‘ଉପେଭାକ୍ତା ଉପୁରି’ (‘କନ୍ସ୍ୟୁମର୍ସ ସର୍ପ୍ଲସ୍’) ହେଉଛି ଅର୍ଥଶାସ୍ତ୍ରର ଏକ ସୁପରିଚିତ ପ୍ରାରମ୍ଭିକ ଧାରଣା। କୌଣସି ଦ୍ରବ୍ୟ ବା ସେବା ପାଇଁ ଜଣେ ଉପଭୋକ୍ତା ଯେଉଁ ଦାମ୍ ଦେବାକୁ ପ୍ରସ୍ତୁତ ଥାଏ, ଯଦି ତା’ଠାରୁ କମ୍ ଦାମ୍ରେ ତାହା ତା’କୁ ମିଳିଯାଏ, ତେବେ ଉଭୟ ଦାମ୍ ମଧ୍ୟରେ ଥିବା ତଫାତ୍ଟି ଉପଭୋକ୍ତାଙ୍କୁ ଉପୁରି ମିଳିବା ଭଳି ହୋଇଥାଏ। ଗତ ଗୁରୁବାର ଦିନ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆର୍ବିଆଇ)ର ମୁଦ୍ରାନୀତି ନିର୍ଦ୍ଧାରଣକାରୀ କମିଟି ତା’ର ଦ୍ବିମାସିକ ବୈଠକରେ ଦେଶର ଦିଗ୍ଦର୍ଶକ ସୁଧ ହାର ‘ରେପୋ ରେଟ୍’ ସମ୍ବନ୍ଧେର କରିଥିବା ଘୋଷଣା ହେଉଛି ଏହିପରି ଏକ ଉପଭୋକ୍ତା ଉପୁରି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଏହି କମିଟି (‘ଏମ୍ପିସି’)ର ବୈଠକ ଅନୁଷ୍ଠିତ ହେବା ପୂର୍ବରୁ ଏ ସମ୍ପର୍କରେ ପୂର୍ବାନୁମାନ କରୁଥିବା ସମସ୍ତ ବିତ୍ତୀୟ ବିଶେଷଜ୍ଞମାନେ ପ୍ରାୟ ଏକମତ ଥିଲେ ଯେ ‘ଏମ୍ପିସି’ ସୁଧ ହାରରେ ଏଥର ପୂର୍ବଧାରା ଅବ୍ୟାହତ ରଖି ପୁଣି ଏକ ବୃଦ୍ଧି ଘଟାଇବାକୁ ଯାଉଛି ଏବଂ ସେଇ ବୃଦ୍ଧି ଏକ ଅପେକ୍ଷାକୃତ ନୀଚା ୨୫୦ ବେସିସ୍ ପଏଣ୍ଟ (୦.୨୫ ଶତାଂଶ) ମଧ୍ୟରେ ସୀମିତ ରହିବ। ଦେଶର ସବୁ ଶ୍ରେଣୀର ଋଣଗ୍ରହୀତାମାନେ ତେଣୁ ମାନସିକ ସ୍ତରରେ ସୁଧ ହାରରେ ଏହି ଆକାରର ଏକ ବୃଦ୍ଧି ଘଟିବାକୁ ଯାଉଛି ବୋଲି ପ୍ରାୟ ନିଶ୍ଚିତ ହୋଇ ସେଥିପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ବୈଠକରେ କିନ୍ତୁ ‘ଏମ୍ପିସି’ର ଛ’ଜଣଯାକ ସଦସ୍ୟ ସହମତି ଭିତ୍ତିରେ ଯେଉଁ ନିଷ୍ପତ୍ତି ନେଲେ, ତାହା ହେଲା ‘ରେପୋ ରେଟ୍’କୁ ଚଳିତ ହାର ୬.୫ ଶତାଂଶରେ ଅପରିବର୍ତ୍ତିତ ରଖିବା। ଏହା ତେଣୁ ଋଣ ଗ୍ରହୀତାମାନଙ୍କୁ ଏକ ଉପଭୋକ୍ତା ଉପୁରି ଉପହାର ସଦୃଶ ମନେ ହୋଇଥାଏ, ଯାହାର ପରିମାଣ ହେଉଛି ସତେ ଯେମିତି ସୁଧ ହାରରେ ଏକ ୦.୨୫ ଶତାଂଶ କାଟ।
ଯାହା ସମସ୍ତଙ୍କୁ ଜଣା, ତାହା ହେଲା ମୁଦ୍ରାସ୍ଫୀତିକୁ କାବୁ କରିବା ଉଦ୍ଦେଶ୍ୟରେ ହିଁ ନିକଟ ଅତୀତରେ ରିଜର୍ଭ ବ୍ୟାଙ୍କ୍ ଲଗାତାର ସୁଧ ହାରରେ ବୃଦ୍ଧି ଘଟାଇ ଚାଲିଛି। କେବଳ ଭାରତରେ ନୁହେଁ, ଆମେରିକା, ବ୍ରିଟେନ୍, ଇଉରୋପୀୟ ୟୁନିଅନ୍, ଜାପାନ୍ ସମେତ ପୃଥିବୀର ଅଧିକାଂଶ ଦେଶ ବା ରାଷ୍ଟ୍ରସଂଘର କେନ୍ଦ୍ରୀୟ ବ୍ୟାଙ୍କ୍ମାନେ ମୁଦ୍ରାସ୍ଫୀତିର ମୁକାବିଲା ନିମିତ୍ତ ଅନୁରୂପ ନୀତି ଅବଲମ୍ବନ କରି ଚାଲିବା ଦେଖାଯାଇଛି, ଯେମିତି ଏଇମାତ୍ର ଉଭୟ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ ‘ଫେଡେରାଲ୍ ରିଜର୍ଭ’ ଓ ବ୍ରିଟେନ୍ର ‘ବ୍ୟାଙ୍କ୍ ଅଫ୍ ଇଂଲାଣ୍ଡ’ ସେମାନଙ୍କର ସୁଧ ହାରରେ ୨୫୦ ବେସିସ୍ ପଏଣ୍ଟ ଲେଖାଏଁ ବୃଦ୍ଧି ଘଟାଇଛନ୍ତି। କିନ୍ତୁ ଆଗାମୀ ସମୟରେ ସେମାନେ ମଧ୍ୟ ସୁଧ ହାର ବୃଦ୍ଧି ଧାରାରେ ବିରତି ଘଟାଇବାକୁ ଯାଉଛନ୍ତି ବୋଲି ଇସାରା ଦେଇଛନ୍ତି।
ଭାରତରେ ରିଜର୍ଭ ବ୍ୟାଙ୍କ ଏଥର ସୁଧ ହାରରେ ବୃଦ୍ଧି ଅବ୍ୟାହତ ରଖିବ ବୋଲି ବିଶେଷଜ୍ଞମାନେ ଯେଉଁ ପୂର୍ବାନୁମାନ କରିଥିଲେ, ତା’ ପଛରେ ଅବଶ୍ୟ ଦୃଢ଼ କାରଣ ନିହିତ ଥିଲା; ତାହା ହେଲା ଏଠାରେ ଖାଉଟି ମୁଦ୍ରାସ୍ଫୀତି ହାର ନଛୋଡ଼ବନ୍ଦା ଭାବରେ ନିର୍ଦ୍ଧାରିତ ସହନ ବଳୟର ଉପର ସୀମା ୬ ଶତାଂଶ ହାର ଉପରେ ରହି ଚାଲିଛି। ମୁଦ୍ରାସ୍ଫୀତି ସହିତ ଯୁଦ୍ଧ କରିବା ପାଇଁ ଏକ କେନ୍ଦ୍ରୀୟ ବ୍ୟାଙ୍କ୍ ପାଖରେ ଉପଲବ୍ଧ ମୁଖ୍ୟ ଅସ୍ତ୍ର ହେଉଛି ସୁଧ ହାରରେ ବୃଦ୍ଧି, ଯେଉଁ କାରଣରୁ ଅନ୍ୟ ଦେଶମାନଙ୍କରେ ମଧ୍ୟ ସୁଧ ହାରରେ ହ୍ରାସ ଘଟାଇବାକୁ କେନ୍ଦ୍ରୀୟ ବ୍ୟାଙ୍କ୍ମାନେ କୁଣ୍ଠିତ ହେଉଛନ୍ତି। ବର୍ତ୍ତମାନ କିନ୍ତୁ କେତେକ କାରଣରୁ ଏହି ଅସ୍ତ୍ରର ଫଳପ୍ରଦତା ନେଇ କେତେକ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ସୁଧ ହାରରେ ବୃଦ୍ଧି ଯେଉଁ ବାଟ ଦେଇ ମୁଦ୍ରାସ୍ଫୀତି ଅର୍ଥାତ୍ ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ଲଗାଇଥାଏ, ତାହା ହେଉଛି ଏଇଭଳି: ଏହା ଋଣ ଉପରେ ନିର୍ଭରଶୀଳ ଖାଉଟି ବ୍ୟୟ ଓ ନିବେଶ ବ୍ୟୟକୁ ଅଧିକ ମହଙ୍ଗା କରିବା ଦ୍ବାରା ବଜାରରେ ମୋଟ ଚାହିଦାରେ ସଂକୋଚନ ଘଟିଥାଏ। ଚାହିଦାରେ ସଂକୋଚନର ପ୍ରଭାବ ଦ୍ବିବିଧ ହୋଇଥାଏ। ଗୋଟିଏ ହେଲା, ଚାହିଦା ହ୍ରାସ ପାଇଲେ ଦରଦାମରେ ହ୍ରାସ ଘଟେ। ଅନ୍ୟଟି ହେଲା, ଏହା ଉତ୍ପାଦନକୁ ନିରୁତ୍ସାହିତ କରି ଅଭିବୃଦ୍ଧି ପ୍ରତି ବାଧା ସୃଷ୍ଟି କରେ। ତେବେ ଦେଶରେ ଉତ୍ପାଦନ କ୍ଷମତାର ଯଦି ସମ୍ପୂର୍ଣ୍ଣ ଉପଯୋଗ ହୋଇ ସାରିଥିବା ପରବର୍ତ୍ତୀ ଅବସ୍ଥାରେ ମୁଦ୍ରାସ୍ଫୀତି ଦେଖା ଦେଇଥାଏ, ତା’ହେଲେ ସୁଧ ହାର ବୃଦ୍ଧି ଦ୍ବାରା ମୁଦ୍ରାସ୍ଫୀତିରେ ହ୍ରାସ ଘଟାଇବା ନିମିତ୍ତ ଉଦ୍ୟମ ଯୋଗୁଁ ଅଭିବୃଦ୍ଧି ବ୍ୟାହତ ହେବ ନାହିଁ। କିନ୍ତୁ ଯଦି ଅର୍ଥନୀତିର ଉତ୍ପାଦନ କ୍ଷମତା ସମ୍ପୂର୍ଣ୍ଣରୂପେ ବ୍ୟବହୃତ ହୋଇନଥାଏ ଏବଂ ତେଣେ ଅନ୍ୟାନ୍ୟ ବାହ୍ୟ କାରଣ ଯୋଗୁଁ ମୁଦ୍ରାସ୍ଫୀତିରେ ହ୍ରାସ ଘଟୁନଥାଏ, ତେବେ ସୁଧ ହାରରେ ବୃଦ୍ଧି ଘଟାଇ ଚାଲିଲେ ମୁଦ୍ରାସ୍ଫୀତି ପରିସ୍ଥିତିରେ କୌଣସି ଉନ୍ନତି ଘଟିନଥାଏ ଓ ଅପରପକ୍ଷେ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ।
ବର୍ତ୍ତମାନ ପୃଥିବୀବ୍ୟାପୀ ଦେଖା ଦେଇଥିବା ମୁଦ୍ରାସ୍ଫୀତିର ଯେଉଁ ସବୁ କାରଣମାନ ନୀତି ନିର୍ଦ୍ଧାରକମାନଙ୍କୁ ବିବ୍ରତ କରିଛି, ସେଥିରେ ଅନ୍ତର୍ଭୁକ୍ତ ରହିଛି କୋଭିଡ୍ ପାଣ୍ଡେମିକ୍ରୁ ଆରମ୍ଭ କରି ଯୁକ୍ରେନ୍ ଯୁଦ୍ଧ ଓ ଆନ୍ତର୍ଜାତିକ ତୈଳ ଦର ବୃଦ୍ଧି ପର୍ଯ୍ୟନ୍ତ। ଏ ସମସ୍ତ ହେଉଛନ୍ତି ଯୋଗାଣ ପାର୍ଶ୍ବର କାରଣମାନ, ଯାହା ଉପରେ ଚାହିଦା ପାର୍ଶ୍ବ ପ୍ରତି ପ୍ରୟୋଗ କରାଯାଉଥିବା ସୁଧ ହାର ବୃଦ୍ଧି ରୂପକ ଅସ୍ତ୍ରର କୌଣସି ପ୍ରଭାବ ପଡ଼ିବ ନାହିଁ। ସେଇଥିପାଇଁ ଅଧିକାଂଶ ଦେଶରେ ସୁଧ ହାରରେ ବୃଦ୍ଧି ଦ୍ବାରା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରାଯାଇପାରିନାହିଁ ଓ ଏଥିଯୋଗୁଁ ବରଂ ଦେଶର ଅର୍ଥନୈତିକ ଅଭିବୃଦ୍ଧି ବାଧା ପାଇଛି।
ଏହି କାରଣରୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ସୁଧହାର ବୃଦ୍ଧି ନୀତିର ଭୂମିକା ସମ୍ବନ୍ଧରେ ଯେତେବେଳେ ପୁନର୍ବିଚାର ଆରମ୍ଭ ହୋଇଥିଲା, ସେତିକିବେଳେ ଆବିର୍ଭୂତ ହୋଇଥିବା ଅନ୍ୟ ଏକ ଅପ୍ରତ୍ୟାଶିତ ସଂକଟ ମୁଦ୍ରାସ୍ଫୀତି ସମରରେ ସର୍ବଦା ସର୍ବାଗ୍ରେ ବ୍ୟବହୃତ ହୋଇ ଆସୁଥିବା ଏହି ପାରମ୍ପରିକ ଅସ୍ତ୍ରର ଏପରି ଏକ ଭୟାନକ ପାର୍ଶ୍ବ ପ୍ରଭାବ ପ୍ରତି ଦୃଷ୍ଟି ଆକର୍ଷଣ କରିଛି, ସତେ ଯେମିତି ତାହା ହେଉଛି ଏକ ଆଣବିକ ଅସ୍ତ୍ର। ବର୍ତ୍ତମାନ ଏହା ଏକ ପ୍ରକାର ସାଧାରଣ ଜ୍ଞାନରେ ପରିଣତ ହୋଇସାରିଲାଣି ଯେ ଆମେରିକାରେ ‘ଫେଡେରାଲ୍ ରିଜର୍ଭ’ ସେଠାରେ ସୁଧ ହାରରେ ଘଟାଇଥିବା ଦ୍ରୁତ ଓ ତୀକ୍ଷ୍ଣ ବୃଦ୍ଧି ଯୋଗୁଁ ବଜାରରେ ବଣ୍ଡ୍ ମୂଲ୍ୟରେ ତୀବ୍ର ସ୍ଖଳନ ଘଟିବାରୁ କେତେକ ବ୍ୟାଙ୍କ୍ ଭୁଶୁଡ଼ି ପଡ଼ି ଏକ ବଡ଼ ଧରଣର ବିତ୍ତୀୟ ବିପର୍ଯ୍ୟୟର ଆଶଙ୍କା ସୃଷ୍ଟି ହୋଇଥିଲା, ଯାହାକୁ ସେ ଦେଶର ସରକାର ଓ ଫେଡେରାଲ୍ ରିଜର୍ଭ ପ୍ରାଣମୂର୍ଚ୍ଛା ଉଦ୍ୟମ କରି କୌଣସି ମତେ ଅଟକାଇ ଦେଇ ପାରିଛନ୍ତି। ଭାରତ ଭଳି ଦେଶରେ ଏଭଳି ଘଟଣା କେବେ ଘଟିନଥିଲେ ହେଁ, ଏକାଭଳି ଅର୍ଥନୈତିକ ବ୍ୟବସ୍ଥା ଅନୁସରଣ କରୁଥିବା ଯେ କୌଣସି ଦେଶରେ ଯେ ଏହା ଘଟିପାରେ, ସେହି ସମ୍ଭାବନା ସୁଧ ହାର ବୃଦ୍ଧି ପ୍ରତି ଏକ ନୂତନ ଦୃଷ୍ଟିଭଙ୍ଗୀ ଗ୍ରହଣ କରିବା ପାଇଁ ପୃଥିବୀ ସାରାର କେନ୍ଦ୍ରୀୟ ବ୍ୟାଙ୍କ୍ମାନଙ୍କୁ ବାଧ୍ୟ କରିଛି। ଏଥିରେ ସନ୍ଦେହ ନାହିଁ, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସୁଧ ହାର ବୃଦ୍ଧିରେ ଘଟାଇଥିବା ବର୍ତ୍ତମାନର ବିରତି ପଛରେ ଥିବା କାରଣମାନଙ୍କ ମଧ୍ୟରୁ ଏହା ହେଉଛି ଅନ୍ୟତମ।
ଏଥି ସହିତ, ଏହା ମଧ୍ୟ ମନେ ରଖିବା କଥା ଯେ ଦେଶରେ ବର୍ତ୍ତମାନ ସାଧାରଣ ନିର୍ବାଚନ ନିକଟତର ହୋଇଆସୁଛି। ଏହି ସମୟରେ ସୁଧ ହାରରେ ବୃଦ୍ଧି ଘଟିଲେ ପୂର୍ବବର୍ଣ୍ଣିତ କାରଣମାନ ଯୋଗୁଁ ତାହାଦ୍ବାରା ମୁଦ୍ରାସ୍ଫୀତିରେ କେତେଦୂର ହ୍ରାସ ଘଟିବ କହି ହେବ ନାହିଁ, କିନ୍ତୁ ସେଥିଯୋଗୁଁ ଅଭିବୃଦ୍ଧି ଅର୍ଥାତ୍ ଆୟ ଓ ନିଯୁକ୍ତି ସୃଷ୍ଟି ବ୍ୟାହତ ହେବା ନିଶ୍ଚିତ। କ୍ଷମତାସୀନ ସରକାର କେବେହେଲେ ଏହା ଚାହିଁବ ନାହିଁ; କେନ୍ଦ୍ରୀୟ ବ୍ୟାଙ୍କ୍ ଭିନ୍ନ ନୀତି ଅବଲମ୍ବନ କରି ପାରିବ ନାହିଁ। ରିଜର୍ଭ ବ୍ୟାଙ୍କ୍ ତେଣୁ ବର୍ତ୍ତମାନ ଏହି ‘ଉପଭୋକ୍ତା ଉପୁରି’ ବିତରଣ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ଯାହା ଅଭିବୃଦ୍ଧି ପାଇଁ ସହାୟକ ହେବ ବୋଲି ଆଶା କରାଯାଏ।