ଗଲା ଶନିବାର ଆମ ରାଜ୍ୟର କେତେକ ସ୍ଥାନରେ କାଳ ବୈଶାଖୀଜନିତ ବୃଷ୍ଟିପାତ ହୋଇ ଗ୍ରୀଷ୍ମ ପ୍ରବାହଜନିତ ପ୍ରଚଣ୍ତ ଉତ୍ତାପରୁ ସାମୟିକ ଆଶ୍ବସ୍ତି ମିଳିଥିବା ବେଳେ ‘ବିଶ୍ବ ପାଣିପାଗ ସ˚ସ୍ଥା’ ବା ‘ଡବ୍ଲ୍ୟୁ.ଏମ୍.ଓ.’ ଦ୍ବାରା ପ୍ରକାଶିତ ୨୦୨୨ ମସିହାର ରିପୋର୍ଟ ଯେଉଁ ବିଷମ ‘ବର୍ତ୍ତମାନ’ ଏବ˚ ଭୟ ଉଦ୍ରେକକାରୀ ‘ଭବିଷ୍ୟତ୍’ ସ˚ପର୍କରେ ସୂଚନା ପ୍ରଦାନ କରିଛି, ତାହା କପାଳରେ ସ୍ବେଦ ବିନ୍ଦୁ ଜାତ କରିବା ଲାଗି ଯଥେଷ୍ଟ। ଏହି ରିପୋର୍ଟ ଅନୁଯାୟୀ ୨୦୧୫ ମସିହାରୁ ୨୦୨୨ ମସିହା ମଧୢରେ ପୃଥିବୀ ଯେତିକି ଉତ୍ତପ୍ତ ହୋଇଛି; ତାହା ପୃଥିବୀର ତାପମାତ୍ରା ରେକର୍ଡ କରାଯିବା ଦିନ ଠାରୁ (୧୭୩ ବର୍ଷ ପୂର୍ବରୁ) ଏ ପର୍ଯ୍ୟନ୍ତ ସମୟ ଖଣ୍ତ ମଧୢରେ ସର୍ବାଧିକ। ଏହା ଅନୁସାରେ ୨୦୨୨ ମସିହା ଥିଲା ଏ ଯାବତ୍ ପୃଥିବୀ ଦେଖିଥିବା ପଞ୍ଚମ ବା ଷଷ୍ଠ ସର୍ବାଧିକ ଉତ୍ତପ୍ତ ବର୍ଷ; ଯହିଁରେ ଅସାଧାରଣ ଗ୍ରୀଷ୍ମ ପ୍ରବାହ ୟୁରୋପରେ ୧୫,୦୦୦ରୁ ଅଧିକ ପ୍ରାଣ ନେଇଛି, ଯହିଁରେ ଇ˚ଲାଣ୍ତ ଭଳି ଶୀତ ପ୍ରଧାନ ଦେଶର ରାଜଧାନୀ ଲଣ୍ତନର ତାପମାତ୍ରା ୪୦ ଡିଗ୍ରି ସେଲସିଅସ ସ୍ପର୍ଶ କରିଥିଲା। ଏହି ରିପୋର୍ଟରେ ପାକିସ୍ତାନ ଭୋଗିଥିବା ସେହି ଦେଶର ଇତିହାସରେ ସର୍ବାଧିକ ପ୍ରଳୟଙ୍କରୀ ବନ୍ୟା ଏବ˚ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପ୍ରତ୍ୟକ୍ଷ କରିଥିବା ବିଭୀଷିକାମୟ ବନ୍ୟା (ପ୍ରାୟ ୭୦୦୦ ଲୋକଙ୍କ ପ୍ରାଣ ନେଇଥିବା) ବିଷୟରେ ଉଲ୍ଲେଖ ରହିଛି।
ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ ଏବ˚ ବୃଷ୍ଟିହୀନତା ହେତୁ ଆଫ୍ରିକା ମହାଦେଶ ସମ୍ମୁଖୀନ ହୋଇଥିବା ଦୁର୍ଭିକ୍ଷ ଓ ତଜ୍ଜନିତ ବିଶାଳ ସ˚ଖ୍ୟକ ଜନ ସମୁଦାୟ ଦ୍ବାରା ଭିଟାମାଟି ପରିତ୍ୟାଗର ଉଦାହରଣ ମଧୢ ରହିଛି, ଯେମିତି କି କେବଳ ସେମାଲିଆରେ ଏହି କାରଣରୁ ବିସ୍ଥାପିତ ହୋଇଥିବା ଲୋକଙ୍କ ସ˚ଖ୍ୟା ୭ ନିୟୁତ। ତା’ ସହିତ ଆଉ ଯେଉଁ ଅତ୍ୟନ୍ତ ଉଦ୍ବେଗଜନକ ବିଷୟ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି, ତାହା ହେଲା ମାତ୍ରାଧିକ ଉତ୍ତାପ ହେତୁ ସମୁଦ୍ର ଜଳ ଉତ୍ତପ୍ତ ହୋଇ ପ୍ରସାରିତ ହେବା ଓ ତା’ ସହିତ ମେରୁ ଅଞ୍ଚଳର ବରଫ ତରଳିବା ଦ୍ବାରା ସମୁଦ୍ର ପତ୍ତନରେ ଦ୍ରୁତ ବୃଦ୍ଧିର ଆଶଙ୍କା, ଯାହା ଅବଲୀଳା କ୍ରମେ ମୁମ୍ବାଇ, ଢାକା, ଜାକର୍ତ୍ତା, ସା˚ଘାଇ, ଲଣ୍ତନ ଏବ˚ କୋପେନହାଗାନ ସମେତ ଅନେକ ମହାନଗରର ବିଶାଳ ଅ˚ଶକୁ ସାଗର ଗର୍ଭସାତ୍ କରିବ। ସୁତରା˚, ସାଧାରଣ ଭାବେ ପୋଷଣ କରାଯାଉଥିବା ଧାରଣା ଠାରୁ ଜଳବାୟୁ ପରିବର୍ତ୍ତନର ବିପଦ ଯେ ଅଧିକ ବାସ୍ତବ ଏବ˚ ଅନ୍ୟାନ୍ୟ ସମସ୍ତ ବିଭୀଷିକା ଠାରୁ ଯେ ଅଧିକ ଭୟାବହ, ତାହା ହୃଦ୍ବୋଧ କରିବାର ସମୟ ଉପନୀତ ବୋଲି ଏହି ବିସ୍ତୃତ ରିପୋର୍ଟ ଚେତବନୀ ଦେଇଛି।
ତେବେ ଏଭଳି ଏକ ସ୍ଥିତି ସୃଷ୍ଟି ହେବାର କାରଣ ଏବ˚ ସେ ସବୁର ନିରାକରଣ ସମ୍ବନ୍ଧରେ ଆଲୋଚନା କଲା ବେଳେ ଏକ ବିରକ୍ତିକର ଚର୍ବିତଚର୍ବଣତାର ସାମନା କରିବାକୁ ପଡ଼ିଥାଏ। କାରଣ, ଏହି ସ୍ଥିତିର ‘କାରଣ ଏବ˚ ସେ ସବୁର ନିରାକରଣ’ ପ୍ରସଙ୍ଗଟି ଏଭଳି ସଘନ ଭାବେ ଚର୍ଚ୍ଚିତ ହୋଇ ଚାଲିଛି ଯେ ସେ ନେଇ ଆଉ କେହି ଅଜ୍ଞ ନୁହନ୍ତି। କେବଳ ସମସ୍ୟା ନିହିତ ଅଛି ନିରାକରଣର ଉପାୟଗୁଡ଼ିକୁ ରୂପାୟନ କରିବାର ସ୍ଥାଣୁତାରେ ବା ସେ ଦିଗରେ ଆଗ୍ରହ ପ୍ରକାଶ କରା ନ ଯିବାରେ। କେବଳ ସେତିକି ନୁହେଁ, ଦାୟିତ୍ବବାନ ପଦାସୀନ ଅନେକ ବିଶିଷ୍ଟ ବ୍ୟକ୍ତି ଏଭଳି ରିପୋର୍ଟଗୁଡ଼ିକୁ ଅଯଥା ଛନକା ସୃଷ୍ଟିକାରୀଙ୍କ ଅଭିସନ୍ଧି ରୂପେ ଦେଖିଥାଆନ୍ତି, ଯେମିତି ବିଚାର କରୁଥିଲେ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ୍ ଏବ˚ ତାଙ୍କ ସମର୍ଥକ ଗଣ! ଏହି କାରଣରୁ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଶୀର୍ଷ ସମ୍ମିଳନୀଗୁଡ଼ିକରେ ନିଆଯାଉଥିବା ଶପଥ ଏବ˚ ପ୍ରଦାନ କରାଯାଉଥିବା ପ୍ରତିଶ୍ରୁତିଗୁଡ଼ିକୁ ପ୍ରାୟତଃ ପାଳନ କରାଯାଇ ନ ଥାଏ। ଏହାର ଉଦାହରଣ ଦେଖନ୍ତୁ। ଏହା ସୁବିଦିତ ଯେ ପୁନଃ-ନବୀକରଣକ୍ଷମ ଶକ୍ତି ସ୍ରୋତର ବ୍ୟବହାର ଜୀବାଶ୍ମ ଇନ୍ଧନକୁ କ୍ରମେ ସ୍ଥାନଚ୍ୟୁତ କରି ‘ଗ୍ରିନ୍ ହାଉସ୍ ଗ୍ୟାସ’ ନିର୍ଗମନରେ ହ୍ରାସ ଘଟାନ୍ତା; ଯାହା ଫଳରେ ପୃଥିବୀର ଉତ୍ତାପ ସେହି ଗ୍ୟାସ ଦ୍ବାରା ବାୟୁମଣ୍ତଳରେ ଅବରୁଦ୍ଧ ହୋଇ ରହନ୍ତା ନାହିଁ ଏବ˚ ସ୍ବାଭାବିକ ଭାବେ ପୃଥିବୀ ଶୀତଳ ହୁଅନ୍ତା।
ଏହି ବିଚାର ଆଧାରରେ ୨୦୧୫ରେ ପ୍ୟାରିସ୍ରେ ଅନୁଷ୍ଠିତ ବିଶ୍ବ ଜଳବାୟୁ ସମ୍ବନ୍ଧିତ ଶୀର୍ଷ ସମ୍ମିଳନୀରେ ସ୍ଥିର କରାଯାଇଥିଲା ଯେ ପ୍ରାକ୍-ଶିଳ୍ପ ବିପ୍ଳବ ସମୟର ତାପମାତ୍ରା ଠାରୁ ପୃଥିବୀର ତାପମାତ୍ରାକୁ ୧.୫ ଡିଗ୍ରିରୁ ଅଧିକ ବୃଦ୍ଧି କରିବାକୁ ଦିଆଯିବ ନାହିଁ। ସେହି ଦୃଷ୍ଟିରୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପୁନଃ-ନବୀକରଣକ୍ଷମ ଶକ୍ତି ଉତ୍ପାଦନରେ ସ୍ବାବଲମ୍ବୀ ହେବା ସକାଶେ ଉନ୍ନତ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ପ୍ରଯୁକ୍ତି ଓ ଅର୍ଥ ଉପଲବ୍ଧ କରାଇ ଦିଆଯିବ। କିନ୍ତୁ ଏକ ବିଡ଼ମ୍ବନା ହେଲା ସେହି ସମୟରେ ଖୁବ୍ ଆଶା ଉଦ୍ରେକ କରିଥିବା ପ୍ୟାରିସ୍ ଚୁକ୍ତିନାମା ବସ୍ତୁତଃ ଅଚଳ ହୋଇ ପଡ଼ି ରହିଛି। କିନ୍ତୁ ଏହା କ’ଣ ସତ ନୁହେଁ ଯେ ଉନ୍ନତ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ସମୃଦ୍ଧି ହେବାର ଯାତ୍ରା ପଥରେ ଜୀବାଶ୍ମ ଇନ୍ଧନର ବହୁଳ ଓ ଅବାଧ ବ୍ୟବହାର କରି ପୃଥିବୀର ଜଳବାୟୁକୁ ପ୍ରଦୂଷିତ କରି ପକାଇବାରେ ସେମାନଙ୍କ ସନ୍ଦିଗ୍ଧ ଭୂମିକା ନିର୍ବାହ କରି ସାରିଛନ୍ତି? ସୁତରା˚, ତାହାର ପ୍ରାୟଶ୍ଚିତ୍ତ ସ୍ବରୂପ ସେହି ରାଷ୍ଟ୍ରଗୁଡ଼ିକ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ସକାଶେ ଅଣ-ପ୍ରଦୂଷଣକାରୀ ବୈଷୟିକ ଜ୍ଞାନ ଓ ଅର୍ଥ ସାହାଯ୍ୟ ଉପଲବ୍ଧ କରାଇବା ଏକ ନୈତିକ ଦାୟିତ୍ବ ହେବା ଉଚିତ। କିନ୍ତୁ ସେମାନେ ସେଭଳି ନ କରି ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାର କରୁଥିବା ଭାରତ ଭଳି ଦେଶଗୁଡ଼ିକ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି।
ଯଦିଓ ଭାରତ ପୁନଃ-ନବୀକରଣକ୍ଷମ ଶକ୍ତି ସ୍ରୋତ ବିକାଶରେ ଦ୍ରୁତ ଅଗ୍ରଗତି କରି ଚାଲିଛି, ଏହା ସତ ଯେ ପୃଥିବୀରେ ସର୍ବାଧିକ କାର୍ବନ ଉତ୍ସର୍ଜନକାରୀ ରାଷ୍ଟ୍ର ରୂପେ ଏହା ପରିଗଣିତ। ତେବେ, ଏହାର କାରଣ ଭାରତର ବିଶାଳ ଜନସ˚ଖ୍ୟା। ମୁଣ୍ତ ପିଛା କାର୍ବନ ନିର୍ଗମନ ପରିମାଣକୁ ବିଚାର କଲେ ତାହା ପ୍ରତ୍ୟେକ ଭାରତୀୟଙ୍କ ସକାଶେ ୧.୯ ଟନ୍ ହୋଇଥିବା ବେଳେ ପ୍ରତି ଆମେରିକୀୟ ସକାଶେ ତା’ର ଆଠ ଗୁଣ ଏବ˚ ପ୍ରତି ଜର୍ମାନ ସକାଶେ ତା’ର ଚାରି ଗୁଣ। ସୁତରା˚, ଭାରତୀୟମାନେ ଉନ୍ନତ ଦେଶର ନାଗରିକମାନଙ୍କ ତୁଳନାରେ ଅଧିକ ପ୍ରକୃତି ଅନୁକୂଳ ଓ ଧାରଣକ୍ଷମ ଜୀବନ ଅତିବାହିତ କରି ପୃଥିବୀର ପ୍ରଦୂଷଣରେ କମ୍ ଯୋଗଦାନ କରିଛନ୍ତି ବୋଲି ଉନ୍ନତ ରାଷ୍ଟ୍ରଗୁଡ଼ିକ ହୃଦୟଙ୍ଗମ କରିବା ମଧୢ ଆବଶ୍ୟକ।
କହିବା ଅନାବଶ୍ୟକ ଯେ ପ୍ରକୃତିରେ ନିହିତ ଏକ ନୈସର୍ଗିକ ଓ ସୂକ୍ଷ୍ମ ବୁଦ୍ଧିମତ୍ତା ଏହି ପୃଥିବୀରେ ଜୀବନ ସ˚ଚାର କରିଥିଲା ଏବ˚ ତହିଁରେ ପ୍ରଗତି ଘଟାଇଥିଲା। ପ୍ରକୃତିର ଏହି ବୁଦ୍ଧିମତ୍ତାର ସବୁଠାରୁ ସରଳ ଉଦାହରଣ ହେଲା ବାୟୁମଣ୍ତଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଗ୍ୟାସର ଭାରସାମ୍ୟ ରକ୍ଷାକୁ ସମ୍ଭବ କରିବା ସକାଶେ ପ୍ରାଣୀ ଓ ଉଦ୍ଭିିଦ ଜଗତ୍ର ପାରସ୍ପରିକ ନିର୍ଭରଶୀଳ ଓ ସନ୍ତୁଳିତ ସହାବସ୍ଥାନ। କିନ୍ତୁ ବିଡ଼ମ୍ବନା ହେଲା ପ୍ରାଣୀ ଜଗତ୍ ମଧୢରେ କେବଳ ମନୁଷ୍ୟ ପ୍ରକୃତିର ଏହି ସୂକ୍ଷ୍ମ ବୁଦ୍ଧିମତ୍ତାକୁ ନଜରଅନ୍ଦାଜ କରିଥାଏ, ଯାହାର ପ୍ରମାଣ ଅବିଚାରିତ ବୃକ୍ଷ ଛେଦନ। ଉପରୋକ୍ତ ଉଦାହରଣ ଅଗଣିତ ଦୃଷ୍ଟାନ୍ତ ମଧୢରୁ କେବଳ ଗୋଟିଏ, ଯହିଁରେ ମନୁଷ୍ୟର ହସ୍ତକ୍ଷେପ ପ୍ରକୃତିର ସୂକ୍ଷ୍ମ ବୁଦ୍ଧିମତ୍ତାକୁ କ୍ଷୁଣ୍ଣ କରି ଚାଲିଛି। କିନ୍ତୁ ଭୁଲିଗଲେ ହେବ ନାହିଁ ଯେ ଯେଉଁ ବୁଦ୍ଧିମତ୍ତା ଏହି ସ˚ସାରକୁ ସମ୍ଭବ କରିଛି, ସେହି ବୁଦ୍ଧିମତ୍ତା ଯେ କୌଣସି ସୀମାତିକ୍ରମଣକୁ ମଧୢ ଦଣ୍ତନୀୟ କରିବ; ଯାହାର ପ୍ରଭାବ ସ˚ପ୍ରତି ଜଳବାୟୁ ପରିବର୍ତ୍ତନର କରାଳ ରୂପରେ ମନୁଷ୍ୟ ସମକ୍ଷରେ ଦଣ୍ତାୟମାନ ହୋଇଛି।
ତେବେ, ପ୍ରଶ୍ନ ହେଲା ଏହି ଦଣ୍ତର ପ୍ରହାର ଭୋଗୁଛି କିଏ? ଧରି ନିଆଯାଉ ଏକ ରିପୋର୍ଟରେ ପ୍ରକାଶ ପାଇଥିବା ଭଳି ଅମ୍ବାନୀ ପରିବାରର ଭବ୍ୟ ବାସଗୃହ ‘ଆଣ୍ଟିଲିଆ’ରେ ମାସିକ ପ୍ରାୟ ୬ ଲକ୍ଷ ୟୁନିଟ୍ ବିଜୁଳି ଖର୍ଚ୍ଚ ହୁଏ। କିନ୍ତୁ, ଏତିକି ପରିମାଣର ବିଜୁଳି ଉତ୍ପାଦନ କରିବା ଲାଗି ବ୍ୟବହୃତ ଜୀବାଶ୍ମ ଇନ୍ଧନରୁ ଯେତିକି ‘ଗ୍ରିନ୍ ହାଉସ୍’ ଗ୍ୟାସ ନିର୍ଗମନ ହେଉଥିବ, ତାହା ସମସ୍ତଙ୍କ ଅଲକ୍ଷ୍ୟରେ ସୁୁଦୂର ପ୍ରଶାନ୍ତ ମହାସାଗରୀୟ ଦ୍ବୀପ-ରାଷ୍ଟ୍ର ‘ଦ ରିପବ୍ଲିକ୍ ଅଫ୍ କିରିବାଟି’ ସକାଶେ ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ତାରିଖକୁ ଆହୁରି ନିକଟତର କରାଇବାରେ ସାହାଯ୍ୟ କରୁଥିବ। ପ୍ରକାଶ ଥାଉ କି ‘ଆନ୍ତର୍ଜାତିକ ତାରିଖ ରେଖା’ର ଠିକ୍ ପଶ୍ଚିମକୁ ଲାଗି ରହିଥିବା ଏହି ରାଷ୍ଟ୍ର ଏକବି˚ଶ ଶତାବ୍ଦୀର ପ୍ରଥମ ଦିବସର ସୂର୍ଯ୍ୟୋଦୟକୁ ପ୍ରଥମେ ଦେଖିଥିବା ମୁଷ୍ଟିମେୟ ରାଷ୍ଟ୍ରଙ୍କ ମଧୢରେ ଅନ୍ୟତମ ଥିଲା। କିନ୍ତୁ, ଜଳବାୟୁ ପରିବର୍ତ୍ତନ କାରଣରୁ ସମୁଦ୍ର ଗର୍ଭରେ ଲୀନ ହେବା ଲାଗି ହୃତ୍କ˚ପ ସହିତ ଅପେକ୍ଷା କରି ରହିଥିବା ୧ ଲକ୍ଷ ୧୨ ହଜାର ନାଗରିକ ସ˚ପନ୍ନ ଏହି ଦ୍ବୀପ-ରାଷ୍ଟ୍ର ହୁଏତ ୨୧୫୦ ସୁଦ୍ଧା ତା’ର ଅସ୍ତିତ୍ବ ହରାଇ ସାରିଥିବ! ଏହା ହିଁ ହେଉଛି କିରିବାଟିମାନଙ୍କ ଭାଗ୍ୟ!