାରତ ଏହି ଅଣ-ହିନ୍ଦୁ ଅଭିବୃଦ୍ଧି ହାର ହାସଲ କରିବାରେ ସଫଳ ହୁଏ ତେବେ ତାହା ରାଜନ୍‌ଙ୍କ ବୌଦ୍ଧିକ ବିଶ୍ବସନୀୟତା ପାଇଁ ନିଶ୍ଚିତ ରୂପେ ଷ୍ଟେଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ରିପୋର୍ଟରେ ଇଙ୍ଗିତ ଦିଆଯାଇ ଥିବା ଭଳି ପ୍ରଶ୍ନବାଚୀ ସୃଷ୍ଟି କରିବ।

ସମ୍ବନ୍ଧିତ ଖବର