ଏପ୍ରିଲ୍ ପହିଲାଠାରୁ ବଳବତ୍ତର ହୋଇଥିବା ଭାରତର ନୂତନ ବୈଦେଶିକ ବାଣିଜ୍ୟ ନୀତିର ଏକ ବିଶେଷତ୍ବ ହେଉଛି ଏହା ଯେ ଆନ୍ତର୍ଜାତିକ ବାଣିଜ୍ୟ କାରବାରରେ ଦେୟ ପୈଠ ନିମିତ୍ତ ଭାରତୀୟ ମୁଦ୍ରା ଟଙ୍କାର ବ୍ୟବହାରକୁ ଏଥିରେ ସୁଗମ କରାଯାଇଛି। ଏଣିକି ସମସ୍ତ ରପ୍ତାନି ଚୁକ୍ତି ଓ ଇନ୍ଭଏସ୍ ଭାରତୀୟ ଟଙ୍କା ଆକାରରେ ପ୍ରସ୍ତୁତ କରାଯାଇପାରିବ, ଯାହା ଏଥି ପୂର୍ବରୁ ଡଲାର୍ ଭଳି କଠିନ ମୁଦ୍ରା ଆକାରରେ ସମ୍ପନ୍ନ ହୋଇ ଆସୁଥିଲା।
ଯଦି ବୈଦେଶିକ ବାଣିଜ୍ୟ କ୍ଷେତ୍ରରେ ଭାରତୀୟ ଟଙ୍କାର ଏଭଳି ମର୍ଯ୍ୟାଦା ବୃଦ୍ଧିକାରୀ ପଦକ୍ଷେପ ପଛରେ ନିହିତ ଥିବା କୌଣସି ଏକ ଘଟଣାର ପ୍ରଭାବ ଅନୁସନ୍ଧାନ କରାଯାଏ, ତେବେ ଯେଉଁଟି ସର୍ବାଧିକ ତାତ୍କାଳିକ ଗୁରୁତ୍ବ ବହନ କରିଥାଏ, ତାହା ହେଉଛି ୟୁକ୍ରେନ୍ ଯୁଦ୍ଧ। ରୁଷିଆର ଆକ୍ରମଣ ପରେ ତା’ ପ୍ରତି ଲାଗୁ ହୋଇଥିବା ପାଶ୍ଚାତ୍ୟ ଅର୍ଥନୈତିକ ବାସନ୍ଦର ଅ˚ଶ ସ୍ବରୂପ ତା’ ସହିତ ବାଣିଜ୍ୟ କାରବାରରେ ଡଲାର୍ ବ୍ୟବହାର କରାଯିବା ସମ୍ଭବ ହେଲା ନାହିଁ। ଆକ୍ରମଣର ପ୍ରାୟ ପାଞ୍ଚ ମାସ ପରେ ରୁଷିଆଠାରୁ ଶସ୍ତାରେ ତୈଳ କ୍ରୟ କରିବା ନିମିତ୍ତ ଭାରତ ସରକାର ଅତୀତରେ ସୋଭିଏତ୍ ଯୁଗରେ ପ୍ରଚଳିତ ଥିବା ଟଙ୍କା-ରୁବ୍ଲ ବାଣିଜ୍ୟ କାରବାର ବ୍ୟବସ୍ଥାକୁ ପୁଣି ସକ୍ରିୟ କରିଦେଇଥିଲେ।
ଟଙ୍କା ଆକାରରେ ଆନ୍ତର୍ଜାତିକ ବାଣିଜ୍ୟ କାରବାର ଜନିତ ଦେଣନେଣ ସମ୍ଭବ କରିବା ପାଇଁ ସମ୍ପୃକ୍ତ ବ୍ୟାଙ୍କ୍ମାନଙ୍କୁ ‘ସ୍ପେସାଲ୍ ରୁପି ଭୋଷ୍ଟ୍ରୋ ଆକାଉଣ୍ଟ୍’ ନାମକ ଏକ ବିଶେଷ ଧରଣର ଆକାଉଣ୍ଟ୍ ଖୋଲିବାକୁ ପଡ଼ିଥାଏ। ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏପର୍ଯ୍ୟନ୍ତ ଶ୍ରୀଲଙ୍କା, ମରିସସ୍, ମାଲେସିଆ, ମିଆଁମାର୍, ସିଙ୍ଗାପୁର, ତାଞ୍ଜାନିଆ, ଇସ୍ରାଏଲ୍, ଉଗାଣ୍ତା, ଜର୍ମାନୀ, ବ୍ରିଟେନ୍ ଆଦି ମୋଟ ୧୮ଟି ଦେଶ ସହିତ ଏଭଳି ‘ଭୋଷ୍ଟ୍ରୋ ଆକାଉଣ୍ଟ୍’ ମାଧ୍ୟମରେ ଟଙ୍କା ଆକାରରେ ବାଣିଜ୍ୟ କାରବାର କରାଯିବା ନିମିତ୍ତ ଅନୁମତି ପ୍ରଦାନ କରିଛି। ଏହାର ଏକ ସଦ୍ୟତମ ଉଦାହରଣ ସ୍ବରୂପ ଆଦ୍ୟ ଏପ୍ରିଲ୍ରେ ‘ଇଣ୍ତିଆ ଇଣ୍ଟର୍ନେସ୍ନାଲ୍ ବ୍ୟାଙ୍କ୍ ଅଫ୍ ମାଲେସିଆ’ ଭାରତର ‘ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ତିଆ’ ମାଧ୍ୟରେ ଏକ ‘ଭୋଷ୍ଟ୍ରୋ ଆକାଉଣ୍ଟ୍’ ଖୋଲି ଭାରତ ସହିତ ଟଙ୍କା ଆକାରରେ ବାଣିଜ୍ୟ କାରବାର ସକ୍ରିୟ କରିଛି। (ଗୋଟିଏ ବ୍ୟାଙ୍କ୍ରେ ଅନ୍ୟ ଏକ ବ୍ୟାଙ୍କ୍ ନିମିତ୍ତ ଖୋଲାଯାଇଥିବା ଆକାଉଣ୍ଟ୍କୁ ‘ଭୋଷ୍ଟ୍ରୋ’ - ଲାଟିନ୍ରେ ‘ତୁମର’ - ଆକାଉଣ୍ଟ୍ ରୂପେ ନାମିତ କରାଯାଇଥାଏ।)
ଯେଉଁ କାରଣ ଯୋଗୁଁ ସରକାର ବର୍ତ୍ତମାନ ଆମର ଆନ୍ତର୍ଜାତିକ ବାଣିଜ୍ୟ କାରବାରରେ ଦେଣନେଣକୁ ଟଙ୍କାଭିତ୍ତିକ କରିବା ଉଦ୍ୟମକୁ ତ୍ବରାନ୍ବିତ କରିଛନ୍ତି, ତାହା ହେଉଛି, ୨୦୨୨ର ଦ୍ବିତୀୟାର୍ଦ୍ଧରେ ଟଙ୍କାର ଆନ୍ତର୍ଜାତିକ ବିନିମୟ ମୂଲ୍ୟରେ ଘଟିଥିବା ତୀକ୍ଷ୍ଣ ସ୍ଖଳନ। ଦୁଇଟି କାରଣ ହେତୁ ଟଙ୍କା ଏପରି ଦୁର୍ବଳ ହୋଇଛି। ଗୋଟିଏ ହେଲା, କୋଭିଡ୍ ପାଣ୍ତେମିକ୍ ଅପସରିବା ପରେ ଭାରତୀୟ ଅର୍ଥନୀତି ପୁଣି ଅଭିବୃଦ୍ଧି ହାସଲ କରିବାକୁ ଆରମ୍ଭ କରିବା ସହିତ ତାଳ ଦେଇ ଆମଦାନିରେ ଦ୍ରୁତ ବୃଦ୍ଧି ଘଟିବାରୁ ବାଣିଜ୍ୟ ନିଅଣ୍ଟରେ ଘଟି ଚାଲିଥିବା ବୃଦ୍ଧି। ଅନ୍ୟଟି ହେଲା ଆମେରିକାରେ ‘ଫେଡେରାଲ୍ ରିଜର୍ଭ’ ଘଟାଇ ଚାଲିଥିବା ସୁଧ ହାରରେ ବୃଦ୍ଧି ଦ୍ବାରା ଆକର୍ଷିତ ହୋଇ ବିଦେଶୀ ନିବେଶକମାନେ ଭାରତୀୟ ସେଆର ବଜାରରୁ ସେମାନଙ୍କର ନିବେଶ ପ୍ରତ୍ୟାହାର କରି ପଳାୟନ କରିବା।
ବର୍ତ୍ତମାନ ଅଧିକରୁ ଅଧିକ ସ˚ଖ୍ୟକ ଦେଶମାନେ ଯଦି ବାଣିଜ୍ୟ କାରବାରରେ ଟଙ୍କା ବ୍ୟବହାର ବ୍ୟବସ୍ଥାରେ ଅ˚ଶଗ୍ରହଣ କରନ୍ତି, ତେବେ ତାହା ଆନ୍ତର୍ଜାତିକ ବୈଦେଶିକ ମୁଦ୍ରା ବଜାରରେ ନିଶ୍ଚିତ ରୂପେ ଟଙ୍କାର ଶକ୍ତି ବୃଦ୍ଧି ଘଟାଇବ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଚଳିତ ଥିବା ବ୍ୟବସ୍ଥା ଅନୁସାରେ ଆନ୍ତର୍ଜାତିକ ବାଣିଜ୍ୟ କାରବାରଜନିତ ଦେୟ ମୁଖ୍ୟତଃ ଆମେରିକୀୟ ଡଲାର୍ ଦ୍ବାରା ପୈଠ କରାଯାଇଥାଏ। ମନେକରାଯାଉ ଏକ ଭାରତୀୟ ବ୍ୟବସାୟୀ ମାଲେସିଆସ୍ଥ ଏକ ବିକ୍ରେତାଙ୍କଠାରୁ କିଛି ମାଲ୍ କ୍ରୟ କରିବାକୁ ଚାହିଁଲେ। ତା’ହେଲେ ତାଙ୍କୁ ଟଙ୍କା ବଦଳରେ ଡଲାର୍ କ୍ରୟ କରିି ପୈଠ କରିବାକୁ ହେବ ଏବ˚ ପରେ ମାଲେସିଆ ବ୍ୟବସାୟୀ ଡଲାର୍କୁ ବଦଳ କରି ମାଲେସୀୟ ମୁଦ୍ରା ‘ରିଙ୍ଗିଟ୍’ ପାଇବେ। ଏହି ପ୍ରକ୍ରିୟା ବ୍ୟୟସାପେକ୍ଷ ଓ ସମୟସାପେକ୍ଷ ହୋଇଥାଏ ଏବଂ ଆନ୍ତର୍ଜାତିକ ମୁଦ୍ରା ବଜାରରେ ଡଲାର୍ ପ୍ରତି ଚାହିଦାରେ ବୃଦ୍ଧି ଘଟାଇଥାଏ। ଟଙ୍କାର ଆନ୍ତର୍ଜାତିକୀକରଣ ଘଟିଲେ ଡଲାର୍ ପ୍ରତି ଚାହିଦାରେ ସଙ୍କୋଚନ ଘଟିବା ସହିତ ଆମଦାନି ରତ୍ପାନି ସହିତ ସ˚ଶ୍ଳିଷ୍ଟ ବ୍ୟବସାୟମାନ ପୂର୍ବର ଜଟିଳ ପ୍ରକ୍ରିୟାର ଜଞ୍ଜାଳରୁ ମୁକ୍ତି ପାଇବା ସହିତ ଅଯଥା ଅର୍ଥହାନି ଓ ସମୟ ନଷ୍ଟରୁ ରକ୍ଷା ପାଇବେ। ଡଲାର୍ର ବିନିମୟ ମୂଲ୍ୟରେ ଘଟି ଚାଲିଥିବା ବୃଦ୍ଧି ଯୋଗୁଁ ଆମଦାନି ଯେପରି ମହଙ୍ଗା ହେବାରେ ଲାଗିଛି, ଟଙ୍କା କାରବାର ତାହାକୁ ପ୍ରତିହତ କରିବ।
କିନ୍ତୁ ସରକାରଙ୍କର ଏହି ପଦକ୍ଷେପ ସତ୍ତ୍ବେ ଟଙ୍କାର ଏହି ନୂତନ ଆନ୍ତର୍ଜାତିକ ଅବତାର କେତେ ଦୂର ଗ୍ରହଣୀୟ ହେବ ଏବ˚ କେତେ ଶୀଘ୍ର ପ୍ରସାର ଲାଭ କରିବ ତାହା ନିର୍ଭର କରିବ ଭାରତୀୟ ଅର୍ଥନୀତିର ଚରିତ୍ର ଓ ଶକ୍ତି ଉପରେ। ଯେଉଁ ଦେଶମାନଙ୍କ ସହିତ ଭାରତର ବାଣିଜ୍ୟିକ ସମ୍ପର୍କ ନିଅଣ୍ଟିଆ ହୋଇଥାଏ (ଭାରତର ଆମଦାନି ରପ୍ତାନି ଅପେକ୍ଷା ଅଧିକ ହୋଇଥାଏ), ସେମାନେ ଉଦ୍ବୃତ୍ତ ଟଙ୍କାକୁ କିପରି ବ୍ୟବହାର କରିବେ, ତାହା ଏକ ସମସ୍ୟା ହୋଇପାରେ। ଉଦାହରଣ ସ୍ବରୂପ ଅତୀତରେ ରୁପି-ରୁବ୍ଲ ବାଣିଜ୍ୟ କାରବାର ସମୟରେ ସୋଭିଏତ୍ ସ˚ଘ ପାଖରେ ଯେତିକି ପରିମାଣର ଟଙ୍କା ଠୁଳ ହୋଇଥିଲା (ଭାରତକୁ କରାଯାଇଥିବା ରପ୍ତାନି ମାଧ୍ୟମରେ), ତାହାକୁ ନିଃେଶଷ କରିବା ପାଇଁ (ଭାରତରୁ ଆମଦାନି ମାଧ୍ୟମରେ) ରୁଷିଆକୁ ପ୍ରାୟ ଦେଢ଼ ଦଶନ୍ଧି ସମୟ ଲାଗିଯାଇଥିଲା। ଭାରତୀୟ ଅର୍ଥନୀତିର ବହୁମୁଖୀ ବିକାଶ ଘଟି ଭାରତରେ ରତ୍ପାନିଯୋଗ୍ୟ ବିଭିନ୍ନ ଦ୍ରବ୍ୟ ଓ ସେବାମାନଙ୍କ ଉତ୍ପାଦନରେ ବୃଦ୍ଧି ଘଟିଲେ, ଏହି ସମସ୍ୟା ଦୂର ହେବ।
ଏଥି ସହିତ ଟଙ୍କାର ଆନ୍ତର୍ଜାତିକ ମଞ୍ଚରେ ପ୍ରବେଶକୁ ଏକ ଜୟଯାତ୍ରାର ରୂପ ଦେଇ ତାହାର ରାଜନୀତୀକରଣ ପ୍ରଲୋଭନ ଠାରୁ ଦୂରେଇ ରହିବା ଆମର ନେତୃବର୍ଗଙ୍କ ପାଇଁ ଅତ୍ୟନ୍ତ ଜରୁରୀ, କାରଣ ଏହା ଅନ୍ୟ ଦେଶମାନଙ୍କୁ ଏଥିପ୍ରତି ବିମୁଖ କରିପାରେ। ଉଦାହରଣ ସ୍ବରୂପ ସାମାଜିକ ଗଣମାଧ୍ୟମରେ ଶ୍ରୀଲଙ୍କାର କେତେକ ଅର୍ଥନୀତିଜ୍ଞ ସେ ଦେଶର ସମସ୍ତ ବହିର୍ବାଣିଜ୍ୟ ପ୍ରସୂତ ଆୟ ରୂପକ ଅଣ୍ତାଗୁଡ଼ିକୁ ଗୋଟିଏ ଝୁଡ଼ିରେ ଅର୍ଥାତ୍ ଭାରତୀୟ ଟଙ୍କା ଆକାରରେ ନ ରଖିବାକୁ ସେ ଦେଶର ସରକାରଙ୍କୁ ସତର୍କ କରି ଦେଇଛନ୍ତି। ସେମାନେ କହିଛନ୍ତି ଏପରି ନୀତି ଅବଲମ୍ବନ କଲେ ଏକ ପରିସ୍ଥିତି ଉପୁଜିପାରେ ଯେତେବେଳେ ଶ୍ରୀଲଙ୍କାକୁ ତା’ର ସମସ୍ତ ଶିଳ୍ପଜାତ ଦ୍ରବ୍ୟ, ଖାଦ୍ୟ, ଔଷଧ ଆଦି ଦ୍ରବ୍ୟ କେବଳ ଭାରତରୁ ହିଁ ଆମଦାନି କରିବାକୁ ହେବ। ଶ୍ରୀଲଙ୍କାର ବର୍ତ୍ତମାନର ସରକାର ତୀବ୍ର ଡଲାର୍ ଅଭାବର ସମ୍ମୁଖୀନ ହୋଇ ଭାରତ ସହିତ ଟଙ୍କାଭିତ୍ତିକ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ପାଇଁ ପ୍ରଦର୍ଶନ କରିଥିବା ପ୍ରବଳ ଉତ୍ସାହ ପରିପ୍ରେକ୍ଷୀରେ ଉପରୋକ୍ତ ଅର୍ଥନୀତିଜ୍ଞମାନେ ଏଭଳି ପ୍ରତିକ୍ରିୟା ପ୍ରଦର୍ଶନ କରିଛନ୍ତି। ଏହା ଦାନାବାନ୍ଧି ଏକ ଭାରତ-ବିରୋଧୀ ଜନମତରେ ପରିଣତ ହେବାକୁ ଡେରି ଲାଗିବ ନାହିଁ। ତେଣୁ ଏକ ପେସାଦାର ଆଭିମୁଖ୍ୟ ପ୍ରଦର୍ଶନ କରି ଭାରତ ତା’ର ମୁଦ୍ରା ଅର୍ଥନୀତିକୁ ରାଜନୀତି ଠାରୁ ଅଲଗା ରଖିବା ବୁଦ୍ଧିମାନ କାର୍ଯ୍ୟ ହେବ।