ଭାରତର ଦୁଇ ମହାକାବ୍ୟ ରାମାୟଣ ଏବଂ ମହାଭାରତର ପାଠକମାନେ ସତ୍ୟ ଏବଂ ଷଡ୍‌ଯନ୍ତ୍ର ଭଳି ବିଭାବ ସହ ଏତେ ଭଲ ଭାବରେ ପରିଚିତ ଯେ ସେମାନଙ୍କୁ ଏ ସଂପର୍କରେ କିଛି କହିବାବେଳେ କୌଣସି ଉଦାହରଣ ଦେବାର ପ୍ରୟୋଜନ ଅନୁଭୂତ ହୁଏ ନାହିଁ। ରାମାୟଣରେ ବିଭୀଷଣ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ର ଯାହାଙ୍କୁ ତାଙ୍କର ଅନୁରାଗୀମାନେ ସତ୍ୟାର୍ଥୀ ବୋଲି କହିଥାଆନ୍ତି। ସେମାନଙ୍କର ମତରେ ବିଭ‌ୀଷଣ ସତ୍ୟ ଓ ଧର୍ମ ସହିତ ଥିବାରୁ ବଡ଼ଭାଇ ରାବଣଙ୍କର ବିରୋଧ କରି ଶ୍ରୀରାମଙ୍କ ସହ ଆସି ହାତ ମିଳେଇଥିଲେ। ଏହା ସତ୍ତ୍ବେ ଆଉ ଗୋଟିଏ ବର୍ଗ ବିଭୀଷଣଙ୍କୁ ବିଶ୍ବାସଘାତକର ଅପଖ୍ୟାତି ଦେଇ ଗୃହଶତ୍ରୁ କହିଥାଆନ୍ତି। ସୁତରାଂ ସତ୍ୟ ଓ ଷଡ୍‌ଯନ୍ତ୍ର ଭଳି କଥା ସହ କ୍ଷମତା-ରାଜନୀତିର ସମ୍ବନ୍ଧ ଅତ୍ୟନ୍ତ ପୁରୁଣା। ସାଧାରଣ ବ୍ୟକ୍ତି ସୁଦ୍ଧା ନିଜ ଜୀବନରେ ଏଭଳି ତତ୍ତ୍ବର କିଛି କିଛି ଅନୁଭବୀ ହେବା ଅତ୍ୟନ୍ତ ସ୍ବାଭାବିକ।

Advertisment

ସତ୍ୟ ଓ ଷଡ୍‌ଯନ୍ତ୍ର ପ୍ରସଙ୍ଗର ଅବତାରଣା କରିବାର କାରଣ ହେଲା ଗତ କିଛିଦିନ ଭିତରେ ଏଭଳି କେତୋଟି ଘଟଣା ଘଟିଛି ଯାହା ପୁଣିଥରେ ରାମାୟଣ-ମହାଭାରତ ସହ ଉଇଲିୟମ୍‌ ସେକ୍‌ସପିଅରଙ୍କ ନାଟକ ‘ଜୁଲିଅସ ସିଜର’ର ସେହି ଉତ୍କଣ୍ଠାପୂର୍ଣ୍ଣ କରୁଣ ହତ୍ୟା ଦୃଶ୍ୟ ସ୍ମରଣକୁ ଆଣିଛି, ଯେଉଁଠି ସିଜର ଆତତାୟୀମାନଙ୍କ ମଧ୍ୟରେ ବ୍ରୁଟସଙ୍କୁ ଦେଖି କହିଥିଲେ ‘ଏତ ତୁ ବ୍ରୁଟ୍‌ (ତୁମେ ମଧ୍ୟ ଏମାନଙ୍କ ସାଙ୍ଗରେ, ବ୍ରୁଟସ)।’ ଜୁଲିଅସ ସିଜର କେବେ ଆଶା କରି ନ ଥିଲେ ଯେ ଷଡ୍‌ଯନ୍ତ୍ରକାରୀଙ୍କ ମଧ୍ୟରେ ବ୍ରୁଟସ ମଧ୍ୟ ଥିବେ। ଏ ଉପଲବ୍‌ଧି ତାଙ୍କୁ ମରଣଠାରୁ ସୁଦ୍ଧା ଅଧିକ ନିର୍ମମ ମନେ ହୋଇଥିଲା।

କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏବେ ତାଙ୍କ ରାଜନୈତିକ ଜୀବନର ସବୁଠାରୁ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛନ୍ତି। ୨୦୨୪ର ଲୋକସଭା ନିର୍ବାଚନ କେବଳ ତାଙ୍କର ଦଳ ନୁହେଁ, ତାଙ୍କର ନିଜର ଅସ୍ତିତ୍ବ ପ୍ରସଙ୍ଗ ମଧ୍ୟ ସ୍ଥିର କରିବ। ଇତିମଧ୍ୟରେ ସେ ତାଙ୍କ ଜୀବନର ଦୀର୍ଘତମ ପଦଯାତ୍ରା ସଂପନ୍ନ କରି ସାଧାରଣ ଭାରତୀୟଙ୍କ ଦୃଷ୍ଟିରେ କିଛି କିଛି ଲୋକପ୍ରିୟତା ସଂଗ୍ରହ କରିଥିବାବେଳେ ତାଙ୍କୁ କଟୁ ଭାଷାରେ ସମାଲୋଚନା କରିବାକୁ ଆଗେଇ ଆସିଛନ୍ତି, ତାଙ୍କ ଅତୀତ ଦିନର ଘନିଷ୍ଠ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ହିମନ୍ତ ବିଶ୍ବଶର୍ମା ଏବଂ ଅନିଲ କେ. ଆଣ୍ଟୋନି ପ୍ରମୁଖ ପରିଚିତ ନେତାଗଣ। ସେମାନେ କଠୋର ଶବ୍ଦରେ କଂଗ୍ରେସ ଦଳର ପରିଚାଳନାଗତ ଅବ୍ୟବସ୍ଥାକୁ ସମାଲୋଚନା କରିବା ସହ ଏହି ପୁରୁଣା ଦଳ ଭିତରେ ଆଦୌ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି। ଆଣ୍ଟୋନି ଆଉ ପାଦେ ଆଗକୁ ଯାଇ କହିଛନ୍ତି ଯେ, କଂଗ୍ରେସ ଦଳ ପାଇଁ କାମ କରିବା ଅର୍ଥ ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ପରିବାର ପାଇଁ କାମ କରିବା, ଯାହା ସେ ଚାହାନ୍ତି ନାହିଁ। ତାଙ୍କର ଉଦ୍ଦେଶ୍ୟ ଦେଶ ପାଇଁ କାମ କରିବା ଏବଂ ସେଥିପାଇଁ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ବୋଲି ଆଣ୍ଟୋନି ପ୍ରକାଶ କରିଛନ୍ତି। ଗୁଲାମ ନବୀ ଆଜାଦ କଂଗ୍ରେସର ଜଣେ ଅତି ପୁରୁଣା ଓ ଅଭିଜ୍ଞ ସଦସ୍ୟ ଥିଲେ। ସେ ଏହି ଦଳର ସଭ୍ୟ ଭାବେ ସର୍ବୋଚ୍ଚ କାର୍ଯ୍ୟକାରୀ କମିଟିର ସଦସ୍ୟ ହୋଇଛନ୍ତି, କେନ୍ଦ୍ରମନ୍ତ୍ରୀ ଏବଂ ଜମ୍ମୁକାଶ୍ମୀରର ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଛନ୍ତି। କଂଗ୍ରେସ ସହ ତାଙ୍କର ସଂପର୍କ ଇନ୍ଦିରା ଗାନ୍ଧୀଙ୍କ ଠାରୁ ନେଇ ରାହୁଳଙ୍କ ପର୍ଯ୍ୟନ୍ତ ପ୍ରଲମ୍ବିତ ଥିଲା।

ସେପରି ଜଣେ ଅଭିଜ୍ଞ ନେତା ଯେତେବେଳେ କହୁଛନ୍ତି ଯେ, କଂଗ୍ରେସ ଦଳ ଭିତରେ ଗଣତନ୍ତ୍ର ପ୍ରତି କୌଣସି ଆଦର ନାହିଁ, ସେତେବେଳେ ରାଜନୀତି ସମ୍ବନ୍ଧରେ ବିଶେଷ ଆଗ୍ରହ ରଖୁ ନ ଥିବା ସାଧାରଣ ଲୋକେ ଏହି କଥାକୁ ଗ୍ରହଣ କରିବା ସ୍ବାଭାବିକ। ଉପର୍ଯ୍ୟୁକ୍ତ ନେତାମାନଙ୍କର ବିବୃତିକୁ ସତ୍ୟର ଉଦ୍‌ଘାଟନ ବୋଲି ଅଭିହିତ କରାଯିବ ନା ରାହୁଳ ଗାନ୍ଧୀଙ୍କ ପ୍ରତି ଷଡ୍‌ଯନ୍ତ୍ର ବୋଲି କୁହାଯିବ ତାହା ନେଇ ଭିନ୍ନ ଭିନ୍ନ ମତ ଅବଶ୍ୟ ରହିବ। କାରଣ ରାଜନୀତିରେ ସବୁକିଛି ସମ୍ଭବ। ଆମେ ଏସବୁ ଉଲ୍ଲେଖ କରିବାର ତାତ୍ପର୍ଯ୍ୟ ଏହା ନୁହେଁ ଯେ, ଏହି ରାଜନେତାମାନେ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ କିମ୍ବା ସଂପୂର୍ଣ୍ଣ ଅଭିନବ। ବସ୍ତୁତଃ କଂଗ୍ରେସ ବିରୋଧରେ ଏହି ଧରଣର ଅଭିଯୋଗ ସୋନିଆ କିମ୍ବା ରାହୁଳ ଗାନ୍ଧୀ ନୁହେଁ, ଇନ୍ଦିରା ଗାନ୍ଧୀଙ୍କ ସମୟରୁ ହିଁ ଶୁଣାଯାଇଆସୁଛି। ପ୍ରଶ୍ନ ହେଉଛି, ଯେଉଁ ସମୟରେ ଏହି ନେତାମାନେ ରାହୁଳ ଗାନ୍ଧୀଙ୍କୁ ବିରୋଧ କରି ବିବୃତିମାନ ଦେଉଛନ୍ତି ସେଇଟି ତାତ୍ପର୍ଯ୍ୟପୂର୍ଣ୍ଣ; କାରଣ ତାହା ମାଧ୍ୟମରେ ରାହୁଳ ଉତ୍‌ଥାପନ କରିଥିବା ଗୌତମ ଆଦାନୀ ପ୍ରସଙ୍ଗକୁ ନ୍ୟୂନ ଦେଖାଇବାକୁ ସେମାନେ ଉଦ୍ୟମ କରୁଛନ୍ତି।

ସତ୍ୟ ବା ଷଡ୍‌ଯନ୍ତ୍ର ପରି ପରସ୍ପର ବିରୋଧୀ ପରିସ୍ଥିତିର ସମ୍ମୁଖୀନ ହେଉଥିବା ରାହୁଳ ଗାନ୍ଧୀ ତାଙ୍କର ଅତୀତ ଦିନର ସହଯୋଗୀଙ୍କ ଦ୍ବାରା ଭର୍ତ୍ସିତ ହେଉଥିବାବେଳେ ସମାନ ସମସ୍ୟାର ଏବେ ସମ୍ମୁଖୀନ ‌ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କିଛି ମାସ ତଳେ ଜାମ୍ମୁକାଶ୍ମୀର ଓ ପରେ ଗୋଆର ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବନ୍ଧରେ ଏବେ ଯେଉଁ କଟୁ ଟିପ୍ପଣୀ ଦେଇଛନ୍ତି ତାହା ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି। ଭାରତୀୟ ଜନତା ପାର୍ଟିର ପ୍ରବକ୍ତାମାନେ ଏ ପର୍ଯ୍ୟନ୍ତ ସତ୍ୟପାଲ ମଲ୍ଲିକଙ୍କ ବିରୋଧରେ କିଛି କହି ନ ଥିଲେ ମଧ୍ୟ ଖୁବ୍‌ ଶୀଘ୍ର ତାଙ୍କୁ ଯେ ଗୃହଭେଦୀ ବିଭୀଷଣର ଆଖ୍ୟା ଦିଆଯିବ ଏହା ଏକ ପ୍ରକାର ଅବଧାରିତ। ଗତ ୧୫ ତାରିଖରେ ସାମ୍ବାଦିକ କରନ୍‌ ଥାପରଙ୍କ ସହ ପ୍ରାୟ ଘଣ୍ଟାଏ ବ୍ୟାପୀ ତାଙ୍କର ଏକ ସାକ୍ଷାତକାରରେ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ତିନିଟି ଅତି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉତ୍‌ଥାପନ କରିଛନ୍ତି। ପ୍ରଥମଟି ହେଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୁର୍ନୀତିକୁ ନେଇ ସେଭଳି କିଛି ସମସ୍ୟା ନାହିଁ, ଦ୍ବିତୀୟଟି ହେଲା କାଶ୍ମୀର ସମସ୍ୟା ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କର ଜ୍ଞାନ ସୀମିତ ଏବଂ ସେ କେତେକ କ୍ଷେତ୍ରରେ ଅଜ୍ଞ। ସବୁଠୁ ବଡ଼ କଥା ହେଲା ପୁଲୱାମାରେ ସିଆର୍‌ପିଏଫ୍‌ ଯବାନମାନଙ୍କ ଉପରେ ଘଟିଥିବା ଭୟଙ୍କର ଆକ୍ରମଣ, ଯେଉଁଥିରେ ଚାଳିଶରୁ ଊର୍ଦ୍ଧ୍ବ ଯବାନ ନିହତ ହୋଇଥିଲେ, ତାହାକୁ ଏଡ଼ାଯାଇପାରିଥାନ୍ତା। ସିଆର୍‌ପିଏଫ୍‌ର ଯବାନମାନଙ୍କର ଯାତ୍ରା ପାଇଁ ହେଲିକପ୍ଟର ମଗାଯିବା ସତ୍ତ୍ବେ ସେହି ଆବେଦନକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପ୍ରତ୍ୟାଖ୍ୟାନ କରିବା ଥିଲା ମସ୍ତବଡ଼ ଭୁଲ୍‌। କେନ୍ଦ୍ର ଗୃହ ମନ୍ତ୍ରାଳୟର ଅବହେଳା ଯୋଗୁଁ ଘଟିଥିବା ଏହି ହତ୍ୟାକାଣ୍ଡର ଦୋଷକୁ ପାକିସ୍ତାନ ମୁଣ୍ଡରେ ଲଦିବା ଶୀତଳ ମସ୍ତିଷ୍କର ଏକ ରାଜନୈତିକ ଯୋଜନା ଥିଲା ବୋଲି ମଧ୍ୟ ସତ୍ୟପାଲ ମଲ୍ଲିକ ତାଙ୍କ ସାକ୍ଷାତକାରରେ କହିଛନ୍ତି।

ଏବେ ସତ୍ୟପାଲ ମଲ୍ଲିକଙ୍କର ଏହି ବିବୃତି ସତ୍ୟ ନା ପ୍ରଧାନମନ୍ତ୍ରୀଙ୍କୁ ନିନ୍ଦିତ କରିବା ଲାଗି ଏକ ଷଡ୍‌ଯନ୍ତ୍ର ସେ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶିତ ହେବ। ଜାମ୍ମୁକାଶ୍ମୀର ଭାଗ ଭାଗ ହେବା ଆଗରୁ ମଲ୍ଲିକ ଥିଲେ ତାହାର ଶେଷ ରାଜ୍ୟପାଳ। ତାହା ପୂର୍ବରୁ ସେ ବିହାରର ରାଜ୍ୟପାଳ ଥିଲେ ଏବଂ ଜାମ୍ମୁକାଶ୍ମୀରରୁ ଯିବା ପରେ ସେ କିଛି କାଳ ଗୋଆ ଏବଂ ମେଘାଳୟର ରାଜ୍ୟପାଳ ଦାୟିତ୍ବ ମଧ୍ୟ ସଂପାଦନ କରିଥିଲେ। ଉତ୍ତରପ୍ରଦେଶର ଏକ ଜାଠ ପରିବାରରେ ଜନ୍ମଗ୍ରହଣ କରିଥିବା ସତ୍ୟପାଲ ମଲ୍ଲିକ ପ୍ରଥମେ ଚରଣ ସିଂହଙ୍କ ଭାରତୀୟ କ୍ରାନ୍ତି ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ବାଗପତର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦଳ ବଦଳେଇଥିବା ସତ୍ୟପାଲଙ୍କୁ ୨୦୧୨ରେ ଭାରତୀୟ ଜନତା ପାର୍ଟି ତାହାର ଜାତୀୟ ଉପସଭାପତି ଭାବେ ନିଯୁକ୍ତ କରିଥିଲା। ଯେଉଁ ଦଳ ସତ୍ୟପାଲ ମଲ୍ଲିକଙ୍କ ପ୍ରତି ଏଭଳି ଆଦର ଭାବ ଦେଖାଇଥିଲା ଏବଂ ଯେଉଁ ପ୍ରଧାନମନ୍ତ୍ରୀ ତାଙ୍କୁ ଏକାଧିକ ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲା ସେହି ଦଳର ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କୁ ସତ୍ୟପାଲ ଏଭଳି କଠୋର ଶବ୍ଦରେ ‌ନିନ୍ଦା କଲେ କାହିଁକି? କୁହାଯାଇପାରେ ଯେ ଏହି ସାକ୍ଷାତକାରଟି ରାହୁଳ ଗାନ୍ଧୀଙ୍କ ଭାବମୂର୍ତ୍ତିର ପ୍ରଚାର ପାଇଁ ଉଦ୍ଦିଷ୍ଟ।

ଏକଥା ମଧ୍ୟ ଯୁକ୍ତି କରାଯାଇପାରେ ଯେ ଭାଜପା ଭିତରେ ଥିବା ଗୋଟିଏ ଗୋଷ୍ଠୀ ହୁଏତ ଆଉ ଥରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ନାହିଁ ଏବଂ ସେଇମାନଙ୍କ ହାତରେ ସତ୍ୟପାଲ ମଲ୍ଲିକ ଏକ ହାତବାରିସି ସାଜିଛନ୍ତି। ମାତ୍ର କାରଣ ଯାହା ହୋଇଥାଉ ନା କାହିଁକି, ହିଣ୍ଡନବର୍ଗ ରିପୋର୍ଟ ଆଦାନୀ କଂପାନିକୁ ପ୍ରଭାବିତ କରିଥିବା ଭଳି ସତ୍ୟପାଲ ମଲ୍ଲିକଙ୍କର ଏହି ସାକ୍ଷାତକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତିକୁ ପ୍ରଭାବିତ କରିବ। ୨୦୨୪ର ନିର୍ବାଚନ ଯେତିକି ଯେତିକି ପାଖେଇ ଆସିବ ସତ୍ୟ ନା ଷଡ୍‌ଯନ୍ତ୍ର ପରି ପ୍ରସଙ୍ଗ ଏବଂ ତାକୁ ନେଇ ଏହିପରି ନାଟକୀୟ ଘଟଣା ସେତିକି ଅଧିକ ଅଭିନୀତ ହେବ।