ମାର୍ଜାର କଳି!

ସ˚ପ୍ରତି ଚୀନ ପ୍ରାରମ୍ଭ କରିଥିବା ଯେଉଁ ଉଦ୍ୟମଟି ଯୁକ୍ତରାଷ୍ଟ୍ର ଆମେରିକା ଠାରେ ତୀବ୍ର ଗାତ୍ରଦାହ ସୃଷ୍ଟି କରିଥିବ, ତାହା ହେଉଛି ପୃଥିବୀରେ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ‘ଜି.ଏସ୍‌.ଆଇ.’ ବା ‘ଗ୍ଲୋବାଲ୍‌ ସିକ୍ୟୁରିଟି ଇନିସିଏଟିଭ୍‌’ ଅର୍ଥାତ୍‌ ‘ବିଶ୍ବ ସୁରକ୍ଷା ଉଦ୍ୟମ’ର ପରିକଳ୍ପନା। ପ୍ରକାଶ ଥାଉ କି ଅନେକ ବିଶେଷଜ୍ଞ ଏହାକୁ ଆମେରିକା ସହିତ ଚୀନର ‘ବୈଚାରିକ ଯୁଦ୍ଧ’ ବା ‘ଵାର‌୍‌ ଅଫ୍‌ ଆଇଡିଆଜ୍‌’ ରୂପେ ଦେଖିଥାଆନ୍ତି; ସେମାନଙ୍କ ମତରେ ଯାହା ହେଉଛି ଚୀନ ଓ ଆମେରିକା ମଧୢରେ ଚାଲି ଆସିଥିବା ସ˚ଘାତର କ୍ରମରେ ତୃତୀୟ ପର୍ଯ୍ୟାୟ, ଯେଉଁଥିରେ ପ୍ରଥମ ଦୁଇଟି ପର୍ଯ୍ୟାୟ ଥିଲେ ‘ବ୍ୟାପାରଗତ ଯୁଦ୍ଧ’ ବା ‘ଟ୍ରେଡ୍‌ ଵାର‌୍‌’ ଏବ˚ ‘ପ୍ରଯୁକ୍ତିଗତ ଯୁଦ୍ଧ’ ବା ‘ଟେକ୍‌ ଵାର‌୍‌’। ତେବେ ମହତ୍ତ୍ବପୂର୍ଣ୍ଣ ବିଷୟ ହେଲା ଅନ୍ୟ ଦୁଇଟି ପର୍ଯ୍ୟାୟ ତୁଳନାରେ ତୃତୀୟ ପର୍ଯ୍ୟାୟର ଏହିି ସ˚ଘାତ ପୃଥିବୀ ଉପରେ ଯୁକ୍ତରାଷ୍ଟ୍ର ଆମେରିକାର କର୍ତ୍ତୃତ୍ବ ପ୍ରତି ଏକ ସ୍ପଷ୍ଟତର ଓ ଅଧିକ ସିଧାସଳଖ ଆହ୍ବାନ ରୂପେ ଆବିର୍ଭୂତ ହେଲାଣି।

ପ୍ରକାଶ ଥାଉ କି ‘ଜି.ଏସ୍‌.ଆଇ.’ର ମୂଳ ବିଚାର ହେଉଛି ପାରସ୍ପରିକ ବୈରୀ ପୋଷଣ କରୁଥିବା ରାଷ୍ଟ୍ରଗୁଡ଼ିକ ମଧୢରେ ସଦ୍‌ଭାବ ପ୍ରତିଷ୍ଠାର ପ୍ରୟାସ; ଯେଉଁ ଭୂମିକାରେ ପାର˚ପରିକ ଭାବେ ଏ ଯାବତ୍‌ ଯୁକ୍ତରାଷ୍ଟ୍ର ଆମେରିକା ହିଁ ଦୃଶ୍ୟମାନ ହୋଇ ଆସିଛି। ଏହି ପରିପ୍ରେକ୍ଷୀରେ ଚୀନର ଉଦ୍ୟମ ଆମେରିକା ଠାରୁ କିଭଳି ସ˚ପୂର୍ଣ୍ଣ ରୂପେ ଭିନ୍ନ, ତାହା ଚୀନ ଦ୍ବାରା ପ୍ରସ୍ତୁତ ‘ଜି.ଏସ୍‌.ଆଇ.’ର ପରିଚୟ ପ୍ରଦାନକାରୀ ଶ୍ବେତ ପତ୍ରରେ ବିଶଦ ଭାବେ ଉଲ୍ଲିଖିତ। ସେଥିରେ ଅଛି କିଭଳି ରାଷ୍ଟ୍ରଗୁଡ଼ିକ ମଧୢରେ ଥିବା ମନୋମାଳିନ୍ୟର ମୂଳ କାରଣଗୁଡ଼ିକୁ ଦୂର କରିବାର ଏହି ପ୍ରୟାସରେ ଚୀନ ଏକ ନିଷ୍ପକ୍ଷ, ନିରାସକ୍ତ ଏପରିକି ଅଦୃଶ୍ୟ ମଧୢସ୍ଥି ଭୂମିକାରେ ଅବତୀର୍ଣ୍ଣ ହେବ, ଯେତେବେଳେ କି ଆମେରିକା ପ୍ରାୟୋଜିତ ଶାନ୍ତି ପ୍ରତିଷ୍ଠାର ଉଦ୍ୟମଗୁଡ଼ିକରେ ସର୍ବଦା ଆମେରିକାକୁ କୌଣସି ନା କୌଣସି ରାଷ୍ଟ୍ରର ପକ୍ଷଭୁକ୍ତ ହୋଇଥିବା ଦେଖିବାକୁ ମିଳିଛି। ସେହିଭଳି କେବଳ ଗଣତନ୍ତ୍ରର ସ୍ତୁତି ଗାନ କରୁଥିବା ଆମେରିକା ଦ୍ବାରା ଅନ୍ୟାନ୍ୟ ଶାସନ ପଦ୍ଧତିକୁ ଅସମ୍ମାନ ଏପରିକି ଅସ୍ବୀକାର କରିବାର ବହପ ତଥା ପୃଥିବୀକୁ ଆମେରିକୀୟ ଧାରଣା ଆଧାରିତ ଗଣତନ୍ତ୍ରର ଅଧୀନସ୍ଥ କରିବାର ମନୋଭାବ ପ୍ରାୟତଃ ଶାନ୍ତି ପ୍ରତିଷ୍ଠା କରିବା ପରିବର୍ତ୍ତେ ତହିଁରେ ବ୍ୟାଘାତ ହିଁ ସୃଷ୍ଟି କରିଥାଏ; ଯାହାର ଦୃଷ୍ଟାନ୍ତ ସ୍ବରୂପ କ୍ୟୁବା, ଭିଏତ୍‌ନାମ, କୋରିିଆ, ଆଫଗାନିସ୍ତାନ ଏବ˚ ମଧୢ-ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ ଆମେରିକାର ହସ୍ତକ୍ଷେପଜନିତ ସୃଷ୍ଟ ଜଟିଳତାକୁ ଦେଖାଯାଇପାରେ। ସେହିଭଳି ଆମେରିକା ଦ୍ବାରା ଜାରି କରାଯାଉଥିବା ଏକଚାଟିଆ ବାସନ୍ଦ ବ୍ୟବସ୍ଥାକୁ ମଧୢ ‘ଜି.ଏସ୍‌.ଆଇ.’ ବିରୋଧ କରିଥାଏ। ସୁତରା˚, ଚୀନର କହିବା ମୁତାବକ ‘ଜି.ଏସ୍‌.ଆଇ.’ ହେଉଛି ଉଚ୍ଚ ନୈତିକାଦର୍ଶ ସମ୍ବଳିତ ଶାନ୍ତି ସ୍ଥାପନର ଏଭଳି ଏକ ତତ୍ତ୍ବ, ଯାହା ଆମେରିକା କଦାଚିତ୍‌ ଅନୁସରଣ କରିନାହିଁ।

କହିବା ଅନାବଶ୍ୟକ ଯେ ଚୀନ ଦ୍ବାରା ସୃଷ୍ଟ ଏହି ବ୍ୟାଖ୍ୟାନ ବିଶ୍ବାସଯୋଗ୍ୟ ଭଳି ମଧୢ ମନେ ହୋଇପାରେ। ଏହାର କାରଣ ୧୯୫୦ ମସିହାର କୋରିଆ ଯୁଦ୍ଧରେ ଉତ୍ତର-କୋରିଆକୁ ସହାୟତା ପ୍ରଦାନ କରିବାରେ ଚୀନର ପ୍ରତ୍ୟକ୍ଷ ସ˚ପୃକ୍ତି ବ୍ୟତିରେକ ଅନ୍ୟ କୌଣସି ଦୃଷ୍ଟାନ୍ତରେ ଚୀନକୁ ଏଭଳି ସ୍ଥିତିରେ ଦେଖିବାକୁ ମିଳିନାହିଁ, ଯେତେବେଳେ କି ଯୁକ୍ତରାଷ୍ଟ୍ର ଆମେରିକା କୌଣସି ନା କୌଣସି ପକ୍ଷକୁ ସୈନ୍ୟ ବଳ ବା ଅସ୍ତ୍ରଶସ୍ତ୍ର ଯୋଗାଣ କରୁଥିବାର ସନ୍ଦିଗ୍‌ଧ ଭୂମିକାରେ ଆବିର୍ଭୂତ ହୋଇଥାଏ; ଯେମିତି ସ˚ପ୍ରତି ରୁଷିଆ-ୟୁକ୍ରେନ ଯୁଦ୍ଧରେ ଆମେରିକା ନେତୃତ୍ବରେ ‘ନାଟୋ’ ପକ୍ଷରୁ ୟୁକ୍ରେନକୁ ବିପୁଳ ଅସ୍ତ୍ରଶସ୍ତ୍ର ଉପଲବ୍‌ଧ କରାଇ ଦିଆଯାଉଥିବା ବେଳେ ରୁଷିଆର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ମିତ୍ର ରାଷ୍ଟ୍ର ଭାବେ ପରିଚିତ ଚୀନ ଏ ଯାବତ୍‌ ରୁଷିଆକୁ କୌଣସି ପ୍ରତ୍ୟକ୍ଷ ସାମରିକ ସହାୟତା ପ୍ରଦାନ କରିନାହିଁ। ସେହି ଦୃଷ୍ଟିରୁ ଏଭଳି ଆରୋପରେ ଆମେରିକା ସହସା ନିରୁତ୍ତର ହୋଇ ପଡ଼ିବା ଖୁବ୍‌ ସ୍ବାଭାବିକ ଭଳି ମନେ ହୋଇଥାଏ।

ତେବେ, ଏହା ମଧ୍ୟ ସତ ଯେ ‘ଜି.ଏସ୍‌.ଆଇ.’କୁ ନେଇ ଆମେରିକାର ଉଦ୍‌ବେଗ ହଠାତ୍‌ ବୃଦ୍ଧି ପାଆନ୍ତା ନାହିଁ, ଯଦି ଏହି ଚୀନୀୟ ଉଦ୍ୟମ ବୈଚାରିକ ସ୍ତରକୁ ଅତିକ୍ରମ କରି ବାସ୍ତବ ରୂପ ନେବା ଆରମ୍ଭ କରି ନ ଥାଆନ୍ତା! ସୁତରା˚, ଚୀନର ଉଦ୍ୟମରେ ସାଉଦି ଆରବ ଏବ˚ ଇରାନ ଭଳି ଦୁଇ ପାର˚ପରିକ ଶତ୍ରୁ ମନୋଭାବାପନ୍ନ ରାଷ୍ଟ୍ର ମଧୢରେ ସଦ୍‌ଭାବ ପ୍ରତିଷ୍ଠାର ଦ୍ବାର ଖୋଲିବାକୁ ଆରମ୍ଭ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହାର ବଡ଼ କାରଣ ହେଲା ସାଉଦି ଆରବ ହେଉଛି ଆମେରିକାର ଏକ ପୁରୁଣା ମିତ୍ର ରାଷ୍ଟ୍ର ଏବ˚ ଇରାନ ତୀବ୍ର ଆମେରିକା ବିରୋଧୀ ରୂପେ ଜଣାଶୁଣା। ଏଭଳି ସ୍ଥଳେ ଆମେରିକାର ଛାୟାରୁ ବାହାରି ଯାଇ ସାଉଦି ଆରବ ସହସା ଚୀନର ପ୍ରଭାବାଧୀନ ହୋଇ ପଡ଼ିବା ନିଶ୍ଚିତ ରୂପେ ଆମେରିକାକୁ ବ୍ୟଥିତ ଏପରିକି ବ୍ୟତିବ୍ୟସ୍ତ କରିଥିବ। କିନ୍ତୁ ଏକ ପରିବର୍ତ୍ତିତ ବାସ୍ତବତା ହେଲା, ଏକଦା ସାଉଦି ଆରବର ବୃହତ୍ତମ ବ୍ୟାବସାୟିକ ଅ˚ଶୀଦାର ଆମେରିକା ବର୍ତ୍ତମାନ ଚୀନ ଦ୍ବାରା ସେହି ସ୍ଥାନରୁ ବିସ୍ଥାପିତ ହୋଇସାରିଛି ଏବଂ ଏହି କ୍ରମରେ ସାଉଦି ଆରବ ସମ୍ଭବତଃ ଚୀନ ଠାରେ ଏକ ନିବିଡ଼ ବନ୍ଧୁକୁ ଖୋଜି ପାଇଛି!

ସେହିଭଳି ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆଗାମୀ ରୁଷିଆ ଗସ୍ତ ଏବ˚ ତା’ ପରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲୋଡିମିର ଜେଲନ୍‌ସ୍କିଙ୍କ ସହିତ ଏକ ‘ଭର୍ଚ୍ୟୁଆଲ’ ସାକ୍ଷାତାଳାପର ସମ୍ଭାବନା ମଧୢ ସ˚କେତ ପ୍ରଦାନ କରିଥାଏ ଯେ ହୁଏ’ତ ରୁଷିଆ-ୟୁକ୍ରେନ ମଧୢରେ ଏକ ଯୁଦ୍ଧ ବିରତି ଚୀନର ପ୍ରଭାବ ବଳରେ ସମ୍ଭବ ହୋଇପାରେ। ସେହିଭଳି ଆମେରିକାର ଅନ୍ୟ ଏକ ଘନିଷ୍ଠ ମିତ୍ର ଇସ୍ରାଏଲ୍‌ ଇତିମଧୢରେ ଚୀନ ସହିତ ମଧୢ ଅନ୍ତରଙ୍ଗତା ବୃଦ୍ଧି କରିଛି, ଯାହାର ସୁଯୋଗ ନେଇ ଦୁଇ ତୀବ୍ର ବିରୋଧୀ ରାଷ୍ଟ୍ର ଇସ୍ରାଏଲ୍‌ ଏବ˚ ଇରାନ ମଧୢରେ ସୌହାର୍ଦ୍ଦ୍ୟ ସ୍ଥାପନ କରାଇବା ସକାଶେ ଚୀନ ତତ୍ପର ହୋଇ ରହିଛି। ଯଦିଓ, ଏହା ସତ ଯେ କେତେକ ଗଣତନ୍ତ୍ର ତଥା ଉନ୍ନତ ଏସୀୟ ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସର୍ବଦା ଆମେରିକାର ସମର୍ଥକ ଓ ବାରାନ୍ତରେ ତା’ର ପ୍ରଭାବାଧୀନ ହୋଇ ରହିବେ, ତଥାପି ଏହା ମଧ୍ୟ ଖୁବ୍‌ ସମ୍ଭବ ଯେ କେତେକ ସ୍ବଳ୍ପୋନ୍ନତ ୟୁରୋପୀୟ ରାଷ୍ଟ୍ର ଏବ˚ କିଛି ଏସୀୟ ତଥା ଆଫ୍ରିକୀୟ ରାଷ୍ଟ୍ରଙ୍କୁ ଧାରଣ କରିଥିବା ପୃଥିବୀର ଏକ ବିଶାଳ ଖଣ୍ତକୁ ଚୀନ ପ୍ରଭାବିତ କରିବାରେ ସମର୍ଥ ହୋଇ ଆମେରିକାକୁ ପୃଥିବୀର ଏକକ ତ୍ରାଣକର୍ତ୍ତାର ଆସନରୁ ଅଗତ୍ୟା ସ୍ଥାନଚ୍ୟୁତ କରିବ। ଏହା ହିଁ ଆମେରିକାକୁ ଖୁବ୍‌ ଅଧିକ ବିବ୍ରତ କରୁଥିବ!

ତେବେ, ଏ ସବୁ ସତ୍ତ୍ବେ ଯାହା ଏକ ତିକ୍ତ ବାସ୍ତବତା, ତାହା ହେଲା ଚୀନ ସ୍ବୟ˚ ଏକ ଦୁରଭିସନ୍ଧିସ˚ପନ୍ନ ସାମ୍ରାଜ୍ୟବାଦୀ, ଯୁଦ୍ଧଖୋର ଏବ˚ ଆକ୍ରମଣାତ୍ମକ ରାଷ୍ଟ୍ର ରୂପେ ପରିଚିତି ଲାଭ କରି ସାରିଛି। ସୁତରା˚, ଯୁକ୍ତରାଷ୍ଟ୍ର ଆମେରିକାକୁ ଏକ ଶାନ୍ତିକାମୀ ‘ବିରାଡ଼ି ବୈଷ୍ଣବ’ ରୂପରେ ଚିତ୍ରଣ କରିବାକୁ ପ୍ରଚେଷ୍ଟାରତ ଚୀନ ଯେ ସ୍ବୟ˚ ସେହି କିସମର ଏଥିରେ ଦ୍ବିରୁକ୍ତି ନାହିଁ। ଭାରତ ବା ତାଇଵାନ ବା ଜାପାନ ପ୍ରତି ଚୀନର ସାମ୍ରାଜ୍ୟବାଦୀ ଆଭିମୁଖ୍ୟ ଅଥବା ଅନେକ ଏସୀୟ ଓ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିିକୁ ଋଣ-ଯନ୍ତାରେ ଛନ୍ଦି ଆର୍ଥିକ ରୂପେ ଶୋଷଣ କରିବାର ତା’ର ଜାନ୍ତବ ଫନ୍ଦିକୁ ସୁବିଧାବାଦୀ ଲୋଭୀ ମାର୍ଜାର ସୁଲଭ ବୋଲି ମଧ୍ୟ କୁହାଯାଇପାରେ। ସୁତରାଂ, ଚୀନ ମଧୢ ଏକ ଶାନ୍ତିକାମୀ ‘ବିରାଡ଼ି ବୈଷ୍ଣବ’ ରୂପରେ ଆବିର୍ଭୂତ। ତେଣୁ, ମୂଳ କଥା ହେଲା ଶାନ୍ତି ପ୍ରତିଷ୍ଠାର ଉଦ୍ୟମ ନାମରେ ଦୁଇ ବିରାଡ଼ ବୈଷ୍ଣବଙ୍କ ପ୍ରତିଦ୍ବନ୍ଦ୍ବିତା ଅଚିରେ ଏକ ଘୋର ମାର୍ଜାର କଳିକୁ ଜନ୍ମ ଦେଇପାରେ, ଯାହା ନିଃସନ୍ଦେହରେ ପୃଥିବୀକୁ ଅଧିକ ଅଶାନ୍ତ କରି ପକାଇବ!

ସମ୍ବନ୍ଧିତ ଖବର