ଶେଷ ଘଣ୍ଟି

ଏକ ଜାହାଜ ବୁଡ଼ିଯିବା ପୂର୍ବରୁ ଯାତ୍ରୀମାନଙ୍କର ଉଦ୍ଧାର ପ୍ରାର୍ଥନା କରି ଶେଷ ବାର୍ତ୍ତା ପ୍ରସାର କରିବା ପରି ଜାତିସଂଘର ଜଳବାୟୁ ପରିବର୍ତ୍ତନ ଅନୁଶୀଳନ ସଂସ୍ଥା ‘ଇଣ୍ଟର୍‌ଗଭର୍ନମେଣ୍ଟାଲ୍‌ ପ୍ୟାନେଲ୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ୍‌’ (‘ଆଇପିସିସି’) ମାର୍ଚ୍ଚ ୨୦ ତାରିଖରେ ଏକ ‘ସିନ୍ଥେସିସ୍‌ ରିପୋର୍ଟ’ ପ୍ରକାଶ କରିଛି, ଯାହାକୁ ଏହାର ବୈଜ୍ଞାନିକମାନେ ପୃଥିବୀର ପରିବେଶର ତାପମାତ୍ରା ପ୍ରାକ୍‌-ଶିଳ୍ପ ବିପ୍ଳବ ସ୍ତର ଠାରୁ ୧.୫ ଡିଗ୍ରି ସେଲ୍‌ସିଅସ୍‌ ଅଧିକ ସୀମା ଅତିକ୍ରମ କରିବା ପୂର୍ବର ଶେଷ ସତର୍କବାଣୀ ରୂପେ ଅଭିହିତ କରିଛନ୍ତି। ବିଗତ ପାଞ୍ଚ ବର୍ଷ ଧରି ପରିବ୍ୟାପ୍ତ ତା’ର ଷଷ୍ଠ ଆକଳନଚକ୍ର ସମାପ୍ତ ହେବା ଅବସରରେ ‘ଆଇପିସିସି’ ପ୍ରକାଶ କରିଥିବା ଏହି ରିପୋର୍ଟ ହେଉଛି ପ୍ରକୃତରେ ଏହି ସମୟ ମଧ୍ୟରେ ଏହି ସଂସ୍ଥା ପ୍ରକାଶ କରିଥିବା ଛ’ଟି ଯାକ ରିପୋର୍ଟର ଏକ ସହଜବୋଧ୍ୟ ସମ୍ମିଳିତ ସଂସ୍କରଣ। ପୃଥିବୀର ନେତୃସ୍ଥାନୀୟ ନୀତି ନିର୍ଦ୍ଧାରକମାନେ ଯଦି ଯଥେଷ୍ଟ ସଚେତନତା ଅଭାବରୁ ପୃଥିବୀକୁ ଉତ୍ତପ୍ତୀକରଣରୁ ରକ୍ଷା କରିବା ନିମିତ୍ତ ଆବଶ୍ୟକ ପଦକ୍ଷେପମାନ ନେବାରେ ଉଦାସୀନତା ବା ମନ୍ଥରତା ପ୍ରଦର୍ଶନ କରୁଥାନ୍ତି, ଏହି ରିପୋର୍ଟଟି ଉପରେ ଏକ ସଂକ୍ଷିପ୍ତ ଦୃଷ୍ଟିପାତ ସେମାନଙ୍କୁ ସକ୍ରିୟ କରିବାରେ ସହାୟକ ହେବ ବୋଲି ଆଶା କରାଯାଏ।

ରିପୋର୍ଟଟିରେ ସ୍ପଷ୍ଟ କରି ଦିଆଯାଇଛି ଯେ ମନୁଷ୍ୟର କାର୍ଯ୍ୟକଳାପ ପରିବେଶ ଉତ୍ତପ୍ତୀକରଣର ଏକ ପ୍ରମୁଖ କାରଣ ରୂପେ କାର୍ଯ୍ୟ କରିଛି। ଏଥି‌େର କୁହାଯାଇଛି ଅଙ୍ଗାରକାମ୍ଳ, ମି‌େଥନ୍‌ ଆଦି ଭଳି ଯେଉଁ ‘ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌’ମାନଙ୍କ ଯୋଗୁଁ ଉତ୍ତପ୍ତୀକରଣ ଘଟିଥାଏ, ସେଗୁଡ଼ିକର ମନୁଷ୍ୟକୃତ ନିର୍ଗମନରେ ୧୯୯୦ ତୁଳନାରେ ବର୍ତ୍ତମାନ ୫୪ ଶତାଂଶ ବୃଦ୍ଧି ଘଟି ସାରିଲାଣି। ପୃଥିବୀର ଭୂ-ଭାଗ ଓ ଜଳଭାଗର ତାପମାତ୍ରାରେ ୧୮୫୦-୧୯୦୦ ତୁଳନାରେ ୨୦୧୧-୨୦ ସମୟ କାଳରେ ଯେଉଁ ୧.୧ ଡିଗ୍ରି ସେଲ୍‌ସିଅସ୍‌ ବୃଦ୍ଧି ଘଟିଛି, ଏହାହିଁ ହେଉଛି ତାହାର କାରଣ। ଅକ୍‌ଟୋବର ୨୦୨୧ ସୁଦ୍ଧା ବିଭିନ୍ନ ଦେଶମାନେ ସେମାନଙ୍କର ଉତ୍ତପ୍ତୀକରଣ ନିୟନ୍ତ୍ରଣ ସମ୍ପର୍କିତ ଘୋଷିତ ଜାତୀୟ ଲକ୍ଷ୍ୟ (ନେସନାଲି ଡିଟରମାଇନ୍‌ଡ କଣ୍ଟ୍ରିବ୍ୟୁସନ୍‌ସ) ହାସଲ ଦିଗରେ ଯେଉଁ ଅଗ୍ରଗତି ଘୋଷଣା କରିଥିଲେ, ସେଥିରୁ ଏକବିଂଶ ଶତାବ୍ଦୀରେ ଉତ୍ତପ୍ତୀକରଣ ୧.୫ ଡିଗ୍ରି ସେଲସିଅସ୍‌ ସୀମା ଟପିଯିବାର ଦୃଢ଼ ସମ୍ଭାବନା ଥିବା ଜଣାପଡୁଛି ବୋଲି ରିପୋର୍ଟରେ କୁହାଯାଇଛି।

ଭୂମିର ଓ ସମୁଦ୍ରର ଅଙ୍ଗାର ଶୋଷଣ କ୍ଷମତାରେ ସଂକୋଚନ ଘଟିଚାଲି ଉତ୍ତପ୍ତୀକରଣକୁ ତ୍ବରାନ୍ବିତ କରିବ ଏବଂ ଏଥିଯୋଗୁଁ ତାପ ପ୍ରବ‌ାହରୁ ବ୍ୟାପକ ମରୁଡ଼ି ପର୍ଯ୍ୟନ୍ତ ଚରମ ଶ୍ରେଣୀର ପ୍ରାକୃତିକ ବିପର୍ଯ୍ୟୟମାନ ଅଧିକ ନିୟମିତ ଭାବରେ ଦେଖାଦେବ। ଉତ୍ତର ମେରୁ ଅଞ୍ଚଳର ଗ୍ରୀନ୍‌ଲାଣ୍ଡ ଓ ଦକ୍ଷିଣ ମେରୁ ଅଞ୍ଚଳ‌େର ଥିବା ବିସ୍ତୃତ ବରଫ ଚଟାଣମାନ ତରଳିଯିବା ପରେ ଜଳବାୟୁରେ ଯେଉଁ ସବୁ ପରିବର୍ତ୍ତନ ଦେଖାଦେବ, ତାହାକୁ ଆଉ ଓଲଟାଇ ଦେଇ ହେବନାହିଁ। ଏଥିଯୋଗୁଁ ବିପର୍ଯ୍ୟୟର ମୁକାବିଲା କରିବା ନିମିତ୍ତ ଉପଲବ୍‌ଧ ସୁଯୋଗ ମଧ୍ୟ ଗୁରୁତର ଭାବରେ ସଂକୁଚିତ ହେବ।

ଆମକୁ ଯଦି ଉପରୋକ୍ତ ୧.୫ ଡିଗ୍ରି ଲକ୍ଷ୍ୟ ହାସଲର ୫୦ ପ୍ରତିଶତ ସମ୍ଭାବନା ସାକାର କରିବାକୁ ହୁଏ, ତେବେ ଆମକୁ ଚଳିତ ଦଶନ୍ଧିରେ ହିଁ ଅତ୍ୟନ୍ତ ଦ୍ରୁତ ଗତିରେ ଏବଂ ବିଶାଳ ପରିମାଣରେ ଗ୍ରୀନ୍‌ହାଉସ୍‌ ଗ୍ୟାସ ନିର୍ଗମନରେ ହ୍ରାସ ଘଟାଇବାକୁ ହେବ, ଯାହା ଅନେକ କ୍ଷେତ୍ରରେ ତତ୍‌କ୍ଷଣାତ୍‌ ଘଟାଇବା ଆବଶ୍ୟକ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଥିପାଇଁ ୨୦୧୯ ତୁଳନାରେ ୨୦୩୦ ସୁଦ୍ଧା ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନରେ ୪୩ ଶତାଂଶ ଓ ଅଙ୍ଗାରକାମ୍ଳ ନିର୍ଗମନରେ ୪୮ ଶତାଂଶ ହ୍ରାସ ଘଟିବା ଆବଶ୍ୟକ। ୨୦୫୦ ସୁଦ୍ଧା ପୃଥିବୀରେ ଅଙ୍ଗାରକାମ୍ଳର ନେଟ୍‌ ନିର୍ଗମନ ମାତ୍ରା ଶୂନ୍ୟ ହେବା ଆବଶ୍ୟକ। ଯେଉଁଠି ୧.୫ ଡିଗ୍ରି ସୀମା ଅତିକ୍ରାନ୍ତ ‌ହୋଇଯିବ, ସେଠାରେ ସେଥିରେ ହ୍ରାସ ଘଟାଇବା ପାଇଁ ଅଙ୍ଗାରକାମ୍ଳ ନିଷ୍କାସନ ପ୍ରବିଧି (‘ସିଡିଆର୍‌’) ପ୍ରୟୋଗ କରାଯିବା ଦରକାର, କିନ୍ତୁ ତାହା ଅନ୍ୟାନ୍ୟ ସାମାଜିକ ଓ ପରିବେଶଗତ ସମସ୍ୟା ସୃଷ୍ଟି କରିପାରେ। ଏକ ଧାରଣକ୍ଷମ ଭିତ୍ତିରେ ନିର୍ଗମନ ନିୟନ୍ତ୍ରଣ କରିବାକୁ ହେଲେ ଆମକୁ ସମସ୍ତ ଅର୍ଥନୈତିକ କ୍ଷେତ୍ରମାନଙ୍କରେ ଗଭୀର ବ୍ୟବସ୍ଥାଗତ ପରିବର୍ତ୍ତନ ଘଟାଇବାକୁ ହେବ ବୋଲି କୁହାଯାଇଛି। ଉଦାହରଣ ସ୍ବରୂପ ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନ ଓ ବ୍ୟବହାର, ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲ କ୍ଷୟ ନିୟନ୍ତ୍ରଣ ଆଦି ଏଥିରେ ଅନ୍ତର୍ଭୁକ୍ତ।

ରିପୋର୍ଟରେ ଉଚ୍ଚ ଆୟ ବର୍ଗକୁ ନିର୍ଗମନ ପାଇଁ ଅଧିକ ଦାୟୀ କରାଯାଇ କୁହାଯାଇଛି ଯେ ନିର୍ଗମନ ହ୍ରାସ ଦିଗରେ ଏହି ବର୍ଗର ଅବଦାନ ସର୍ବାଧିକ ହେବା ଉଚିତ। ବିକାଶଶୀଳ ଦେଶମାନେ ନିର୍ଗମନ ହ୍ରାସ କରିବା ପାଇଁ ଆବଶ୍ୟକ କରୁଥିବା ଉପଯୁକ୍ତ ପ୍ରବିଧି, ସମ୍ବଳ ଆଦି ଧନୀ ଦେଶମାନେ ତେଣୁ ସେମାନଙ୍କୁ ଯୋଗାଇଦେବା ଆବଶ୍ୟକ। ରାଜନୈତିକ ପ୍ରତିଶ୍ରୁତିବଦ୍ଧତା ଦ୍ବାରା ହିଁ ଏହା ସମ୍ଭବ ହୋଇପାରିବ। ତେବେ ରିପୋର୍ଟରେ ଦର୍ଶାଯାଇଛି ଯେ ପୃଥିବୀରେ ନିର୍ଗମନ ହ୍ରାସ ପାଇଁ ଯେତିକି ପୁଞ୍ଜିନିବେଶର ଆବଶ୍ୟକତା ରହିଛି,‌ ସାରା ପୃଥିବୀରେ ସେଥିପାଇଁ ଯଥେଷ୍ଟ ପୁଞ୍ଜି ଉପଲବ୍‌ଧ ଅଛି; କେବଳ ଯାହା ଆବଶ୍ୟକ ତାହା ହେଲା‌ ଏହି ଉପଲବ୍‌ଧ ସମ୍ବଳକୁ ନିର୍ଗମନ ନିୟନ୍ତ୍ରଣ ଲକ୍ଷ୍ୟ ହାସଲ ଦିଗରେ ନିୟୋଜିତ କରିବା, ଯାହା ଦୃଢ଼ ରାଜନୈତିକ ଇଚ୍ଛା ଶକ୍ତି ଉପରେ ନିର୍ଭର କରିଥାଏ।

ଏହି ରିପୋର୍ଟ ପ୍ରକାଶ ଅବସରରେ ଉପସ୍ଥିତ ବୈଜ୍ଞାନିକମାନେ କହିଥିଲେ ଯେ ବିଗତ ଶତାବ୍ଦୀରେ ବିଶ୍ବ ତାପନରେ ଭାରତର ଅବଦାନ ନଗଣ୍ୟ ହୋଇଥିଲେ ମଧ୍ୟ ଭାରତ ପ୍ରତି ଏହାର କୁପ୍ରଭାବ ମାତ୍ରାଧିକ ହେବ। ଭାରତକୁ ସେଥିପାଇଁ ବେଳହୁଁ ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ଏକ ଉଦାହରଣ ସ୍ବରୂପ ଭାରତ ଶକ୍ତି ଉତ୍ପାଦନ ଓ ବ୍ୟବହାରକୁ ଅଙ୍ଗାରମୁକ୍ତ କରିବା ପାଇଁ ଆରମ୍ଭ କରିଥିବା ଉଦ୍ୟମକୁ ଦ୍ରୁତ ଗତିରେ ଆଗେଇ ନେବାକୁ ହେବ। ସହରମାନଙ୍କର ପଦଚାରୀ ଓ ସାଇକେଲ୍‌ ଚାଳକମାନଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟି କରିବାକୁ ହେବ। ଏଥି ସଙ୍ଗେ ସଙ୍ଗେ ବିଶ୍ବ ତାପନ ଜନିତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ହେବ। ସେମାନେ କହିଛନ୍ତି ଯେ ଭାରତ ଏବେ ଜଳବାୟୁ କ୍ଷେତ୍ରରେ ନିବେଶ ନିମିତ୍ତ ବିପୁଳ ପରିମାଣର ପୁଞ୍ଜି ପ୍ରାପ୍ତ ହେଉଛି। ଏହି ସମ୍ବଳକୁ ନିର୍ଗମନ ନିୟନ୍ତ୍ରଣ ଓ ବିପର୍ଯ୍ୟୟ ମୁକାବିଲା ପଦକ୍ଷେପମାନ ମଧ୍ୟରେ ସମତୁଲ ଭାବରେ ବଣ୍ଟନ କରାଯିବା ଉଚିତ ହେବ ବୋଲି ଜଳବାୟୁ ବୈଜ୍ଞାନିକମାନେ କହିଛନ୍ତି। ଆଶା ‘ଆଇପିସିସି’ର ଶେଷ ସତର୍କ ଘଣ୍ଟି ଧନୀ ଦେଶମାନଙ୍କ କାନରେ ପଡ଼ିବ ଓ ବିକାଶଶୀଳ ଦେଶମାନଙ୍କୁ ତିନ୍ତିବା ଆଗରୁ ଘର ଛପର କରିବା ପାଇଁ ପ୍ରବୃତ୍ତ କରିବ।

ସମ୍ବନ୍ଧିତ ଖବର