ଆମେରିକୀୟ ସାମ୍ବାଦିକ ସ୍ବର୍ଗତ ମାଥ୍ୟୁ ଜୋସେଫ୍ସନ୍ଙ୍କର ୧୯୩୪ରେ ପ୍ରକାଶିତ ପୁସ୍ତକ ‘ଦି ରବର୍ ବ୍ୟାରନ୍ସ: ଦି ଗ୍ରେଟ୍ ଆେମରିକାନ୍ କ୍ୟାପିଟାଲିଷ୍ଟ୍ସ, ୧୮୬୧-୧୯୦୧’ ଆମେରିକାର ଅର୍ଥନୈତିକ ଇତିହାସରେ ‘ରବର୍ ବ୍ୟାରନ୍ସ’ ଅଭିବ୍ୟକ୍ତିକୁ ଏକ ବିଧିବଦ୍ଧ ଆସନ ପ୍ରଦାନ କରିଥିଲା, ଯାହା ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧଠାରୁ ସେଠାରେ ବିଭିନ୍ନ ପତ୍ରପତ୍ରିକାରେ ହୁଗୁଳା ଭାବରେ ବ୍ୟବହୃତ ହେବା ଦେଖାଯାଉଥିଲା। ‘ରବର୍ ବ୍ୟାରନ୍’ ଥିଲା ସେଇ ସମୟ କାଳରେ ଆମେରିକାରେ ଘଟିଥିବା ଦ୍ରୁତ ଶିଳ୍ପାୟନ ଓ ତଜ୍ଜନିତ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିକୁ ନେତୃତ୍ବ ପ୍ରଦାନ କରିଥିବା କତିପୟ ବଡ଼ବଡ଼ ଉଦ୍ୟୋଗପତିମାନଙ୍କ ପ୍ରତି ଉଦ୍ଦିଷ୍ଟ ଏକ ସାମାଜିକ ତିରସ୍କାର ସୂଚକ ବିଶେଷଣ। ସୂଚାଇବା ଅନାବଶ୍ୟକ, ‘ବ୍ୟାରନ୍’ ହେଉଛି ଆମ ଦେଶରେ ପୂର୍ବର ଜମିଦାର ସମତୁଲ୍ୟ ଏକ ଧନୀକ ସମ୍ଭ୍ରାନ୍ତ ଶ୍ରେଣୀର ପ୍ରତିନିଧିତ୍ବ କରୁଥିବା ଏକ ପଦବି; ‘ରବର୍’ ହେଉଛି ପରଧନ ଅପହରଣ କରୁଥିବା ଡକାୟତ। କହିବା ବାହୁଲ୍ୟ ଏକ ଗଣତାନ୍ତ୍ରିକ ସମାଜରେ ଏ ଉଭୟ ଚରିତ୍ରଙ୍କର ସ୍ଥାନ ନ ଥାଏ।
ଆମେରିକାରେ ସେତେବେଳେ ଉପରୋକ୍ତ ଉଦ୍ୟୋଗପତିମାନଙ୍କ ବିରୋଧରେ ଅଭିଯୋଗ ହେଉଥିଲା ଯେ ସେମାନେ ଯେଉଁ କୌଶଳ ବ୍ୟବହାର କରି ସେମାନଙ୍କର ବିଶାଳ ସମ୍ପଦ ଠୁଳ କରିଥିଲେ, ସେଥିରେ ଅନ୍ତର୍ଭୁକ୍ତ ଥିଲା: ଦେଶର ପ୍ରାକୃତିକ ସମ୍ବଳମାନ ଉପରେ କବ୍ଜା କରିବା; ଉଚ୍ଚସ୍ତରରେ ସରକାରୀ ନୀତିକୁ ପ୍ରଭାବିତ କରିବା; ବିଭିନ୍ନ ଉପାୟରେ ପ୍ରତିଯୋଗିତାକୁ ଉଧେଇବାକୁ ନ ଦେବା; ସେଆର୍ ବଜାରରେ କୃତ୍ରିମ ଭାବରେ ନିଜ ଉଦ୍ୟୋଗର ଅଂଶପତ୍ର ମୂଲ୍ୟରେ ବୃଦ୍ଧି ଘଟାଇବା; ନିଜର ଉତ୍ପାଦିତ ଦ୍ରବ୍ୟ ଓ ସେବା ସବୁର ମୂଲ୍ୟ ସେଗୁଡ଼ିକର ଉତ୍ପାଦନ ଖର୍ଚ୍ଚଠାରୁ ବହୁ ଅଧିକ ସ୍ତରରେ ନିର୍ଦ୍ଧାରିତ କରିବା, ଇତ୍ୟାଦି। ସେ ସମୟରେ ଯେଉଁ ପ୍ରମୁଖ ଶିଳ୍ପପତିମାନଙ୍କ ପ୍ରତି ଏହି ‘ରବର୍ ବ୍ୟାରନ୍’ ଉପାଧି ପ୍ରେୟାଗ କରାଯାଉଥିଲା, ସେମାନଙ୍କ ମଧ୍ୟରେ ଛାମୁଆ ଥିଲେ ଜନ୍ ରକେଫେଲର, ଆଣ୍ଡ୍ରୁ କାର୍ନେଗି, ଜେ ପି ମୋର୍ଗାନ୍, କର୍ନେଲିଅସ୍ ଭାଣ୍ଡର୍ବିଲ୍ଟଙ୍କ ଭଳି ସୁପରିଚିତ ନାମ ମାନ।
ଯେଉଁମାନେ ଜୋସେଫ୍ସନ୍ଙ୍କ ଏହି ରଚନା ସହିତ ପରିଚିତ, ସେମାନଙ୍କୁ ଏବେ ଭାରତ ପରିପ୍ରେକ୍ଷୀରେ ପ୍ରକାଶିତ ଏକ ସନ୍ଦର୍ଭ ଯଦି ‘ରବର୍ ବ୍ୟାରନ୍ସ’ର ପ୍ରତିଧ୍ବନି ଭଳି ମନେ ହେଉଥିବ, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସନ୍ଦର୍ଭଟିର ପ୍ରକାଶକ ହେଉଛି ସେଇ ଆମେରିକାର ଏକ ଗବେଷଣା ସଂସ୍ଥା, ବ୍ରୁକିଙ୍ଗ୍ସ ଇନ୍ଷ୍ଟିଚ୍ୟୁସନ୍ ଓ ରଚୟିତା ହେଉଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଜଣେ ପୂର୍ବତନ ଡେପୁଟି ଗଭର୍ନର୍, ବିରଳ ଆଚାର୍ଯ୍ୟ। ଭାରତୀୟ ଅର୍ଥନୀତିକୁ ବର୍ତ୍ତମାନ ଯେଉଁ ପାଞ୍ଚଟି ଶିଳ୍ପ ସାମ୍ରାଜ୍ୟ କବଳିତ କରି ରଖିଛନ୍ତି ବୋଲି ଆଚାର୍ଯ୍ୟ ତାଙ୍କ ସନ୍ଦର୍ଭରେ ଅଭିଯୋଗ କରିଛନ୍ତି, ସେମାନେ ହେଲେ: ଅମ୍ବାନିଙ୍କ ରିଲାଏନ୍ସ ଗ୍ରୁପ୍, ବହୁଚର୍ଚ୍ଚିତ ଆଦାନି ଗ୍ରୁପ୍, ଟାଟା ଗ୍ରୁପ୍, ଆଦିତ୍ୟ ବିରଳା ଗ୍ରୁପ୍ ଓ ସୁନୀଲ ମିତ୍ତଲ୍ଙ୍କ ଭାରତୀ ଏଆର୍ଟେଲ୍।
ଏମାନଙ୍କ ବିରୋଧରେ ତାଙ୍କର ଅଭିଯୋଗ ହେଉଛି ମୁଖ୍ୟତଃ ଦୁଇଟି କିସମର। ଗୋଟିଏ ହେଲା, ଏମାନେ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ବିକଶିତ ହେବାକୁ ନ ଦେଇ ଅର୍ଥନୀତିର ପ୍ରାୟ ଏକ-ପଞ୍ଚମାଂଶକୁ ନିୟନ୍ତ୍ରଣ କରୁଛନ୍ତି, ଏବଂ ଅନ୍ୟଟି ହେଲା ଏମାନେ ନିଜର ଏହି କ୍ଷମତାର ଦୁରୁପଯୋଗ କରି କୃତ୍ରିମ ଭାବରେ ନିଜର ଉତ୍ପାଦିତ ଦ୍ରବ୍ୟ ଓ ସେବା ସବୁର ଦର ବୃଦ୍ଧି ଘଟାଉଛନ୍ତି। ଏମାନଙ୍କ କବଳରୁ ଦେଶକୁ ରକ୍ଷା କରିବା ନିମିତ୍ତ ବିରଳ ଆଚାର୍ଯ୍ୟ ମଧ୍ୟ ଏକ ଉପାୟ ବତାଇଛନ୍ତି: ଏହି ବିଶାଳ ଶିଳ୍ପ ସାମ୍ରାଜ୍ୟଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଖଣ୍ଡରେ ବିଭକ୍ତ କରି ଦିଆଯାଉ। ଏହା ଏକ ସିଧାସଳଖ ସମାଧାନ। କିନ୍ତୁ ବିରଳ ଆଚାର୍ଯ୍ୟ ଯେଉଁଭଳି ପ୍ରଦର୍ଶିତ କରିଛନ୍ତି, ସମସ୍ୟାଟି ସେପରି ସିଧାସଳଖ କି?
ପ୍ରଥମେ ଦରଦାମ ବୃଦ୍ଧି ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ରିଜର୍ଭ ବ୍ୟାଙ୍କ୍ ତା’ ଉପରେ ନ୍ୟସ୍ତ କରାଯାଇଥିବା ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଦାୟିତ୍ବ ନିର୍ବାହ କରିବା ଉଦ୍ଦେଶ୍ୟରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଯେଉଁ ମୁଦ୍ରାସ୍ଫୀତି ହାର ଅର୍ଥାତ୍ ଦରଦାମ ବୃଦ୍ଧି ହାରକୁ ବିଚାରକୁ ନେଇଥାଏ, ତାହା ହେଲା ଖାଉଟି ଦରଦାମ ବୃଦ୍ଧି ହାର ଯେଉଁଥିରେ କୃଷିଜାତ ଖାଦ୍ୟ ଦ୍ରବ୍ୟ ଓ ଇନ୍ଧନ ଦରର ପ୍ରଭାବ ନିର୍ଣ୍ଣାୟକ ହୋଇଥାଏ। ଏ ଉଭୟ କିସମର ଦ୍ରବ୍ୟର ଦର ସରକାରୀ ନୀତି ଦ୍ବାରା ଅଧିକ ପ୍ରଭାବିତ ହୋଇଥାଏ ଏବଂ ଉପରୋକ୍ତ ବୃହତ୍ କମ୍ପାନିମାନଙ୍କର ପ୍ରଭାବ ନଗଣ୍ୟ ହୋଇଥାଏ। ଖାଦ୍ୟ ଓ ଇନ୍ଧନକୁ ବାଦ୍ ଦେଇ ଖାଉଟିମାନଙ୍କୁ ପ୍ରଭାବିତ କରୁଥିବା ଯେଉଁ ମଞ୍ଜ ମୁଦ୍ରାସ୍ଫୀତି (କୋର୍ ଇନ୍ଫ୍ଲେସନ୍) ହିସାବ କରାଯାଏ, ସେଥିପାଇଁ ବିଚାରକୁ ନିଆଯାଉଥିବା ଦ୍ରବ୍ୟ ଓ ସେବାମାନଙ୍କ ଯୋଗାଣରେ ଉପରୋକ୍ତ ବୃହତ୍ ଉଦ୍ୟୋଗମାନଙ୍କର ପ୍ରାୟ ଉପସ୍ଥିତି ନ ଥାଏ କହିଲେ ଚଳେ। ଏଭଳି ତାଲିକାରେ ଅନ୍ତର୍ଭୁକ୍ତ ଥାନ୍ତି ଶିକ୍ଷା, ସ୍ବାସ୍ଥ୍ୟ, ମନୋରଞ୍ଜନ, ଘରକରଣା ଚିଜ ଓ ଉପଭୋକ୍ତା ଯତ୍ନ ଆଦି। ଏଣୁ ପ୍ରାୟ ଏକ ଦଶନ୍ଧିରୁ ଅଧିକ କାଳ ଧରି ଅପେକ୍ଷାକୃତ ଉଚ୍ଚା ରହି ଆସିଥିବା ମଞ୍ଜ ମୁଦ୍ରାସ୍ଫୀତି ପାଇଁ ମଧ୍ୟ ଆଚାର୍ଯ୍ୟଙ୍କ ତାଲିକାଭୁକ୍ତ ପଞ୍ଚ ମୂର୍ତ୍ତିଙ୍କୁ ଦାୟୀ କରିବା ଯୁକ୍ତିଯୁକ୍ତ ନୁହେଁ।
ଆଚାର୍ଯ୍ୟଙ୍କ ଅନ୍ୟ ଅଭିଯୋଗ ଅନୁସାରେ କେବଳ କ୍ଷୁଦ୍ର ମୀନ ମାନଙ୍କୁ ଖାଇ ଏହି ପାଞ୍ଚଟି ବଡ଼ ମାଛଙ୍କର କାୟାବୃଦ୍ଧି ଘଟିଛି, ତାହା ନୁହେଁ; ସେମାନେ ମଧ୍ୟ ଆକାରରେ ସେମାନଙ୍କ ଠିକ୍ ତଳକୁ ଥିବା ପାଞ୍ଚଟି କମ୍ପାନିଙ୍କ ଆହାର ଛଡ଼ାଇ ନେଇ ନିଜର ଶ୍ରୀବୃଦ୍ଧି ଘଟାଇଥିବା ବେଳେ, ସେମାନଙ୍କୁ ଶୀର୍ଣ୍ଣକାୟ କରି ଦେଇଛନ୍ତି। ଉଦାହରଣ ସ୍ବରୂପ ୧୯୯୧ରେ ଅର୍ଥନୀତିର ଅଣବିତ୍ତୀୟ କ୍ଷେତ୍ରସ୍ଥ ମୋଟ ପରିସମ୍ପତ୍ତିର ୧୦ ଶତାଂଶ ଉପରୋକ୍ତ ପାଞ୍ଚଟି ବୃହତ୍ତମ ଶିଳ୍ପ ସାମ୍ରାଜ୍ୟ ଦଖଲରେ ଥିବା ବେଳେ, ୨୦୨୧ରେ ତାହା ବୃଦ୍ଧି ପାଇ ହୋଇଥିଲା ପ୍ରାୟ ୧୮ ଶତାଂଶ। ସେଇ ସମୟ ମଧ୍ୟରେ ପରବର୍ତ୍ତୀ ପଞ୍ଚବୃହତ୍ କମ୍ପାନିମାନେ ଠିକ୍ ଏହାର ବିପରୀତ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ: ସେମାନଙ୍କର ଅଂଶ ୧୮ ଶତାଂଶରୁ ହ୍ରାସ ପାଇ ହୋଇଥିଲା ୯ ଶତାଂଶ।
ଏହା ଅବଶ୍ୟ ଚିନ୍ତାଜନକ। କିନ୍ତୁ ଏହାର ସମାଧାନ ନୁହେଁ, ଦେଶର ପଞ୍ଚ ବୃହତ୍ତମ ଉଦ୍ୟୋଗମାନଙ୍କୁ ଖଣ୍ଡ ବିଖଣ୍ଡିତ କରିଦେଇ ସେମାନଙ୍କ ଅର୍ଥନୈତିକ ଶକ୍ତିରେ ହ୍ରାସ ଘଟାଇବା। ଆମେରିକା ଦୀର୍ଘ କାଳ ଧରି ଯେଉଁ ପୃଥିବୀର ବୃହତ୍ତମ ଅର୍ଥନୀତି ଆସନ ଦଖଲ କରି ରହିଛି, ତାହା ଆମେରିକୀୟ କ୍ଷୁଦ୍ର ଶିଳ୍ପମାନଙ୍କର ଅବଦାନ ନୁହେଁ, ତାହା ହେଉଛି ସେଦିନର ସେଇ ‘ରବର୍ ବ୍ୟାରନ୍’ମାନଙ୍କର ଅବଦାନ, ଯେଉଁ ପରମ୍ପରାକୁ ଆଜିର ଆମାଜନ୍ ବା ମାଇକ୍ରୋସଫ୍ଟ ପରି ବିଶାଳ କମ୍ପାନିମାେନ ବଜାୟ ରଖିଛନ୍ତି। ସେଇଭଳି ଆଲିବାବାରୁ ହୁଆୱେ ପର୍ଯ୍ୟନ୍ତ ଭଳି ବିଶାଳ କମ୍ପାନିମାନେ ଚୀନ୍କୁ ଏବେ ପୃଥିବୀର ଦ୍ବିତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିଛନ୍ତି। ଦକ୍ଷିଣ କୋରିଆର ଚମକପ୍ରଦ ଅର୍ଥନୈତିକ ସଫଳତାରେ ସେଠାକାର ‘ଚାଏବଲ୍’ମାନଙ୍କର ଭୂମିକା କି˚ବଦନ୍ତିରେ ପରିଣତ ହୋଇଛି।
ପୃଥିବୀରେ ଯେତେବେଳେ ଚୀନ୍ର ଅଭ୍ୟୁତ୍ଥାନ ପରେ ଏବେ ଏକ ତୀବ୍ର ଅର୍ଥନୈତିକ ଓ ସାମରିକ ପ୍ରତିଯୋଗିତା ମୁଣ୍ଡ ଟେକିବାକୁ ଲାଗିଛି, ସେତିକିେବେଳ ଆମର ସୁଦକ୍ଷ ଶିଳ୍ପଗୋଷ୍ଠୀମାନଙ୍କୁ ବିଭାଜିତ କରି ଦୁର୍ବଳ କରିଦେବା ପ୍ରସ୍ତାବ କେବଳ ଭାରତୀୟ ଅର୍ଥନୀତିକୁ ଯେ ଦୁର୍ବଳ କରିବ, ତାହା ନୁହେଁ, ଜାତୀୟ ନିରାପତ୍ତାକୁ ମଧ୍ୟ ବିପନ୍ନ କରିବ। ପ୍ରଣିଧାନଯୋଗ୍ୟ ଯେ ଏହି ଶିଳ୍ପ ଗୋଷ୍ଠୀମାନେ ଯେପରି ଖାଉଟିମାନଙ୍କ ସ୍ବାର୍ଥହାନି ନ ଘଟାନ୍ତି ଓ ଅର୍ଥନୀତିକୁ ବିପଥଗାମୀ ନ କରନ୍ତି ତାହା ନିଶ୍ଚିତ କରିବା ନିମିତ୍ତ ଦେଶରେ ‘କମ୍ପିିଟିସନ୍ କମିସନ୍’ ନାମକ ସଂସ୍ଥା କାର୍ଯ୍ୟ କରୁଛି। ଆଚାର୍ଯ୍ୟଙ୍କ ଧ୍ବଂସାତ୍ମକ ପନ୍ଥା ଅନୁସରଣ କରିବା ପରିବର୍ତ୍ତେ ଏହି ସଂସ୍ଥାର ଦକ୍ଷତା ବୃଦ୍ଧି ପ୍ରତି ଧ୍ୟାନ ଦେବା ଦେଶ ପାଇଁ ବହୁ ଅଧିକ ମଙ୍ଗଳପ୍ରଦ ହେବ।