୧୯୯୬ ମସିହାରେ ଜେନେଭା ଠାରେ ଅନୁଷ୍ଠିତ ପରମାଣୁ ନିରସ୍ତ୍ରୀକରଣ ସମ୍ମିଳନୀରେ ଭାରତର ରାଷ୍ଟ୍ରଦୂତ ଅରୁନ୍ଧତୀ ଘୋଷଙ୍କ ଅସମ୍ମତିମୂଳକ ଯେଉଁ ଅତ୍ୟନ୍ତ ଶାଣିତ ଉତ୍ତର ଅଗଣିତ ସାଧାରଣ ଭାରତୀୟଙ୍କ ମନରେ ଦମ୍ଭର ଏକ ମୃଦୁ ତରଙ୍ଗ ସୃଷ୍ଟି କରି ପାରିଥିଲା; ତାହା ଥିଲା: ‘‘ନା’, ଏବେ ନୁହେଁ କି କେବେ ନୁହେଁ।’’ ଏହି ଘଟଣାର ଅବତାରଣା କରି ବିଶିଷ୍ଟ ସାମ୍ବାଦିକା ଜ୍ୟୋତି ମଲହୋତ୍ରା ତାଙ୍କର ଏକ ଆଲେଖ୍ୟରେ କହିଥାଆନ୍ତି ଯେ ସେହି ସମୟରେ ନିରସ୍ତ୍ରୀକରଣ ରାଜିନାମାକୁ ଅରୁନ୍ଧତୀଙ୍କ ଦ୍ବାରା ସ୍ପଷ୍ଟ ପ୍ରତ୍ୟାଖ୍ୟାନର ଏଭଳି ସାହସ ହିଁ ପରବର୍ତ୍ତୀ କାଳରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରକୁ ଦ୍ବିତୀୟ ପରମାଣୁ ପରୀକ୍ଷଣ କରିବାରେ ସମର୍ଥ କରିଥିଲା। ଏଠାରେ ଉପରୋକ୍ତ ପ୍ରସଙ୍ଗ ଉତ୍ଥାପନ କରିବାର ଉଦ୍ଦେଶ୍ୟ ହେଲା ନିକଟରେ କ˚ଗ୍ରେସ ସା˚ସଦ ଶଶୀ ଥରୁରଙ୍କ ଦ୍ବାରା ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ପ୍ରଦତ୍ତ ଏକ ଉପଦେଶ ଯାହା କହିଥାଏ, ‘ବନ୍ଧୁ ଜୟ, ଥୟ ଧର’; ଏବ˚ ଯାହାର ପୃଷ୍ଠଭୂମି ହେଲା ରାହୁଳ ଗାନ୍ଧୀଙ୍କ ସା˚ସଦ ପଦ ରଦ୍ଦ ହୋଇଥିବା ସ˚ଦର୍ଭରେ ଜର୍ମାନି ଏବ˚ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ପ୍ରଦାନ କରାଯାଇଥିବା ନକାରାତ୍ମକ ମନ୍ତବ୍ୟର ପ୍ରତିକ୍ରିୟା ସ୍ବରୂପ ମନ୍ତ୍ରୀ ଜୟଶଙ୍କରଙ୍କ କଟାକ୍ଷ ଯେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ସମାଲୋଚନା କରିବାର ଏକ ବଦ୍-ଅଭ୍ୟାସ ଦ୍ବାରା ଗ୍ରସ୍ତ, ଯେଉଁମାନେ ଧରି ନେଇଛନ୍ତି ଯେ ଏଭଳି କରିବା ହେଉଛି ସେମାନଙ୍କୁ ଈଶ୍ବର ପ୍ରଦାନ କରିଥିବା ଅଧିକାର! ସୁତରା˚, ପ୍ରଶ୍ନ ଉଠିଥାଏ ଯେ ଶଶୀ ଥରୁର କହିଥିବା ଭଳି ପ୍ରତ୍ୟେକ ସମାଲୋଚନାେର ପ୍ରତିକ୍ରିୟା ପ୍ରକାଶ କରି ଆମ ଦେଶର ସ˚ଭ୍ରାନ୍ତ ତଥା ବିବେଚନାବନ୍ତ ବିଦେଶ ବ୍ୟାପାର ମନ୍ତ୍ରୀ ନିଜ ସକାଶେ ଜଣେ ଅସହିଷ୍ଣୁ ପତଳା ଚର୍ମଧାରୀ ବ୍ୟକ୍ତିର ପରିଚୟ ସୃଷ୍ଟି କରୁନାହାନ୍ତି କି? ଦ୍ବିତୀୟରେ ଭାରତର ବିଦେଶ ମନ୍ତ୍ରଣାଳୟ ତା’ର ଆଭିମୁଖ୍ୟରେ ଏଭଳି ଆକ୍ରମଣାତ୍ମକ ହୋଇ ରହିବା ବା˚ଛନୀୟ କି?
ଏଥିରେ ସନ୍ଦେହ ନାହିଁ ଯେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ହେତୁ ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ବରେ ମୁଖ୍ୟତଃ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦ୍ବାରା ରୁଷିଆ ଉପରେ ଜାରି କରାଯାଇଥିବା କଠୋର ଆର୍ଥିକ ବାସନ୍ଦ ବ୍ୟବସ୍ଥାରେ ଭାରତ ଅ˚ଶୀଦାର ନ ହେବା ଏବ˚ ଜାତିସ˚ଘର ନିରାପତ୍ତା ପରିଷଦରେ ରୁଷିଆ ବିରୋଧୀ ଭୋଟ ଦାନ ସମୟରେ ଅନୁପସ୍ଥିତ ରହିବା ଭଳି ନିଷ୍ପତ୍ତି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ନିଶ୍ଚିତ ଭାବେ ଆହତ କରିଥିବ, ଯେଉଁମାନେ ଭାରତକୁ ଏକ ‘ସ୍ବାଭାବିକ ମିତ୍ର’ ରାଷ୍ଟ୍ର ରୂପେ ଦେଖି ଥାଆନ୍ତି। ସୁତରା˚, ଭାରତର ଏତାଦୃଶ ଆଚରଣକୁ ସେମାନଙ୍କ ସମାଲୋଚନା ଗୋଟିଏ ଦୃଷ୍ଟିରୁ ଯଥାର୍ଥ ମଧୢ! କିନ୍ତୁ ଏହାର ଉତ୍ତରରେ ବିଦେଶ ବ୍ୟାପାର ମନ୍ତ୍ରୀଙ୍କ ଠାରୁ ଯାହା ଶୁଣିବାକୁ ମିଳିଥିଲା, ତାହା ମଧୢ ପ୍ରଣିଧାନଯୋଗ୍ୟ; ଯାହା ହେଉଛି ପ୍ରଥମତଃ, ଏହି ବାସନ୍ଦ କାରଣରୁ ରୁଷିଆ ଅତ୍ୟନ୍ତ ଶସ୍ତା ଦରରେ ଖଣିଜ ତୈଳ ବିକ୍ରୟ କରୁଥିବାରୁ ତାକୁ ଖର୍ଦ୍ଦି କରିବା ଭାରତର ସ୍ବାର୍ଥ ଅନୁକୂଳ, ଦ୍ବିତୀୟରେ ରୁଷିଆ ହେଉଛି ସୋଭିଏତ୍ ଯୁଗ ସମୟରୁ ଭାରତର ଏକ ପାର˚ପରିକ ବନ୍ଧୁ ରାଷ୍ଟ୍ର ଯାହା ଠାରୁ ଭାରତ ସର୍ବାଧିକ ପରିମାଣର ଅସ୍ତ୍ରଶସ୍ତ୍ର କ୍ରୟ କରିଥାଏ, ଅର୍ଥାତ୍ ଉଭୟ ବାଣିଜ୍ୟ ଓ ରାଷ୍ଟ୍ର ସୁରକ୍ଷା ଦୃଷ୍ଟିରୁ ରୁଷିଆ ସହିତ ସ˚ପର୍କ ଗୁରୁତ୍ବପୂର୍ଣ୍ଣ, ତୃତୀୟତଃ ଉପରୋକ୍ତ ବାସନ୍ଦ ବ୍ୟବସ୍ଥାର ପୃଷ୍ଠପୋଷକ ହୋଇଥିବା ସତ୍ତ୍ବେ ଜର୍ମାନି ଓ ଅନ୍ୟ କେତେକ ପାଶ୍ଚାତ୍ୟ ରାଷ୍ଟ୍ର ମଧୢ ରୁଷିଆ ଠାରୁ ଶସ୍ତା ଶକ୍ତି କ୍ରୟ କରିବାରେ ପ୍ରବୃତ୍ତ, ଯାହା ସେମାନଙ୍କ ଶଠତାର ଚିହ୍ନ!
କହିବା ବାହୁଲ୍ୟ, ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ବାରମ୍ବାର ଅନେକ ଅସ୍ବସ୍ତିକର ପ୍ରଶ୍ନର ସମ୍ମୁଖୀନ ହେଉଥିବା ବେଳେ ଅତ୍ୟନ୍ତ ପ୍ରା˚ଜଳତାର ସହିତ ସେ ଯାହା କହିବାରେ ଲାଗିଛନ୍ତି, ତାହା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର କପଟାଚାର, ଅବଶିଷ୍ଟ ପୃଥିବୀ ଉପରେ ମାଲିକତ୍ବ ଜାହିର କରିବାର ଅଯୌକ୍ତିକ ପ୍ରବଣତା, ପାଶ୍ଚାତ୍ୟ ଦୃଷ୍ଟିକୋଣରୁ ପୃଥିବୀକୁ ଦେଖିବା ଓ କେବଳ ସେହି ଦୃଷ୍ଟିଭଙ୍ଗୀକୁ ସର୍ବୋତ ଭାବେ ଗ୍ରହଣୀୟ କରାଇବାର ଦୁର୍ବାର ଆଗ୍ରହ ଭଳି ବିଷୟକୁ ଉଜାଗର କରିଛି, ଯାହା ସେମାନଙ୍କ ଲାଗି ଅସୁଖକର ହେଉଥିବ ନିଶ୍ଚୟ। ସେହି ଦୃଷ୍ଟିରୁ ଭାରତର ବିରୋଧୀ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଏହାକୁ ଏକ ଅବିମୃଶ୍ୟକାରୀ ଅପରିପକ୍ବତା ବୋଲି ଅଭିହିତ କରାଯାଇଥାଏ, କାରଣ ଲଦାଖ ଠାରେ ଭାରତ ଓ ଚୀନ ମଧୢରେ ସୃଷ୍ଟ ତିକ୍ତତା ପ୍ରେକ୍ଷାପଟରେ ପାଶ୍ଚାତ୍ୟ ମିତ୍ର ରାଷ୍ଟ୍ରମାନଙ୍କ ଠାରୁ ଭାରତ ସମର୍ଥନ ଲାଭ କରିବାର ଆଶା ମଳିନ ପଡ଼ିପାରେ ବୋଲି ସେମାନଙ୍କ ମତ!
କିନ୍ତୁ ବାସ୍ତବରେ ଏହାର ବିପରୀତଟି ଘଟିବାକୁ ଯାଉଥିବା ଭଳି ମନେ ହୋଇଥାଏ। କାରଣ ଇତିମଧୢରେ ନୂଆଦିଲ୍ଲୀରେ ବହୁ ଦିନରୁ ଖାଲି ପଡ଼ିଥିବା ଆମେରିକୀୟ ରାଷ୍ଟ୍ରଦୂତ ପଦ ଲାଗି ନାମ ଘୋଷଣା ସରିଲାଣି, ଯାହାର କାରଣ ସମ୍ଭବତଃ ଭାରତ ଦ୍ବାରା ବ୍ୟକ୍ତ କରାଯାଉଥିବା ଅସନ୍ତୋଷମୂଳକ ପ୍ରତିକ୍ରିୟା। ଏଣେ ରାଷ୍ଟ୍ରୀୟ ସ୍ବାର୍ଥ ଯେ ସର୍ବୋପରି; ଏଭଳି ଧାରଣା ବର୍ତ୍ତମାନ ଜାପାନ ଠାରେ ମଧୢ ଉଦୟ ହୋଇଛି; ତାହା ହୋଇ ନ ଥିଲେ ଉପରୋକ୍ତ ବାସନ୍ଦ ବ୍ୟବସ୍ଥାର ଏକ ଉଦ୍ୟୋକ୍ତା ଭୂମିକାରୁ ଓହରି ଆସି ରୁଷିଆ ଠାରୁ ଶସ୍ତା ତୈଳ କ୍ରୟ କରିବାର ନିଷ୍ପତ୍ତି ଜାପାନ ନିଅନ୍ତା ନାହିଁ। ସୁତରା˚, ବ୍ୟାବହାରିକ ଦୃଷ୍ଟିରୁ ଭାରତର ନିଷ୍ପତ୍ତି ଯେ ଯଥାର୍ଥ ଏହା କ୍ରମେ ହୃଦ୍ବୋଧ ହେବାରେ ଲାଗିଲାଣି। ଏବ˚ ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଅନ୍ତତଃ ନିଷ୍କପଟ ହୋଇଥିବାରୁ ଏହା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର କପଟାଚାର ଠାରୁ ଅଧିକ ଶ୍ରେୟସ୍କର ଭଳି ମନେ ହୁଏ।
ଏଠାରେ ଆଉ ଏକ ପ୍ରଶ୍ନ ହେଲା ସ˚ପ୍ରତି ଭାରତର ବିଦେଶ ମନ୍ତ୍ରଣାଳୟ ଅଧିକ ଅସହିଷ୍ଣୁ ଓ ଆକ୍ରମଣାତ୍ମକ ହୋଇ ଉଠିଛି କି? ଏହି ସ˚ଦର୍ଭରେ ୨୦୦୨ ମସିହାରେ ଭାରତର ବିଦେଶ ସଚିବ କନଵାଲ ଶିବଲ ସ୍ମରଣକୁ ଆସନ୍ତି; ଯିଏ ଗୁଜରାଟ ଦଙ୍ଗା ପରିପ୍ରେକ୍ଷୀରେ ‘ୟୁରୋପିଆନ ୟୁନିଅନ’ ପକ୍ଷରୁ ପ୍ରଦାନ କରାଯାଇଥିବା ଏକ ଭର୍ତ୍ସନା ପତ୍ରକୁ ଗ୍ରହଣ କରିବାକୁ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରି ସୂଚାଇ ଦେଇଥିଲେ ଯେ ଭାରତରେ ସକ୍ରିୟ ଗଣମାଧୢମ, ଅଦାଲତ ଓ ନାଗରିକ ସମାଜର ଉପସ୍ଥିତି ଦେଶର ଗଣତନ୍ତ୍ରରେ ରହିଥିବା ତ୍ରୁଟିରେଖାକୁ ସମତୁଲ କରିବାକୁ ସମର୍ଥ; ସୁତରାଂ, ଏ ନେଇ ନୈତିକ ମୂଲ୍ୟବୋଧର ବିଦେଶୀ ଧ୍ବଜାଧାରୀଙ୍କ ଅଯଥା ଶିର ପୀଡ଼ାର ଆବଶ୍ୟକତା ନାହିଁ। ସୁତରା˚, ଭାରତ ଏଭଳି ଆକ୍ରମଣାତ୍ମକ ଦୃଢ଼ତା ପୂର୍ବରୁ ଦେଖି ଆସିଛି, ଯାହା ବର୍ତ୍ତମାନ ଏକ ପଥୀକୃତ୍ ଉଦ୍ୟମରେ ପରିଣତ ହୋଇଛି ଯାହା।
ରାହୁଳ ଗାନ୍ଧୀଙ୍କ ସା˚ସଦ ପଦ ରଦ୍ଦ ହେବା ପରେ ମୁଖର ଗଣମାଧୢମ ଏବ˚ ସାମାଜିକ ଗଣମାଧୢମ ତଥା ନାଗରିକ ପ୍ରତିକ୍ରିୟା କାରଣରୁ ସରକାର ଏ ସ˚ଦର୍ଭରେ ଏକ ପ୍ରକାର ଆତ୍ମରକ୍ଷାତ୍ମକ ମୁଦ୍ରାରେ ଥିବା ଭଳି ବୋଧ ହୋଇ ନ ଥାଏ କି? ସେହିଭଳି କୃଷକ ଆନ୍ଦୋଳନ କାରଣରୁ ନୂଆ କୃଷି ଆଇନ ପ୍ରତ୍ୟାହୃତ ହୋଇନାହିଁ କି? କହିବା ବାହୁଲ୍ୟ, ଏବେ ବି ଆମ ଦେଶରେ ନିର୍ବାଚନ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ପରୀକ୍ଷାରେ ଅବତୀର୍ଣ୍ଣ କରାଏ, ଅନିଶ୍ଚିତ ଭାଗ୍ୟ ନେଇ ହୃତ୍କ˚ପ ଜାତ କରାଏ। ସୁତରା˚, ଭାରତରେ ଗଣତନ୍ତ୍ରର ସ୍ବାସ୍ଥ୍ୟ ବା ଅନ୍ୟାନ୍ୟ ଆଭ୍ୟନ୍ତରୀଣ ବ୍ୟାପାରକୁ ନେଇ ଅଯଥା ପାଶ୍ଚାତ୍ୟ ଉଦ୍ବେଗ ସ୍ପୃହଣୀୟ ନୁହେଁ ଏବଂ ଏହି ପରିପ୍ରେକ୍ଷୀରେ ବିଦେଶ ବ୍ୟାପାର ମନ୍ତ୍ରୀଙ୍କ ଉକ୍ତି ଯଥାର୍ଥ। ସା˚ପ୍ରତିକ ଧୃବୀକୃତ ଏବ˚ ରାଜନୈତିକ ଦୃଷ୍ଟିରୁ ଉଷ୍ମ ପୃଥିବୀରେ ଉଦାର ସହନଶୀଳତା ଓ ତଜ୍ଜନିତ ନିରବତାକୁ ଏକ ଦୁର୍ବଳତା ରୂପେ ମଧୢ ପରିଭାଷିତ କରାଯାଇପାରେ! ୨୦୧୩ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ‘ବ୍ଲାକ ଲାଇଭ୍ସ ମ୍ୟାଟର’ ଆନ୍ଦୋଳନ ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ଯଦି ନକାରାତ୍ମକ ମନ୍ତବ୍ୟ ପ୍ରଦାନ କରାଯାଇ ଥାଆନ୍ତା, ତେବେ ଉଦାରଚେତା ଆମେରିକା ତାହା ସହ୍ୟ କରିଥାଆନ୍ତା କି?
ସତ କଥା ହେଲା, ସ˚ପ୍ରତି ରାଷ୍ଟ୍ରଗୁଡ଼ିକ ମଧୢରେ ଛନ୍ଦାଛନ୍ଦି ହୋଇ ରହିଥିବା ରାଜନୈତିକ, ରଣନୈତିକ ଓ ବାଣିଜ୍ୟିକ ସ˚ପର୍କ ମଧୢରେ ମୋଟା ବା ପତଳା ଚର୍ମ ଭଳି ପ୍ରସଙ୍ଗ ଅଚଳ ହୋଇଗଲାଣି। ଉଦାହରଣ ସ୍ବରୂପ ଭାରତ ଓ ଚୀନ ମଧୢରେ ତିକ୍ତତା ଶିଖର ସ୍ପର୍ଶ କରିଥିବା ବେଳେ ଦୁଇ ରାଷ୍ଟ୍ର ମଧୢରେ ବାଣିଜ୍ୟିକ କାରବାର ଆଶାତୀତ ଭାବେ ବୃଦ୍ଧି ପାଇ ଚାଲିଥିଲା। ସେହି ଭଳି ଚୀନକୁ ପ୍ରତିହତ କରିବା ଲାଗି ଭାରତ ଯେଉଁ ଅସ୍ତ୍ରମାନ ବ୍ୟବହାର କରୁଛି ବା କରିବ ତାହା ରୁଷିଆ ଦ୍ବାରା ନିର୍ମିତ ଏବ˚ ଯାହାର ଯୋଗାଣ ରୁଷିଆ ପକ୍ଷରୁ ଅବ୍ୟାହତ ରହିିବ; ଯଦିଓ ରୁଷିଆ ହେଉଛି ଚୀନର ସର୍ବାଧିକ ଘନିଷ୍ଠ ମିତ୍ର ରାଷ୍ଟ୍ର। ଏଭଳି ସ୍ଥଳେ ମୋଟା ବା ପତଳା ଚର୍ମ ଭଳି ପ୍ରସଙ୍ଗ ଲାଗି ଅବକାଶ କେଉଁଠି? ଅର୍ଥାତ୍ ମୂଳ କଥା ହେଲା, ପରସ୍ପର ବିରୋଧରେ ଶାଣିତ ବୟାନବାଜିର ଝଡ଼ ତଳେ ଯାହା ଘଟି ଚାଲିଥିବ ଏବ˚ ଘଟି ଚାଲିବା ସମୀଚୀନ ମଧୢ, ତାହା ହେଉଛି ବାସ୍ତବବାଦୀ ଆଭିମୁଖ୍ୟ ସହିତ ଆପଣା ରାଷ୍ଟ୍ର ଲାଗି ସର୍ବୋତ୍ତମ ହିତର ଚିନ୍ତା!