‘‘ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ/ କର୍ମେ ଜିଏଁ ନର, କର୍ମ ଏକା ତାର ଜୀବନର ମାନଦଣ୍ଡ।’’ ଉତ୍କଳମଣି ଯଦି ତୀକ୍ଷ୍ଣ ବ୍ୟବସାୟ ବୁଦ୍ଧିର ଅଧିକାରୀ ହୋଇଥାନ୍ତେ, ସେ ତାଙ୍କର ଏହି ଅନ୍ତର୍ଦୃଷ୍ଟିକୁ ଏକ ଦୀର୍ଘ ତଥା ସୁଖୀ ଜୀବନର ଚାବିକାଠି ରୂପେ ପ୍ୟାକେଜିଙ୍ଗ୍ କରି ତାହାର ଆଧାରରେ ପ୍ରବଚନ ପ୍ରଦାନରୁ ପୁସ୍ତକ ପ୍ରକାଶନ ପର୍ଯ୍ୟନ୍ତ ପରିବ୍ୟାପ୍ତ ଏକ ବ୍ୟବସାୟ ସାମ୍ରାଜ୍ୟ ଛିଡ଼ା କରି ଦେଇପାରିଥାନ୍ତେ। ଯେମିତି ଏବେ ଦେଖିବାକୁ ମିଳିଥାଏ ଏକ ଅନୁରୂପ ଜାପାନୀ ଜୀବନ ଦର୍ଶନ ‘ଇକିଗାଇ’ ପାଇଁ। ଏହି ‘ଇକିଗାଇ’ ନିର୍ଦ୍ଦେଶିତ ଜୀବନ ଶୈଳୀର ଅନୁସରଣ ଜାପାନ୍କୁ ପୃଥିବୀର ସର୍ବାଧିକ ଶତାୟୁ ଓ ଦୀର୍ଘାୟୁମାନଙ୍କର ଦେଶରେ ପରିଣତ କରିଛି ବୋଲି ଏହାର ପ୍ରଚାରକମାନେ ଦାବି କରିଥାନ୍ତି। ଜାପାନୀ ଭାଷାରେ ‘ଇକିଗାଇ’ ଯେଉଁ ଭାବ ବହନ କରିଥାଏ, ତାହା ହେଉଛି: ‘ସର୍ବଦା କର୍ମବ୍ୟସ୍ତ ରହିବାର ଆନନ୍ଦ’। ଠିକ୍ ଗୋପବନ୍ଧୁ କହିଥିବା ଭଳି।
ଏହାର ଫଳପ୍ରଦତା ପ୍ରମାଣ କରିବା ପାଇଁ ଯେଉଁ ପରିସଂଖ୍ୟାନ ପ୍ରତି ଆମର ଦୃଷ୍ଟି ଆକର୍ଷଣ କରାଯାଇଥାଏ, ଗୋଟିଏ ଶବ୍ଦରେ କହିଲେ ତାହା ହେଉଛି- ଚମକପ୍ରଦ। ଏକ ଉଦାହରଣ ସ୍ବରୂପ ୨୦୨୦ରେ ଜାପାନ୍ରେ ପ୍ରାୟ ପ୍ରତି ଦେଢ଼ ହଜାର ଲୋକରେ ଜଣକର ବୟସ ଥିଲା ଶହେ ବର୍ଷ ବା ତହିଁରୁ ଅଧିକ! କେତେ ବର୍ଷ ତଳେ ଜାପାନୀ ଶତାୟୁମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅନୁଶୀଳନ କରାଯାଇ ଯାହା ଆବିଷ୍କାର କରାଯାଇଥିଲା, ତାହା ମଧ୍ୟ ଚମକପ୍ରଦ। ସେମାନେ କେବଳ ପୃଥିବୀର ଅନ୍ୟ ମନୁଷ୍ୟମାନଙ୍କ ଅପେକ୍ଷା ବହୁ ଅଧିକ ଲମ୍ବା ଆୟୁଷର ଅଧିକାରୀ ହୋଇଥାନ୍ତି, ତାହା ନୁହେଁ, ସେମାନଙ୍କ ଠାରେ ମଧ୍ୟ ହୃଦ୍ରୋଗ ବା କର୍କଟ ରୋଗ ଭଳି ଦୀର୍ଘସ୍ଥାୟୀ ରୋଗ ପ୍ରାୟ ଅନୁପସ୍ଥିତ ଥିବା ଦେଖାଯାଇଥାଏ। ଏହି ପରିଣତ ବୟସରେ ମଧ୍ୟ ସେମାନଙ୍କ ଠାରେ ପରିଲକ୍ଷିତ ହୋଇଥିବା ଶାରୀରିକ ସ୍ଫୁର୍ତ୍ତି ଓ ମାନସିକ ଉତ୍ସାହ ଅବିଶ୍ବସନୀୟ ସ୍ତରର ହୋଇଥାଏ।
ସେମାନଙ୍କ ରକ୍ତ ନମୁନାରେ ବହୁ କମ୍ ସଂଖ୍ୟାରେ ‘ଫ୍ରି ରାଡିକାଲ୍ସ’ ଉପସ୍ଥିତ ଥିବା ଦେଖାଯାଇଥିଲା। ଏହି ‘ଫ୍ରି ରାଡିକାଲ୍ସ’ମାନେ ଜୀବକୋଷର ବୟସ ବୃଦ୍ଧି ପାଇଁ ମୁଖ୍ୟତଃ ଦାୟୀ ହୋଇଥିବାରୁ, ଏହି ଶତାୟୁମାନଙ୍କର ବାର୍ଦ୍ଧକ୍ୟ ଆଗମନର ଗତି ଶିଥିଳ ହୋଇଥାଏ। ଅନୁଶୀଳନକାରୀମାନେ ବିଶ୍ବାସ କରନ୍ତି ଯେ ଏହି ଶତାୟୁମାନେ ଜୀବନ ସାରା ଅଧିକ ‘ଗ୍ରିନ୍ ଟି’ ବା ସବୁଜ ଚା’ ପାନ କରିଥିବାରୁ ଓ ଭୋଜନ ସମୟରେ ଉଦର ସମ୍ପୂର୍ଣ୍ଣ ଭର୍ତ୍ତି ନ କରି ପ୍ରାୟ ଏକ-ଚତୁର୍ଥାଂଶ ଖାଲି ରଖୁଥିବାରୁ ସେମାନଙ୍କର ରକ୍ତରେ ‘ଫ୍ରି ରାଡିକାଲ୍ସ’ ସ୍ତର ଏପରି ନୀଚା ରହିଥାଏ। ବହୁ ଉତ୍ତର ବୟସ ପର୍ଯ୍ୟନ୍ତ ଏମାନଙ୍କର ଯୌନ ହର୍ମୋନ୍ ସ୍ତର ଉଚ୍ଚା ରହିଥାଏ ଓ ମହିଳାମାନେ ବହୁତ କମ୍ ଋତୁସ୍ରାବ ଅନ୍ତ ଜନିତ ଅସୁବିଧା ଭୋଗ କରିଥାନ୍ତି। ଏମାନଙ୍କ ଠାରେ ସ୍ମୃତି ଶକ୍ତି ହ୍ରାସକାରୀ ବ୍ୟାଧିର ଉପସ୍ଥିତି ନଗଣ୍ୟ ହୋଇଥାଏ। ‘ଇକିଗାଇ’ ଅବଶ୍ୟ ହେଉଛି ଉପରେ ଉଲ୍ଲେଖ କରାଯାଇଥିବା ସଂଜ୍ଞା ଠାରୁ ଏକ ଅଧିକ ବ୍ୟାପକ ଧାରଣା; ଏଥିରେ ଖାଦ୍ୟାଭ୍ୟାସ ଠାରୁ ସାମାଜିକ ଜୀବନ ଶୈଳୀ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ଥାଏ। ଅନୁଶୀଳନକାରୀମାନଙ୍କର ହୃଦ୍ବୋଧ ହୋଇଥିଲା ଯେ ଜାପାନୀ ମାନଙ୍କର ଦୀର୍ଘ ସୁସ୍ଥ ଜୀବନର କାରଣ ଯାହା ହୋଇଥାଉ ନା କାହିଁକି, ‘ଇକିଗାଇ’ ସେଥିରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥାଏ।
ଏଥିରୁ ଉପଲବ୍ଧ ହେଉଥିବା ଗୋଟିଏ ସିଦ୍ଧାନ୍ତ ସହିତ କେହି ନିଶ୍ଚିତ ରୂପେ ଦ୍ବିମତ ହେବେ ନାହିଁ ଯେ ଜାପାନ୍ ହେଉଛି ଜୀବନ ପାଇଁ ସର୍ବାଧିକ ଅନୁକୂଳ ପୃଥିବୀର ଏକ ଦେଶ ବା ସମାଜ। ଏଭଳି ଏକ ଅନୁକୂଳ ପରିବେଶରେ ସ୍ବାଭାବିକ ଭାବରେ ଯାହା ଆଶା କରାଯାଏ, ତାହା ହେଲା ଦେଶଟିର ଲୋକସଂଖ୍ୟାରେ ନିରନ୍ତର ଦ୍ରୁତ ବୃଦ୍ଧି ଘଟି ଚାଲିବ। ଠିକ୍ ଯେପରି ଉର୍ବର ଭୂମି ଶସ୍ୟ ଶ୍ୟାମଳ ହୋଇ ଯାଇଥାଏ। କିନ୍ତୁ ଆମର ସାଧାରଣ ଜ୍ଞାନକୁ ଭୁଲ୍ ସାବ୍ୟସ୍ତ କରି ଜାପାନ୍ ତା’ର ଯେଉଁ ଜନସଂଖ୍ୟା ଚିତ୍ର ପ୍ରଦାନ କରି ଚାଲିଛି, ତାହା ହେଉଛି ଉପରୋକ୍ତ ଯୁକ୍ତିଯୁକ୍ତ ଅନୁମାନର ସମ୍ପୂର୍ଣ୍ଣ ବିପରୀତ। ଏହି ବିପରୀତ ଚିତ୍ର କିଭଳି ଭୟଙ୍କର, ସେ ସମ୍ବନ୍ଧରେ ପୃଥିବୀବାସୀ ହଠାତ୍ ସଚେତନ ହେବା ଦେଖାଯାଇଥିଲା ଗତ ସପ୍ତାହରେ ଯେତେବେଳେ ଜାପାନ୍ର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏକ ସତର୍କ ବାଣୀ ଘୋଷଣା କରିଥିଲେ ଯେ ଧରାପୃଷ୍ଠରୁ ଜାପାନ୍ ନିଶ୍ଚିହ୍ନ ହେବା ହେଉଛି ଆସନ୍ନ- ଯଦି ଜାପାନୀମାନଙ୍କର କ୍ରମ ହ୍ରାସମାନ ଜନ୍ମହାରରେ ବୃଦ୍ଧି ନ ଘଟେ।
ସେ ଏପରି ଆଶଙ୍କା ପ୍ରକାଶ କରିବା ପଛରେ ନିହିତ ଥିବା ତାତ୍କାଳିକ କାରଣ ହେଉଛି ଏକ ସଦ୍ୟ ପ୍ରକାଶିତ ସୂଚନା ଯେ ଗତ ବର୍ଷ ଜାପାନ୍ରେ ଜନ୍ମ ଲାଭ କରିଥିବା ମୋଟ ଶିଶୁ ସଂଖ୍ୟା ହେଉଛି ଲିପିବଦ୍ଧ ଇତିହାସରେ ସର୍ବନିମ୍ନ। ଏହି ସଂଖ୍ୟା ଥିଲା ୮ ଲକ୍ଷରୁ କମ୍ ଯାହା ୨୦୨୧ର ସଂଖ୍ୟା ଠାରୁ ୫.୧ ଶତାଂଶ ସ୍ଖଳନ ସୂଚାଇଥାଏ। ସନ୍ତାନ ଜନ୍ମ ସଂଖ୍ୟାରେ ଏହି ହ୍ରାସ ଜାପାନ୍କୁ ପୃଥିବୀର ନ୍ୟୂନତମ ସନ୍ତାନ ଉତ୍ପାଦନ ହାର ବିଶିଷ୍ଟ ଦେଶରେ ପରିଣତ କରିଛି, ଯାହା ହେଉଛି ମାତ୍ର ୧.୩। ଏହାର ତାତ୍ପର୍ଯ୍ୟ ହେଉଛି ଜଣେ ଜାପାନୀ ନାରୀ ତା’ର ଜୀବନ କାଳ ମଧ୍ୟରେ ହାରହାରି ୧.୩ଟି ସନ୍ତାନଙ୍କୁ ଜନ୍ମ ଦେଇଥାଏ। ଏକ ଦେଶର ଜନସଂଖ୍ୟାରେ କୌଣସି ହ୍ରାସ ବୃଦ୍ଧି ନ ଘଟି ସ୍ଥିର ରହିବା ପାଇଁ ଆବଶ୍ୟକ ସନ୍ତାନ ଉତ୍ପାଦନ ହାର ବା ‘ଫର୍ଟିଲିଟି ରେଟ୍’ ହେଉଛି ୨.୧। ଯଦି ଜାପାନ୍ରେ ଏହି ‘ଫର୍ଟିଲିଟି ରେଟ୍’ରେ ବୃଦ୍ଧି ଘଟି ଏହି ସୀମା ଅତିକ୍ରମ ନ କରେ, ତେବେ ଜାପାନ୍ର ଜନସଂଖ୍ୟା ହ୍ରାସ ପାଇ ଚାଲି ଶେଷରେ ଉଭାନ୍ ହୋଇଯିବ, ଯାହା ପ୍ରଧାନମନ୍ତ୍ରୀ କିସିଦା କହିଛନ୍ତି। ଏହା ଅନିବାର୍ଯ୍ୟ ହେବ, କାରଣ ଏବେ ଜାପାନ୍ରେ ପ୍ରତିବର୍ଷ ଘଟୁଥିବା ଜନ୍ମ ସଂଖ୍ୟାଠାରୁ ମୃତ୍ୟୁ ସଂଖ୍ୟା ହେଉଛି ପ୍ରାୟ ୪,୦୦,୦୦୦ ଅଧିକ। ୧୯୮୦ ଦଶକ ଠାରୁ ସେ ଦେଶର ଜନସଂଖ୍ୟାରେ ନିମ୍ନମୁଖୀ ଧାରା ଦେଖା ଦେଇ ୨୦୦୮ରେ ୧୨.୮ କୋଟି ଓ ୨୦୨୧ରେ ୧୨.୫ କୋଟିରେ ପହଞ୍ଚିଥିବା ବେଳେ ୨୦୬୫ରେ ତାହା ୮.୮ କୋଟିକୁ ଖସିଯିବ ବୋଲି ଅନୁମାନ କରାଯାଉଛି।
କିନ୍ତୁ ଏକ ବିରୋଧାଭାସ ଭଳି ଏଥିସହିତ ‘ଇକିଗାଇ’ ଭଳି ଉପାଦାନମାନଙ୍କର ଅବଦାନରୁ ଜୀବୀତ ଜାପାନୀମାନଙ୍କର ହାରାହାରି ଆୟୁଷରେ ବୃଦ୍ଧି ଘଟି ଚାଲିଛି, ଯାହା ହେଉଛି ବର୍ତ୍ତମାନ ପୃଥିବୀରେ ସର୍ବୋଚ୍ଚ- ୮୪ ବର୍ଷ। ସେ ଦେଶର ଜନସଂଖ୍ୟାର ପ୍ରାୟ ୩୦ ଶତାଂଶଙ୍କର ବୟସ ହେଉଛି ୬୫ ବର୍ଷରୁ ଅଧିକ, ଯାହା ଜର୍ମାନୀରେ ହେଉଛି ୨୧ ଶତାଂଶ, ଅାମେରିକାରେ ୧୫ ଶତାଂଶ, ଭାରତରେ ମାତ୍ର ୬ ଶତାଂଶ। ‘ଦୀର୍ଘାୟୁ ଭବଃ’ ଏକ ଆଶୀର୍ବାଦ ସତ, କିନ୍ତୁ ଦୀର୍ଘାୟୁମାନଙ୍କର ସଂଖ୍ୟା ବୃଦ୍ଧି ପାଇ ଚାଲିଲେ ନୂତନ ସମସ୍ୟା ମାନ ସୃଷ୍ଟି ହୁଏ। ଯେମିତି, ତୀବ୍ର ଶ୍ରମିକ ଅଭାବ। ବର୍ତ୍ତମାନ ସେ ଦେଶରେ ପ୍ରାୟ ପ୍ରତି ଦୁଇଟି ଖାଲି ସ୍ଥାନ ପୂରଣ ପାଇଁ ମାତ୍ର ଜଣେ ନିଯୁକ୍ତି ପ୍ରାର୍ଥୀ ଉପଲବ୍ଧ ଅଛନ୍ତି। ଦେଶରେ ଅବସରପ୍ରାପ୍ତ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ କାର୍ଯ୍ୟକ୍ଷମ ଉତ୍ପାଦନଶୀଳ ଜନସଂଖ୍ୟାରେ ହ୍ରାସ ଘଟି ଚାଲିଛି, ଯେଉଁମାନେ ଏହି ଅନୁତ୍ପାଦନଶୀଳ ବୟୋବୃଦ୍ଧ ଜନସଂଖ୍ୟାର ବୋଝ ବହନ କରିଥାନ୍ତି। ଏହାର ଏକ ସାମୟିକ ସମାଧାନ ନିମିତ୍ତ ଅବସର ଗ୍ରହଣ ବୟସ ସୀମାରେ ବୃଦ୍ଧି, ମହିଳାମାନଙ୍କୁ ନିଯୁକ୍ତି ଗ୍ରହଣ ପାଇଁ ପ୍ରୋତ୍ସାହନ ପ୍ରଦାନ, ବାହ୍ୟ ଶ୍ରମିକ ପ୍ରବେଶକୁ ଅନୁମତି ପ୍ରଦାନ ଭଳି ପଦକ୍ଷେପମାନ ନିଆଯିବାରେ ଲାଗିଛି।
କିନ୍ତୁ ଏହାର ଅନ୍ତିମ ସମାଧାନ ନିହିତ ଅଛି ଜାପାନୀ ରମଣୀମାନଙ୍କର ଗର୍ଭାଶୟରେ। ଅଷ୍ଟାଦଶ ଶତାବ୍ଦୀରେ ଅର୍ଥନୀତିଜ୍ଞ ମାଲ୍ଥସ୍ ଭବିଷ୍ୟବାଣୀ କରିଥିଲେ ଯେ ମାନବ ଜାତିର ବିଲୟ ଆସନ୍ନ କାରଣ ଜନସଂଖ୍ୟା ବୃଦ୍ଧି ହାର ଖାଦ୍ୟ ଯୋଗାଣରେ ବୃଦ୍ଧି ହାର ଠାରୁ ବହୁଗୁଣ ଅଧିକ ହୋଇଥାଏ। ବର୍ତ୍ତମାନ କିନ୍ତୁ ଜାପାନୀ ଜାତିର ବିଲୟ ଆସନ୍ନ କାରଣ ସେମାନେ ମାଲ୍ଥସ୍ଙ୍କ ନିୟମକୁ ସମ୍ପୂର୍ଣ୍ଣ ଓଲଟାଇ ଦେଇଛନ୍ତି: ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୀତିରେ ଖାଦ୍ୟ ଯୋଗାଣରେ ଅଭାବ ନାହିଁ କିନ୍ତୁ ତାହାକୁ ଖାଇବାକୁ ଲୋକ ନାହାନ୍ତି। ଜାପାନୀ ନାରୀମାନଙ୍କୁ ସନ୍ତାନ ଜନ୍ମ ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଓ ସହାୟତା ପ୍ରଦାନ ଯୋଜନାମାନ ପରିକଳ୍ପନା ତଥା କାର୍ଯ୍ୟକାରୀ କରିବାରେ ଲାଗିଛନ୍ତି। କିନ୍ତୁ ଏସବୁ ଦ୍ବାରା ଘୋଡ଼ାକୁ ସିନା ପୋଖରୀ କୂଳକୁ ନିଅାଯାଇପାରିବ, ହେଲେ ତା’ର ଯଦି ଶୋଷ ନଥାଏ, ତାକୁ ପାଣି ପିଆଇବା ସମ୍ଭବ ହେବ ନାହିଁ; ସେ ପୋଖରୀ ଯେତେ ସୁନ୍ଦର କିମ୍ବା ତା’ର ଜଳ ଯେତେ ମଧୁର ହୋଇଥାଉ ନା କାହିଁକି!