ଗଲା ୨୩ ତାରିଖରେ ଅମୃତ ପାଲ ସି˚ହକୁ ମୋଗା ଠାରେ ଗିରଫ କରାଯିବା ପରେ ମନେ ହେଲା ସତେ ଯେମିତି ରାଷ୍ଟ୍ର ସ୍ବସ୍ତିରେ ନିଃଶ୍ବାସ ମାରିଛି। ପ୍ରାୟ ଛତିଶ ଦିନ ଧରି ଗିରଫଦାରିକୁ ଏଡ଼ାଇ ଚାଲିଥିବା ଏହି ପଳାତକକୁ ଧରିବା ଲାଗି ପଞ୍ଜାବ ପୁଲିସ ବିନିଦ୍ର ରଜନୀ ଅତିବାହିତ କରୁଥିଲା, କାରଣ ପ୍ରଥମ ଦିନ ହିଁ ପୁଲିସର ନାକ ତଳୁ ଖସି ଯାଇ ନିଜକୁ ମାସାଧିକ କାଳ ମୁକ୍ତ ରଖିବାରେ ସଫଳ ହୋଇଥିବା ଅମୃତ ପାଲ ପୁଲିସ ବାହିନୀକୁ ଲଜ୍ଜାନତ କରି ରଖିଥିଲା। ଏଥିରେ ସନ୍ଦେହ ନାହିଁ ଯେ ଅମୃତ ପାଲର କାର୍ଯ୍ୟକଳାପ ଅସ˚ଖ୍ୟଙ୍କ ମନରେ ଅଷ୍ଟମ ଦଶକର ସେହି ଅତ୍ୟନ୍ତ ଲୋମହର୍ଷଣକାରୀ ଓ ରକ୍ତସ୍ନାତ ସ୍ମୃତି ଉଜାଗର କରି ପକାଇଥିଲା, ଯେଉଁଥିରେ ଖଲିସ୍ତାନ ରାଷ୍ଟ୍ର ଦାବିରେ ଅକଳ୍ପନୀୟ ହି˚ସାତ୍ମକ ବିଦ୍ରୋହ ପଞ୍ଜାବକୁ ପଙ୍ଗୁପ୍ରାୟ କରି ପକାଇଥିଲା। ଏହି ଦୃଷ୍ଟିରୁ ସାମାଜିକ ଗଣମାଧୢମ ଏବ˚ ମୁଖ୍ୟ ସ୍ରୋତୀୟ ଗଣମାଧୢମ ଦ୍ବାରା ଅମୃତ ପାଲ ସି˚ହକୁ ଜର୍ନେଲ ସି˚ହ ଭିନ୍ଦ୍ରନଵାଲେର ଦ୍ବିତୀୟ ଅବତାର ରୂପେ ଚିତ୍ରଣ କରାଯିବାରେ ବିଶେଷ ଅସ୍ବାଭାବିକତା ମଧୢ ନ ଥିଲା। ତେବେ, ବର୍ତ୍ତମାନ କେତେକ କାରଣରୁ ପ୍ରଶ୍ନ ଉଠିବାରେ ଲାଗିଛି ଯେ ସତରେ କ’ଣ ଅମୃତ ପାଲ ଏକ ବାସ୍ତବ ବିପଦର ସୂତ୍ରଧର ନା ଗଣମାଧୢମ ଦ୍ବାରା ସୃଷ୍ଟ ଏକ ଅତିର˚ଜିତ ବ୍ୟାଖ୍ୟାନର ଉତ୍ପାଦ?

Advertisment

ପ୍ରଥମ କଥା ହେଲା ଭିନ୍ଦ୍ରନଵାଲେଙ୍କ ବେଶପୋଷାକ ଏବ˚ ଚାଲିଚଳଣକୁ ଅନୁକରଣ କରିବାରେ ପ୍ରଚେଷ୍ଟାରତ ଅମୃତ ପାଲ ଠାରେ ଭିନ୍ଦ୍ରନଵାଲୀୟ ବ୍ୟକ୍ତିତ୍ବର ଆକର୍ଷଣ ବା ଭୂମି ଓ ପନ୍ଥ ସହିତ ସ˚ପୃକ୍ତି ପରିଲକ୍ଷିତ ହୋଇ ନ ଥାଏ। ସେହି ଭଳି ସେ ସମୟର ବୈଦ୍ୟୁତିକ ରାଜନୈତିକ-ସାମାଜିକ ବାତାବରଣ ମଧୢ ବର୍ତ୍ତମାନ ଅନୁପସ୍ଥିତ; ବର˚ ସେହି ଦେଢ଼ ଦଶନ୍ଧି ବ୍ୟାପୀ ବିଷାଦଭରା କାଳଖଣ୍ତକୁ ଅଧିକା˚ଶ ପଞ୍ଜାବବାସୀ ଏକ ଦୁଃସ୍ବପ୍ନ ଭଳି ଭୁଲି ଯିବାକୁ ବ୍ୟାକୁଳ। ସୁତରା˚, ଅନେକ ବିଶେଷଜ୍ଞ କହିଥାଆନ୍ତି ଯେ ପଞ୍ଜାବରେ ଅମୃତ ପାଲ ସି˚ହ ଦ୍ବାରା ପୁନର୍ବାର ଖଲିସ୍ତାନ ବୀଜ ବପନର ପ୍ରଚେଷ୍ଟା ସଫଳ ହୁଅନ୍ତା ନାହିଁ। ଯଦିଓ, ଏହା ସତ ଯେ ଦୁବାଇରେ ବ୍ୟବସାୟ କରୁଥିବା ଅମୃତ ପାଲ ଗଲା ବର୍ଷ ଭାରତରେ ଏକ ନୂତନ ଅବତାର (ଭିନ୍ଦ୍ରନଵାଲେ ଭଳି ବିଚ୍ଛିନ୍ନତାବାଦୀ)ରେ ଆବିର୍ଭୂତ ହୋଇ ମାତ୍ର ଛଅରୁ ସାତ ମାସ ମଧୢରେ ଯଥେଷ୍ଟ ଆନୁଗତ୍ୟ ଜୁଟାଇ ପାରିଥିଲା; ଯାହା ବଳରେ ଶହ ଶହ ସମର୍ଥକଙ୍କୁ ମତାଇ ଅଜନାଳା ଥାନାରୁ ପୁଲିସ ହେପାଜତରେ ଥିବା ତା’ର ଜଣେ ସହଯୋଗୀକୁ ଛଡ଼ାଇ ନେବାରେ ସଫଳ ହୋଇଥିଲା। ଏହି ଘଟଣା ତା’ ମନରେ (ଜନସାଧାରଣଙ୍କ ମନରେ ମଧୢ!) ନିଜ ପ୍ରତି ଜନ ଆନୁଗତ୍ୟକୁ ନେଇ ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରିଥିବ ନିଶ୍ଚୟ।

କାରଣ, ତାହା ହୋଇ ନ ଥିଲେ ଗିରଫ ହେବା ନିଶ୍ଚିତ ବୋଲି ଜାଣି ମୋଗାସ୍ଥିତ ଗୁରୁଦ୍ବାରରୁ ଡାକବାଜି ଯୋଗେ ସେ ଏକ ଆହ୍ବାନମୂଳକ ଭାଷଣ ପ୍ରଦାନ କରି ନ ଥାଆନ୍ତା, ଯାହା ଗୁରୁଦ୍ବାର ବାହାରେ ଅବଲୀଳା କ୍ରମେ ନିରବତାରେ ମିଳାଇ ଯାଇଥିଲା; ସମର୍ଥକଙ୍କୁ ଏଖଜୁଟ କରିବାରେ ବିଫଳ ହୋଇଥିଲା। ଇତିମଧୢରେ ସେ ଏବ˚ ତା’ର ଛଅ ଜଣ ସହଯୋଗୀଙ୍କୁ ଗିରଫ କରି ସୁଦୂର ଆସାମର ଦିବ୍ରୁଗଡ଼ ଜେଲକୁ ପଠାଇ ଦିଆ ଯାଇଥିଲେ ସୁଦ୍ଧା ପଞ୍ଜାବରେ କୌଣସି ଖଲିସ୍ତାନୀ ହୁଁକାର ଶ୍ରୁତିଗୋଚର ହୋଇନାହିଁ। ବର୍ତ୍ତମାନର ଏକ ବାସ୍ତବତା ହେଲା ପାକିସ୍ତାନ ପଟୁ ଡ୍ରୋନ୍‌ ସହାୟତାରେ ପଞ୍ଜାବ ଭିତରକୁ ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଫୋପାଡ଼ି ଦିଆଯାଉଥିଲେ ମଧୢ ସେ ସବୁ ଅବ୍ୟବହାର୍ଯ୍ୟ ହୋଇ ପଡ଼ି ରହୁଛି। ବର୍ତ୍ତମାନ ଏହା ମଧ୍ୟ ସ୍ପଷ୍ଟ ହୋଇଗଲାଣି ଯେ ଅଜନାଳାରେ ବିଶୃଙ୍ଖଳା ଉତ୍ପନ୍ନ କରିଥିବା ସମର୍ଥକମାନେ ସେ ଦିନ କେବଳ ଏକ ଉଦ୍‌ଭ୍ରାନ୍ତ ‘ମବ୍‌’ ବା ‘ଭିଡ଼’ ଭଳି ଆଚରଣ କରିଥିଲେ ଯାହା! ଖଲିସ୍ତାନର କାମନା ଏବେ ନିଃଶେଷପ୍ରାୟ।

ସେହି ଦୃଷ୍ଟିରୁ ଖଲିସ୍ତାନ ପ୍ରସଙ୍ଗ ଉପରେ ଅତ୍ୟନ୍ତ ନିକଟରୁ ଦୃଷ୍ଟି ରଖିଥିବା ବିଶେଷଜ୍ଞ ତଥା ଦିଲ୍ଲୀସ୍ଥିତ ‘ଇନଷ୍ଟିଚ୍ୟୁଟ୍‌ ଅଫ କନ୍‌ଫ୍ଲିକ୍‌ଟ ମ୍ୟାନେଜମେଣ୍ଟ’ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡକ୍ଟର ଅଜୟ ସାହଣୀଙ୍କ ମତରେ ଉଭୟ ଗଣମାଧୢମ ଓ ସରକାର ଅମୃତ ପାଲର ଭାବମୂର୍ତ୍ତିକୁ ଅତିକାୟତା ପ୍ରଦାନ କରିଛନ୍ତି। ସେ କହିଥାଆନ୍ତି ଯେ ଅମୃତ ପାଲକୁ ‘ଏନ୍‌.ଏସ୍‌.ଏ.’ ବଳରେ ଗିରଫ କରାଯାଇ ଏକ ଅର୍ବାଚୀନକୁ ରାଷ୍ଟ୍ର ସକାଶେ ଏକ ବିପଦ ବୋଲି ସ୍ବୀକାର କରାଯାଇଛି ଏବ˚ ଏହି ଧାରଣାକୁ ଆହୁରି ଦୃଢ଼ତା ପ୍ରଦାନ କରି ତାକୁ ଏବ˚ ତା’ର ସହଯୋଗୀମାନଙ୍କୁ ସୁଦୂର ଦିବ୍ରୁଗଡ଼କୁ ପ୍ରେରଣ କରାଯାଇଛି। ତାଙ୍କ ମତରେ ଅମୃତ ପାଲକୁ ସାଧାରଣ ଭାବେ ଗିରଫ କରାଯାଇ ପଞ୍ଜାବର କୌଣସି ଜେଲରେ ରଖାଯାଇଥିଲେ ସେ କୌଣସି ଅସାଧାରଣତା ଲାଭ କରି ନ ପାରି ସାମନ୍ୟ ବନ୍ଦୀଟିଏ ହୋଇ ରହିଥାଆନ୍ତା, ଯାହା ତାକୁ ଘେରି ସୃଷ୍ଟି ହୋଇଥିବା ପ୍ରଭା ମଣ୍ତଳକୁ ମଳିନ କରନ୍ତା।

ତେବେ, ଏ ପ୍ରସଙ୍ଗରେ ଆଉ ଯାହା ଉଳ୍ଲେଖଯୋଗ୍ୟ, ତାହା ହେଲା ଏଭଳି କରାଯିବା ପଛରେ ରାଜନୀତି ନିହିତ ବୋଲି ପଞ୍ଜାବର ଆଞ୍ଚଳିକ ଗଣମାଧୢମ ଦ୍ବାରା ସୃଷ୍ଟ ଏକ ବ୍ୟାଖ୍ୟାନ। ଏହା ଅନୁସାରେ ‘ଆପ୍‌’ ଓ ‘ବିଜେପି’ ମଧୢରେ ଚାଲୁ ରହିଥିବା ତୀବ୍ର ରାଜନୈତିକ ବିଦ୍ବେଷ ହିଁ ଏହାର କାରଣ, ଯେଉଁଥି ଲାଗି ‘ଆପ୍‌’ ଶାସିତ ପଞ୍ଜାବରୁ ସେମାନଙ୍କୁ ବିଜେପି ଶାସିତ ଆସାମକୁ ସ୍ଥାନାନ୍ତର କରାଗଲା। ଯଦିଓ ଏଥିରେ ଦ୍ବିରୁକ୍ତି ନାହିଁ ଯେ ଅମୃତ ପାଲର ଖଲିସ୍ତାନ ସମର୍ଥନକାରୀ ଉଚ୍ଚାଟ କେତେକ ଚିରାଚରିତ ଭାବେ ଭାରତ-ଅସନ୍ତୁଷ୍ଟ ଶିଖ ପନ୍ଥୀଙ୍କୁ ପ୍ରଭାବିତ ମଧୢ କରିଥିବ, କିନ୍ତୁ ଜଣାପଡ଼ିଛି ଯେ ଶୀଘ୍ର ଲୋକପ୍ରିୟତା ହାସଲ କରିବା ସକାଶେ ସେ ପ୍ରବଞ୍ଚନାର ଆଶ୍ରୟ ମଧୢ ନେଇଛି। ପ୍ରାୟ ସମସ୍ତଙ୍କ ଧାରଣା ଯେ ‘ଵାରିସ ପଞ୍ଜାବ ଦା’ର ପ୍ରତିଷ୍ଠାତା ଗାୟକ ଦୀପ ସିଦ୍ଧୁଙ୍କ ଅଚାନକ ମୃତ୍ୟୁ ପରେ ସୃଷ୍ଟ ଶୂନ୍ୟ ସ୍ଥାନକୁ ପୂରଣ କରିବା ଲାଗି ଅମୃତ ପାଲର ଆବିର୍ଭାବ ଘଟିଥିଲା।

କିନ୍ତୁ ଦୀପ ସିଦ୍ଧୁଙ୍କ ପରିବାର ଏହି ଧାରଣାକୁ ନାକଚ କରି କହନ୍ତି ଯେ ଜୀବିତ ଥିବା ବେଳେ ଦୀପ ସିଦ୍ଧୁଙ୍କ ସ˚ପର୍କ ଅମୃତ ପାଲ ସହିତ ଆଦୌ ଭଲ ନ ଥିଲା ଏବ˚ ଦୀପଙ୍କ ମୃତ୍ୟୁର ସୁଯୋଗ ନେଇ ଅମୃତ ପାଲ ମୋଗାରେ ଆଉ ଏକ ସ˚ଗଠନର ପ˚ଜୀକରଣ କରି ତା’ର ନାମ ସମାନ ଶୁଣାଯାଉଥିବା ଭଳି ‘ଵାରିସ ପଞ୍ଜ-ଆବ ଦା’ ବୋଲି ରଖିଥିଲା, ଯହିଁରେ କେବଳ ଗୋଟିଏ ସୂକ୍ଷ୍ମ ପରିବର୍ତ୍ତନ ଥିଲା, ଯାହା ହେଲା ଦୀପ ସିଦ୍ଧୁଙ୍କ ‘ପଞ୍ଜାବ’ର ସନ୍ଧି ବିଚ୍ଛେଦ ଘଟି ତାହା ‘ପଞ୍ଜ-ଆବ’ (ପଞ୍ଚ ନଦୀ)ରେ ପରିଣତ ହୋଇଥିଲା। ଏବ˚ ଅମୃତ ପାଲ ତା’ର ସ˚ଗଠନକୁ ଦୀପ ସିଦ୍ଧୁଙ୍କ ‘ଫେସବୁକ୍‌’ ପୃଷ୍ଠା ସହିତ ଯୋଡ଼ି ମୃତ ଗାୟକଙ୍କ ଅସୁମାରି ଅନୁଗାମୀଙ୍କ ସମର୍ଥନ କ୍ଷଣିକେ ଲାଭ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ପୁଲିସର ଅନୁସନ୍ଧାନ ମଧୢ ଦୀପ ସିଦ୍ଧୁ ପରିବାରର ବୟାନକୁ ସମର୍ଥନ କରିଥାଏ। ତେଣୁ, ଅନେକ ପଞ୍ଜାବ ପର୍ଯ୍ୟବେକ୍ଷକ ଅମୃତ ପାଲ ସି˚ହକୁ ଏକ ପାଳ ଭୂତ ବୋଲି ମଧୢ ଅଭିହିତ କରିଥାଆନ୍ତି! କିନ୍ତୁ ପ୍ରଶ୍ନ ଉଠେ ଯେ ଏଭଳି ହାଲୁକା ମନୋଭାବ ମଧୢ କ’ଣ ଯଥାର୍ଥ କି?

ଏ କଥା ଭୁଲିଗଲେ ହେବ ନାହିଁ ଯେ ଇ˚ଲାଣ୍ତ ବା ଆମେରିକା ବା ଜର୍ମାନି ଅଥବା ଅଷ୍ଟ୍ରେଲିଆ କିମ୍ବା କାନାଡାରେ ବସବାସ କରୁଥିବା ଅସ˚ଖ୍ୟ ଶିଖ ସେମାନଙ୍କ କଳ୍ପନାର ଖଲିସ୍ତାନକୁ ଭାରତ ବକ୍ଷରେ ରୂପ ଦେବା ଲାଗି ଅର୍ଥର ସ୍ରୋତ ଛୁଟାଇବା ସକାଶେ ଉଦ୍‌ଗ୍ରୀବ ହୋଇ ରହିଛନ୍ତି। ବିଦେଶ ଭୂମିରେ ଅବସ୍ଥାନ କରୁଥିବା ଏହି ଛିନ୍ନମୂଳ ଶିଖମାନେ ନିଜ ଦେଶର ବାସ୍ତବିକତା ସହିତ ସ˚ପର୍କ ହରାଇ ସାରିଛନ୍ତି ଏବ˚ ବିଦେଶରେ ବିତ୍ତଶାଳୀ ହୋଇଥିବା ସତ୍ତ୍ବେ ସେଠାରେ ଏକ ଦ୍ବିତୀୟ ଶ୍ରେଣୀ ନାଗରିକର ଜୀବନ ଅତିବାହିତ କରୁଛନ୍ତି। ଏଭଳି ସ୍ଥିତିରେ ସାଧାରଣତଃ ସା˚ସ୍କୃତିକ ଓ ସା˚ପ୍ରଦାୟିକ ପରିଚିତି ଏକ ଅବଲମ୍ବନ ହୋଇ ପଡ଼େ ଯାହା ଅନେକ ସମୟରେ ସ˚କୀର୍ଣ୍ଣ ଚରମବାଦ ରୂପେ ପ୍ରକାଶିତ ହୋଇଥାଏ। ଉପର ବର୍ଣ୍ଣିତ ବିଦେଶୀ ରାଷ୍ଟ୍ରଗୁଡ଼ିକରେ ବସବାସ କରୁଥିବା ଶିଖ ସ˚ପ୍ରଦାୟ ଠାରେ ତାହା ହିଁ ଘଟିଛି। ସେମାନେ ରଣ ଓ ବଧ ଭୂମି ଠାରୁ ନିରାପଦ ଦୂରତ୍ବରେ ରହି ଅର୍ଥର ବଳ ଦ୍ବାରା ଏଠାରେ ଏକ ଘାତକ ପଦାତିକ ବାହିନୀ ସୃଷ୍ଟି କରିବାକୁ ଆଗ୍ରହୀ। ଅନେକଙ୍କ ମତରେ ଅମୃତ ପାଲ ମଧୢ ସେହିଭଳି ଜଣେ ପଥଭ୍ରଷ୍ଟ ପଦାତିକ ଯିଏ ଏକ ବାହିନୀ ସୃଷ୍ଟି କରିବା ଲାଗି ଏଠାରେ ନିୟୋଜିତ ହୋଇଛି। ତେବେ ତାକୁ ପାଳ ଭୂତ ବୋଲି କହି ଅଗତ୍ୟା ନାକଚ କରି ଦେବା ମଧୢ ବିଜ୍ଞତା ହେବ କି? କାରଣ, ରାତ୍ରିର ଅନ୍ଧକାରରେ ଜୀବିତ ମନୁଷ୍ୟ ମଧୢ ଅନେକ ସମୟରେ ପାଳ ଭୂତର ଭ୍ରମ ସୃଷ୍ଟି କରିଥାଏ।