ଆଜକୁ ପ୍ରାୟ ପାଞ୍ଚ ହଜାର ବର୍ଷରୁ ଅଧିକ କାଳ ତଳେ ପ୍ରାଚୀନ ମିଶର ସଭ୍ୟତାରେ କୌଣସି ଆନନ୍ଦ ଉତ୍ସବ ପାଳନର ଅଂଶ ସ୍ବରୂପ ଭୋଜି ଆୟୋଜନ କରିବା ବେଳେ ଏକ ଅଦ୍ଭୁତ ବିଧି ଅନୁସରଣ କରାଯାଉଥିଲା। ଆୟୋଜକମାନେ କେତୋଟି ନରକଙ୍କାଳ ସଂଗ୍ରହ କରି ସେଗୁଡ଼ିକୁ ଭୋଜି ସଭାର ମଧ୍ୟସ୍ଥଳରେ ଅବସ୍ଥାପିତ କରି ଦେଉଥିେଲ। ଉଦ୍ଦେଶ୍ୟ, ମଦମତ୍ତ ଉତ୍ସବ ପାଳନକାରୀମାନଙ୍କୁ ସେମାନଙ୍କର ଅନ୍ତିମ ଅବସ୍ଥାର ନିଷ୍ଠୁର ସତ୍ୟ ସମ୍ବନ୍ଧରେ ସଚେତନ କରାଇବା, ଯାହା ସେମାନଙ୍କୁ ସଂଯମ ଆଚରଣ କରିବା ପାଇଁ ପ୍ରବୃତ୍ତ କରାଇବ।
ଯଦି କୌଣସି ଏକ ବିଜ୍ଞାନ କାହାଣୀ ସୁଲଭ ସମୟ ଯନ୍ତ୍ରରେ ବସି ସେ ସମୟର ସେଇ ମିଶରବାସୀମାନେ ୨୦୩୦ ସାଲରେ ପହଞ୍ଚି ଯାଇ ଏକ ଭୋଜି ଆୟୋଜନ କରନ୍ତେ, ତେବେ ସେମାନେ ଆଉ ପୂର୍ବ ଭଳି ଭୋଜି ସଭାରେ ଏକ ନରକଙ୍କାଳ ଛିଡ଼ା କରାଇବା କଥା ଚିନ୍ତା କରନ୍ତେ ନାହିଁ। କାରଣ ବର୍ତ୍ତମାନ ପୃଥିବୀବ୍ୟାପୀ ଚହଳ ସୃଷ୍ଟି କରିଥିବା ଏକ ବୈଜ୍ଞାନିକଙ୍କର ଭବିଷ୍ୟବାଣୀ ଅନୁସାରେ ୨୦୩୦ ବେଳକୁ ସେ କଙ୍କାଳ ଆଉ ମନୁଷ୍ୟର ଅନ୍ତିମ ଭାଗ୍ୟର ପ୍ରତିନିଧିତ୍ବ କରୁନଥିବ। ମନୁଷ୍ୟ ସେତେବେଳକୁ ଅର୍ଥାତ୍ ଆଉ ମାତ୍ର ସାତ ବର୍ଷ ମଧ୍ୟରେ ଅମରତ୍ବ ଲାଭ କରିସାରିଥିବ। ‘ଗୁଗ୍ଲ’ର ଜଣେ ପୂର୍ବତନ କମ୍ପ୍ୟୁଟର୍ ବୈଜ୍ଞାନିକ ତଥା ପ୍ରସିଦ୍ଧ ଭବିଷ୍ୟବିତ୍, ୭୫ ବର୍ଷୀୟ କର୍ଜୱେଲ୍ ଏହି ଭବିଷ୍ୟବାଣୀ କରିଛନ୍ତି ଯେ ନାନୋରୋବଟ୍ମାନ ବ୍ୟବହାର କରି ମନୁଷ୍ୟ ମୃତ୍ୟୁକୁ ଚିରଦିନ ପାଇଁ ନିର୍ବାସିତ କରିଦେବ। ‘ମର୍ତ୍ତ୍ୟ ମଣ୍ଡଳେ ଦେହବହି, ଦେବତା ହେଲେ ବି ମରଇ’ ହୁଏତ ସେତେବେଳେ ଦେବତାମାନଙ୍କ ପ୍ରତି ତଥାପି ପ୍ରଯୁଜ୍ୟ ହୋଇପାରେ, କିନ୍ତୁ ମୃତ୍ୟୁ ମନୁଷ୍ୟକୁ ଆଉ ସ୍ପର୍ଶ କରିପାରିବ ନାହିଁ। ମହାମୃତ୍ୟୁଞ୍ଜୟ ମନ୍ତ୍ରର ‘ଉର୍ବାରୁକ’ ଭଳି ମନୁଷ୍ୟ ମୃତ୍ୟୁର ବନ୍ଧନରୁ ମୁକ୍ତି ଲାଭ କରି ସାରିଥିବ।
ମନୁଷ୍ୟ ଯଦି ଅମର ହୋଇଯାଏ, ଏ ସଂସାରର ଦୃଶ୍ୟପଟ କିଭଳି ବଦଳିଯିବ, ସେ ସମ୍ବନ୍ଧରେ ଅନ୍ତହୀନ କଳ୍ପନାଜଳ୍ପନା କରାଯାଇପାରେ। କିନ୍ତୁ ଏହି ପରିପ୍ରେକ୍ଷୀରେ ଯେଉଁ ଏକ ପ୍ରଶ୍ନ ସର୍ବାଧିକ ଗୁରୁତ୍ବ ବହନ କରିଥାଏ, ତାହା ହେଲା- ଅମରତ୍ବ ମନୁଷ୍ୟର କାମ୍ୟ କି? ପ୍ରସିଦ୍ଧ ଫରାସୀ ଅସ୍ତିତ୍ବବାଦୀ ଓ ନାରୀବାଦୀ ଦାର୍ଶନିକା ସିମନ୍ ଡି ବିଭ୍ବା ଏ ପ୍ରଶ୍ନର ଏକ ଉତ୍ତର ସନ୍ଧାନ କରିବାକୁ ଚେଷ୍ଟା କରିଥିଲେ ତାଙ୍କର ୧୯୪୬ରେ ପ୍ରକାଶିତ ଉପନ୍ୟାସ ‘ଅଲ୍ ମେନ୍ ଆର୍ ମୋର୍ଟାଲ୍’ (‘ସବୁ ମଣିଷ ମରଣଶୀଳ’)ରେ। ସେ କାହାଣୀର ମୁଖ୍ୟ ଚରିତ୍ର ରେମଣ୍ଡ୍ ଫସ୍କା ନାମକ ଜଣେ ସମ୍ଭ୍ରାନ୍ତ ଇଟାଲୀୟ ବ୍ୟକ୍ତି ଅତୀତରେ ଚତୁର୍ଦ୍ଦଶ ଶତାବ୍ଦୀରେ ଏକ ସଞ୍ଜୀବନୀ ସୁଧା ପାନ କରି ଅମରତ୍ବ ହାସଲ କରିଛନ୍ତି।
ପ୍ରଥମେ ସେ ଏହାକୁ ଏକ ଅବିଶ୍ବାସ୍ୟ ଆଶୀର୍ବାଦ ରୂପେ ବିଚାର କରି ଉଚ୍ଚାଟିତ ହୋଇଛନ୍ତି ଓ ଏହାକୁ ମହତ୍ କାର୍ଯ୍ୟରେ ଲଗାଇବାକୁ ଚେଷ୍ଟା କରିଛନ୍ତି। ଏହାର ଅଂଶ ସ୍ବରୂପ ସେ ଯେତେବେଳେ ବଦାନ୍ୟତା ପ୍ରଦର୍ଶନ କରିବାକୁ ଚାହିଁଛନ୍ତି, ସେତେବେଳେ ସେ ଅନୁଭବ କରିଛନ୍ତି ଯେ ଯେହେତୁ ସେ ହେଉଛନ୍ତି ଅମର, ତାଙ୍କର ତ୍ୟାଗ କରିବାକୁ କିଛି ନାହିଁ, କାରଣ ଯାହା ଅସରନ୍ତି ତାକୁ ତ୍ୟାଗ କରିବା ସମ୍ଭବ ନୁହେଁ। ଜୀବନ ଅସରନ୍ତି ହୋଇଥିବାରୁ କୌଣସି କାର୍ଯ୍ୟରେ ତତ୍ପରତା ପ୍ରଦର୍ଶନ ଅନାବଶ୍ୟକ ହୋଇପଡ଼ିଲା; ସେହିପରି କୌଣସି କାର୍ଯ୍ୟରେ ଉତ୍ସାହ ପ୍ରଦର୍ଶନ ଅବାନ୍ତର ହୋଇଗଲା। ଜୀବନର ସଂଜ୍ଞା ବଦଳି ହୋଇଗଲା ଏକ ଅତ୍ୟନ୍ତ ବିରକ୍ତିକର ଯାତ୍ରା, ଯାହାର ଅନ୍ତ ନାହିଁ। ଏପରିକି ରେମଣ୍ଡ୍ ଫସ୍କା କେବଳ ଜାଗ୍ରତ ଅବସ୍ଥାରେ ନୁହେଁ, ନିଦ୍ରିତ ଅବସ୍ଥାରେ ମଧ୍ୟ ଏହି ବିରକ୍ତି ବୋଧରୁ ରକ୍ଷା ପାଇ ପାରିଲେ ନାହିଁ- ତାଙ୍କର ସ୍ବପ୍ନମାନ ମଧ୍ୟ ବିରକ୍ତିପୂର୍ଣ୍ଣ ହୋଇଗଲା। ସେ ଶେଷରେ ଏହି ସତ୍ୟ ହୃଦୟଙ୍ଗମ କରିଛନ୍ତି ଯେ, ଆମେ ମୃତ୍ୟୁକୁ ଭୟ କରିଥାଉ ସତ, କିନ୍ତୁ ତାହାର ବିକଳ୍ପ ଅମରତ୍ବ ହେଉଛି ତା’ଠାରୁ ବହୁ ଗୁଣ ଅଧିକ ଭୟଙ୍କର।
ପୃଥିବୀପୃଷ୍ଠରେ ମନୁଷ୍ୟର ଏଭଳି ଅମରତ୍ବ ପ୍ରାପ୍ତି ମହାନ୍ ଜର୍ମାନ୍ ଦାର୍ଶନିକ ଇମାନୁଏଲ୍ କାଣ୍ଟ୍ଙ୍କ ପାଇଁ ଏକ ଭିନ୍ନ, ନୈତିକ ସମସ୍ୟା ସୃଷ୍ଟି କରନ୍ତା। ଜଣେ ମନୁଷ୍ୟ ତା’ର ଜୀବିତାବସ୍ଥାରେ ନୈତିକ ଆଚରଣ ପ୍ରଦର୍ଶନ କରିବା ପାଇଁ କାହିଁକି ପ୍ରବୃତ୍ତ ହୋଇଥାଏ? କାଣ୍ଟ୍୍ ଏହାର ଯେଉଁ ତ୍ରିବିଧ କାରଣ ଆବିଷ୍କାର କରିଥିଲେ, ତାହା ହେଲା- ଈଶ୍ବରଙ୍କ ଉପସ୍ଥିତି, ‘ଆତ୍ମା’ର ଅମରତ୍ବ ଓ ଇଚ୍ଛାର ସ୍ବାଧୀନତା। ମନୁଷ୍ୟର ଶରୀର ମରଣଶୀଳ କିନ୍ତୁ ତା’ର ଆତ୍ମା ହେଉଛି ଅମର। ଏହି ଅମର ଆତ୍ମା ଶରୀରର ମୃତ୍ୟୁ ପରେ ଈଶ୍ବରଙ୍କ ସମ୍ମୁଖରେ ଉପସ୍ଥିତ ହୋଇଥାଏ। ଜୀବିତାବସ୍ଥାରେ ମନୁଷ୍ୟ ସ୍ବାଧୀନ ଇଚ୍ଛାର ଅଧିକାରୀ ହୋଇଥବାରୁ ତା’ର ସମସ୍ତ କାର୍ଯ୍ୟକଳାପ ପାଇଁ ସେ ହିଁ ଉତ୍ତରଦାୟୀ ହୋଇଥାଏ। ତା’ର କାର୍ଯ୍ୟ ଯଦି ନୈତିକ ହୋଇଥାଏ, ମୃତ୍ୟୁ ପରେ ଈଶ୍ବର ତା’ର ଆତ୍ମାକୁ ପୁରସ୍କୃତ କରିଥାନ୍ତି; ତା’ର କାର୍ଯ୍ୟ ଯଦି ଅନୈତିକ ହୋଇଥାଏ, ମୃତ୍ୟୁ ପରେ ଈଶ୍ବର ତା’ର ଆତ୍ମାକୁ ଦଣ୍ଡିତ କରନ୍ତି। ଏହି ସଚେତନତା ଯୋଗୁଁ ହିଁ ଜୀବିତାବସ୍ଥାରେ ମନୁଷ୍ୟ ଯଥା ସମ୍ଭବ ନୈତିକ ଆଚରଣ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥାଏ। ଏବେ ଯଦି ମନୁଷ୍ୟର ଶରୀର ଅମର ହୋଇଯାଏ, ତେବେ ତା’ର ଆତ୍ମାକୁ ଆଉ ହିସାବ ନିକାଶ ପାଇଁ ଈଶ୍ବରଙ୍କ ସମ୍ମୁଖରେ ହାଜର ହେବାକୁ ପଡ଼ିବ ନାହିଁ; ଏହା ମନୁଷ୍ୟର ଶକ୍ତିଶାଳୀ ଅନୈତିକ ପ୍ରବୃତ୍ତିକୁ ସମ୍ପୂର୍ଣ୍ଣ ଲଗାମହୀନ କରି ଦେବ। ସମାଜ ପାଇଁ ଏହାର ପରିଣାମ ଭୟଙ୍କର ହେବ।
ବିଶିଷ୍ଟ ବ୍ରିଟିସ୍ ଦାର୍ଶନିକ ବର୍ନାଡ୍ ୱିଲିଅମ୍ସ କିନ୍ତୁ ଅନ୍ୟ ଏକ ଭିନ୍ନ କାରଣରୁ ମନୁଷ୍ୟ ପାଇଁ ଅମରତ୍ବ ଆଦୌ ବାଞ୍ଛନୀୟ ନୁେହଁ ବୋଲି ବିଚାର କରୁଥିଲେ। ତାଙ୍କର ଯୁକ୍ତି ଯେଉଁ ଏକ ଧାରଣା ଉପରେ ପ୍ରତିଷ୍ଠିତ ଥିଲା, ତାହାର ସେ ନାମକରଣ କରିଥିଲେ- ‘କାଟିଗରିକାଲ୍ ଡିଜାୟାର୍ସ’ (ନିର୍ଦ୍ଦିଷ୍ଟ ବାଞ୍ଛା)। ଏହି ବାଞ୍ଛା ବା ଇଚ୍ଛାଗୁଡ଼ିକ ହେଉଛନ୍ତି ସେଇ ସବୁ ଇଚ୍ଛାମାନ ଯାହା ଆମକୁ ବଞ୍ଚିରହିବା ପାଇଁ ଆଗ୍ରହୀ କରିଥାନ୍ତି- ନିଜର ଏକ ଘରଟିଏ ତିଆରି କରିବାର ଇଚ୍ଛା; ଏକ ନିର୍ଦ୍ଦିଷ୍ଟ କମ୍ପାନିର ‘ସିଇଓ’ ହେବାର ଇଚ୍ଛା; ଏକ ସାହିତ୍ୟ ପୁରସ୍କାର ପାଇବାର ଇଚ୍ଛା...। ୱିଲିଅମ୍ସଙ୍କ ବିଚାରରେ ଦୁଇଟି କାରଣରୁ ଏହି ଇଚ୍ଛା ଗୁଡ଼ିକର ନିଃଶେଷ ଘଟିଥାଏ। ଗୋଟିଏ ହେଲା, ସେ ଇଚ୍ଛା ପୂରଣ ହୋଇଗଲେ ତାହା ଆଉ ଅନନ୍ତ କାଳ ପାଇଁ ବଞ୍ଚି ରହିବାର ଏକ ଆକର୍ଷଣ ରୂପେ କାର୍ଯ୍ୟ କରି ନଥାଏ। ଅନ୍ୟଟି ହେଲା, ଏକ ନିର୍ଦ୍ଦିଷ୍ଟ ଇଚ୍ଛା ପୂରଣ ନ ହୋଇପାରିଲେ କ୍ରମେ ସେ ଇଚ୍ଛା ପୂରଣ ନିମିତ୍ତ ଆଗ୍ରହରେ ଅନ୍ତ ଘଟିଥାଏ। ଉଦାହରଣ ସ୍ବରୂପ ଜଣେ ଯଦି ଏକ କମ୍ପାନିର ‘ସିଇଓ’ ହେବାକୁ ଚାହେଁ କିନ୍ତୁ ଲକ୍ଷ ଲକ୍ଷ କୋଟି କୋଟି ବର୍ଷ ଧରି ତାହା ହାସଲ କରିବାରେ ବିଫଳ ହୁଏ, ସେ ନିଶ୍ଚିତ ରୂପେ ସେଥିପାଇଁ ଏକ ସମୟରେ ଆଗ୍ରହ ହରାଇ ବସିବ ଓ ତା’ର ସେ ଇଚ୍ଛାର ଅନ୍ତର୍ଦ୍ଧାନ ଘଟିବ।
ୱିଲିଅମ୍ସଙ୍କର ଯୁକ୍ତି ତେଣୁ ହେଲା ଯେ ଏକ ନିର୍ଦ୍ଦିଷ୍ଟ ବାଞ୍ଛା ପୂରଣ ହୋଇପାରୁ ବା ନ ପାରୁ, ମନୁଷ୍ୟଟିଏ ଯଦି ଅତି ଦୀର୍ଘ କାଳ ଜୀବିତ ରହେ, ତେବେ ତା’ର ସମସ୍ତ ନିର୍ଦ୍ଦିଷ୍ଟ ବାଞ୍ଛା ମାନଙ୍କର ନିଃଶେଷ ଘଟିବା ଅନିବାର୍ଯ୍ୟ। ଅନନ୍ତ କାଳ ଧରି ନିର୍ଦ୍ଦିଷ୍ଟ ବାଞ୍ଛାହୀନ ଜୀବନ ଯାପନ ସେଇ ଭଳି ଅସହନୀୟ ଭାବରେ ବିରକ୍ତିକର ହେବ ଯାହା ରେମଣ୍ଡ୍ ଫସ୍କା ଅନୁଭବ କରିଥିଲେ। ଯଦି ଏଥିରୁ ରକ୍ଷା ପାଇବା ନିମିତ୍ତ ଭବିଷ୍ୟତରେ ତୁମେ କିଛି ନୂତନ ନିର୍ଦ୍ଦିଷ୍ଟ ବାଞ୍ଛା ପରିଗ୍ରହଣ କର, ତେବେ ତାହାର ତୁମେ ବର୍ତ୍ତମାନ ଅନୁଧାବନ କରୁଥିବା ଇଚ୍ଛା, ଦେଖୁଥିବା ସ୍ବପ୍ନ ସହିତ କୌଣସି ସମ୍ପର୍କ ରହିବ ନାହିଁ। ତା ହେଲେ ତୁମେ ଏେବ ଏପରି କିଛି ଇଚ୍ଛା ପୂରଣ ପାଇଁ କାହିଁକି ଅନନ୍ତ କାଳ ବଞ୍ଚି ରହିବାକୁ ଚାହିଁବ, ଯାହାର ତୁମର ବର୍ତ୍ତମାନର ଇଚ୍ଛାମାନଙ୍କ ସହିତ କୌଣସି ସମ୍ପର୍କ ନ ଥିବ? ଭବିଷ୍ୟତରେ କୌଣସି ଅନାଗତ, ଅଜ୍ଞାତ ଇଚ୍ଛା ପୂରଣ ନିମିତ୍ତ ବର୍ତ୍ତମାନ କେହି ଏକ ଅଖଣ୍ଡ ବିରକ୍ତିଭରା ଅନନ୍ତ ଜୀବନକୁ ସ୍ବାଗତ କରିବା ସମ୍ପୂର୍ଣ୍ଣ ମୁର୍ଖତା ବ୍ୟତୀତ ଆଉ କିଛି ରୂପେ ବିବେଚିତ ହେବ ନାହିଁ। ୨୦୩୦ ପରେ ମନୁଷ୍ୟ ଯଦି ମୃତ୍ୟୁଞ୍ଜୟ ହୋଇଯାଏ, ତା’ର ଜୀବନ ଚିରନ୍ତର ହୋଇଯିବ ସିନା, କିନ୍ତୁ େକବେ ହେଲେ ଆନନ୍ଦମୟ ହେବ ନାହିଁ।