୧୯୪୧ରେ ବିଚକ୍ଷଣ ଯୁବ ଜର୍ମାନ୍ ପଦାର୍ଥ ବିଜ୍ଞାନୀ ୱର୍ନର୍ ହାଇଜେନ୍ବର୍ଗ ରେଳ ଯୋଗେ ଡେନ୍ମାର୍କ ରାଜଧାନୀ କୋପେନ୍ହାଗେନ୍ରେ ପହଞ୍ଚି ତାଙ୍କର ଦିଗ୍ଦର୍ଶକ ଗୁରୁ ମହାନ୍ ପଦାର୍ଥବିଜ୍ଞାନୀ ନିଲ୍ସ ବୋର୍ଙ୍କୁ ଭେଟନ୍ତି। ସେତେବେଳକୁ ହିଟ୍ଲର୍ ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ କରିବାର ଦୁଇ ବର୍ଷ ହୋଇ ସାରିଥାଏ। ହାଇଜେନ୍ବର୍ଗ ବୋର୍ଙ୍କୁ ସାକ୍ଷାତ କରିବାକୁ ଯିବାର ଉଦ୍ଦେଶ୍ୟ ହେଲା ତାଙ୍କୁ ହିଟ୍ଲର୍ଙ୍କର ଏକ ଉଦ୍ଦେଶ୍ୟ ସମ୍ବନ୍ଧରେ ଅବଗତ କରାଇବା। ଏହାର ୧୬ ବର୍ଷ ପୂର୍ବେ ୧୯୨୫ରେ ୨୩ ବର୍ଷୀୟ ହାଇଜେନ୍ବର୍ଗ ଆଣବିକ ପଦାର୍ଥ ବିଜ୍ଞାନର ଏକ ଗହନ ଶାଖା ‘କ୍ବାଣ୍ଟମ୍ ମେକାନିକ୍ସ’ ସମ୍ପର୍କରେ ଏକ ଚମକପ୍ରଦ ଅନ୍ତର୍ଦୃଷ୍ଟି ଆବିଷ୍କାର କରି ୧୯୩୨ରେ ନୋବେଲ୍ ପୁରସ୍କାର ଲାଭ କରି ପ୍ରସିଦ୍ଧି ଅର୍ଜନ କରିଥିଲେ। ହିଟ୍ଲର୍ ହାଇଜେନ୍ବର୍ଗଙ୍କ ଉପରେ ଚାପ ପକାଉଥିଲେ ଯେ ସେ ତାଙ୍କର ଆଣବିକ ଜ୍ଞାନ ବ୍ୟବହାର କରି ଏପରି ଏକ ପ୍ରଳୟଙ୍କରୀ ବୋମା ନିର୍ମାଣ କରନ୍ତୁ ଯାହା ହିଟ୍ଲର୍ଙ୍କ ପାଇଁ ଅବିଳମ୍ବେ ବିଜୟ ନିଶ୍ଚିତ କରିବ। ଏହା ତାଙ୍କ ଠାରେ ସୃଷ୍ଟି କରିଥିବା ନୈତିକ ଦ୍ବନ୍ଦ୍ବ ସମ୍ବନ୍ଧରେ ଗୁରୁ ବୋର୍ଙ୍କୁ ଜଣାଇବା ଥିଲା ହାଇଜେନ୍ବର୍ଗଙ୍କର ଉଦ୍ଦେଶ୍ୟ।
ବୋର୍ଙ୍କ ଶିଷ୍ୟ ଗୋଷ୍ଠୀର ଅନ୍ୟ କେେତକ ଯୁବ ସଦସ୍ୟ (ଯେମିତି ପ୍ରଚଣ୍ଡ ଧୀଶକ୍ତିଧାରୀ ଉଲ୍ଫଗାଙ୍ଗ୍ ପଲି) କେବଳ ବିଶୁଦ୍ଧ ଜ୍ଞାନ ସନ୍ଧାନକୁ ଗୁରୁତ୍ବ ଦେଉଥିଲେ ହେଁ, ନିଲ୍ସ ବୋର୍ ରାଜନୈତିକ ଉଦ୍ଦେଶ୍ୟରେ ଜ୍ଞାନର ପ୍ରୟୋଗ ପ୍ରତି ବିମୁଖ ନ ଥିଲେ। ସେ ହିଟ୍ଲର୍ଙ୍କ ନାତ୍ସିବାଦର ଚରମ ବିରୋଧୀ ଥିଲେ। ହାଇଜେନ୍ବର୍ଗଙ୍କ ଠାରୁ ହିଟ୍ଲର୍ଙ୍କ ଯୋଜନା ସମ୍ବନ୍ଧରେ ସୂଚନା ପାଇବା ପରେ ବୋର୍ ବ୍ରିଟିସ୍ କମାଣ୍ଡୋମାନଙ୍କ ଦ୍ବାରା ନିଜର ହରଣଚାଳ ଘଟାଇ ଜର୍ମାନ୍ ଅଧିକୃତ ଡେନ୍ମାର୍କରୁ ଖସି ଅାସି ବ୍ରିଟେନ୍ ବାଟ ଦେଇ (ଖୋଦ୍ ଚର୍ଚ୍ଚିଲ୍ ତାଙ୍କୁ ଭେଟି ସ୍ବାଗତ କରିଥିଲେ) ଆମେରିକାରେ ପହଞ୍ଚିଥିଲେ। ସେଠାରେ ଏକ ଯୁବ ବୈଜ୍ଞାନିକ ଗୋଷ୍ଠୀ ବୋର୍ଙ୍କର କ୍ବାଣ୍ଟମ୍ ତତ୍ତ୍ବକୁ କାର୍ଯ୍ୟରେ ଲଗାଇ ଯେଉଁ ପୃଥିବୀର ସର୍ବପ୍ରଥମ ପରମାଣୁ ବୋମା ନିର୍ମାଣରେ ସଫଳ ହେଲେ, ତାହା ଶେଷରେ ସେ ଯୁଦ୍ଧରେ ଅନ୍ତ ଘଟାଇଲା। ଏହା କିନ୍ତୁ ଯେଉଁ ସଂହାର ଲୀଳା ରଚନା କଲା, ସେଥିରେ ଜାପାନ୍ର ହିରୋସିମା ଓ ନାଗାସାକିରେ ମୋଟ ପ୍ରାୟ ଦୁଇ ଲକ୍ଷ ଆବାଳ ବୃଦ୍ଧ ବନିତା ଆଖି ପିଛୁଳାକେ ପ୍ରାଣ ହରାଇଲେ।
ଆଜି ଆମେ ଏଭଳି ଏକ ପୃଥିବୀରେ ବାସ କରୁଛୁ, ଯେଉଁଠି ହଜାର ହଜାର ଆଣବିକ ଅସ୍ତ୍ରମାନ ଜନବସତିମାନଙ୍କ ଆଡ଼କୁ ମୁହାଁଇ ନିକ୍ଷେପିତ ହେବାକୁ ଅପେକ୍ଷା କରିରହିଛନ୍ତି। ଯଦି କେବେ ଏହାର ନିୟନ୍ତ୍ରଣ ଦାୟିତ୍ବରେ ଥିବା କେହି କିଛି ଭୁଲ୍ କରି ବସେ କିମ୍ବା ମାନସିକ ଭାରସାମ୍ୟ ହରାଇ ବସେ, ତେବେ ତା’ର ପରିଣାମ ସ୍ବରୂପ ପୃଥିବୀ ପୃଷ୍ଠରେ ଜୀବନର ବିଲୟ ଘଟିବା ଯେ ଅନିବାର୍ଯ୍ୟ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। କିନ୍ତୁ ଏକ ନିଷ୍ଠୁର ବିଡ଼ମ୍ବନା ଭଳି େଯତେ ବେଳେ ହାଇଜେନ୍ବର୍ଗ ଓ ତାଙ୍କର ଅନ୍ୟ ଯୁବସାଥୀମାନେ (ପାସ୍କୁଆଲ୍ ଜୋର୍ଡାନ୍, ପଲି, ବ୍ରିଟେନ୍ର ପଲ୍ ଡିରାକ୍ ଆଦି) କ୍ବାଣ୍ଟମ୍ ତତ୍ତ୍ବ ଆବିଷ୍କାରରେ ବ୍ୟାପୃତ ଥିଲେ, ସେମାନଙ୍କ କୋମଳ ବୟସକୁ ଦୃଷ୍ଟିରେ ରଖି ସେମାନଙ୍କର ଗବେଷଣାର ବିଷୟବସ୍ତୁକୁ ଜର୍ମାନ ଭାଷାରେ ନାମକରଣ କରାଯାଇଥିଲା- ‘ନାବେନ୍ଫିଜିକ୍’ ବା ‘ବାଳକ ପଦାର୍ଥ ବିଜ୍ଞାନ’ ବା ‘ପିଲାଖେଳ’। ସେମାନଙ୍କ ଖେଳ କେବଳ ଜାପାନ ପାଇଁ ନୁହେଁ, ସାରା ପୃଥିବୀ ପାଇଁ ହୋଇଛି କାଳ।
ତେବେ ଏକ ଅଣୁର କେନ୍ଦ୍ରସ୍ଥଳରେ ଥିବା ‘ନିଉକ୍ଲିଅସ୍’ର ଚତୁର୍ଦ୍ଦିଗରେ ଘୂରି ବୁଲୁଥିବା ‘ଇଲେକ୍ଟ୍ରନ୍’ମାନଙ୍କର ଆଚରଣ ସମ୍ପର୍କିତ ପଦାର୍ଥ ବିଜ୍ଞାନର ଏହି ଶାଖାର ଉପଯୋଗର ସମ୍ଭାବନା କେବଳ ବିଧ୍ବଂସକାରୀ ଅସ୍ତ୍ରଶସ୍ତ୍ର ନିର୍ମାଣରେ ସୀମିତ ନୁହେଁ। ପ୍ରକୃତିର ଅନେକ ରହସ୍ୟ ଭେଦ କରିବାରେ କ୍ବାଣ୍ଟମ୍ ତତ୍ତ୍ବ ଆମକୁ ସାହାଯ୍ୟ କରିଛି: ମୌଳିକ ପଦାର୍ଥମାନଙ୍କର କାଳଗତ ସାରଣୀ ବା ‘ପିରିଅଡିକ୍ ଟେବ୍ଲ’ର ସଂରଚନାରୁ ଚିକିତ୍ସା କ୍ଷେତ୍ରରେ ଏହାର ଜୀବନରକ୍ଷାକାରୀ ପ୍ରୟୋଗ ପର୍ଯ୍ୟନ୍ତ। କ୍ବାଣ୍ଟମ୍ କମ୍ପ୍ୟୁଟର୍ରୁ ୨୦୨୨ରେ ନୋବେଲ୍ ପୁରସ୍କାର ଦ୍ବାରା ସ୍ବୀକୃତି ପାଇଥିବା ‘କ୍ବାଣ୍ଟମ୍ ଏଣ୍ଟାଗ୍ଲମେଣ୍ଟ’ ତତ୍ତ୍ବ (ଦୁଇଟି ପରସ୍ପରଠାରୁ ସୁଦୂର ବିଚ୍ଛିନ୍ନ ବସ୍ତୁ ମଧ୍ୟରେ ପରିଲକ୍ଷିତ ନିବିଡ଼ ସମ୍ପର୍କ) ପର୍ଯ୍ୟନ୍ତ ହେଉଛନ୍ତି କ୍ବାଣ୍ଟମ୍ ମେକାନିକ୍ସ ତତ୍ତ୍ବର ଅକାଟ୍ୟ ସତ୍ୟତା ବହନ କରୁଥିବା କେତେକ ପ୍ରମାଣ। ୧୯୦୦ ସାଲରେ ମାକ୍ସ ପ୍ଲାଙ୍କ୍ଙ୍କ ଦ୍ବାରା ମୂଳଦୁଆ ପଡ଼ିଥିବା କ୍ବାଣ୍ଟମ୍ ତତ୍ତ୍ବର ଏହି ଦୀର୍ଘ ଇତିହାସ ଦେଖିଲେ ଭାରତ ସରକାର ତେଣୁ ବର୍ତ୍ତମାନ କ୍ବାଣ୍ଟମ୍ ଜ୍ଞାନ କୌଶଳ କ୍ଷେତ୍ରରେ ଗବେଷଣା ନିମିତ୍ତ ଯେଉଁ ‘ନେସନାଲ କ୍ବାଣ୍ଟମ୍ ମିସନ୍’ (‘ଏନ୍କ୍ୟୁଏମ୍’) ପ୍ରତିଷ୍ଠା କରାଯିବା ଘୋଷଣା କରିଛନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ବରଂ ବିଳମ୍ବ ହୋଇଛି ବୋଲି କୁହାଯାଇପାରେ।
ସରକାରଙ୍କ ଘୋଷଣା ଅନୁସାରେ େଯାଗାଯୋଗ, ଚିକିତ୍ସା, ଔଷଧ ପ୍ରସ୍ତୁତି, ବିତ୍ତୀୟ ପରିଚାଳନା, ଶକ୍ତି ଓ ମହାକାଶ ଆଦି କ୍ଷେତ୍ରରେ କ୍ବାଣ୍ଟମ୍ ଜ୍ଞାନେକୗଶଳର ସୁଫଳ ପ୍ରଦାନକାରୀ ପ୍ରୟୋଗ ସମ୍ବନ୍ଧରେ ଗବେଷଣା ନିମିତ୍ତ ଏହି ମିସନ୍ ପାଇଁ ୬,୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କିନ୍ତୁ ଅସଲ କଥା ହେଲା ଅତୀତରେ ହାଇଜେନ୍ବର୍ଗ-ନିଲ୍ସ ବୋର୍ ସାକ୍ଷାତକାର ବହନ କରିଥିବା ଭଳି ଭାରତ ସରକାରଙ୍କ ନିଷ୍ପତ୍ତି ପଛରେ ଏକ ଗୁରୁତ୍ବପୂର୍ଣ୍ଣ ସାମରିକ କାରଣ ନିହିତ ଅଛି। ସେଦିନର ପରମାଣୁ ବୋମା ନିର୍ମାଣ ନିମିତ୍ତ ହୋଇଥିବା ପ୍ରତିଯୋଗିତା ଭଳି ସାମରିକ କ୍ଷେତ୍ରରେ ବର୍ତ୍ତମାନ ଯେଉଁ ପ୍ରତିଯୋଗିତା ଅସୀମ ଗୁରୁତ୍ବ ବହନ କରିଛି, ତାହା ହେଲା କ୍ବାଣ୍ଟମ୍ ଯୋଗାଯୋଗ କ୍ଷେତ୍ରରେ ପାରଦର୍ଶିତା ହାସଲ ନିମିତ୍ତ ପ୍ରତିଯୋଗିତା। ଏହି କୌଶଳକୁ ପ୍ରୟୋଗ କରି ଗୋଟିଏ ଦେଶ ତା’ର ଶତ୍ରୁ ଦେଶର ଶକ୍ତି ଉତ୍ପାଦନ ଓ ବଣ୍ଟନ, ବିତ୍ତୀୟ ସେବା, ସ୍ବାସ୍ଥ୍ୟସେବା, ବିମାନ ଚଳାଚଳ ଆଦିରୁ ପ୍ରତିରକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତକୁ ହ୍ୟାକିଙ୍ଗ୍ କରି ଯୁଦ୍ଧ ପୂର୍ବରୁ ତଥା ଯୁଦ୍ଧ ସମୟରେ ଅଚଳ କରି ଦେଇପାରିବ। ଆଜିକାଲି ପ୍ରତ୍ୟେକ ବ୍ୟବସ୍ଥା କାର୍ଯ୍ୟ କରିବା ପାଇଁ ଡେଟା ନେଟ୍ୱାର୍କ ଉପରେ ନିର୍ଭର କରୁଥିବାରୁ ହ୍ୟାକିଙ୍ଗ୍ ଦ୍ବାରା ସମଗ୍ର ଦେଶକୁ ପଙ୍ଗୁ କରି ଦେବା ସହଜ ହେବ।
ବର୍ତ୍ତମାନ ଯେଉଁ ‘ଏନ୍କ୍ରିପ୍ସନ୍’ ମାଧ୍ୟମରେ ଡେଟାକୁ ସୁରକ୍ଷିତ ରଖାଯାଉଛି, କମ୍ପ୍ୟୁଟିଙ୍ଗ କ୍ଷମତାରେ ଘଟୁଥିବା ନିରବଚ୍ଛିନ୍ନ ଉନ୍ନତି ଦ୍ବାରା ତାହାକୁ ଭେଦ କରାଯାଇପାରୁଛି। କିନ୍ତୁ ‘କ୍ବାଣ୍ଟମ୍ କି ଡିଷ୍ଟ୍ରିବ୍ୟୁସନ୍’ (‘କ୍ୟୁକେଡି’) କୌଶଳ ପ୍ରୟୋଗ ଦ୍ବାରା ଏହି ‘ଏନ୍କ୍ରିପ୍ସନ୍’କୁ ଅଭେଦ୍ୟ କରି ଦେଇ ହେବ। କ୍ବାଣ୍ଟମ୍ ତତ୍ତ୍ବର ଏକ ଅନ୍ତର୍ନିହିତ ଚରିତ୍ର ଯୋଗୁଁ ହ୍ୟାକିଙ୍ଗ୍ ସମ୍ଭବ ହୋଇନଥାଏ। ତାହାହେଲା, ଏକ ‘ଇଲେକ୍ଟ୍ରନ୍’କୁ ପରିମାପ କରିବାକୁ ଉଦ୍ୟମ କରାଯିବା ମାତ୍ରେ ତା’ର ଚରିତ୍ରରେ ପରିବର୍ତ୍ତନ ଘଟିଥାଏ। ହାଇଜେନ୍ବର୍ଗ କଳ୍ପନା କରିଥିବା ଭଳି ସତେ ଯେମିତି ‘ଇଲେକ୍ଟ୍ରନ୍’ ସବୁ ସମୟରେ ଉପସ୍ଥିତ ନ ଥାଏ, କେବଳ ଆମେ ପର୍ଯ୍ୟବେକ୍ଷଣ କରିବା ବେଳେ ତା’ର ଏକ ସ୍ଥାନରେ ଆବିର୍ଭାବ ଘଟିବାର ସମ୍ଭାବନା ଥାଏ ମାତ୍ର। ‘କ୍ୟୁକେଡି’ କ୍ବାଣ୍ଟମ୍ ମେକାନିକ୍ସ ତତ୍ତ୍ବର ଏହି ବିଶେଷ ଚରିତ୍ରକୁ କାର୍ଯ୍ୟରେ ଲଗାଇଥାଏ। ‘ଏନ୍କ୍ରିପସନ୍’ର ଛଦ୍ମବେଶ କେହି ଅନାବୃତ କରିବାକୁ ଉଦ୍ୟମ କରିବା ମାତ୍ରେ ସେ ବେଶରେ ପରିବର୍ତ୍ତନ ଘଟିଥାଏ ଓ ତତ୍କ୍ଷଣାତ୍ ଅନୁପ୍ରବେଶ ଉଦ୍ୟମ ସମ୍ପର୍କରେ ସତର୍କ ସୂଚନା ପ୍ରସାରିତ ହୋଇଥାଏ।
‘କ୍ୟୁକେଡି’ ଯୋଗାଯୋଗ ଅପ୍ଟିକ୍ ଫାଇବର୍ କେବ୍ଲ କିମ୍ବା ସାଟେଲାଇଟ୍ ମାଧ୍ୟମରେ ସମ୍ଭବ ହୋଇଥାଏ। ଚୀନ୍ ଦାବି କରୁଛି ଯେ ସେ ପୃଥିବୀର ଦୀର୍ଘତମ ‘କ୍ୟୁକେଡି’ ନେଟ୍ୱାର୍କ ପ୍ରତିଷ୍ଠା କରିସାରିଲାଣି। ଭାରତ ଯଦି ଯଥାଶୀଘ୍ର ନିଜର ‘କ୍ୟୁକେଡି’ ନେଟ୍ୱାର୍କ ପ୍ରତିଷ୍ଠା ନ କରେ, ତେବେ ଚୀନ୍ର ସାଇବର୍ ଆକ୍ରମଣରୁ ନିଜକୁ ସୁରକ୍ଷିତ ରଖିପାରିବ ନାହିଁ। ଭାରତର ପାଲଟା ଆକ୍ରମଣ ମଧ୍ୟ ‘କ୍ୟୁକେଡି’ ଢାଲ ଭେଦ କରି ଚୀନ୍ର କିଛି କ୍ଷତି କରିପାରିବ ନାହିଁ। ‘ଏନ୍କ୍ୟୁଏମ୍’ ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏ ଦିଗରେ ଅଗ୍ରସର ହେବା ଜରୁରୀ, ଯେମିତି କାହାର ‘ପିଲା ଖେଳ’ ଆମ ପାଇଁ ଆଉ କାଳ ହେବ ନାହିଁ।