ପୃଥିବୀର ସର୍ବାଧିକ ମୂଲ୍ୟବାନ କମ୍ପାନି, ପ୍ରସିଦ୍ଧ ମୋବାଇଲ୍ ଫୋନ୍ ‘ଅାଇଫୋନ୍’ର ନିର୍ମାତା ‘ଆପ୍ଲ’ କମ୍ପାନି ଏପ୍ରିଲ ୧୮ରେ ମୁମ୍ବାଇରେ ଓ ଆଜି ଦିଲ୍ଲୀରେ ତା’ର ନିଜର ବିକ୍ରୟ କେନ୍ଦ୍ରମାନ ଉଦ୍ଘାଟନ କରିବା ସହିତ ପ୍ରଥମ ଥର ପାଇଁ ଭାରତରେ ତା’ର ପ୍ରତ୍ୟକ୍ଷ ଉପସ୍ଥିତି ଘୋଷଣା କରିଛି। ଯଦି ଏକ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦେଖାଯାଏ, ଏହାକୁ ‘ଆପ୍ଲ’ର ଅବଶେଷରେ ନିଜର ଜନ୍ମମାଟିକୁ ଆଗମନ ବୋଲି କୁହାଯାଇପାରେ। ‘ଆପ୍ଲ’ କମ୍ପ୍ୟୁଟର ଜନ୍ମ ଲାଭ କରିଥିଲା ୧୯୭୬ ଏପ୍ରିଲ ପହିଲାରେ ଆମେରିକାରେ ସତ, କିନ୍ତୁ ଏହାର ଅସ୍ଥିର ଚିତ୍ତ ଉଦ୍ଭାବକ, ପ୍ରବାଦ ପୁରୁଷ ସ୍ବର୍ଗତ ଷ୍ଟିଭ୍ ଜବ୍ସ ୧୯୭୪ରେ ନିଜର ଆଧ୍ୟାତ୍ମିକ ଆତ୍ମ ପରିଚୟ ସନ୍ଧାନ ଉଦ୍ଦେଶ୍ୟରେ ଭାରତରେ ବିଭିନ୍ନ ସ୍ଥାନ ଭ୍ରମଣ କରିବା ପରେ ଯାଇ ତାଙ୍କ ମସ୍ତିଷ୍କରୁ ଏହାର ପରିକଳ୍ପନା ସମ୍ଭୂତ ହୋଇଥିଲା।
ବର୍ତ୍ତମାନ ଯାହା ଜବ୍ସ ପ୍ରେମୀମାନଙ୍କୁ ସୁବିଦିତ, ଷ୍ଟିଭ୍ ଜବ୍ସ ଓ ତାଙ୍କର ବନ୍ଧୁ ଡାନିଏଲ୍ କୋଟ୍କେ ସେମାନଙ୍କର ଉତ୍ତର କୈଶୋରରେ କିଂବଦନ୍ତି ପାଲଟିଥିବା ନିମ୍ କରୋଲି ବାବାଙ୍କୁ ଭେଟି ତାଙ୍କ ଠାରୁ କୌଣସି ଅଲୌକିକ ଅନୁଭୂତି ସଂଗ୍ରହ କରିବା ପାଇଁ ଆସି ହିମାଳୟ ପାଦଦେଶରେ ଥିବା ତାଙ୍କର ଆଶ୍ରମରେ ପହଞ୍ଚିଥିଲେ ହେଁ, ସେମାନେ ହତାଶ ହୋଇଥିଲେ, କାରଣ ସେତେବେଳକୁ ବାବାଙ୍କର ଦେହାନ୍ତ ଘଟି ସାରିଥିଲା ଓ ସେମାନଙ୍କୁ ମିଳିଥିଲା ମାତ୍ର ଏକ ପରିତ୍ୟକ୍ତ ଆଶ୍ରମ। ଅନ୍ୟ ଜଣେ ଦୁଇଜଣ ବାବା ମଧ୍ୟ ଏମାନଙ୍କର ଅନୁସନ୍ଧିତ୍ସା ପୂରଣ କରିପାରିନଥିଲେ। କିନ୍ତୁ ସେ ସମୟର ହିପ୍ପୀମାନଙ୍କୁ ଅନୁସରଣ କଲା ଭଳି ଭାରତୀୟ ଖାଦ୍ୟ ଖାଇ, ଖଦି କୁର୍ତ୍ତା ପରିଧାନ କରି, ଭାରତର ରାସ୍ତାଘାଟରେ ଖାଲି ପାଦରେ ଚାଲି ଚାଲି ବୁଲିବା ବେଳେ ଏଠାରେ ଆଧ୍ୟାତ୍ମିକତା ସହିତ ଚରମ ଦାରିଦ୍ର୍ୟର ଯେଉଁ ସହାବସ୍ଥାନ ୧୯ ବର୍ଷୀୟ ଷ୍ଟିଭ୍ ପ୍ରତ୍ୟକ୍ଷ କଲେ, ତାହା ତାଙ୍କ ଠାରେ ଯେଉଁ ପରସ୍ପର ବିରୋଧୀ ଚେତନା ସୃଷ୍ଟି କଲା, ତାହା ପରବର୍ତ୍ତୀ ସମୟରେ ତାଙ୍କର ବ୍ୟକ୍ତିତ୍ବରେ ରୋଚକ ଢଙ୍ଗରେ ପରିସ୍ଫୁଟ ହୋଇଥିଲା।
ସଂସାରର ଦୁଃଖ ଯନ୍ତ୍ରଣା ସିଦ୍ଧାର୍ଥଙ୍କୁ ଗୌତମ ବୁଦ୍ଧରେ ପରିବର୍ତ୍ତିତ କଲା ଭଳି, ଷ୍ଟିଭ୍ ଜବ୍ସ ଏହା ପରେ ବୌଦ୍ଧଧର୍ମ ଗ୍ରହଣ କରିଥିଲେ। କିନ୍ତୁ ଠିକ୍ ଏହାର ବିପରୀତ ଆଚରଣ ପ୍ରଦର୍ଶନ କରି ସେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ସଂସାରରୁ ଦାରିଦ୍ର୍ୟ ଦୂର କରିବା ପାଇଁ କାର୍ଲ ମାର୍କ୍ସ ଓ ନିମ୍ କରୋଲି ବାବାଙ୍କ ମିଳିତ ଅବଦାନ ଅପେକ୍ଷା ବିଚକ୍ଷଣ ଉଦ୍ଭାବକ ଥମାସ୍ ଏଡିସନ୍ଙ୍କ ଅବଦାନ ହେଉଛି ବହୁଗୁଣ ଅଧିକ ଫଳପ୍ରଦ। ଏହା ଉଦ୍ଭାବକ ଷ୍ଟିଭ୍ ଜବ୍ସଙ୍କ ଠାରେ ଯେଉଁ ଅଲୌକିକ ଏକାଗ୍ରତା ସୃଷ୍ଟି କଲା, ତାହାର ଫଳ ହେଉଛି ‘ଆପ୍ଲ’।
କିନ୍ତୁ ସେଇ ‘ଆପ୍ଲ’ ଏ ପର୍ଯ୍ୟନ୍ତ ଭାରତରେ ତା’ର ନିଜର ବିକ୍ରୟ କେନ୍ଦ୍ରଟିଏ ସ୍ଥାପନ କରିବା ଉଚିତ ମନେ କରି ନଥିଲା। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ମଧ୍ୟ।
ବର୍ତ୍ତମାନ ମୋବାଇଲ୍ ଫୋନ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇ ସାରିଥିବା ଯୁଗରେ ଏହା କାହାରିକୁ ଅବିଦିତ ନୁହେଁ ଯେ, ‘ଆପ୍ଲ’ର ‘ଆଇଫୋନ୍’ ହେଉଛି ଏକ ଦୁର୍ଲଭ, ଦୁର୍ମୂଲ୍ୟ ଯନ୍ତ୍ର, ଯାହାକୁ କେବଳ ଅତି ସ୍ବଚ୍ଛଳ ବର୍ଗର ଗ୍ରାହକମାନେ ହିଁ କ୍ରୟ କରିବାକୁ ସମର୍ଥ ହୋଇଥାନ୍ତି। ଷ୍ଟିଭ୍ ଜବ୍ସ ଭାରତରେ ଭିକାରିମାନଙ୍କର ଯେଉଁ ଭିଡ଼ ଦେଖି ହଡ଼ବଡ଼େଇ ଯାଇଥିଲେ, ତାହା ତାଙ୍କୁ ଭାରତରେ ‘ଆଇଫୋନ୍’ ବିକ୍ରୟ କେନ୍ଦ୍ର ସ୍ଥାପନ ନିମିତ୍ତ ଉତ୍ସାହିତ ନ କରିବାରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି? ଇତି ମଧ୍ୟରେ ଅବଶ୍ୟ ସମୟ ଆଗେଇ ଯାଇଛି; ଭାରତ ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି; ଏଠାରେ ଏକ ବିଶାଳ ମଧ୍ୟବିତ୍ତ ଶ୍ରେଣୀର ଆବିର୍ଭାବ ଘଟିଛି; ଏକ ଡିଜିଟାଲ୍ ବିପ୍ଳବ ଦେଶର ପ୍ରାୟ ପ୍ରତ୍ୟେକ ପରିବାରକୁ ସ୍ପର୍ଶ କରିଛି ଯାହାର ମୁଖ୍ୟ ସାଧନ ହେଉଛି ମୋବାଇଲ୍ ଫୋନ୍। କୁହାଯାଇପାରେ ଆଜକୁ ୧୫ ବର୍ଷ ତଳେ ‘ଆପ୍ଲ’ ଚୀନ୍ରେ ୨୦୦୮ରେ ତା’ର ପ୍ରଥମ ବିକ୍ରୟ କେନ୍ଦ୍ର ଖୋଲିବା ସମୟରେ ସେଠାରେ ଯେଉଁ ଭଳି ପରିସ୍ଥିତି ଉପଲବ୍ଧ ଥିଲା, ବର୍ତ୍ତମାନ ଭାରତରେ ଏକ ଅନୁରୂପ ପରିସ୍ଥିତିର ଆବିର୍ଭାବ ଘଟିଛି ବୋଲି ଅନୁଭବ କରି ‘ଆପ୍ଲ’ ବର୍ତ୍ତମାନ ଭାରତରେ ‘ଆପ୍ଲ ଷ୍ଟୋର୍’ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି।
୨୦୦୮ରେ ଚୀନ୍ ପୃଥିବୀର ସର୍ବାଧିକ ଜନବହୁଳ ଦେଶ ଥିବା ବେଳେ ଭାରତ ବର୍ତ୍ତମାନ ବସ୍ତୁତଃ ସେଇ ସ୍ଥାନ ଦଖଲ କରିସାରିଲାଣି। ଚୀନ୍ରେ ‘ଆପ୍ଲ ଷ୍ଟୋର୍’ ଉନ୍ମୋଚିତ ହେବାର ତିନିବର୍ଷ ପରେ ସେଠାରେ ‘ଆପ୍ଲ’ର ବିକ୍ରୟଲବ୍ଧ ଆୟ ୧୨ ବିଲିଅନ୍ ଡଲାର୍ ସ୍ପର୍ଶ କରିଥିଲା। ଭାରତରେ ‘ଆପ୍ଲ’ ଷ୍ଟୋର୍ ନ ଥାଇ ମଧ୍ୟ ଗତ ବିତ୍ତବର୍ଷରେ ଏଠାରେ ‘ଆପ୍ଲ’ର ବିକ୍ରୟ ପରିମାଣ ୬ ବିଲିଅନ୍ ଡଲାର୍ ହୋଇଥିବା ପ୍ରକାଶ ପାଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୫୦ ଶତାଂଶ ଅଧିକ। ଉଲ୍ଲେଖଯୋଗ୍ୟ ଯେ ଭାରତରେ ‘ଆପ୍ଲ’ର ବିକ୍ରୟରେ ଏହି ଚମକପ୍ରଦ ବୃଦ୍ଧି ଏପରି ଏକ ସମୟରେ ଘଟିଛି, ଯେଉଁ ସମୟରେ ଇଲେକ୍ଟ୍ରୋନିକ୍ ଉପକରଣ ବିକ୍ରୟରେ ଏକ ପୃଥିବୀବ୍ୟାପୀ ସଂକୋଚନ ଦେଖାଦେଇଛି।
‘ଆପ୍ଲ’ର ବର୍ତ୍ତମାନର ମୁଖ୍ୟ ଟିମ୍ କୁକ୍ ଭାରତର ଏହି ବର୍ଦ୍ଧିଷ୍ଣୁ ବିଶାଳ ବଜାରରୁ ଲାଭ ଉଠାଇବା ପାଇଁ କେବଳ ଏଠାରେ ବିକ୍ରୟ କେନ୍ଦ୍ରମାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି, ତାହା ନୁହେଁ, ଭାରତରେ ମଧ୍ୟ ‘ଆଇଫୋନ୍’ ତିଆରି କରିବା ପାଇଁ ନିଷ୍ପତ୍ତି ନେଇ ତାହାକୁ ସୁଗମ ଓ ସୁଲଭ କରିବା ନିମିତ୍ତ ‘ଫକ୍ସକନ୍ ଟେକ୍ନୋଲୋଜି ଗ୍ରୁପ୍’, ‘ୱିଷ୍ଟ୍ରନ୍ କେର୍ପାରେସନ’ ଓ ‘ପେଗାଟ୍ରନ୍ କର୍ପୋରେସନ’ ଭଳି ଉପକରଣ ନିର୍ମାତାମାନଙ୍କୁ ମଧ୍ୟ ଭାରତରେ ସେମାନଙ୍କର ଉତ୍ପାଦନ କେନ୍ଦ୍ରମାନ ପ୍ରତିଷ୍ଠା କରିବା ନିମିତ୍ତ ନିର୍ଦ୍ଦେଶ ଦେଇଛନ୍ତି। ଭାରତରେ ଉତ୍ପାଦନ ଯୋଗୁଁ ଉପକରଣ ଯୋଗାଣ ତ୍ବରାନ୍ବିତ ହେବା ସଙ୍ଗେ ସଙ୍ଗେ ଆମଦାନି ଶୁଳ୍କରୁ ସୁରକ୍ଷା ମିଳିଥାଏ, ଯାହା ଉତ୍ପାଦିତ ହାଣ୍ଡସେଟ୍ର ମୂଲ୍ୟକୁ ପ୍ରତିଯୋଗିତାକ୍ଷମ କରିଥାଏ। ଭାରତ ସରକାରଙ୍କର ‘ପିଏଲ୍ଆଇ’ ସ୍କିମ୍ ମଧ୍ୟ ଏହି ଉତ୍ପାଦନକୁ ପ୍ରୋତ୍ସାହିତ କରୁଛି।
ବିଦେଶ ବଜାର ପାଇଁ ‘ଆଇଫୋନ୍’ ନିର୍ମାଣ ନିମିତ୍ତ ଆଉ ପୂର୍ବ ଭଳି ଚୀନ୍ ଉପରେ ସମ୍ପୂର୍ଣ୍ଣ ନିର୍ଭର ନ କରି ଭାରତରେ ମଧ୍ୟ ଉତ୍ପାଦନ ଆରମ୍ଭ କରିବା ପାଇଁ ଟିମ୍ କୁକ୍ ନେଇଥିବା ନିଷ୍ପତ୍ତି ଯେ ସୁଫଳ ପ୍ରଦାନ କରିବାକୁ ଆରମ୍ଭ କଲାଣି, ତାହାର ପ୍ରମାଣ ସ୍ବରୂପ ୨୦୨୨ ବର୍ଷରେ ଭାରତରୁ ‘ଆଇଫୋନ୍’ ରପ୍ତାନିରେ ୬୭ ଶତାଂଶ ବୃଦ୍ଧି ଘଟି ୭ ବିଲିଅନ୍ ଡଲାର୍ ଅତିକ୍ରମ କରିଛି। ଯାହା ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା ଏହି ହାଣ୍ଡସେଟ୍ମାନ ମୁଖ୍ୟତଃ ଇଉରୋପୀୟ ଅଞ୍ଚଳକୁ ରପ୍ତାନି ହୋଇଛି। ଏହାର ଅର୍ଥ ଭାରତରୁ ରପ୍ତାନି ହେଉଥିବା ମଟରଗାଡ଼ି ଆଦି ଭଳି ଏହା ବିକାଶଶୀଳ ଦେଶମାନଙ୍କ ପାଇଁ ଉଦ୍ଦିଷ୍ଟ ନ ହୋଇ ସମଗ୍ର ବିଶ୍ବ ବଜାର ପାଇଁ ଉଦ୍ଦିଷ୍ଟ ହୋଇଥାଏ।
‘ଆପ୍ଲ’ର ଏହି ପଦକ୍ଷେପ ଯୋଗୁଁ ଏକ ଉଚ୍ଚ ଗୁଣାତ୍ମକ ମାନର ଦ୍ରବ୍ୟ ଉତ୍ପାଦନସ୍ଥଳୀ ରୂପେ ବିଶ୍ବ ବଜାରରେ ଭାରତର ବିଶ୍ବସନୀୟତାରେ ନିଶ୍ଚିତ ରୂପେ ବୃଦ୍ଧି ଘଟିବ। ତେବେ ଏ ବାବଦରେ ଚୀନ୍ର ସମକକ୍ଷ ହେବାକୁ ହେଲେ ଭାରତକୁ ଭିତ୍ତିଭୂମିରୁ ଆରମ୍ଭ କରି ଅମଲାତନ୍ତ୍ରର ଦକ୍ଷତା ପର୍ଯ୍ୟନ୍ତ ଆହୁରି ଉନ୍ନତି ଘଟାଇବାକୁ ପଡ଼ିବ। ଷ୍ଟିଭ୍ ଜବ୍ସଙ୍କ ମାନସ ସନ୍ତାନର ଧାଈମା’ ହେଉଛି ଭାରତ। ସେଇ ସନ୍ତାନ ଯେତେବେଳେ ତା’ର ଋଣ ଶୁଝିବା ନିମିତ୍ତ ଏତେ ଦିନ ପରେ ଏଠାରେ ଉପସ୍ଥିତ ହୋଇଛି, ତା’କୁ ସେଥିପାଇଁ ସମସ୍ତ ସୁଯୋଗ ପ୍ରଦାନ କରାଯିବା ଉଚିତ।