ଆର ଚୌକିଦାର

‘‘ବ୍ୟାଙ୍କ୍‌ ହେଉଛି ଏମିତି ଏକ ଜାଗା ଯେଉଁଠୁ ତୁମେ ଋଣ ପାଇ ପାରିବ, ଯଦି ତୁମେ ପ୍ରମାଣ ଦେଇ ପାରିବ ଯେ ତୁମେ ଋଣ କରିବା ଦରକାର ନାହିଁ।’’ ବିଂଶ ଶତାବ୍ଦୀର ପ୍ରସିଦ୍ଧ ଆମେରିକୀୟ କମେଡିଆନ୍‌ ବବ୍‌ ହୋପ୍‌ ବ୍ୟାଙ୍କ୍‌ ମାନଙ୍କ ପ୍ରତି କରିଥିବା ଏହି ବ୍ୟଙ୍ଗୋକ୍ତିର ମର୍ମ ହେଲା ବ୍ୟାଙ୍କ୍‌ଟିଏ କୌଣସି ଋଣ ପ୍ରଦାନ ପୂର୍ବରୁ ଋଣଗ୍ରହୀତାଙ୍କ ପରିଶୋଧ କରିବା କ୍ଷମତା ଓ ସମ୍ଭାବନା ସମ୍ବନ୍ଧରେ ଏତେ ଟିକିନିଖି ଯାଞ୍ଚ କରିଥାଏ ଯେ ଶେଷରେ କେବଳ ସ୍ୱଚ୍ଛଳ ବ୍ୟକ୍ତିମାନେ ହିଁ ଋଣ ପାଇ ପାରିଥାନ୍ତି। ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଗଭର୍ନର ଉର୍ଜିତ ପଟେଲ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଯେଉଁ ଅଭିଯୋଗ ପ୍ରତ୍ୟଭିଯୋଗ ଫିଙ୍ଗାଫିଙ୍ଗି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରି ଦେଇଛି, ତାହା ମୂଳରେ ନିହିତ ଥିବା ପ୍ରଶ୍ନଟିକୁ ଏହି ପ୍ରକାରେ ଉପସ୍ଥାପନ କରାଯାଇପାରେ: ନିରବ ମୋଦୀ ବ୍ୟାଙ୍କ୍‌ ଠକେଇରୁ ପ୍ରମାଣିତ ହୋଇଥିବା ଭାରତରେ ଉପରୋକ୍ତ ‘ବବ୍‌ ହୋପ୍‌ ନିୟମ’ର ଉଲ୍ଲଂଘନ ପାଇଁ ଦାୟୀ କିଏ- ନିୟନ୍ତ୍ରକ ରିଜର୍ଭ ବ୍ୟାଙ୍କ୍‌ ନା ମାଲିକ କେନ୍ଦ୍ର ସରକାର? ନିରବ ମୋଦୀଙ୍କ ଠକେଇର ଜଟିଳତା ଭଳି ଏ ପ୍ରଶ୍ନର ଉତ୍ତର ମଧ୍ୟ ଜଟିଳ।

ବିଶାଳ ନିରବ ମୋଦୀ ଠକେଇ ଦ୍ୱାରା ଘାଇଲା ନିଜକୁ ଚୌକିଦାର ବୋଲି ପୂର୍ବରୁ ଘୋଷଣା କରିଥିବା ମୋଦୀ ସରକାର ଆତ୍ମରକ୍ଷା ପାଇଁ ଅନ୍ୟ ଏକ ଚୌକିଦାର ରିଜର୍ଭ ବ୍ୟାଙ୍କ୍‌ ତାର ଜଗୁଆଳି କାର୍ଯ୍ୟ ଠିକ ଭାବରେ ନକରିବାରୁ ଏପରି ଘଟିଲା ବୋଲି ଅଭିଯୋଗ କରିବାରେ ଲାଗିଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏହି ମର୍ମରେ କହିବା ଦେଖାଯାଇଛି ଯେ ରିଜର୍ଭ ବ୍ୟାଙ୍କ୍‌ ତାର ତୃତୀୟ ନୟନକୁ ସବୁବେଳେ ଖୋଲା ରଖିବା କଥା, କିନ୍ତୁ ତାହା କରି ନାହିଁ। ଅର୍ଥାତ୍‌ ତାଙ୍କ କହିବା କଥା ହେଲା, ଆମେ ନୁହଁ ସେ ଅନ୍ୟ ଚୌକିଦାର ଜଣକ ଜଗିଥିବା ବେଳେ ଢୋଳାଇ ପଡ଼ିବାରୁ ନିରବ ଦସ୍ୟୁ ବ୍ୟାଙ୍କ୍‌ ଲୁଟି କରି ଚମ୍ପଟ ମାରିଛି। ଅନ୍ୟ ଚୌକିଦାର ଉର୍ଜିତ ପଟେଲ ଜଣେ ଧୀରସ୍ଥିର, ପ୍ରାୟ ଲାଜକୁଳା ସ୍ୱଭାବର ବ୍ୟକ୍ତି ରୂପେ ଜଣାଶୁଣା। ସେ ଲୋକଲୋଚନକୁ ଆସିବାକୁ ଭଲ ପାଆନ୍ତି ନାହିଁ; କିନ୍ତୁ ଦରକାର ହେଲେ ସେ ଯେ କଠୋର ପଦକ୍ଷେପ ନେଇ ପାରନ୍ତି, ଅତୀତରେ ତାହା ମଧ୍ୟ ଦେଖା ଯାଇଛି। ଯଦିବା ରିଜର୍ଭ ବ୍ୟାଙ୍କ୍‌ ହେଉଛି ଦେଶରେ ମୁଦ୍ରା ଯୋଗାଣର ନିୟନ୍ତ୍ରକ, ଏହା ଜଣାଶୁଣା ଯେ ମୋଦୀ ନିଜର ଚାଞ୍ଚଲ୍ୟଧର୍ମୀ ବିମୁଦ୍ରୀକରଣ ନିଷ୍ପତ୍ତିରେ ପଟେଲଙ୍କୁ ବସ୍ତୁତଃ ଆଦୌ ସମ୍ପୃକ୍ତ କରି ନଥିଲେ। ଏହା ରିଜର୍ଭ ବ୍ୟାଙ୍କ୍‌ର ସ୍ୱାଧୀନତା ଓ କ୍ଷମତାକୁ କ୍ଷୁଣ୍ଣ କରିଥିଲା। ଉର୍ଜିତ ପଟେଲ କିନ୍ତୁ ଏଥିରେ ଦବି ନଯାଇ ପରବର୍ତ୍ତୀ ସମୟରେ ରିଜର୍ଭ ବ୍ୟାଙ୍କ୍‌ର ସ୍ୱାଧୀନତା ଜାହିର କରି ସରକାରୀ ଚାପ ସତ୍ତ୍ୱେ ସୁଧ ହାରରେ ହ୍ରାସ ଘଟାଇ ନାହାନ୍ତି; ଚାଷୀ ଋଣ ଛାଡ଼ର ରାଜକୋଷୀୟ ବିପଦ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି; ଦୀର୍ଘ କାଳୀନ ପୁଞ୍ଜିନିବେଶରୁ ମିଳୁଥିବା ଆୟ ଉପରେ ଅତିରିକ୍ତ ଟିକସ ବସାଇବା ବିରୋଧରେ ମତ ପ୍ରକାଶ କରିଛନ୍ତି।

ସେଇ ଉର୍ଜିତ ପଟେଲ ବର୍ତ୍ତମାନ ଢିଲା ନିୟନ୍ତ୍ରଣ ନେଇ ରିଜର୍ଭ ବ୍ୟାଙ୍କ୍‌ ବିରୋଧରେ ସରକାର କରୁଥିବା ଅଭିଯୋଗର ପ୍ରତିକ୍ରିୟା ସ୍ୱରୂପ ଗତ ସପ୍ତାହରେ ଏକ ଶିକ୍ଷାନୁଷ୍ଠାନରେ ଅଭିଭାଷଣ ଦେବା ଅବସରରେ କହିଛନ୍ତି ଯେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ମାନଙ୍କର ମାଲିକ ସରକାର ଏମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ହାତରେ ସେତିକି ଅଧିକାର ଦେଇ ନାହାନ୍ତି, ଯେତିକି ଘରୋଇ ବ୍ୟାଙ୍କ୍‌ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ହାତରେ ଅଛି। ତାଙ୍କ ଭାଷାରେ କୁହାଗଲେ, ‘‘ବ୍ୟାଙ୍କ୍‌ ମାନଙ୍କର ନିୟନ୍ତ୍ରଣ ମାଲିକାନା-ନିରପେକ୍ଷ ନୁହେଁ।’’ ଯଦି ଦେଶରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟାଙ୍କ୍‌ମାନଙ୍କର ନିୟନ୍ତ୍ରଣ ଏଭଳି ନିରପେକ୍ଷ ହୋଇଥାନ୍ତା, ତେବେ କେବଳ ଦୁଇଟି ଆଇନ ଦ୍ୱାରା ସେମାନେ ନିୟନ୍ତ୍ରିତ ହୁଅନ୍ତେ: କମ୍ପାନି ଆଇନ୍‌ (କମ୍ପାନିଜ୍‌ ଆକ୍ଟ- ୧୯୫୬) ଏବଂ ବ୍ୟାଙ୍କ୍‌ ନିୟନ୍ତ୍ରଣ ଆଇନ (ବ୍ୟାଙ୍କିଙ୍ଗ୍‌ ରେଗୁଲେସନ୍‌ ଆକ୍ଟ, ୧୯୪୯)। କିନ୍ତୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପାର୍ଲାମେଣ୍ଟ ଅନ୍ୟ ନିର୍ଦ୍ଦିଷ୍ଟ ଆଇନମାନ ପ୍ରଣୟନ କରିଛି, ଯେମିତି ଷ୍ଟେଟ୍‌ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଆକ୍ଟ, ୧୯୫୫ ଏବଂ ଜାତୀୟକରଣ ବ୍ୟାଙ୍କ୍‌ମାନଙ୍କ ପାଇଁ ପ୍ରଣୀତ ୧୯୬୯ ଓ ୧୯୭୯ରେ ଦୁଇଟି ଆଇନ। ଉର୍ଜିତ ପଟେଲ କହିଛନ୍ତି ଯେ ଏହି ଆଇନଗତ ସତ୍ୟ ବ୍ୟାଙ୍କ୍‌ ନିୟନ୍ତ୍ରଣ କ୍ଷେତ୍ରରେ ଏକ ଦ୍ୱୈତ ଶାସନ ବ୍ୟବସ୍ଥା ସୃଷ୍ଟି କରିଛି, ଯାହା ଏହି କ୍ଷେତ୍ର ମଧ୍ୟ ସ୍ଥଳରେ ଏକ ଗଭୀର ଖାଇ ଭଳି। ସରକାର ଏହାର ଜବାବରେ କହିଛନ୍ତି ଯେ ରିଜର୍ଭବ୍ୟାଙ୍କ୍‌ର ବ୍ୟାଙ୍କ୍‌ମାନଙ୍କ ଉପରେ ଯଥେଷ୍ଟ ନିୟନ୍ତ୍ରଣ କ୍ଷମତା ରହିଛି; ବରଂ ସରକାରଙ୍କ ହାତରେ ଥିବା କ୍ଷମତା ଅତ୍ୟନ୍ତ ସୀମିତ।

ଉଭୟ ପକ୍ଷଙ୍କର ପରସ୍ପରକୁ ଦୋଷ ଦିଆ ଦେଇକୁ ଅତିକ୍ରମ କରି ଯଦି ଦେଖାଯାଏ, ତେବେ ଉର୍ଜିତ ପଟେଲ ଯେ ବ୍ୟାଙ୍କ୍‌ମାନଙ୍କର ସର୍ବୋଚ୍ଚ ନିୟନ୍ତ୍ରକ ଭାବରେ କେବେହେଲେ ସମ୍ପୂର୍ଣ୍ଣ ଭାବରେ ନିଜର ଦୋଷ ଖସାଇ ଦେଇ ପାରିବେ ନାହିଁ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ (ପିଏନ୍‌ବି)ରେ ନିରବ ମୋଦୀ କରିଥିବା ଠକେଇ ଯେ କେବଳ ହୁଗୁଳା ନିୟନ୍ତ୍ରଣର ପରିଣାମ, ଏପରି ଧାରଣା ମଧ୍ୟ ଠିକ୍‌ ହେବ ନାହିଁ। ବର୍ତ୍ତମାନ ମଧ୍ୟ ଜଣାପଡ଼ିଛି ଯେ ୨୦୧୬ରେ ରିଜର୍ଭବ୍ୟାଙ୍କ୍‌ ଏ ସମ୍ପର୍କରେ ପିଏନ୍‌ବିକୁ ପଠାଇଥିବା ନିର୍ଦ୍ଦେଶ ପାଳିତ ହୋଇ ନଥିଲା। ଏଥିପୂର୍ବରୁ ବିଜୟ ମାଲ୍ୟା ଘଟଣାରେ ଦେଖାଯାଇଛି ତତ୍କାଳୀନ ସରକାରୀ ଚାପ (ମନମୋହନ ସିଂହଙ୍କ ଭୂମିକା ବହୁଚର୍ଚ୍ଚିତ) ଯୋଗୁଁ ମାଲ୍ୟାଙ୍କ କାରସାଦି ସମ୍ଭବ ହୋଇଥିଲା, ହୁଗୁଳା ନିୟନ୍ତ୍ରଣ ଯୋଗୁଁ ନୁହେଁ।

ବାସ୍ତବରେ ଭାରତରେ ବ୍ୟାଙ୍କ୍‌ ବ୍ୟବସାୟର ପରିବେଶ ମୁଖ୍ୟତଃ ଏଥିପାଇଁ ଦାୟୀ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନଙ୍କରେ ହିଁ ଏପରି ଠକେଇ ଓ ଋଣ ଖିଲାପି ଅଧିକ ଦେଖିବାକୁ ମିଳିଥାଏ। ଏମାନେ ସରକାରୀ ଚାପରେ ଋଣ ପରେ ଋଣ ଦେଇ ଚାଲିଥାନ୍ତିି ଏବଂ ଋଣ ବୁଡ଼ିଯିବା ପାଇଁ ଏମାନଙ୍କର ଭୟ ନଥାଏ, କାରଣ ଶେଷରେ ସରକାର କରଦାତାଙ୍କ ଅର୍ଥରେ ଏହାର ଭରଣା କରନ୍ତି। ଦୁଇରେ ବ୍ୟାଙ୍କ୍‌ମାନଙ୍କର ଅଭ୍ୟନ୍ତରୀଣ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ ଦୁର୍ବଳ। ୧୯୯୯ର ସନ୍‌ କନେରୀ ଅଭିନୀତି ଫିଲ୍‌ମ ‘ଏଣ୍ଟ୍ରାପ୍‌ମେଣ୍ଟ୍‌’ରେ ଦେଖାଯାଇଥିଲା ୧୯୯୯ ଓ ୨୦୦୦ ସାଲର ସନ୍ଧିକ୍ଷଣରେ କେଇ ମୁହୂର୍ତ୍ତ ପାଇଁ ବ୍ୟାଙ୍କ୍‌ର ନିରାପତ୍ତା ବ୍ୟବସ୍ଥା ଅଚଳ ହୋଇଯିବାର ସୁଯୋଗ ନେଇ କନେରୀ ଇଲେକ୍‌ଟ୍ରୋନିକ୍‌ ଟ୍ରାନ୍ସଫର୍‌ ଜରିଆରେ ୮ ନିୟୁତ ଡଲାର ହଡ଼ପ କରି ନେଇଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ନିରବ ମୋଦୀ ବ୍ୟବହାର କରିଥିବା ‘ସ୍ୱିଫ୍ଟ’ ମେସେଜିଙ୍ଗ୍‌ ବ୍ୟବସ୍ଥା ସହିତ ‘କୋର୍‌ ବ୍ୟାଙ୍କିଙ୍ଗ୍‌’ ସଫ୍ଟେଓ୍ଵଆର୍‌ ସଂଯୁକ୍ତ ହୋଇ ନଥିଲା, ଯାହା ମୋଦୀଙ୍କୁ ସମସ୍ତଙ୍କ ଅଗୋଚରରେ ଏତେ ବିଶାଳ ଆକାରର ଅର୍ଥ ସ୍ଥାନାନ୍ତରିତ କରିବା ସମ୍ଭବ କରାଇଥିଲା। ସେହିପରି ଏଭଳି ଠକମାନଙ୍କୁ ଋଣ ପ୍ରଦାନ ଉପରେ ନଜର ରଖିବା ପରିବର୍ତ୍ତେ ବ୍ୟାଙ୍କ୍‌ମାନଙ୍କର ପରିଚାଳନା ବୋର୍ଡ ସବୁ ନିରବଦ୍ରଷ୍ଟା ହୋଇ ରହିବା ଦେଖାଯାଉଛି। ବୋର୍ଡମାନଙ୍କୁ ଅଧିକ ସକ୍ରିୟ କରିବା ପାଇଁ ଉଦ୍ଦିଷ୍ଟ ‘ବ୍ୟାଙ୍କ୍‌ ବୋର୍ଡସ ବ୍ୟୁରୋ’ ମୁଖ୍ୟତଃ ଏକ ନିଷ୍କ୍ରିୟ ଅନୁଷ୍ଠାନ ରୂପେ ସାବ୍ୟସ୍ତ ହୋଇଛି। ଏଥିରୁ ଯାହା ସ୍ପଷ୍ଟ ହୋଇଥାଏ ତାହା ହେଲା ଯଦିବା ନିରବ ମୋଦୀ ଭଳି ଠକେଇ ପାଇଁ ରିଜର୍ଭବ୍ୟାଙ୍କ୍‌ ସମ୍ପୂର୍ଣ୍ଣ ଦୋଷମୁକ୍ତ ନୁହେଁ, ଉପରୋକ୍ତ ଦୁର୍ବଳତା ସବୁ ଦୂର କରିବା ଦାୟିତ୍ୱ ହେଉଛି ସରକାରଙ୍କର। ଆଉ ଚୌକିଦାର ମୁଣ୍ଡରେ ଦୋଷକୁ ଦେଇ ସରକାର ଖସି ଯାଇ ପାରିବେ ନାହିଁ।

ସମ୍ବନ୍ଧିତ ଖବର